Unknown

 

 

 

 

 

 

 

 

 

 

 

କଥାରେ କଥାରେ

ଅସୀମ ବସୁ

 

ନିଜ କଥା

 

‘କଥାରେ କଥାରେ’ ଲେଖିବାର ପ୍ରସ୍ତୁତି ମୋର ନ ଥିଲା । ବନ୍ଧୁ ଜଗଦୀଶ ପାଣି ଦିନେ ସମାବେଶ ପତ୍ରିକାର ଦପ୍ତରରେ ମୋର କେତୋଟି ଲିପିବଦ୍ଧ ଅନୁଭୂତିକୁ ଆବିଷ୍କାର କରି ମତେ ଲେଖିବା ପାଇଁ ପ୍ରରୋଚିତ କଲେ । ମୋର ଅଳସ ପଣିଆ ତାଙ୍କର ଅଜଣା ନ ଥିଲା । ତେଣୁ ତାଙ୍କର ନିୟମିତ ତାଗିଦ ମଧ୍ୟ ଥିଲା ‘କଥାରେ କଥାରେ’ ଲେଖିବା ପଛରେ । ମୋର ମନେ ହେଉଥିଲା ଏଇ ତାଗିଦ ପଛରେ ତାଙ୍କର ଏକ ଅପ୍ରକାଶ୍ୟ ସ୍ଵାର୍ଥ୍ୟ ମଧ୍ୟ ଥିଲା । ହୁଏତ ସେ ତାଙ୍କ ଅତୀତକୁ ଖୋଜି ପାଉଥିଲେ ମୋ ଅତୀତ ଭିତରେ । ତାଙ୍କ ଦୁଃଖ ଯନ୍ତ୍ରଣାର ଅତୀତ । ତାଙ୍କ କୈଶୋର ଓ ଯୌବନର ସଂଗ୍ରାମର ଅତୀତ । ଯାହା ସେ ଲେଖି ପାରୁ ନ ଥିଲେ ବୋଲି ମତେ ଲେଖିବାକୁ ବାଧ୍ୟ କରୁଥିଲେ । ଏ ବାଧ୍ୟ ବାଧକତା ଥିଲା ସ୍ନେହରେ, ପ୍ରେମରେ । କଥାରେ କଥାରେ ‘ସମାବେଶ’ରେ ଧାରାବାହିକ ଭାବରେ ପ୍ରକାଶ ପାଇବାକୁ ଲାଗିଲା । ଲେଖା ପଢ଼ି ସାହିତ୍ୟିକ ବନ୍ଧୁ ବିଭୂତି ପଟ୍ଟନାୟକ ତାରିଫ୍ କଲେ । ତାରିଫ୍ କଲେ ଅନ୍ୟ କେତେକ ବନ୍ଧୁ ମଧ୍ୟ । ଏ ତାରିଫ୍ ଲେଖାର ଭଲ ମନ୍ଦ ବିଚାର ଉପରେ ଯେତେ ନୁହେଁ ପ୍ରଚ୍ଛଦ ଚିତ୍ର ଆଙ୍କୁଥିବା ଲୋକଟା ପରିଣତ ବୟସରେ ହଠାତ୍ ଲେଖିବା ଆରମ୍ଭ କଲା ହୁଏତ ସେଇଥିପାଇଁ । ବିଭୂତି ବାବୁ ପାଠକ ଚରିତ୍ର ଉପରେ ଯଥେଷ୍ଟ ଅଭିଜ୍ଞ ପୁରୁଷ । ତାଙ୍କ ଅଭିଜ୍ଞତାରୁ କିଛି କିଛି ଶୁଣେଇ ଥିଲେ ନୂଆ ଲେଖକ ଜଣକୁ । କାଳେ କିଛି କାମରେ ଲାଗିବ ଏଇ ଆଶାରେ । କଥାରେ କଥାରେ ମୋର ଆତ୍ମକାହାଣୀ ଯେତିକି ନୁହଁ, ମୁଁ ଭେଟିଥିବା, ମିଶିଥିବା ଚରିତ୍ରମାନଙ୍କର କାହାଣୀ ତା’ଠାରୁ ବେଶୀ । ଥରେ ଜଣେ ଲେଖକ ବନ୍ଧୁ ପ୍ରଶ୍ନ କରି ଥିଲେ “କଥାରେ କଥାରେ”ର ସବୁ ଘଟଣା କଣ ସତ ?

 

ମୋର ସ୍ଵୀକାରୋକ୍ତି–ଘଟଣା ଜୀବନ୍ତ ହେଇଥିଲେ ବି କଳ୍ପନାର ପୁଟ ଦେଇ ତାକୁ କାହାଣୀ କରିଚି ମାତ୍ର । ଖାଣ୍ଟି ସୁନାରେ ଗହଣା ତିଆରି ହୁଏ ନାହିଁ । ଗହଣା ତିଆରି ପାଇଁ ଯେତିକି ଖାଦ ମିଶେଇଛି ସେଥିପାଇଁ କ୍ଷମା ମାଗୁଛି । ‘କଥାରେ କଥାରେ’ ବହି ଆକାରରେ ପ୍ରକାଶ ପାଇବା ସମ୍ଭବ ହୁଅନ୍ତା ନାହିଁ ଯଦି ଅନୁଜ ପ୍ରତିମ ଅସିତ ମହାନ୍ତି ‘ସମାବେଶ’ରେ ଧାରାବାହିକ ଭାବରେ ପ୍ରକାଶ ପାଇଥିବା ପୃଷ୍ଠାଗୁଡ଼ିକୁ ସଂଗ୍ରହ କରି ମତେ ଆଣି ଦେଇ ନ ଥାଆନ୍ତେ । ହେଲେ ସେ ଯେତିକି ଦେଇଥିଲେ ତା ପରବର୍ତ୍ତି ସଂଖ୍ୟା ଗୁଡ଼ିକର ଲେଖା ମୋର ଅସଜଡ଼ା ପଣିଆ ଯୋଗୁଁ ସଂପୂର୍ଣ୍ଣ ଭାବରେ ସଂଗ୍ରହ କରି ପାରିବି ବୋଲି ହଲପ ଦେଇ କହି ପାରିବିନି । ବନ୍ଧୁ ଜଗଦୀଶ ପାଣି ଚାହିଁଥିଲେ ବହିଟିକୁ ପ୍ରକାଶ କରିବା ପାଇଁ । କାମ ବି କିଛିଟା ଆଗେଇ ଥିଲା । ହେଲେ ଅକସ୍ମାତ ତାଙ୍କ ବିୟୋଗରେ ସବୁ ଓଲଟ୍ ପାଲଟ୍ ହେଇଗଲା । ତା ପରର ଗୁଡ଼ାଏ ବର୍ଷ କେବଳ ନିଜର ଅଳସୁଆ ପଣିଆ ଯୋଗୁଁ ଲେଖାଗୁଡ଼ିକ ବିଡ଼ା ବନ୍ଧା ହେଇ ପଡ଼ି ରହିଥିଲା ମୋରି ପାଖରେ । ହଠାତ ଲାର୍କ ବୁକ୍‌ସର କର୍ଣ୍ଣଧାର ବନ୍ଧୁ ମହେନ୍ଦ୍ର ମିଶ୍ର ଆଗ୍ରହ ପ୍ରକାଶ କଲେ ‘କଥାରେ କଥାରେ’ ଛାପିବା ପାଇଁ । ଲେଖାଗୁଡ଼ିକ ତାଙ୍କୁ ଧରେଇ ଦେଇ ନିଶ୍ଚିନ୍ତ ହେଲି । ଏବଂ ନିଶ୍ଚିନ୍ତ ହେଲି ଯେ ବହି ପ୍ରକାଶ ପାଇବ ଦିନେ ନା ଦିନେ । ମହେନ୍ଦ୍ର ମିଶ୍ର ତ ମୋରି ଭଳି ଜଣେ ଅସଜଡ଼ା ଲୋକଟିଏ । ଅଳସୁଆ ପଣିଆରେ ବି ମୋ ଠାରୁ କିଛି କମ ନୁହନ୍ତି । ତା ଛଡ଼ା ମୁଁ ବି ଏମିତି ନାମୀ ଦାମୀ ଲେଖକ ନୁହେଁ ଯେ ବହି ପ୍ରକାଶ ପାଇଲେ ପ୍ରକାଶକ ବ୍ୟବସାୟୀକ ସାଫଲ୍ୟ ଲାଭ କରିବେ । ହେଲେ ବିସ୍ମିତ ହେଲି ପ୍ରଚ୍ଛଦ ପାଇଁ ତାଗିଦା ଦେଖି । ଛପା ହେଇଥିବା ଫର୍ମାକୁ ଆଖିରେ ଦେଖି । ବର୍ଷ ପରେ ବର୍ଷ ପଡ଼ି ରହିଥିବା ଲେଖାଗୁଡ଼ିକ ମାସକରୁ କମ ସମୟ ଭିତରେ ବହିର ରୂପ ନେବାକୁ ଯାଉଛି । ଇଏତ ମୋ ପାଖରେ କମ୍ ବିସ୍ମୟର କଥା ନୁହଁ । କୃତଜ୍ଞତା ଜଣାଉଛି ‘କଥାରେ କଥାରେ’ର ଚରିତ୍ର ମାନଙ୍କୁ । ତାଙ୍କ ସଂସ୍ପର୍ଶରେ ଆସି ନ ଥିଲେ ‘କଥାରେ କଥାରେ’ ସୃଷ୍ଟି ହେଇ ପାରି ନ ଥାନ୍ତା । କୃତଜ୍ଞତା ଜଣାଉଛି ଧାରାବାହିକର ପାଠକ ବନ୍ଧୁମାନଙ୍କୁ ମତେ ଉତ୍ସାହିତ କରିଥିବାରୁ । କୃତଜ୍ଞତା ନ ଜଣେଇ ଯେଉଁମାନଙ୍କ ପାଖରେ ଋଣୀ ହେଇ ରହିବାକୁ ଭଲ ଲାଗୁଛି ସେମାନେ ହେଲେ ବିଭୂତି ପଟ୍ଟନାୟକ, ଅସିତ ମହାନ୍ତି ଓ ମହେନ୍ଦ୍ର ମିଶ୍ର ମହାଶୟ ।

Image

 

କଥାରେ-କଥାରେ

 

ଦିନେ ଏକ ନିଛାଟିଆ ଦି’ପହରେ ନାମ ନ ଜଣା କୌଣସି ଏକ ରାସ୍ତାରେ ଏକା ଏକା ବୁଲୁ ବୁଲୁ ଗୋଟାଏ ଲୋକକୁ ଦେଖି ମୁଁ ଚମକି ପଡ଼ିଲି ।

 

ଏ କଣ ? ଦର୍ପଣରେ ଯାହାକୁ ଦେଖି ମୁଁ ନିଜକୁ ଚିହ୍ନିଥିଲେ ଏ ଲୋକଟା ଯେ ଅବିକଳ ସେଇଭଳି ଦେଖିବାକୁ ! ମୁହଁରେ ମୋ’ରି ଭଳି ଦାଢ଼ି, ମୁଣ୍ଡରେ ମୋ’ରି ଭଳି ଅଲରା ବାଳ, ଆଖିରେ ଚଶମା, ହାଡ଼ୁଆ ମୁହଁ, ମୋ’ରି ଭଳି ଡେଙ୍ଗା, ରୋଗା, ମୋ’ରି ଭଳି ଏକା ଏକା ବୁଲୁଛି । ଅନେକ ଦିନ ଆଗେ ସିନେମାରେ ଦେଖିଥିବା ଏକା ଭଳି ଦେଖିବାକୁ ରାମ ଆଉ ଶ୍ୟାମ କଥା ମନେ ପଡ଼ିଲା । ମୁଁ ଯଦି ରାମ ହୁଏ ତେବେ ଇଏ କଣ ସେଇ ଶ୍ୟାମ ? ପାଖକୁ ଯାଇ ନା ପଚାରିଲି–

 

ସେ କହିଲା–ଅସୀମ ବସୁ ।

 

ଚମକି ଉଠିଲି–ଅସୀମ ବସୁ ?

 

-ହଁ ଅସୀମ ବସୁ ।

 

-ପେଶା ?

 

-ଛବି ଆଙ୍କିବା ।

 

-ନିଶା ?

 

-ନାଟକ କରିବା ।

 

ଇଏ କ’ଣ ? ମୋ’ରି କଥାଗୁଡ଼ା ସେ ମତେ କହୁଚି କେମିତି ! ମୁଁ କଣ ତେବେ ଏତେ ଦିନ ଧରି ତା’ରି ନାଁ, ତା’ରି ପେଶା, ତା’ରି ନିଶାକୁ ନିଜର କରି ଏତେ ଗୁଡ଼ାଏ ବର୍ଷ କଟେଇ ଦେଲି-? ମୁଁ ଯଦି ସେ ନୁହେଁ ତେବେ ମୁଁ କିଏ ? ତା ମୁହଁରୁ ବି ସେଇ ଗୋଟିଏ ପ୍ରଶ୍ନ–

 

-ତମେ କିଏ ?

 

ପାଟି ଖନି ବାଜିଗଲା । ଅଡ଼ୁଆ ଲାଗିଲା ନାଁଟା କହିବାକୁ । ମୋ ନାଁଟା କଣ ତା ନାଁକୁ ଖତେଇ ହବନି ? ମୋ ପେଶା, ମୋ ନିଶା କଣ ତା ପେଶା, ତା ନିଶାକୁ ଖତେଇ ହବନି ? ଏମିତି ହବ ଜାଣିଥିଲେ ଏ ବାଟରେ ମୁଁ ଆସି ନ ଥାନ୍ତି । ମତେ ଚୁପ୍ ରହିବା ଦେଖି ସେ ପୁଣି ପ୍ରଶ୍ନ କଲା–

 

-ତମ ପେଶା ? ତମ ନିଶା ?

 

ମନେ ମନେ ଭାବୁଛି, କ’ଣ ଉତ୍ତର ହେଇପାରେ । ପଦେ କଥାରେ କେମିତି ତାର ସବୁ ପ୍ରଶ୍ନର ଉତ୍ତର ଦେଇ ପାରିବି । ହେଲେ ତା ପ୍ରଶ୍ନ ସରି ନ ଥାଏ । କି ମୋ ଉତ୍ତର ଶୁଣିବାକୁ ତା’ର ଆଗ୍ରହ ବି ନ ଥାଏ ।

 

ସେ ପୁଣି ପଚାରିଲା–

 

-ନକଲ କରିବା ଶିଖିଲ କେବେଠୁଁ ?

 

-ନକଲ !

 

-ନକଲ ନୁହେଁ ତ ଆଉ କ’ଣ ?

 

ମୋ ଚେହେରାର ନକଲ କରି ନିଜକୁ ବନେଇଚ । ମୋ ନାଁ, ପେଶା, ନିଶାକୁ ତମର ନାଁ, ପେଶା, ନିଶା ବୋଲି କହି ଦବା ବି ତମ ପାଖରେ କିଛି ଅସମ୍ଭବ ନୁହଁ । ହେଲେ ଜାଣିରଖ ମୁଁ ମୁଁ–ତମେ ତମେ ।

 

ସିଗାରେଟ୍ ପ୍ୟାକେଟ୍ ବାହାର କରି ଖଣ୍ଡେ ସିଗାରେଟ୍ ପାଟିରେ ଧରି ମତେ ଖଣ୍ଡେ ବଢ଼େଇ ଦେଲା । କହିଲା–

 

-ନିଶ୍ଚୟ କହିବ ଏଇଟା ବି ତମର ବ୍ରାଣ୍ଡ୍ ? ନକଲି ଲୋକମାନେ ଏମିତି କହନ୍ତି । ଆହୁରି କହିଲା–

 

ମତେ ଭାରି ଭଲ ଲାଗୁଛି ଭାବିବାକୁ ଯେ ମତେ ନକଲ କରି ଆଉ ଗୋଟାଏ ଲୋକ ତିଆରି ହେଉଛି । ଭଲ କଥା, ଯଦି ମତେ ନକଲ କରିବ, ଯଦି ନକଲି ଗୋଟାଏ ‘ମୁଁ’ ହବାକୁ ଚାହୁଁଛ ତେବେ ମୋର ଅତୀତ ବର୍ତ୍ତମାନ ସବୁ କିଛିକୁ ନେଇ ଏମିତି ଭାବରେ ତିଆରି ହୁଅ, ନକଲଟା ଯେମିତି ନକଲ ଭଳି ଜଣା ନ ପଡ଼େ ।

 

କଥାଟା ମିଛ ନୁହେଁ । ଆମ ଦୁଇ ଜଣଙ୍କ ଭିତରୁ ଜଣେ ଯଦି ଅସଲ ହୁଏ ଆରଜଣକ ନିଶ୍ଚୟ ତା’ର ନକଲ । ସିଏ ଯେତେବେଳେ ନିଜକୁ ଅସଲ ବୋଲି ଜାଣି ସାରିଲାଣି, ମୁଁ ତାର ନକଲ ନ ହେବି କେମିତି ? ତେଣୁ ଗୋଟାଏ ଗଛ ମୂଳରେ ବସି ତା’ର ଅତୀତ ଆଉ ବର୍ତ୍ତମାନକୁ ମୋର ଅତୀତ ଆଉ ବର୍ତ୍ତମାନ କରିବା ପାଇଁ ତା କଥା ଶୁଣିବାକୁ ପଡ଼ିଲା ।

 

ଲୋକଟା ଗୋଟାଏ ଅସ୍ଥିର ବାତାବରଣ ଭିତରେ ବଞ୍ଚି ରହିଛି । ଏଇ ବଞ୍ଚିବାଟାର ମାନେ ଅଣ୍ଡାଳି ଦେଖିବି, କେବଳ ମରି ନ ପାରିବା ପାଇଁ ହିଁ ସେ ବା ଆମେ ସମସ୍ତେ ବଞ୍ଚି ରହିଛୁ । ନାଟକୀୟତା ନ ଥାଇ ଯେମିତି ନାଟକ ହୁଏନା, ନାଟକ ନ ଥାଇ ସେମିତି ଜୀବନ ହୁଏନା । ଜୀବନ ନାଟକରେ ପ୍ରତ୍ୟେକେ ଜଣେ ଜଣେ ଅଭିନେତା, ଏ କଥା ସେ ଉପଲବଧି କରି ଲୋକଙ୍କୁ ଜଣେଇବାର ଅନେକ ଆଗରୁ କିଏ ଜଣେ ବଡ଼ ଦାର୍ଶନିକ ଜଣେଇ ସାରିଛନ୍ତି । ଏଭଳି ଏକ ସତ୍ୟର ଆବିଷ୍କାରକ ସିଏ ହେଇ ପାରିଲାନି ବୋଲି ସେଇ ନାଁ ନ ଜଣା ଦାର୍ଶନିକଙ୍କ ଉପରେ ତା’ର ଭାରି ରାଗ ।

 

ସ୍ଵାଭାବିକ, ସୁସ୍ଥ ଗତାନୁଗତିକ ଜୀବନ ତା’ ପାଖରେ ସମ୍ଭବ ନ ଥିଲା । ସମ୍ଭବ ହୋଇଥିଲେ ସେ ତାକୁ ସହି ପାରନ୍ତା କି ନା ଏ ବିଷୟରେ ତା’ର ନିଜର ଯଥେଷ୍ଟ ସନ୍ଦେହ ଥିଲା । ଏଇ ଅସ୍ଥିରତା ପାଇଁ ଦିନେ ସେ ବେସରକାରୀ ଚାକିରୀରୁ ସରକାରୀ ଚାକିରୀ ଓ ପୁଣି ସରକାରୀ ଚାକିରୀରୁ ବ୍ୟବସାୟ ଏମିତି ଗୋଟାକ ପରେ ଗୋଟାଏ ଡେଇଁ ଡେଇଁ ଆଜି ଯୋଉଠି ଆସି ଠାକିଛି ହୁଏତ ସେଠି ବି ସେ ଆଉ ବେଶୀ ଦିନ ଠାକି ରହି ପାରିବନି । ଲୋକଟା କହିଲା–“ବେଶୀ ରୋଜଗାର କରିବା ପ୍ରତି ଅନାଗ୍ରହ ମୋର ନାହିଁ । ହେଲେ ଆଗ୍ରହ ଯେ ରହିଛି, ତା’ର ପ୍ରମାଣ ବା ଦେଇ ପାରୁଛି କୋଉଠି ? ରୋଜଗାର ପ୍ରତି ଆଗ୍ରହ ଥିଲେ ସେଦିନ ବେସରକାରୀ ଚାକିରୀର ଚାରିଭାଗରୁ ଭାଗେ ଦରମାରେ ସରକାରୀ ଚାକିରୀକୁ ଆସିଥାନ୍ତି କି ?”

 

ପିଲାଦିନରୁ ତା’ର ନିଶା ଥିଲା ଦି’ଟା–ଛବି ଆଙ୍କିବା ଓ ଅଭିନୟ କରିବା । ସିଏ ନିଜକୁ ଭାଗ୍ୟବାନ ମନେ କଲା–ପରବର୍ତ୍ତୀ କାଳରେ ସେଥିରୁ ହିଁ ଗୋଟାକୁ ଜୀବନର ପେଶା କରି ନେଇ ପାରିଲା ବୋଲି । ଆରଟା ସେମିତି ନିଶା ହେଇ ରହିଗଲା ତା ପାଖରେ ।

 

ଯେ ବୟସରେ ଜୀବନରେ ସ୍ଥିରତା ଆସେ, ସେ କୁଆଡ଼େ ସେଇ ବୟସରେ ଆସି ପହଞ୍ଚି ସାରିଲାଣି । ହେଲେ ତା’ର ବିଶ୍ଵାସ ହଉନି, ହୁଏତ ଭୁଲ କୋଉଠି ଗୋଟାଏ ରହି ଯାଇଛି–ତା’ର ବୟସର ହିସାବରେ ବି ହୋଇପାରେ । ନ ହେଲେ “ସ୍ଥିରତା” କଥାଟା ତା’ ପାଖରେ କାଟୁ କଲାନି କାହିଁକି ?

 

ଲୋକଟା ଆକାଶକୁ କିଛି ସମୟ ଚାହିଁ ରହି କହିଲା–ଅସ୍ଵାଭାବିକତାଟା କ’ଣ ପିଲାଦିନରୁ ମୋ ଭିତରେ ଥିଲା ? ପ୍ରଶ୍ନଟା ମତେ ନୁହେଁ । ତା ନିଜକୁ ନିଜେ ସେ ପ୍ରଶ୍ନ କଲା । ସ୍କୁଲରେ ବନ୍ଧୁମାନଙ୍କ ମେଳରେ ସେ ସ୍ଵାଭାବିକ ଭାବରେ ଭଲ ପିଲା ଥିଲା । ପୁଣି ଅସ୍ଵାଭାବିକ ଭାବରେ ସେଇ ବୟସରେ ହିଁ ପ୍ରେମ କରୁଥିଲା । ତା’ର ସେଇ ପ୍ରେମିକାମାନଙ୍କ ଭିତରୁ ଅନେକେ ହୁଏତ ବୟସରେ ତା’ଠାରୁ ଅନେକ ବଡ଼ ଥିଲେ । ଅନେକଙ୍କ ପାଖରେ ତା’ର ପ୍ରେମ ନିବେଦନ ସମ୍ଭବ ନ ଥିଲା । ହେଲେ ଯେଉଁଠି ସମ୍ଭବ ଥିଲା ତା ପାଖରେ ବି ସେ ପ୍ରେମ, ନିବେଦନ କରି ପାରି ନ ଥିଲା, ଦୁଇଟି କାରଣରୁ–ପ୍ରେମ ନିବେଦନର ଭାଷା ସେ ଜାଣି ନ ଥିଲା । ତା’ ଛଡ଼ା ନିଜ କଥା ଜଣେଇଦେଲେ ପ୍ରେମିକା ପାଖରେ ଭଲ ପିଲା ହେବାର ଅଭିନୟ ଧରା ପଡ଼ିଯିବାର ଭୟ । ସେ ତା’ର ପ୍ରେମିକାମାନଙ୍କ ଆଖିରେ ପ୍ରେମିକ ଅପେକ୍ଷା ଭଲ ପିଲା ହବାଟାକୁ ବେଶୀ ଗୁରୁତ୍ଵ ଦଉଥିଲା-। ଏଗୁଡ଼ାକ ଠିକ୍ ତା’ର ପିଲାଦିନର କଥା ନୁହେଁ । ଏଗୁଡ଼ାକ କୈଶୋର ଓ ଯୌବନର ସନ୍ଧି ମୁହୂର୍ତ୍ତର କଥା । ଅନ୍ତତଃ ସେଇ ବୟସରେ ଏ ଧରଣର ଚେତନା ଆସିବା ଉଚିତ ବୋଲି ସେ ଏଇ ସନ୍ଧି ମୁହୂର୍ତ୍ତ କଥା କହିଲା । ଅଙ୍କ କଷି ପଛ ଦିନର ବୟସ ବାହାର କରିବାକୁ ତାକୁ ଭଲ ଲାଗେନି ବୋଲି ଏଇ ସନ୍ଧି ମୁହୂର୍ତ୍ତ କଥା କହିଲା । ଲୋକଟା ଚଶମା ଖୋଲି ଆଖି କୋଣର ଲେଞ୍ଜରା ପୋଛୁ ପୋଛୁ କହିଲା–ବୟସଟା ଯଦି କୈଶୋର ଓ ଯୌବନର ସନ୍ଧି ମୁହୂର୍ତ୍ତ ହୁଏ ତେବେ ବି କଣ ସେ ସମୟର ଚିନ୍ତାଗୁଡ଼ାକୁ ସ୍ଵାଭାବିକ ବୋଲି ତମେ କହିବ ? ମୁଁ କିଛି ନ କହି ଚୁପ୍ ରହିଲି । କାରଣ କହିବା ଲୋକ ସିଏ ଆଉ ତାକୁ ଶୁଣି ସେ ସବୁକୁ ମୋ କଥା ବୋଲି ଭାବିବାକୁ ପଡ଼ିବ ମତେ ।

 

ଏଇ ଯୋଉ ଭଲ ପିଲା ହବାର ଇଚ୍ଛା, ସେଇଟା କୈଶୋର ଡେଇଁ ଯୌବନରେ ବି ତା’ର ଥିଲା ଏବଂ ପ୍ରାନ୍ତ ଯୌବନରେ ବି କିଛିଟା ରହିଛି । ଏଇ ଭଲ ହବା ଭିତରେ ବା ଏଇ ଭଲ ହବାର ଅଭିନୟ କରିବା ଭିତରେ ଗୋଟାଏ ଅହମିକାବୋଧ ରହିଛି । ଯାହା ଡାକି ବଜେଇ କହି ହବନି–ଯାହା ଅନ୍ୟକୁ ଜଣେଇଦେଲେ ଅଭିନୟ ଧରା ପଡ଼ିଯିବ । କଥାଟା ନିଜ କାନରେ କହିଲା ଭଳି ମତେ ସେ କହିଲା । ନ କହି ତା’ର ଉପାୟ ନାହିଁ ବୋଲି ମତେ ସେ କହିଲା, କାରଣ ତା’ର ସବୁ କଥା ମତେ ନ କହିଲେ, ନକଲି ଅସୀମ ବସୁଟିଏ ତିଆରି କରିବ ବା କେମିତି ?

 

ସିଗାରେଟ୍‌ରେ ନିଆଁ ଲଗେଇ ମେଞ୍ଚାଏ ଧୂଆଁ ଆକାଶକୁ ଫୋପାଡ଼ି ସେ କହିଲା–ଅନେକ କଥା ମୁହଁରେ ନ କହି ପାରିଲେ ବି କାଗଜ କଲମରେ ଲେଖିହୁଏ । ଏମିତି ଅନେକ ଭାବନା ରହିଛି, ଯାହା ମଝି ରାତିରେ ଲେଖିହୁଏ । ହେଲେ ଦିନ ଆଲୁଅରେ ପଢ଼ି ହୁଏନି । ରାତିର ଲେଖା ପ୍ରେମ ଚିଠି ଦିନ ଆଲୁଅରେ ପଢ଼ିବାକୁ ମତେ ଖରାପ ଲାଗେ । ଯୋଉମାନେ ଗପ ଲେଖନ୍ତି ଉପନ୍ୟାସ ଲେଖନ୍ତି, ତାଙ୍କର ନାୟକ ନାୟିକାମାନେ ଦିନରାତି ଏକାଭଳି କଥା କହନ୍ତି କେମିତି ? ନାୟକ ନାୟିକାର ରାତିର ଭାବନା ସବୁ ଲେଖକ ରାତିରେ ଭାବିଲେ ଲେଖାଟା କଣ ଅଶ୍ଳୀଳ ହେଇଯିବ ? ସାହିତ୍ୟ କ’ଣ ପର୍ଣ୍ଣୋଗ୍ରାଫିର ରୂପ ନେବ ? ଜାଣେନା ଶ୍ଳୀଳତାର ଶେଷ କେଉଁଠି ଆଉ ଅଶ୍ଳୀଳତାର ଆରମ୍ଭ ବା କେଉଁଠି ?

 

ତିରିଶ ବର୍ଷ ତଳେ ହଷ୍ଟେଲର ପଢ଼ା ଟେବୁଲ୍‌ରେ ଯାହାର ନାଁ ସେ ଛୁରୀରେ ଖୋଳି ଲେଖିଥିଲା ତା ବି ଥିଲା ତା’ର ଏକ ରାତିର କାରୁକାର୍ଯ୍ୟ । ଖୋଲି ସାରିଲା ପରେ ତାକୁ ଘୋଡ଼େଇ ରଖୁଥିଲା ସେ । କାରଣ ଦିନ ଆଲୁଅରେ ସେଇଟା ତା ଆଖିରେ ଅଶ୍ଳୀଳ ବୋଲି ମନେ ହେଉଥିଲା-। ଅନେକ ପିଲାଦିନେ ‘ବେ’ ବା ‘ଶଳା’ ଶବ୍ଦ ତା’ ପାଖରେ ଚରମ ଅଶ୍ଳୀଳ ବୋଲି ମନେ ହେଉଥିଲା-। ହେଲେ ଆଜି ଏ ବୟସରେ ସେ ସବୁ ଶବ୍ଦ ଯେ ଆଉ ତା ପାଖରେ ଅଶ୍ଳୀଳ ନ ଥିଲା ତା କଥାବାର୍ତ୍ତାରୁ ତାହା ବାରି ହୋଇ ଯାଉଥିଲା ।

 

ଯୋଉ ବୟସରେ ସେ ପଢ଼ା ଟେବୁଲ ଉପରେ ପ୍ରେମିକାର ନାଁ ଖୋଦେଇ କରିଥିଲା, ତାର ଆହୁରି ଆଗରୁ କିଛି ଦିନ ପାଇଁ ସେ କବି ପାଲଟି ଥିଲା । ସ୍କୁଲରେ ବନ୍ଧୁମାନଙ୍କ ଭିତରେ ତା’ଠାରୁ ଅନେକ ପ୍ରତିଭାବାନ ପିଲା ଥିଲେ । ସେମାନେ ତା ଠାରୁ ଭଲ ପାଠ ପଢ଼ୁଥିଲେ । ଗପ, କବିତା ଲେଖି ପାରୁଥିଲେ । ପ୍ରତ୍ୟେକ ପ୍ରତିଭାବାନ ମାନଙ୍କ ପ୍ରତି ତା’ର ଗୋଟାଏ ଇର୍ଷା ଥିଲା । ବନ୍ଧୁମାନଙ୍କ କବିତା ପଢ଼ି ଭଲ ଲାଗିଲେ ବା ଅନ୍ୟ ବନ୍ଧୁମାନଙ୍କ ପାଖରୁ ତା’ର ପ୍ରଶଂସା ଶୁଣିଲେ ନିଜକୁ ତାର ଭାରି ଛୋଟ ମନେ ହଉଥିଲା । ପ୍ରତିଭାବାନ ବନ୍ଧୁମାନଙ୍କୁ ମନେ ମନେ ତାଠାରୁ ବୟସ୍କ ଭାବିଲେ କିଛିଟା ସାନ୍ତ୍ଵନା ପାଉଥିଲା ସେ । ଯେମିତି ବୟସଟା ହିଁ ପ୍ରତିଭାର ମାପକାଠି । ପ୍ରତିଭାର ସ୍ଫୁରଣରେ ବୟସଟା ହିଁ ତାର ଅନ୍ତରାୟ । ଖାଲି କବି ନୁହେଁ, ଶିଳ୍ପୀ, ଗାଳ୍ପିକ ବନ୍ଧୁମାନଙ୍କ ପ୍ରତି ବି ତା’ର ସେଇ ଏକା ମନୋଭାବ ରହିଥିଲା । ବନ୍ଧୁମାନଙ୍କ ଚିତ୍ର ପ୍ରଦର୍ଶନୀ ଦେଖିଲେ ସେଇ ରାତିରେ ସେ ତାଙ୍କ ଅପେକ୍ଷା ଭଲ ଛବି ଆଙ୍କିବାକୁ ଇଚ୍ଛା କରୁଥିଲା । ଗଳ୍ପ ବା କବିତା ପାଠୋତ୍ସବରୁ ଫେରି ଚମକ ଲଗାଇଲା ଭଳି ଗଳ୍ପ ବା କବିତା ଲେଖିବାକୁ ଇଚ୍ଛା କରୁଥିଲା । ମନ ଭିତରେ ଲେଖି ନ ପାରିବାର, ଆଙ୍କି ନ ପାରିବାର ଗୋଟାଏ ଯନ୍ତ୍ରଣା ତାକୁ କଷ୍ଟ ଦେଉଥିଲା । ହେଲେ ସୁଖର କଥା ସେ ଯନ୍ତ୍ରଣାର ସ୍ଥାୟିତ୍ଵ ତା’ ପାଖରେ ଦିନେ ଦୁଇ ଦିନରୁ ବେଶୀ ରହୁ ନ ଥିଲା-

 

ଟାଣୁଆ ମାଟିରେ ଗୋଟାଏ କାଠି ଧରି ଗାର ଟାଣୁ ଟାଣୁ ଲୋକଟା କିଛି ସମୟ କ’ଣ ଭାବିବାକୁ ଲାଗିଲା । ତାପରେ କହିଲା-ଥରେ କିନ୍ତୁ ଏଇ ଯନ୍ତ୍ରଣା ପାଇଁ ହିଁ ମୁଁ ଘରଛାଡ଼ି ପଳେଇଥିଲି । ବାଲେଶ୍ଵରରେ କଲେଜ ପାଠକୁ ଅଧା ରଖି ପଳେଇ ଥିଲି କଲିକତାକୁ । ସାଙ୍ଗରେ ଥିଲା କେତେଖଣ୍ଡ ବହି, ହାତରେ ଚାଳିଶଟି ଟଙ୍କା । ଛବି ଅଙ୍କା ଶିଖିବାକୁ ପଡ଼ିବ । ଭର୍ତ୍ତି ହେଲି ଆର୍ଟ କଲେଜରେ । ରହିବା ପାଇଁ ଜାଗା ପାଇଲି ଗୋଟାଏ ଲୁଗା ସଫା କରିବା ଦୋକାନରେ । ସକାଳେ କଲେଜ । ସେଠୁଁ ଫେରି ଦୋକାନରେ ମଇଳା ଲୁଗା ନେବା ଆଉ ସଫା ଲୁଗା ଗରାଖ ହାତକୁ ବଢ଼େଇ ଦବାର କାମ । ଦରମା ନାହିଁ । ଖାଇବା ନାହିଁ । କାମ ବଦଳରେ ରହିବା ପାଇଁ ଜାଗା ଦେଇଛି ମାଲିକ । କଲେଜରେ ଭର୍ତ୍ତି ହେଲା ପରେ ହାତରେ ଥାଏ ଆଉ ଦଶ ପନ୍ଦରଟି ଟଙ୍କା–ପାଇସ୍ ହୋଟେଲରେ ଦୁଇ ଅଣାର ଭାତ ସାଙ୍ଗକୁ ତିନିଅଣାର ଅଣ୍ଡା ଝୋଳ । ଇଏତ ଗଲା ଦିନ ଓଳିର ଖାଇବା । ରାତିକି ଅଣାକର ମୁଢ଼ି ଆଉ ପେଟେ ପାଣି । ଘରକୁ ଚିଠି ଲେଖି ଜଣେଇ ଦେଇଥାଏ ମୋର ଦୁଃସାହସିକ କାର୍ଯ୍ୟକଳାପ କଥା । ଆଶା, ବାପା ଭାଇ ମୋ କାମକୁ ତାରିଫ କରି ଟଙ୍କା ପଠେଇବେ ପାଠ ପଢ଼ିବା ପାଇଁ । ମାସ କଟିଗଲା । ହାତରେ ପଇସା ଯାହା ଥିଲା ସବୁ ସାରିଲା । ଏତିକି ବେଳକୁ ଦୋକାନ ମାଲିକ ଭଡ଼ା ମାଗିଲା ତିନି ଟଙ୍କା । ନା, ଘରଭଡ଼ା ନୁହେଁ; କାମ ବଦଳରେ ରହିବାକୁ ସିନା ଘର ମିଳିଲା ହେଲେ ପାଇଖାନା ? ବାଥ୍‌ରୁମ୍ ? ତା ଭଡ଼ା ତ ଦବାକୁ ପଡ଼ିବ । ତେଣୁ ବ୍ୟାଗ୍ ଭିତରେ ଲୁଗାପଟା ଆଉ ସେଇ ପୁରୁଣା ବହି କେତେଖଣ୍ଡ ସଜାଡ଼ି ନେଇ ରାସ୍ତାକୁ ବାହାରି ପଡ଼ିଲି ।

 

॥ ୨ ॥

 

ରାସ୍ତା–

 

ଲୋକଟା ଚାଲିବାକୁ ଲାଗିଲା–ଏ ରାସ୍ତାରେ ସେ ରାସ୍ତାରେ, ତା’ ପରେ ଆଉ ଗୋଟାଏ-। ବେତାଳର ଶେଷହୀନ କାହାଣୀ ଭଳି ଅସରନ୍ତି ରାସ୍ତା ଉପରେ ଠିକଣାହୀନ ଲୋକଟା ଦିନ ସାରା ଘୂରି ବୁଲିଲା । ଠିକଣା ଗୋଟାଏ ଥିଲା–ତାର ଜଣେ କକାଙ୍କ ଠିକଣା । କଲିକତାରେ ପହଞ୍ଚି ପ୍ରଥମେ କେତୋଟି ଦିନ ସେ ସେଇଠି କଟେଇଥିଲା । ହେଲେ ସେତେବେଳେ ସେଇ ମୁହୂର୍ତ୍ତରେ ସେଇ ଠିକଣାକୁ ଫେରିଯିବା ତା ପାଖରେ ସମ୍ଭବ ନ ଥିଲା । ନ ଥିଲା ଏଇଥିପାଇଁ ଯେ, ତାର ପରାଜୟ, ତାର ଗ୍ଳାନିର ମୁହୂର୍ତ୍ତ ଗୁଡ଼ାକୁ ସେ ଲୁଚେଇ ରଖିବାକୁ ଚାହୁଁଥିଲା ଚିହ୍ନା ଜଣା ସମସ୍ତଙ୍କ ପାଖରୁ । ଏମିତି ଚାଲିବା ଭିତରେ ହୁଏତ ଗୋଟାଏ ଗୋଟାଏ ରାସ୍ତାକୁ ସେ ଅନେକ ଥର ଅତିକ୍ରମ କରିଥିବ । କାହିଁକି ନା ଦିନ ଶେଷରେ ସେ ନିଜକୁ ଯେଉଁଠି ଆବିଷ୍କାର କଲା ସେ ଜାଗାଟା ତାର ବାହାରିଥିବା ଜାଗାଠାରୁ ଖୁବ୍ ବେଶି ଦୂରରେ ନୁହେଁ । ତା’ରି ଗାଁଆର ଆଉ ଜଣକ ଦୋକାନ ସାମ୍‌ନାରେ ଠିଆ ହେଇ ସେ ଟିକେ ଭାବିଲା । ତା’ ପରି ଅତି ସହଜ ଭାବରେ–ଯେମିତି କିଛି ଘଟିନି, ଏଇ ପାଞ୍ଚ ମିନିଟ୍ ଭିତରେ ଫେରି ଆସିବ–ଏମିତି ଗୋଟାଏ ଭାବ ନେଇ–ଦୋକାନ ଭିତରେ ତାର ସେଇ ବ୍ୟାଗଟାକୁ ଥୋଇ ଦେଇ ବାହାରି ଆସିଲା ।

 

ତା’ପରେ ଚାରି ପଇସାର ମୁଢ଼ି ଆଉ ପେଟେ ପାଣି । ରାତିରେ ସିଆଲଦା ଷ୍ଟେସନର ବେଞ୍ଚ୍‌ରେ ମୁଣ୍ଡ ହାତ ଉପରେ ରଖି ଶୋଇ ଶୋଇ ଭାବିବାକୁ ଲାଗିଲା ଲୋକଟା–ରାତି ପାହିଲେ କଣ କରିବ ? ଭାବିବା ଶେଷ ହେଲା ସକାଳେ ।

 

“ନା ରାତିସାରା ମୁଁ ଭାବୁ ନ ଥିଲି”, ଲୋକଟା କହିଲା । ଭାବିବାକୁ ଯାଇ ନିଘୋଡ଼ ନିଦରେ ଶୋଇ ଯାଇଥିଲି ମୁଁ । ସକାଳେ ମନେ ପଡ଼ିଲା ଗୌରାଙ୍ଗ ପ୍ରେସ୍‌ର ପିଅନ୍ ବସନ୍ତ ଭାଇ କଥା । ଆଜି ଆଉ ମନେ ପଡ଼ୁନି, କାହା ଜରିଆର ପରିଚୟ ହୋଇଥିଲା ଏଇ ବସନ୍ତ ଭାଇ ସାଙ୍ଗରେ । ସିଏତ ସେଇଠି ସେଇ ପ୍ରେସ୍‌ରେ ହିଁ ରହନ୍ତି । ତେଣୁ ସିଧା ଯାଇ ପହଞ୍ଚିଲି ତାଙ୍କ ପାଖରେ ।

 

ଛାଣି ସାରିଥିବା ଚାହାଟାକୁ ଦୁଇଟା ଗିଲାସରେ ସମାନ ଭାବରେ ଦୁଇ ଭାଗ କରୁ କରୁ–“କିହୋ ! ଏତେ ସକାଳୁ କୁଆଡ଼େ ?” ବସନ୍ତ ଭାଇ ପଚାରିଲେ ।

 

“ମୋର ରହିବା ପାଇଁ ଗୋଟାଏ ଜାଗା ଦରକାର ।”

 

“ଜାଗା ? ସେ ଆଉ ପଚାରିଲେନି ମୁଁ ଯେଉଁଠି ରହୁଥିଲି ସେଠି କଣ ହେଲା ନ ହେଲା ବୋଲି । “ଜାଗା” ବୋଲି ବିସ୍ମୟ ସୂଚକ କି ପ୍ରଶ୍ନ ବାଚକ ଶବ୍ଦଟିଏ କହି ଦେଇ ସେ ଚୁପ୍ ହୋଇ ରହିଗଲେ ।

 

ମୁଁ ବି ଚୁପ୍ ।

 

ସଡ଼୍ ସଡ଼୍ କରି ଚାହା ପିଉଥାନ୍ତି ବସନ୍ତ ଭାଇ ଆଉ ବେଳେବେଳେ ମୋ ମୁହଁକୁ ଅନାଉଥାନ୍ତି । ଚାହା ପିଆ ସରିଲା ପରେ ଗିଲାସଟାକୁ ପିଛୁଳେଇ ରଖି କହିଲେ–“ଉପରଓଳି ଚାରିଟା କି ପାଞ୍ଚଟା ବେଳକୁ ଆସ । ଦେଖେଁ, କଣ କରି ପାରିବି ।”

 

ଆଠ ନଅ ଘଣ୍ଟା ପରେ ପୁଣି ଯେତେବେଳେ ସେଠି ଯାଇ ପହଞ୍ଚିଲି, ବସନ୍ତ ଭାଇ ପାଖେ ଆଉ ଜଣେ ଲୋକ–

 

ଧରଣୀ–ଧରଣୀଧର ।

 

ମୋ’ରି ବୟସର ଆଉ ଜଣେ ।

 

ବସନ୍ତ ଭାଇ ମତେ ଦେଖେଇ କହିଲେ, “ୟା”ରି କଥା ମୁଁ ତମକୁ କହୁଥିଲି ଧରଣୀ ।”

 

ଧରଣୀଧର ମୋର ନାଁ ପଚାରିଲାନି–ଗାଁ ପଚାରିଲାନି–ପଚାରିଲା–“ଜିନିଷପତ୍ର କେଉଁଠି ?”

 

“ଆଗରେ ଗୋଟାଏ ଦୋକାନରେ ଅଛି ।”

 

“ଆସ–କହି ମତେ ସାଙ୍ଗରେ ଧରି ସେ ଚାଲିବାକୁ ଲାଗିଲା । ରାସ୍ତାରେ ମୋ ପରିଚୟ ନବା ଆଗରୁ ତା ପରିଚୟ ଦେଇଗଲା ।

 

ପିଅନ–ଇଉନିଭରସିଟିର ପିଅନ–ଧରଣୀଧର ନାୟକ । ଘର ମେଦିନିପୁରର କେଉଁ ଏକ ଗାଁ । ଚାକିରି ସାଙ୍ଗରେ ପାଠ ବି ପଢ଼ୁଛି । ମେଟ୍ରିକ୍ ପରୀକ୍ଷା ଦବ ।

 

ଦୋକାନରୁ ବ୍ୟାଗ ଉଠେଇ ତା ପଛେ ପଛେ ଆସି କଲିକତା ଇଉନିଭରସିଟି ହତା ଭିତରେ ପଶିଲି । ବିରାଟ ଉଚ୍ଚା ଇଉନିଭରସିଟି କୋଠାର ପଛପଟକୁ ଖୁବ୍ ଛୋଟ ଟିଣ ଛାଉଣି ଧାଡ଼ିଏ ଘର । ଦରୱାନ, ପିଅନ, ଏଇମାନେ ସବୁ ଗୋଟିଏ ଗୋଟିଏ ବଖରା ଦଖଲ କରି ରହିଛନ୍ତି । ସାମନାରେ ଅଧା ପାଚେରିଦିଆ ରୋଷେଇ ଜାଗା ।

 

ଧରଣୀଧର ସାଙ୍ଗରେ ମୁଁ ଯେଉଁ ବଖରାରେ ପହଞ୍ଚିଲି ସେଠି ତା ସାଙ୍ଗକୁ ତାର ଆଉ ଦୁଇ ଭାଇ ମଧ୍ୟ ରହନ୍ତି । ସେମାନେ ମଧ୍ୟ ପିଅନ । ଜାଗାର ଅଭାବ ନାହିଁ । ଶୋଇବା ପାଇଁ ତ ଇଉନିଭରସିଟି କୋଠାର ଚଟାଣ ଛାତି ମେଲେଇ ପଡ଼ି ରହିଛି । ଶୁଅ ଯେଉଠି ଶୋଇବ ।

 

ବହି ବ୍ୟାଗ୍‌ରୁ ଆଉ ଦୁଇଟା ପୁରୁଣା ବହି ଦୋକାନକୁ ଗଲାପରେ ଧରଣୀଧର ଦିନେ ଅସୀମ ବସୁକୁ ପଚାରିଲା–“ତମେ ଖାଉଛ କୋଉଠି ?”

 

ଅସୀମ ବସୁ ପାର୍କରେ ବସି ଛତୁ ଟେଳା ଗିଳିବା କଥାଟାକୁ ମନ ଭିତରେ ଚାପି ରଖି ଦାନ୍ତ ନିକୁଟି ହସଟିଏ ହସି ଦେଇ କହିଲା–କାହିଁକି–ହୋଟେଲରେ ।”

 

ହେଲେ ଧରଣୀଧର ଛାଡ଼ିବା ଲୋକ ନୁହେଁ । “ମତେ କିଛି ନ ଲୁଚେଇ ସବୁକଥା ତମକୁ କହିବାକୁ ପଡ଼ିବ । ତମେ ଦିନକୁ ଦିନ ଏମିତି ଶୁଖିଲା ଦିଶୁଛ କାହିଁକି ? କେତେ ଟଙ୍କା ଅଛି ତମ ପାଖରେ ? କୋଉ ହୋଟେଲରେ ଖାଉଛ ସତ କରି କହିଲ ।”

 

ବାସ୍ । ଏତିକିରେ ସବୁ ଓଲଟ ପାଲଟ ହେଇଗଲା ।

 

ଲୋକଟାର ଓଠ ସେମିତି ନକଲି ହସର ଭଙ୍ଗୀର ଚାହିଁଥିଲା ସିନା-ହେଲେ ଆଖି କୋଣରେ ଲୁହ ଜକେଇ ଆସିଲା । ଆଉ ରୋକି ପାରିଲାନି ନିଜକୁ । ମୁଣ୍ଡ ତଳକୁ ପୋତି କାନ୍ଦିବାକୁ ଲାଗିଲା ୧୯୫୪ର ଅସୀମ ବସୁ ।

 

ୟା ଭିତରେ ଘଟଣା ତ ଅନେକ ଘଟି ଯାଇଛି । ବାପା ଭାଇଙ୍କଠୁ ଚିଠିର ଜବାବ ଆସି ସାରିଛି । ବାପାଙ୍କର ଉତ୍ତର–ଆର୍ଟ କଲେଜରେ ଖର୍ଚ୍ଚ ଅନେକ । ମୋ ଚାକିରୀ ଆଉ ବର୍ଷେ–ତେଣୁ ତତେ ପଢ଼େଇବା ସମ୍ଭବ ନୁହେଁ–ଫେରିଆ ।

 

ଭାଇ ଲେଖିଲେ-ତତେ ଟଙ୍କା ଦବା ଆଉ ପାଣିରେ ଟଙ୍କା ଫିଙ୍ଗିବା ଏକ କଥା । ଏଠି ତ କଲେଜ ପାଠ ଅଧା ରଖି ସେଠିକି ପଳେଇଲୁ–ଏବେ ସେଠି ଯେ ପାଞ୍ଚ ବର୍ଷ ପଢ଼ିବୁ ତାର ବା ନିଶ୍ଚୟତା କେଉଁଠି ? ତେଣୁ ପଢ଼ିବା ପାଇଁ ନୁହେଁ, ଫେରି ଆସିବାକୁ ଚାହିଁଲେ ରାସ୍ତାଖର୍ଚ୍ଚ ପଠେଇ ଦେବି ।

 

ଧରଣୀଧର ହୁଏତ ସେଇ ଲୁହ ଭିତରେ ଏ ସବୁ କଥା ପଢ଼ି ପାରିଥିଲା–ତେଣୁ ଆଉ କିଛି ନ ପଚାରି କହିଲା–“ତମେ ଆମ ମେସ୍‌ରେ ଆଜିଠୁ ଖାଇବ । ପଇସା କଥା ତମକୁ କେହି କହିବେନି । କିଛି ଗୋଟାଏ ବ୍ୟବସ୍ଥା ହେଲାପରେ ଯାଇ ପଇସା ଦେବ ।”

 

ମେସ୍‌ତ ନୁହେଁ । ସେମାନେ ତିନିଭାଇ–ପ୍ରତ୍ୟେକ ତିନିଭାଗରୁ ଭାଗେ ଭାଗେ ଖର୍ଚ୍ଚ ଦେଇ ଖାଆନ୍ତି । ଲୋକଟା ହେଲା, ସେମାନଙ୍କ ଭିତରେ ଖର୍ଚ୍ଚ ଦଉ ନ ଥିବା, ତାଙ୍କ ରୋଷେଇରେ କିଛି ସାହାଯ୍ୟ କରୁନଥିବା, ଖାଲି ଖାଇବା ବେଳେ ଥାଳି ଦଖଲ କରୁଥିବା ଚତୁର୍ଥ ଲୋକ ।

 

ଧରଣୀଧର ! ଧରଣୀଧର ହୋ ! । ତମେ ଏବେ ସେଇଠି ଅଛ କି ନା ମୁଁ ଜାଣିନି । କଲିକତା ଯାଇଚି ଅନେକ ଥର । ସବୁଥର ଭାବିଛି ତମକୁ ଦେଖି ଆସିବି ବୋଲି । ତମର ସେଇ ବିରାଟ ପାଚେରୀ କଡ଼ ରାସ୍ତାରେ ଅନେକଥର ଯାଇଛି–ଫାଟକ ପାଖକୁ ଯାଇ ବି ଫେରି ଆସିଛି । ଖାଲି ଗୋଟାଏ ସନ୍ଦେହକୁ ପୋଷି ରଖି–ତମର ସେଦିନର ସେଇ ଚେହେରାଟା ସାଙ୍ଗରେ ଆଜି ଯଦି ମନଟା ବି ବଦଳି ଯାଇଥିବ; ମୁଁ ସହିବି କେମିତି ?

 

ତେଣୁ ତମେ ମୋର ଅଦେଖା ହୋଇ ରୁହ । ହେଲେ ଏଇ ଦୂରରୁ ମୁଁ କହୁଛି–ହେ ଧରଣୀଧର–ସେଦିନ ଯଦି ତମକୁ ଏଇ ଅସୀମ ବସୁ ଭେଟି ନ ଥାନ୍ତା ତେବେ ସେ ଆଉ ଗୋଟାଏ କଣ ଅସୀମ ବସୁ ହୋଇ ଥାଆନ୍ତା ସିନା, ହେଲେ ଏଇ ଅସୀମ ବସୁ ଯାହାକୁ ଏଇ ଲୋକଟା ଅନୁକରଣ କରୁଛି ସିଏ ହେଇ ପାରି ନ ଥାନ୍ତା । ଏଇ ଅସୀମ ବସୁଟା ଆଦୌ ଏ ଦୁନିଆରେ ଥାଆନ୍ତା କି ନା ସେଥିରେ ବି ସନ୍ଦେହ ଅଛି ।

 

କଲିକତାରେ ଥିବା ଧରଣୀଧର ଉଦ୍ଦେଶ୍ୟରେ ଫାଙ୍କା ପଡ଼ିଆରେ ବସି ଲୋକଟା ଏମିତି ପାଟିକରି କଥାଗୁଡ଼ା କହିଲା ଯେମିତିକି କଲିକତା ଇଉନିଭରସିଟିର ପାଚେରୀ ବାହାରେ ରହି ସିଏ ପାଚେରୀ ଭିତରର ଧରଣୀଧରକୁ କହୁଛି ।

 

ମୁଁ ଯେ ତା ପାଖରେ ବସି ତା କଥା ସବୁ ଶୁଣୁଛି ସେ କଥା ସେ ଭୁଲି ଯାଇଥାଏ । ସେଇ ମୁହୂର୍ତ୍ତରେ ହୁଏତ ଅଣତିରିଶ ବର୍ଷ ପୂର୍ବର ଧରଣୀଧର ଆଉ ଅଣତିରିଶ ବର୍ଷ ପୂର୍ବର ଅସୀମ ବସୁ ମୁହାଁ ମୁହିଁ ଠିଆ ହୋଇ ଅଣତିରିଶ ବର୍ଷ ପୂର୍ବେ ଅଭିନୀତ ହୋଇଥିବା ନାଟକର ପୁନରାଭିନୟ କରୁଥାଆନ୍ତି ।

 

ହେଲେ ମତେ ସେତେବେଳକୁ ତା କାହାଣୀର ନିଶା ଘାରିଯାଇଛି, ଶୁଣିବି, ଆହୁରି ଶୁଣିବି ତା କଥା । ସେ ଦେଖିଥିବା ଧରଣୀଧର ଏବେ ମୁଁ ଦେଖିଥିବା ଧରଣୀଧର ହେଇସାରିଲାଣି, ମୋ ଆଖି ଆଗରେ ଏବେ ସେ ଦେଖିଥିବା ଇଉନିଭରସିଟି କୋଠାର ଛବି ଭାସି ଉଠୁଛି ।

 

“ପୂଜାଛୁଟି ନ ଆସିବା ଯାଏଁ ସେଇଠି ସେଇ ଧରଣୀଧରର ମେସ୍‌ରେ ରହିଗଲି,” ବହୁତ ସମୟ ଚୁପ୍ ହେଇ ବସି ରହିଲା ପରେ ମୋଟା ଘାଗଡ଼ା ଗଳାରେ ଅସୀମ ବସୁ କହିଲା । ପାଠ ସାଙ୍ଗରେ ଚାକିରୀ ବି କରିବ, ଏମିତି ଗୋଟାଏ ଇଚ୍ଛା ନେଇ ଧରଣୀଧରର କଥାରେ ଇଉନିଭରସିଟିରେ ପିଅନ ଚାକିରୀ ପାଇଁ ଦରଖାସ୍ତ କରି ସାରିଥିଲା ଲୋକଟା । ସତୁରୀ କି ଅଶୀ ଟଙ୍କା ପାଇଯାଇଥିଲେ ରିବନ ଫେରିବାଲା ବି ହେଇ ପାରିଥାନ୍ତା ସେ । ଟିଉସନ ମାଷ୍ଟରଟେ ହେଇ ପାରିଥାନ୍ତା, ଦଶ କୋଡ଼ିଏ ଟଙ୍କା ବିନିମୟରେ ଯଦି କେହି ଆ, ଆ, ତୁ, ତୁ କରି ଡାକି ଥାଆନ୍ତା ସେଦିନ । ଖବରକାଗଜର ଚାକିରୀ କଲମ୍, କାନ୍ଥ, ବାଡ଼, ପରିସ୍ରାଗାରରେ ମରା ହୋଇଥିବା ଛୋଟ ଛୋଟ ଚିଠା ଭଳି ବିଜ୍ଞାପନ ସବୁକୁ ନିଠେଇ ନିଠେଇ ଦେଖୁ ଦେଖୁ ଦିନେ ପାଇଗଲା ବିଜ୍ଞାପନଟିଏ-। ପରିସ୍ରାଗାରର କାନ୍ଥରେ ସ୍ତ୍ରୀରୋଗ ଚିକିତ୍ସାର ବିଜ୍ଞାପନକୁ ଲାଗି ହାତ ଲେଖା ଚିଠାଟାଏ ‘ମାଷ୍ଟର ଦରକାର’ ଛୋଟ ଦୁଇଟି ପିଲାଙ୍କୁ ପାଠ ପଢ଼େଇବା ପାଇଁ ।

 

ଅସୀମ ବସୁ ଧରିନେଲା, ଏ ଚାକିରୀ ତାର । ଯେମିତି ଖାଲି ତାକୁ ଜଣେଇବା ପାଇଁ ହିଁ କାନ୍ଥରେ ଚିଠାଟା ମରା ହେଇଥିଲା । ଦୁଇ ତିନିଥର ପଢ଼ି ସାରିଲା ପରେ କାନ୍ଥରୁ ଚିଠାଟାକୁ ସେ–ଯେମିତି କୌଣସି ଗୋପନ ପ୍ରେମପତ୍ରକୁ ଅନ୍ୟ ଆଖିରୁ ଲୁଚେଇ ରଖିବା ପାଇଁ ଚିରି ଦଉଚି । ମିଳନ ପ୍ରତ୍ୟାଶୀ ପ୍ରତୀକ୍ଷିତା ନାୟିକାର ବାର୍ତ୍ତା ଭଳି ଅତି ଗୋପନୀୟ ମନେହେଲା ସେ ଚିଠାର ଲେଖାଗୁଡ଼ା ତା ପାଖରେ । ତା’ ପରେ ଦିନସାରା ମନେ ମନେ ପ୍ରସ୍ତୁତ କଲା ନିଜକୁ । କେମିତି ଯିବ । କେମିତି ଠିଆ ହେବ, କେମିତି କଥା କହିବ, ଅନେକ ଜାଣିଥିବା ଜଣେ ବିଜ୍ଞ, ଜ୍ଞାନୀ ଭଳି ଅଭିନୟ କରିବ ନା ଜଣେ ପ୍ରାଣବନ୍ତ ଉଚ୍ଛଳ ଯୁବକର ଅଭିନୟ କରିବ ? ସତକୁ ସତ ତାର ଦୀନତା, ତାର ଦାରିଦ୍ରତାକୁ ପ୍ରକାଶ କରି ଅନୁକମ୍ପାର ଭିଖାରୀ ହବ ନା ଅନେକ କିଛି ଥିବାର ଅଭିନୟ କରିବ ? ଏମିତି ଭାବୁ ଭାବୁ ଠିକଣା ଜାଗାରେ ପହଞ୍ଚିବାର ସମୟ ଆସିଗଲା । ମନେ ରଖିଥିବା ଠିକଣାକୁ ଖୋଜି ଖୋଜି ସରୁ ସିଡ଼ି ଚଢ଼ି ଯଉଠି ଆସି ଅସୀମ ବସୁ ପହଞ୍ଚିଲା ସେଇଟା ଗୋଟାଏ ମାରୁଆଡ଼ି ଗଦି । ଗଦିରେ ମହମବତୀ ଆଲୁଅରେ କାମ କରୁଥିବା ଲୋକ ଗୁଡ଼ାକ ଥରେ ମୁହଁ ଟେକି ଅସୀମ ବସୁକୁ ଚାହିଁଲେ । ଅସୀମ ବସୁ ବୁଝିପାରିଲାନି ୟା ଭିତରେ ମାଲିକ କିଏ ? ତେଣୁ ସମସ୍ତଙ୍କୁ ଉଦ୍ଦେଶ୍ୟ କରି ନିଜେ କିଏ କାହିଁକି ଆସିଛି ସବୁ ଗାଇଗଲା । କାମ କରୁଥିବା ଲୋକମାନେ ଆଉ ଥରେ ତାକୁ ଚାହିଁ କଡ଼ରେ ପଡ଼ିଥିବା ଗୋଟାଏ ବେଞ୍ଚ ଦେଖେଇ ଦେଇ ଖାତା ଲେଖା କାମରେ ମନ ଦେଲେ । ଇଲେକ୍‌ଟ୍ରିକ୍ କଟି ଯାଇଥାଏ, ତେଣୁ ଉପରେ ଝୁଲୁଥିବା କାଳିଆ ପଙ୍ଖା, ଯଉଟା ବୁଲିଲା ବେଳେ ଅନେକ କିସମର ଶବ୍ଦ କରିବା କଥା ସେଇଟା ବନ୍ଦ ରହିଥାଏ । ଅସୀମ ବସୁ ବେଞ୍ଚରେ ବସି ଗରମରେ ଯେତିକି ଝାଳ ବୋହିବା କଥା ତା ଠାରୁ ଆହୁରି ଅନେକ ଝାଳ ବୁହେଇ ସାରିଲା ପରେ–କାମ କରୁଥିବା ଲୋକଙ୍କ ଭିତରୁ ଜଣେ ପ୍ରଶ୍ନ କଲେ “ପାଠ କେତେଦୂର ପଢ଼ିଛ ?” ମେଟ୍ରିକ୍ ପାଶ୍ କରିଥିବା ଖବରଟା ଖୁବ୍ ଗର୍ବ ନେଇ ଅସୀମ ବସୁ କହିଲା ସିନା ହେଲେ ଶୁଣିବା ଲୋକ ମନରେ କିଛି ଦାଗ ଟାଣି ପାରିଲାନି ।

 

“ଆମର ଗ୍ରାଜୁଏଟ୍ ଦରକାର ।” କଥା ପଦକ କହିଦେଇ ଲୋକଟା ପୁଣି ଖାତାର ଲେଖାଗୁଡ଼ିକ ଭିତରେ ବୁଡ଼ିଗଲା । ଆଉ ଅସୀମ ବସୁ ସେମିତି ଝାଳୁଆ ମୁହଁରେ ଆଉ କିଛି ସମୟ ବସି ରହି ପଦାକୁ ବାହାରି ଆସିଲା । ବାହାରି ଆସିଲା ଖୋଲା ପବନକୁ ମାଷ୍ଟର ଚାକିରି ନୁହେଁ–ଏଇ ଖୋଲା ପବନ ଟିକକ ପାଇବା ପାଇଁ ସେ ଯେମିତି ନିଜକୁ ଦିନ ସାରା ପ୍ରସ୍ତୁତ କରୁଥିଲା ।

 

ଟିକିଏ ଖୋଲା ପବନ ପାଇଁ ଅତୀତର ଆଉ ଦିନେ ବି ଏମିତି ଛଟପଟ ହେଇଥିଲା ଲୋକଟା । ନିଜକୁ ସମସ୍ତଙ୍କ ଭିତରେ ହଜେଇ ଦବାକୁ ଚାହୁଁଥିବା, ସମସ୍ତଙ୍କ ଭିତରେ ଲୁଚି ରହିବାକୁ ଚାହୁଁଥିବା ଲୋକଟା ହଠାତ୍ ସେଦିନ ରାତି ୧୨ଟାରେ ଆବିଷ୍କାର କଲା ସେ ଲୁଚି ପାରିନି, ହଜି ପାରିନି, ବାରି ହେଇ ପଡ଼ିଚି, ଧରା ପଡ଼ିଯାଇଚି ଆଉ ଜଣକ ପାଖରେ । ନିଜକୁ ସେ ଅନ୍ୟ ସମସ୍ତଙ୍କଠାରୁ ଅଲଗା ବୋଲି ଆବିଷ୍କାର କଲା ଗୋଟିଏ ଝିଅର ଲେଖା ଚିଠି ଖଣ୍ଡକୁ ହାତରେ ଧରି–ଜୀବନର ପ୍ରଥମ ପ୍ରେମପତ୍ର । ଗୋଟାଏ ବହି ଭିତରୁ ହିଁ ଲୋକଟା ତାର ପ୍ରଥମ ପ୍ରେମପତ୍ର ଆବିଷ୍କାର କରିଥିଲା । “ପ୍ରେମ କେମିତି ହୁଏ’ ଏ ତତ୍ତ୍ଵ ସେତେବେଳ ପର୍ଯ୍ୟନ୍ତ ଅକ୍ଷୟ ମହାନ୍ତି ବାହାର କରି ନ ଥିଲା । ଅକ୍ଷୟ ମହାନ୍ତି ବୋଲି ସେତେବେଳେ ଆଦୌ କେହି ନ ଥିଲା । ଥିଲେ ବି ସେତେବେଳେ ହୁଏତ ସେ ଅଖୁ, ଅଖି ବା ଅଖିଆ ନାଁରେ ବୋତାମ ଛିଣ୍ଡି ଯାଇଥିବା ହାଫ୍‌ପ୍ୟାଣ୍ଟର ଉପରଭାଗକୁ ମୋଡ଼ି, ଅଣ୍ଟାରେ ଖୋସି ଗାଁ ଦାଣ୍ଡରେ ଆଉ ପାଞ୍ଚଟା ପିଲାଙ୍କ ସାଙ୍ଗରେ ବାଟି ଖେଳୁଥିଲା ଆଉ ବାଁ ହାତ ପାପୁଲି ପଛ ଦେଇ ନାକରୁ ବୋହି ଯାଉଥିବା ସିଂଘାଣି ପୋଛୁଥିଲା ।

 

ଅକ୍ଷୟ ମହାନ୍ତିକୁ ଲୋକଟା କେବେ ଦେଖିନି, ତା ଗୀତ ଶୁଣି, ଗପ ପଢ଼ି, ତାର ବୟସ ସମ୍ପର୍କରେ ଗୋଟାଏ ଧାରଣା ସେ କରି ସାରିଥିଲା ବୋଲି ଏଗୁଡ଼ାକ ସେ କହିଲା । ଲୋକଟା ସେତେବେଳେ ମାଟ୍ରିକ୍ ପାଶ୍ କରି କଲେଜରେ ପାଠ ପଢ଼ୁଥିଲା, ଆଉ ପାଠ ପଢ଼ିବା ପାଇଁ ପାଠ ପଢ଼ଉଥିଲା । ସକାଳେ କଲେଜ୍ ଯିବା ଆଗରୁ ଦେଢ଼ ମାଇଲ୍ ଚାଲି ପିଲାକୁ ଶେଯରୁ ଉଠେଇ ଏମ୍.ଏ.ପି.–ମ୍ୟାପ୍ ବି.ଏ.ଟି. ବ୍ୟାଟ୍ ପଢ଼େଇ ସକାଳ ଜଳଖିଆ ସାଙ୍ଗରେ ମାସକୁ ଛଅଟଙ୍କା ଦରମା, ପୁଣି ସନ୍ଧ୍ୟାରେ ସପ୍ତମ ଆଉ ଅଷ୍ଟମ ଶ୍ରେଣୀର ଝିଅ ଦି’ଟାଙ୍କୁ ପଢ଼େଇ ମାସକୁ କୋଡ଼ିଏ ଟଙ୍କା । ସେଇ ଅଷ୍ଟମ ଶ୍ରେଣୀର ଝିଅଟିର ଏକ ଦୁଃସାହସିକ କାର୍ଯ୍ୟର ଶିକାର ହେଲା ଲୋକଟା । ଛାତ୍ରୀର ଇଂରାଜୀ ବହିର କୌଣସି ଏକ କବିତାକୁ ସରଳାର୍ଥ ଲେଖିବାକୁ ଆଣି ବହିଟାକୁ ରାତି ବାରଟାରେ ନିଜ ପଢ଼ା ଟେବୁଲ୍‌ରେ ଖୋଲି ଦେଇ ଆବିଷ୍କାର କଲା ଖଣ୍ଡେ ଚିଠି–ତା ଜୀବନର ପ୍ରଥମ ପ୍ରେମପତ୍ର । ମଣିଷର ଆଣ୍ଠୁ ଦୁଇଟି ଉପରେ ଦୁଇଟି ଚକି ହାଡ଼ ଅଛି । ହାଡ଼ ଦୁଇଟିର ସ୍ଥିତି ସମ୍ପର୍କରେ ଲୋକଟା ଏତେ ଦିନ ପର୍ଯ୍ୟନ୍ତ ଅବହିତ ନ ଥିଲା । ସେଦିନ ସେ ଜାଣି ପାରିଲା, ପ୍ରେମ ଜନିତ ବା ପ୍ରେମପତ୍ର ଜନିତ ବ୍ୟାପାରରେ ଏ ହାଡ଼ ଦୁଇଟିର ଯଥେଷ୍ଟ ଭୂମିକା ରହିଛି । ଚିଠିଟା ପଢ଼ୁ ପଢ଼ୁ ସେ ଆବିଷ୍କାର କଲା, ତାର ଏ ଚକିହାଡ଼ ଦୁଇଟି ଖୁବ୍ ଜୋର୍‌ରେ ଥରୁଛି । ତା ଇଚ୍ଛା ଅନିଚ୍ଛାକୁ ବେଖାତିର୍ କରି ସେ ଦି’ଟା ଥରୁଥିଲା । ଖୋଲା କବାଟ ଝରକା ଥାଇ ବି ଲୋକଟା ଟିକିଏ ପବନ ପାଇଁ ଛଟପଟ ହେଉଥିଲା ସେଦିନ, ସେଇ ମୁହୂର୍ତ୍ତରେ । ନିଜ ନାକର ଗରମ ନିଃଶ୍ଵାସରେ ସେ ପୋଡ଼ି ହୋଇ ଯାଉଥିଲା । ସେଦିନ ବି ସେ ଚାହୁଁଥିଲା ଟିକିଏ ପବନ, ଟିକିଏ ଥଣ୍ଡା ହାୱା । ରାତିସାରା ଆଉ ନିଦ ହେଲାନି । ବି.ଡ଼ି.ଓ. କହିଲେ ଯେମିତି ବ୍ଲକ୍ ଡେଭଲ୍‌ପମେଣ୍ଟ ଅଫିସର ବୁଝାଏ, ଏସ୍.କେ କହିଲେ ଯେ ସେମିତି ସୁଇଟ୍ କିସ୍ ବୁଝାଏ, ଏକଥା ଜାଣିବାକୁ ତା’ ପରଦିନ କଲେଜ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା ତାକୁ । କଲେଜର ସାଙ୍ଗମାନଙ୍କଠାରୁ ଏସ.କେର ଅର୍ଥ ଜାଣି ପାରିବା ସାଙ୍ଗେ ସାଙ୍ଗେ ସେ ଆହୁରି ଜାଣି ପାରିଲା, ଭଗବାନ୍ ତା ମୁଣ୍ଡରେ ବୁଦ୍ଧି ନାମକ ବସ୍ତୁଟିକୁ ଖୁବ୍ କମ୍ ଦେଇଛନ୍ତି । କମ୍ ନ ଦେଇଥିଲେ ଏଇ ଛୋଟିଆ ଧନ୍ଦାଟାକୁ ରାତିସାରା ଭାବି ବି ଉତ୍ତର ପାଇ ପାରୁ ନ ଥିଲା କାହିଁକି ?

 

କଥା ଗୁଡ଼ାକ କହିସାରିଲା ପରେ ଲୋକଟା ହୁଏତ ବୁଝିପାରିଲା, ଯୋଉ କଥା କହିବା ପାଇଁ ମତେ ତା ପାଖରେ ବସାଇଛି ତାକୁ ଛାଡ଼ି କଥା ନହସରେ ସେ ଆଉ କୋଉ କଥା ବଖାଣି ବସିଲାଣି । ତେଣୁ ଗୁମ୍ ମାରି କିଛି ସମୟ ଚୁପ୍ ହେଇ ବସି ରହି ଅସୀମ ବସୁ ବୋଲି ବୋଲଉଥିବା ଲୋକଟା ତା ନିଜସ୍ଵ ରୀତିରେ (ଏକଦମ୍ ଭୁଲ୍‌କଥା, ସେଇଟା ପୁରାପୁରି ମୋ ରୀତି) ସିଗାରେଟ୍ ଖଣ୍ଡେ ଲଗେଇ ଗଞ୍ଜେଇ ଭିଡ଼ିଲା ଭଳି ଟାଣିବାକୁ ଲାଗିଲା । ମୁଁ ତା ମୁହଁକୁ ଅନେଇ ବସିଥାଏ । ବହୁତ ଇଚ୍ଛା ହଉଥିଲେ ବି ସିଗାରେଟ୍ ଲଗଉ ନ ଥାଏ ଖାଲି ଗୋଟିଏ ଡରରେ, କାଳେ ସିଏ କହି ଦବ କି, “ଏଇ, ପୁଣି ମତେ ନକଲ କରୁଛ !”

 

“ତା ପରଠୁ ଆଉ ଟିଉସନ୍ ଖୋଜିନି !” ଦି’ ଚାରି ଢୋକ ଧୂଆଁ ପେଟକୁ ଯିବାପରେ ଅସୀମ ବସୁ କହିବାକୁ ଲାଗିଲା–ପୂଜାଛୁଟିର ଦିନ ଆଗେଇ ଆସୁଥାଏ । ଧରଣୀଧରର ମେସ୍‌ରେ ଖାଇ, ଇଉନିଭର୍‌ସିଟି କୋଠାର ପିଣ୍ଡାରେ ଶୋଇ ଛୁଟିଦିନକୁ ଅନେଇ ବସିଥାଏ ମୁଁ । ଶେଷରେ ଛୁଟି ପଡ଼ିଲା । ଧରଣୀଧରଠୁ ଗାଡ଼ି ଖର୍ଚ୍ଚ ନେଇ ବ୍ୟାଗ୍ ସଜାଡ଼ି ଘରକୁ ଫେରିଲି । ଚିଠିପତ୍ରରେ ତ କାମ ହେଲାଣି, ଦେଖେଁ, ପାଖକୁ ଯାଇ ବାପା ଭାଇଙ୍କୁ ବୁଝେଇ ସୁଝେଇ କିଛି କାମ ହଉଛି କି ନାଇଁ-। ବାପା ସାଦାସିଧା ଲୋକ । ମୋର ସବୁକଥା ଶୁଣି ମାସକୁ କୋଡ଼ିଏ ଟଙ୍କା ଲେଖା ଦବାକୁ ରାଜି ହେଲେ । ହେଲେ ଭାଇ ପଦେ କଥା କହିବା ଆଗରୁ ଦଶଥର ବିଚାର କରନ୍ତି । ହାତେ ମାପି ଚାଖଣ୍ଡେ ଚାଲନ୍ତି । ସେ କହିଲେ, ଦେଖ୍ ଅସୀମ, ପାଞ୍ଚବର୍ଷ ଆର୍ଟ କଲେଜ୍‌ରେ ପାଠ ପଢ଼ି ଲାଭଟା କଣ କହିଲୁ, ସେଠୁ ଆସି ଡ୍ରଇଂ ମାଷ୍ଟରଟେ ହାବୁ, ଦରମା ପାଇବୁ ସତୁରୀ ଟଙ୍କା । ଡ୍ରଇଂ ମାଷ୍ଟର ମାଷ୍ଟରରେ ଗଣାଯାଏନି କି ପିଅନରେ ଗଣଯାଏନି । ଇଂରାଜୀ, ଅଙ୍କ, ସାହିତ୍ୟ ଇତିହାସ ମାଷ୍ଟରଙ୍କ ମେଳରେ ଡ୍ରଇଂ ମାଷ୍ଟର ପତ୍ତା ପାଏନି । ପୁଣି ପିଅନ୍ ମେଳରେ ବି ମିଶି ପାରେନି । ସେଇ ବାଦୁଡ଼ି ଗପ ଜାଣିଚୁ ଟି ? ଆର୍ଟ କଲେଜରେ ପାଠ ନପଢ଼ି ଆମ ଅଫିସ୍‌ରେ ଏବେ କିରାନୀଟେ ହେଲେ ଦରମା ପାଇବୁ ସେଇ ସତୁରୀ ଟଙ୍କା, ତା ଛଡ଼ା ପ୍ରମୋସନ୍ ବି ଅଛି । କହିବୁ ତ, ଚେଷ୍ଟାକରି ମୁଁ ତତେ ଆମ ଅଫିସ୍‌ରେ ଭର୍ତ୍ତି କରିଦେବି । ଭାବ, ଭାବି ଦେଖ୍ । ଭଲକରି ଭାବି ମତେ କହ ।

 

କଥାଟା ମିଛ ନୁହେଁ । ପ୍ରକୃତରେ ଭାବିବା କଥା । ମୁଁ ଭାବିବାକୁ ଲାଗିଲି । ବୁଦ୍ଧିଟା ତ ମୂଳରୁ ଭଗବାନ୍ କମ୍ ଦେଇଛନ୍ତି । ତେଣୁ ମୋ ଭାବିବା ଶେଷ ହେଲା ବେଳକୁ କଲିକତାରେ କଲେଜ୍ ଖୋଲିବା ଆଠଦିନ ହୋଇଗଲାଣି । କହିଲି, ମୁଁ ଯିବି । ପାଞ୍ଚ ବର୍ଷ ପଢ଼ିଲା ପରେ ସେଇ ଡ୍ରଇଂ ମାଷ୍ଟରଟେ ହେବି ପଛେ, ଯିବି । ଭାଇ, ମାସକୁ ଦଶଟି ଟଙ୍କା ଦେବାକୁ ରାଜି ହେଲେ । କୋଡ଼ିଏ ଆଉ ଦଶ ମିଶି ହେଲା ତିରିଶ । ତିରିଶ ଟଙ୍କାରେ କଲିକତା ଭଳି ଜାଗାରେ ରହି ପାଠ ପଢ଼ିବା ହେଇ ପାରିବ ତ ? ମୁଁ ବା ଜାଣେ କେତେ ? ତେଣୁ ଚିଠି ଲେଖିଲି ସେଇ ଧରଣୀଧରକୁ । ଜବାବ ଆସିବାକୁ ସମୟ ଲାଗିଲାନି । “ଆସ, ଚାଲିଆସ, ମୁଁ ଅଛି, ଅଲ୍‌ବତ୍ ତମେ ପାଠ ପଢ଼ିବ–” ମୋ ଚିଠିର ଜବାବରେ ଧରଣୀଧର ଲେଖିଲା । ଆଉ ଡେରି କାହିଁକି ? ତା ପରଦିନ ଗଣ୍ଠିଲି ସଜାଡ଼ି ଗାଡ଼ି ଧରି ପୁଣି ଧରଣୀଧର ପାଖରେ । ଧରଣୀଧର ହୁଏତ ଆଗରୁ ସବୁ ଠିକ୍ କରି ରଖିଥିଲା । ସଞ୍ଜକୁ ମତେ ନେଇଗଲା ୨୩୪ ନମ୍ବର ବହୁବଜାର ଷ୍ଟ୍ରୀଟ୍‌ର ଘରକୁ । ସାଙ୍ଗରେ ନେଲା ଗୋଟାଏ ଇକମିକ୍‌କୁକର, ସିଲଭର୍‌ର ଥାଳିପଟେ ଆଉ ଗିନା ଗୋଟାଏ । ଏଗୁଡ଼ାକ ତା ପାଖରେ ଇ ଥିଲା । ମାସକୁ ଚାରିଟଙ୍କା ଆଠଣା ଭଡ଼ାରେ ଆହୁରି ଚାରିଜଣଙ୍କ ସାଙ୍ଗରେ ୨୩୪ ନମ୍ବରର ଉପର ମହଲାର ଗୋଟିଏ କାଠ ତିଆରି ପଞ୍ଚମ ଲୋକର ଜାଗା ଦଖଲ କରି ଅସୀମ ବସୁ ତା ବ୍ୟାଗ୍ ବିଛଣା ଥୋଇଲା ।

 

ଅସୀମ ବସୁକୁ ଛାଡ଼ିଦେଲେ ଘରର ବାକି ଚାରିଜଣ ହେଲେ ଇଉନିଭରସିଟିର ପିଅନ । ଘରର ଭଡ଼ା ଦଉଥିଲେ ବି ସେମାନେ ସେଠି କେହି ରହନ୍ତିନି । ପିଅନ ଚାକିରୀ ଛଡ଼ା କଲିକତାର ବାବୁମାନଙ୍କ ଘରେ ରୋଷେଇଆ ଚାକିରୀ କରନ୍ତି ସେମାନେ । ରୋଷେଇ ସାରି ନିଜେ ଖାଇ ସକାଳ ନଅଟାରେ ଏଠି ପହଞ୍ଚି ଘରୋଇ ପୋଷାକ ବଦଳେଇ ଅଫିସ ପୋଷାକ ପିନ୍ଧି ଅଫିସକୁ ଯାଆନ୍ତି । ପୁଣି ଅଫିସ୍ ସରିଲା ପରେ ପୋଷାକ ବଦଳେଇବା କାମ ଏଇ ଘରେ କରିଥାନ୍ତି । କେବେ କେମିତି ଯଦି କୋଉ ବାବୁଙ୍କ ଘର କାମ ବନ୍ଦ ହୋଇଯାଏ, ଏଇ ୨୩୪ ନମ୍ବରରେ ରହିଯାଆନ୍ତି ଆଉ ଜଣକ ଘରେ ରୋଷଇଆ କାମ ନ ଜୁଟିଲା ଯାଏ ।

 

୨୩୪ ନମ୍ବର ବହୁ ବଜାର ଷ୍ଟ୍ରୀଟ୍, ଚୂନ ବାଲି ଖସି ଯାଇଥିବା ଚମ ଧୁଡ଼ୁ ଧୁଡ଼ୁ କାଳିଆ ବୁଢ଼ା ଭଳି ଠିଆ ହେଇଥିବା ଏକ ମହଲା କୋଠାଟିକୁ ଦେଖିଲେ ବୟସ ଜାଣି ହବନି । ତେବେ ଯଦି କମ୍ପାନୀ ଅମଳରେ ଗୋଟାଏ ତାରିଖକୁ ଘରର ପ୍ରତିଷ୍ଠା ଦିବସ ବୋଲି କୁହେ, ତାକୁ ବି ଅବିଶ୍ଵାସ କରି ହବନି । ହାଡ଼ ବାହାରି ପଡ଼ିଥିବା, ଏକ ମହଲା କୋଠାର ଛାତ ଉପରେ ଟିଣ କାଠ ପଟାରେ ତିଆରି କେତେ ଗୁଡ଼ାଏ କେବିନ୍ ଥୋଇ ଦି’ମହଲା କରା ହୋଇଛି । ସେଇ ଦି’ ମହଲାର ସବା ଶେଷ କେବିନ୍‌ଟି ଇ ସେମାନଙ୍କର । ଭଙ୍ଗା ଟିଣର କାନ୍ଥ ଗୋଟାଏ ପାଖରେ, ବାକି ତିନିପାଖ ପଟାରେ ତିଆରି । ଉପର ଛାତଟା ଟିଣର । ସେଇଠି ତା’ର ଜିନିଷପତ୍ର ଥୋଇ ଲୋକଟା ବଲ୍ ବଲ୍ କରି ଚାରିଆଡ଼କୁ ଅନେଇବାକୁ ଲାଗିଲା ।

 

॥ ୪ ॥

 

ଦୁଇ, ତିନି, ଚାରି, ସଂଖ୍ୟା ତିନୋଟିକୁ ପାଖା ପାଖି ଥୋଇ ଦୁଇଶହ ଚଉତିରିଶ । ମଟରଗାଡ଼ି, ମଟର ସାଇକେଲ ବା ସ୍କୁଟରରେ ଏମିତିକା ଗୋଟାଏ ସଂଖ୍ୟା ପାଇବାକୁ ଲୋକେ ଦୁଇ ଚାରିଶହ ଟଙ୍କା ଫୋପାଡ଼ି ଦବାକୁ ବି ପଛେଇବେନି । ମୁଁ କିନ୍ତୁ ମାସକୁ ମାତ୍ର ଚାରିଟଙ୍କା ଆଠଣା ବିନିମୟରେ ଏମିତିକା ନମ୍ବର ଥିବା ଘରଟେ ପାଇ ଯାଇଥିଲି !

 

ଦୁଇଶହ ଚଉତିରିଶର ବହୁବଜାର ଷ୍ଟ୍ରୀଟ୍‌ରେ ବଖରା ଯେତିକି ପରିବାର ବି ସେତିକି । କେଉଁ ବଖରାରେ ଛଅଟି ସନ୍ତାନ ଓ ସ୍ତ୍ରୀକୁ ନେଇ ବଙ୍ଗାଳୀ ବୁଢ଼ା କାଠ ମିସ୍ତ୍ରୀ ରହେ ତ କେଉଁଠି ନୂଆ ବାହା ହେଇ ଆସିଥିବା ସ୍ଵାମୀ ସ୍ତ୍ରୀର କିରାଣୀ ପରିବାର । ସେଠି ସିନେମାର ଏକ୍‌ସଟ୍ରା ଅଭିନେତା ଯେମିତି ରହିଥିଲେ, ସରକାରୀ ବା ବେସରକାରୀ ଅଫିସ୍‌ର ପିଅନ୍, ପକେଟ୍‌ମାର୍, ଜାଲ ପାସପୋର୍ଟର କାରବାରି ବି ସେମିତି ଥିଲେ । ସେଠି କୋଇଲା ଡିପୋର ବିହାରି କୁଲି ରହୁଥିଲା ପୁଣି ବଙ୍ଗାଳି ପାଲିସ ମିସ୍ତ୍ରୀ ସାଙ୍ଗକୁ ଓଡ଼ିଆ କଲେଜ ଛାତ୍ର ବି ରହୁଥିଲା । ସେ ଘରର ସିଡ଼ିରେ ଆଲୁଅ ନ ଥିଲା ହେଲେ ସେ ସିଡ଼ି ଅନ୍ଧାର ରାତିରେ ଚଢ଼ିବାରେ ଅନ୍ୟ ସମସ୍ତଙ୍କ ପରି ଲୋକଟା ବି ଦିନେ ଅଭ୍ୟସ୍ତ ହୋଇ ଯାଇଥିଲା । ପୁରୁଣା କୋଠାର ସିଡ଼ି ଠାଏ ଠାଏ ଭାଙ୍ଗି ଇଟା ବାହାରି ପଡ଼ିଥାଏ । ପ୍ରଥମେ ନଅଟା ପାହାଚ ଚଢ଼ିଲା ପରେ ବାଁକୁ ମୋଡ଼ିବାକୁ ପଡ଼େ ଆଉ ସେଇ ବାଙ୍କ ମୁହଁରେ ହିଁ ଡାହାଣକୁ ବିହାରୀ କୁଲିର ଟିଣ ଛାଉଣି ଘର । ସେଇଟା ଦୁଇ ମହଲା ନୁହେଁ କି ଏକ ମହଲା ବି ନୁହେଁ । ତାପରେ ସାତଟା ପାହାଚ ଚଢ଼ିଲେ ଯାଇ ଛାତ ।

 

ଅସୀମ ବସୁ ବୋଲି ବୋଲାଉଥିବା ଲୋକଟା ଦିନ କେଇଟା ଭିତରେ ସେ ଘରର ଲୋକମାନଙ୍କ ସାଙ୍ଗରେ ବେଶ୍ ମିଶିଗଲା ।

 

ସକାଳ ଛଅଟାବେଳେ ମୁଠାଏ ଚାଉଳ ପୋଷେ ଡାଲି ଆଉ ଦି’ଟା ଆଳୁ ଇକ୍‌ମିକ୍ କୁକ୍‌ରରେ ବସେଇ ସେ କଲେଜ ବାହାରି ଯାଏ । ଦି’ ପହରରେ କଲେଜରୁ ଫେରି ଗଙ୍ଗା ପାଣି ଟାଙ୍କିରୁ ଦି’ ଚାରିମଗ ମୁଣ୍ଡରେ ଢାଳି ସିଝା ଆଉ ଆଳୁ ଲଗେଇ ଭାତତକ ଖାଇ ଦିଏ । “ହଇହୋ ବାବୁ ! ସେ ଖାଇବାରେ ଯେଉଁ ଆନନ୍ଦ, ଯେଉଁ ଶାନ୍ତି ତମେ କେବେହେଲେ ବୁଝି ପାରିବନି ।” ଲୋକଟା ଆକାଶକୁ ଚାହିଁ କଥାଗୁଡ଼ା କହିଲା । ମୁଁ କିଛି ଜବାବ ନ ଦେଇ ମୁରୁକି ମୁରୁକି ହସୁଥାଏ । ମା ଆଗରେ ମାମୁଁ ଘର ଗପ । କହୁ, କହିବା ପାଇଁ ତ ସେ ମତେ ବସେଇଛି । ତା କାମ ଶୁଣେଇବା ଆଉ ମୋ କାମ ଶୁଣିବା । ତେଣୁ ସେ ମୋ ଗପ ହଉ କି ତା ଗପ ହଉ ମତେ ଶୁଣିବାକୁ ପଡ଼ିବ ।

 

“ଦି ପହରେ ମୁଁ ଯେତେବେଳେ ଘରକୁ ଫେରେ ଘରଟା ସେତେବେଳେ ପ୍ରମିଳା ରାଜ୍ୟ-। ଘରର ମରଦମାନେ ସବୁ ବାହାରେ, ଯେ ଯାହା ଚାକିରିରେ ନ ହେଲେ ବେଉସାରେ । ତେଣୁ ଖାଇସାରି ଘରେ ରହିବାଟା ମତେ ଭାରି ଅଡ଼ୁଆ ହେଲା । ପ୍ରଥମେ କେଇଦିନ ରାସ୍ତାରେ ରାସ୍ତାରେ ଘୂରି ବୁଲିଲି ଦିନ ପାଞ୍ଚଟା ଯାଏଁ । ହେଲେ ପରେ ସେ ସବୁ ସୁହେଇ ଗଲା । ମାସକ ଭିତରେ ଧରଣୀଧର ମୋ ପାଇଁ ଗୋଟାଏ ପିଲା ପଢ଼େଇବା କାମ ଯୋଗାଡ଼ କଲା । ଦରମା କୋଡ଼ିଏ ଟଙ୍କା । ଆଃ କି ଆରାମ । ତିରିଶ ଆଉ କୋଡ଼ିଏ ମିଶି ହେଲା ପଚାଶ । ଏଥର ରଙ୍ଗ ତୁଳୀ କିଣିବାରେ ଆଉ ଅସୁବିଧା ନାହିଁ । ଅସୁବିଧା ନାହିଁ କେବେ କେମିତି ଗୋଟାଏ ଫିଲିମ୍ ଦେଖିବାରେ । ମଝିରେ ମଝିରେ କଲେଜ କାଣ୍ଟିନ୍‌ରେ କପେ ଚାହା କି ଗୋଟାଏ ସିଙ୍ଗଡ଼ା ବି ଖାଇ ଦଉଥାଏ ମୁଁ ।” ଲୋକଟା ନିଠେଇ ନିଠେଇ କଥା ଗୁଡ଼ାକ କହିଲା । କଥା କହୁନି ତ, ଯେମିତି କଲେଜ କାଣ୍ଟିନ୍‌ର ସିଙ୍ଗଡ଼ାର ସ୍ଵାଦୁ ଏବେ ଏଇ ଗଛ ମୂଳରେ ବସି ଅନୁଭବ କରୁଛି, ସେଦିନ ଦେଖିଥିବା ସିନେମାର ଦୃଶ୍ୟ ଏବେ ବି ତାକୁ ଅଭିଭୂତ କରୁଛି ।

 

ସକାଳେ କଲେଜ, ଦିପହରେ ଏଠି ସେଠି ବୁଲି ସ୍କେଚ୍ କରିବା ଆଉ ସଞ୍ଜ ହେଲେ ଟିଉସନ୍, ଗୋଟାଏ ଚତୁର୍ଥ ଶ୍ରେଣୀର ପିଲାକୁ ପଢ଼େଇ କୋଡ଼ିଏ ଟଙ୍କା ଦରମା ।

 

ପ୍ରଥମ ଯେଉଁଦିନ ଅସୀମ ବସୁ ପିଲାକୁ ପାଠ ପଢ଼େଇବା ପାଇଁ ଅମୂଲ୍ୟ ମିତ୍ରଙ୍କର ଘର ଭିତରକୁ ପଶିଲା ସେଦିନ ତାର ପୋଷାକ ଥିଲା ଗୋଟାଏ ଅଧା ମଇଳା ପାଇଜାମା ସାଙ୍ଗକୁ ଡୋରିଆ ହାଫ୍‌ସାର୍ଟ, ଗୋଡ଼ରେ ହଳେ ଧଳା ରବର ଜୋତା ଯାହାର ଉପର ରବର ଫାଟି ଠାଏ ଠାଏ ଆଙ୍ଗୁଠି ଦେଖା ଯାଉଥାଏ । ସେଇ ବିରାଟ କୋଠା ଭିତରକୁ ପଶିଲାବେଳକୁ ଲାଜରେ ସେ ମୁଣ୍ଡ ଟେକି କାହାରି ମୁହଁକୁ ଚାହିଁ ପାରୁ ନ ଥିଲା । ହୁଏତ ତାର ପୋଷାକ ଦେଖି ତା ଛାତ୍ର ବି ସେଦିନ ମୁରୁକି ମୁରୁକି ହସିଥିବ । ସେଇ ଯେ ସେଦିନ ସେ ମୁଣ୍ଡ ତଳକୁ କରି ପଶିଥିଲା, ତା ପରର ଦୁଇଟା ବର୍ଷ, ଯେତେଦିନ ସେ ଘରେ ପାଠ ପଢ଼େଇଥିଲା, ମୁଣ୍ଡ ଆଉ ଟେକି ନ ଥିଲା । ପ୍ରଥମ ଦିନର ସେଇ ଲାଜ ପରବର୍ତ୍ତୀ ଦିନଗୁଡ଼ାକୁ ଘାରି ରଖିଥିଲା ।

 

ଦୁଇଶହ ଚଉତିରିଶର ଘର ଯେତିକି ପରିବାର ବି ସେତିକି । ପୁଣି ପରିବାର ଯେତିକି, ସେମାନଙ୍କ ଜୀବନକୁ ନେଇ କାହାଣୀ ବି ସେତିକି । ଦୁଇଶହ ଚଉତିରିଶରେ ଅସୀମ ବସୁର ପ୍ରଥମ ବିସ୍ମୟ ଥିଲା ସେଇ ବିହାରୀ କୁଲି ପରିବାର । ଉଚ୍ଚାରେ ପ୍ରାୟ ସାଢ଼େ ଚାରିଫୁଟ, କଳା, ଦେଖିବାକୁ ଅସୁନ୍ଦର ଚେହେରାର ସେଇ ବିହାରୀ କୁଲିର ସ୍ତ୍ରୀ ଜଣକ ଥିଲା ସେ ଘରର ସବୁଠୁଁ ସୁନ୍ଦରୀ ସ୍ତ୍ରୀ ଲୋକ । ଖାଲି ସେ ଘର କାହିଁକି, ଅସୀମ ବସୁ ତା ପରବର୍ତ୍ତୀ କାଳରେ ସେଭଳି ସୁନ୍ଦର ସ୍ତ୍ରୀ ଲୋକ ଦେଖିଚି ବୋଲି ମନେ ପକେଇ ପାରିଲାନି । ସିଡ଼ି କଡ଼ ଘରର ମାପ ଆଖି ନଜରରେ ଛଅ ଫୁଟରେ ଛଅ ଫୁଟରୁ ଅଧିକା ହେଇଥିବ ବୋଲି ମନେ ହେଉ ନ ଥିଲା । ସେଇ ଘରେ ବିହାରୀ କୁଲିର ସଂସାର, “ସ୍ଵାମୀ, ସ୍ତ୍ରୀ ପାଖାପାଖି ଦେଖିଲେ “ବିଉଟି ଆଣ୍ଡ ଦି ବିଷ୍ଟ୍” ନାଁରେ ଗୋଟାଏ ଛବି ଆଂକିବା ପାଇଁ ଭାରି ଇଚ୍ଛା ହଉଥିଲା ମୋର । ହେଲେ ମୋ ହାତ ସେତେବେଳେ “ବିଷ୍ଟ” ଆଂକିବା କ୍ଷେତ୍ରରେ କିଛିଟା କ୍ଷମତା ହାସଲ କରିଥିଲେ ବି “ବିଉଟି” ପାଇଁ ଏକାବେଳକେ ଅଯୋଗ୍ୟ ଥିଲା ।” ଲୋକଟା ଏତକ କଥା କହିଲା ବେଳକୁ, ମୁଁ ଚୁପ୍ ହେଇ ବସିଥିବା ଲୋକଟା କାହିଁକି କେଜାଣି ଫେଁକିନା ହସି ପକେଇଲି । ଗଲା ସବୁ ବିଗିଡ଼ି ଗଲା । ଲୋକଟା ମୋ ମୁହଁକୁ ଅନେଇ କିଛି ସମୟ ଗୁମ୍ ମାରି ରହିଲା । ତାପରେ ବଡ଼ ପାଟିରେ ଚିତ୍କାର କରି ଉଠିଲା । “ହେଲା ମୁଁ ଏବେ ବିଷ୍ଟ ଆଙ୍କି ପାରେନି କି ବିଉଟି ଆଙ୍କି ପାରେନି । କଣ ହେଇଗଲା ସେଇଠୁ ? ହଇଓ ବାବୁ ! ସବୁ ଆଂକିବା କଣ ହାତରେ ହୁଏ ? କାଗଜରେ ହୁଏ ? ସବୁ କଥା କଣ ସମସ୍ତେ ମୁହଁରେ କହନ୍ତି ? ସବୁ ଗପ କଣ କାଗଜରେ ଲେଖା ହୁଏ ? ଏମିତି କଣ ଗପ ନାହିଁ, ଗୀତ ନାହିଁ, ଯାହା ମନ ଭିତରେ ଆଙ୍କି ହୁଏ, କହି ହୁଏ, ଲେଖି ହୁଏ, ଗାଇ ହୁଏ, ? ଛାଡ଼, କଣ କହୁଥିଲିଟି ? ହଁ, ସେଇ ବିହାରୀ କୁଲି ଜଣକ କଥା–ସେ କୁଆଡ଼େ ଭଲ ପାଇ ବାହା ହେଇଥିଲା । ବାହା ହବା ଆଗରୁ ତାକୁ ବିହାରର କେଉଁ ଗୋଟାଏ ଗାଁରୁ ଧରି ପଳେଇ ଆସିଥିଲା ।

 

“ସୁନ୍ଦରେ ତୃପ୍ତିର ଅବସାଦ ନାହିଁ । ଯେତେ ଦେଖୁଥିଲେ ନୂଆ ଦିଶୁଥାଇ”–ଏକଥାର ସମର୍ଥକ ଯେଉଁମାନେ ମୁଁ ସେମାନଙ୍କ ସହିତ ଏକମତ ନୁହେଁ । ସେମାନେ ଜାଣି ନାହାନ୍ତି ଏପରି ସୌନ୍ଦର୍ଯ୍ୟ ବି ଅଛି ଯାଆ ଆଡ଼କୁ ବେଶୀ ସମୟ ଅନେଇ ହୁଏନି । ମନେ ହୁଏ ଆଉ ବେଶୀ ଅନେଇଲେ ହୁଏତ ଯାହାକୁ ଦେଖୁଚି ସେ ଶେଷ ହେଇଯିବ । ଛୋଟ ପିଲାମାନେ ଭଲ ଜିନିଷ ଟିକିଏ ଟିକିଏ କରି ଖାଆନ୍ତି । ଖାଲି ଏଇ ଶେଷ ହେଇଯିବା ଡରରେ । ବିହାରୀ କୁଲିର ସ୍ତ୍ରୀକୁ ମୁଁ ବି ସେମିତି ଅନେଇ ପାରୁ ନ ଥିଲି । ଅନେଇ ପାରୁ ନ ଥିଲି ଖାଲି ଏଇ ଶେଷ ହେଇଯିବା ଡରରେ । ହେଲେ ମୋର ତା ଆଡ଼କୁ ଏତେ କମ ଚାହିଁବା ସତ୍ତ୍ୱେ ବି ଦିନେ ସେ ଶେଷ ହୋଇଗଲା । ମୋ ପାଖରୁ, ସେ ଘରର ବାସିନ୍ଦା ସମସ୍ତଙ୍କ ପାଖରୁ, ଏପରିକି ତାର ସେଇ ଭଲ ପାଇଥିବା ସ୍ଵାମୀ ପାଖରୁ ସେ ଶେଷ ହେଇଗଲା । ସେ ତା ସ୍ଵାମୀକୁ ଛାଡ଼ି ପଳେଇ ଗଲା ଆଉ ଜଣେ କାହା ସାଙ୍ଗରେ । ମୋ ଘରର ଦୁଆର ଆଉ ତା ଘରର ଝରକା ମୁହାଁମୁହିଁ ଥିଲା । ମୋ କବାଟ ଖୋଲା ଥିଲେ ଝରକା ଦେଇ ତା ଘର ଭିତରଟା ଦିଶୁଥିଲା । ଦି’ ପହରର ଖରାରେ ତା ଟିଣ ଚାଳ ଯେମିତି ନିଆଁ ପାଲଟି ଯାଉଥିଲା ମୋ ଘରର ଟିଣ ବି ସେମିତି ଧାନ ପକେଇଲେ ଖଇ ଫୁଟିବା ଅବସ୍ଥାରେ ରହୁଥିଲା । ସେମିତି ଦି’ପହର ମାନଙ୍କରେ ତାକୁ ମୁଁ ଦେଖିଛି ! ଦେଖିଛି ଜୀବନରେ ପ୍ରଥମ ନାରୀ ଦେହ । “ଚମ୍ପକବରଣୀ ଗୋ” ଓଡ଼ିଆରେ ଗୋଟିଏ ଗୀତ କାହାର ଲେଖା ମୁଁ ଜାଣେନି । ହେଲେ ମନେ ହୁଏ ସେ ଗୀତର ଲେଖକ କେବେ କଣ ବିହାରୀ କୁଲିର ସେ ସ୍ତ୍ରୀକୁ ଆଖିରେ ଦେଖିଛନ୍ତି ? ଯଦି ନ ଦେଖି ଥାଆନ୍ତି “ଚମ୍ପକ ବରଣୀ ଗୋ” ବୋଲି ଗୋଟାଏ ଧାଡ଼ି ସେ ଲେଖିଲେ କେମିତି ? ମୁଁ ତ କେବେ ତାର ଚମ୍ପା ରଙ୍ଗର ଦେହ କଥା ସେ ଗୀତ ଲେଖକଙ୍କୁ କହିନି । କହିନି ଆଜି ତମକୁ ଯାହା ସବୁ କହୁଛି ।

 

ଦି ପହରର ଖରାରେ ଖୋଲା ଝରକା ଦେଇ ତାର ନିରାବରଣ ଦେହକୁ ମୁଁ ଦେଖିଥିଲି-। ଆର୍ଟ କଲେଜରେ କ୍ଲାସରେ ତାପରେ ତ ଅନେକ, ଅନେକ ଅନାବିଷ୍କୃତ ଦେହକୁ ଆବିଷ୍କାର କରିଛି, ହେଲେ ପ୍ରଥମ ଆବିଷ୍କାରର ସ୍ମୃତି ଭଳି ସେମାନେ ତ ମନ ଭିତରେ ଏମିତି ଜାକି ଜୁକି ହେଇ ବସି ନାହାନ୍ତି । ସ୍ତ୍ରୀ ଲୋକଟା ଆଉ ଜଣେ କାହା ସାଙ୍ଗରେ ପଳେଇଲା ପରେ, ସେ ଘରର ବାସିନ୍ଦାମାନଙ୍କ ଭିତରେ ବିଭିନ୍ନ ରକମର ଆଲୋଚନା ଚାଲିଲା । ଦି’ ପହରିଆ ମହିଳା ମାନଙ୍କ ଆଲୋଚନାରେ ସେ କୁଆଡ଼େ ଭଲ ସ୍ତ୍ରୀ ଲୋକ ନ ଥିଲା । ସେଇ ଘରର କେତେକଙ୍କ ସାଙ୍ଗରେ ତାର କୁଆଡ଼େ ଏକ ଗୋପନ ସମ୍ପର୍କ ଥିଲା । ସନ୍ଧ୍ୟା ବେଳର ପୁରୁଷ ମାନଙ୍କ ଆଲୋଚନାରେ–ତାଭଳି ଭଲ ବ୍ୟବହାର ଜାଣିଥିବା ସ୍ତ୍ରୀ ଲୋକ ଖୁବ୍ କମ୍ ଦେଖାଯାଏ । ସେ କୋଠାରେ ଏତେ ଦିନ ରହିଲା ଭିତରେ ପଡ଼ିଶା ଘରର କାହାରି ସାଙ୍ଗରେ କେବେ ଉଚ୍ଚା ଗଳାରେ କଥା ହେବାର କେହି ଶୁଣି ନାହାନ୍ତି । ମୁଁ ଖାଲି ତାର ସ୍ଵାମୀକୁ ଦେଖୁଥାଏ । ଏତେଦିନ ଧରି ଯେଉଁ ଲୋକଟା ମୋ ପାଖରେ କୁତ୍ସିତ ବୋଲି ମନେ ହଉଥିଲା–ସେ ଏବେ ଆଉ କୁତ୍ସିତ ମନେ ହେଉନି । ଏବେ ଭାରି ଇଚ୍ଛା ହେଉଥାଏ ତା ପାଖରେ ବସି ଦି’ପଦ ସୁଖ ଦୁଃଖ ହେବାକୁ, ତା ଦୁଃଖରେ ଭାଗ ନେବାକୁ । ହେଲେ ସେ ସୁଯୋଗ ମୁଁ ପାଇ ନ ଥିଲି । ଲାଜରେ, ଦୁଃଖରେ ସେ ବି ଦିନେ ଦୁଇଶହ ଚଉତିରିଶ ଛାଡ଼ି ଚାଲିଗଲା । ଚାଲିଗଲା ତାର ସିଡ଼ିକଡ଼ ଘରକୁ ଛାଡ଼ି । କେମିତି ଗଲା, କୁଆଡ଼େ ଗଲା କେତେବେଳେ ଗଲା ସେ କଥା ଖାଲି ମୁଁ ନୁହେଁ ସେ ଘରର କେହି ବି ଜାଣି ପାରିଲେନି ।”

 

॥ ୫ ॥

 

ଅନେକ ଅନେକ ଦିନ ତଳେ ମୁଁ ସ୍ଵପ୍ନ ଦେଖିଥିଲି । ସ୍ଵପ୍ନ ଦେଖିଥିଲି–ଶିଳ୍ପୀ ହେବାର । ସେଇ ଯେତେବେଳେ ଲୁଚେଇ ଲୁଚେଇ ଗୁଆ ଖାଉଥିଲି–ଆଚାର ଖାଉଥିଲି, ଆଉ ଦେଖେଇ ଦେଖେଇ ‘ଲେବେନ୍ ଚୁସ୍’ ଖାଉଥିଲି–ସେ ଦିନର ସ୍ଵପ୍ନ । ମୁଁ ସ୍ଵପ୍ନ ଦେଖିବା ଆଗରୁ ମୋରି ଆତ୍ମୀୟମାନେ ସ୍ଵପ୍ନ ଦେଖିଥିଲେ–ମୋର ଭବିଷ୍ୟତର ସ୍ଵପ୍ନ, ମୋ କକାମାନେ, ଖୁଡ଼ିମାନେ, ଅଜାମାନେ, ମାମୁଁମାନେ ମୋତେ ଦେଖି କହିବାକୁ ଲାଗିଲେ ଏ ପିଲାଟା ଦିନେ ଆର୍ଟିଷ୍ଟ ହବ-ଆର୍ଟିଷ୍ଟ । ବାସ୍ ତାପରେ ମୁଁ ପିଲାଟା ବି ସ୍ଵପ୍ନ ଦେଖିଲି–ଆର୍ଟିଷ୍ଟ ହେବି–ଆର୍ଟିଷ୍ଟ । ଚାଟଶାଳିରେ ପଢ଼ିଲାବେଳେ ସିଲେଇ ମେସିନ୍ ଉପରେ ଥୁଆ ହେଇଥିବା ଗିଲାସ ଆଙ୍କିଲି । ପଞ୍ଚମରେ ଆଜିର ଅସିତ୍ ମୁଖାର୍ଜୀ ସାଙ୍ଗରେ ଜିଦି ବାଦିରେ ଗଛ, ପାହାଡ଼, କୋଠା, ମଣିଷ ଆଙ୍କିଲି । ନବମରେ ଖବର କାଗଜରେ ବାହାରିଥିବା ଚିତ୍ର ତାରକାଙ୍କ ଚିତ୍ରକୁ ନକଲ କଲି, ଖାଲି ଶିଳ୍ପୀ ହେବାର ସ୍ଵପ୍ନ ନେଇ ନୁହେଁ । ସାଇ ପଡ଼ିଶା, ବନ୍ଧୁ ବାନ୍ଧବଙ୍କ ଠାରୁ ବାହାବା ପାଇବା ପାଇଁ ବି । ସମସ୍ତେ କହିଲେ, ‘ଏ ଟୋକାଟା ଶିଳ୍ପୀ ହେବ । ମୁଁ ଟୋକାଟା ବି ସ୍ଵପ୍ନ ଦେଖିଲି–ଶିଳ୍ପୀ ହେବି । ଅଙ୍କ ଖାତାରେ ଛବି ଆଙ୍କିଲି । ଇତିହାସ, ଭୂଗୋଳ, ଇଂରାଜୀ, ସାହିତ୍ୟ, ସବୁ ବହି, ସବୁ ଖାତାରେ ଯାହା ମନକୁ ଆସିଲା ଆଙ୍କିଗଲି । ଦଶମ ଏକଦଶରେ ମୋ ସାଙ୍ଗରେ ପଢ଼ୁଥିବା ଝିଅମାନେ ଡାକିଲେ ‘ଆର୍ଟିଷ୍ଟ’ ବୋଲି, ତେଣୁ କ୍ଲାସରେ ମାଷ୍ଟର ପଢ଼ଉଥିବା ପାଠ ନ ଟିପି ଝିଅମାନଙ୍କର ଛବି ଆଙ୍କିଥିଲେ, ସେମାନେ ମାଟ୍ରିକ୍ ପାଶ୍ କଲେ, କିଏ ଫାଷ୍ଟ ଡିଭିଜନ୍‌ରେ ତ କିଏ ସେକେଣ୍ଡ ଡିଭିଜନ୍‌ରେ, ଆଉ ମୁଁ ? ମୋ ନାଁଟା ପାସ୍ କରିଥିବା ପିଲାଙ୍କ ତାଲିକା ଭିତରେ ନ ଥିଲା । ମୁଁ ପାସ୍ ନ କରିବାଟା ଆମ ଘରର କାହାରିକି ବିସ୍ମିତ କଲାନି । ମତେ ଛାଡ଼ି ଅନ୍ୟ ସମସ୍ତେ ଯେମିତି ଅନେକ ଆଗରୁ ଜାଣିଥିଲେ ମୋର ଭବିତବ୍ୟ । ପାସ କରିଥିଲେ କଲେଜରେ ପାଠ ପଢ଼ିଥାନ୍ତି । ହେଲେ ଏବେ ? ମନେ ମନେ ଠିକ୍ କଲି, ଆଉ ନୁହେଁ । ବାପା ଭାଇଙ୍କର ବୋଝ ହେଇ ଆଉ ରହିବିନି । ନିଜକୁ କିଛି ଗୋଟାଏ କରିବାକୁ ପଡ଼ିବ । ହେଲେ କରିବି କଣ ?

 

କେଉଁଠୁ କେମିତି ଯୋଗାଡ଼ କରି ଦଶ ପନ୍ଦରଟା ଛୋଟ ଛୋଟ ସାଇନ୍‌ବୋର୍ଡ଼ ଲେଖିବା କାମ ପାଇଲି । ପ୍ରଥମ ସାଇନ୍‌ବୋର୍ଡ଼ ଲେଖିବା କାମ । ଫେଲ୍, ସେଥିରେ ବି ଫେଲ୍ । ଟିଣ ଉପରେ ବାର୍ଣ୍ଣିସ୍ ରଙ୍ଗରେ ସବୁ କାମ ସାରି ଦୂରରୁ ଠିଆ ହେଇ ଦେଖିଲି, ଭାରି ଭଲ ଦିଶୁଛି । ଯାହା କାମ ତାକୁ ଦେଇ ଟଙ୍କା ଛଅ ଶହ ପାଇଗଲି । ଜୀବନର ପ୍ରଥମ ଉପାର୍ଜନ । ହେଲେ ଦିନ ସାତଟା ନ ଯାଉଣୁ, ସାଇନ୍ ବୋର୍ଡ଼ ଲେଖିବାକୁ ଦେଇଥିବା ଲୋକ ଜଣକ ଆସି ଶୋଧିବାକୁ ଆରମ୍ଭ କଲେ-। ମୁହଁକୁ ଯାହା ଆସିଲା ଗାଳି ଦେଇଗଲେ । ନ ଦେବେ କାହିଁକି ? ସାତଦିନ ଭିତରେ ସବୁ ରଙ୍ଗ ଫାଟି ସାଇନ୍‌ବୋର୍ଡ଼ ଗୁଡ଼ାକ ବୈଶାଖର ଧାନ ବିଲ ପାଲଟି ଯାଇଛି । ମୁଁ ଭାଗ୍ୟବାନ, ଗାଳି ଖୋଇଲେ ସିନା, ହେଲେ ସେ ଦେଇଥିବା ଛସଶହ ଟଙ୍କା ଫେରସ୍ତ ମାଗିଲେନି । ତେଣୁ ସେଇ ଟଙ୍କାକୁ ମୂଳଧନ କରି ବାଲେଶ୍ଵର କଚେରୀ ପାଖରେ ଫଟୋ ବନ୍ଧେଇର ଦୋକାନଟିଏ ଦେଲି । ରାମ ସୀତା ଲକ୍ଷ୍ମଣଠାରୁ ଆରମ୍ଭ କରି ନିମ୍ମି, ଭାରତଭୂଷଣ, ଅଶୋକ କୁମାରର ଛବି ଦେଇ ଆଠଟଙ୍କା ଭଡ଼ାର ଟିଣ କେବିନକୁ ସଜେଇବାକୁ ପଡ଼ିଲା । ସକାଳ ନଅରୁ ସନ୍ଧ୍ୟା ଛଅଟା ଯାଏ ନାନା କିସମର ଛବି ଝୁଲୁଥିବା ଟିଣ କେବିନର କାନ୍ଥମାନଙ୍କୁ ପଛରେ କଡ଼ରେ ରଖି ସାମ୍ନାରେ ଫ୍ରେମ୍ କାଟିବା କାଠ ଫର୍ମା ଆଉ କରତ ଧରି ବସିଲି, କେଉଁଦିନ ପାଞ୍ଚ ସାତ ତ କେଉଁଦିନ କୋଡ଼ିଏ ପଚିଶି । ସାଢ଼େ ଚାରିରେ କଚିରୀ ବନ୍ଦ, ଆଉ ଛଅଟା ବାଜିଲେ କଚିରୀ ବଜାର ବନ୍ଦ । ରାତିରେ ଘରେ ପାଠ ପଢ଼େ । ଆଉ ଥରେ ପରୀକ୍ଷା ଦେବି । ତା’ରି ପାଇଁ ପ୍ରସ୍ତୁତି । ମଝିରେ ମଝିରେ କଲିକତା ଯାଏ ଆଉ କାଚ ଫ୍ରେମ୍ ବାଡ଼ି ଆଣିବାକୁ । ନିଜେ ବା ଜାଣେ କେତେ ? ତେଣୁ ରିଫ୍ୟୁଜି ଦୋକାନୀ ମାନଙ୍କ ସାଙ୍ଗେ ମିଶି କଲିକତା ଆସିବା ଆଉ ଜିନିଷ ନେଇ ଫେରିଯିବା । ହାଉଡ଼ା ଷ୍ଟେସନରେ ରେଳବାଇରେ ଚେକର୍ ହାତରେ ଆଠଣା ପଇସା ଧରେଇ ଦେଲେ ଜିନିଷ ଓଜନ କରିବା ଦରକାର ନାଇଁ କି ବୁକିଂ କରିବା ଦରକାର ନାହିଁ । ଦିନ ଗଡ଼ି ଚାଲିଲା । ଯିଏ ଦିନେ ସ୍ଵପ୍ନ ଦେଖିଥିଲା ଶିଳ୍ପୀ ହେବାର, ସିଏ ଏବେ ଶିଳ୍ପ ଚର୍ଚ୍ଚା କରୁଛି କାଚ ପ୍ରେମରେ କୃଷ୍ଣ ବିଷ୍ଣୁଙ୍କର ଛାପା ଛବିକୁ ବନ୍ଧେଇ କରି ଗରାଖ ହାତକୁ ବଢ଼େଇ ଦବା ମାଧ୍ୟମରେ । ଏମିତି ଦିନେ ଦି’ପହରେ ହନୁମାନଙ୍କର ଛବିକୁ ବନ୍ଧେଇ ସାରି ପଛରେ ମାଟିଆ କାଗଜ ଲଗଉଛି ଡାକ ଶୁଭିଲା–‘ଜୟ ଶିବ ଶମ୍ଭୁ ।’

 

ମୁଣ୍ଡ ଟେକି ଦେଖିଲି–ଦି’ ଜଣ ବାବାଜି । ପିଲା ବାବାଜି, ବୟସ-ମୋରି ବୟସ । କହିଲି,-‘କିଛି ନାଇଁ କିଛି ନାଇଁ, ଆଗେ ବଢ଼ ।’ ହେଲେ ସେମାନେ ସେମିତି ଠିଆ ହେଲେ । ତାଙ୍କ ଭିତରୁ ଜଣେ କହିଲା–ମୋ ମନର ଇଚ୍ଛା ସେ କହିଦେବ । କହିଦେବ, ଇଚ୍ଛା ସଫଳ ହେବ କି ନାହିଁ-। କଥାଟାକୁ ଖୁବ୍ ହାଲୁକା ଭାବରେ ନେଇ ମଜା କରିବାକୁ ଆରମ୍ଭ କଲି । ସେମାନଙ୍କୁ କହିଲି–ମୋ ମନର ଇଚ୍ଛା କହିଦେଇ ପାରିଲେ ପୂରା ଗୋଟିଏ ଟଙ୍କା ଦେବି । ଏତକ କହି ଗୋଟାଏ କାଗଜରେ ମୋ ମନର ଇଚ୍ଛା ଟିପି ଦେଇ ଦୋକାନ ସାମ୍ନାରେ ଭିଡ଼ ଜମେଇଥିବା ମଜା ଦେଖୁଥିବା ଲୋକମାନଙ୍କ ଭିତରୁ ଜଣକ ହାତରେ ଧରେଇ ଦେଲି । ବାସ୍ ଖେଳ ଜମିଲା । ପିଲା ବାବାଜି ଜଣକ କିଛି କହୁନି–ଚୁପ୍ ଚାପ୍ । ଭିଡ଼ ଜମେଇ ମଜା ଦେଖୁଥିବା ଲୋକମାନେ ଉଦ୍‌ଗ୍ରୀବ । ଏ ଯେମିତି ଗୋଟାଏ ବାଜି ପଡ଼ିଛି–କିଏ ଜିତିବ, କିଏ ହାରିବ । ଏଠି ବି ଫେଲ୍ । ହାରିଲି ମୁଁ । ବାବାଜି ଜଣକ ବଡ଼ ପାଟିରେ ସମସ୍ତଙ୍କୁ ଶୁଣେଇ କହିଲା–“ଆର୍ଟିଷ୍ଟ ବନ୍‌ନେ ମାଁଗ୍‌ତେ ହୋ, ତସ୍‌ବୀର ବନାନେ ଚାହ୍‌ତେ ହୋ, ବନୋଗେ, ଜରୁର୍ ବନୋଗେ ।” ମୁଁ ତ ସେଇ କଥାଟାଇ ଲେଖିଥିଲି ମୋ କାଗଜରେ । ହାରିଯାଇ ଯେତେ ଖୁସି ଲାଗିଲା, ଜିତିଥିଲେ ମୁଁ ପାଇ ନ ଥାନ୍ତି । ଗୋଟାକ ଜାଗାରେ ଦି’ଟା ଟଙ୍କା ତାକୁ ଧରେଇ ଦେଲି । ସେଠି ଭିଡ଼ ଜମେଇଥିବା ଲୋକମାନେ ତାର ଗରାଖ ହେଲେ । କେତେ ଜଣ ପ୍ରଶ୍ନ କଲେ । ସେଥିରୁ କେଉଁ ପ୍ରଶ୍ନର ଠିକ୍ ଉତ୍ତର ମିଳିଲା, କେଉଁ ପ୍ରଶ୍ନର ଉତ୍ତର ଭୁଲ୍ ହେଲା ମୁଁ ଜାଣେନି । ମୁଁ ତ ମଜଗୁଲ୍ ମୋ ପ୍ରଶ୍ନର ଉତ୍ତର ଶୁଣି ।

 

ବର୍ଷ ବିତିଗଲା । ପରୀକ୍ଷା ଦେଲି, ପାସ୍ କଲି । ଓଃ ମାଟ୍ରିକେ ନାଁରେ ଯେଉଁ ଉଚ୍ଚା ଦୁଆରବନ୍ଧ ଥିଲା, ତାକୁ ଡେଇଁ ଗଲି । ଏଥର ଦୋକାନ ବନ୍ଦ ହେଲା । ଫିଲ୍ମଷ୍ଟାର ଆଉ ଦିଅଁ ଦେବତାଙ୍କ ଛବି ସବୁ ବିଡ଼ା ହୋଇ ବାକ୍‌ସରେ ରହିଲା । ଫ୍ରେମ୍‌ର କାଠ ସବୁ କିଏ କୁଆଡ଼େ ନେଇଗଲେ । କଲେଜରେ ନାଁ ଲେଖେଇଲି ।

 

ତା ପରର ଖବର ସବୁ ତମକୁ ତ ମୁଁ କହି ସାରିଛି । ଏତକ କହି ଅସଲି ଅସୀମ ବସୁ ବୋଲି ବୋଲାଉଥିବା ଲୋକଟା ଗୋଟାଏ ସିଗାରେଟ୍ ଲଗେଇଲା । ମୋତେ ବି ଗୋଟାଏ ଦେଲା-। ଆମେ ଦୁଇଜଣ ପାଖାପାଖି ବସି ସିଗାରେଟ୍‍ ଟାଣୁଛୁ । ଅନେକ ଅନେକ ଦିନ ତଳେ ‘ରାମ୍ ଅଉର ଶ୍ୟାମ୍’ ନାଁରେ ଗୋଟାଏ ଫିଲ୍ମ ଦେଖିଥିଲି, ମନେ ହେଲା, ଆମେ ସେଇ ରାମ୍ ଔର୍ ଶ୍ୟାମ୍-। ହେଲେ ସେମାନେ ଏକା ଚେହେରାର ସିନା ଥିଲେ, ନାଁ ତ ଏକା ନ ଥିଲା । ପେଶା ତ ଏକା ନ ଥିଲା ! ଏଠି ଯେ ସବୁ ସମାନ । ଏହା ଭିତରୁ ଜଣେ ଅସଲ ହେଲେ ଆର ଜଣକ ନକଲ-। ହେଲେ ଆମେ ଦିହେଁ ଯେ ନିଜକୁ ଅସଲ ବୋଲି ଧରି ନେଇଚୁ । ସିଏ ବଡ଼ ପାଟିରେ ମତେ ନକଲି ବୋଲି କହି ଦବାରୁ ସିନା ମୁଁ ନିଜକୁ ନିଜେ ସନ୍ଦେହ କରୁଛି ? ନ ହେଲେ ମୁଁ ବି ତ ନିଜକୁ ଅସଲି ବୋଲି ଜାଣିଛି । ମନେ ହେଉଛି ଗୋଟାଏ ବଡ଼ ଦର୍ପଣ ସାମ୍ନାରେ ସିଏ ବା ମୁଁ ବସିଛୁ-

 

ସିଗାରେଟ୍ ଧରା ହାତଟାକୁ ମୁଠା କରି ଓଠରେ ଲଗେଇ ଲୋକଟା ଦି’ ଦମ ଧୂଆଁ ଢୋକି ନେଲା । ତାପରେ ସିଗାରେଟ୍‌ଟା ଦୂରକୁ ଫୋପାଡ଼ି ଦେଇ ଓଠଟାକୁ ଗୋଜିଆ କରି ଛାତିରେ ଜମା ହୋଇଥିବା ଛାତିଏ ଧୂଆଁ ଛାଡ଼ିବାକୁ ଲାଗିଲା । କିଛି ସମୟ ବେଶ୍ ମଉଜିଆ ମଉଜିଆ ମନରେ ଗୋଟାଏ କଣ ଗୀତକୁ ଗୁଣୁଗୁଣୁ ହୋଇ ଗାଉ ଗାଉ ପାଖରେ ପଡ଼ିଥିବା ଗୋଟାଏ କାଠିରେ ଗୋଡ଼ପାଖ ଟାଙ୍ଗରା ଭୂଇଁରେ ତିନିଟା ଅକ୍ଷର ଲେଖିଲା–‘ଗୋଲାପି ।’ ମୁଁ ଟିକିଏ ବଡ଼ ପାଟିରେ ପଢ଼ିଦେଲି–ଗୋଲାପି । ସେ କହିଲା–ହଁ, ଗୋଲାପି । ୨୩୪ର ଗୋଲାପି । ତଳ ମହଲାରେ ଗୋଟାଏ କଣ ଘରେ ମାଆ ଝିଅକୁ ନେଇ ବୁଢ଼ା ମଧୁ ମିସ୍ତ୍ରୀର ସଂସାର । ପାଲିସ୍ ମିସ୍ତ୍ରୀ ମଧୁ କୟାଲ । ସୁହାଗିନୀକୁ ସ୍ତ୍ରୀ କହିଲେ ସ୍ତ୍ରୀ, ରକ୍ଷିତା କହିଲେ ରକ୍ଷିତା । ବହୁ ବଜାରର ଫର୍ନିଚର ଦୋକାନ ମାନଙ୍କରେ ମଧୁ ମିସ୍ତ୍ରୀର ଭାରି ସୁନାମ । ମଧୁ ମିସ୍ତ୍ରୀ ଯୌବନରେ ହାତ ଧରି ବେଦିରେ ବସି ଯାହାକୁ ବାହା ହେଇଥିଲା, ସେ ଚାଲିଗଲା । ମରିଗଲା ହଇଜାରେ । ତା ପରଠୁ ଆଉ ବାହା ହେଇନି । ଦିନସାରା ପାଲିସ୍ କାମ କରି ରାତି ଗୁଡ଼ା ସୋନାଗାଛି କି ପ୍ରେମଚାନ୍ଦ୍ ବରାଲ୍ ଷ୍ଟ୍ରୀଟ୍‌ର ମିନତି, ଅମିତା, ରେଣୁ, କୁସୁମ୍, ମୀରା, ଅନିମା ମାନଙ୍କ ପାଖରେ କଟଉ କଟଉ ଯିଏ କହିଲା, ‘ମତେ ଏଠୁ ନେଇ ଚାଲ’, ତାକୁ ଇ ସାଙ୍ଗରେ ଧରି ଚାଲି ଆସିଥିଲା କୋଡ଼ିଏ ବର୍ଷ ଆଗେ । ସେଇ ଦିନଠୁ ସୁହାଗିନୀ ମଧୁ ମିସ୍ତ୍ରୀର ଘରଣୀ । ତାଙ୍କରି ଝିଅ ଗୋଲାପି । ବାପା ମାଆଙ୍କର ଗେଲ ବସରର ଝିଅ ଗୋଲାପି । ଗୋଲାପି ଇସ୍କୁଲରେ ପାଠ ପଢ଼ୁଛି । ଆଉ ଗୋଟାଏ ବର୍ଷ ଗଲେ ପରୀକ୍ଷା ଦବ–ଗୋଲାପି କଲେଜରେ ପାଠ ପଢ଼ିବ, ଭଲ ଘରେ ଗୋଲାପିକୁ ନେଇ ସ୍ଵପ୍ନ ଦେଖନ୍ତି–ଗୋଲାପି କଲେଜରେ ପାଠ ପଢ଼ିବ, ଭଲ ଘରେ ଗୋଲାପିକୁ ବାହା ଦେବେ । ଗୋଲାପିକୁ ନେଇ ସୁଖର ସ୍ଵପ୍ନ । ଆଉ ଜଣେ ବି ଗୋଲାପିକୁ ନେଇ ସ୍ଵପ୍ନ ଦେଖୁଥିଲା । ଘର ସଂସାରର ସ୍ଵପ୍ନ । ମଧୁ ମିସ୍ତ୍ରୀର ଠିକ୍ ସାମ୍ନା ଘରର ବାସିନ୍ଦା ଶାନ୍ତନୁ । ଶାନ୍ତନୁ ପିଲାଦିନରୁ କଲିକତାରେ ରହିଛି । ପ୍ରଥମେ କିଛିଦିନ ଗୋଟାଏ ହୋଟେଲରେ ରୁମ୍ ବୟ, ତା’ ପରେ ସେ ଚାକିରୀ ଛାଡ଼ି ଫୁଟ୍‌ପାଥ୍‌ର କଦଳୀ ବିକାଳି, ତା’ପରେ ଚାହା କମ୍ପାନୀର ପିଅନ୍ । ସେଇ ଶାନ୍ତନୁ ମନେ ମନେ ଭଲ ପାଉଥିଲା ଗୋଲାପିକୁ । ସ୍ଵପ୍ନ ଦେଖୁଥିଲା ଗୋଲାପିକୁ ବାହା ହବାର । ହେଲେ ଗୋଲାପିର ବାପା ବୋଉର ସ୍ଵପ୍ନ କଥା ବି ସେ ଜାଣିଥିଲା । ତେଣୁ ମନେ ମନେ ଠିକ୍ କରିଥିଲା ଟିକିଏ ସୁଯୋଗ ସୁବିଧା ଦେଖି ଗୋଲାପିକୁ ତାର ମନର କଥା କହିଦେବ । ତାକୁ ନେଇ ଏ ଘର ଛାଡ଼ି ପଳେଇଯିବ । ଶାନ୍ତନୁର ସ୍ଵପ୍ନ କଥା ଯେମିତି ମୁଁ ଜାଣିଥିଲି, ସେମିତି ଘରର ଆହୁରି ଅନେକେ ଜାଣିଥିଲେ । ହେଲେ ସେ କୋଠାରେ ମୁଁ ପାଞ୍ଚଟା ବର୍ଷ କଟାଇଲା ଭିତରେ ସେଇ ସୁଯୋଗ ସୁବିଧା ଟିକକ ଶାନ୍ତନୁକୁ ପାଇବା ଦେଖି ପାରିଲିନି । ଗୋଲାପି ପରୀକ୍ଷାରେ ଫେଲ୍ ହେଲା । ପଢ଼ା ଛାଡ଼ିଦେଲା । ଶାନ୍ତନୁ ତାର କହିବା କଥା ଟିକକ ଗୋଲାପିକୁ କହିବ କହିବ ହେଇ ମୁଁ ଥିବାର ପାଞ୍ଚଟା ବର୍ଷ କଟିଗଲା ।

 

କଲିକତା ଛାଡ଼ିବାର ପାଞ୍ଚ ସାତ ବର୍ଷ ପରେ ଆଉ ଥରେ ମୁଁ ଯାଇଥିଲି ୨୩୪ ନଂ ବହୁ ବଜାର ଷ୍ଟ୍ରୀଟ୍‌ର ଘରକୁ–ଖାଲି ସେଠାକାର ସମସ୍ତଙ୍କୁ ଥରେ ଦେଖି ଆସିବି ବୋଲି । ଦେଖି ଆସିବି ମୋର ପୁରୁଣା ଘରଟା । ଦେଖିଲି–ସବୁ ଦେଖିଲି–ସମସ୍ତଙ୍କୁ ଦେଖିଲି, ହେଲେ ଗୋଲାପି ଆଉ ସେଠି ନ ଥିଲା । ଶୁଣିଲି, ଗୋଲାପି କୁଆଡ଼େ ମେଡ଼ିକାଲ କଲେଜରେ ପଢ଼ୁଥିବା ଜଣେ ଛାତ୍ରକୁ ବାହା ହେଇ ଏଠୁ ଚାଲି ଯାଇଛି । ଆଉ ଶାନ୍ତନୁ ? ସେ ସେଇଠି, ସେମିତି ରହିଛି । ଏବେ ବି ଅପେକ୍ଷା କରିଛି ଟିକିଏ ସୁବିଧା ସୁଯୋଗ ପାଇଲେ କେବେ ଯଦି ଗୋଲାପିର ଦେଖା ପାଏ ତାକୁ ଜଣେଇ ଦବ–ସେ ତାକୁ ଭଲପାଏ ବୋଲି ।

 

ଲୋକଟା ମଧୁ ମିସ୍ତ୍ରୀଠୁ ଯାହା ଶୁଣିଥିଲା–ଶାନ୍ତନୁଠୁ ଯାହା ଶୁଣିଥିଲା–ନିଜେ ଯାହା ଦେଖିଥିଲା–ସେ ସବୁକୁ ଯୋଡ଼ା ଯୋଡ଼ି କରି ଗୋଲାପିର ଗପ ମତେ ଶୁଣେଇ ଦେଲା । ମୁଁ ଦେଖୁଛି, ଲୋକଟା ନିଜ କଥା କହିବାକୁ ଯାଇ କେତେବେଳେ ବିହାରୀ କୁଲି କଥା ତ କେତେବେଳେ ଗୋଲାପି କଥା ଶୁଣେଇ ଚାଲିଛି । ୨୩୪ର ଇଟା, ଚୂନ ବାଲିଠାରୁ ଆରମ୍ଭ କରି ସେଠି ରହୁଥିବା ସେଦିନର ସେ ଚରିତ୍ରମାନଙ୍କ ସାଙ୍ଗରେ ସେ ଏକାତ୍ମ ହେଇ ଯାଉଛି ।

 

॥ ୬ ॥

 

କହଇ ମନ ଆରେ ମୋ ବୋଲ କର–

 

ହେଲେ ଏ ମନ ବୋଲ ମାନିଲା କେଉଁଠି ? ବୋଲ ମାନିଥିଲେ ଏତେ ହଇରାଣ ହରକତ ହୁଅନ୍ତି ବା କାହିଁକି ? ଏତେ ଅଜଣାକୁ ଜାଣନ୍ତି କିମିତି, ଅଚିହ୍ନାକୁ ଚିହ୍ନନ୍ତି କେମିତି ? ପେଡ଼ି ଭିତରେ ସାଇତା ହେଇଥିବା, ଗନ୍ଧ କର୍ପୂର ଦିଆ ଆଈଙ୍କର ବାହାଘର ପାଟଶାଢ଼ୀ ଭଳି, ଅଜାଙ୍କର ଗାଲିସ୍ ଲଗା ପ୍ୟାଣ୍ଟ୍ ଭଳି ଅଭିଜ୍ଞତା ସବୁ ସାଇତି ପାରିଥାନ୍ତି କେମିତି । ମନ ଅବୋଲକରା ହେଲାରୁ ସିନା ବାଲେଶ୍ଵରର ଦୋକାନଘର ଛାଡ଼ି କାଲିକତାର ୨୩୪କୁ ଚିହ୍ନିଲି । ଚିହ୍ନିଲି ଧରଣୀଧରାକୁ, ଶାନ୍ତନୁ, ବିହାରୀ କୁଲି, ତା ସ୍ତ୍ରୀ ଓ ଆହୁରି ଅନେକଙ୍କୁ । କଲିକତାରେ ପାଠ ପଢ଼ିବାର ଗୋଟିଏ ବର୍ଷ ବିତି ଯାଇଥିଲା । ପ୍ରଥମ ବର୍ଷ ପରୀକ୍ଷା ଫଳକୁ ମୂଳଧନ କରି ସରକାରୀ ବୃତ୍ତି ପାଇଁ ଦରଖାସ୍ତ ଖଣ୍ଡେ ପଠାଇ ଦେଇଥାଏ । ମିଳିଲେ ଭଲ, ନ ମିଳିଲେ ବି ପରବାୟ ନାହିଁ । କଷ୍ଟେ ମଷ୍ଟେ ଆଉ ଚାରିଟା ବର୍ଷ କଟେଇ ଦବାର ସାହସ ଏଲ ଅବୋଲକରା ମନଟା ବାନ୍ଧି ରଖିଥାଏ । ହେଲେ ମିଳିଗଲା । କାଗଜ ଲେଖାର ଋଣ ଆକାରରେ ସରକାରୀ ବୃତ୍ତିଟାଏ ମିଳିଗଲା । ମାସକୁ ପଞ୍ଚସ୍ତରୀ, ବର୍ଷକୁ ନଅଶହ । କାଗଜ ଲେଖାଟା ପାଇବା ପରେ ୨୩୪ର ପଟାକାନ୍ଥ ଆଉ ଟିଣ ଛପର ଘରଟା, ଯୋଉଥିରେ ବର୍ଷଟା ସାରା କଟାଇଲି, ସେଇଟା ଆଉ ଭଲ ଲାଗିଲାନି । ନିଜର ପାଇଜାମା ଆଉ ଡୋରିଆ ସାର୍ଟଟାକୁ ଦେଖି ନିଜେ ନାକ ଟେକିଲି । ଆଳୁ ସିଝା ଆଉ ଭାତ ପାଟିକି ରୁଚିଲାନି । ମାସକୁ ପଞ୍ଚସ୍ତରୀ ବର୍ଷକୁ ନଅ ଶହ । ଅନେକ, ଅନେକ ଦିନ ତଳେ, ସେଇ ଲେବେନ୍‌ଚୁସ୍ ଖାଇବା ବୟସରେ ବଡ଼ଭାଇ ଆଉ ମୁଁ ମିଶି ଆଠଟଙ୍କା ସଞ୍ଚିଥିଲୁ । ବଡ଼ଭାଇଙ୍କର ସେତେବେଳେ ରୋମାଞ୍ଚ ସିରିଜ୍‌ରେ ଉପନ୍ୟାସ ପଢ଼ିବା ବୟସ । ଟଙ୍କାଟାକୁ ଗୁପ୍ତ ଧନର ରୂପ ଦେବା ପାଇଁ ତାଙ୍କରି ବୁଦ୍ଧିରେ ଗୋଟାଏ ସାଇକେଲ୍ ବେଲ୍ କପ୍ ଭିତରେ ରଖି ତା ଉପରେ ପରସ୍ତ ପରସ୍ତ କାଗଜ ଆଉ କନା ଗୁଡ଼େଇ କେଉଁଠି ଗୋଟାଏ ପଥର ପାଖରେ ପାଞ୍ଚ ସାତଦିନ ପାଇଁ ପୋତି ରଖୁଥିଲୁ ତ କେଉଁଠି ଗୋଟାଏ ଗଛ ମୂଳରେ ପୁଣି ପାଞ୍ଚ ସାତ ଦିନ ପାଇଁ ପୋତି ରଖୁଥିଲୁ । ଜାଗା ବଦଳ ପାଇଁ ଯୋଉଦିନ ଗାତ ଖୋଲି ଟଙ୍କାଟାକୁ ବାହାର କରୁଥିଲୁ, ସେଦିନ ଭାଇ ନିଜକୁ ଗୁପ୍ତ ଧନର ସଂଧାନ ପାଇଥିବା ରୋମାଞ୍ଚ ଉପନ୍ୟାସର ନାୟକ ଆଉ ମୁଁ ନିଜକୁ ତାଙ୍କର ସହକାରୀ ବୋଲି ଭାବୁଥିଲି । ସବୁଥର ଟଙ୍କା ବାହାର କରି ଆମେ ପୁଟୁଳା ଖୋଲି ଗଣି ଦେଖୁଥିଲୁ । ଠିକ୍ ଅଛି ନା ନାହିଁ । ଏମିତି ଦିନେ ଗଣୁଥିବା ସମୟରେ ବାପାଙ୍କର ଅଫିସ୍ ପିଅନ୍ ଗୁରିଆ ନଜରରେ ପଡ଼ିଗଲୁ । ଟଙ୍କା ଆଠଟି ସେ ଆମ ପାଖରୁ ଧାର ନେଇଗଲା ମାସ ଶେଷକୁ ସୁଧା ସହିତ ଫେରେଇବ ବୋଲି କହି । ହେଲେ ମାସ ପରେ ମାସ ଗଡ଼ି ଚାଲିଲା । ଟଙ୍କା ମିଳିଲାନି । ଗୁରିଆକୁ ପଚାରିଲେ, ତା’ର ଉତ୍ତର–ସୁଧ ସହିତ ଦେଇଦେବି ଆଜ୍ଞା । ଭାଇ ନୂଆ ନୂଆ ଚକ୍ରବୃଦ୍ଧି ହାରରେ ସୁଧା କଷିବାର ଅଙ୍କ ଶିଖିଥାନ୍ତି । ତେଣୁ ନିରୋଳାରେ ମତେ ବୁଝେଇ ବସନ୍ତି–ସୁଧ କେମିତି ମୂଳ ହେଇଯାଏ । ତାର ପୁଣି କେମିତି ସୁଧା ବାହାରେ । ଟଙ୍କା ଆମର ବଢ଼ିବାରେ ଲାଗିଲା । ବାପାଙ୍କର ବଦଳି ଚାକିରୀ । ଦିନ ଆସିଲା, ସେ ଜଗାରୁ ଆଉ ଗୋଟାଏ ଜାଗାକୁ ବଦଳି ଚିଠି ଆସିଲା ବାପାଙ୍କର । ଆମେ ଆଉ ସମ୍ଭାଳୁ କେତେକ । ଗୁରିଆକୁ ଟଙ୍କା ପାଇଁ ତାଗିଦ୍ ଦେଲୁ । ହେଲେ ତାର ସେଇ ଗୋଟିଏ ଉତ୍ତର–ଦେଇ ଦେବି ଆଜ୍ଞା । ଜିନିଷ ପତ୍ର ବନ୍ଧାବନ୍ଧି ହେଉଥାଏ । ବାପା ବୋଉଙ୍କୁ ଲୁଚେଇ ପୁଣି ଗୁରିଆକୁ ତାଗିଦା । ପୁଣି ସେଇ ଉତ୍ତର–ଦେଇଦେବି । ବସ୍ ଆସି ଦୁଆର ମୁହଁରେ ଠିଆ ହେଲା–ସମସ୍ତଙ୍କୁ ଲୁଚେଇ ଗୁରିଆକୁ ପଚାରିବାରୁ ଉତ୍ତର ମିଳିଲା–ଦେବି । ଜିନିଷପତ୍ର ବସ୍ ଉପରକୁ ଲଦା ହେଉଥାଏ, ଗୁରିଆ ବି କାମରେ ଲାଗିଥାଏ । ବାପା ଆମକୁ ବସ୍ ଭିତରକୁ ଚଢ଼େଇ ଦେଲେ । ଗୁରିଆ ବସ୍ ଦୁଆର ପାଖରେ । ଭାଇ ଆଖି ଇସାରାରେ ଟଙ୍କା କଥା ଗୁରିଆକୁ ପଚାରିଲେ, ହେଲେ ସିଏ ଖାଲି ବଲବଲ କରି ଅନାଇ ରହିଲା–ଯେମିତି କିଛି ଜାଣି ପାରୁନି, କିଛି ବୁଝି ପାରୁନି । ଗୁରିଆକୁ ପଛରେ ରଖି ବସ୍ ଛାଡ଼ିଦେଲା ।

 

ତାପରେ ଏତେ ଗୁଡ଼ାଏ ବର୍ଷ କଟି ଯାଇଛି । ହେଲେ ଏବେ ବି ସେଦିନର ସେଇ ଆଠଟି ଟଙ୍କା କଥା ଭୁଲି ପାରିନି । ଭୁଲି ପାରିନି ଏଇଥିପାଇଁ ଯେ ସେ ଟଙ୍କା ଆମ ହିସାବରେ ବା ମୋ ହିସାବରେ ବଢ଼ି ଚାଲିଛି । ଅନେକ ସୁଧ, ମୂଳ ହେଇ ସାରିଛି । ସେଇ ମୂଳରୁ ବି ଅନେକ ସୁଧ ବାହାରି ସାରିଛି । ସୁଧର ମୂଳରୁ ରୂପାନ୍ତର ପୁଣି ତାର ସୁଧ–ଆମର ସେଇ ଆଠଟଙ୍କା ଅନାଦି ଅନନ୍ତ କାଳ ଯାଏ ଏମିତି ବଢ଼ୁଥିବ । ସେ ସୁଧ ବା ମୂଳ ଆମ ହାତକୁ ନ ଆସିଲେ ବି ଆମେ ଜାଣୁ ସେ ଟଙ୍କା ଆମର । ଟଙ୍କା ହାତରେ ନ ଥିଲେ ବି, ଆମେ ଯେ ଆଜି ଅନେକ ଟଙ୍କାର ମାଲିକ ସେ କଥା ଭାବି ଆନନ୍ଦ ପାଉଛୁ ।

 

ସେଦିନ ସେମିତି ମାସକୁ ପଚସ୍ତରୀ, ବର୍ଷକୁ ନଅଶହ-ଏଇ କଥାଟା ଜାଣିଦେଲା ପରେ ନିଜକୁ ନେଇ ଅନେକ ସ୍ଵପ୍ନ ଦେଖିଲି । ୨୩୪ରେ ଆଉ ମନ ଥୟ ଧରିଲାନି । ଯେଉଁ ଲୋକମାନଙ୍କୁ ଆପଣାର ବୋଲି ଜାଣିଥିଲି, ସେ ଘର, ସେ ଲୋକ ଆଉ ମତେ ସୁହାଇଲାନି । ହେଲେ ସେଇଟା ମାସେ କି ଦି’ ମାସ । ମାସକୁ ପଞ୍ଚସ୍ତରୀ, ବର୍ଷକୁ ନଅ ଶହ ଖବର ଜାଣିଲା ପରେ ଯଦି ଟଙ୍କାଟା ସାଙ୍ଗେ ସାଙ୍ଗେ ମିଳି ଯାଇଥାନ୍ତା, ତେବେ ୨୩୪ରୁ ନାକ ଟେକି ଶ୍ୟାମ୍ ବଜାରର ଓଡ଼ିଶା ହଷ୍ଟେଲର ବାସିନ୍ଦା ହୁଅନ୍ତି, ହେଲେ କିଛି ହେଇ ପାରିଲାନି । ଟଙ୍କା ମିଳୁ ମିଳୁ ଆହୁରି ଗୋଟାଏ ବର୍ଷ ବିତିଗଲା । ତେଣୁ ୨୩୪କୁ ଛାଡ଼ି ପାରିଲିନି । ପଇସା ପତ୍ରର ଅସୁବିଧା କମି ଆସୁଥାଏ । ଦିନରେ କଲେଜ, ସଞ୍ଜବେଳେ ଟ୍ୟୁସନ ଆଉ ରାତିରେ ମହମବତୀ ଜାଳି ଗୋଟିଏ ପବ୍ଲିସିଟି ଅଫିସରୁ ଠିକାରେ ଆଣିଥିବା ଦିଆସିଲି, ବିସ୍କୁଟ, ସାବୁନର ଉପର ଖୋଳ ପାଇଁ ଡିଜାଇନ୍ ତିଆରି । ଗୋଟାଏ ଡିଜାଇନ୍ ପାଇଁ ଟଙ୍କା ମିଳେ ପାଞ୍ଚ କି ଦଶ । ତେଣୁ ନିଜ ହାତ ରୋଷେଇ ଛାଡ଼ି ସେଇଠି ଆଉ ପାଞ୍ଚଜଣ ମିଶି କରିଥିବା ମେସ୍‌ରେ ଖାଇବା ବ୍ୟବସ୍ଥା କଲି । କଲେଜ ଏଗାରଟାରେ । ତେଣୁ ସକାଳେ ସାଙ୍ଗ ସୌରନ୍ ଆଉ ମୁଁ ଭିକ୍ଟୋରିଆ ମେମୋରିଆଲ୍ ପାଖରେ ପାଖା ପାଖି ବସି ପାଣି ରଙ୍ଗରେ ଛବି ଆଂକିବା ଆଉ ଏଇ ଯୋଉ ସିଗାରେଟ୍ ଖାଇବା ଦେଖୁଚ ଏଇଟା ଆରମ୍ଭ ହେଲା ସେଇ ଦିନଠୁ ।

 

ଲୋକଟା ଆଉ ଖଣ୍ଡେ ସିଗାରେଟ୍ ମୁହଁରେ ଧରି ଦିଆସିଲି କାଠିର ନିଆଁଟାକୁ ସିଗାରେଟ୍ ଅଗରେ ଶୋଷୁ ଶେଷୁ କହିଲା-ଶଳା ! ଗାଁରୁ ଆସିଛି ବେ, ସିଗାରେଟ୍ ଖାଇବ କ’ଣ, ଆଖିରେ ଦେଖି ନ ଥିବ । ସାଙ୍ଗ ମାନଙ୍କଠାରୁ ଏମିତି ଥଟ୍ଟା ତାମସା ସହି ସହି ଶେଷରେ ସିଏ ଯେ ଗାଁରୁ ଆସିନି ସେଇ ଟିକକ ପ୍ରମାଣ କରିବା ପାଇଁ ସିଗାରେଟ୍ ଟାଣିବା ଶିଖିଲା ଲୋକଟା ।

 

ସେଦିନର ଅସୀମ ବସୁ ।

 

ଆଜି ତମେ ମତେ ନକଲ କରି ନିଜକୁ ବନଉଚ । ହେଲେ ସେଦିନ ଯୋଉଦିନ ଏଇ ଅସୀମ ବସୁଟା ଛାପା ଆକାରରେ ନିଜର ଖଣ୍ଡେ ଛବି ଦେଖିବା ପାଇଁ, ଗୋଟାଏ ଛବି, ଯାହା ତଳେ ଛପା ହେବ ଶିଳ୍ପୀ ଅସୀମ ବସୁ, ଏ ପତ୍ରିକା ଅଫିସଠୁ ସେ ପତ୍ରିକା ଅଫିସ୍ ଧାଇଁ ବୁଲୁଥିଲା, ସେଦିନ ତମେ ଥିଲ କୁଆଡ଼େ ? ନକଲ କଲନି ସେ ଦିନର ଅସୀମ ବସକୁ ? କରି ପାରି ନ ଥାନ୍ତା କାହିଁକି ନା, ସେଦିନର ଅସୀମ ବସୁ ତ ସେତେବେଳେ ଆଉ କାହାକୁ ନକଲ କରି ତା ଭଳିଆ ହବାକୁ ଚାହୁଁଥିଲା ।

 

ଆଜିର ‘ଆସନ୍ତାକାଲି’ ସେ ସମୟରେ ଅନେକ ପତ୍ରିକାର ଭିଡ଼ ମଧ୍ୟରେ ଆଜି ଭଳି ହଜି ଯାଇ ନ ଥିଲା । ତେଣୁ ଲୋକଟା ଯାଇ ପ୍ରଥମେ ହାଜର ହେଲା ପ୍ରେମଚାନ୍ଦ ବଡ଼ାଳ ଷ୍ଟ୍ରୀଟର ‘ଆସନ୍ତାକାଲି’ ଅଫିସରେ । ପ୍ରେମଚାନ୍ଦ ବଡ଼ାଳ ଷ୍ଟ୍ରୀଟ୍ ପ୍ରତି ଲୋକଟାର ଗୋଟାଏ ଗୋପନ ଆକର୍ଷଣ ଥିଲା । ଲୋକଟା ଜାଣିଥିଲା, ଶୁଣିଥିଲା, ଏ ହେଉଛି ସେଇ ରାସ୍ତା ଯେଉଁଠି ପ୍ରେମ ବିକ୍ରୀ ହୁଏ ଖୋଲା ବଜାରରେ । ହେଲେ ଜାଣି ନ ଥିଲା କେମିତି ବିକ୍ରୀ ହୁଏ । ଜାଣିଥିଲା ଏଇ ହେଉଛି ସେଇ ନିଷିଦ୍ଧ ଇଲାକା, ଯାହା ଭିତରକୁ ଗଲେ ‘ବିବେକ’ ବୋଲି ଯେଉଁ ଭାଷା ମାଷ୍ଟରଟି ଅଛି ସିଏ ଛାଟ ଉଞ୍ଚେଇବ । ତେଣୁ କାଇଁକି ଯାଇଥିଲା ସେଇ ନିଷିଦ୍ଧ ଇଲାକାକୁ ତାର କୈଫିୟତ ମିଳିଗଲା । ଦିନେ ମୁହଁ ସଞ୍ଜବେଳେ ‘ଆସନ୍ତାକାଲି’ର ପ୍ରଚ୍ଛଦ ପାଇଁ ଛବିଟିଏ କାଖରେ ଜାକି ଯେଉଁ ବାଟ ଦେଇ ଗଲେ ଠିକଣା ଜାଗାରେ ପହଞ୍ଚିବାକୁ ବେଶି ସମୟ ଲାଗିବ ସେଇବାଟ ଦେଇ ପାନ ଦୋକାନ ଆଉ ଘର ଦୁଆର ମୁହଁରେ ଠିଆ ହୋଇଥିବା ବାରବନିତା ମାନଙ୍କୁ ଲୁଚେଇ ଦେଖୁ ଦେଖୁ ଆଗେଇବାକୁ ଲାଗିଲା ଲୋକଟା ।

 

ପତ୍ରିକା ଅଫିସ୍ ସଂପର୍କରେ ମନ ଭିତରେ ଗଢ଼ି ଉଠିଥିବା ଛବି ସାଙ୍ଗରେ ଅସଲ ପତ୍ରିକା ଅଫିସ୍‌ଟା ମିଶିଲାନି । ହେଲେ ସେଥିରେ ଯାଏ କେତେ ଆସେ କେତେ । ଛବି ଛାପିବାକୁ ପଡ଼ିବ । ଛାପା ଅକ୍ଷରରେ ଲେଖା ରହିବ ।

 

ପ୍ରଚ୍ଛଦ ଶିଳ୍ପୀ-ଅସୀମ ବସୁ ।

 

“କ’ଣ ଦରକାର ?”

 

ଟେବୁଲ ପଛକୁ, ଚଉକି ସାମ୍ନାକୁ ଠିଆ ହୋଇଥିବା ବାବୁ ଜଣକ ପଚାରିଲେ । ସଂପାଦକ, ନିଶ୍ଚୟ ସଂପାଦକ । ସେତେବେଳର ଅସୀମ ବସୁର ବିଚାରରେ ପତ୍ରିକା ଅଫିସରେ ଆଗରେ ବଡ଼ ଟେବୁଲ ଥିବା ଲୋକ ଜଣକ ସଂପାଦକ ଛଡ଼ା ଆଉ କିଏ ହବ ଯେ ।

 

ଏଇ ଛବିଟା ଆଣିଥିଲି, “ଆସନ୍ତାକାଲି”ର ପୂଜା ସଂଖ୍ୟାର ପ୍ରଚ୍ଛଦ ପାଇଁ । ଲୋକଟା ଥଙ୍ଗେଇ ଥଙ୍ଗେଇ କହିଲା-କିମିତିକା ଛବି ଦେଖେଁ ।

 

ସୂତାରୁ ଗଣ୍ଠି ଖୋଲି ଗୁଡ଼ା ହୋଇଥିବା କାଗଜ ଭିତରୁ ଲୋକଟା ଛବି ଖଣ୍ଡିକ ବାହାର କରି ଟେବୁଲ ଉପରେ ଥୋଇଲା । ହେଲେ ସେତେବେଳକୁ ବାବୁ ଜଣକ ଘର ଭିତରେ ଆଉ ଜଣକ ସାଙ୍ଗରେ ବଡ଼ ପାଟିରେ ଆଉ କଣ ସବୁ ଆଲୋଚନାରେ ମାତି ଯାଇଥାଆନ୍ତି । ପାଞ୍ଚ ମିନିଟ୍ ଛବି ଥୋଇ ଠିଆ ହେଲା ପରେ ବାବୁଙ୍କର ନଜର ପଡ଼ିଲା ଛବି ଉପରେ । ଆଉ ଠିକ୍ ସେତିକିବେଳେ ଘର ଭିତରକୁ ପଶି ଆସିଲା ଖାକି ପୋଷାକ ପିନ୍ଧା ସେଇ ଅଫିସର ପିଅନ୍ କି ଚଉକିଦାର । ଛବିଟାକୁ ସଂପାଦକବାବୁ ସେଇ ଖାକି ପୋଷାକପିନ୍ଧା ଲୋକ ଜଣକ ହାତକୁ ଟେକି ଦେଇ ପଚାରିଲେ,–କ୍ୟା, ୟେ ଚଲେଗା ?

 

ଘଟଣାଟା ମତେ ଭାରି ବାଧିଲା । ବାହାଦୁରର ମତ ଶୁଣିବାର ଧୈର୍ଯ୍ୟ ମୋର ଆଉ ନ ଥିଲା । ତା ହାତରୁ ଛବିଟା ଟାଣି ଆଣି କାଗଜରେ ଗୁଡ଼େଇବାରେ ଲାଗିଲା । ସଂପାଦକ ବୋଲି ଭାବୁଥିବା ଲୋକ ଜଣକ ପଚାରିଲେ-କଣ ହେଲା ? ହେଲେ ମୋ ଆଖି ସେତେବେଳେ ଟେବୁଲ ଉପରେ ପଡ଼ିଥିବା ଆଉ ଖଣ୍ଡେ ଓଡ଼ିଆ ମାସିକ ପତ୍ରିକା ଉପରେ ।

 

“ତରଙ୍ଗ”

 

ଠିକଣା-୫ଏ, ନୁର ମହମ୍ମଦ ଲେନ୍ ।

 

ସଂପାଦକଙ୍କ କଥାର କିଛି ଉତ୍ତର ନ ଦେଇ ବାହାରି ଆସିଲା ରାସ୍ତାକୁ । ଫେଲ୍-ମୋରି ହାରିବାର ତାଲିକାରେ ଆହୁରି ଗୋଟାଏ ଧାଡ଼ି ବଢ଼ିଲା ।

 

॥ ୭ ॥

 

ପାଞ୍ଚ-ଏ, ନୁର୍ ମହମ୍ମଦ ଲେନ୍-ମନେ ମନେ ଘୋଷି ଘୋଷି ‘ଆସନ୍ତାକାଲି’ର ଅଫିସ୍ ଘରୁ ବାହାରି ଆସିଲା ଲୋକଟା । ତାପରେ ରାତିସାରା ଆଉ ନିଦ ନାହିଁ । ଦିନଟାଯାକ ମନ ଦେଇ ଆଉ କିଛି କାମ କରି ପାରିଲାନି । ସଞ୍ଜ ହେଲାରୁ ବାହାରି ପଡ଼ିଲା ପାଞ୍ଚ-ଏ, ନୁର୍ ମହମ୍ମଦ ଲେନ୍‌ର ସନ୍ଧାନରେ । ଖୋଜି ଖୋଜି ଯୋଉଠି ଆସି ପହଞ୍ଚିଲା–ସେଇଟା ଗୋଟାଏ କିଟିକିଟିଆ ଅନ୍ଧାରିଆ ଗଳି । ଅନ୍ଧାର ଭିତରେ ଗଳି ଭିତରଟା କିଛି ଦିଶୁନି । ଗଳି ମୁହଁରେ ଯାହାକୁ ଦେଖିଲା ତାକୁଇ ପଚାରିଲା ‘ପାଞ୍ଚ-ଏ’ର ଖବର । କିଏ କହିଲା, ‘ଭିତରକୁ ଯାଅ ଖୋଜି ଦେଖିବ’ ତ କିଏ କିଛି ଉତ୍ତର ନ ଦେଇ ଚାଲିଗଲା । ଅନ୍ଧାର ଗଳି ମୁହଁରେ ଠିଆ ହୋଇ ଭିତରକୁ ଯିବ କି ନାହିଁ କିଛି ଠିକ୍ କରି ପାରିଲାନି ଲୋକଟା । ହୁଏତ ଆଉ ଗୋଟାଏ ପରାଜୟ ଏଠି ତା ପାଇଁ ଅପେକ୍ଷା କରି ରହିଛି । କଣ ଦରକାର ତାର ମୁହାଁ ମୁହିଁ ହବା ? ବରଂ ଫେରିଯିବ । ହେଲେ ଠିକ୍ ସେତିକିବେଳେ ସେଇ କିଟିକିଟିଆ ଅନ୍ଧାର ଭିତରୁ ଖୁଁ ଖୁଁ ହେଇ କାଶୁଥିବା ଟାଙ୍ଗରା ମୁଣ୍ଡର ବୁଢ଼ାଟିଏ ବାହାରି ଆସି ଅସୀମ ବସୁ ସାମ୍ନାରେ ଠିଆ ହେଲା ।

 

“କାହାକୁ ଖୋଜୁଚ ?”

 

-“ପାଞ୍ଚ-ଏ, ନୁର୍ ମ...”

 

-“ଆସ ମୋ ସାଙ୍ଗରେ । ଅନ୍ଧାରରେ କଣ ନମ୍ବର ଖୋଜି ପାଇବ ଯେ ତୁମକୁ ବତେଇବି ? ବୁଢ଼ା ଜଣକ ତାକୁ ନେଇ ଛାଡ଼ିଦେଲା ପାଞ୍ଚ-ଏର ଦୁଆର ମୁହଁ ପାଖରେ । ଭିତରୁ ଛାପାଖାନାର ମେସିନ୍ ଶବ୍ଦ ସାଙ୍ଗକୁ ବଡ଼ ପାଟିର ହସ ଶବ୍ଦ ଶୁଭୁଥିଲା । ଭିତରକୁ ପଶିଲା ଲୋକଟା । ଏଥର ଘର ଲୋକ ଯିଏ ହାବୁଡ଼ିଲେ ତାଙ୍କୁ ପଚାରିଲା ‘ତରଙ୍ଗ’ କଥା । କମ୍ ପାୱାରର ବତୀ ଜଳୁଥିବା ଖୋଲା କବାଟର ଘରଟାକୁ ହାତ ଦେଖାଇ ଦେଇ ସିଏ ତାଙ୍କ କାମରେ ଚାଲିଗଲେ-। ଘର ଭିତରେ ତିନି ଚାରିଜଣ ବସି କଣ ଯେମିତି ଗୁପ୍ତ ମନ୍ତ୍ରଣା କରୁଛନ୍ତି ।

 

-ଏଇଟା ଗୋଟାଏ ପତ୍ରିକା ଅଫିସ୍ ? କଦାପି ନୁହେଁ । ବଡ଼ ଟେବୁଲ କାହିଁ ? ଟେବୁଲ୍ ଉପରେ ଥାକ ମରା ହୋଇଥିବା ଖାତାପତ୍ର କାହିଁ ? ଏତେବେଳକୁ ‘ଆସନ୍ତାକାଲି’ ଅଫିସ୍‌ଟା ମୋ ଆଖିକି ଅଫିସ୍ ଭଳି ଲାଗିଲା । ଆଉ ଏଇ ଜାଗାଟା ? ସିନେମାର ଦେଖିଥିବା ଚୋରା କାରବାରୀ କି ଚୋର ଡକାଇତ ମାନଙ୍କ ଆଡ଼୍‌ଡ଼ା ଜାଗା ପରି ଦିଶୁଛି । ଯାହା ହେଲେ ବି ଭିତରକୁ ଆସି ସାରିଛି ଯେତେବେଳେ, ଘର ଭିତରେ ବସିଥିବା ଲୋକମାନେ ମୋ ଆଡ଼କୁ ଅନେଇ ରହିଛନ୍ତି ଯେତେବେଳେ ତାଙ୍କ ସାମ୍ନାରେ ଠିଆ ନ ହେଇ ଆଉ ଉପାୟ ନାହିଁ । ତେଣୁ ଘର ଭିତରେ ପାଦ ଦେଇ ‘ତରଙ୍ଗ’ର ସଂପାଦକଙ୍କୁ ଦେଖା କରିବାକୁ ଚାହିଁଲି । ଘର ଭିତରେ ବସିଥିବା ସବୁଠାରୁ ମୋଟା ଲୋକ ଜଣକ ହାତଭଙ୍ଗା ଚଉକି ଖଣ୍ଡେ ମତେ ଦେଖେଇ ଦେଲେ ବସିବା ପାଇଁ, ଚଉକିରେ ବସି ସେଇ ମୋଟା ଜଣଙ୍କୁଇ ଉଦ୍ଦେଶ୍ୟ କରି ମୋର ଆସିବାର କାରଣ ଜଣେଇଲି । ଟିକିଏ ଆଗରୁ ମନ୍ତ୍ରଣା କରୁଥିବା ଚାରିଜଣଯାକ କିଛି ସମୟ ମୋ ଆଡ଼କୁ ଅନେଇ ରହିଲେ । ଚାରିଜଣ ଲୋକ-ଆଠଟି ଆଖି ମୋ ଆଡ଼କୁ ଅନେଇ ରହିଛି । ଭାରି ଅଡ଼ୁଆ ଲାଗୁଛି । ହେଲେ କରିବି କଣ ? ଆଡ଼୍‌ଡ଼ା ଭିତରକୁ ପଶି ଆସି ସାରିଛି । ମୋଟା ଜଣକ କିଛି ସମୟ ଅନେଇ ରହିଲା ପରେ କହିଲେ, “କଭର ଆମର ହେଇ ସାରିଛି । ଆପଣ ଆମ ପତ୍ରିକା ଗପ ସାଙ୍ଗକୁ ଛବି ଆଙ୍କି ଦେଇ ପାରିବେ ?”

 

“ଚେଷ୍ଟା କରିବି । ଆପଣଙ୍କର ପସନ୍ଦ ହେଲେ-”

 

ମୋ କଥା ସାରିବା ଆଗରୁ ମୋଟା ଲୋକ ଜଣକ ଠୋ ଠୋ ହୋଇ ହସି ଉଠିଲେ । ମୁଁ ଘାବରେଇ ଗଲି । ହଁ ସେଇ ହସ । କବାଟ ବାହାରେ ଥିଲାବେଳେ ଏଇ ହସ ହିଁ ମୁଁ ଶୁଣିଥିଲି ।

 

“କଣ ହେଲା ? ଆମେ ଛବି ପସନ୍ଦ କରିବୁ ? ସେ ସବୁ ହବନି । ଆମେ ଆର୍ଟିଷ୍ଟ ପସନ୍ଦ କରିବା କଥା, କରି ଦେଇଛୁ । ଏଥର ଆପଣ ଗପ ସବୁ ପଢ଼ିବେ, ଯାହା ମନକୁ ଆସିବ ଆଙ୍କିବେ । ଆମେ ଛାପିବା ଲୋକ ଛାପିବା । ତେଣିକି ଲୋକେ ଆପଣଙ୍କର ଛବି ପସନ୍ଦ କଲେ ଭଲ, ନ କଲେ ଜାଣିବୁ ଆମର ଆର୍ଟିଷ୍ଟ ପସନ୍ଦ ଭୁଲ୍ ହୋଇଛି ।”

 

ସିଧା ସଳଖ ଜନତା ଦରବାରକୁ ଚାଲାଣ କରିଦେବାକୁ ଚାହିଁଲେ ସେ ।

 

ସ୍ଵାଧୀନତା । ପୂର୍ଣ୍ଣ ସ୍ଵାଧୀନତା । ପ୍ରଥମ ଛବି ଛପାହେବ, ସେଥିରେ ପୁଣି ମୋ ମନ ଇଚ୍ଛା ମୁଁ ଆଙ୍କିବି । ଭଲମନ୍ଦ ବାଛିବାକୁ ମୋ ଉପରେ କେହି ନାହିଁ । ଡର ମାଡ଼ିଲା, ଭାବିଲି ପଳେଇଯିବି । ଦରକାର ନାହିଁ ମୋର ଛବି ଛାପିବା । ହେଲେ ସେ କଥା ମୁହଁ ଖାଲି କହିପାରୁଛି କେତେକେ । ତେଣୁ ଗପବିଡ଼ା କାଖରେ ଜାକି ଘରକୁ ଫେରିଲି । ମନକୁ ଯାହା ଆସିଲା ଆଙ୍କିଲି । ତାକୁ ନେଇ ପୁଣି ଦିନେ ପହଞ୍ଚିଲି ପାଞ୍ଚ-ଏ, ନୁର୍ ମହମ୍ମଦ ଲେନ୍‌ରେ । ଆଉ ସେଇଦିନ ଜାଣିଲି, ଠୋ ଠୋ ହସ ହସୁଥିବା, ଦଳର ସର୍ଦ୍ଦାର ଭଳି ଦିଶୁଥିବା ମୋଟା ଲୋକ ଜଣକ ହେଉଛନ୍ତି, ଗାଳ୍ପିକ ଚଉଧୁରୀ ହେମକାନ୍ତ ମିଶ୍ର ଆଉ ତାଙ୍କ ପାଖର ଆଉ ଦି’ଜଣଙ୍କ ଭିତରୁ ଜଣେ-ଲେଖକ ବିୟତ୍‌କେଶ ତ୍ରିପାଠୀ ଓ ଅନ୍ୟଜଣକ- ରହସ୍ୟ ରୋମାଞ୍ଚର ଲେଖକ ବା ନାୟକ କଣ୍ଡୁରି ଚରଣ ଦାସ । କିୟତକେଶ ହେମକାନ୍ତଙ୍କ ଲେଖା ସହିତ ସେତେବେଳେ ପରିଚିତ ନ ହେଇଥିଲେ ବି କଣ୍ଡୁରିଚରଣଙ୍କ ‘ଦିନେ ରାତିରେ’ର ପାଠକ ତାଲିକାରେ ମୁଁ ଥିଲି । ତେଣୁ ଜଣେ ଲେଖକ, ଯାହାଙ୍କ ଲେଖା ମୁଁ ପଢ଼ିଛି ସିଏ ମୋ ଆଖି ଆଗରେ ଘୂରି ବୁଲୁଛନ୍ତି, ହସୁଛନ୍ତି, ରାଗୁଛନ୍ତି, ମୋ ଦେଖିବାରେ ପ୍ରଥମ । ମୋ ଦେଖିବାରେ ପ୍ରଥମ ଏକା ସାଙ୍ଗରେ ତିନିଜଣ ଲେଖକଙ୍କୁ ଗୋଟିଏ ଜାଗାରେ ।

 

ପୂଜା ସଂଖ୍ୟା ‘ତରଙ୍ଗ’ ପ୍ରକାଶ ପାଇଲା । ପ୍ରକାଶ ପାଇଲା ‘ତରଙ୍ଗ’ର ଗଳ୍ପ ସାଙ୍ଗରେ ମୋ ହାତଅଙ୍କା ଛବି ସବୁ । ତା ପରଠାରୁ ମୁଁ ‘ତରଙ୍ଗ’ ହେଲି । ‘ତରଙ୍ଗ’ ମୋର ହେଲା । ହେମକାନ୍ତ, ବିୟତ୍‌କେଶ, କଣ୍ଡୁରି ଚରଣ ବନ୍ଧୁ ତାଲିକାରେ ସାମିଲ ହେଲେ ।

 

ପ୍ରଥମ ଛାପା ଛବି ନିଜ ଲୋକ କାହାକୁ ଦେଖେଇବ ଲୋକଟା ଭାବିବାକୁ ଲାଗିଲା । ମନେ ପଡ଼ିଲା ଆଲାମ ବଜାରରେ ରହୁଥିବା କକାଙ୍କ କଥା, କକା, ଖୁଡ଼ି, ଆଉ ତାଙ୍କ ଝିଅ ମଞ୍ଜୁ, ଏଇ ତିନିଜଣଙ୍କୁ ନେଇ କକାଙ୍କ ସଂସାର । ସହର ଠାରୁ ଦୂରରେ ଗୋଟାଏ ଦି’ ବଖରା ଭଡ଼ାଘର । ବାରଣ୍ଡା ଉପରେ ତାଟି ଲଗେଇ ରୋଷେଇ ଜାଗା, ଚଟକଳରେ କାମ କରନ୍ତି କକା । ଲୋକଟା କଲିକତା ଆସି ପ୍ରଥମ କେତୋଟି ଦିନ ସେଇଠି କଟେଇଥିଲା । ଲୋକଟା ଦଉଡ଼ିଲା ସେଇଠିକି । କକା ଛବି ଦେଖି ଖୁସି ହେଲେ । ଖୁସି ହେଲା ଅସୀମ ବସୁ ।

 

ମଝିରେ ମଝିରେ ଶନି ରବିବାରିଆ ଲୋକଟା କକାଙ୍କ ଘରକୁ ପଳେଇ ଯାଏ । ଗୋଟାଏ ଦିନ କି ଗୋଟାଏ ଓଳି ସେଇଠି କଟେଇ ପୁଣି ଫେରିଆସେ ୨୩୪କୁ ।

 

ଥରେ ଏଇ ୨୩୪ରେ ଲୋକଟା ଜ୍ଵରରେ ପଡ଼ିଲା । ଚାରି ପାଞ୍ଚଦିନ ପରେ ୨୩୪ର ସାଙ୍ଗମାନେ ଡାକ୍ତର ଆଣି ଦେଖେଇଲେ । ରୋଗୀ ଦେଖି ଡାକ୍ତର ଖୁସି ହେଲେନି । ଟାଇଫଏଡ଼୍, ତା’ ସାଙ୍ଗକୁ ଛାତିରେ ନିମୋନିଆ ପ୍ୟାଚ୍ ବି ଅଛି । କିଏ ଦେଖିବ ତାକୁ ଏଇ ୨୩୪ରେ ? ଖବର ଗଲା କକାଙ୍କ ପାଖକୁ । ଖବର ପାଇ ଦଉଡ଼ି ଆସିଲେ କକା । ଅବସ୍ଥା ଦେଖି ଟ୍ୟାକ୍‌ସି ଡାକି ଘରକୁ ନେଇଗଲେ ଅସୀମ ବସୁକୁ । ହେଲେ ଘରେ ସେତେବେଳେ ସେ ଏକୁଟିଆ । ଖୁଡ଼ି ଝିଅକୁ ଧରି ବାପଘରକୁ ଯାଇଛନ୍ତି । କିମିତି କଣ ହେବ ? କିଏ ଦେଖିବ ? କିଏ କରିବ ଏ ରୋଗୀର ସେବା ? ପଡ଼ିଶା ଘରର ଝିଅ ଅଳକା ଆସି କକାଙ୍କ ପାଖରେ ଠିଆ ହେଲା, କକା କିଛି କହିବା ଆଗରୁ ନିଜ ହାତରେ ଆବୁରି ନେଲା ସବୁ ଦାୟିତ୍ଵ । ପୁରା ଗୋଟାଏ ମାସ । କକାଙ୍କ ଅଫିସ ଯିବା ପରଠାରୁ ଅଫିସରୁ ଫେରିବା ଯାଏ ଲୋକଟା ରହିଲା ଅଳକା ଜିମାରେ । କକାଙ୍କ ସାଙ୍ଗରେ ହାତ ମିଳେଇ ଅଳକା ପୂରା ଗୋଟାଏ ମାସ ସେବା ଶୁଶ୍ରୂଷା କଲାପରେ ଲୋକଟା ବିଛଣା ଛାଡ଼ି ଉଠି ବସିଲା । ଅଳକା ଏବେ ଅତି ଆପଣା ଲୋକ ହୋଇଯାଇଛି ତାର । ଲୋକଟା ଫେରି ଆସିଲା ୨୩୪ରକୁ । ସାଙ୍ଗରେ ଧରି ଆସିଲା ଅଳକାର ମାସକର ସ୍ମୃତି । ସ୍ମୃତି ଯେ ଏତେ ମହନୀୟ ଏତେ ଲୋଭନୀୟ, ଲୋକଟା ଆଗରୁ ଜାଣି ନ ଥିଲା । ୟାକୁଇ କଣ ଭଲପାଇବା କୁହନ୍ତି ? ପ୍ରତି ଶନିବାର କଲେଜ ପରେ ଲୋକଟା ଦଉଡ଼ିବାକୁ ଲାଗିଲା କକାଙ୍କ ଘରକୁ ଖାଲି ଅଳକାକୁ ଟିକିଏ ଦେଖିବ ବୋଲି, ତାର ଦି’ପଦ କଥା ଶୁଣିବ ବୋଲି ।

 

ଖୁଡ଼ି ଝିଅକୁ ଧରି ଫେରି ଆସିଲେ । ଲୋକଟା ସେତେବେଳେ ଅଳକା ନାଁରେ ଚିଠି ଲେଖିବା ଆରମ୍ଭ କରି ସାରିଛି । ପ୍ରତି ଶନିବାର ଅଳକା ପାଇଁ ସମ୍ବୋଧନରେ କାହାରି ନାଁ ନ ଲେଖି ତାର ସବୁକଥାକୁ ସଜାଡ଼ି ଲେଖି ପକେଟରେ ଧରି ଅସୀମ ବସୁ କକାଙ୍କ ଘରକୁ ଯାଏ । ଆଉ ସୋମବାର ସକାଳେ ଫେରିଆସେ ସେଇ ଚିଠିକୁ ସେମିତି ପକେଟରେ ଧରି ୨୩୪କୁ । ନାଁ, ଚିଠି ସେ ଯାହା ଉଦ୍ଦେଶ୍ୟରେ ଲେଖିଛି ତାକୁ ଦେଇ ପାରେନି । ଦେଇ ପାରେନି ହୁଏତ ଲାଜରେ, ନ ହେଲେ ଭୟରେ । ନ ହେଲେ ଲାଜ ଆଉ ଭୟ ଦିଇଟା ପାଇଁ । ଫେରେଇ ଆଣିଥିବା ଚିଠିକୁ ଚିରି ଦେଇ ପୁଣି ସେ ନୂଆ କରି ଚିଠି ଲେଖେ ଆସନ୍ତା ଶନିବାର ପାଇଁ । ଏମିତି ଗୋଟାଏ ବର୍ଷ କଟିଗଲା । ସାଇତି ରଖିଥିଲେ ଫେରେଇ ଆଣିଥିବା ବାବନଟା କି ଆଉ ଅଧିକା ଚିଠି ତାର ବ୍ୟକ୍ତିଗତ ସଂଗ୍ରହଶାଳରେ ରହି ପାରିଥାନ୍ତି । ଚିଠି ଗୁଡ଼ାକ ତ ଖାଲି ଚିଠି ନୁହେଁ; ସେ ଗୁଡ଼ାକ କୁଆଡ଼େ ତାର ସାହିତ୍ୟ କୃତି ।

 

ଅଳକାର ବାହାଘର ଠିକ୍ ହୋଇଗଲା । ଆଉ କେଇଟା ଦିନ ପରେ ତା ବାହାଘର । ଦିନେ ରବିବାର ମୁହଁ ସଞ୍ଜବେଳେ ଲୋକଟା ଘର ସାମ୍ନାରେ ଏକୁଟିଆ ଠିଆ ହୋଇ ପୁରୁଣା ଗୋଟାଏ କବିତା ଆବୃତ୍ତି କରୁଛି-ଅଳକା ଆସି ଠିଆ ହେଲା ସେଠି । କବିତା ଆବୃତ୍ତି ବନ୍ଦ କରି ଲୋକଟା କଣ କହିବ ଭାବୁଛି, ଅଳକା କହିଲା, “ତମର ସବୁ ଚିଠି ମୁଁ ପଢ଼ିଛି । ଖାଲି ମୁଁ ନୁହେଁ, ତମ ଭଉଣୀ ବି ।” ଲୋକଟା ଚମକି ଉଠିଲା । ଚମକି ଉଠିଲା, ଖାଲି ସବୁ ଚିଠି ସେ ପଢ଼ିଛି ବୋଲି ଶୁଣି ନୁହେଁ, ତା ମୁହଁରୁ ପ୍ରଥମ ଥର ପାଇଁ ‘ତମେ’ ସମ୍ବୋଧନ ଶୁଣି ।

 

“ତମ ଭଉଣୀର ଧାରଣା, ଚିଠି ଗୁଡ଼ାକ ତମ କଲେଜରେ ପଢ଼ୁଥିବା କୌଣସି ଝିଅ ଉଦ୍ଦେଶ୍ୟରେ ଲେଖିଛ ବୋଲି । ହେଲେ ମୁଁ ତ ଜାଣେ, ତମେ କାହାକୁ ଲେଖିଛ । ଯଦି ଲେଖିଥିଲ, ଯାହା ପାଇଁ ଲେଖିଥିଲ ତାକୁ ଦେଇନ କାହିଁକି ?”

 

କାହିଁକି ? କାହିଁକି ? କାହିଁକି ? ଅନେକ ଗୁଡ଼ାଏ ‘କାହିଁକି’ ଲୋକଟାର ମୁଣ୍ଡ ଉପରେ, କାନ ପାଖରେ, ଆଖି ଆଗରେ ଘୂରି ବୁଲିବାକୁ ଲାଗିଲା । କିଛି ଉତ୍ତର ଦେଇ ପାରିଲାନି ସେ । ବଲବଲ କରି ଖାଲି ଅଳକାର ମୁହଁକୁ କିଛି ସମୟ ଅନେଇ ରହିଲା । କେତେବେଳ ଯାଏ ଇମିତି ଅନେଇ ରହିଥିଲା ସେ ଜାଣେନା । ସନ୍ଧ୍ୟାର ଶଙ୍ଖ ବାଜିବାର ଶବ୍ଦରେ ସ୍ଥିତ ହୋଇ ଲୋକଟା ଦେଖିଲା ଅଳକା ଆଉ ସେଠି ନାହିଁ । ପ୍ରଥମ ଥର ପାଇଁ ସୋମବାର ସକାଳ ପର୍ଯ୍ୟନ୍ତ ଆଉ ନ ରହି ରାତାରାତି ସେ ପଳେଇ ଆସିଲା ୨୩୪କୁ । ପଳେଇ ନ ଆସି ଉପାୟ ନ ଥିଲା । ଅନେକ କାହିଁକି ଯେମିତି ତା ପଛରେ ଗୋଡ଼େଇବାରେ ଲାଗିଛି । ତାର ବିଷାକ୍ତ ନାହୁଡ଼ ଦେଇ ତାକୁ ବିନ୍ଧିବାକୁ ଲାଗିଛି । ସେ ନିଜକୁ ନିଜେ ପ୍ରଶ୍ନ କଲା ଅନେକ ଥର, କାହିଁକି ଦେଇ ପାରିଲାନି ? କାହିଁକି ଦେଇ ପାରିଲାନି ସେ ଚିଠି, ଯାହା ଉଦ୍ଦେଶ୍ୟରେ ଲେଖିଥିଲା ? କିଏ ତାକୁ କହିଦବ ତାର ଉତ୍ତର ? କିଏ ତାକୁ ବଞ୍ଚେଇବ ଏ କାହିଁକିର ବିଷ ଜ୍ଵାଳାରୁ ? ଅଳକା ବାହା ହେଇ ଚାଲିଯିବା ପର୍ଯ୍ୟନ୍ତ ସିଏ ଆଉ ଯାଇନି କକାଙ୍କର ଘରକୁ । ତାପରେ ବି ଅଳକାକୁ ସେ ଦେଖିଛି । ଦେଖିଚି ତାର ଭାବହୀନ ଆଖି ଯୋଡ଼ିକୁ । ହେଲେ ସେ ଆଖି ଆଡ଼କୁ ଲୋକଟା ଅନେଇ ରହି ପାରିନି । ତାର ଯେମିତି ମନେ ହେଇଛି ଅଳକା ତାର ସେଇ ଆଖି ଭିତରେ ‘କାହିଁକି’ର ଉତ୍ତର ଖୋଜୁଛି ଲୋକଟାର ମୁହଁରୁ ।

 

ଏବେ ବି, ଏତେ ପରେ ବି କୌଣସି କୌଣସି ନିରୋଳା ଦି’ ପହରେ କି ନିର୍ଜନ ନିସ୍ତବ୍‌ଧ ରାତିରେ ଅଳକାର ସେଇ ‘କାହିଁକି’ ଖୁବ୍ ପାଖରୁ ମୁଁ ଶୁଣିବାକୁ ପାଏ । ହୁଏତ ମୋ ନିଜ ଭିତରେ ସାଇତା ହେଇଥିବା ସେଦିନର ସେଇ ଅନୂଢ଼ା ଅଳକା ଆଜି ବି ପ୍ରଶ୍ନ କରେ-‘କାହିଁକି’ ?

 

ସ୍ମୃତି, ତମେ ଅପାଶୋରା ହୁଅ । ସ୍ମୃତି, ତମକୁ ମୁଁ ଭଲ ପାଏ । ସ୍ମୃତି, ତମେ ମୋର ଅତି ଆପଣାର ।

 

॥ ୮ ॥

 

ନୀଳ ସମୁଦ୍ରର ଅତଳ ଗର୍ଭରେ ବୁଡ଼ାଳି ଭଳି ଲୋକଟା ଖୋଜି ବୁଲୁଥିଲା ଅତୀତର କେଉଁ ଏକ ଜାହାଜ ବୁଡ଼ିରେ ହଜେଇଥିବା ତାର ସମସ୍ତ ସଞ୍ଚୟ ମୁକ୍ତା ଭଳି ଚିକ୍‍ ଚିକ୍‍ କରୁଥିବା ତାର ସ୍ମୃତି ସବୁ । ପରସ୍ତ ପରସ୍ତ ବାଲି ତଳୁ ଯେତେବେଳେ ଖୋଜି ପାଇ ଯାଉଥିଲା ସ୍ମୃତିର ମୁକ୍ତାଟିଏ ସେ ଭୁଲି ଯାଉଥିଲା ତାର ବର୍ତ୍ତମାନକୁ । ଭୁଲି ଯାଉଥିଲା ମୋର ଉପସ୍ଥିତି କଥା-ସମସ୍ତଙ୍କ କଥା । ଥରେ ନୁହେଁ ଏମିତି ଥରକୁ ଥର । ଧରଣୀଧର କଥା କହିଲା ବେଳେ ବି ଲୋକଟା ଏମିତି ସ୍ଥାନ କାଳ ଭୁଲି ଯାଇ ତିନିଶହ ମାଇଲ ଦୂରର ଧରଣୀଧରକୁ କୁହାଟ ମାରିଥିଲା-ଧରଣୀଧର ! ଧରଣୀଧର ହୋ ବୋଲି । ଏବେ ସେମିତି ଗୁଣୁ ଗୁଣୁ ହୋଇ ମନକୁ ମନ କହିଲା-ସ୍ମୃତି ତମେ ମୋର ଅତି ଆପଣାର ।

 

ତାପରେ କିଛି ସମୟ ଚୁପ୍ ଚାପ୍ ଗୋଟାଏ ଆଡ଼କୁ ଅନେଇ ରହିଲା । ସେ କଣ କିଛି ଦେଖୁଥିଲା ? ଯଦି ଦେଖୁଥିଲା ତା ହେଲେ ତାରି ଆଗରେ ବୁଲା କୁକୁରଟା ପରିସ୍ରା କଲାବେଳେ ତାକୁ ଘଉଡ଼େଇ ଦେଇ ପାରିଲାନି କାହିଁକି ?

 

ଯଦି ଦେଖୁଥିଲା ବଣି ଚଢ଼େଇ ଦି’ଟା ଖୁମ୍ପା ଖୁମ୍ପି ହେଇ ଧୂଳିରେ ଗଡ଼ି ଯାଉଥିଲା ବେଳେ ହସି ପାରିଲାନି କାହିଁକି ? ନାଁ, ସବୁ ଦେଖିବା ଅନେଇବା ହେଲେ ବି ସବୁ ଅନେଇବା ଦେଖିବା ନୁହେଁ । କିଛି ସମୟର ନିସ୍ତବ୍‌ଧତା ପରେ ଲୋକଟା ମୁଣ୍ଡ ବୁଲେଇ ମତେ ଦେଖିଲା । ଆଉ ମତେ ଦେଖିଲାମାତ୍ରେ ସେ ତାର କଥାର ଖିଅ ଧରି ପାରିଲା ।

 

ହଁ କଣ କହୁଥିଲି ଟି, ପ୍ରଥମେ ଛପା ଛବି କଥା ନା ।

 

Unknown

ହଁ ପ୍ରଥମ ଛପା ଛବି–ଯାହା ଭିତରେ ଅସୀମ ବସୁର ଛୋଟିଆ ଗୋଟିଏ ଦସ୍ତଖତ ।

 

କଲିକତାରେ ଛାପା ‘ତରଙ୍ଗ’ ଓଡ଼ିଶାର ସବୁ ସହର ଗାଁ, ଓଡ଼ିଶା ବାହାରର ହୁଏତ ଭାରତ ବାହାରର ଓଡ଼ିଆମାନଙ୍କ ହାତରେ ବି ପହଞ୍ଚିବ । ସେମାନଙ୍କ ଆଖିରେ ସେ ଛବି ପଡ଼ିବ । କୋଣରେ ଥିବା ଦସ୍ତଖତଟା ବି ସେମାନେ ପଢ଼ିବେ । ଅସୀମ ବସୁ ନାଁଟାକୁ ସେମାନେ ଜାଣିବେ । ପତ୍ରିକା ଦୋକାନରେ ଠିଆ ହେଇଥିବି । ହୁଏତ କୌଣସି ଜଣେ ଗରାଖ ଠିକ୍ ସେତିକିବେଳେ ମୋରି ପାଖରେ ଠିଆ ହେଇ ତରଙ୍ଗ ଖଣ୍ଡେ ହାତରେ ଉଠେଇ ପୃଷ୍ଠା ଓଲଟାଉ ଓଲଟାଉ ମୋ ଅଙ୍କା ଛବି ଥିବା ପୃଷ୍ଠା ଉପରେ ଟିକେ ନଇଁ ପଡ଼ିବ । ବିଚରା ଜାଣି ନ ଥିବ ଯେ ସେ ଛବିର ଶିଳ୍ପୀ ଜଣକ ତା’ରି ପାଖରେ ଠିଆ ହେଇଛି ବୋଲି । ଆଃ ଯଦି ସେ ଜାଣି ପାରନ୍ତା, ଯଦି ମୋର ପରିଚୟ ପାଇ ପାରନ୍ତା ତାହେଲେ ମୋ ପାଖରେ ଠିଆ ହେଇଥିବା ପାଇଁ ସେ ଗର୍ବ ଅନୁଭବ କରନ୍ତାନି ?

 

ମନେ ମନେ କଳ୍ପନା କଲି ଆଜିଠାରୁ ପାଞ୍ଚ ଶହ କି ହଜାରେ ବର୍ଷ ପରେ କେବେ କୌଣସି ଏକ ଗ୍ରନ୍ଥାଗାରରୁ କି କାହାର ବ୍ୟକ୍ତିଗତ ସଂଗ୍ରହଶାଳାରୁ ତରଙ୍ଗର ସେଇ ପୂଜା ସଂଖ୍ୟା ଆବିଷ୍କୃତ ହେଇଛି । ଗବେଷକମାନେ ଛବିର କୋଣରେ ଥିବା ଦସ୍ତଖତ ଉପରେ ଗବେଷଣା କରି ଜାଣି ପାରିଛନ୍ତି ଯେ ପାଞ୍ଚ ଶହ କି ହଜାରେ ବର୍ଷ ତଳେ ଓଡ଼ିଶାରେ ଅସୀମ ବସୁ ନାଁରେ ଜଣେ ବିଖ୍ୟାତ ଶିଳ୍ପୀ ଥିଲେ । ଆଃ ! ମୁଁ ଅମର ହେଇଗଲି-ଅମର ।

 

ନୂଆ ନୂଆ ଉଡ଼ି ଶିଖୁଥିବା ଚଢ଼େଇ ଛୁଆ ଯେମିତି ସାରା ଆକାଶ ତାର ଡେଣାର ଅକ୍ତିଆରରେ ବୋଲି ମନେ କରେ, ପିଲାଟିଏ ପ୍ରଥମେ ସାଇକେଲ ଚଲେଇ ଶିଖିଲା ପରେ ଯେମିତି ଭାବେ ଦୁନିଆରେ ତାର ଅନତିକ୍ରମ୍ୟ କିଛି ନାହିଁ । ସେଦିନର ମୁଁ ବି ମୋର ନିଜର କଳ୍ପନାପ୍ରବଣ ମନର ସାମ୍ରାଜ୍ୟରେ ବିଖ୍ୟାତ ହେଇଗଲି । ବିଖ୍ୟାତ ।

 

ସାଙ୍ଗ ପିଲାମାନେ ପତ୍ରିକା ଦେଖି ଜାଣିଲେ ମୁଁ ଆଉ ଖାଲି ଅସୀମ ବସୁ ନୁହେଁ, ଶିଳ୍ପୀ ଅସୀମ ବସୁ । କଲେଜରେ ପଢ଼ାଉଥିବା ସାର୍‌ମାନେ ପତ୍ରିକା ଦେଖି ଜାଣିଲେ ଏ ପିଲାର ଆର୍ଟିଷ୍ଟ ହବା ନୋହିଲା । କଲେଜ ପାଠକୁ ପଛରେ ପକେଇ ଶସ୍ତା ବାହାବା ଆଉ କିଛି ପଇସା ଲୋଭରେ ଏ ପିଲା ଗୋଡ଼େଇବ । ମୁଁ କାହାରିକି ନିରାଶ କଲିନି-ପିଲାଙ୍କୁ ନୁହେଁ କି ସାର୍‌ମାନଙ୍କୁ ନୁହେଁ । “ଆସନ୍ତାକାଲି”ରୁ ଫେରି ଆସିଥିବାର ଦୁଃଖ ଓ ଅପମାନକୁ ଘୋଡ଼େଇବା ପାଇଁ ତରଙ୍ଗ ସାଙ୍ଗକୁ ଖାଲି ବିୟୋତ୍‌କେଶ କଣ୍ଡୁରି ଚରଣଙ୍କ ବରାଦି ପ୍ରଚ୍ଛଦ ନୁହେଁ-ତରଙ୍ଗ ଗୋଷ୍ଠୀ ଜରିଆରେ ପରିଚିତ ପ୍ରବାସୀ ଓଡ଼ିଆ ଲେଖକ, ପ୍ରକାଶକ, ସଂପାଦକଙ୍କର ବରାଦି କାମ ବି କରିବାକୁ ଲାଗିଲି । ପ୍ରଚ୍ଛଦ ପିଛା କେଉଁଠି ଦଶ ଟଙ୍କା ତ କେଉଁଠି ପଚିଶି ଟଙ୍କା । ହେଲେ ଅଧିକାଂଶ ଜାଗାରେ ପଇସାର ପ୍ରଶ୍ନ ନ ଥାଏ ।

 

ଏମିତି ଅନେକ ଲୋକ ଅଛନ୍ତି ଯାହାଙ୍କୁ ଦେଖିଲେ-ଯାହାଙ୍କ କଥା ଶୁଣିଲେ ମନେ ହେବ, ଦୁନିଆର ସବୁକିଛି ଯେମିତି ତାଙ୍କ ହାତ ମୁଠାରେ । ସିଏ ଚାହିଁଲେ ବାଘ, ବକରି ଗୋଟାଏ ତୁଠରେ ପାଣି ପିଇବେ, ସରଗ ଚାନ୍ଦ ଚାହିଁଲେ ଉତ୍ତର ମିଳିବ-ଏଇ କଥା-ଆସିଯିବ ।

 

କଲିକତା ରହଣିକାଳ ଭିତରେ ସେମିତି ଜଣକ ସାଙ୍ଗରେ ମିଶିଥିଲି । କେବେ କେମିତି ସେକଥା ଆଜି ଆଉମନେ ନାହିଁ । ହେଲେ ପ୍ରଥମେ ତାଙ୍କୁ ଭେଟିଥିଲି-ବହୁବଜାର ଷ୍ଟ୍ରୀଟ୍‌ର ୧୮୨ ନମ୍ବର କୋଠାର ଉପର ମହଲାର ଗୋଟିଏ ଛୋଟିଆ ବଖରାରେ । ବହୁବଜାର ଷ୍ଟ୍ରୀଟ୍‌ର ଧାଡ଼ିବନ୍ଧା ଗହଣା ଦୋକାନ ଭିତରୁ ଗୋଟାଏ ଗହଣା ଦୋକାନ ୧୮୨ ନମ୍ବର । ଦୋକାନକୁ ଲାଗି ଆଖିରେ ନ ପଡ଼ିଲା ଭଳି ଅଣଓସାରିଆ ଗୋଟାଏ ଗଳି, ଗଳି ଭିତରକୁ ପଶିଲେ ଡାହାଣ କଡ଼େ ଉପରକୁ ଯିବା ସିଢ଼ି । ସିଢ଼ି ଶେଷରେ ଡାହାଣକୁ ଧାଡ଼ିବନ୍ଧା କାଠି ତିଆରି ଛୋଟ ଛୋଟ ବଖରା ସବୁ । ସେଇଥିରୁ ଗୋଠାଏ ଫ୍ରେଣ୍ଡସ୍ ପ୍ରେସ୍ । ପ୍ରେସ୍ ଫ୍ରେଣ୍ଡସମାନଙ୍କୁ ସିନା ଦେଖିଲି ହେଲେ ପ୍ରେସ କାହିଁ-? ଘର ଭିତରେ ଗୁଡ଼ାଏ ଅକ୍ଷର କେସ୍ ରଖିବା ରାକ୍ ସାଙ୍ଗକୁ ଛୋଟିଆ ଗୋଟିଏ ଟେବୁଲ ଦୁଇଟି ଚେୟାର ଆଉ ଗୋଟିଏ ଛୋଟିଆ ବେଞ୍ଚ । ଏ ସବୁର ମାଲିକ ଜଗଦୀଶ ବାବୁ । ଜଗଦିଶ ବାବୁ ପ୍ରେସ୍ ମାଲିକ । ପ୍ରେସ୍ ନ ଥାଇ ପ୍ରେସ୍ ମାଲିକ ହେବା ଯେ ସମ୍ଭବ ସେ କଥା ଜଗଦୀଶ ବାବୁଙ୍କୁ ଦେଖିବା ଆଗରୁ ମୁଁ ଜାଣି ନ ଥିଲି । ତାଙ୍କ ସାଙ୍ଗରେ ମିଶିଲା ପରେ ମନେ ହେଲା-ସେ ଯେମିତି ଭାବନ୍ତି-ଦେଖଇ ନେତ୍ର ଯାହା ଚଉଦିଗର-ସେ ସବୁର ଅଟଇ ମୁଁ ଅଧୀଶ୍ଵର ।’ ତେଣୁ କଲିକତା ସାରା ଯେତେ ପ୍ରେସ ଅଛି ସେ ସବୁର ମାଲିକ ଯେ ଜଗଦୀଶ ବାବୁ ଏ କଥା ଜାଣିବାକୁ ମତେ ବେଶୀଦିନ ଲାଗିଲାନି ।

 

“ହରି ! ଅକ୍ଷର ଦେଲି ନେଇ ଯା । ସୁତାରକିନ୍ ଷ୍ଟ୍ରୀଟ୍‌ର ନିଉ ଇଣ୍ଡିଆ ପ୍ରେସ୍‌କୁ, କହିବୁ ସାତ ହଜାର ଛପା ।” ତେଣୁ ନିଉ ଇଣ୍ଡିଆ ପ୍ରେସର ମାଲିକ-ଜଗଦୀଶ ବାବୁ ।

 

“ହରି ! ସାତ ନମ୍ବର ଫର୍ମା ଅଖିଳ ମିସ୍ତ୍ରୀ ଲେନ୍‌ର କାଳିକା ପ୍ରେସକୁ ଦେଇ ଦେ, କହିବୁ ନେଳି କାଗଜରେ ବାର ହଜାର ଛାପା ।” କାଳିକା ପ୍ରେସ ମାଲିକ ? ଜଗଦୀଶ ବାବୁ ।

 

“ଆବେ ଏଇ ହରି ! ତତେ ପରା ରହିଥିଲି ସନ୍ଧ୍ୟା ତାରା ପ୍ରେସ୍‌ରେ ମୋ ନାଁ କହି ଦୁଇ ରିମ୍ କାଗଜ ଆଣିବାକୁ ? ଆଣିଲୁ ?”

 

ସନ୍ଧ୍ୟା ତାରା ପ୍ରେସ ମାଲିକ ? -ଜଗଦୀଶ ବାବୁ ।

 

ନବାରୁଣ ପ୍ରେସ, ସରସ୍ଵତୀ ପ୍ରେସ, ଗୋସାଇନ୍ ପ୍ରେସ୍, ଇଗଲ୍‌ଲିଥୋ ସବୁଠି ହରିମାନେ ଯାଉଛନ୍ତି କାଗଜ ଦଉଛନ୍ତି ଛାପା ଆଣୁଛନ୍ତି । ତେଣୁ ଏ ସବୁ ପ୍ରେସର ମାଲିକ ଯେ ଜଗଦୀଶ ବାବୁ ଏଥିରେ ସନ୍ଦେହ କରିବାର କଣ ଅଛି ? ସନ୍ଧ୍ୟାବେଳେ ଫ୍ରେଣ୍ଡସ୍ ପ୍ରେସର ଫ୍ରେଣ୍ଡସ୍‌ମାନେ ଆସନ୍ତି । ଆଡ଼୍‌ଡ଼ା ଜମାନ୍ତି । ଚଉକି ଦି’ଟା, ଛୋଟିଆ ଯଥେଷ୍ଟ ନ ହେଲେ ବି ଉପାୟ ନାହିଁ ଆଉ ଖଣ୍ଡେ ଚଉକି ପକେଇବାକୁ । ଜାଗା କେଉଁଠି ? ରାଜନୀତିଠାରୁ ଆରମ୍ଭ କରି ସାହିତ୍ୟ ବାଟ ଦେଇ ଦିନେ ଆଲୋଚନା ଯାଇ କଲିକତାର ନିଷିଦ୍ଧ ଗଳିରେ ଶେଷ ହୁଏ । ଆଲୋଚନା ଯେଉଁ ବିଷୟରେ ଚାଲୁନା କାହିଁକି, ଜଗଦୀଶ ବାବୁ ସେଠି ମୁଖ୍ୟ ପ୍ରବକ୍ତା ।

 

ତରଙ୍ଗ ଦିନେ ବନ୍ଦ ହେଇଗଲା । ବିୟୋତ୍‌କେଶଙ୍କର ପାଠପଢ଼ା ସରିଯିବାରୁ ସେ କଲିକତା ଛାଡ଼ିଲେ । ହେମକାନ୍ତ ବି କଲିକତାରେ ରହିଲେନି ।

 

ଜୀବନର ଅନେକ ବିଫଳତା ଭିତରେ ମୁଁ ଗୋଟିଏ ଜାଗାରେ ସଫଳ ହେଲି । “ଆସନ୍ତାକାଲି”ରୁ ମହାପାତ୍ର ରାଜେନ୍ଦ୍ର କୁମାର ଦିନେ ୨୩୪ ନମ୍ବର ଘରର ଦୁଆରରେ ଆସି ଡାକ ପକେଇଲେ ।

 

“ଆସନ୍ତାକାଲି” ପାଇଁ ପ୍ରଚ୍ଛଦ ଦରକାର ।

 

ପ୍ରଥମ ଥର ପାଇଁ ହାତ ପାଖକୁ ଆସିଥିବା କାମକୁ ଫେରେଇ ଦେଲି । “କରି ପାରିବିନି, ବାହାଦୁରର ରୁଚିକୁ ଜଗି ପ୍ରଚ୍ଛଦ ଆଙ୍କିବାର ଯୋଗ୍ୟତା ମୋର ନାହିଁ ।”

 

“ତରଙ୍ଗ” ବନ୍ଦ ହେଇଗଲା ପରେ ଜଗଦୀଶ ବାବୁଙ୍କ ସାନ୍ଧ୍ୟ ଆସରକୁ ଯିବା ଆସିବା ବଢ଼ିଗଲା ।

 

ଫ୍ରେଣ୍ଡସ୍ ପ୍ରେସ ଦିନେ ୧୮୨ ବହୁବଜାରର ଉପର ମହଲା ଛାଡ଼ି ଚାଲି ଆସିଲା–ହିଦାରାମ୍ ବ୍ୟାନାର୍ଜୀ ଲେନ୍‌କୁ । ଅକ୍ଷରକେଶ ସାଙ୍ଗକୁ ଗୋଟାଏ ଟ୍ରେଡ଼ଲ୍ ମେଶିନ୍ ବି ସେତେବେଳେ ସାମିଲ ହୋଇଛି । ବହୁ ବଜାରରେ ପାରିବା ମାର୍କେଟ ଯେଉଁଠି ସରିଚି ସେଠୁଁ ଦଶପାଦ ଆଗେଇଲେ ବାଁପଟ ଗଳିଟା ହିଦାରାମ ବ୍ୟାନାର୍ଜୀ ଲେନ୍ । ଗଳି ଭିତରେ ପଶିଲେ ଗୋଟାଏ ଘର ଛାଡ଼ି ବାଁ ପଟକୁ ଗୋଟାଏ ବିରାଟ ଦୁଆର । ଆଗେ ହୁଏତ କେଉଁ ଜମିଦାର କୋଠି ଥିଲା ସେଇଟା, ନ ହେଲେ ଏତେ ବଡ଼ ଦୁଆର ? ଦୁଆରକୁ ନେଇ ଗୋବଲଗା କବାଟ । ଦୁଆର ଡେଇଁଲେ ବଡ଼ ଅଗଣା । ଥାକ ଥାକ ହେଇ ପାହାଚ ଉଠିଚି ବାରଣ୍ଡାକୁ ।

 

ଅଗଣା ବାଁକୁ ସରୁପିଣ୍ଡା । ପିଣ୍ଡା ମୁଣ୍ଡରେ ଛୋଟିଆ ଗୋଟାଏ ବଖରା । ଜମିଦାର ଅମଳରେ ସେଠି ହୁଏତ ଚୌକିଦାର କି ଚାକର ରହୁଥିଲା ଏବେ ସେଇଟା ଦଗଦୀଶ ବାବୁଙ୍କର ଫ୍ରେଣ୍ଡସ୍ ପ୍ରେସ୍ । ଛୋଟିଆ ବଖରାକୁ ଦୁଇଭାଗ କରି ଦୁଆର ସାମନାକୁ ପ୍ରେସ୍ ମାଲିକ ଜଗଦୀଶ ବାବୁଙ୍କର ଟେବୁଲ । ଆଗପଛ ଦୁଇଟି ଚେୟାର୍ କଡ଼କୁ ଛୋଟିଆ ବେଞ୍ଚ । ଅକ୍ଷରର ରାକ ପାର୍ଟିସନ୍ କାନ୍ଥର କାମ କରୁଛି । ଆରପଟକୁ କମ୍ପୋଜିଟର ଆଉ କମ୍ପୋଜିଟରଙ୍କ ପଛକୁ ନୂଆ ଆସିଥିବା ଟ୍ରେଡ଼େଲ୍ ମେଶିନ୍ । ନୂଆ ଆସିଥିବା ମେଶିନ ମ୍ୟାନ୍ ଦେବେନ ବାବୁ । ଏ ପଟକୁ ଓଡ଼ିଶା ରାଜନୀତିର ଉତ’ଥାନ ପତନକୁ ନେଇ ଫ୍ରେଣ୍ଡସ୍ ପ୍ରେସ୍‌ର ଫ୍ରେଣ୍ଡସ୍‌ମାନଙ୍କୁ ଜଗଦୀଶ ବାବୁ ସରମନ୍ ଶୁଣାଉଥିଲାବେଳେ ସେ ପଟରେ ବଙ୍ଗଳା ଦୈନିକ “ଯୁଗାନ୍ତର”ର ହେଡ଼ିଂ ଠାରୁ ସଂପାଦକ ବିବେକାନନ୍ଦ ମୁଖୋପାଧ୍ୟାୟ ପର୍ଯ୍ୟନ୍ତ ନିୟମିତ ପଢ଼ୁଥିବା ଦେବେନ ବାବୁଙ୍କର ବଙ୍ଗଳା ରାଜନୀତି ନେଇ ସରମନ୍, କମ୍ପୋଜିଟରକୁ । ଜଗଦୀଶ ବାବୁ ଖାଲି ପ୍ରେସ ମାଲିକ ନୁହନ୍ତି, ସମ୍ପାଦକ ବି । “ତରଙ୍ଗ” ଥିବା ସମୟ କଥା ଜାଣିନି-ହେଲେ ତରଙ୍ଗ ପରେ ଜଗଦୀଶ ବାବୁଙ୍କର ଅନିୟମିତ ପତ୍ରିକା ‘ସମାବେଶ’ର ମୁଁ ପ୍ରଚ୍ଛଦ ଶିଳ୍ପୀ । ଟ୍ରେଡ଼େଲ୍ ମେଶିନ୍ ଆସିଲାପରେ ଛାପାକାରଖାନାରେ କାମ ବଢ଼ିଲା କି କମିଲା ମୁଁ କହି ପାରିବିନି; ହେଲେ ମୋ ଦେଖିବାରେ ପାଉଣାଦାର ମାନଙ୍କର ସଂଖ୍ୟା ବଢ଼ିଲା । ହେଲେ ସେଥିପାଇଁ ଜଗଦୀଶ ବାବୁଙ୍କୁ କେବେ ବିବ୍ରତ ହେବା ମୁଁ ଦେଖିନି । ରାଶି ନକ୍ଷତ୍ର ଗୁଣରୁ ହେଉ କି କଥା କହିବା ଗୁଣରୁ ହେଉ ବାଘଭଳି ରାଗିକରି ଆସିଥିବା ପାଉଣାଦାରକୁ ଜଗଦୀଶ ବାବୁଙ୍କର କଥା ଶୁଣି ମୂଷା ଭଳି ଫେରିଯିବାର ମୁଁ ଦେଖିଚି ।

 

କାଗଜ ବେପାରୀ ସୁଧୀର ବାବୁ ସେଦିନ ଦି’ପହରେ ଆସି ପହଞ୍ଚି ଗଲେ । ଅମାୟିକ ହସ ହସ ମୁହଁରେ ଜଗଦୀଶ ବାବୁଙ୍କର ଅଭ୍ୟର୍ଥନା । “ଆସନ୍ତୁ, ଆସନ୍ତୁ । ହରି, ଚା ଆଣ ।” “ନାଁ ନାଁ ଚା ଦରକାର ନାହିଁ । ହେଲେ ଆଜି ଟଙ୍କା ନ ନେଇ ମୁଁ ଉଠୁନି । ସାଢ଼େ ତିନି ହଜାର ଟଙ୍କା ଆପଣଙ୍କ ଉପରେ ବାକି ।” ସୁଧୀର ବାବୁ ଝାଳ ପୋଛୁ ପୋଛୁ ଗମ୍ଭୀର ଗଳାରେ ତାଗିଦା କଲେ ।

 

ହେଲେ ନିର୍ବିକାର ଜଗଦୀଶ ବାବୁଙ୍କର ମୁହଁର ହସ ଟିକିଏ ବି ମିଳନ ପଡ଼ିଲାନି ।

 

“ହଉ ହେଲା ଟଙ୍କା ତ ନେବେ, ଏତେ ବ୍ୟସ୍ତ କାହିଁକି ? ଟିକିଏ ବସି ଯାଆନ୍ତୁ । ହରି ଯା-”

 

ଚାହା ଦୋକାନରେ ତିନି ମାସରେ ବାକୀ, ତେଣୁ ହରି ସେପାଖ ସମ୍ଭାଳିବା ପନ୍ଥା ଭାବି ଭାବି ବାହାରି ଗଲା । ତା’ପରେ ଜଗଦୀଶ ବାବୁଙ୍କର ବକ୍ତୃତା ।

 

“ଏଇ ଖରାଟାରେ ନ ଆସିଥିଲେ କଣ ଚଳି ନ ଥାଆନ୍ତା । ଆପଣ ଖବର ପଠେଇଥିଲେ ତ ମୁଁ ଯାଇ ପାରି ଥାଆନ୍ତି । ଆପଣମାନଙ୍କ ପାଖରେ ପଇସା କଣ ବଡ଼ କଥା । ଆପଣମାନଙ୍କ ପାଇଁ ତ ଆମ ଭଳି ବ୍ୟବସାୟୀମାନେ ବଞ୍ଚି ପାରୁଛନ୍ତି । ମୋ ପାଖରେ ଟଙ୍କା ଥିଲେ ମୁଁ ସାଙ୍ଗେ ସାଙ୍ଗେ ଦେଇ ଆସନ୍ତି । ହେଲେ ଆପଣଙ୍କୁ ବି ଆଉ ବେଶୀ ଦିନ ଅସୁବିଧାରେ ପକେଇବିନି । ପାଞ୍ଚ ହଜାର ଟଙ୍କାର ଗୋଟାଏ ଅର୍ଡ଼ର ଅଛି । ଏଇ ଦେଖନ୍ତୁ ଚିଠି । ମାଲ ଛାପି ଦେଇଦେଲେ ଏ ହାତରେ ମାଲ ଦେବି, ସେ ହାତରେ ଟଙ୍କା ଆଣିବି । ଆଣିଲେ ସବୁ ଟଙ୍କା ଆପଣଙ୍କୁ ଧରେଇ ଦେବି, ହେଲେ ଛପିବା ପାଇଁ ତ କାଗଜ ଦରକାର ତେଣୁ–ଏତିକିବେଳେ ହରି ଚା ଧରି ଆସି ପହଞ୍ଚିଲା । ବାକିକଥା ଆଉ ସୁଧୀରବାବୁଙ୍କୁ ନ କହି ହରିଙ୍କୁ ଜଗଦୀଶ ବାବୁଙ୍କର ନିର୍ଦ୍ଦେଶ–“କାଲି ବାବୁଙ୍କ ଗୋଦାମରୁ ଆଠରିମ୍ କାଗଜ ନେଇ ଆସିବୁ । ବିସ୍ମୟରେ ଅନେଇ ଦେଖିଲି ବାବୁ ଚା ପିଇଲେ । ଆଉ ତାପରେ “ଆଚ୍ଛା ଆସୁଛି” କହି ଉଠି ବାହାରି ଗଲେ ।

 

॥ ୯ ॥

 

ଜଗଦୀଶ ବାବୁଙ୍କ ପ୍ରେସ୍‌ରେ ହରି ଏକାଧାରରେ ଆଡ଼ଭାଇଜର, ମ୍ୟାନେଜର, ପିଅନ୍, ଚୌକିଦାର, ଝାଡ଼ୁଦାର ସବୁକିଛି । ହରିକୁ ଦେଖିଲେ ମୋର ରାମାୟଣର ହନୁମାନ କଥା ମନେ ପଡ଼ୁଥିଲା । ହନୁମାନ ରାମଚନ୍ଦ୍ରଙ୍କଠାରୁ ମାସକୁ କେତେ ଦରମା, ପାଉଥିଲା କି ଆଦୌ କିଛି ପାଉ ନ ଥିଲା-ସେ କଥା ରାମାୟଣରେ ଲେଖା ନାହିଁ । ହେଲେ ହରି ଅନିୟମିତ ହେଲେ ବି ଜଗଦୀଶବାବୁଙ୍କଠାରୁ ଦରମା ପାଉଥିଲା । ବେଳେ ବେଳେ ଏହି ଅନିୟମିତ ଶବ୍ଦଟା ମାସେ ଦୁଇମାସ ମଧ୍ୟରେ ସୀମିତ ନ ରହି ଛଅମାସ ଆଠ ମାସର ମୁଣ୍ଡ ଛୁଉଁଥିଲା । ହେଲେ ସେଥିପାଇଁ ହରିର କିଛି ଅଭିଯୋଗ ନ ଥିଲା । ନିଜ ଖୋରାକି ଟିକକ ପାଇଁ ହରି ସକାଳ ସଞ୍ଜରେ ଦୁଇଜଣ ବାବୁଙ୍କ ଘରେ ପାଣିଭାର ଯୋଗାଉଥିଲା । ସେଇ ହରି ମତେ କହିଥିଲା-ମାୟାରେ ପଡ଼ିଯାଇଛି । ଛାଡ଼ି କରି ଯାଇ ପାରିବିନି । ଦରମା ଡେରିରେ ପାଏ କି ଏକ୍‌ଦମ୍ ନ ପାଏ, ଏଠୁ ଛାଡ଼ି ଯାଇ ପାରିବିନି ।

 

ଜଗଦୀଶ ବାବୁଙ୍କ ପକେଟରେ ପଇସା ଥିବା ନ ଥିବା ଜାଣିବାର ଏକ ସୂକ୍ଷ୍ମ ଉପାୟ ହରି ଆବିଷ୍କାର କରିଥିଲା ଏବଂ ମତେ ତାର ଅବିଷ୍କୃତ ତଥ୍ୟ ପରିବେଷଣ କରିଥିଲା । ଥରକୁ ଥର ଚା ଓ ବିଡ଼ି ଟାଣୁଥିବା ଦିନଗୁଡ଼ାକ ଜଗଦୀଶବାବୁଙ୍କର ପକେଟରେ ପଇସା ନ ଥିବା ଦିନ ଏବଂ ଚାହା ବଦଳରେ ବିଅର ପିଇବା ଓ ସିଗାରେଟ୍ ଟାଣିବା ଦିନଗୁଡ଼ାକ ପକେଟରେ ପଇସା ଥିବା ଦିନ-। ମୁଁ ହରିର ଆବିଷ୍କାରକୁ ମିଳେଇ ଦେଖିଛି-ଠିକ୍ । ଏକଦମ୍ ଠିକ୍ ।

 

ଏମିତି ଗୋଟାଏ ବିଡ଼ି ଟାଣିବା ଦିନରେ ଆଉ କିଛି ଉପାୟ ନ ପାଇଁ ଜଗଦୀଶବାବୁଙ୍କୁ ଚାଳିଶିଟା ଟଙ୍କା ମାଗିଲି-ପରଦିନ ସକାଳେ ପରୀକ୍ଷା ଫିସ୍ ଦବାକୁ ପଡ଼ିବ । ଜଗଦୀଶ ବାବୁ ଅଧାରେ ଲିଭି ଯାଇଥିବା ବିଡ଼ିଟାକୁ ଆଉଥରେ ଲଗେଇ ହରିକୁ ଦି’ଟା ଚା’ ବରାଦ ଦେଇ କହିଲେ-ଚାଳିଶିଟା ଟଙ୍କା ତ, ହେଇଯିବ । ସନ୍ଧ୍ୟା ବେଳକୁ ମିଳିଯିବ ।

 

ମୁଁ ନିଶ୍ଚିନ୍ତ ହେଲି ।

 

ସନ୍ଧ୍ୟାବେଳକୁ ପ୍ରେସକୁ ଯାଇ ଦେଖିଲି, ଜଗଦୀଶବାବୁ ନାହାନ୍ତି । ତାଙ୍କ ଘରକୁ ଆସିଲି-। ଘର ମାନେ ଆମ୍ବକାଠ ଖଟ ପଡ଼ିଥିବା ହୋଟେଲର ଗୋଟାଏ ବଖରା ।

 

ନାହାନ୍ତି । ସେଠି ବି ନାହାନ୍ତି । କିଛି ସମୟ ସେଠି ଅପେକ୍ଷା କରି ପୁଣି ପ୍ରେସ୍ ।

 

ନା, ନାହାନ୍ତି ।

 

ପୁଣି ବସା । ନାହାନ୍ତି । ଫେରି ନାହାନ୍ତି ।

 

ରାତି ପ୍ରାୟ ଆଠଟା । ଯିବି କୁଆଡ଼େ ? କାଳେ ମୁଁ ଗଲାପରେ ସେ ଆସିଯିବେ ଓ ମୁଁ ଆଉଥରେ ଆସିଲା ବେଳକୁ ଶୋଇ ଯାଇଥିବେ । ତେଣୁ ଅପେକ୍ଷା କରିବାକୁ ପଡ଼ିବ । ଜଗଦୀଶବାବୁ ନ ଫେରିବା ଯାଏ ।

 

ରାତି ନଅଟା ହେଲା । ଦଶଟା ହେଲା । ହୋଟେଲ ସାମନା ରାସ୍ତାଟାରେ ପଇଁତରା ମାରୁଛି । ଜଗଦୀଶ ବାବୁଙ୍କ ଉପରେ ଆସ୍ତେ ଆସ୍ତେ ବିରକ୍ତ ହୋଇ ଉଠିଲିଣି ।

 

ଲୋକଟା ଠକ, ଜୁଆ ଚୋର, ଧପ୍‌ପାବାଜ । ସ୍ଵାର୍ଥପର, ମିଛୁଆ । ଯେମିତି ଟଙ୍କାଟା ହକ ମୋର ପାଉଣା । ଯେମିତି ସେ ମୋ ଠାରୁ ଧାର ନେଇ ନ ଶୁଝି ମୋ ଠାରୁ ଲୁଚି ରହିବା ପାଇଁ ହୋଟେଲ ଆସି ନାହାନ୍ତି । ହେଲେ ମୁଁ ବି ଛାଡିବିନି । ଆଜି ଯେମିତି ହେଉ ଟଙ୍କା ଆଦାୟ କରିବି ହିଁ କରିବି ।

 

ଜଗଦୀଶ ବାବୁ ! ତମେ ଯିବ କୁଆଡ଼େ ? ରାତି ପାହିଯାଉ ପଛେ ମୁଁ ଏଠୁ ଘୁଞ୍ଚୁନି । ସେତେବେଳେ ତ ଖୁବ୍ ଦମ୍ଭରେ କହି ଦେଲ-ଚାଳିଶିଟା ଟଙ୍କା ତ ହୋଇଯିବ, ସନ୍ଧ୍ୟା ବେଳକୁ ମିଳିଯିବ-ଆଉ ଏବେ ? ଏବେ ଲୁଚିଲେ ମୁଁ ଛାଡ଼ିଦେବି ଭାବିଛ ?

 

ରାସ୍ତାରେ ଦୋକାନ ସବୁ ଗୋଟି ଗୋଟି ବନ୍ଦ ହୋଇ ଯାଉଛି । ପାନ ଦୋକାନର ଘଣ୍ଟାରେ ରାତି ଆସି ପ୍ରାୟ ବାରଟା ବାଜିଲାଣି । କାଁ ଭାଁ ଗୋଟାଏ ଦି’ଟା ପାନ ଦୋକାନ ହିଁ ଖାଲି ଖୋଲା ଅଛି । ନିଶୂନ୍ ରାତିରେ ଖାଲି ନିସ୍ତବ୍‌ଧତାକୁ ଭାଙ୍ଗିବା ପାଇଁ ଠୁଣ୍ ଠୁଣ୍ ଘଣ୍ଟି ବଜେଇ ଗୋଟାଏ ହାତଟଣା ରିକ୍‌ସା ଆସି ରହିଲା । ଜଗଦୀଶବାବୁ ରିକ୍‌ସାରୁ ଓହ୍ଲେଇ ଦେଖିଲେ ମୁଁ ଠିଆ ହୋଇଛି । ରିକ୍‌ସାବାଲାକୁ ପଇସା ମେଣ୍ଟେଇ ମତେ ପଦେ ବି କଥା ନ କହି ଖୋଲାଥିବା ପାଖ ପାନ ଦୋକାନକୁ ଗଲେ । ମୁଁ ତାଙ୍କ ପାଖରେ ପହଞ୍ଚିଲା ବେଳକୁ ହାତଘଣ୍ଟାଟା ଫିଟେଇ ପାନଦୋକାନୀ ହାତକୁ ବଢ଼େଇ ଦେଇ ସାରିଛନ୍ତି । ପାନ ଦୋକାନୀଠୁ ଚାଳିଶିଟା ଟଙ୍କା ଆଣି ମତେ ବଢ଼େଇ ଦେଲେ । ମୁରୁକି ହସି କହିଲେ–ମୋର ଆସିବାକୁ ଟିକିଏ ଡେରି ହୋଇଗଲା ।

 

ଟଙ୍କା ଚାଳିଶିଟା ହାତରେ ଧରି ମୁଁ ପ୍ରଥମେ ଥମ୍ ମାରି ରହିଗଲି । ଆଖି ଆଗରେ ସବୁ ଘଟଣା ଦେଖି ବି କିଛି ବୁଝିପାରୁ ନ ଥାଏ । ତା’ପରେ ଯେତେବେଳେ ଆଖି କୋଣରେ ପାଣି ଜକେଇ ଆସିଲା ଧନ୍ୟବାଦ କି କୃତଜ୍ଞତା ଟିକକ ନ ଜଣେଇ ବୁଲିପଡ଼ି ଘରମୁହାଁ ଚାଲିବାକୁ ଲାଗିଲି ମୁଁ ।

 

ଜୀବନରେ କାହାକୁ କେତେ ଦେଲି କାହାଠୁ କେତେ ପାଇଲି, ତାର ହିସାବ ମୁଁ ରଖିନି । ରଖିନି ଏଇଥିପାଇଁ ଯେ ଆଉ କେହି ନ ଜାଣିଲେ ବି ମୁଁ ତ ଜାଣେ-ମୋ ଜୀବନରେ ପାଉଣା ଠାରୁ ଦେଣାର ଅଙ୍କ ଏତେ ବଡ଼, ହିସାବ କଲେ ମୁଁ ତା ଭିତରେ ପୋତି ହୋଇ ପଡ଼ିବି । ତେଣୁ ଭୁଲିଯିବାକୁ ପଡ଼ିବ । ଭୁଲି ଯିବାକୁ ପଡ଼ିବ ଜୀବନରେ ସବୁ ଦେଣା ପାଉଣାର ହିସାବକୁ ।

 

ସେଦିନର ପାନ ଦୋକାନରେ ବନ୍ଧା ପଡ଼ିଥିବା ସେଇ ଘଣ୍ଟା ଆଉ ଜଗଦୀଶବାବୁଙ୍କ ହାତକୁ ଫେରି ଆସିନି । ଏକଥା ମୁଁ ଜାଣିଥିଲି ଅନେକ ଅନେକ ବର୍ଷ ପରେ । କାହିଁକି ଜାଣିଲି ? କଣ ଦରକାର ଥିଲା ଅନେକ ଅନେକ ଗୁଡ଼ାଏ ବର୍ଷପରେ ଜଗଦୀଶ ବାବୁଙ୍କୁ ସେଇ ଘଣ୍ଟା କଥା ପଚାରିବାର ? ପଚାରିଲି ବୋଲିତ ସେ କଥା ଜାଣିଲି-ଆଉ ଜାଣିଲି ବୋଲି ସେଦିନର ଚାଳିଶି ଟଙ୍କା ଚାଳିଶ ହଜାରର ବୋଝ ହୋଇ ମୁଣ୍ଡ ଉପରେ ଲଦି ହେଇଗଲା । ଜାଣିଲି ବୋଲି ବନ୍ଧା ପଡ଼ିଥିବା ସେଇ ହାତଘଣ୍ଟାର ଟିକ୍ ଟିକ୍ ଶବ୍ଦ ବୁମ୍ ବୁମ୍ ହେଇ ଛାତି ଭିତରର ହୃତପିଣ୍ଡଟାକୁ ବାଡ଼େଇବାକୁ ଲାଗିଲା । ତେଣୁ ଭୁଲିଯିବାକୁ ପଡ଼ିବ । ବଞ୍ଚିବା ପାଇଁ ଭୁଲି ଯିବାକୁ ପଡ଼ିବ । ହେଲେ ଭୁଲିଯିବାକୁ ଚାହିଁଲେ କଣ ସବୁ କିଛି ଭୁଲି ହୁଏ ? ଭୁଲି ହୁଏ ମୃତ୍ୟୁ, ଜରା, ଶୋକ, ଦୁଃଖ, ଯନ୍ତ୍ରଣା-? କାନ ପାଖରେ ଲକ୍ଷ ଲକ୍ଷ ମନବୋଧ ଚଉତିଶା, ମାଇକ ଲଗେଇ ଭୁଲିଯାଅ ଭୁଲିଯାଅ ଚିତ୍କାରରେ କାନ ଅତଡ଼ା କଲେ ବି ଯାହା ଭୁଲି ନ ହେବାର ଭୁଲି ହୁଏନି, ଭୁଲି ହେଉନି-

 

ସୁଜାତା ଦେବୀଙ୍କୁ ଭୁଲିଯିବା ପାଇଁ ମୁଁ କଣ କମ୍ ଚେଷ୍ଟା କରିଛି ? ହେଲେ ଭୁଲି ପାରିନି-। ପାରିବିନି । ଷ୍ଟେଟ୍‌ସମ୍ୟାନ୍ କାଗଜର ଆକାଉଣ୍ଟସ୍ ଅଫିସ୍‌ର ଅନୁପମ ବାବୁଙ୍କର ଦ୍ଵିତୀୟ ପକ୍ଷର ସ୍ତ୍ରୀ ଥିଲେ ସୁଜାତା ଦେବୀ । ପ୍ରଥମା ସ୍ତ୍ରୀଙ୍କର ସାତ ବର୍ଷର ପୁଅ ବାପିର ମୁଁ ଥିଲି ଟ୍ୟୁସନ ମାଷ୍ଟର । ଅନୁପମବାବୁଙ୍କର ଅତି ଆଦରର ପୁଅ ବାପି । ବାପିକୁ ଅନୁପମବାବୁ ଅଫିସ ଯିବା ଆଗରୁ ନିଜ ହାତରେ ଗାଧୋଇ ଦିଅନ୍ତି, ଖୁଆଇ ଦିଅନ୍ତି, ନିଜେ ନେଇ ସ୍କୁଲରେ ଛାଡ଼ି ଅଫିସ୍ ଯାଆନ୍ତି । ଅନୁପମ ବାବୁଙ୍କର କଡ଼ା ନିର୍ଦ୍ଦେଶ-ସୁଜାତାଦେବୀ ବାପି ପାଇଁ କିଛି କରି ପାରିବେନି । ସୁଜାତା ଦେବୀ ତାଙ୍କର ସ୍ତ୍ରୀ, ହେଲେ ବାପିର ମାଆ ହେବାର ଅଧିକାର ତାଙ୍କର ନାହିଁ । ଘରର ହାନି ଲାଭରେ, ବାପିର ଭଲ ମନ୍ଦରେ କିଛି କହିବାର ଅଧିକାର ଯେ ସୁଜାତାଦେବୀଙ୍କର ନାହିଁ, ଏକଥା ବାପି ବି ଜାଣି ଯାଇଥିଲା । ସାତ ଆଠ ବର୍ଷର ପିଲାର ବାପି ଭିତରେ ସୁଜାତା ଦେବୀଙ୍କ ପ୍ରତି ଗୋଟାଏ ଚାପା ଆକ୍ରୋଶ, ଅବହେଳା, ତାଚ୍ଛଲ୍ୟର ଭାବ ମୁଁ ତାର କଥାଭାଷାରୁ ଅନୁଭବ କରିପାରୁଥିଲି । ଅଫିସ୍‌ରୁ ଫେରି ଅନୁପମବାବୁ ପ୍ରଥମେ ବାପି କଥା ବୁଝନ୍ତି । ବାପିର ଗୋଡ଼ହାତ ଧୋଇ ଦେଇ, ଜଳଖିଆ ଖୁଆଇ କିଛି ସମୟ ତା ସାଙ୍ଗରେ ଗପ କରି କ୍ଳବ୍‌କୁ ଚାଲି ଯାଆନ୍ତି । ସନ୍ଧ୍ୟାବେଳେ ମୁଁ ଯାଏ ପାଠ ପଢ଼େଇବାକୁ । ସୁଜାତା, ପରିବାରର ଲୋକମାନଙ୍କ ଭିତରେ ରହି ବି ଏକୁଟିଆ । ଏଇ ଏକାକୀତ୍ଵର ଯନ୍ତ୍ରଣାରୁ ବଞ୍ଚିବା ପାଇଁ ପାଠପଢ଼ା ମଝିରେ ମୋ ସାଙ୍ଗରେ ପଦେ ଦି’ପଦ କଥା ହେଉ ହେଉ ସେ କେମିତି ଜାଣିଗଲେ ମୁଁ ତାଙ୍କର ଏକମାତ୍ର ସାନ୍ତ୍ଵନା, ଏକମାତ୍ର ଆଶ୍ଵାସନା । ଦିନ ଦିନ ଧରି ସେ ତାଙ୍କର ରୁଦ୍ଧ ଆବେଗ ମୋ ପାଖରେ ଅଜାଡ଼ି ଦେଇ ତାଙ୍କର ଯନ୍ତ୍ରଣାର କାହାଣୀ ଶୁଣେଇଥିଲେ । ବାପିର ଅଭିଯୋଗରେ ଅନୁପମବାବୁଙ୍କ ଅତ୍ୟାଚାରର କଳଙ୍କ ଦାଗ ସୁଯୋଗ ପାଇ ଦିନେ ପିଠି ଖୋଲି ଦେଖେଇବାକୁ ବି କୁଣ୍ଠାବୋଧ କରି ନ ଥିଲେ । ମୁଁ ଆଉ ନିଜକୁ ସଂଯତ କରି ରଖିପାରି ନ ଥିଲି ସେଦିନ । ଅନେକ ଆଶ୍ଵାସନା, ଅନେକ ସାନ୍ତ୍ଵନାର ନୀରବ ପରିପ୍ରକାଶ-ସୁଜାତା ଦେବୀଙ୍କ ରକ୍ତାଭ ପିଠି ଉପରେ ଦରଦ ଭରି ହାତ ରଖିଥିଲି । ସେ ଆଉ ନିଜକୁ ସମ୍ଭାଳି ନ ପାରି ଗୁମୁରି ଗୁମୁରି କାନ୍ଦି ଉଠିଥିଲେ ସେଦିନ ।

 

ଅନୁପମ ବାବୁ ବାପିକୁ ଭଲ ପାଉଥିଲେ । କାଳେ ଆଉ ଗୋଟିଏ ସନ୍ତାନ ଆସିଲେ ବାପି ପ୍ରତି ତାଙ୍କର ସ୍ନେହ କମିଯିବ ସେଥିପାଇଁ ସୁଜାତାଦେବୀଙ୍କର ମାତୃତ୍ଵର ପଥ ସବୁଦିନ ପାଇଁ ବନ୍ଦ କରିଦେଇଥିଲେ ଅନୁପମବାବୁ । ସୁଜାତା ଦେବୀ ମାଆ ହୋଇ ପାରିବେନି । ତାଙ୍କ ସ୍ଵାମୀଙ୍କ ସନ୍ତାନ ବାପି ପ୍ରତି ବି ସ୍ନେହର ହାତ ବଢ଼େଇ ପାରିବେନି । ପୁଅ ବୋଲି କୋଳେଇ ନେଇ ପାରିବେନି । ଗାଲରେ ଓଠରେ ସ୍ନେହର ଚୁମାଟିଏ ଆଙ୍କି ଦେଇପାରିବେନି । ଏକଥା ଯୋଉଦିନ ତାଙ୍କ ମୁହଁରୁ ଶୁଣିଥିଲି ସେ ରାତିରେ ମୁଁ ଶୋଇ ପାରିନି । ସୁଜାତା ଦେବୀଙ୍କର ହାହାକାର ମୋ ହୃଦୟର ହାହାକାର ହୋଇ ମତେ ଅଥୟ କରିଥିଲା ।

 

ଡିସେମ୍ବର ମାସର ଗୋଟାଏ ସନ୍ଧ୍ୟା । ଟ୍ରାମ୍ ବସ୍‌ର ଅସୁବିଧା ଯୋଗୁଁ ଅନୁପମ ବାବୁଙ୍କ ଘରେ ପହଞ୍ଚିବାକୁ ସେଦିନ ଟିକିଏ ଡେରି ହୋଇଯାଇଥାଏ ମୋର । ପହଞ୍ଚି ଦେଖିଲି ସଦର ଦୁଆର ଖୋଲା । ଘରେ ଆଲୁଅ ଜଳୁନି । ଚାରିଆଡ଼େ ଚୁପ୍ ଚାପ୍ । ଶୂନ୍ ଶାନ୍ । କିଛି ବୁଝି ପାରିଲିନି । ଅଭ୍ୟାସ ମୁତାବକ କଲିଂ ବେଲଟା ଚାପି ଧରିଲି । ଭିତର ଘରର ଆଲୁଅ ଜଳିଲା । ମୁଁ ଘର ଭିତରେ ପାଦ ଦେଲି । ଭିତର ଘରୁ ସୁଜାତା ଦେବୀ ବାହାରି ଆସିଲେ । ଏ କଣ ? ସୁଜାତା ଦେବୀଙ୍କର ମୁଣ୍ଡର ବାଳ ସବୁ ଅବିନ୍ୟସ୍ତ ଭାବେ ମୁହଁ ଉପରେ ବିଞ୍ଚି ହେଇ ପଡ଼ିଛି । କାନ୍ଦି କାନ୍ଦି ଆଖି ଫୁଲି ଯାଇଛି । ଅସଂଯତ ଶାଢ଼ୀର କାନି ଭୂଇଁରେ ଲୋଟୁଛି । ସୁଜାତା ଦେବୀଙ୍କୁ ଏ ଅବସ୍ଥାରେ ଦେଖି ମୋ ପାଟିରୁ ବାହରି ଆସିଲା-ଏ କଣ ? ବାପି କାଇଁ ? କଣ ହେଇଛି ଆପଣଙ୍କର ?

 

କଣ ହେଇଚି ଦେଖିବେ ? ସୁଜାତାଦେବୀ ରାଗରେ, ଯନ୍ତ୍ରଣାରେ, ଦୁଃଖରେ ଚିତ୍‌କାର କରି ଉଠିଲେ । ତା’ପରେ ଦଉଡ଼ି ଦଉଡ଼ି ଯାଇ ବାହାର କବାଟକୁ ଧଡ଼ କରି ବନ୍ଦ କରି କବାଟରେ ପିଠି ରଖି ମୋ ଆଡ଼କୁ ବୁଲି ପଡ଼ିଲେ । ଦେହ ଉପରର ଶାଢ଼ୀ ଖସିଯାଇ ଭୂଇଁରେ ଲୋଟୁଛି ।

 

ଆଃ ! ଚିତ୍‌କାର କରି ମୁଁ ଆଖି ବନ୍ଦ କରିଦେଲି । ସୁଜାତା ଦେବୀଙ୍କ ବେକରେ, ଛାତିରେ, ଚେକା ଚେକା ପୋଡ଼ା ଘା’ । ସେଦିନ ଉପର ଓଳି ବାପି ପାଇଁ ଜଳଖିଆ ତିଆରି କରିବାକୁ ସାମାନ୍ୟ ଟିକିଏ ଡେରି ହେବାରୁ ଅନୁପମ ବାବୁଙ୍କର କ୍ରୋଧର ପରିପ୍ରକାଶ । ଆଉ ତା’ପରେ ବାହାରେ ଜଳଖିଆ ଖୁଆଇବେ କହି ବାପିକୁ ନେଇ ବାହାରି ଯାଇଛନ୍ତି । “ମତେ ନେଇ ଚାଲନ୍ତୁ । ଏ ନର୍କ ଭିତରୁ ମତେ ବାହାରକୁ ନେଇ ଚାଲନ୍ତୁ । ମୁଁ ଏଠି ବଞ୍ଚି ପାରିବିନି ।” ମୋ ଛାତି ଉପରେ ମୁହଁ ଘଷି ଘଷି ସୁଜାତା ଦେବୀଙ୍କର ମୋ ପାଖରେ ଆକୁଳ ଆକୁତି ।

 

ମୁଁ ଯେତେବେଳକୁ ସ୍ଥାଣୁ ପାଲଟି ଯାଇଛି । ଆଖି ଆଗରେ ଗୋଟାଏ ପୂର୍ଣ୍ଣ ଦୈର୍ଘ୍ୟର ଚଳଚ୍ଚିତ୍ର ଅତି ଦ୍ରୂତଗତିରେ ପ୍ରଦର୍ଶିତ ହେଇ ଯାଉଛି । ମାତ୍ର କେଇଟା ସେକେଣ୍ଡ । ତା’ପରେ ସୁଜାତା ଦେବୀଙ୍କ ଦେହଟା ଦୁଇ ହାତରେ ଜାବୁଡ଼ି ଧରି ବିଛଣାରେ ଆଣି ଶୁଆଇ ଦେଲି ତାଙ୍କୁ । ବ୍ରାକେଟରେ ଝୁଲୁଥିବା ତଉଲିଆଟା ଓଦା କରି ଆଣି ଲାଲ ପଡ଼ିଯାଇଥିବା ମୁହଁଟା ପୋଛି ଦେଲି । ଘରର ଫ୍ୟାନ୍‌କୁ ଫୁଲ୍ ସ୍ପିଡ଼୍‌ରେ ଖୋଲି ଦେଇ ଚୁପ୍ ହେଇ ଠିଆ ହେଲି ଖଟ ପାଖରେ । ସୁଜାତା ଦେବୀ ଲାଜରେ, ଦୁଃଖରେ, ଯନ୍ତ୍ରଣାରେ ଆଖିବୁଜି ଚିତ୍ ହୋଇ ଶୋଇ ରହିଲେ ।

 

ଆଃ, ଏଇ ମୁହୂର୍ତ୍ତରେ କେହି ଯଦି ସୁଜାତା ଦେବୀଙ୍କୁ ଟିକିଏ ଆଦର କରନ୍ତା । ସୁଜାତା ଦେବୀଙ୍କର ଓଠରେ ସ୍ନେହର ଚୁମାଟିଏ ଆଙ୍କି ଦିଅନ୍ତା, ସୁଜାତା ଦେବୀଙ୍କର ମାଆ ହେବାର କ୍ଷମତା ଫେରାଇ ଦିଅନ୍ତା । ମୁଁ ଯଦି ଅନୁପମ ବାବୁ ହେଇ ଯାଇ ପାରନ୍ତି । .... ଭଲ ପାଇ ବସିଲି । ସେଇ ମୁହୂର୍ତ୍ତରେ ମୋ ଠାରୁ ଚାରି ପାଞ୍ଚ ବର୍ଷ ବଡ଼ ସୁଜାତା ଦେବୀଙ୍କୁ ଭଲ ପାଇ ବସିଲି ।

 

ନିଦରେ ଶୋଇ ଯାଇଥିଲେ ସୁଜାତା ଦେବୀ । ମୁଁ ଆସ୍ତେ ଆସ୍ତେ ବାହାରକୁ ବାହାରି ଆସିଲି । ବାହାର କବାଟରେ ତଳ ଛିଟିକିଣି ତଳକୁ ଖସେଇ ଦେଇ ବାହାର ପଟୁ ଟାଣି ଦେଲି । ଭିତରୁ କବାଟଟା ବନ୍ଦ ହୋଇଗଲା ।

 

ରାତିସାରା ଛଟପଟ ହେଲି ଏକ ଅବ୍ୟକ୍ତ ଯନ୍ତ୍ରଣାରେ । ସକାଳ ହେଲାରୁ ଦଉଡ଼ିଗଲି ଅନୁପମବାବୁଙ୍କ ଘରକୁ । ସୁଜାତା ଦେବୀଙ୍କୁ ନର୍କରୁ ଉଠେଇ ଆଣିବାକୁ ପଡ଼ିବ । ତାଙ୍କୁ ବଞ୍ଚେଇବାକୁ ପଡ଼ିବ । ଅସୁରପୁରୀରୁ ରାଜକୁମାରୀ ଉଦ୍ଧାର କରିବାକୁ ପଡ଼ିବ ।

 

-ହେଲେ ଡେରି ହୋଇଯାଇଥିଲା । ଅନେକ ଡେରି । ଅନୁପମବାବୁ ଘର ଆଗରେ ଅନେକ ଭିଡ଼ । ଚାରିଆଡ଼େ ଚାପା ଗୁଞ୍ଜନ । ଭିଡ଼ ଠେଲି ଭିତରକୁ ପଶିଲି । ସୁଜାତାଦେବୀଙ୍କର ନିଥର ଦେହଟା ଖଟ ଉପରେ ଗୋଟାଏ ଧଳା ଚଦରରେ ଘୋଡ଼ା ହୋଇ ରହିଛି । ସୁଜାତା ଦେବୀ ଶୋଇଛନ୍ତି-କାଲି ରାତିରେ ମୁଁ ଯେମିତି ତାଙ୍କୁ ଶୁଆଇ ଦେଇଥିଲି, ସେମିତି । ଚିତ୍ ହୋଇ... । କାଲି ରାତିରେ ସିଲିଂ ଫ୍ୟାନରେ ଝୁଲି ସୁଜାତା ଦେବୀ ସବୁଦିନ ପାଇଁ ଶୋଇ ଯାଇଛନ୍ତି । ଅସୁର ଆଖିରେ ପାଣି । ଅନୁପମ ବାବୁ କାନ୍ଦୁଛନ୍ତି । ଦେଖ ଦେଖ ତମ ପାଇଁ ଅନୁପମ ବାବୁ କାନ୍ଦୁଛନ୍ତି ।

 

॥ ୧୦ ॥

 

ସନ୍ଧ୍ୟା ବେଳଟା ଫାଙ୍କା । ଏକଦମ ଫାଙ୍କା । ଅନୁପମବାବୁଙ୍କ ଘରେ ପାଠ ପଢ଼େଇବା କାମ ଛାଡ଼ି ଦେଲା ପରେ ସନ୍ଧ୍ୟାଟା ମୋ ପାଖରେ ଏକଦମ ଫାଙ୍କା ହୋଇଗଲା । ତେଣୁ ସଞ୍ଜ ହେଲେ ବୁଲିବାକୁ ବାହାରି ପଡ଼େ । ଦେଖିବାକୁ ଯାଏଁ ସେଇ ପାର୍କ, ଯେଉଁଠି ଝଙ୍କାଳିଆ ଗଛ ମୂଳରେ ବସି ମୁଁ ଦିନେ ବୁଟ ଛତୁ ଖାଉଥିଲି, ସିଆଲଦା ଷ୍ଟେସନ, ଅତୀତରେ ଯେଉଁଠି ବେଞ୍ଚରେ ଶୋଇ ରାତି କଟେଇ ଥିଲି । ଅନ୍ୟ କେହି ଶୋଇଥିବାର ଦେଖିଲେ ଇଚ୍ଛା ହୁଏ ଶୋଇଥିବା ଲୋକର ମୁହଁଟା ଥରେ ଦେଖିବା ପାଇଁ । କଲେଜ ଷ୍ଟ୍ରିଟ୍ ଫୁଟପାଥର ବହି ଦୋକାନ । ଯେଉଁଠି ଦିନେ ଚାରିଟଙ୍କାର ବହିକୁ ଟଙ୍କାକରେ ବିକି ଆଠଦିନର ଖାଇବା ଖର୍ଚ୍ଚ ଉଠାଉଥିଲି । ଖୋଜି ବୁଲିଲି ମୁଁ ବିକିଥିବା ସେଇ ବହିଗୁଡ଼ାକୁ । ସେଗୁଡ଼ା କଣ ଏ ଯାଏ ଥିବ ? ଯଦି ନ ଥିବ ତେବେ କେତେ ଟଙ୍କାରେ ବିକିଥିବ ସେଇ ବହିଗୁଡ଼ାକୁ ବହି ଦୋକାନୀ ? ଏମିତି ନାନା ପ୍ରଶ୍ନ ମନ ଭିତରେ ଉଙ୍କି ମାରେ । ଫୁଟପାଥକୁ ଲାଗି ଲଟା ସିମେଣ୍ଟର ଅଧା କାନ୍ଥି । ତା ଉପରକୁ ଲୁହା ଛଡ଼ ଦେଇ ପାଚେରୀ । ଆଉ ସେଇ ପାଚେରୀ ଦେହରେ ଧାଡ଼ିବନ୍ଧା ବହି ଦୋକାନ । ଠିକ୍ ଦୋକାନ ନୁହେଁ, ଫୁଟ୍‌ପାଥ୍‌ର ଅଧା ଦଖଲ କରି ବହିମାନେ ଗୋଟାକ ଉପରେ ଗୋଟାଏ ଅଧା ଚଢ଼ି ଚଢ଼ି କିଛି ଶୋଇଛନ୍ତି ତ କିଛି ଲୁହା ରେଲିଂରେ ବନ୍ଧା ହୋଇଥିବ । ସୂତା ଦଉଡ଼ିର ଫାଙ୍କ ଭିତରେ ରହି ବାଟୋଇ ମାନଙ୍କୁ ବଲବଲ କରି ଚାହିଁ ଥାଆନ୍ତି । ଜାତିଭେଦ, ସମାଜ ଭେଦ, ଉଚ୍ଚ, ନୀଚ ଭାବ ସେମାନଙ୍କ ଭିତରେ ନାହିଁ । ଆଇନ୍‌ଷ୍ଟାଇନ୍‌ଙ୍କ କଡ଼କୁ ସଚିତ୍ର ଯୌନ ବିଜ୍ଞାନ । ରାମକୃଷ୍ଣ କଥାମୃତ କଡ଼କୁ କାର୍ଲମାର୍କସ । ଦିଲ୍ଲୀର କିଛି ହୋଟେଲରେ ଦେଖିଛି କୁକୁଡ଼ାମାନଙ୍କ ଛାଲ ଛଡ଼େଇ ସେମିତିକା ଗୋଟା ଅବସ୍ଥାରେ ମସଲା ଗୋଳି ଲୁହାଛଡ଼ ଭିତରେ ଗୁନ୍ଥି ଦଶ ତିରିଶଟାକୁ ଏକା ସାଙ୍ଗରେ ଟାଙ୍ଗି ରଖିବା । କୁକୁଡ଼ା ପାଳି ବଡ଼ କରି ତାକୁ ବିକି ଦେଇଥିବା ଲୋକ ଯେତେ ଚେଷ୍ଟା କଲେ ବି ହୋଟଲରେ ଟଙ୍ଗା ହୋଇଥିବା କୁକୁଡ଼ାମାନଙ୍କ ଭିତରୁ ଆଉ କଣ ନିଜ କୁକୁଡ଼ାଟିକୁ ଚିହ୍ନି ପାରିବ ? ମୁଁ ସେମିତି ଉପରର ପ୍ରଚ୍ଛଦ ଚିରା ହେଇ ମୋଟା ହଳଦିଆ କାଗଜରେ ମଲାଟ ଲାଗି, ତା ଉପରେ କଳା କାଳିରେ ଲେଖା ହୋଇଥିବା ବହିର ନାଁ ଥିବା ହଜାରେ ହଜାର ବହିମାନଙ୍କ ଭିତରୁ ମୋ ବହିକୁ ପାଇ ପାରି ନଥିଲି ସେଦିନ । ହେଲେ ଏହି ବହି ରାଜ୍ୟରେ ଘୂରି ବୁଲିବାକୁ ଭଲ ଲାଗୁଥିଲା ସବୁଠାରୁ ବେଶି । ତେଣୁ ବେଶିଗୁଡ଼ାକ ସନ୍ଧ୍ୟା ଏହି କଲେଜ୍‌ଷ୍ଟ୍ରୀଟ୍‌ରେ ହିଁ କଟୁଥିଲା । ସେଦିନ ବି ସେମିତି ଠିଆ ହୋଇଥିଲି ବହିମାନଙ୍କ ମୁହଁକୁ ଅନେଇ । ଗୋଟାଏ ବହି ଭିତରକୁ ଆଉ ଗୋଟାଏ ବହିର ଅଧା ପଶିଯାଇଚି । ଆଉ ସେଇ ଅଧା ପଶି ଯାଇଥିବା ବହିଟି ଉପରେ ଗୋଟାଏ ଛବି, ଛବିଟା ଯେତିକି ଦିଶୁଛି ସେଥିରେ ତା ପର ଟିକକ ଦେଖିବା ପାଇଁ ଆଗ୍ରହ ବଢ଼ୁଛି । ଉପର ବହିଟା ଉଠେଇ ତଳ ବହିର ଛବିଟା ଦେଖିବା ପାଇଁ ହାତ ବଢ଼େଇଲା ବେଳକୁ ପଛରୁ କିଏ କହି ଉଠିଲା-ଆଜ୍ଞା ଟିକେ ଶୁଣିବେ ? ବୁଲି ପଡ଼ି ଅନେଇଲି । ଗୋଟିଏ ଝିଅ । ସବୁଜ ରଙ୍ଗର ଶାଢ଼ୀ ସାଙ୍ଗକୁ ସବୁଜ ରଙ୍ଗର ହାତକଟା ବ୍ଳାଉଜ, ଆଧୁନିକ ଢଙ୍ଗରେ ବାଳ ସଜଡ଼ା ହେଇଛି । ଦେହରୁ ଅତରର ବାସ୍ନା । ମୁଁ ବୁଲିପଡ଼ି ତାଙ୍କ ଆଡ଼କୁ ଅନେଇଲାରୁ ସେ କହିଲେ-‘ଆପଣଙ୍କୁ ମୋର କିଛି କହିବାର ଥିଲା ।” ମୁଁ ତାଙ୍କ ପାଖକୁ ଚାଲି ଆସିଲି । ତାପରେ ସେ ରାସ୍ତାର ଜନସ୍ରୋତ ଆଡ଼କୁ ଆଙ୍ଗୁଳି ଦେଖାଇ କହିଲେ-ଦୁଇଜଣ ଟୋକା ମତେ ଅନୁସରଣ କରୁଛନ୍ତି । ମତେ ଟିକେ ଘରେ ପହଞ୍ଚିବା ପାଇଁ ସାହାଯ୍ୟ କରିପାରିବେ । ମୁଁ ସେ ଆଙ୍ଗୁଳି ଦେଖାଇଥିବା ଦିଗକୁ ଥରେ ଆଖି ପକେଇଲି । ରାସ୍ତାର ଜନସ୍ରୋତ ଭିତରେ ତାଙ୍କୁ ଅନୁସରଣ କରୁଥିବା ଟୋକା ଦି’ଜଣକୁ ନ ଦେଖି ପାରିଲେ ବି ଜାଣିଲି ନିଶ୍ଚୟ ସେମାନେ ଅଛନ୍ତି । ତାଙ୍କ ହାତରୁ ଝିଅଟିକୁ ରକ୍ଷା କରିବାକୁ ପଡ଼ିବ । ହଠାତ୍ ମନେ ହେଲା ଝିଅଟି, ମୁଁ ଏବଂ ଅନୁସରଣ କରୁଥିବା ଟୋକା ଦି’ଜଣଙ୍କୁ ନେଇ ଏଇ ମୁହୂର୍ତ୍ତରେ ଯେଉଁ ନାଟକୀୟ ପରିସ୍ଥିତି ସୃଷ୍ଟି ହୋଇଚି, ସେଥିରେ ମୁଁ ନାୟକର ଭୂମିକାରେ ଅଭିନୟ କରୁଚି । ଝିଅଟିକୁ ପ୍ରଶ୍ନ କଲି-କୁହନ୍ତୁ, କେଉଁଠି ଆପଣଙ୍କୁ ଛାଡ଼ି ଦେଇ ଆସିବି ? ସେ କହିଲେ-ପାର୍କ ସାର୍କାସ । ମୁଁ ଟ୍ୟାକ୍‌ସି ଡାକିବା କଥା ଭାବିଲା ବେଳକୁ ଝିଅଟି କହିଲା-କଣ ଦରକାର, ଆସନ୍ତୁ, ଟ୍ରାମରେ ଯିବା । ଆମେ ରାସ୍ତା ଡେଇଁ ଆର କଡ଼କୁ ଗଲୁ । ଟ୍ରାମ୍ ଆସିଲା । ଗୋଟାଏ ଲେଡ଼ିସ୍ ସିଟ୍ ଫାଙ୍କା ମିଳିଲା । ପୁରା ସିଟ୍‌ଟା ଖାଲି । ଝିଅଟି ବସି ପଡ଼ି ମତେ ତା ପାଖ ସିଟ୍‌ରେ ବସିବାକୁ କହିଲା । ମୁଁ ବସିଲି । ପାଖା ପାଖି ଦେହକୁ ଲଗାଲଗି ହୋଇ । ପଢ଼ିଥିବା ଉପନ୍ୟାସ ବା ଗଳ୍ପର କାହାଣୀ ଭଳି ମନେ ମନେ ନିଜକୁ ନେଇ ଅନେକ ସ୍ଵପ୍ନର ଜାଲ ବୁଣି ଚାଲିଲି । ଝିଅଟିକୁ ନେଇ ତାଙ୍କ ଘର ସାମ୍ନାରେ ଛାଡ଼ି ଦେଇ ମୁଁ କହିବି-ମୁଁ ତାହାହେଲେ ଆସୁଛି । ଝିଅଟି କହିବ ନା, ନା, ସେ କଥା କେମିତି ହବ ? ଆପଣ ଭିତରକୁ ଚାଲନ୍ତୁ । ମୋ ବାପା, ମାଆଙ୍କ ସାଙ୍ଗରେ ଆପଣଙ୍କର ପରିଚୟ କରେଇ ଦେବି ।

 

ମୁଁ ତା ସାଙ୍ଗରେ ଘର ଭିତରକୁ ଯିବି ।

 

ମତେ ଦାଣ୍ଡ ଘରେ ବସେଇ ଦେଇ ଝିଅଟି ତା ବାପାଙ୍କୁ ଡାକ ପକେଇବ । ବାପା ଆସିବେ । ଝିଅଟି ତା ବାପାଙ୍କୁ ତାର ବିପଦ କଥା ସବୁ କହିବ । ତାପରେ ମତେ ଦେଖେଇ କହିବ-। ଏଇ ମତେ ଆଜି ସେଇ ବିପଦରୁ ବଞ୍ଚେଇଛନ୍ତି । ତାଙ୍କ ବାପା ଭଦ୍ରଲୋକ ଜଣକ ମୋର ନାଆଁ ଗାଁ ପଚାରିବେ । ମୁଁ କ’ଣ କରୁଛି ତା’ ବି ପଚାରିବେ । ଝିଅଟି ଯେତେବେଳେ ଜାଣିବ ମୁଁ ଶିଳ୍ପୀ, ସେ ମୋ ପ୍ରତିଭା ପ୍ରତି ଆକୃଷ୍ଟ ହେବ । ତା’ପରେ ଚାହା ଜଳଖିଆ, ଥରକୁ ଥର ତାଙ୍କ ଘରକୁ ଯିବା ପାଇଁ ଆମନ୍ତ୍ରଣ ।

 

ଟ୍ରାମ୍ ଆସି ଧର୍ମତଲା ଛକ ପାଖରେ ପହଞ୍ଚିଗଲା । ଏଇଠୁଁ ଆଉ ଗୋଟାଏ ଟ୍ରାମ୍‌ରେ ଯିବାକୁ ପଡ଼ିବ । ଆମେ ଟ୍ରାମ୍ ବଦଳାଇଲୁ । ପାର୍କ ସର୍କାସ୍ ଛକରେ ଆସି ଟ୍ରାମ୍ ରହିଲା । ଆମେ ଟ୍ରାମ୍‌ରୁ ଓହ୍ଲେଇଲାପରେ ଝିଅଟିକୁ ତାଙ୍କର ଘରର ବାଟ ପଚାରିଲି । ଝିଅଟି କହିଲା ପାର୍କଟାର ଆର କୋଣରେ ।

 

ଆସନ୍ତୁ, ପାର୍କ ଭିତର ଦେଇ ଚାଲି ଚାଲି ଯିବା, ରାସ୍ତା କମ୍ ପଡ଼ିବ, ପାର୍କ ଭିତରଟା ଆଲୁଅ ନାହିଁ, ଅନ୍ଧାର । ତେବେ ବି ସେ ଯେତେବେଳେ କହୁଛି ଯିବାରେ ଆସୁବିଧା କଣ ? ତେଣୁ ଆମେ ଦୁଇଜଣ ଅନ୍ଧାର ଭିତରେ ପାଖାପାଖି ଚାଲିବାରେ ଲାଗିଲୁ । ପାର୍କ ଭିତରେ କିଛି ବାଟ ଗଲାପରେ ଝିଅଟି ଗୋଟାଏ ହିନ୍ଦି ଫିଲ୍ମର ଗୀତ ଗୁଣୁ ଗୁଣୁ ହୋଇ ବୋଲିବାକୁ ଲାଗିଲା । ତା’ପରେ ହଠାତ୍ ମୋ ହାତଟାକୁ ଚାପିଧରି କହିଲା, ପକେଟରେ ଯାହା ଅଛି ବାହାର କରନ୍ତୁ । ମୁହୂର୍ତ୍ତକ ପାଇଁ ମନେ ହେଲା, ଗୋଡ଼ ଦୁଇଟା ମୋର ଅବଶ ହୋଇ ଯାଇଚି, ଗଳାରେ ସ୍ଵର ବି ହଠାତ୍ କେମିତି ବଦଳି ଯାଇଛି । ମୁଁ କଣ କହୁଛି ମୁଁ ନିଜେ ବୁଝି ପାରୁନି ।

 

ସତରେ କିଛି କହୁଥିଲି କି ନା ଆଜି ମନେ ପଡ଼ୁନି । ତା ହାତଟା ଖୁବ୍ ଗରମ ଲାଗୁଛି । ଦେହର ଉତ୍ତାପ ଯେ ମୋର ମୁହୂର୍ତ୍ତକ ଭିତରେ ଏତେ କମିଯିବ ମୁଁ ଭାବି ପାରି ନ ଥିଲି । ସାର୍ଟର ଛାତି ପକେଟରେ ହାତ ଭର୍ତ୍ତି କରି ଯାହା ପାଇଲି-ଟଙ୍କା ଦଶ ପନ୍ଦରଟାରୁ ବେଶୀ ହେଇ ନ ଥିବ-ବାହାର କରି ତାକୁ ବଢ଼େଇ ଦେଲି । ସେ ମୋ ହାତ ଛାଡ଼ି ଦେଇ ଟଙ୍କା ଗୁଡ଼ା ମୁଠେଇ ଧରିଲା । ତାପରେ ପଚାରିଲା-କେତେ ଅଛି ? ହେଲେ ତାର ଉତ୍ତର ଦବା ପାଇଁ ମୁଁ ଆଉ ସେଠି ଅପେକ୍ଷା କରି ନ ଥିଲି ପଛକୁ ବୁଲି ଦଉଡ଼ିବାକୁ ଲାଗିଲି । ଅଣନିଃଶ୍ଵାସୀ ହୋଇ । ପଛରୁ ଖାଲି ଗୋଟାଏ ହସ ଶୁଭୁଥିଲା । ବିଦ୍ରୂପର ହସ । ଏ ଘଟଣାର ଅନେକ ଦିନ ପରେ ଝିଅଟିକୁ ଆଉ ଦିନେ ଦେଖିଥିଲି କୌଣସି ଗୋଟାଏ ରେଷ୍ଟୁରାଣ୍ଟରେ ବସି ଚାହା କପେ ପିଉଛି । ଟେବୁଲ ଉପରେ ପଡ଼ିଥିବା ଖବର କାଗଜଟା ଉପରେ ଆଖି ବୁଲାଉଛି । ମୋ ସାମନା ଟେବୁଲରେ ଚଉକି ଟାଣିବାର ଶବ୍ଦରେ ମୁଣ୍ଡ ଟେକି ଦେଖିଲି, ସେଇ ଝିଅଟି । ସାଙ୍ଗରେ ଜଣେ ଭଦ୍ରଲୋକ । ଝିଅଟି ମତେ ଦେଖି ବି ନ ଥିଲା । ହୁଏତ ଚିହ୍ନି ପାରି ନ ଥିବ । ହେଲେ ମୁଁ ଭୁଲି ପାରିନି, ଭୁଲି ପାରି ନ ଥିଲି ମୋର ସେ ସ୍ଵପ୍ନକୁ-ସ୍ଵପ୍ନ ଭଙ୍ଗକୁ ।

 

॥ ୧୧ ॥

 

ମତେ ନକଲି ଅସୀମ ବସୁ ବୋଲି କହୁଥିବା ଲୋକଟି ଏଥର ମୋ ଆଡ଼କୁ ବୁଲି ମୁହାଁ ମୁହିଁ ହେଇ ବସିଲା । ଆମ ଦୁଇଜଣକ ମଝିରେ ଯଦି ଗୋଟାଏ କାଠର ଫ୍ରେମ୍ ଥାଆନ୍ତା ତାହେଲେ ମୁଁ ତାର ବା ସେ ମୋର ଦର୍ପଣର ପ୍ରତିବିମ୍ବ ହୋଇ ପାରନ୍ତୁ । ମୁଁ ମନେ ମନେ ଭାବୁଥିବା କଥାଗୁଡ଼ାକ ସେ ମୁହଁ ଖୋଲି କହି ପକେଇଲା-

 

-ଆମ ଦୁଇଜଣ ମଝିରେ ଗୋଟାଏ ଫ୍ରେମ୍ ଥିଲେ ତମେ ମୋର ପ୍ରତିବିମ୍ବ ହେଇ ଯାଆନ୍ତା ।

 

ଥାନା, ଜେଲ, କଚେରି, ଇନ୍‌ସିଓରେନ୍‌ସ ଅଫିସରେ ଗୋଟାଏ ଲୋକଠାରୁ ଅନ୍ୟଜଣକୁ ଅଲଗା କରିବା ପାଇଁ ଦେହର କେଉଁଠି ନା କେଉଁଠି ଥିବା ଗୋଟାଏ ଚିହ୍ନ ଖୋଜି ବାହାର କରି ଟିପି ରଖନ୍ତି । ମୁଁ ଯଦି ସେମିତି କିଛି ଗୋଟାଏ ଚିହ୍ନ ମୋ ଦେହରେ ପାଇ ପାରନ୍ତି–ଯାହା ତା ଦେହରେ ନାହିଁ ତା ହେଲେ ଏଇ ମୁହୂର୍ତ୍ତରେ ଚିତ୍କାର କରି କହନ୍ତି ତମେ ନୁହଁ, ତମେ ନୁହଁ ଅସଲି ଅସୀମ ବସୁ ମୁଁ ।

 

ହେଲେ ପାଇ ପାରିଲିନି । ମୋ ନଜରରେ ଏମିତି ଚିହ୍ନ ତା ଦେହରେ ଦେଖିବାକୁ ପାଇଲିନି ଯାହା ମୋ ଦେହରେ ନାହିଁ । ତେଣୁ ତା କଥା ଶୁଣି ଗୁମ୍ ମାରି ବସି ରହିବା ଛଡ଼ା ମୋର ଆଉ କିଛି କରିବାର ନ ଥିଲା । ଲୋକଟା ହଠାତ୍ ତା ବେକଟାକୁ ମୋ କାନ ପାଖକୁ ଲମ୍ବେଇ ଆଣି ଚୁପ୍ ଚୁପ୍ କରି କହିଲା–ଆଖି କାନ ଭଳି ହୃଦୟ ବି ଖୋଲା ରଖ; ଅନେକ ଦେଖିବ, ଅନେକ ଜାଣିବ, ଅନେକ ଚିହ୍ନିବ ।

 

ହୃଦୟର ଦୁଆର ଖୋଲି ରଖିଥିଲି ବୋଲି ସିନା ସେଦିନ ସୀତାକୁ ଚିହ୍ନିଲି । ଶୁଣିବ ତା କଥା ? ମୁଁ ଶୁଣିବି କି ନାହିଁ ସେ କଥା କାହିଁକି ଲୋକଟା ପଚାରିଲା ମୁଁ ଜାଣେନି । ହୁଏତ କଥାର ଖିଅ ଧରିବା ପାଇଁ ତାର ଏ ପ୍ରଶ୍ନ । ସେ ଯେତେବେଳେ ମତେ ତାର ନକଲ ବୋଲି ଧରି ନେଇଚି-ଯେତେବେଳେ ମୋ କଥା–ମୋ ଅଭିଜ୍ଞତା–ମୋ ଲାଭ କ୍ଷତିର ଖତିଆନ୍ ମୋରି ଆଗରେ ମେଲି ଧରି ତା କଥା ତା ଅଭିଜ୍ଞତା, ତା ଲାଭ କ୍ଷତିର ଖତିଆନ୍ ବୋଲି ମତେ ଶୁଣେଇ ଚାଲିଚି, ମୁଁ ଶ୍ରୀ ଅସୀମ ବସୁ–ପିତା ସ୍ଵର୍ଗତଃ ମୋତିଲାଲ୍ ବସୁ, ସାକିନ୍ କଖଡ଼ା, ଜିଲ୍ଲା–ବାଲେଶ୍ଵର, ଆଖି, କାନ, ହୃଦୟ ଖୋଲା ରଖି ଆଉ ନୂଆ କରି କଣ ବା ଜାଣନ୍ତି–କଣ ଦେଖନ୍ତି, ଯାହା ସେ ଦେଖିନି ବା ଜାଣିନି ? ବିଶ୍ଵ କବି ରବୀନ୍ଦ୍ର ନାଥଙ୍କର ଗୋଟିଏ ଗଳ୍ପରେ ‘ଖାଲି ବଞ୍ଚି ରହିଛି’ ଏଇ ଟିକକ ପ୍ରମାଣ କରିବା ପାଇଁ କାହାଣୀର ନାୟିକାକୁ ଆତ୍ମହତ୍ୟା କରିବାକୁ ପଡ଼ିଥିଲା । ହେଲେ ଏଠି ମୁଁ ମରିଗଲେ ବି କଣ ପ୍ରମାଣ କରି ପାରିବି ଯେ ମୁଁ ମୁଁ ? ତେଣୁ ତା କଥାର କିଛି ଉତ୍ତର ନ ଦେଇ ଚୁପ୍ ହେଇ ରହିବା ଛଡ଼ା ମୋର ଆଉକିଛି କହିବାର ନ ଥିଲା । ତା’କଥା ଶୁଣିବା ଛଡ଼ା ମୋର ଆଉ କିଛି କରିବାର ନ ଥିଲା ।

 

“ସୀତାକୁ ମୁଁ ବି କଣ ଚିହ୍ନିଥିଲି ? ସ୍ଵଦେଶ ମତେ ଚିହ୍ନେଇ ଦେଇଥିଲା ।” ଲୋକଟା କହିବାକୁ ଲାଗିଲା । ଦୁଇଶହ ଚଉତିରିଶ, ବହୁବଜାର ଷ୍ଟ୍ରୀଟ୍‌ରେ ମୋ କଲେଜ ସାଙ୍ଗ ସ୍ଵଦେଶ ଦତ୍ତ ଦିନେ ତାର ସତରଞ୍ଜି ଗୁଡ଼ା ହୋଇଥିବା ବିଛଣା ଆଉ ଟିଣ ଟ୍ରଙ୍କ ଧରି ଆସି ହାଜର ହେଲା । ଗୋରା, ଡେଙ୍ଗା, ହାଡ଼ୁଆ ଦେହ । ଛାମୁଦାନ୍ତ ଦିଟା ପଦାକୁ ବାହାରି ଆସିଛି । ବୟସ ମୋ ଠାରୁ ପାଞ୍ଚ ସାତ ବର୍ଷ ଅଧିକ ହେବ । ପୂର୍ବ ବଙ୍ଗଳାର ରିଫିଉଜି ।

 

ରିଫିଉଜି ମାନଙ୍କ ପାଇଁ ସାତ ଖୁନ୍ ମାଫ୍ । ତେଣୁ ବୟସ କଲେଜରେ ଭର୍ତ୍ତି ହେବାକୁ ବାଧାର ପାଚେରି ହେଲାନି । ଆର୍ଟ କଲେଜରେ ପଢ଼ିବା ପାଇଁ ନିମ୍ନତମ ଶିକ୍ଷାର ଅଭାବ ମଧ୍ୟ ବାଟ ରୋକିଲାନି ଆର୍ଟ କଲେଜରେ ଭର୍ତ୍ତି ହେବା ପାଇଁ ।

 

ଏମିତି ଅନେକ ଲୋକ ଅଛନ୍ତି ଯାହାଙ୍କୁ ଦେଖିଲେ ଅନ୍ତରଙ୍ଗ ହେବାପାଇଁ ମନ ବଳାଏନି । ଏମିତି ଅନେକ ଚେହେରା ଅଛି ଯାହାଙ୍କ ସାନ୍ନିଧ୍ୟ କଷ୍ଟଦାୟକ । ସ୍ଵଦେଶର ସାନ୍ନିଧ୍ୟ ପ୍ରଥମେ ପ୍ରଥମେ ମୋ ପାଖରେ ସେମିତି କଷ୍ଟଦାୟକ ଥିଲା । ହେଲେ ସେଇ ସ୍ଵଦେଶ ଦିନେ ମୋର ଅତି ଆପଣାର ହେଲା । ପରସ୍ପର ପରସ୍ପରର ଘନିଷ୍ଠ ବନ୍ଧୁ ହେଲୁ । ଯେଉଁ ଚେହେରା ଦିନେ ମତେ ମାନସିକ ଅସ୍ଵସ୍ତି ଦେଉଥିଲ-ପରବର୍ତ୍ତୀ କାଳରେ ସେଇ ଚେହେରାକୁ ଦେଖିବାକୁ ନ ପାଇଲେ ମୁଁ ନିଜ ଭିତରେ ଗୋଟାଏ ଅଭାବ ବୋଧ ଅନୁଭବ କରୁଥିଲି ।

 

ଦୁଇଶହ ଚଉତିରିଶ ନମ୍ବର ବହୁବଜାର ଷ୍ଟ୍ରୀଟ୍‌ର ବସାଘରେ ପାଖାପାଖି ବିଛଣା ପାରି ଆମେ ଶୋଇଲୁ । ସେ ଆଣୁଥିବା ପାଞ୍ଚ, ଦଶ, ପନ୍ଦର ଟଙ୍କା ମଜୁରୀର ସାବୁନ ଖୋଳ, ବିସ୍କୁଟ କଭର, ଦିଆସିଲି ଲେବୁଲର ଅର୍ଡ଼ରକୁ ଗୋଟାଏ ଢାବଲର ଦି ପାଖରେ ବସି ମଝିରେ ମହମ ବତୀ ଥୋଇ ରାତିସାରା ଅନିଦ୍ରା ରହି ଡିଜାଇନ କଲୁ ଆଉ ସେଇ ରୋଜଗାରରେ କାଗଜ, ପେନସିଲ୍‍, ରଙ୍ଗ କିଣିଲୁ–ହିନ୍ଦ୍ ସିନେମାରେ ପାଖା ପାଖି ବସି ‘ନାଗିନ୍’ ଦେଖିଲୁ । ମିନର୍ଭାରେ ‘ଆଣ୍ଡ ଗଡ଼ କ୍ରିୟେଟେଡ଼୍ ଓମେନ୍’ ଦେଖିଲୁ । ସ୍ଵଦେଶର ଚେହେରାଟାକୁ ମୁଁ ଭଲ ପାଇ ବସିଲି । ଏତେ ଆପଣାର ଏତେ ପାଖ ଲୋକ ହେଇ ବି ସ୍ଵଦେଶ କିନ୍ତୁ ବେଳେ ବେଳେ ମୋ ଠାରୁ ଅଲଗା ହେଇ ଯାଉଥିଲା । ତାର ଗୋଟାଏ ନିଜସ୍ୱ ଜଗତ ଥିଲା–ଯାହାର ସନ୍ଧାନ ଅନେକ ଦିନଯାଏ ମୋତେ ସେ ଦେଇ ନ ଥିଲା । ବେଳେ ବେଳେ ସେ କିଛି ମୁହୂର୍ତ୍ତ ପାଇଁ ଅଜ୍ଞାତବାସ ବରି ନେଉଥିଲା । ଦିନେ ଦିନେ ହଠାତ କୁଆଡ଼େ ଉଭେଇ ଯାଇ, ରାତି ଅଧରେ ଆସି ମୋ ବିଛଣା କଡ଼ରେ ବିଛଣା ପାରି ଶୋଇ ଯାଉଥିଲା । ତାର ସେଇ ନିରୁଦ୍ଦିଷ୍ଟ ଦିନ ଗୁଡ଼ାକର ଏକାକୀତ୍ଵବୋଧ ମତେ ଘାରି ରଖୁଥିଲେ ବି ମୁହଁ ଖୋଲି କେବେ ତାକୁ ପଚାରିନି ସେ କୁଆଡ଼େ ଯାଏ, କାହିଁକି ଯାଏ ବୋଲି ।

 

ହେଲେ ଯେଉଁଦିନ ସୀତାର ନିରାବରଣ ଦେହଟା କଲେଜର ମଡ଼େଲ ଷ୍ଟାଣ୍ଡ ଉପରେ ମୁର୍ଚ୍ଛା ହେଇ କଚାଡ଼ି ପଡ଼ିଲା, ସେଦିନ ରାତିରେ ସ୍ଵଦେଶକୁ କାନ୍ଦୁଥିବାର ମୁଁ ଦେଖିଥିଲି । କଲେଜର ମଡ଼େଲ୍ ଝିଅ ସୀତା । ଦିନକୁ ଦଶଟଙ୍କା ମଜୁରୀରେ ତିରିଶ, ଚାଳିଶ ଜଣ ଛାତ୍ର ଛାତ୍ରୀଙ୍କ ସାମନାରେ ନିରାବରଣ ହେଇ ଠିଆ ହେବାକୁ ପଡ଼ୁଥିଲା ତାକୁ ।

 

ସେଦିନ ବି ସେମିତି ଅଧ୍ୟାପକଙ୍କ ନିର୍ଦ୍ଦେଶରେ କୌଣସି ଏକ ବିଶେଷ ଭଙ୍ଗୀମାରେ ଠିଆ ହେଇଥିଲା ସୀତା । ସମସ୍ତେ ନିଜ ନିଜ ବୋର୍ଡ଼ରେ କାଗଜ ଲଗେଇ ଆଙ୍କି ଚାଲିଥିଲେ ସୀତାର ସେହି ଭଙ୍ଗିମାକୁ । ହଠାତ୍ ସୀତା ଗଛ କାଟିଲା ଭଳି କଚାଡ଼ି ହେଇ ପଡ଼ିଲା ମଡ଼େଲ ଷ୍ଟାଣ୍ଡ ଉପରେ । ପ୍ରଥମେ ଆମେ କେହି କିଛି ବୁଝି ପାରି ନ ଥିଲୁ । ତା’ ପରେ ସମସ୍ତେ ଦଉଡ଼ି ଯାଇଥିଲୁ ସୀତା ପାଖକୁ । ଅଧ୍ୟାପକ ଜଣକ, ପାଖରେ ପଡ଼ିଥିବା ଶାଢ଼ୀଟା ଆଣି ସୀତାକୁ ଢାଙ୍କି ଦେଇଥିଲେ-। ସୀତାର ମୁହଁରେ ପାଣି ଛାଟିଲା ପରେ ସେ ଆଖି ମେଲି ଚାହିଁଲେ । ସେଦିନ କ୍ଲାସ ସେତିକିରେ ଶେଷ ହେଲା । ଆମେ ସବୁ ହଲ୍‌ରୁ ବାହାରି ଆସିଲୁ । ସୀତା ମୂର୍ଚ୍ଛା ହେଇ ପଡ଼ିଯିବାର ଘଟଣା ମୁଁ ସ୍ଵଦେଶକୁ କହିଥିଲି । କାରଣ ସ୍ଵଦେଶ ସେଦିନ କ୍ଲାସରେ ନ ଥିଲା । ପାଖ କ୍ୟାଣ୍ଟିନରେ ବସି ସମୟ କଟାଉଥିଲା । ମୋ ପାଖରୁ ସୀତା କଥା ଶୁଣିଲା ପରେ ସ୍ଵଦେଶ ହଠାତ୍ ଚଞ୍ଚଳ ହୋଇ ଉଠିଲା । କେମିତି ଗୋଟାଏ ଚାପା ଉତ୍କଣ୍ଠା ମୁଁ ତା’ ଭିତରେ ଦେଖିବାକୁ ପାଇଥିଲି । ତା’ ପରେ ସେ ଅନ୍ୟାନ୍ୟ ଅନେକ ଥର ଭଳି ନିରୁଦ୍ଦିଷ୍ଟ ହେଲା । ରାତିରେ ଖାଇ ପିଇ ମୁଁ ଶୋଇ ପଡ଼ିଥିଲି । ସ୍ଵଦେଶ କେତେବେଳେ ଫେରିଛି ମୁଁ ଜାଣିନି । ହଠାତ୍ ନିଦ ଭାଙ୍ଗିଗଲା ରାତିରେ ଅନ୍ଧାର ଭିତରେ ସୁଁ, ସୁଁ ଶବ୍ଦ ଶୁଣି । ମୁଁ ଜାଣି ପାରିଲି ସ୍ଵଦେଶ ଫେରି ଆସିଛି, କାନ୍ଦୁଛି । ସ୍ଵଦେଶ କାନ୍ଦୁଛି । ଅନ୍ଧାର ଭିତରେ ହାତ ବଢ଼େଇ ସ୍ଵଦେଶର ହାତଟାକୁ ଚାପି ଧରିଲି । ସ୍ଵଦେଶ ଉଠି ବସିଲା । ଉଠି ବସିଲି ମୁଁ ବି । ତା’ପରେ ଦିହେଁ ବାହାରି ଆସିଲୁ ଖୋଲା ଛାତ ଉପରକୁ । ସ୍ଵଦେଶ କିଛି କହୁନି । ମୁଁ ବି କିଛି ପଚାରୁନି । ଖୋଲା ଛାତର କାର୍ଣ୍ଣିଶ ଉପରେ ଦିହେଁ ପାଖାପାଖି ବସି ରହିଲୁ ଅନେକ ସମୟ । ଅନ୍ଧାର ଭିତରେ କେହି କାହାରିକୁ ଭଲ ଭାବରେ ଦେଖି ପାରୁନୁ । କେହି କାହାରିକୁ ଦେଖି ପାରୁ ନ ଥିଲୁ ବୋଲି ସ୍ଵଦେଶ ସେଦିନ ଯାହା ମୁହଁ ଖୋଲି କହି ପାରିଥିଲା ଆଲୁଅରେ ଠିଆ ହେଇ ମୋ ମୁହଁକୁ ଚାହିଁ ସେ କଥା ସେ କେବେହେଲେ କହି ପାରି ନ ଥାଆନ୍ତା । ଅନ୍ଧକାର ଅନେକ ଅପରାଧ, ଅନେକ ପାପବୋଧ, ଅନେକ ଯନ୍ତ୍ରଣା, ଅନେକ ହତାଶାକୁ ଘୋଡ଼ାଇ ରଖେ । ସେଦିନର ସେଇ ମୁହୂର୍ତ୍ତରେ ଅନୁଭବ କରିଥିଲି ଅନ୍ଧକାରର ରୂପକୁ, ଅନ୍ଧକାରର ମାଧୁର୍ଯ୍ୟକୁ, ଅନ୍ଧକାରର ପ୍ରୟୋଜନୀୟତାକୁ । ସୀତା ! ଆର୍ଟ କଲେଜରେ ବିବସ୍ତ୍ର ସୀତା ସେହି ମୁହୂର୍ତ୍ତରେ ପୁରାଣର ସୀତାକୁ ଅତିକ୍ରମ କରି ଆହୁରି ପ୍ରେମମୟୀ, ଆହୁରି ବରଣୀୟ ମହିୟସୀ ହେଇ ଉଠିଲା ମୋ ପାଖରେ ।

 

ସୀତା-ସ୍ଵଦେଶର ଭଉଣୀ ସୀତା । ସୀତା ଭଲ ପାଇ ଯାହାକୁ ବାହା ହେଇଥିଲା ବର୍ଷ ଦୁଇଟା ନ ଯାଉଣୁ ପକ୍ଷାଘାତରେ ଅଚଳ ହେଇ ବିଛଣାରେ ପଡ଼ି ରହିଲା ସେ । ଆଉ ସେଇ ଦିନଠାରୁ ସୀତାକୁ ଯୁଦ୍ଧ କରିବାକୁ ପଡ଼ୁଛି ବଞ୍ଚିବା ପାଇଁ, ବଞ୍ଚେଇବା ପାଇଁ । ମାସକୁ ତିରିଶ ଟଙ୍କା ଦରମାରେ ବଡ଼ଲୋକ ଘରର ଝିଅ ବୋହୂଙ୍କୁ ଶାଢ଼ୀ ପିନ୍ଧେଇବାର କାମଠାରୁ ଆରମ୍ଭ କରି-ଦୈନିକ ଦଶଟଙ୍କା ମଜୁରୀରେ ଆର୍ଟ କଲେଜରେ ଶାଢ଼ୀ ଖୋଲି ଠିଆ ହେବାର କାମ । ସେଦିନ ସୀତାର ଓପାସ ଥିଲା । ସ୍ଵାମୀର ମଙ୍ଗଳ ପାଇଁ ବ୍ରତ ପାଳନ କରୁଥିଲା ସେ । ହଠାତ୍ ମୁଣ୍ଡଟା ବୁଲେଇ ଦେଲା । ସବୁ ଅନ୍ଧାର । ତା’ପରେ ଆଉ ସେ କିଛି ଜାଣିନି ।

 

ରାତି ପାହିଗଲା । ରାତି ନିସ୍ତବ୍ଧତାକୁ ଭାଙ୍ଗି ବହୁବଜାର ଷ୍ଟ୍ରିଟ୍‌ରେ ଘଡ଼୍‌ଘଡ଼୍ ଘଟା˚ଘଟା˚ ଶବ୍ଦ କରି ଟ୍ରାମ୍ ଗାଡ଼ିଟା ଚାଲିଗଲା । ସୀତାର ସବୁ କାହାଣୀ ଶୁଣେଇ ସାରିଲା ପରେ ସ୍ଵଦେଶ ଚୁପ୍ ହୋଇ ବସି ରହିଲା । ମୁଁ ମନେ ପକେଇ ଦେଖିଲି–ସତରେ ତ, ଆମ କ୍ଲାସକୁ ସୀତା ଯେତେ ଥର ମଡ଼େଲ ହେଇ ଆସିଛି କିଛିନା କିଛି ଗୋଟାଏ ବାହାନା କରି ସ୍ଵଦେଶ କ୍ଲାସରୁ ବାହାରି ଯାଇଛି-

 

ସେଦିନ ପରଠାରୁ ସ୍ଵଦେଶ ଭଳି ମୁଁ ବି ଦିନେ ଦିନେ ଦୁଇଶହ ଚଉରିରିଶରୁ ନିରୁଦ୍ଦିଷ୍ଟ ହେବାକୁ ଲାଗିଲି । ଆଉ ସେହି ନିରୁଦ୍ଦିଷ୍ଟ ଦିନ ଗୁଡ଼ାକରେ ମୋର ଠିକଣା ଥିଲା- କେୟାର ଅଫ୍ ସୀତା ଅଠଚାଳିଶ ନମ୍ବର ବାଦୁଡ଼୍‌ବାଗାନ୍ ଲେନ୍ । ସେଦିନଠାରୁ ସୀତା କେବଳ ସ୍ଵଦେଶର ଭଉଣୀ ନଥିଲା, ମୋ ଭଉଣୀର ନାଁ ବି ଥିଲା ସୀତା । ସେ ଦିନଠାରୁ ଅନେକ ଗୁଡ଼ାଏ ବର୍ଷ ବିତି ଯାଇଛି । ଭ୍ରାତୃ ଦ୍ଵିତୀୟା ଦିନ ଏବେ ବି ମନେ ପଡ଼େ ସୀତା ନାଁରେ ମୋର ଗୋଟିଏ ଭଉଣୀ ଅଛି । ଏବେ ବି ସେ କଣ ଭ୍ରାତୃ ଦ୍ଵିତୀୟାରେ ମୋ କଥା ସ୍ମରଣ କରି କାନ୍ଥ ଦେହରେ ଚନ୍ଦନର ଟିପା ଲଗେଇ ମନେ ମନେ ଉଚ୍ଚାରଣ କରୁଥିବ–ଭାଇଙ୍କ କପାଳରେ ଟିକା ପିନ୍ଧେଇ ଯମ ଦୁଆରରେ କଣ୍ଟା ପକେଇଲି ବୋଲି ? ଏବେ ବି କଣ ସେ ପ୍ରତ୍ୟେକ ରାକ୍ଷୀ ପୂର୍ଣ୍ଣିମାରେ ଆଠଅଣିଆ ରାକ୍ଷୀଟିଏ ମୋ ଉଦ୍ଦେଶ୍ୟରେ ଥୋଇ ଦେଉଥିବ ?

 

।। ୧୨ ।।

 

ଦୁଇଶହ ଚଉତିରିଶରେ ଯେତେ ଘର, ସେତେ ପରିବାର । ଯେତେ ପରିବାର ସେତେ କାହାଣୀ । ନରେନ୍ଦ୍ର ନାଏକ ସେମିତି ଗୋଟାଏ କାହାଣୀର ନାୟକ । କଲିକତା କର୍ପୋରେସନର ପିଅନ ନରେନ୍ଦ୍ର ନାଏକ । ଦୁଇଶହ ଚଉତିରିଶରେ ପ୍ରଥମ ଯେଉଁଦିନ ପଶିଥିଲି ସେଦିନ ନରେନ୍ଦ୍ର ନାଏକକୁ ଯେଉଁ ପୋଷାକ, ଯେଉଁ ଚେହେରାରେ ଦେଖିଥିଲି ପାଞ୍ଚଟା ବର୍ଷ ପରେ ପେଡ଼ି ପୁଟୁଳା ବାନ୍ଧି ଯେଉଁଦିନ ଦୁଇଶହ ଚଉତିରିଶ ଛାଡ଼ି ଥିଲି, ସେଦିନ ବି ତାକୁ ସେଇ ପୋଷାକ, ସେଇ ଚେହେରାରେ ଦେଖି ଆସିଥିଲି । ମୁଣ୍ଡରେ ଅଲରା ବାଳ, ମୁହଁରେ ଖୁଞ୍ଚା ଖୁଞ୍ଚା ଦାଢ଼ି, ରଙ୍ଗ ଉଡ଼ିଯାଇଥିବା ସବୁଜ ରଙ୍ଗର ମଇଳା ଖଦଡ଼ କୋଟ, ଆଉ ମଇଳା ଧୋତି । ନରେନ୍ଦ୍ର ନାଏକ ଗୋଡ଼ରେ ଚପଲ ପିନ୍ଧିବା ମୁଁ ଦେଖିନି । କୋଟଟା ସରକାରୀ ପୋଷାକ । ହୁଏତ କୋଡ଼ିଏ ବର୍ଷ ଆଗେ ଚାକିରିରେ ଯୋଗଦେବା ଦିନ ସେ କୋଟ ନରେନ୍ଦ୍ର ନାଏକକୁ ମିଳିଥିଲା । ସେଇ କୋଟ ଆଉ ଧୋତି ପିନ୍ଧା ନରେନ୍ଦ୍ର ନାୟକକୁ ଦେଖିଲେ ଶିଉଳି ଲାଗିଥିବା କାନ୍ଥ ଫାଟରେ ବରଗଛ ବାହାରିଥିବା ଦେଢ଼ଶହ କି ଦୁଇଶହ ବର୍ଷର ପୁରୁଣା କୋଠା ଭଳି ମନେ ହୁଏ । ମନେ ହୁଏ ଶୈଶବ, କୈଶୋର କି ଯୌବନ ଯେପରି ନରେନ୍ଦ୍ର ନାଏକର ନ ଥିଲା । ଜନ୍ମ ମୁହୂର୍ତ୍ତରୁ ଯେମିତି ସେ ଏମିତି ଖୁଞ୍ଚା ଖୁଞ୍ଚା ଦାଢ଼ି, ମଇଳା ଶାଗୁଆ କୋର୍ଟ, ମଇଳା ଧୋତି ପିନ୍ଧି ସାରିଥିଲା । କର୍ପୋରେସନ ପିଅନ ଚାକିରୀରେ କୋଡ଼ିଏଟା ବର୍ଷ କଟେଇ ସାରିଥିଲା ନରେନ୍ଦ୍ର ନାଏକ । ଦୁଇଶହ ଚଉତିରିଶରେ ପୁରୁଖା ଲୋକର ତାଲିକା ଭିତରେ ନରେନ୍ଦ୍ର ନାଏକର ନାଆଁ ତିନି ନମ୍ବର କି ଚାରି ନମ୍ବରରେ ଆସିବ ସିନା ହେଲେ ପ୍ରତିପତ୍ତିଶାଳୀ ଲୋକର ତାଲିକାରେ ସେ ନାଆଁ ସବା ଉପରେ । ନରେନ୍ଦ୍ର ନାଏକର ମାସକୁ ଉପରି ଆୟ ଟଙ୍କା ତିନି ହଜାରରୁ କମ୍ ନୁହେଁ । ଦୁଇଶହ ଚଉତିରିଶର ଏତେ ବେଶୀ ରୋଜଗାର କରୁଥିବା ଲୋକ ଆଉ ନ ଥିଲେ । ତେଣୁ ଦୁଇଶହ ଚଉତିରିଶରେ ଆଇନ୍ କାନୁନ ସବୁ ନରେନ୍ଦ୍ର ନାଏକ ତିଆରି କରୁଥିଲା । କଳରେ ପାଣି ଆସିଲେ ପାଣି କିଏ ଆଗେ ନେବ ସେଥିପାଇଁ ପ୍ରାୟ ସବୁଦିନ ଦୁଇଶହ ଚଉତିରିଶରେ କିଛି ନା କିଛି ପାଟିତୁଣ୍ଡ କାହାରି ନା କାହାରି ଭିତରେ ହେଉଥିଲା । ଶେଷରେ ନରେନ୍ଦ୍ର ନାୟକର ମଧ୍ୟସ୍ଥତାରେ ତାର ମୀମାଂସା ହେଉଥିଲା । ନରେନ୍ଦ୍ର ନାୟକକୁ ଜୋତା ବା ଚପଲ ପିନ୍ଧିବା କେହି କେବେ ଦେଖିନି । ହେଲେ ରାଗିଯାଇ ଗାଳି ଦେଲାବେଳେ ଚପଲରେ ସେକିଦେବି ଶବ୍ଦ ବ୍ୟବହାର କାରିବା ମୁଁ ଶୁଣିଛି ।

 

ନରେନ୍ଦ୍ର ନାଏକ ମୁହଁ ଧୋଇବାକୁ କି ଗାଧୋଇବାକୁ କଳ ପାଖକୁ ଆସିଲେ ସମସ୍ତେ କଳ ଛାଡ଼ି ଦିଅନ୍ତି । ନରେନ୍ଦ୍ର ନାଏକ ଡାକ ପକେଇଲେ ଦୁଇଶହ ଚଉତିରିଶର ତିରିଶ ଘର ଲୋକ ତା ଦୁଆର ସାମନାରେ ହାଜର ହୁଅନ୍ତି । ଦୁଇଶହ ଚଉତିରିଶର ମୁରବୀ କହିଲେ ନରେନ୍ଦ୍ର ନାଏକକୁ ବୁଝାଏ । ନରେନ୍ଦ୍ର ନାଏକର ବସାଘରେ ଆଉ ଜଣେ ରହେ ନୀଳମଣି । ନୀଳମଣି ବି ପିଅନ କେଉଁ ଗୋଟାଏ କମ୍ପାନୀରେ । ପାଞ୍ଚଟା ବେଳେ ଅଫିସରୁ ଫେରି ସାତଟା ପର୍ଯ୍ୟନ୍ତ ଟିକେ ଦମ ମାରେ । ତାପରେ ନୀଳମଣିକୁ ସଜ ହେବାକୁ କହେ ନରେନ୍ଦ୍ର ନାଏକ । ନୀଳମଣି ଆଗରୁ ସଜାଡ଼ି ହେଇଥିବା ଦାମିକା ପ୍ୟାଣ୍ଟ ଆଉ ସାର୍ଟ ପିନ୍ଧି ନରେନ୍ଦ୍ର ନାଏକ ଆଗରେ ଆସି ଠିଆ ହୁଏ । ନୀଳମଣି ଦାମିକା ପ୍ୟାଣ୍ଟ, ସାର୍ଟ ପିନ୍ଧିଲା ପରେ ଆଉ ପିଅନ ଭଳି ଲାଗେନି । ତଥାପି ନରେନ୍ଦ୍ର ନାଏକ ନିକିଟେଇକରି ତାକୁ ଦେଖେ । କେଉଁଦିନ ଯୋତାରେ ପାଲିଶ ନ ଥିଲେ ପାଲିଶ କରେଇ ଦିଏତ କେଉଁଦିନ ସାର୍ଟର ବୋତାମ ଛିଣ୍ଡି ଯାଇଥିଲେ ନିଜେ ଛୁଞ୍ଚି ସୂତା ଧରି ନୂଆ ବୋତାମ ଲଗେଇ ଦିଏ । ତା’ପରେ ନୀଳମଣିକୁ ସାଙ୍ଗରେ ଧରି ବାହାରି ପଡ଼େ ରାସ୍ତାକୁ । ହାତରେ କର୍ପୋରେସନ୍‌ର ପୁରୁଣା ଫାଇଲ । ନୀଳମଣି ମିଛିମିଛିକା ଅଫିସର–ଆଉ ନରେନ୍ଦ୍ର ନାଏକ ତା ପିଅନ ।

 

ସାରା କଲିକତା ସହର କର୍ପୋରେସନ୍‌ର ଅଧୀନରେ । ଆଜି ଏ ରାସ୍ତା ତ କାଲି ସେ ରାସ୍ତା । ନରେନ୍ଦ୍ର ନାଏକ ଯେଉଁ ଦୋକାନ ଆଗରେ ଠିଆ ହୁଏ, ନୀଳମଣିକୁ ବି ସେଇଠି ଠିଆ ହେବାକୁ ପଡ଼େ । ନରେନ୍ଦ୍ର ନାଏକ ହାତରେ କର୍ପୋରେସନର ଫାଇଲ ସାଙ୍ଗରେ ମଲାଟ ଛିଣ୍ଡି ଯାଇଥିବା ଗୋଟାଏ ଡାଏରୀ । ସେ ଡାଏରୀ କେବେ କେଉଁଠୁ ପାଇଥିଲା ସେ କଥା ନରେନ୍ଦ୍ର ନାଏକର ଆଜି ଆଉ ମନେ ନାହିଁ । ସେ ଡାଏରୀରେ ନରେନ୍ଦ୍ର ନାଏକ ନିଜ ନାଁଟା ବହୁତ କଷ୍ଟରେ ଆଠଦଶଥର ଲେଖିଚି ସିନା, ହେଲେ ତାପରେ ଖାଲି ଅର୍ଥହୀନ ଗାର ଛଡ଼ା କିଛି ନାହିଁ । ନରେନ୍ଦ୍ର ନାଏକ ପାଠ ଶାଠ କିଛି ପଢ଼ିନି । ହେଲେ ନିଜ ନାଆଁଟା ଦସ୍ତଖତ କରିବାକୁ ଶିଖି ଯାଇଛି ୟାତା ପାଖରୁ ଶିଖି ଶିଖି । ମାସକୁ ତିନି ହଜାର ଟଙ୍କା ରୋଜଗାର ପାଇଁ ତାର ଆଉ ଅଧିକା ପାଠର ବି ଦରକାର ନ ଥିଲା ।

 

ନୀଳମଣିକୁ ସାଙ୍ଗରେ ଧରି ଚାଲୁ ଚାଲୁ ମନ ମୁତାବକ ଗୋଟାଏ ଦୋକାନ ଆଗରେ ଠିଆ ହୋଇ ନରେନ୍ଦ୍ର ନାଏକ ତାର ସେଇ ଛିଣ୍ଡା ଡାଏରୀ ବାହାର କରେ । ଆଉ ତାପରେ ଦୋକାନର ମାଲିକକୁ ଦେଖେଇ କ’ଣ ସବୁ ଟିପିବାର ବାହାନା କରେ ଡାଏରୀରେ । କର୍ପୋରେସନ୍ ପୋଷାକ ସାଙ୍ଗକୁ, କର୍ପୋରେସନର ପୁରୁଣା ଫାଇଲ । ମାଲିକ ଆସି ପାଖରେ ପହଞ୍ଚିଲେ ଜଣେଇ ଦିଏ କେସ୍ ହେଇଯିବ, କର୍ପୋରେସନ କେସ୍ । ସାଇନ୍ ବୋର୍ଡ଼ ଛଅ ଇଞ୍ଚ ପଦାକୁ ବାହାରି ଆସିଛି । ଫୁଟ୍‌ପାଥ୍ ଉପରକୁ ଟିଣ ସେଡ଼୍‍ ମାଡ଼ି ଆସିଛି । ଏମିତି ଅନେକ । ମାଲିକ ଦୋକାନ ଭିତରକୁ ନରେନ୍ଦ୍ର ନାଏକକୁ ଡାକି ନେଇ ବସାଏ । ତାପରେ ଟଙ୍କା ଦଶଟି କାଢ଼ି ଥୋଇ ହାତ ଯୋଡ଼ି ଆଗରେ ଆସି ଠିଆ ହୁଏ । “ଆଜ୍ଞା ମାଫ୍ କରି ଦିଅନ୍ତୁ ।”

 

ନରେନ୍ଦ୍ର ନାଏକ ବି କମ୍ ବଡ଼ ଅଭିନେତା ନୁହେଁ । ହାତ ଯୋଡ଼ି ପକାଏ ସେ ବି–

 

“ଆହା, ଆପଣ ଏତେ ବଡ଼ ଲୋକ ହେଇ ମତେ ହାତ ଯୋଡ଼ି ନେହୁରା ହେବେ; ଏଇଟା କଣ ଗୋଟାଏ କଥା ? ମୁଁ କ’ଣ କିଛି ଜାଣିଥିଲି ? ହେଲେ ଶଳା ସେଇ ବଡ଼ ବାବୁଟା । ଏତକ କହି ରାସ୍ତାରେ ଠିଆ ହେଇଥିବା ନୀଳମଣିକୁ ଦେଖେଇ ବାକ୍ୟ ଶେଷ କରେ–“ଏକ ନମ୍ବର ହାରାମୀ । ଶହେ ଟଙ୍କା ତଳେ ଛୁଇଁବନି । ହେଲେ ଆପଣ ବ୍ୟସ୍ତ ହୁଅନ୍ତୁ ନି । ଆଉ ପଚାଶଟା ଟଙ୍କା ଦିଅନ୍ତୁ; ମୁଁ ତାଙ୍କୁ ଠିକ୍ ବାଗେଇ ଦେବି ।”

 

ଟାଲା ଠାରୁ ଟାଲିଗଞ୍ଜ–ମୁଢ଼ି, ଉଖୁଡ଼ା ଦୋକାନଠାରୁ ଆରମ୍ଭ କରି ହୀରା ଜହରତ୍ ଦୋକାନ, ସମସ୍ତଙ୍କ ଚୁଟି କର୍ପୋରେସନ୍ ହାତରେ । ଖସି ଯିବାର ବାଟ ନାହିଁ ।

 

ସନ୍ଧ୍ୟା ସାଢ଼େ ସାତଟା ଆଠଟା ଭିତରେ ଦୁଇ ତିନିଟା ଦୋକାନ ବୁଲି ଆସିଲେ ଶହେ ଦେଢ଼ ଶହ ଟଙ୍କା ରୋଜଗାର । ନୀଳମଣିର ଭାଗ ଦୋକାନ ପିଛା ଦୁଇଟଙ୍କା । ପ୍ରତି ସପ୍ତାହରେ ଟୋକେଇ ଭର୍ତ୍ତି ଫଳ, ଝୁଡ଼ି ଭର୍ତ୍ତି ପନିପରିବା, ବଡ଼ ବଡ଼ ବ୍ୟାଗରେ ସଉଦା ପତ୍ର ଲୋକ ସାଙ୍ଗରେ ଗାଆଁକୁ ପଠାଏ ନରେନ୍ଦ୍ର ନାଏକ । ଗାଆଁରେ ଦିଟା ପୁଅ ପାଠ ପଢ଼ୁଛନ୍ତି । ମଝିରେ ମଝିରେ ପିଲାମାନଙ୍କ ପାଇଁ ନୂଆ ନୂଆ ଡିଜାଇନର ପୋଷାକ ପଠାଏ ଗାଁକୁ ।

 

ମାସ ଶେଷରେ ସବୁ ଘରୁ ଭଡ଼ା ଟଙ୍କା ଅସୁଲ କରିବା ଦାୟିତ୍ଵ ନରେନ୍ଦ୍ର ନାଏକର । ଘର ମାଲିକଙ୍କ ଗୁମାସ୍ତା ଗୋଟାଏ ନିର୍ଦ୍ଦିଷ୍ଟ ଦିନରେ ନରେନ୍ଦ୍ର ନାଏକ ପାଖରୁ ଭଡ଼ା ଟଙ୍କା ଧରି ଚାଲିଯାଏ । ସେ ଜାଣେନା କେଉଁ ବଖରାରେ କିଏ ରହୁଚି । କିଏ ଘର ଛାଡ଼ିଲା କିଏ ପୁଣି ଆସି ସେ ଘର ଦଖଲ କଲା । ତେଣୁ ଦୁଇଶହ ଚଉତିରିଶରେ ରହିବାକୁ ହେଲେ ନରେନ୍ଦ୍ର ନାଏକର ମିଜାସକୁ ଜଗି ଚଳିବା ନିହାତି ଦରକାର ।

 

ହେଲେ ଏଭଳି ନରେନ୍ଦ୍ର ନାଏକ ଆଖିରେ ବି ଦିନେ ପାଣି ଦେଖିଥିଲି । ସ୍ଵଦେଶ ଭଳି ଦିନେ କାନ୍ଦୁଥିବାର ଦେଖିଥିଲି ନରେନ୍ଦ୍ର ନାଏକକୁ । ସେଇଦିନ ସେଇ ମୂହୁର୍ତ୍ତରେ ଗୋଟାଏ ଶିଶୁଭଳି ମନେ ହେଉଥିଲା ନରେନ୍ଦ୍ର ନାଏକକୁ । ପାଟି ଖୋଲି ଭୋ ଭୋ ହେଇ କାନ୍ଦିଥିବାର ଦେଖିଥିଲି ନରେନ୍ଦ୍ର ନାଏକକୁ । ତାର ପୋଷା ବିଲେଇଟାର ମୃତ୍ୟୁରେ ଭୋ ଭୋ ହେଇ କାନ୍ଦିଥିଲା ନରେନ୍ଦ୍ର ନାଏକ ।

 

।। ୧୩ ।।

 

ମୋର କେଉଁ କଥା ତମକୁ କହିବା ଦରକାର ଆଉ କେଉଁ କଥା ନ ଜାଣିଲେ ବି ତମେ ନକଲି ଅସୀମ ବସୁଟେ ହବାରେ କିଛି ଅସୁବିଧା ହବନି ସେତକ ଠିକ୍ ଭାବରେ ଭାବି ପାରୁଥିଲେ ତୁଣ୍ଡ ଦରଜ କରି ତମ ପାଖରେ ଏତେ ଗପିବା ଦରକାର ପଡ଼ନ୍ତାନି । ଯେମିତି ଏବେ ଭାବୁଛି କାର୍ତ୍ତିକ ମାଇତି କଥା ତୁମକୁ କହିବା ଦରକାର, ନା ବୈକୁଣ୍ଠ ରାଉତ କଥା କହିବା ଦରକାର ? କାର୍ତ୍ତିକ ମାଇତି କି ବୈକୁଣ୍ଠ ରାଉତ ଏମାନଙ୍କ କାହାରି କଥା ଯଦି ତମକୁ ନ କହେ ତାହେଲେ କଣ ତମେ ଧରା ପଡ଼ିଯିବ ଯେ ତମେ ଅସଲି ଅସୀମ ବସୁ ନୁହଁ ବୋଲି ? ହଁ, ଧରା ପଡ଼ିଯିବ । ଧରା ପଡ଼ିଯିବ ସେଇଦିନ; ଯେଉଦିନ ଏମାନଙ୍କ ଭିତରୁ ଜଣଙ୍କ ସାଙ୍ଗରେ ତମର ଦେଖା ହେଇଯିବ । ତେଣୁ ତମକୁ ଜାଣିବାକୁ ପଡ଼ିବ–ଚିହ୍ନିବାକୁ ପଡ଼ିବ ମୁଁ ଜାଣିଥିବା–ମୁଁ ଚିହ୍ନିଥିବା ଚରିତ୍ରମାନଙ୍କୁ ।

 

ଲୋକଟା କେତେବେଳେ ମୁଦେଇର ଓକିଲ ହେଇ ତ କେତେବେଳେ ମୁଦାଲାର ଓକିଲ ହେଇ ନିଜ ତିଆରି ପ୍ରଶ୍ନକୁ ନିଜ ଆଗରେ ଥୋଇ ନିଜେ ତାର ଉତ୍ତର ଦେଇ ଚାଲିଲା । ଆଉ ମୁଁ ଯେମିତି ତା ଆଗରେ ଗୋଟାଏ ମାଟି କଣ୍ଢେଇ, ଯାହାର ଦେହ ଅଛି, ହେଲେ ଦେହ ଛଡ଼ା ଆଉ କିଛି ନାହିଁ । ମୋର ହସିବା, କାନ୍ଦିବା, ତା ପାଖରେ ମୂଲ୍ୟହୀନ । ମୁଁ ତା ପାଖରେ ନକଲି ଅସୀମ ବସୁଟେ ହେଇ ସାରିଲା ପରେ ମୁଁ ତା ଆଖିରେ ଗୋଟାଏ କଣ୍ଢେଇ ହେଇ ସାରିଛି । ସେ ଯେମିତି ତାକୁ ଜୀବନ୍ୟାସ ଦେବ ତାର ସବୁ କହିବା ସରିଲା ପରେ ।

 

ଲୋକଟା କହିବାକୁ ଲାଗିଲା–

 

ବୈକୁଣ୍ଠ ରାଉତଙ୍କୁ କେଉଁଠି ପ୍ରଥମ ଭେଟିଥିଲି ଆଜି ଆଉ ମନେ ନାହିଁ । ହୁଏତ ଜଗଦୀଶ ବାବୁଙ୍କର ସେଇ ଫ୍ରେଣ୍ଡସ୍ ପ୍ରେସ୍‌ରେ ।

 

ଧୋତି ପଞ୍ଜାବୀ ପିନ୍ଧା ସାଦାସିଧା ଲୋକଟି ସେଦିନ ମୋ ଭିତରେ ନିଜ ଗୋଡ଼ରେ ଠିଆ ହେବାର–ପଚାଶ ହଜାର ନୁହେଁ–ପାଞ୍ଚ ହଜାର ନୁହେଁ-ପାଞ୍ଚ ଶହ ନୁହେଁ-ପାଞ୍ଚ ଜଣଙ୍କ ଭିତରେ ଜଣେ ହେବାର ନିଶା ଚଖେଇ ଦେଇଥିଲେ । ତେଣୁ ବୈକୁଣ୍ଠ ରାଉତଙ୍କୁ ତମ ସାଙ୍ଗରେ ପରିଚୟ ନ କରେଇବି କେମିତି ? ପ୍ରଥମ ପରିଚୟରୁ ଆଉ ଟିକିଏ ନିକଟତର । ତା’ପରେ ଆହୁରି । ପ୍ରତ୍ୟେକ ଦୁଇ ଚାରି ଦିନ ଛାଡ଼ି ବୈକୁଣ୍ଠବାବୁ ମୋର ଦୁଇଶହ ଚଉତିରିଶ ଘରେ ଆସି ପହଞ୍ଚନ୍ତି । ଆଲୋଚନା ସାହିତ୍ୟ ସଂସ୍କୃତିର ବାଟ ଦେଇ ବ୍ୟବସାୟର କୋଠରୀ ଭିତରେ ଆସି ପହଞ୍ଚେ । ପାଠ ସରିବାକୁ ସେତେବେଳକୁ ବୋଧ ହୁଏ ଆହୁରି ବି ବର୍ଷ ବାକୀ ।

 

ବୈକୁଣ୍ଠ ବାବୁ ଆସି କହିଲେ–ଆଚ୍ଛା ଅସୀମ ବାବୁ, ଆପଣଙ୍କର ପାଠ ପଢ଼ା ସରିଲା ପରେ ଆପଣ କଣ ଚାକିରି କରିବା କଥା ଭାବିଛନ୍ତି ?

 

ମୁଁ କହିଲି–ଭାବିନି । କିଛି ଭାବିନି । ତେବେ ଚାକିରି ନ କଲେ ବି କରିବି କଣ ?

 

ବୈକୁଣ୍ଠବାବୁ କହିଲେ-ଚାକିରି କାହିଁକି ? ଆସନ୍ତୁ ଆମେ ଦୁଇଜଣ ମିଶି କଟକରେ ଷ୍ଟୁଡ଼ିଓଟିଏ ଖୋଲିବା । କମର୍ଶିଆଲ ଷ୍ଟୁଡ଼ିଓ । ଗୋଟାଏ ବଡ଼ ଘର ଭଡ଼ା ନେବା । ଆହୁରି ଲୋକ ରଖିବା । ଷ୍ଟୁଡ଼ିଓ ପାଇଁ ଯାହା ଯାହା ଦରକାର ସବୁ କିଣିବା । କେତେ ଏମିତି ଟଙ୍କା ଦରକାର ଯେ-? କୋଡ଼ିଏ ତିରିଶ ହଜାର ଟଙ୍କା ହେଲେ ହେଇ ଯିବ । ସେଇଟା କିଛି ପ୍ରବଲେମ୍ ନୁହେଁ । କାମ ଆଣିବି ମୁଁ । ଆପଣ ଖାଲି ଷ୍ଟୁଡ଼ିଓ ଚଲେଇବେ । ସେଦିନ ଖାଲି ବଲ ବଲ କରି ତାଙ୍କ ମୁହଁକୁ ଅନେଇ ରହିଥିଲି ମୁଁ । ଷ୍ଟୁଡ଼ିଓ କଣ ମୁଁ ଜାଣେନି । କେତେ ଲୋକ ଦରକାର ତା ବି ଜାଣେନି । କୋଡ଼ିଏ ତିରିଶ ହଜାର ଟଙ୍କା ଚିନ୍ତା କରିବା ମୋ ପାଖରେ ସେତେବେଳେ ସମ୍ଭବ ନ’ଥିଲା । ହେଲେ ବୈକୁଣ୍ଠବାବୁଙ୍କ କଥା ଶୁଣି ମନେ ହେଇଥିଲା–କୋଡ଼ିଏ ତିରିଶ ହଜାର ନୁହେଁ–କୋଡ଼ିଏ ତିରିଶ ଲକ୍ଷ ବି ତାଙ୍କ ପାଖରେ କିଛି ପ୍ରବଲେମ୍ ନୁହେଁ ।

 

ସେ କେଉଁଠି ରହନ୍ତି, କ’ଣ କରନ୍ତି, ଜାଣି ନ ଥିଲି ସେ କଥା । ହେଲେ ଯେମିତି ସହଜ ଭାବରେ କୋଡ଼ିଏ ତିରିଶ ହଜାର ଟଙ୍କା ତାଙ୍କ ପାଖରେ କିଛି ପ୍ରବଲେମ୍ ନୁହେଁ ବୋଲି କହିଲେ–ସେଥିରୁ ଜାଣି ପାରିଲି ଅର୍ଥ କ୍ଷେତ୍ରରେ ତାଙ୍କର କୌଣସି ଅନାଟନ ନାହିଁ ...

 

ତା’ପର ଠାରୁ ଆମର ଭେଟ ହେଲେ ସବୁ ଆଲୋଚନା ଭବିଷ୍ୟତର ଷ୍ଟୁଡ଼ିଓକୁ କେନ୍ଦ୍ର କରି ହେଉଥିଲା । ମୋର ମାନସିକ ସ୍ତରରେ ଏକ ଷ୍ଟୁଡ଼ିଓର ଭିତ୍ତି ପ୍ରସ୍ତର ସ୍ଥାପନ ଠାରୁ ଆରମ୍ଭ କରି ପୂର୍ଣ୍ଣତା ପ୍ରାପ୍ତି ଘଟିଲା ବେଳକୁ ବୈକୁଣ୍ଠ ବାବୁ ଆଉ କଲିକତାରେ ନ ଥିଲେ ।

 

ବୈକୁଣ୍ଠ ବାବୁଙ୍କୁ ମୁଁ ପୁଣି ଭେଟିଥିଲି ସେଦିନଠାରୁ ଅନେକ ଅନେକ ପରେ, କଟକରେ-। ପୋଷାକରେ କିଛି ପରିବର୍ତ୍ତନ ହେଇନି । ସେଇ ପଞ୍ଜାବି ଆଉ ଧୋତି । ମନେ ହେଲା କଲିକତାରେ ପ୍ରଥମ ଭେଟ ବେଳେ ପନ୍ଧିଥିବା ପଞ୍ଜାବୀ ଆଉ ଧୋତି ଏ ପର୍ଯ୍ୟନ୍ତ ସେମିତି ଅବସ୍ଥାରେ ରହିଛି । ମୁଁ ସେତେବେଳେ କଟକର ଏକମାତ୍ର ଷ୍ଟୁଡ଼ିଓ ଶିଳ୍ପପୁରୀରେ ଚାକିରୀ କରୁଛି-। ବୈକୁଣ୍ଠବାବୁ କଲିକତାର ପରିକଳ୍ପନା କଥା ଥରେ ଚେତେଇ ଦେଲେ ।

 

ଚାକିରି ନୁହେଁ ଅସୀମ ବାବୁ-ଷ୍ଟୁଡ଼ିଓଟେ କରିବା । କେତେ ଟଙ୍କା ଏମିତି ଦରକାର ହବ ଯେ ? ଟଙ୍କା ଲକ୍ଷେ ହେଲେ ହେଇଯିବ । ଏଇଟା କଣ ଗୋଟାଏ ପ୍ରବଲେମ୍ ?

 

ମୁହଁର ଭାବରୁ ମନେ ହେଲା, ଲକ୍ଷେ ଟଙ୍କା ଯେମିତି ତାଙ୍କ ହାତର ମଳି । ମୁଁ ଚାହିଁଲା ମାତ୍ରେ ସେ ବାହାର କରିଦେବେ ।

 

କହିଲେ–ଆସୁ ନାହାନ୍ତି ଦିନେ ବସିବା, ଆଲୋଚନା କରିବା । ଠିକଣା–କଟକ ଆଇରନ୍ ଏଣ୍ଡ ଷ୍ଟିଲ୍, ଖପୁରିଆ । ଦିନ କେଇଟା ଛାଡ଼ି ସତକୁ ସତ ଦିନେ ଯାଇ ପହଞ୍ଚିଲି କଟକ ଆଇରନ୍ ଏଣ୍ଡ ଷ୍ଟିଲ୍‌ରେ । ବୈକୁଣ୍ଠ ବାବୁ ମତେ ଦେଖି ଖୁସି ହେଲେ–କାରଖାନାର ଚାରିଆଡ଼ ବୁଲି ଦେଖେଇଲେ–ଲୋକ ପଠେଇ ଚାହା ମଗେଇଲେ–ଗାର୍ଡ଼େନ ଚଉକି ତିଆରି ହେଉଥିବା ଜାଗାରେ ଦିଟା ଭଙ୍ଗା ଢାବଲ ଉପରେ ବସି ଆମେ ଚାହା ପିଇଲୁ ଓ ଆଉ ଥରେ ଆଲୋଚନା କଲୁ ଷ୍ଟୁଡ଼ିଓ ତିଆରି ସମ୍ପର୍କରେ । ଏଇ ଦୁଇ ଚାରିଦିନ ଭିତରେ ଲକ୍ଷେ ଟଙ୍କାଟା ଦେଢ଼ ଲକ୍ଷରେ ଯାଇ ପହଞ୍ଚି ସାରିଛି । ହେଲେ ବୈକୁଣ୍ଠବାବୁ ସେଥିରେ ବିବ୍ରତ ନୁହନ୍ତି ।

 

ବୈକୁଣ୍ଠ ବାବୁ କ’ଣ କଟକ ଆଇରନ୍ ଏଣ୍ଡ ଷ୍ଟିଲ୍‌ର ମାଲିକ ? ପାର୍ଟନର ? କର୍ମଚାରୀ-?

 

ଜାଣି ପାରିଲିନି । କିଛି ଜାଣି ପାରିଲିନି ।

 

କିଛି ଦିନ ପରେ ଆଉ ଥରେ କଟକ ଆଇରନ୍ ଆଣ୍ଡ ଷ୍ଟିଲ୍‌କୁ ଯାଇ ବୈକୁଣ୍ଠ ବାବୁଙ୍କୁ ପାଇଲିନି । ସେ ଆଉ ସେଠି ନାହାନ୍ତି । କେହି କହି ବି ପାରିଲେନି ତାଙ୍କ ଠିକଣା ।

 

ଆଉ ଗୋଟିଏ ବର୍ଷ କଟିଗଲା ।

 

କଲିକତାର ରାସ୍ତାରେ ଆମେ ଦୁହେଁ ପରସ୍ପରକୁ ଭେଟିଲୁ । ସେ ଜୋର କରି ନେଇଗଲେ ତାଙ୍କ ବସାକୁ । ବହୁବଜାର ଷ୍ଟ୍ରିଟ୍‌ର ଗୋଟାଏ ଦୋମହଲା କୋଠାର ଅନ୍ଧାରୁଆ ଗୋଟାଏ ବଖରାର ବାସିନ୍ଦା ସପରିବାର ବୈକୁଣ୍ଠବାବୁ ।

 

ତାଙ୍କରି ଘରେ ରହିଲି । ସେଦିନ ଆଲୁଅ ନ ଥିଲା । ରାତିରେ ଡିବି ଆଲୁଅରେ ମୁହାଁ ମୁହିଁ ବସି ଷ୍ଟୁଡ଼ିଓ କରିବାର ସ୍ଵପ୍ନକୁ ଆଉ ଥରେ ଦେଖିଲୁ । ସେତେବେଳେ ବୈକୁଣ୍ଠ ବାବୁଙ୍କ ହିସାବରେ ଟଙ୍କାଟା ଦେଢ଼ ଲକ୍ଷରୁ ଦୁଇ ଲକ୍ଷକୁ ଛୁଇଁ ସାରିଲାଣି । ହେଲେ ଭାବିବାର କିଛି ନାହିଁ, ଯୋଗାଡ଼ କରିବାକୁ ବେଶୀ ଦିନ ଲାଗିବନି ।

 

ବୈକୁଣ୍ଠ ବାବୁ କଲିକତାରୁ ବାହାରୁ ଥିବା ଗୋଟାଏ ମାସିକ ପତ୍ରିକାର ରାଶିଫଳ ବିଭାଗର ଲେଖକ । ଆଉ ସେହି ମାସିକ ପତ୍ରିକା ତରଫରୁ ରହିବାର ଘର ଖଣ୍ଡିକ ମିଳିଛି ।

 

ଜ୍ୟୋତିଷ ଶାସ୍ତ୍ର ଉପରେ ବୈକୁଣ୍ଠ ବାବୁଙ୍କର ଦଖଲ ଅଛି ଏକଥା ମୁଁ ଆଗରୁ ଜାଣି ନ ଥିଲି । ହେଲେ ମୁଁ କିଛି ପଚାରିବା ଆଗରୁ ବୈକୁଣ୍ଠ ବାବୁ, ଜଣେଇ ଦେଲେ–ଜାଣେନି ଅସୀମ ବାବୁ-। ଏ ସବୁ ପାଠ ମତେ ଜଣା ନାହିଁ । ହେଲେ ଲେଖୁଛି । ଯାହା ମନକୁ ଆସିଲା ଲେଖୁଛି । ଅନେକ ପୁରୁଣା ସଂଖ୍ୟା ମାନଙ୍କରେ ଯାହା ସବୁ ଲେଖା ହେଉଛି ତାକୁଇ ଯୋଡ଼ି ଯାଡ଼ି ଲେଖି ଦଉଛି-

 

କଲିକତାରେ ସେଦିନ ଅନ୍ଧାରୁଆ ବଖରାଏ ଘର ଭିତରେ ବୈକୁଣ୍ଠବାବୁଙ୍କୁ ଦେଖି ସାରିଲା ପରେ ଜାଣି ପାରିଲି ସହଜ ସରଳ ବୈକୁଣ୍ଠ ବାବୁଙ୍କର ଜୀବନରେ ଆର୍ଥିକ ଅଭାବ ବୋଧ ବୋଲି କିଛି ନାହିଁ । ସହଜ ସରଳ ମନ ନେଇ ଦୁନିଆ ସାରା ସମସ୍ତଙ୍କୁ ଏତେ ଆପଣାର ବୋଲି ଭାବନ୍ତି ଯେ ତାଙ୍କର ଧାରଣା ଟଙ୍କା ଥିବା ଯେ କୌଣସି ବନ୍ଧୁଙ୍କୁ ଯଦି ସେ କେବେ କୁହନ୍ତ–ମୋର ଲକ୍ଷେ ଟଙ୍କା ଦରକାର–ମତେ ତମେ ଧାର ଦିଅ, ତେବେ ସେ ନିଶ୍ଚୟ ଦେଇଦବ । ହେଲେ ଲକ୍ଷେ ଟଙ୍କା ନୁହେଁ, ପଚାଶ ଟଙ୍କା ମାଗି ବି ପରୀକ୍ଷା କରି ଦେଖି ନାହାନ୍ତି–ତାଙ୍କର ଏତେ ଆପଣାର ବନ୍ଧୁ ଜଣକ ଦେଉଛନ୍ତି କି ନାହିଁ ।

 

॥ ୧୪ ॥

 

ଏକ ଦୁଇ ତିନ୍ କରି ପାଞ୍ଚଟା ବର୍ଷ କଟିଗଲା । କଲିକତାର ପାଞ୍ଚଟା ବର୍ଷ, ଦୁଇଶହ ଚଉତିରିଶର ପାଞ୍ଚଟା ବର୍ଷ । ଅନେକ ପାଇବା ଆଉ ହଜେଇବାର ପାଞ୍ଚଟା ବର୍ଷ । ଅନେକ ସୁଖ ଦୁଃଖ ଆଉ ହତାଶାର ପାଞ୍ଚଟା ବର୍ଷ । ଏଇ ପାଞ୍ଚ ବର୍ଷ ଭିତରେ ଦୁଇଶହ ଚଉତିରିଶର କାନ୍ଥରୁ ଆହୁରି ଅନେକ ପଲସ୍ତରାର ଚକଡ଼ା ଖସିଥିବ, ଘୋରି ହୋଇ ଯାଇଥିବ । ସିଡ଼ିର ପାହାଚ ଆହୁରି ପଲିଶ ହୋଇଥିବ । କଳ ପାଖରେ ସିମେଣ୍ଟ ଉପରେ ଦୋଅଣିର ଛାପଟା ଆହୁରି ଅସ୍ପଷ୍ଟ ହୋଇଥିବ । ହେଲେ ନିତିଦିନିଆ ଦେଖୁଥିବା ଏ ଆଖିରେ ସେ କ୍ଷୟ, ସେ ଜୀର୍ଣ୍ଣତା ଆଉ ନୂଆ କରି ବାରି ହେଲାନି ପାଞ୍ଚବର୍ଷ ପରେ । କାହା ପକ୍ଷରେ ପାଞ୍ଚଟା ବର୍ଷ ସାରା ଜୀବନ ତ କାହା ପାଖରେ ମୁହୂର୍ତ୍ତ ମାତ୍ର ।

 

ନାଜିମ୍ ହିଜମତ୍‌ଙ୍କ ଗୋଟାଏ କବିତାରେ ପଢ଼ିଥିଲି–କାଟି ଛୋଟ ହୋଇଥିବା ପେନସିଲ୍‌ଟି ଯେତେବେଳେ ସମୟକୁ ମାପି କହିଲା–ସମଗ୍ର ଜୀବନ ବୋଲି, କବି କହିଲେ ମାତ୍ର ସାତୋଟି ଦିନ । ମୋ ଜୀବନର ସେଇ ପାଞ୍ଚଟି ବର୍ଷରେ ମୋର କ’ଣ ପରିବର୍ତ୍ତନ ହେଇଥିଲା ମୁଁ କହି ପାରିବିନି । କହି ପାରିବିନି ପ୍ରତିଦିନ ଦେଖୁଥିବା ମୋର ପାରିପାର୍ଶ୍ଵିକ ପରିବେଶ ଭିତରେ କଣ, କେତେ ଟିକେ ପରିବର୍ତ୍ତନ ହୋଇଥିଲା ।

 

କଲେଜର ଶେଷ ବର୍ଷର ଶେଷ ପରୀକ୍ଷାର ଫଳ ବାହାରିଲା । ପ୍ରଥମ ବିଭାଗରେ ପାଶ କରିଥିବା କେତୋଟି ନାଁ ଭିତରେ ମୋ ନାଁଟା ରହି ଯାଇଥିଲା । ପରୀକ୍ଷାର ଫଳ ଜାଣିବା ପର ମୂହୂର୍ତ୍ତରେ ମୁଁ ଅନୁଭବ କଲି-ମୁଁ ବଦଳି ଯାଇଛି । ଏଇ ପାଞ୍ଚଟା ବର୍ଷ ଧରି ଯେଉଁ ଅସୀମ ବସୁଟା ଇଣ୍ଡିଆନ୍ ଆର୍ଟ କଲେଜର ଛାତ୍ର ଥିଲା, ପ୍ରତ୍ୟେକ ବର୍ଷ ନିୟମିତ ପରୀକ୍ଷା ଦେଉଥିଲା, କଲେଜ୍ କ୍ୟାଣ୍ଟିନ୍‌ରେ ଆଡ଼୍‌ଡ଼ା ମାରୁଥିଲା, କଲେଜ ଝିଅମାନଙ୍କୁ କଣେଇ ଜଣେଇ ଅନାଉଥିଲା ସେ ଅସୀମ ବସୁ ମରିଗଲା ଏଇ ମୂହୂର୍ତ୍ତକ ଆଗରୁ । ଖୋସା ଭିତରେ ରହିଥିବା ଏଣ୍ଡିପୋକ ଏବେ ଖୋସା କାଟି ପଦାକୁ ବାହାରି ଆସିଛି ପ୍ରଜାପତି ହୋଇ ।

 

ଏବେ ବଞ୍ଚିବାର ଲଢ଼େଇ । ଦରଖାସ୍ତ ପକେଇବାକୁ ଲାଗିଲି ଏଠି, ସେଠି, ସବୁଠି-ଗୋଟାଏ ଚାକିରୀ ପାଇଁ ଇଣ୍ଟରଭିଉ ଦେଲି ମେଟାଲ ବକ୍‌ସ କମ୍ପାନୀରେ । ଜୀବନର ପ୍ରଥମ ଇଣ୍ଟରଭିଉ । ଅନେକ ଆଶା ଅନେକ ଉଦ୍ଦୀପନା ଅନେକ ସମ୍ଭାବନାର ସ୍ଵପ୍ନଭରା ଇଣ୍ଟରଭିଉ । ଇଣ୍ଟରଭିଉ ସରିବା ପରଠାରୁ ଖାଲି ଅପେକ୍ଷା ଆଉ ଅପେକ୍ଷା । ପ୍ରତିଦିନ ଡାକ ପିଅନ ପାଇଁ ପ୍ରତୀକ୍ଷା । ମୋ ସାଙ୍ଗ, ସ୍ଵଦେଶର ପରିଚିତ ମେଟାଲ ବକ୍‌ସରେ ଚାକିରି କରୁଥିବା ଦେବେଶ ଦା ଆଶା ଦେଇଛନ୍ତି ଚାକିରିଟା ହେଇଯିବ । ତେଣୁ ଅପେକ୍ଷା କରିବାକୁ ଲାଗିଲି ସେଇଦିନକୁ-ଯେଉଁଦିନ ଗୋଟାଏ ଲମ୍ବା ଲଫାପା ଆସି ପହଞ୍ଚିବ । ଲଫାପା ଉପରେ କମ୍ପାନୀର ଏମ୍ବଲେମ୍ ଥିବ-। ଲଫାପା ଭିତରର ଚିଠିରେ ଲେଖାଥିବ-ତମେ ନିର୍ବାଚିତ ହେଇ ସାରିଛି । ଆସନ୍ତା ଏତେ ତାରିଖରେ କାର୍ଯ୍ୟରେ ଯୋଗଦିଅ । ହେଲେ ସେ ଚିଠି ଆସିବା ଆଗରୁ ଆଉ ଗୋଟାଏ ଲଫାପା ଆସି ପହଞ୍ଚିଲା । ଆଉ ଗୋଟାଏ ଇଣ୍ଟରଭିଉ ପାଇଁ ଡାକରା । ଭାଇ ପଠେଇଥିବା ‘ସମାଜ’ର କଟିଂ ଦେଖି ଦରଖାସ୍ତ କରିଥିବା ଷ୍ଟାଟିସ୍‌ଟିକାଲ୍ ବ୍ୟୁରୋ, କଟକରୁ ଡାକରା ଆସିଛି ଇଣ୍ଟରଭିଉ ପାଇଁ । ଗୋଟାଏ ସାଇଡ଼୍ ବ୍ୟାଗରେ ପାଇଜାମା ପଞ୍ଜାବୀର ଗୋଟାଏ ହଳ, ଗାମୁଛା, ଦାନ୍ତକାଠି, ପାନିଆ ଭର୍ତ୍ତିକରି କାନ୍ଧରେ ଝୁଲେଇଲି । ହାତରେ ଛବି କେଇଖଣ୍ଡ ଧରି ପୁରୀ ପାସେଞ୍ଜରରେ ଚଢ଼ି ବସିଲି-

 

ଇଣ୍ଟରଭିଉ ହଲରେ ଆହୁରି ଅନେକ ପରୀକ୍ଷାର୍ଥୀ । ସେଇଠି ଭେଟ ହେଲା ଦାଶରଥି ପ୍ରସାଦ ଦାସଙ୍କ ସାଙ୍ଗରେ । ଭେଟହେଲା-ସୁନାମଣି ସାମଲ, ଗଦାଧର ସ୍ଵାଇଁ ଏମାନଙ୍କ ସାଙ୍ଗରେ । କଲିକତାର ଗଭର୍ଣ୍ଣମେଣ୍ଟ ଆର୍ଟ ସ୍କୁଲର ଛାତ୍ର ଥିଲା ଗଦାଧର । ସେଇଠି, ସେଇ କଲିକତାରେ ହିଁ ପରିଚୟ । ତାରି ପାଖରୁ ଶୁଣିଲି ସେ ଚାକିରି କରୁଛି ଶିଳ୍ପପୁରୀରେ । ଶିଳ୍ପପୁରୀ ସେ ସମୟରେ ଓଡ଼ିଶାର ଏକମାତ୍ର କମର୍ଶିଆଲ୍ ଷ୍ଟୁଡ଼ିଓ କହିଲେ ଭୁଲ ହେବନି । ମୁଁ କଲିକତାରେ ଥିବା ସମୟରେ ବି ଶିଳ୍ପପୁରୀର ନାଁ ଶୁଣିଛି । ତିନି ରଙ୍ଗରେ ବୋଇତର ଚିତ୍ରଥିବା ଶିଳ୍ପପୁରୀର ଗ୍ରୀଟିଂସ୍ କାର୍ଡ଼ ଦେଖିଛି । ଇଣ୍ଟରଭିଉ ସରିଲା । ଫେରିବା ଗାଡ଼ି ରାତିରେ । ତେଣୁ ଜେଲ୍ ଗେଟ୍ ସାମନା ସ୍ଵରାଜ ହୋଟେଲରେ ପଟା ଖଟରେ ବସି ଅପେକ୍ଷା କରିବା ଛଡ଼ା ଉପାୟ ନାହିଁ । ହେଲେ ବେଶୀ ସମୟ ଏକା ଏକା ବସି ରହିବାକୁ ପଡ଼ିଲାନି ।

 

ଗଦାଧର ସ୍ଵାଇଁ ଆସି ହାଜର । “ଆସ ବୁଲି ଆସିବ ଷ୍ଟୁଡ଼ିଓ ଆଡ଼େ ।” ଗଦାଧର ସ୍ଵାଇଁ ସାଙ୍ଗରେ ବାହାରି ପଡ଼ଲି । ସଞ୍ଜ ହେଇ ସାରିଥାଏ । ପ୍ରଭାତ ସିନେମା ସାମ୍ନା ତେଲେଙ୍ଗା ବସ୍ତି ଭିତର ସେତେବେଳେ ବରା-ପିଆଜି-ଲୁଣି ଶୁଖୁଆର ଦୋକାନ ସବୁ ଡିବି ଆଲୁଅରେ ରାସ୍ତାର ଅଧା ମାଡ଼ି ବସିଥାଏ । ରାସ୍ତାଟାତ ରାସ୍ତା ନୁହେଁ ଯେମିତି ବସ୍ତିବାଲାଙ୍କ ଅଗଣା । ସେଇ ରାସ୍ତା ଉପରେ ଛୋଟ ପିଲା ଗୁରୁଣ୍ଡୁଛି; ମଧ୍ୟ ବୟସ୍କା ସ୍ତ୍ରୀଲୋକ କେତେଜଣ ବିଚିତ୍ର ଅଙ୍ଗ ଭଙ୍ଗି ସହିତ ପରସ୍ପରକୁ ବଡ଼ ପାଟିରେ ଗାଳି ଦେବାରେ ବ୍ୟସ୍ତ । ରାସ୍ତାରେ ଗୋଟାଏ କଡ଼କୁ କେଉଁ ପୁରୁଷ ତାର ପ୍ରେମିକାକୁ ପ୍ରେମ ନିବେଦନ କରୁଛି । ମଦୁଆର ଚିତ୍କାର । ରାସ୍ତା କଡ଼ରେ ନର୍ଦ୍ଦମାର ଗନ୍ଧ ସାଙ୍ଗକୁ ମିଶି ଶୁଖୁଆର ବାସନା । ଏ ସବୁକୁ ଅତିକ୍ରମ କରି ଗଦାଧର ସାଙ୍ଗରେ ମୁଁ ଯାଇ ଶିଳ୍ପପୁରୀରେ ପହଞ୍ଚିଲି । ପଙ୍କ ଭିତରେ ପଦ୍ମଫୁଲର ଉପମା ଆଗରୁ ଶୁଣିଥିଲି । ଏବେ ସେଇ ଉପମାକୁ ଏଇଠି ପ୍ରୟୋଗ କରିବାକୁ ଇଚ୍ଛା ହେଲା । ପରିଷ୍କାର ପରିଚ୍ଛନ୍ନ କୋଠାଟିଏ । ଦାଣ୍ଡ ଘରଟା ଅଫିସ ଘର । ଅଫିସ ଘରେ ଗୋଟାଏ ସୋ କେଶ୍‌ରେ ପେଲିକାନ୍ କମ୍ପାନୀର ପୋଷ୍ଟାର ରଙ୍ଗରେ ଶିଶି ଥାକ ଥାକ କରି ସଜା ହୋଇଛି । କିଛି ଚିତ୍ର ବିଷୟକ ବହି । କାନ୍ଥରେ ଗୋଟାଏ ବଡ଼ ଛବି । ଓଡ଼ିଆ ସାଧବ ପୁଅର ସମୁଦ୍ର ଯାତ୍ରାର ଛବି । ସମୁଦ୍ରରେ ବୋଇତ ଅପେକ୍ଷା କରିଛି । ସ୍ତ୍ରୀଲୋକ ମାନେ ସାଧବ ପୁଅମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଉଛନ୍ତି । ଦାଣ୍ଡଘରର ବାଆଁ କଡ଼କୁ ଯେଉଁ ଘରଟା ସେଇଟା ଷ୍ଟୁଡ଼ିଓ । ଷ୍ଟୁଡ଼ିଓ ଘରର କାନ୍ଥକୁ ଲାଗି ଲମ୍ବା ଟେବୁଲ । ଟେବୁଲ ଆଗକୁ ଦୁଇ ତିନିଟା ଚେୟାର, ଆର୍ଟିଷ୍ଟମାନଙ୍କ ବସିବା ପାଇଁ । ଏଇ ଦୁଇଟା ଘର ଛାଡ଼ି ଦେଲେ ଭିତର ପଟର ବାକୀ ଘରଗୁଡ଼ିକ ରହିବା ଘର । ଷ୍ଟୁଡ଼ିଓ ମାଲିକ ସୀତାନାଥ ମହାନ୍ତି ସପରିବାର ସେଇଠି ରହନ୍ତି । ସୀତାନାଥ ବାବୁ କୃଷି ବିଭାଗର ଜିଲ୍ଲା ଅଫିସର ଥିଲେ । ଅବସର ନେଲା ପରେ ଏବେ ଷ୍ଟୁଡ଼ିଓର ସର୍ବମୟ କର୍ତ୍ତା ହେଲେ ବି କାଗଜ କଲମରେ ଷ୍ଟୁଡ଼ିଓର ମାଲିକ ତାଙ୍କ ପୁଅ ନଗେନ୍ ମହାନ୍ତି । ନଗେନ୍ ମହାନ୍ତି ଆର୍ଟିଷ୍ଟ । କଲିକତାରୁ ପାଶ୍ କରିଛନ୍ତି । ଏସବୁ କଥା ଗଦାଧର ପାଖରୁ ଶୁଣି ସାରିଛି । ଗଦାଧର ବସିବା ଚଉକି ଦେଖି ପୁଣି ଅଫିସ ଘରକୁ ଫେରି ଆସିଲି । ଭିତରପଟ କବାଟ ଦେଇ ସୀତାନାଥ ବାବୁ ଆସି ଠିଆ ହେଲେ । ଗଦାଧର ପରିଚୟ କରେଇଦେଲା ପରେ ନମସ୍କାର ଜଣେଇଲି । ସୀତାନାଥ ବାବୁ ବସିବା ପାଇଁ ଚଉକି ଦେଖେଇ ଦେଲେ; ତାପରେ ନିଜେ ହରିଣ ଚମଡ଼ା ପରା ହେଇଥିବା ଗୋଟିଏ ଆରାମ ଚଉକିରେ ବସିଲେ । ଜାଣିଲି ଏଇଟା ତାଙ୍କ ନିର୍ଦ୍ଦିଷ୍ଟ ଆସନ । ତାପରେ ପ୍ରଶ୍ନ-ଘର କେଉଁଠି ? କିଏ କିଏ ଅଛନ୍ତି ? କେଉଁ ଡିଭିଜନ୍‌ରେ ପାଶ୍ କଲି ? ଷ୍ଟୁଡ଼ିଓ କେମିତି ଲାଗିଲା ? ଏମିତି ଅନେକ; ଏବଂ ସବାଶେଷ ପ୍ରଶ୍ନରୁ ହିଁ ଜାଣିଲି ସୀତାନାଥ ବାବୁଙ୍କର ପ୍ରଶ୍ନ ଗୁଡ଼ିକ ଖାଲି ସୌଜନ୍ୟମୂଳକ ନ ଥିଲା, ଥିଲା ଗୋଟାଏ ଇଣ୍ଟରଭିଉ । ଇଣ୍ଟରଭିଉ ନ ହେଇଥିଲେ ସେ କାହିଁକି ଶେଷର ପଚାରିଥାଆନ୍ତେ ଆପାତତଃ ଦୁଇଶହ ଟଙ୍କା ଦରମାରେ ଆମର ଏଠି କାମ କରିବାରେ ଆପଣଙ୍କର ଆପତ୍ତି ଅଛି କି ? ମୁଁ ହଁ କହିବି ନା ନାହିଁ କହିବି ବୁଝି ପାରିଲିନି । ହଁ କହିଲେ ମେଟାଲ୍‌ବକ୍‌ସ କମ୍ପାନୀକୁ ଭୁଲି ଯିବାକୁ ପଡ଼ିବ । ଆଉ ଯଦି ଏଠି ନାହିଁ କହେ ଏବଂ ମେଟାଲ୍‌ବକ୍‌ସରୁ ବି କିଛି ଚିଠି ନ ଆସେ ତେବେ ? କଣ କରିବି ଠିକ୍ କରି ପାରୁନି । ଗଦାଧର କହିଲା ଏତେ ଭାବୁଛ କ’ଣ ? ରହି ଯାଉନ ? ମୁଁ କହିଲି ହଁ । ସୀତାନାଥ ବାବୁଙ୍କଠାରୁ ଆହୁରି ଅନେକ ଉପଦେଶ ନେଇ ହୋଟେଲକୁ ଫେରି ଆସିଲି । ଫେରିବା ବାଟରେ ଗଦାଧରଠାରୁ ଶୁଣିଲି-ଷ୍ଟୁଡ଼ିଓ ଦେଖେଇବାକୁ ନେବାଟା ତାର ଥିଲା ଗୋଟାଏ ବାହାନା । ତାଙ୍କର ଲୋକ ଦରକାର ଥିଲା । ସେଇ ମୁହୂର୍ତ୍ତରେ ମନେ ହେଲା-ଗଦାଧର ଗୋଟାଏ ପୋଷା ହାତୀ । ଯେଉଁ ହାତୀ ଜଙ୍ଗଲର ଅନ୍ୟ ହାତୀମାନଙ୍କୁ ଖେଦା ଭିତରକୁ ନେଇ ଆସେ । ପୋଷାହାତୀ ହେବାର ମନ୍ତ୍ରରେ ଦୀକ୍ଷିତ କରେ । ରାତି ଟ୍ରେନ୍‌ରେ କଲିକତା ଫେରିଲି । ଏଥର କଲିକତାଠାରୁ ବିଦାୟ ନେବାର ପାଳି । ଆଃ, କଲିକତା ଯେ ଏତେ ସୁନ୍ଦର ଆଗରୁ କାହିଁକି ଭାବି ପାରି ନ ଥିଲି ? ଦୁଇଶହ ଚଉତିରିଶର ପଇସ୍ତରା ଖସା କାନ୍ଥ, ଚକଡ଼ା ଉଠି ଯାଇଥିବା ଚଟାଣ ଯେ ଏତେ ଆପଣାର ଆଗରୁ କାହିଁକି ଜାଣି ପାରି ନ ଥିଲି ?

 

ଜିନିଷ ପତ୍ର ସଜାଡ଼ି, ଦୁଇଶହ ଚଉତିରିଶକୁ, ସାହାଜାତ୍, ମିହିର, ଧରଣୀଧର ନରେନ୍ଦ୍ର ନାଏକ ଏମାନଙ୍କୁ ପଛରେ ପକେଇ, କଲିକତାକୁ ପଛରେ ପକେଇ ସେଦିନ ରାତି ଅନ୍ଧାରରେ ଅସୀମ ବସୁର ରେଳଗାଡ଼ି ଧାଇଁ ଚାଲିଲା । ଅସୀମ ବସୁ ଯେମିତି ଗୋଟାଏ ଗଛ । ଏଇ ରେଳଗାଡ଼ିଟି ସହିତ ତାର ଗଣ୍ଡିଟାକୁ ବାନ୍ଧି ଦିଆ ଯାଇଛି । ଏବେ ଏଇ ରେଳଗାଡ଼ି ତାକୁ ଓଟାରି ନେଇ ଚାଲିଛି । କଲିକତାର ମାଟି ଭିତରେ ପ୍ରଚଣ୍ଡ ଆଲୋଡ଼ନ ସୃଷ୍ଟି ହେଇଛି । ଚେର ସବୁ ଟାଣି ହେଇ ମାଟିରୁ ବାହାରି ଆସୁଛି । ଆଃ, ଆଉ ସହି ପାରୁନି-ବଡ଼ କଷ୍ଟ-ମତେ ଖୋଲି ଦିଅ ଖୋଲିଦିଅ-। ରେଳଗାଡ଼ି ଦେହରୁ ମତେ ଖୋଲି ଦିଅ ।

 

॥ ୧୫ ॥

 

ଖଟ ଉପରେ ହାତଗୋଡ଼ ମେଲି ଚିତ ହେଇ ଶୋଇଥିଲା ଲୋକଟା । ଲୋକଟା ଅର୍ଥ ମୋ ସାମନାରେ ବସି ଯିଏ ତା କଥା ସବୁ ଶୁଣେଇ ଚାଲିଛି ଶତକଡ଼ା ଶହେ ଭାଗ ଅସୀମବସୁ ବୋଲି ଯେ ନିଜକୁ ବୋଲାଉଛି । ସ୍ଵରାଜ ହୋଟେଲର ନମ୍ବର ନ ଥିବା ଘରର ଖଟ । ଅସୀମ ବସୁ ଏବେ ଆଉ କମ୍ ଲୋକ ନୁହେଁ । ଶିଳ୍ପପୁରୀରେ ମାସକୁ ଦୁଇଶହ ଟଙ୍କା ଦରମାର ଚାକିରିଆ ଅସୀମ ବସୁ । ଆର୍ଟିଷ୍ଟ ଅସୀମ ବସୁ । ସ୍ଵରାଜ ହୋଟେଲର ସବୁଠାରୁ ବଡ଼ ସବୁଠାରୁ ଭଲ ଘରଟା ସେ ଭଡ଼ା ନେଇଛି । ରାସ୍ତାକୁ ମୁହେଁଇ ଗୋଟାଏ ଝରକା । ମୁହାଁ ମୁହିଁ ଦୁଇ କାନ୍ଥରେ ଦୁଇଟି ଦୁଆର । ସ୍ଵରାଜ ହୋଟେଲରେ ୟା ଠାରୁ ଭଲ ଘର ଆଉ ନାହିଁ । ଭିତର ପଟର ଅନ୍ଧାରୁଆ ଘର ଗୁଡ଼ାକରେ ତିନି ଚାରିଜଣ ଏକାଠି ରହୁଥିଲା । ବେଳେ ଏଠି ପୂରା ଘରଟା ଏକା ଅସୀମବସୁ ଦଖଲ କରିଛି । ଘରଭଡ଼ା ମାସକୁ କୋଡ଼ିଏ ଟଙ୍କା । ଅସୀମ ବସୁ ମାସକୁ କୋଡ଼ିଏ ଟଙ୍କା ଦେଇ ଏତକ ଆରାମ କିଣି ନେଇଛି ।

 

ଘରର ଆସବାବ ପତ୍ର କହିଲେ କାଠ ପଟାର ଖଟ ଗୋଟିଏ, ଟେବୁଲ ଗୋଟିଏ, ତା ସାଙ୍ଗକୁ ମାଟି ସୁରେଇ ଆଉ କାଚ ଗିଲାସ । ଏସବୁ ହୋଟେଲର ସମ୍ପତ୍ତି । ଅସୀମ ବସୁର ନିଜ ସମ୍ପତ୍ତି କହିଲେ ବିଛଣା ଆଉ କାଠ ବାକ୍‌ସ ଗୋଟିଏ । ବାକି ସବୁ ଜିନିଷ କଲିକତାରୁ ଆସିଲାବେଳେ ବାଲେଶ୍ଵରରେ ନିଜ ଘରେ ଥୋଇ ଦେଇ ଆସିଛି । ଥୋଇ ଦେଇ ଆସିଛି ପାଠ ପଢ଼ିଲାବେଳର ଛବି ସବୁ କିଛି ବହି ଆଉ ଟିଣ ବାକ୍‌ସଟା ।

 

ଏଠି ଏକ ସ୍ଵରାଜ ହୋଟେଲର ପଟା ଖଟ ଉପରେ ଶୋଇ ଅସୀମ ବସୁ ନିଜକୁ ଅନେକ ସୁଖୀ ଅନେକ ଭାଗ୍ୟବାନ ବୋଲି ଭାବିବାକୁ ଲାଗିଲା ।

 

ସକାଳ ସାଢ଼େ ନଅଟାରେ ହୋଟେଲରେ ଖାଇ ପହଞ୍ଚି ଯାଉଥିଲି ଶିଳ୍ପପୁରୀରେ । କାମ ସାରି ଫେରୁ ଫେରୁ କେଉଁଦିନ ରାତି ନଅ ତ କେଉଁଦିନ ରାତି ଏଗାର । ସମୟ କେମିତି କଟି ଯାଉଥିଲା ଜାଣି ପାରୁ ନ ଥିଲି ।

 

ଲୋକଟା କହିବାକୁ ଲାଗିଲା ।

 

ଭଲ ଲାଗୁଥିଲା ଦିନଟା ସାରା ନିଜକୁ କାମ ଭିତରେ ହଜେଇ ଦେବାକୁ । ମନେ ମନେ ଗର୍ବ ଅନୁଭବ କରୁଥିଲି ଏଇଥିପାଇଁ ଯେ ମୁଁ ତିଆରି କରୁଥିବା ଚିତ୍ର ମୂଲ୍ୟହୀନ ନୁହେଁ । ସମାଜରେ ମୋର ପ୍ରୟୋଜନ ଅଛି । ପ୍ରୟୋଜନ ଅଛି ମୁଁ ଆଙ୍କୁଥିବା ଚିତ୍ରର । ଶିଳ୍ପପୁରୀରେ ମତେ ଛାଡ଼ିଦେଲେ ଆମେ ଦୁଇଜଣ ଶିଳ୍ପୀ ଅଛନ୍ତି । ଜଣେ ତ ଗଦାଧର ସ୍ଵାଇଁ, ଅନ୍ୟ ଜଣକ ଅସୀମ ଅଖଣ୍ଡ । ଅସୀମ ଅଖଣ୍ଡ ବଙ୍ଗାଳୀ । ସୀତାନାଥ ବାବୁ ତାଙ୍କୁ ବନାରସରୁ ଏଠାକୁ ଆଣିଛନ୍ତି । ସ୍ଵାମୀ ସ୍ଵରୂପାନନ୍ଦଙ୍କର ଶିକ୍ଷ୍ୟ ସେ । ସ୍ଵାମୀଜୀଙ୍କର ଆଦେଶରେ ହିଁ ତାଙ୍କର ଏଠିକି ଆସିବା । ସ୍ୱଳ୍ପଭାଷି, ମେଳାପୀ ଭଦ୍ର ଲୋକଟିଏ । ଘରେ ସ୍ତ୍ରୀ, ସାନ ସାନ ଦୁଇଟି ପୁଅ । ମୋର ବନ୍ଧୁ ତାଲିକାରେ ଏ ଦୁଇଜଣଙ୍କୁ ଛାଡ଼ିଦେଲେ ଆଉ ଜଣେ ହେଲେ କବି ରବି ସିଂ ।

 

ରବି ସିଂଙ୍କ ସହିତ ବାଲେଶ୍ଵର ବସ୍ ଷ୍ଟାଣ୍ଡରେ ପ୍ରଥମ ପରିଚୟ ହେଇଥିଲା ବନ୍ଧୁ ବ୍ରଜ ରଥଙ୍କ ମଧ୍ୟସ୍ଥତାରେ । ବ୍ରଜ ରଥ ମୋର କଲେଜ ଜୀବନର ସାଙ୍ଗ । ରବି ସିଂ ତାଙ୍କର କାବ୍ୟ କାଳର ସାଙ୍ଗ । ଜେଲଖାନା ପାଚେରୀ ଯେଉଁଠି ସରିଛି, ମାତୃଭୂମି ଅଫିସ ସାମନା ସେଇ ଛକ ଉପରେ ହୋଟେଲଟିଏ । ହୋଟେଲ ପଛକୁ ବଖରାଏ ଘରେ ରବି ସିଂଙ୍କ ସପ ମଶିଣା । ଏକମାତ୍ର କାବ୍ୟ ଗ୍ରନ୍ଥ “ପଥ ପ୍ରାନ୍ତରର କବିତା”ର ସ୍ରଷ୍ଟା ରବି ସିଂ । ପ୍ରାୟ ଦିନ ସକାଳେ ଅଫିସ ଯିବା ଆଗରୁ ଆମର ଭେଟ ହୁଏ । ଭେଟ ହୁଏ ପୁଣି ରାତିରେ । ଗାଳ୍ପିକ, କବି, ରଚନାକାର ମାନଙ୍କର ଗୋଟିଏ ସ୍ଵାଭାବିକ ଇଚ୍ଛା ଥାଏ ବନ୍ଧୁମାନଙ୍କୁ ନିଜର ରଚନା ପଢ଼ି ଶୁଣେଇବାର । ଏଇ ଇଚ୍ଛା କବି ମାନଙ୍କ ପାଖରେ ଟିକେ ଅଧିକ ମାତ୍ରାରେ ଥିବାର ମୁଁ ଲକ୍ଷ କରିଛି । ମୁଁ ଜଣେ ଧୈର୍ଯ୍ୟଶୀଳ ଶ୍ରୋତା ଏ କଥା ରବିବାବୁ ମୋ ସହିତ ମିଶିଲା ପରେ ବୁଝି ପାରିଥିଲେ । ଆହୁରି ଜାଣି ପାରିଥିଲେ-ଏ ଲୋକ ଖାଲି ଧୈର୍ଯ୍ୟ ଧରି ଶୁଣିବ ସିନା ନିଜେ କିଛି ଶୁଣେଇ ଧୈର୍ଯ୍ୟ ଚ୍ୟୁତି ଘଟେଇବନି । ତେଣୁ ରବିବାବୁ ରାତିରେ ଯାହା ସବୁ ଲେଖୁଥିଲେ ସକାଳେ ସେ ସବୁର ପ୍ରଥମ ଶ୍ରୋତା ଥିଲି ମୁଁ । ପିଲାବେଳେ ରବୀନ୍ଦ୍ରନାଥ ଓ ନଜରୁଲଙ୍କର କବିତା ଆବୃତ୍ତି କରିବାକୁ ଭଲ ଯାଉଥିଲି । ରବିବାବୁଙ୍କ କବିତାରେ ନଜରୁଲୀୟ ପ୍ରଭାବ ଥିଲା । ଆବୃତ୍ତି କରିବାର ଉପଯୋଗୀ କଣ୍ଠ ରବିବାବୁଙ୍କର । ଭଲ ଲାଗୁଥିଲା । ଭାରି ଭଲ ଲାଗୁଥିଲା ତାଙ୍କ କଣ୍ଠରେ କବିତା ଆବୃତ୍ତି ।

 

ସେଦିନ ଦି’ପହରେ ଶିଳ୍ପପୁରୀରେ କାମ କରୁଛି । ଜଣେ ଲୋକ ଆସି ଖବର ଦେଲା-ଅସୀମ ବାବୁଙ୍କୁ ମିସେସ୍ ରାଉତରାୟ କିଏ ମୁଁ ଜାଣି ନ ଥାଏ । ତା’ଛଡ଼ା ଏତେ ଅଳ୍ପଦିନ ମୁଁ କଟକକୁ ଆସିଚି ଯେ ଅନ୍ୟ କେହି ସେ କଥା ଜାଣିବା କଥା ନୁହେଁ । ତେଣୁ ଲୋକଟିକୁ ମୁଁ କହିଲି-ଅସୀମ ବାବୁ ଏଠି ଦୁଇଜଣ ଅଛନ୍ତି । କାହାକୁ ଖୋଜୁଛନ୍ତି ମିସେସ୍ ରାଉତରାୟ ?

 

-ଅସୀମ ବସୁ । ଉତ୍ତର ମିଳିଲା ଲୋକଟି ପାଖରୁ ।

 

ଆହୁରି ଜାଣିଲି-ମିସେସ୍ ରାଉତରାୟ ମନ୍ତ୍ରୀ ନୀଳମଣି ରାଉତରାୟଙ୍କ ସ୍ତ୍ରୀ । କ୍ୟାଣ୍ଟନ୍‌ମେଣ୍ଟ ରୋଡ଼୍‌ରେ ଘର । ଶିଳ୍ପପୁରୀରେ କାମ ସାରି ସନ୍ଧ୍ୟାବେଳେ ମିସେସ୍ ରାଉତରାୟଙ୍କ ପାଖରେ ଯାଇ ପହଞ୍ଚିଲି । ପରସ୍ପରର ପରିଚୟ ହେଲା । ପରିଚୟ ହେଲା କବି ନଳିନୀଦେବୀ ରାଉତରାୟଙ୍କ ସାଙ୍ଗରେ । ମିସେସ୍ ରାଉତରାୟ ନାଁଟା ତାଙ୍କୁ ମୋଟେ ମାନୁନି । ସେ ତ ନଳିନୀ ଦେବୀ । ନିଜ ହାତ ତିଆରି ଜଳଖିଆ ଖୁଆଇଲେ । ତାପରେ ନାନା ବିଷୟରେ ଆଲୋଚନା । ଯେମିତି ସେଦିନ ସେଇ ମୁହୂର୍ତ୍ତରେ ଆମର ପ୍ରଥମ ପରିଚୟ ନୁହେଁ । ଆମେ ଯେମିତି ପରସ୍ପର ସହିତ ଅନେକ ଆଗରୁ ପରଚିତ । କବି ନଳିନୀଦେବୀ ବଙ୍ଗଳାର କବି ନଜରୁଲ୍ ଇସ୍‌ଲାମ୍‌ଙ୍କର କିଛି କବିତାର ଅନୁବାଦ କରିଛନ୍ତି । ବହି ଆକାରରେ ତାକୁ ପ୍ରକାଶ କରିବେ । ପ୍ରଚ୍ଛଦ ଆଙ୍କିବାର ଦାୟିତ୍ଵ ମତେ ଦେବାକୁ ଚାହାନ୍ତି ସେ । ଦାୟିତ୍ଵ ନେଲି ।

 

ଆଠ, ଦଶ ଦିନ ପରେ ତିନୋଟି ଲେ ଆଉଟ ନେଇ ତାଙ୍କ ଘରେ ଦେଇ ଆସିଲି । ସେ ଘରେ ନ ଥିଲେ । ଦିନ କେଇଟା ପରେ ପୁଣି ଶିଳ୍ପପୁରୀରେ ଲୋକ ଆସି ଡାକି ନେଇଗଲେ ।

 

କେମିତି ଲାଗୁଛି ଡିଜାଇନ ସବୁ ? ମୋର ପ୍ରଶ୍ନ ଶ୍ରୀମତୀ ନଳନୀଦେବୀ ରାଉତରାୟଙ୍କୁ-

 

ଉତ୍ତରରେ ତାଙ୍କର ପାଲ୍‌ଟା ପ୍ରଶ୍ନ-ଆପଣଙ୍କୁ କେଉଁଟା ଭଲ ଲାଗୁଛି ?

 

ମୁଁ ମୋ କଥା କହିଲି । ହେଲେ ସେ ଆଉ ଗୋଟିଏ ଡିଜାଇନକୁ ଦେଖାଇ କହିଲେ-ମୋ ପୁଅ ଏଇଟା ପସନ୍ଦ କରୁଛି । ତେଣୁ ଏଇଟାକୁ ହିଁ ଫାଇନାଲ କରି ଦିଅନ୍ତୁ । ମୋର ଏଥିରେ କହିବାର କଣ ଅଛି ? ତାଙ୍କ କଥା ମୁତାବକ ଡିଜାଇନ୍ କରି ତାଙ୍କୁ ଦେଇ ଆସିଲି ।

 

ତାପରେ ପ୍ରାୟ ଆଠମାସ ବିତି ଯାଇଛି ଆମେ ଆଉ ପରସ୍ପରକୁ ଭେଟିନୁ । ୟା ଭିତରେ ଦିନେ ବନ୍ଧୁ ସୁନାମଣୀ ସାମଲ ଘରକୁ ଯାଇ ଦେଖିଲି “ନଜରୁଲ କବିତା ସଂକଳନ”ର ଡିଜାଇନଟିଏ ତିଆରି କରୁଛି ସେ । ବୁଝିଲି ମୋର ସବୁ ଡିଜାଇନ୍ ରିଜେକ୍ଟ କରି ନୂଆ ଡିଜାଇନ୍ ତିଆରି କରାଉଛନ୍ତି ନଳିନୀ ଦେବୀ । ମୋର ବା ଏଥିରେ କହିବାର କଣ ଅଛି ? ତାଙ୍କ ବହି ପାଇଁ ତାଙ୍କ ପସନ୍ଦ ମୁତାବକ ଡିଜାଇନ୍ କରେଇବେ ସେ । ହେଲେ ସେତକ ତ ସେ କହିପାରି ଥାନ୍ତେ । ମୋ ପାଖରେ ଏମିତି ଅଭିନୟ କରିବାର କଣ ଦରକାର ଥିଲା ? କଣ ଦରକାର ଥିଲା ତାଙ୍କ ମନକୁ ପାଉ ନ ଥିବା ଡିଜାଇନକୁ ଫାଇନାଲ କରେଇବାର ? ଘଟଣାଟା ମତେ ଖରାପ ଲାଗିଲେ ବି କାହାକୁ କିଛି କହିଲିନି ମୁଁ ।

 

ଦିନେ ହଠାତ୍ ରବିବାବୁ ଆସି ଖବର ଦେଲେ ନଳିନୀ ଦେବୀ ଖବର ଦେଇଛନ୍ତି ଦେଖା କରିବା ପାଇଁ ।

 

ହଁ ଦେଖା କରିବି । ତାଙ୍କୁ ପଚାରିବି-କାହିଁକି ସେ ମତେ ତାଙ୍କ ପସନ୍ଦ ହେଇ ନ ଥିବା ଡିଜାଇନର ଫାଇନାଲ୍ ଆର୍ଟ କରିବା ପାଇଁ କହିଲେ ?

 

ଦେଖା କଲି । ହେଲେ ମୁଁ କିଛି କହିବା ଆଗରୁ ସେ ନିଜ ଆଡ଼ୁ କହିଲେ-

 

ଅସୀମ ବାବୁ । ଭୁଲ ହେଇ ଯାଇଛି । ଆପଣଙ୍କୁ ନ ଜଣେଇ ଅନ୍ୟ ଅନେକଙ୍କ କଥାରେ ପଡ଼ି ମୁଁ ମୋ ବହି ପାଇଁ କଲିକତାରୁ ଏବଂ ଏଠୁ ଅନ୍ୟ ଆର୍ଟିଷ୍ଟଙ୍କ ଠାରୁ ଆହୁରି କେତେଟା ଡିଜାଇନ କରେଇଚି । ହେଲେ କୌଣସିଟା ମନକୁ ପାଉନି । ଏତକ କହି ସବୁ ଡିଜାଇନ ମୋ ସାମନାରେ ଥୋଇ ଦେଲେ । ଚାରି ପାଞ୍ଚଟି ଡିଜାଇନ୍ । ମୁଁ ଦେଖିଲି ହେଲେ କିଛି କହିଲିନି । କଣ ବା କହିବି ? ଯାହା କହିବି ବୋଲି ଭାବିଥିଲି ସେ କଥା ଆଉ କହିବା ଉଚିତ ହେବନି । ବରଂ ତାଙ୍କୁ ଏଭଳି କଥା କହିବି ବୋଲି ଭାବିଥିଲି ବୋଲି ନିଜ ପାଖରେ ନିଜେ ଛୋଟ ହୋଇଗଲି । ନଳିନୀ ଦେବୀ କହିଲେ-ମୋର ଆଉ ଗୋଟାଏ ଅନୁରୋଧ, ଆପଣ ଯେଉଁ ଡିଜାଇନଟିକୁ ପସନ୍ଦ କରିଥିଲେ ତାରି ଗୋଟାଏ ଫାଇନାଲ ଆର୍ଟ କରି ଦିଅନ୍ତୁ । ସେଇଟା ହିଁ ହେବ ମୋ ବହିର କଭର ।

 

ବହି ଛପା ହେବା ପରେ ବର୍ଷେ ହେଲା ପଡ଼ି ରହିଛି । ଖାଲି ଗୋଟାଏ ପ୍ରଚ୍ଛଦ ପାଇଁ । ଖାଲି ଗୋଟାଏ ପ୍ରଚ୍ଛଦ ପାଇଁ କଣ ନ କରିଛନ୍ତି ସେ । ନିଜ ଲେଖା ବହିଟିକୁ ରୁଚିଶୀଳ ପ୍ରଚ୍ଛଦ ସଜେଇବା ପାଇଁ ଗୋଟାଏ ବର୍ଷ ଅପେକ୍ଷା କରି ରହିଛନ୍ତି । ହୁଏତ ସେ ଯାହା ଚାହୁଁଛନ୍ତି ଆମେ କେହି ତା ଦେଇ ପାରିନୁ । ତେଣୁ ଏ ସାଲିଶ୍ । ସାଲିଶ୍ ନିଜ ସାଙ୍ଗରେ ଆମ ମାନଙ୍କ ସାଙ୍ଗରେ ବି ।

 

ବହି ବାହାରିଲା । ସେ ଖୁସୀ ହେଲେ କି ନା ମୁଁ ଜାଣିନି । ହେଲେ ମୁଁ ଖୁସୀ ହେଇ ପାରିଲିନି । ମନେ ହେଲା-ସେ ଯାହା ଚାହୁଁଥିଲେ ଆମେ କେହି ତା ଦେଇ ପାରିଲୁନି ବୋଲି ମୁଁ ଯାହା ଚାହୁଁଥିଲି ତାକୁ ସେ ମାନିନେଲେ ।

 

ତା’ପରେ ଅନେକ ଗୁଡ଼ାଏ ବର୍ଷ କଟି ଯାଇଛି । ଏବେ ଆଉ ମୁଁ ତାଙ୍କ ବହିର ପ୍ରଚ୍ଛଦ ଶିଳ୍ପୀ ଅସୀମ ବସୁ ନୁହେଁ । ତାଙ୍କ କବିତାର ପାଠକ ଅସୀମ ବସୁ । ମୁଁ କଟକ ଛାଡ଼ି ଭୁବନେଶ୍ଵର ଆସିଛି ସରକାରୀ ଚାକିରି କରିଛି । ତାପରେ ବି ନିୟମିତ ଭାବରେ ଆମର ଦେଖା ହେଇଛି । ବେଳେ ବେଳେ ସେ ଆସି ପହଞ୍ଚିଛନ୍ତି ମୋ ବସାରେ । ସେ ବାହାର କରୁଥିବା ପତ୍ରିକାକୁ କେନ୍ଦ୍ର କରି-ତାଙ୍କ ଲେଖାକୁ କେନ୍ଦ୍ର କରି ଅନେକ ଆଲୋଚନା । ଅନେକ ପରାମର୍ଶ । ମୋ ସ୍ତ୍ରୀ ଏତେ ବର୍ଷ ଓଡ଼ିଶାରେ ରହିଲା ପରେ ବି ଭଲ ଓଡ଼ିଆ କହି ପାରୁ ନ ଥିବାରୁ ବଡ଼ ଭଉଣୀର ସ୍ନେହ ନେଇ ତାକୁ ଗାଳି ଦେଇଛନ୍ତି । ନିଜର ଶାନ୍ତିନିକେତନ ରହଣି କାଳ କଥା କହିଛନ୍ତି । ପରିଷ୍କାର ବଂଗଳା କହି ପାରନ୍ତି ସେ । ଓଡ଼ିଆ ଘରର ଝିଅ ହେଇ ଯଦି ସେ ବଂଗଳା କହି ପାରୁଛନ୍ତି ମୋ ସ୍ତ୍ରୀ କାହିଁକି ଚେଷ୍ଟା କଲେ ଓଡ଼ିଆ ଶିଖି ନ ପାରିବ ?

 

ମୁଁ ସେତେବେଳେ ଶହେ ଟଙ୍କା ଦରମାର ସ୍ୱାସ୍ଥ୍ୟ ବିଭାଗର ଆର୍ଟିଷ୍ଟ । ଡାଇରେକ୍ଟରଙ୍କର ପି.ଏ. କଣ ମତେ ‘ଆପଣ’ କହନ୍ତେ ? ଦିନେ ଟେଲିଫୋନ-ଆସିଲା ନଳିନୀଦେବୀଙ୍କର । ପି.ଏ. ଙ୍କ ଟେଲିଫୋନରେ ମତେ ଖୋଜିଲେ ସେ । ବାସ୍ ସଙ୍ଗେ ସଙ୍ଗେ ମୁଁ ତମେରୁ ଆପଣ ହେଇଗଲି । ସାରା ଅଫିସରେ ଖାତିର ବଢ଼ିଗଲା ମୋର ।

 

କେଉଁ ଗୋଟାଏ କାମରେ ସେ ଥର ମୁଁ କଲିକତା ଯାଇଥାଏଁ । କବି ବନ୍ଧୁ ରବି ପାଢ଼ୀଙ୍କ ଘରେ ମୁଁ ଅତିଥି । ନଳିନୀଦେବୀ ବି କଲିକତା ଆସି ଥାଆନ୍ତି । ମୁଁ କଲିକତାରେ ଥିବା କଥା କେମିତି କେଜାଣି ଜାଣି ପାରିଲେ ସେ । ରବିବାବୁଙ୍କ ଘରେ ଆସି ହାଜର ହେଲେ ମତେ ଖୋଜିବାକୁ । ପାଇଲେନି, ଖବର ଦେଇଗଲେ ଦେଖା କରିବା ପାଇଁ ।

 

ମୁଁ ଯାଇ ପହଞ୍ଚିଲି ।

 

ଆସନ୍ତୁ । ଆସନ୍ତୁ । ମୁଁ ଆପଣଙ୍କୁ ବହୁତ ଖୋଜୁଛି । କଥା କଣ କି ଅସୀମ ବାବୁ, ଆପଣଙ୍କ ସହିତ କଥା ହେବାକୁ ମତେ ଭାରି ଭଲ ଲାଗେ । କାହିଁକି ଜାଣନ୍ତି ? ଏ ପର୍ଯ୍ୟନ୍ତ ଯେତେ ଲୋକଙ୍କ ସାଙ୍ଗରେ ମିଶିଛି ପ୍ରାୟ ସମସ୍ତେ କିଛି ନା କିଛି ସାହାଯ୍ୟ ଲୋଡ଼ିଛନ୍ତି ମୋ ଠାରୁ । କିଏ କହିଛି ମନ୍ତ୍ରୀଙ୍କୁ କହି ମୋର ବଦଳି ବନ୍ଦ କରେଇ ଦିଅନ୍ତୁ ତ କିଏ ପ୍ରମୋଶନ ଫାଇଲ କଥା । କିଏ ପୁଅ କି ଭାଇର ଚାକିରି କଥା ତ କିଏ ପି.ଏସ.ସିରେ ଧରା ଧରି କଥା । ସେମାନଙ୍କ ସମସ୍ତଙ୍କ ପାଖରେ ମୁଁ କେହି ନୁହେଁ କିଛି ନୁହେଁ-କେବଳ ମନ୍ତ୍ରୀଙ୍କର ସ୍ତ୍ରୀ । ହେଲେ ଏତେ ଦିନର ସଂପର୍କ ସତ୍ତ୍ୱେ ବି ଆପଣ ଦିନେ ହେଲେ କିଛି କହି ନାହାନ୍ତି । ଆପଣଙ୍କୁ ପାଖରେ ମୁଁ ଖାଲି କବି ନଳିନୀ ଦେବୀ ରାଉତରାୟ । କବି ନଳିନୀଦେବୀ ପାଖରେ ମୋର ଅନ୍ୟ ସବୁ ପରିଚୟ ମ୍ଳାନ ।

 

ସରକାରୀ ଘର ଖଣ୍ଡେ ନ ପାଇ ସେତେବେଳେ ଭାରି ହଇରାଣ ହେଉଥାଏ ମୁଁ । ମନେ ମନେ ସ୍ଥିର କରିଥାଏ ଏଥର ଦେଖା ହେଲେ ନଳିନୀ ଦେବୀଙ୍କୁ କହିବି, ମନ୍ତ୍ରୀଙ୍କୁ କହି ମୋ ପାଇଁ ଗୋଟାଏ ସରକାରୀ ଘରର ବ୍ୟବସ୍ଥା କରି ଦେବାକୁ । ହେଲେ କହି ପାରିଲିନି । ସେଦିନର ସେଇ ଘଟଣା ପରେ ଆଉ ନିଜ କଥା କହି ପାରିନି କେବେ । କେମିତି କହିବି ? ସେ ଯେ ମୋ ପାଖରେ ଖାଲି-କବି, କବି ନଳିନୀ ଦେବୀ ରାଉତରାୟ ।

 

॥ ୧୬ ॥

 

“ସେଇଟା କେଉଁ ବର୍ଷ ଆଉ ମନେ ନାହିଁ । ଆଉ ଥିଲେ ବି ବର୍ଷ ମାସ ତାରିଖର ହିସାବ ତମକୁ ଦେଇ ଲାଭ ବା କ’ଣ ? ଦା ଛଡ଼ା ମୁଁ ତ ଆଉ ତମ ଅଦାଲତର ଆସାମୀ ନୁହଁ ଯେ ତମେ ଚାହିଁଲେ ମତେ ତମ ପାଖରେ ଜବାବ ଦାଖଲ କରିବାକୁ ପଡ଼ିବ ? ତମ ପିଆଦା ବଢ଼େଇ ଥିବା ଗୀତା ଛୁଇଁ ଶପଥ କରିନି ଯାହା କହିବି ସତ କହିବି । ସତ ବିନା କିଛି କହିବି ନାହିଁ । ତେଣୁ ବର୍ଷ ମାସ ତାରିଖର ହିସାବ ଥାଉ ।” ନିଜକୁ ଅସଲି ଅସୀମ ବସୁ ବୋଲି ବୋଲାଉ ଥିବା ଲୋକଟା, ନିଜ କଥାରେ ନିଜେ ବିରକ୍ତ ହେଇ-ମତେ ତାର ପ୍ରତିପକ୍ଷ ବୋଲି ଧରିନେଇ ଚଢ଼ା ଗଳାରେ ଏସବୁ କଥା ଶୁଣେଇ ଗଲା । ତାପରେ କିଛି ସମୟ ଚୁପ୍ ଚାପ୍ । ହୁଏତ ଘଟଣାର ଅସଜଡ଼ା ସ୍ମୃତି ସବୁ ମନେ ମନେ ସଜାଡ଼ି ନେଉଥିଲା ।

 

“ସାହାଜାତ୍ ହୋସେନ୍‌କୁ ଦେଖିଲେ କବି ନଜରୁଲ୍ କଥା ମନେ ହେଉଥିଲା ମୋର ।” ଲୋକଟା କହିବାକୁ ଲାଗିଲା “ବଂଳାର ବିପ୍ଳବୀ କବି ନଜରୁଲ୍ ଇସ୍‌ଲାମ୍ । ସାହାଜାତ୍ ଜାଣିଥିଲା ତା ଚେହେରା ସହିତ କବି ନଜରୁଲ୍‌ଙ୍କର ଚେହେରାର ଯଥେଷ୍ଟ ମେଳ ଅଛି । ତେଣୁ ସେ ମୁଣ୍ଡ ବାଳ ବି ରଖିଥିଲା ନଜରୁଲୀୟ ଢାଞ୍ଚାରେ । ସାହାଜାତ୍ ମୋର ଅନ୍ତରଙ୍ଗ ବନ୍ଧୁ । ଏସାଇଲାମ୍ ଲେନ୍‌ରେ ନିଜ ଭାଇ ଭାଉଜଙ୍କ ପାଖରେ ରହୁଥିଲା ସେ । କଲେଜ ସମୟ ତକ ଛାଡ଼ିଦେଲେ ଦିନର ବାକୀ ସମୟ ତକ ମୋ ସାଙ୍ଗରେ ୨୩୪ ବହୁ ବଜାରରେ-ନ ହେଲେ କେଉଁ ଗଛ ମୂଳରେ ସ୍କେଚ୍ ଖାତା ହାତରେ । ସାହାଜାତ୍ ନିଜ ପ୍ରତି ବଡ଼ ସଚେତନ ଥିଲା । ଆର୍ଟ କଲେଜରେ ଭର୍ତ୍ତି ହେଲା ଦିନଠାରୁ ସେ ନିଜକୁ ଚେହେରାରେ, ପୋଷାକରେ ଶିଳ୍ପୀ ଭଳି ସଜେଇବାକୁ ଚାହୁଁଥିଲା । ଧଳା ପାଇଜାମା ଗେରୁଆ ପଞ୍ଜାବୀ ସାଙ୍ଗକୁ କାନ୍ଧରେ ଝୁଲା ବ୍ୟାଗ । ଆଉ ସେଇ ଝୁଲା ବ୍ୟାଗ ଭିତରୁ ମୁଣ୍ଡ ଟେକିଥିବା କେତୋଟି ଅୟେଲ ପେଣ୍ଟିଂ ବ୍ରସ୍ । ରାସ୍ତାରେ ଯେ କେହି ଦେଖିଲେ ଯେମିତି ସହଜରେ ଜାଣି ପାରିବ ସେ ଜଣେ ଶିଳ୍ପୀ । ଜଣେ ପ୍ରତିଷ୍ଠିତ ଶିଳ୍ପୀ ହେବା ପାଇଁ ତାର ଯେତିକି ଆଗ୍ରହ ଥିଲା, ନିଜକୁ ଶିଳ୍ପୀ ବୋଲେଇବାରେ ସେତିକି ଗର୍ବ ବି ଥିଲା ତାର । ଜାଣେନା, ଆଜି ସେ କେଉଁଠି ଅଛି । କଣ କରୁଛି । ମୁଁ କିନ୍ତୁ ଏବେ ବି ଖବରକାଗଜରେ ମାସିକ ପ୍ରତିକାରେ ଖୋଜି ଦେଖେଁ କାଳେ ତା ନାଁ ବାହାରିଥିବ ବୋଲି । କାଳେ ବାହାରିଥିବ, ଶିଳ୍ପୀ ସାହାଜାତ୍ ହୋସେନ୍ ରାଜ୍ୟ ବା କେନ୍ଦ୍ର ଏକାଡ଼େମୀରୁ ବିଶିଷ୍ଟ ଶିଳ୍ପୀର ସମ୍ମାନ ହାସଲ କରିଚି । ଶିଳ୍ପୀ ସାହାଜାତ୍ ହୋସେନ୍‌ର ଏକକ ଚିତ୍ର ପ୍ରଦର୍ଶନୀର ସମାଲୋଚନା କାଳେ କେଉଁଠି ବାହାରି ଥିବ ।

 

କଲେଜରେ ଦୁଇଟା ବର୍ଷ ନ ଯାଉଣୁ କେଉଁଠୁ କେମିତି ବ୍ୟବସ୍ଥା କରି ସାହାଜାତ୍ କଲେଜ ପାଖାପାଖି ଗୋଟାଏ ବଖରା ଭଡ଼ା ନେଲା । ଦରିଦ୍ର ମଧ୍ୟବିତ୍ତ ଆଂଲୋଇଣ୍ଡିୟାନ୍ ମାନେ ଗୋଟାଏ ବଖରା ଭଡ଼ା ନେଇ ରହୁଥିବା କୋଠାର ଉପର ମହଲାର ବଖରାଟିଏ । ସେଇଟା ହେଲା ସାହାଜାତ୍‌ର ଷ୍ଟୁଡ଼ିଓ ଘର “ହୋସେନ୍ ଷ୍ଟୁଡ଼ିଓ” । କଲେଜରେ ମଡ଼େଲ ଆଙ୍କିବା କ୍ଳାସ ଆରମ୍ଭ ହେଇନି-ହେଲେ ସାହାଜାତ୍ ତା’ ଷ୍ଟୁଡ଼ିଓରେ, କଲେଜକୁ ଆସୁଥିବା ମଡ଼େଲ ଝିଅମାନଙ୍କୁନେଇ ଆଙ୍କିବା ଆରମ୍ଭ କଲା, ଆଉ ଜିଦ୍ କଲା ମତେ ବି ତା’ ଷ୍ଟୁଡ଼ିଓ ଯିବା ପାଇଁ । ହେଲେ ମୋର ସାହସ ନ ଥିଲା ସେମିତି ଗୋଟାଏ ଘରେ ଗୋଟାଏ ଝିଅର ନଗ୍ନ ଦେହ ଦେଖିବାର ବା ଆଙ୍କିବାର । ତେଣୁ ମୁଁ ବିଭିନ୍ନ ଆଳ ଦେଖେଇ ତା’ଠାରୁ ଦୂରେଇ ରହିଲି । ସାହାଜାତ୍ ତା’ ଷ୍ଟୁଡ଼ିଓରେ ଯେଉଁଦିନ ଯାହା ଆଙ୍କୁଥିଲା ମତେ ଆଣି ଦେଖାଉଥିଲା । ପର୍ଣ୍ଣୋଗ୍ରାଫିର ଛବି ଭଳି ମୁଁ ସେ ସବୁ ଛବିକୁ ଦେଖୁଥିଲି ।

 

ମନ ଭିତରେ ଅସମ୍ଭବ ଇଚ୍ଛା ତା ଷ୍ଟୁଡ଼ିଓକୁ ଯିବା ପାଇଁ । ସେ ଇଚ୍ଛା ପଛରେ ଛବି ଆଙ୍କିବାର ଆଗ୍ରହ ଯେତିକି ଥିଲା ତା’ଠାରୁ ଅଧିକା ଇଚ୍ଛା ଥିଲା ଦେହ ଦେଖିବାର । ହେଲେ ଲଜ୍ୟା ଆଉ ଭୟ ମତେ ତା ଷ୍ଟୁଡ଼ିଓକୁ ଯିବାକୁ ଦେଲାନି ଦିନେ ବି । ସାହାଜାତ୍‌ର ଷ୍ଟୁଡ଼ିଓ ବେଶୀଦିନ ରହି ପାରିଲାନି । କଲେଜ୍‌ର ମଡ଼େଲ ଝିଅ ମିନାକ୍ଷୀ ଦିନେ ସାହାଜାତ୍‌ର ବଡ଼ଭାଇଙ୍କ ପାଖରେ ଯାଇ ପହଞ୍ଚିଲା । ସେ ଅନ୍ତଃସତ୍ତ୍ଵା । ଆଉ ସେଥିପାଇଁ ଦାୟୀ ସାହାଜାତ୍ ହୋସେନ୍ । ଏଭଳି ପରିସ୍ଥିତି ପାଇଁ ସାହାଜାତ୍ ପ୍ରସ୍ତୁତ ନ ଥିଲା । ତେଣୁ ଘରୁ ପଳେଇ ଆସି କିଛିଦିନ ପାଇଁ ଦୁଇଶହ ଚଉତିରିଶରେ ମୋ କାଠ ପଟାର କେବିନ ଘରେ ଆତ୍ମଗୋପନ କଲା । ସାହାଜାତ୍‌ର ଭାଇ କେମିତି ଏ ପରିସ୍ଥିତିକୁ ସମ୍ଭାଳିଲେ ସେ କଥା ମୁଁ ଜାଣିନି । ହେଲେ ସାହାଜାତ୍‌ର ଷ୍ଟୁଡ଼ିଓ ବନ୍ଦ ହେଲା । ଆଉ ମାସ ଦୁଇଟା ଭିତରେ ସାହାଜାତ୍‌ର ବାହାଘର ହେଇଗଲା । ନା-ମିନାକ୍ଷୀ ସାଙ୍ଗରେ ନୁହେଁ । ବର୍ଦ୍ଧମାନ ପାଖରେ-ସାହାଜାତ୍‌ର ଗାଆଁରେ ‘ସ୍ଵାତୀ’ ସାଙ୍ଗରେ । ମୁସଲମାନ ଘର ଝିଅର ନାଁ ‘ସ୍ଵାତୀ’ ନ ଥିଲା । ସେ ନାଁ ମୁଁ ଦେଇଥିଲି । ହିନ୍ଦୁ ଘରର ଆଚାର ବ୍ୟବହାର, ଚାଲିଚଳନ ପ୍ରତି ସାହାଜାତ୍‌ର ଥିଲା ଅସମ୍ଭବ ମୋହ ।

 

ପୁରାଣ ପୋଥିର ପୁରୁଣା ନାଆଁକୁ ସେ ଭଲ ପାଉଥିଲା । ତାରି ଅନୁରୋଧରେ ମୁଁ ତାର ସ୍ତ୍ରୀର ନାଁ ଦେଇଥିଲି ‘ସ୍ଵାତୀ’ । ସାହାଜାତ୍‌ର ଇଚ୍ଛାରେ ହିନ୍ଦୁ ଘରର ବୋହୂ ଭଳି ସ୍ଵାତୀ ବି କପାଳରେ ସିନ୍ଦୂର ଟୋପା ଲଗାଉଥିଲା । କଲିକତାରେ ତିଆରି ଲକ୍ଷ୍ମୀ, ଦୁର୍ଗା, ସରସ୍ଵତୀଙ୍କ ମୁହଁ ସାଙ୍ଗରେ ସ୍ଵାତୀର ମୁହଁର ଯଥେଷ୍ଟ ମେଳ ଥିଲା । ସିନ୍ଦୁର ଟୋପା ଲଗେଇ ସେ ଆହୁରି ସୁନ୍ଦର ଦେଖା ଯାଉଥିଲା । ସ୍ଵାତୀ ଖାଲି ସାହାଜାତ୍‌ର ସ୍ତ୍ରୀ ନ ଥିଲା । ସାହାଜାତ୍ ଭଳି ସେ ବି ମୋର ବନ୍ଧୁ ଥିଲା । ସନ୍ଧ୍ୟାବେଳେ ସିନେମାରେ, ପାର୍କରେ, ନଈକୂଳରେ ମଝିରେ ସ୍ଵାତୀକୁ ରଖି ଆମେ ଘୂରି ବୁଲୁଥିଲୁ । ଆମର ସବୁ ଆଲୋଚନା ସ୍ଵାତୀକୁ କେନ୍ଦ୍ର କରି ହେଉଥିଲା । ସ୍ଵାତୀକୁ ଦିନେ ନ ଦେଖିଲେ ମୋ ଭିତରେ କେମିତି ଗୋଟାଏ ଅଭାବ ବୋଧ ଦେଖା ଦେଉଥିଲା । ସ୍ଵାତୀର ଅଜାଣତରେ ମୁଁ ତାକୁ ଭଲ ପାଇ ବସିଲି । ଦିନେ ସାହାଜାତ୍ ଆମ ପାଖରୁ ଦୂରେଇ ଯାଇଥିଲାବେଳେ ସ୍ଵାତୀ ମତେ ପଚାରିଥିଲା “ତମେ ମୋ ନାଆଁ ‘ସ୍ଵାତୀ’ ଦେଲ କାହିଁକି ? ସ୍ଵାତୀ କ’ଣ ତମ ପ୍ରେମିକାର ନାଆଁ ?”

 

ଆଉ ସେଇ ମୁହୂର୍ତ୍ତରେ ମୋ ପାଟିରୁ ବାହରି ଯାଇଥିଲା–“ହଁ । ମୁଁ ଯାହାକୁ ଭଲ ପାଏ ତା ନାଆଁ ସ୍ଵାତୀ । ତା ଆଖି ତମ ଆଖି ଭଳି, ତା ଓଠ ତମ ଓଠ ଭଳି, ତା ମୁହଁ ତମ ମୁହଁ ଭଳି !” ସ୍ଵାତୀ ତାପରେ ଆଉ କିଛି କହିନି । କହିବାର ସୁଯୋଗ ବି ପାଇନି । ସାହାଜାତ୍ ଆସି ଆମ ପାଖରେ ପହଞ୍ଚି ଯାଇଥିଲା । ଦିନେ କଲେଜ ଛୁଟି ପରେ ସାହାଜାତ୍ ମତେ ନେଇ କଲେଜ ସାମନା କ୍ୟାଣ୍ଟିନ୍‌ରେ ଯାଇ ବସିଲା । ଆମେ ଦୁଇକପ୍ ଚାହା ନେଇ ଅନେକ ସମୟ ଧରି ଏଣୁ ତେଣୁ ଅନେକ ଗପ କଲୁ । ସାହାଜାତ୍ ମତେ କିଛି କହିବାକୁ ଚାହୁଁଥିଲା । ହେଲେ ଦୋକାନର ଗହଳି ଭିତରେ କହି ପାରୁ ନ ଥିଲା । ଆମେ ଚାହା ଦୋକାନରୁ ବାହାରି ଓୟେଲିଂଟନ୍ ପାର୍କରେ ଯାଇ ବସିଲୁ । କିଛି ସମୟ ଚୁପ ରହିଲା ପରେ ସାହାଜାତ୍ କହିଲା-“ଜାଣୁ ଅସୀମ । ସ୍ଵାତୀ ତତେ ଭଲ ପାଏ । ସାହାଜାତ୍‌ର କଥା ଶୁଣି ଚମକି ଉଠିଲି । କଣ କହୁଛି ସାହାଜାତ୍ ? ସେ କଣ ମୋ ମନର ନିବୁଜ କୋଠରୀ ଭିତରେ ପଶି ସାଇତା ହେଇଥିବା ସ୍ଵାତୀର ଛବିକୁ ଦେଖି ପାରିଚି ? ଖ୍ରୀଷ୍ଟଧର୍ମୀମାନେ ଯେମିତି ଫାଦରଙ୍କ ଆଗରେ ନିଜର ପାପବୋଧର ସ୍ଵୀକାରୋକ୍ତି ଦିଅନ୍ତି ସ୍ଵାତୀ କଣ ସେମିତି ସାହାଜାତ୍ ପାଖରେ ନିଜର ପାପବୋଧର ସ୍ଵୀକାରୋକ୍ତି ଦେଇଛି ? ମୋ ମୁହଁ ସେଇ ମୁହୂର୍ତ୍ତରେ ଫିକା ପଡ଼ିଗଲା । କାନ ଶୁଣିବାର ଶକ୍ତି ହରେଇ ବସିଲା । ଆଖି ଟେକି ସାହାଜାତ୍‌ର ମୁହଁକୁ ଚାହିଁ ପାରିଲିନି ।

 

ସାହାଜାତ୍ କହିବାକୁ ଲାଗିଲା-ନାଁ, ସ୍ଵାତୀ ମୁହଁ ଖୋଲି କିଛି କହିନି । ହେଲେ ମୁଁ ବୁଝି ପାରୁଛି-ସେ ମତେ ଯେତିକି ଭଲପାଏ ତତେ ବି ସେତିକି ଭଲପାଏ ।

 

ସେ ମୋ ପାଖରେ ରହି ତତେ ନ ପାଇବାର ଯନ୍ତ୍ରଣା ଯେତିକି ଅନୁଭବ କରେ-ତୋ ପାଖରେ ରହିଥିଲେ ମୋ ପାଇଁ ବି ସେଇ ଯନ୍ତ୍ରଣା ଭୋଗି ଥାଆନ୍ତା ।

 

Unknown

ଇର୍ଷା ନୁହେଁ, ରାଗ ନୁହେଁ, ଘୃଣା ନୁହେଁ କି ବିଦ୍ଵେଷ ନୁହେଁ ଜଣେ ମୁକ୍ତ ପୁରୁଷ ଭଳି ସାହାଜାତ୍ କହି ଚାଲିଲା-କାହାରି ମନର ଗଭୀର ଇଚ୍ଛାକୁ କ’ଣ ରୋକି ହୁଏ ? ତା’ଛଡ଼ା ସେ ମତେ ତୋଠାରୁ ଅଲଗା କରି ତ କେବେ ଦେଖିନି । ତା’ର ଭଲ ପାଇବାର ଲୋକ ସାହାଜାତ୍ ନୁହେଁ କି ଅସୀମ ନୁହେଁ-ସାହାଜାତ୍‌ ଅସୀମ ହୋସେନ୍ ।

 

ମୋର କିଛି କହିବାର ନ ଥିଲା । ତେଣୁ ଶୁଣିଗଲି-ମୁହଁ ତଳକୁ ପୋତି, କାଠଗଡ଼ାର ଆସାମୀ ଭଳି ମୋ ବିଚାରର ରାୟ ଶୁଣିବାକୁ ଲାଗିଲି ।

 

“ମୁଁ ସ୍ଵାତୀକୁ ଏକଥା କହିଛି ।” ସାହାଜାତ୍ କହିବାକୁ ଲାଗିଲା-“ସ୍ଵାତୀ ବି କିଛି ଲୁଚେଇନି ମୋ ପାଖରେ । ଆଉ ଲୁଚେଇନି ବୋଲି ମୁଁ ଜାଣି ପାରିଛି, ସେ ମତେ କେତେ ଭଲ ପାଏ । କେତେ ଆପଣାର ବୋଲି ଭାବେ । ଏସବୁ ଶୁଣିଲା ପରେ ତୁ କିନ୍ତୁ ଆମଠାରୁ ଅଲଗା ହେଇ ଯିବୁନି । ସ୍ଵାତୀ ପାଖରେ ଆମକୁ ସେମିତି ସାହାଜାତ୍‌ଅସୀମ୍ ହୋସେନ୍ ହେଇ ରହିବାକୁ ପଡ଼ିବ । ତା’ ନହେଲେ ସ୍ଵାତୀ ପାଖରେ ମୁଁ ଛୋଟ ହେଇଯିବି ।”

 

ଆସାମୀକୁ ଚରମ ଦଣ୍ଡାଦେଶ ଶୁଣେଇ ସାରିଲା ପରେ ତାକୁ ଯଦି ହସିବାକୁ କୁହାଯାଏ ସେ କେମିତି ହସିବ ମୁଁ ସେଇ ମୁହୂର୍ତ୍ତରେ ବୁଝି ପାରିଲି । ଜାଣି ପାରିଲି-ମୋ ପାଇଁ ନୁହେଁ; ସାହାଜାତ୍ ପାଇଁ; ସ୍ଵାତୀ ପାଖରେ ମତେ ନିଜକୁ ବନ୍ଧା ରଖିବାକୁ ପଡ଼ିବ । ସ୍ଵାତୀ ପାଖରେ ମତେ ସାହାଜାତ୍‌ଅସୀମ ହୋସେନ୍ ହେଇ ରହିବାକୁ ପଡ଼ିବ ।

 

॥ ୧୭ ॥

 

ସ୍ଵରାଜ ହୋଟେଲ । ସେଦିନର ସେ ସ୍ଵରାଜ ହୋଟେଲ ଆଜି ସ୍ଥାନ ପରିବର୍ତ୍ତନ କରିଛି । ହେଲେ ମୋ ସ୍ମୃତିର ସ୍ଵରାଜ ହୋଟେଲ ଏବେ ବି ସେଇଠି, ସେମିତି ଅଛି । ଏବେ କେବେ କେମିତି ସେଇବାଟ ଦେଇ ଗଲାବେଳେ ଜେର୍ ଗେଟ୍ ସାମନାରେ ପାଦ ଅଟକି ଯାଏ । ଆଖି ଆପେ ଆପେ ଚାଲିଯାଏ ଆରପଟର ଦୋକାନ ଗୁଡ଼ାକ ଉପରକୁ । ଆଲୁଅ ଝଲ ମଲ ଦୋକାନଗୁଡ଼ା ମୁହୂର୍ତ୍ତକ ପାଇଁ ଉଭାନ ହେଇଯାଇ କାଲମାଟି ରଙ୍ଗର ପାଚେରୀ ଥିବା ସ୍ଵରାଜ ହୋଟେଲର ଦୁଆର ବନ୍ଧ ଆଖି ଆଗରେ ଭାସି ଉଠେ । ସେଇ ଦୁଆର ଫାଙ୍କ ଦେଇ ମେନେଜର ଦାସ ବାବୁଙ୍କର ଟେବୁଲ୍ ଦିଶୁଚି । ହେଇ ଲମ୍ବା ଭିତର ବାରଣ୍ଡାରେ ଆର୍ତ୍ତ ପାଞ୍ଚଟା ଭାତ ଥାଳି ବାଁ ହାତ ଉପରେ ଥାକ ଥାକ କରି ସଜେଇ ଚଉତୁଛି । ବିହାରୀ ପାଣି ଜଗ୍ ଧରି ଏଘରୁ ବାହାରି ସେ ଘରକୁ ଗଲା । ଆର୍ତ୍ତ, ବିହାରୀ, ସପନି, ସ୍ଵରାଜ ହୋଟେଲ ଭଳି ମୋ ସ୍ମୃତିର ଚୌହଦି ଭିତରେ ବନ୍ଦୀ । ସ୍ମୃତିର ଚୌହଦିରେ ବନ୍ଦୀ ଥିବା ଚରିତ୍ରମାନଙ୍କର ବୟସ କେବେ ବଢ଼େନି । ରୋଗ ଶୋକ ସେମାନଙ୍କୁ ମଳିନ କରେନି । ପ୍ରାଚୁର୍ଯ୍ୟ ଆନନ୍ଦ ଉଚ୍ଛ୍ଵାସ ସେମାନଙ୍କୁ ଉଜ୍ଵଳ କରେନି । ସ୍ଵରାଜ ହୋଟେଲର ଚାକିରିଆ ଆର୍ତ୍ତ, ବିହାରୀ, ସପନି ଏବେ ବି ମୋ ସ୍ମୃତିର ଚଉଦ, ପନ୍ଦର ବର୍ଷର ପିଲାସବୁ ।

 

ଭୋର ସାଢ଼େ ଚାରିଟାରେ ମେନେଜର ଦାସ ବାବୁଙ୍କର ପାଟି ଶୁଭେ ।

 

“ଆବେ ଆର୍ତ୍ତ ! ଉଠ୍ ବେ । ହଇବେ ବିହାରୀ । ରାତି ପାହିଲାଣି ଏବେ ବି ଶୋଇଛୁ ? ସପନି । ଡାକ ଶୁଭୁନି କିବେ ? ଦେବି ଉପରେ ପାଣି ବାଲଟି ଅଜାଡ଼ି ଯେ ନିଦ ଛାଡ଼ିଯିବ ।” ତଳକୁ ନଇଁ ହାତରେ ଠେଲିବାକୁ ଭାରି କଷ୍ଟ ଦାସ ବାବୁଙ୍କର । ତେଣୁ ଡାକ ସାଙ୍ଗକୁ ଗୋଇଠା ଧକ୍‌କା । ଆଖି ମଳି ମଳି ଉଠି ବସେ ଆର୍ତ୍ତ, ସପନି, ବିହାରୀ, ଗୋକୁଳି, ଅନନ୍ତ, ପେଚୁ ସମସ୍ତେ । ଆରମ୍ଭ ହେଇଯାଏ ହୋଟେଲର କାମ ଦାମ । ଘର ଓଳେଇବା, ସୁରେଇରେ ପାଣି ଭର୍ତ୍ତି କରି ସବୁ ବଖରାରେ ଥୋଇବା, ସାମନା ଦୋକାନରୁ ଚାହା ଆଣି ଘରେ ପହଞ୍ଚେଇବା, ଏମିତି କେତେ କାମ-। ମୋ ବଖରା ଦାୟିତ୍ଵ ଆର୍ତ୍ତ ଉପରେ । ଅନେକ ଥର ଦେଖିଛି ଘର ଓଳାଉ ଓଳାଉ ଆର୍ତ୍ତକୁ ଢୁଳେଇବାର ।

 

ସକାଳ ନଅଟା ବେଳେ ଦାସବାବୁ ବାଣ୍ଟି ଦିଅନ୍ତି ଚାରଣା କରି ଜଳଖିଆ ପଇସା ସମସ୍ତଙ୍କୁ । ପୁଝାରୀ ଠାରୁ ପିଲା ସମସ୍ତେ ସମାନ । ସାଢ଼େ ନଅଟାରୁ ହୋଟେଲରେ ଭିଡ଼ ଲାଗେ ଗରାଖ ମାନଙ୍କର । ଅଫିସ ଚାକିରିଆ । ମାସିକିଆ ଗରାଖ ।

 

ଦିନ ଦୁଇଟା ବେଳେ, ଆର୍ତ୍ତ, ବିହାରୀ ଏମାନେ ଟିକେ ଦମ ମାରିବାର ସମୟ ପାଆନ୍ତି । ତାପରେ ଗଣ୍ଡେ ଖାଇ ଦେଇ ଟିକେ ବିଶ୍ରାମ । ଦିନ ସାଢ଼େ ତିନ୍‌ରେ ପୁଣି ଦାସ ବାବୁଙ୍କର ଡାକରା ।

 

ପୁଣି କାମ ଆରମ୍ଭ । ବାସନ ମଜା, ଖାଇବା ଘର ଧୁଆ ଧୁଇ, ଏମିତି କେତେ କାମ । ରାତି ପାଇଁ ପ୍ରସ୍ତୁତି । ରାତି ବାରଟାରେ ହୋଟେଲ ବନ୍ଦ ହେଲେ, ଆର୍ତ୍ତ, ବିହାରୀ, ସପନି ମାନଙ୍କର ଛୁଟି । ଦିନସାରା ଖଟଣି ପରେ ଗଣ୍ଡେ ଖାଇ ମଶିଣା ପାରିବା କଥା । ହେଲେ ଦିନେ ଦିନେ ଆର୍ତ୍ତ ଏମାନେ ଖେଳିବାକୁ ବସନ୍ତି । କେଉଁ ଦିନ ତାସ ତ କେଉଁଦିନ ଲୁଡ଼ୁ । ଏଇ ସମୟ ଟିକକ ତାଙ୍କର ନିଜର । ଏକାନ୍ତ ଭାବରେ ନିଜର । ସବୁ ଖୁସୀ ଗପ, ସବୁ ହସ, ସବୁ ଆନନ୍ଦ ଏଇ ସମୟ ଟିକକ ପାଇଁ ସେମାନେ ସାଇତି ରଖି ଥାଆନ୍ତି । ଏଇ ସମୟ ଟିକକ ପାଇଁ ସେମାନେ ଫୁଲ ପାଲଟି ଯାଆନ୍ତି । ଚଢ଼େଇ ପାଲଟି ଯାଆନ୍ତି । ସେମାନେ ଯେ କୈଶୋର ଓ ଯୌବନର ସନ୍ଧିକ୍ଷଣରେ ଏଇ ଟିକକ ସମୟ ହିଁ ତା କହିଦିଏ ।

 

ସେଦିନ ରବିବାର । ଦି’ପହରେ ଖାଇ ସାରି ବିଛଣାରେ ଶୋଇ ସଦ୍ୟ କିଣିଥିବା ଗୋଟାଏ ପତ୍ରିକା ପଢ଼ୁଛି । ଆର୍ତ୍ତ ଆସି ଦୁଆର ମୁହଁରେ ଠିଆ ହେଲା । ମୁଁ ବହି ଉପରୁ ମୁହଁ ଟେକି ତାକୁ ଚାହିଁଲି । କିଛି ଗୋଟାଏ କହିବା ପାଇଁ ଆସିଛି ସେ । ହେଲେ କହିବାକୁ ସଙ୍କୋଚ ବୋଧ କରୁଛି । ମୁଁ ପଚାରିଲି-ଆର୍ତ୍ତ ! ମତେ କଣ କିଛି କହିବୁ ?

 

ଆଜ୍ଞା ହଁ ବାବୁ ! ମୋର ଦଶଟା ଟଙ୍କା ଦରକାର ।

 

ଦରମା ପାଇଲେ ସୁଝି ଦେବି ।

 

ଆର୍ତ୍ତ ମୁହଁ ତଳକୁ ପୋତି, ସିମେଣ୍ଟ ଚଟାଣ ଉପରେ ଗୋଡ଼ର ବୁଢ଼ା ଆଙ୍ଗୁଠି ଘସି ଘସି କହିଲା । –ଟଙ୍କା ! ହଠାତ୍ ତୋର ଦଶଟଙ୍କା ଦରକାର ପଡ଼ିଲା କାହିଁକି ?

 

ମସୁରୀ ବାଡ଼ ଦେହରେ ଝୁଲୁଥିବା ପଞ୍ଜାବୀ ପକେଟରୁ ଟଙ୍କା ବାହାର କରୁ କରୁ ମୁଁ ପଚାରିଲି । ମୋର ନୁହେଁ ବିହାରୀ ପାଇଁ ଦରକାର । ତାର ବାପା ଆସିଛନ୍ତି । ଆଜି ଗାଁକୁ ଫେରିଯିବେ । ଆର୍ତ୍ତ କହିଲା । ମୁଁ ଟଙ୍କା ଦଶଟା ଆର୍ତ୍ତ ହାତକୁ ବଢ଼େଇ ଦେଲି ।

 

ଆର୍ତ୍ତ ଦେଇଥିବା ଦଶଟଙ୍କା କଥା ମୁଁ ଭୁଲି ଯାଇଥିଲି । ହେଲେ ଆଠ ତାରିଖ ଦି ପହରେ ଆର୍ତ୍ତ ଆସି ପୁଣି ଦୁଆରେ ଠିଆ ହେଲା । ହାତରେ ଦଶ ଟଙ୍କିଆ ନୋଟ ଖଣ୍ଡେ । ଦରମା ମିଳିଛି, ଟଙ୍କା ଫେରେଇବାକୁ ଆସିଛି ସେ । ମୁଁ ଜାଣେ ଆର୍ତ୍ତ ଦରମା ପାଏ ଦଶଟଙ୍କା । ଟଙ୍କାଟା ଫେରାଇ ନବାକୁ ମୁଁ ଚାହୁଁ ନ ଥିଲି । କହିଲି-“ଏବେ ସେ ଟଙ୍କା ଥାଉ, ପରେ ମୁଁ ନେଇ ନେବି ।” ହେଲେ ଆର୍ତ୍ତ ଶୁଣିଲାନି । କହିଲା-ନାହିଁ ବାବୁ, ଜବାବ କରିଥିଲି ଦରମା ପାଇଲେ ଦେଇ ଦେବି ବୋଲି । ମୋର କିଛି ଅସୁବିଧା ହବନି । ବିହାରୀ କହିଛି ଦୁଇ ମାସରେ ମତେ ସୁଝି ଦେବ । ପରେ ଦରକାର ହେଲେ ମୁଁ ବରଂ ଆପଣଙ୍କଠୁଁ ମାଗି ନେବି ।

 

ଆର୍ତ୍ତ ଟଙ୍କା ଦେଇ ଚାଲିଗଲା, ଏଇ ଘଟଣାର କିଛିଦିନ ପରେ ମେନେଜର ଦାସ ବାବୁ ଧାର ନେଲେ ତିରିଶଟା ଟଙ୍କା । ତାପରେ, ମାସ ପରେ ମାସ ବିତିଗଲା, କର୍ମ ବ୍ୟସ୍ତ ଦାସ ବାବୁ ଭୁଲିଗଲେ ତିରିଶ ଟଙ୍କା ଫେରାଇବା କଥା । ହେଲେ ମୁଁ ଭୁଲି ପାରିଲିନି ସେଇ ତିରିଶ ଟଙ୍କା । ଭୁଲି ଯାଇ ଥାଆନ୍ତି-ଯଦି ଆର୍ତ୍ତ ଦଶଟଙ୍କା ଫେରାଇ ନ ଥାନ୍ତା ।

 

॥ ୧୮ ॥

 

କବି ରବି ଶଙ୍କର ପ୍ରଥମ କବିତା ବହି “ପଥ ପ୍ରାନ୍ତରର କବିତା”ର ପ୍ରଚ୍ଛଦ ମୋ ରୁଚିରେ ଗ୍ରହଣ ଯୋଗ୍ୟ ହେଉ ନ ଥିବା ପ୍ରଚ୍ଛଦ ମାନଙ୍କ ଭିତରୁ ଗୋଟିଏ । ଏକଥା ରବି ବାବୁଙ୍କୁ କହିବି କହିବି ଭାବି ବି ପାରି ନ ଥିଲି । କହି ପାରି ନ ଥିଲି-ରବି ବାବୁ । ଆପଣଙ୍କର କବିତାର କାଣିଚାଏ ବି ନାହିଁ ପ୍ରଚ୍ଛଦରେ ବସି ବଇଁଶୀ ବଜାଉଥିବା ପିଲାଟି ଭିତରେ । ବଇଁଶୀ ନୁହେଁ ତା ହାତରେ ଶିଂଗା ରହିବା ଦରକାର । ତା ସାମନାରେ ଧୁମ୍‌ସା ରହିବା ଦରକାର । କେମିତି କହି ପାରି ଥାଆନ୍ତି । ପଥ ପ୍ରାନ୍ତରର କବିତା ଯେ ତାଙ୍କର ପ୍ରଥମ ସନ୍ତାନ । ବନ୍ଧୁତ୍ଵ ଏତେ ନିବୀଡ଼ ନୁହେଁଯେ ତାଙ୍କର ସନ୍ତାନକୁ ନିଜ ସନ୍ତାନ ଭାବି ଭୁଲ୍ ଠିକ୍‌ର ସମାଲୋଚନା କରି ହେବ ।

 

ପ୍ରାୟ ପ୍ରତିଦିନ ସକାଳେ ରବିବାବୁ ଆସି ପହଞ୍ଚନ୍ତି ମୋ ପାଖରେ । କାଠ ପଟା ଖଟ ଉପରେ ମୁହାଁ ମୁହିଁ ବସି ଆରମ୍ଭ ହୁଏ କବିତାର ଆସର । କେତେବେଳେ କାଗଜ ଧରି ତ କେତେବେଳେ ସ୍ମୃତିରୁ ଗୋଟାକ ପରେ ଗୋଟାଏ କବିତା ଗାଇ ଚାଲନ୍ତି ରବି ସିଂ । ଆଉ ମୁଁ ରବି ବାବୁଙ୍କ ମୁଖ ନିସୃତ ତରଙ୍ଗାୟିତ ଉତ୍ତପ୍ତ ଲାଭା ସ୍ରୋତରେ ସ୍ମାନ କରି ପବିତ୍ରତାର ସ୍ପର୍ଶ ଅନୁଭବ କରୁଥାଏ । ରବିବାବୁଙ୍କ କଣ୍ଠରେ ଖରାପ କବିତା ଭଲ ହୁଏ । ଭଲ କବିତା ଆହୁରି ଭଲ ହୁଏ । ବେଳେ ବେଳେ ରବି ବାବୁଙ୍କୁ ଶ୍ରୋତା କରି ମୁଁ ମଧ୍ୟ ଆବୃତ୍ତି କରେ ନଜରୁଲଙ୍କ କବିତା ରବୀନ୍ଦ୍ର ନାଥଙ୍କ କବିତା ।

 

ରବି ବାବୁଙ୍କୁ ମୋର ବେଳେ ବେଳେ ମନେ ହେଉଥିଲା-ପର୍ଶୁରାମଙ୍କ କୁଠାର ଭଳି,-ଯେ କି ପୃଥିବୀକୁ ନିଃକ୍ଷତ୍ରିୟ କରିବା ପାଇଁ ଏବେ ବି ସକ୍ରୀୟ ।

 

ରବିବାବୁଙ୍କୁ ମନେ ହେଉଥିଲା ଗୋଟାଏ ଆଗ୍ନେୟଗିରି ଭଳି । କବିତା ନୁହେଁ ଉତ୍ତପ୍ତ ଲାଭା ସ୍ରୋତ ମୁଖ ଗହ୍ଵରରୁ ଉଦ୍‌ଗୀର୍ଣ୍ଣ ହେଇ କ୍ରମଶଃ ଚାରି ଆଡ଼କୁ ବିସ୍ତୃତି ଲାଭ କରୁଚି । ରବିବାବୁଙ୍କୁ ମନେ ହେଉଥିଲା ଗୋଟାଏ ଜ୍ଵଳନ୍ତ ଉଲ୍‌କା ପିଣ୍ଡ ଭଳି ଯେ କି ସବୁ କିଛିକୁ ଜାଳି ପୋଡ଼ି ଶେଷ କରି ଦେବା ପାଇଁ ମାଡ଼ି ଆସୁଛି, ଆଗକୁ ଆଗକୁ । ହେଲେ ସେଇ ଉଲ୍‌କା ପିଣ୍ଡ ଭିତରେ-ସେଇ ଆଗ୍ନେୟଗିରିର ଗହ୍ଵରରେ ଗୋଟିଏ ଫୁଲର ସଂଧାନ ଦିନେ ମୁଁ ପାଇଲି । ପ୍ରେମର ଫୁଲ-ଭଲ ପାଇବାର ଫୁଲ । ସେ ଫୁଲର ନାଁ ବଉଳ ଫୁଲ । ବଙ୍ଗ ଲଳନା “ବକୁଲ” । କଟକରେ କେଉଁ ଏକ ବିଷୟରେ ବୈଷୟିକ ଟ୍ରେନିଂ ନେଉଛନ୍ତି ବକୁଳ ଦେବୀ । ରବିବାବୁଙ୍କ ଭିତରେ ରଣ ଦୁନ୍ଦୁଭି ନୁହେଁ ସୁଲଳିତ ବଂଶୀ ସ୍ଵନର ସନ୍ଧାନ ମୁଁ ପାଇଲି । ରବିବାବୁ ସେତେବେଳେ ବଙ୍ଗଳା ଭାଷା ପଢ଼ି ଲେଖି ଜାଣି ନ ଥିଲେ । ବକୁଳ ଦେବୀଙ୍କ ପାଖରେ ଓଡ଼ିଆ ଭାଷା ମଧ୍ୟ ସମପର୍ଯ୍ୟାୟର । ତେଣୁ ମୁଁ ହେଲି ଉଭୟଙ୍କ ଆଦାନ ପ୍ରଦାନର ମାଧ୍ୟମ । ମାଧ୍ୟମ ନ ହେଇଁ ଥିଲେ ରବିବାବୁଙ୍କ ଭିତରେ ଲୁଚି ରହିଥିବା ସୁକୁମାର ରୂପକୁ ମୁଁ ଦେଖି ପାରି ଥାଆନ୍ତି କେମିତି ? ନଜରୁଲ ଇସ୍‌ଲାମ୍‌ଙ୍କ ଭାଷାରେ ଆମି ଅର୍ଫିଆସେର ବାଁଶରୀ ।

 

‘ଆମି ଶ୍ୟାମେର’ ହାତରେ ବାଁଶରୀର ସଂଧାନ ପାଇ ପାରି ଥାଆନ୍ତି କେମିତି ?

 

ଶିଳ୍ପପୁରୀରେ ବିଶ୍ଵ କୃଷିମେଳା ପାଇଁ କାମ ଚାଲିଥାଏ । ସକାଳ ନଅଟାରୁ ରାତି ନଅଟା ଯାଏ ଖଟି ଚାଲିଥାଏ ମୁଁ । ରାତିରେ ସ୍ଵରାଜ ହୋଟେଲକୁ ଫେରିଲା ପରେ ରବିବାବୁ ଆସି ପହଞ୍ଚନ୍ତି-। ହାତରେ ବକୁଳ ଦେବୀଙ୍କର ଚିଠି । ସେ ଚିଠି ପଢ଼ି ଶୁଣେଇବି ମୁଁ–ପୁଣି ସେ ଓଡ଼ିଆରେ କହୁଥିବା ବିଷୟକୁ ଭାଷାନ୍ତର କରି ବକୁଳ ଦେବୀଙ୍କ ପାଇଁ ଉତ୍ତର ଲେଖି ରବିବାବୁଙ୍କ ହାତକୁ ବଢ଼େଇ ଦେବି-। ଏମିତି ଚାଲିଥିବା ଦିନ ପରେ ଦିନ ।

 

ହେଲେ ସେ ଦିନ ?

 

ସେଦିନ ଶିଳ୍ପପୁରୀରେ ଦିନ ସାରା ଅନେକ ପରିଶ୍ରମ କରିବାକୁ ପଡ଼ିଥିଲା । ଥକି ପଡ଼ିଥାଏ ମୁଁ । ହୋଟେଲକୁ ଫେରି କ୍ଳାନ୍ତ ଅବସନ୍ନ ଦେହଟାକୁ ଖଟ ଉପରେ ଲୋଟେଇ ଦେଇଥାଏ-। ଏତିକିବେଳେ ଗେଟ୍ ପାଖରେ ରବିବାବୁଙ୍କର ଗଳା ଶୁଭିଲା । ମୁଁ ନିଦରେ ଶୋଇ ଯାଇଥିବାର ଅଭିନୟ କରି ଖଟ ଉପରେ ପଡ଼ି ରହିଲି । ରବିବାବୁ ଆସିଲେ । ଖୋଲା ଦୁଆର ସାମନାରେ ଠିଆ ହେଇ ମତେ ଦୁଇ ଚାରି ଥର ଡାକ ଡାକିଲେ-ତାପରେ କିଛି ସମୟ ଠିଆ ହେଇ ଧିର ପାଦରେ ଫେରିଗଲେ । ଆଉ ମୁଁ ? କେଇଟା ମୁହୂର୍ତ୍ତରେ ଶୋଇ ଯିବାର ଅଭିନୟ ସେଦିନ ରାତି ସାରା ମତେ ଶୁଆଇ ଦେଲାନି । ନିଜ ଭିତରେ ଗୋଟାଏ ଅପରାଧ ବୋଧ-ଜଣଙ୍କୁ ଠକି ଦେବାର ଗ୍ଳାନି ମତେ ରାତି ସାରା ଉଜାଗର ରଖି ଦେଲା । ଭୋର ବେଳକୁ ଟିକେ ଆଖି ଲାଗି ଯାଇଛି-ରବିବାବୁ ଆସି ପହଞ୍ଚିଲେ ।

 

ମୁଁ ଧଡ଼ପଡ଼ କରି ଉଠି ବସିଲି । ମୁଣ୍ଡ ଟେକି ରବିବାବୁଙ୍କର ମୁହଁକୁ ଚାହିଁ ପାରୁ ନ ଥାଏ-। ଇଜ୍ଜ୍ୟାରେ, ପାପ ବୋଧର ଗ୍ଳାନିରେ ମୁଣ୍ଡ ତଳକୁ ପୋତି ମୁଁ ଚାହା କଥା କହିବା ପାଇଁ ବାହାରକୁ ଚାଲି ଆସିଲି । ତାପରେ କିଛିଟା ସ୍ଵାଭାବିକ ହେଇ ଘରେ ପଶିଲାରୁ ରବିବାବୁ କହିଲେ-କାଲି ରାତିରେ ଆସିଥିଲି ଗୋଟାଏ ଖବର ଦେବାକୁ । ହେଲେ ଆପଣ ତ ଶୋଇ ପଡ଼ିଥିଲେ । ତେଣୁ ଆଜି ସକାଳେ ପୁଣି ଆସିବାକୁ ପଡ଼ିଲା ।

 

ମୁଁ ଯେ ଶୋଇ ନ ଥିଲି-ମୁଁ ଯେ ଶୋଇଯିବାର ଅଭିନୟ କରିଥିଲି ଏ କଥା କଣ ରବିବାବୁ ଜାଣି ପାରି ନାହାନ୍ତି ? ନା-ସବୁ ଜାଣି ସାରିଲା ପରେ ନ ଜାଣିବାର ଅଭିନୟ କରୁଛନ୍ତି । ମତେ ଲଜ୍ଜ୍ୟାବୋଧରୁ, ଅପମାନ ବୋଧରୁ ବଞ୍ଚେଇବା ପାଇଁ ?

 

ରବିବାବୁ କହିବାକୁ ଲାଗିଲେ-ଆଜି ସକାଳେ ବକୁଲ ଆସିବ । ତାର ଟ୍ରେନିଂ ଶେଷ ହେଇ ଯାଇଛି । ହଷ୍ଟେଲ ଛାଡ଼ି ସେ ଆଜି ମୋ ଘରକୁ ଆସିବ । ଆଉ ଆଜି ରାତି ଗାଡ଼ିରେ ମୁଁ ତାକୁ ନେଇ କଲିକତା ପାଖ ତା ଗାଁକୁ ଯିବି । ଯିବା ପୂର୍ବରୁ ଆଜି ସଂଧ୍ୟାରେ ଆମ ଘରେ ଆପଣଙ୍କର ନିମନ୍ତ୍ରଣ ରହିଲା । ନିଶ୍ଚୟ ଆସିବେ । ହଠାତ୍ ମୋ ପିଠିରେ ଗୋଟାଏ ଚାବୁକ୍ ପଡ଼ିଲା ପରି ମନେ ହେଲା । କାଲି ରାତିରେ ଯାହାଙ୍କୁ ମୁଁ ଦୂରେଇ ଦେବାକୁ ଚାହୁଁଥିଲି ଆଜି ସକାଳେ ସେ ମତେ ପାଖେଇ ନେବାକୁ ଆସିଛନ୍ତି । ମୋ ଅପରାଧର ବିଚାର କେଉଁ ଏକ ଅଦୃଶ୍ୟ ବିଚାରକ ଏମିତି ଭାବରେ କରିବେ ବୋଲି ମୁଁ କଣ ଜାଣିଥିଲି ? ତାଙ୍କ ବିଚାର ଯେ ମୋ ପାଇଁ ଏତେ କଠୋର ହେବ ମୁଁ କଣ ଆଗରୁ ଭାବି ପାରିଥିଲି ?

 

ରାତି ଦଶଟାରେ କି ତାପରେ ରବିବାବୁଙ୍କର ଗାଡ଼ି । ତେଣୁ ସନ୍ଧ୍ୟା ସାତଟାରେ ପହଞ୍ଚିଲି ରବିବାବୁଙ୍କ ଘରେ । ଲଣ୍ଠନ ଆଲୁଅରେ ଚଟାଣ ଟିକକ ଦିଶୁଛି । ଚଟାଣ ଉପରକୁ ସବୁ କିଛି ପାଉଁଶିଆ ଧୂଆଁଳିଆ । ଚଟାଣ ଉପରେ ପରା ହେଇଥିବା ସପ ଉପରେ ଆମେ ଦୁହେଁ ବସିଲୁ । ରବିବାବୁ ଘରର ଗୋଟାଏ କୋଣକୁ ନିର୍ଦ୍ଦେଶ କରି କହିଲେ-ଏଇ ହଉଚି ବକୁଳ । ଅଳ୍ପ ମୁଣ୍ଡ ଟେକି ଦେଖିଲି ଗୋଟାଏ ଧଳା ଶାଢ଼ୀର ଧଡ଼ି ତଳକୁ ଦୁଇଟି ପାଦ । ତା ଉପରକୁ ପାଉଁଶିଆ, ଧୂଆଁଳିଆ ଅନ୍ଧାର ଭିତରେ ମୁଁ ଆଉ କିଛି ଦେଖିପାରି ନ ଥିଲେ ବି ସେଇ ଅନ୍ଧାର ଆଡ଼କୁ ମୁହଁ କରି ନମସ୍କାର ଜଣାଇଲି । ନମସ୍କାର ଜଣାଇଲି-ବିପ୍ଳବୀ କବିର ପ୍ରେୟସୀଙ୍କୁ । ରବିବାବୁଙ୍କ ମୁହଁରୁ ଶୁଣିଥିବା ବଂଳାର ଖାଦ୍ୟ ଆନ୍ଦୋଳନରେ ଭାଗ ନେଇଥିବା-ଆଉ ଏକ ବିପ୍ଲବୀଙ୍କୁ ।

 

॥ ୧୯ ॥

 

ଲୋକଟା ରବିସିଂ ଆଉ ବକୁଳ ଦେବୀଙ୍କ ବିଷୟରେ ଏତକ କହିସାରିଲା ପରେ ବହୁତ ସମୟ ଗୁମ୍ ମାରି ରହିଲା । ମୋର ନିଜର ଅତୀତ, ନିଜର ସ୍ମୃତି, ନିଜର ଉପଲବ୍‌ଧି, ମୋ ଠାରୁ ସୁନ୍ଦର କରି ମୋରି ଆଗରେ ହିଁ ବଖାଣି ଗଲା ଲୋକଟା । ମୁଁ ସ୍ତବ୍‌ଧ ହେଇ ଶ୍ରୋତା ପାଲଟି ରହିଲି-

 

ଲୋକଟା କଣ ଯାଦୁ ଜାଣେ ? ନା, ଏମିତି ଏକ ନିଚ୍ଛାଟିଆ ଦି’ପହରେ ମୋର ନିଜର ଆତ୍ମା ଆଉ ଏକ ମୁଁ ହେଇ ମୁଁ ଜାଣି କରିବି କହି ପାରୁ ନ ଥିବା ଗୁଡ଼ାକ ମତେ ଶୁଣେଇ ଚାଲିଛି ? ତା କଥା ଶୁଣୁ ଶୁଣୁ ବେଳେ ବେଳେ ମନେ ହେଉଥାଏ ମୁଁ ବୋଲି କେହି ନାହିଁ, ସେହି ମୁଁ । ଆଃ, ମୁଁ ଯଦି ତାକୁ ଭେଟି ନ ଥାଆନ୍ତି, ମୁଁ ଯଦି ତାକୁ ଦେଖି ନ ଥାନ୍ତି, ତା ହେଲେ ଦୁନିଆ ଆଗରେ ଚିତ୍କାର କରି ସହି ପାରନ୍ତି-ଦେଖ ! ଏଇଠି ମୁଁ । ମୁଁ ଅସୀମ ବସୁ । ମୁଁ ଏକ-ଅଦ୍ଵିତୀୟ । ଏକ ଆଖି, ନାକ, ମୁହଁ-ଦେହ କେବଳ ମୋର । ହେଲେ ତାକୁ ଦେଖିଲା ପରେ ତା କଥା ଶୁଣିଲା ପରେ ମୁଁ ଯେ ଧିରେ ଧିରେ ଲୋପ ପାଇ ଯାଉଛି ।

 

କାହାକୁ କହିବି କିଏ ଶୁଣିବ । କିଏ ବିଶ୍ଵାସ କରିବ । ଏଇ ଯେଉଁ ଲୋକଟା ମୋ ସାମନାରେ ବସି କଥା କହୁଛି-ସେ ଅସୀମ ବସୁ ନୁହଁ-ହେଇ ପାରେନା । ଏଇ ମୁହୂର୍ତ୍ତରେ ଏଠୁ ଉଠି ଚାଲିଯିବ ? ମୁଁ ଚାଲିଗଲେ କ’ଣ ଏ ଲୋକଟା ଲୋପ ପାଇଯିବ ? କିନ୍ତୁ ଯଦି ଏଠୁ ମାଇଲ, ମାଇଲ ଦଉଡ଼ି ପଳେଇଲା ପରେ ବି ବୁଲି ପଡ଼ି ଦେଖେ ଏ ଲୋକଟା ମୋରି ପଛରେ ଠିଆ ହେଇ ମୋର ଭଳି ଧଇଁ ସଇଁ ହେଉଛି, ତାହେଲେ ?

 

ଏମିତି ଭାବୁ ଭାବୁ କେତେ ସମୟ କଟି ଯାଇଛି ଜାଣେନା-ହଠାତ୍ ଲୋକଟା ତାର ମୋଟା ଘାଗଡ଼ା ଗଳାରେ ପଚାରିଲା କଣ ଭାବୁଛ ?

 

ଏଠୁଁ ପଳେଇବା କଥା ତ ?

 

ମୁଁ ଚମକି ପଡ଼ିଲି ।

 

ଏ ଦୁନିଆଟା ବହୁତ ଛୋଟ । ହଜି ଯିବାକୁ ଚାହିଁଲେ ହଜି ହୁଏନି-ଲୋକଟା କହିବାକୁ ଲାଗିଲା । ବକୁଳ ଦେବୀ ବି ଦିନେ ହଜି ଯିବାକୁ ଚାହିଁ ଥିଲେ । ହେଲେ ହଜି ପାରିଲେ କେଉଁଠି ?

 

ଦିଲ୍ଲୀର କୃଷି ପ୍ରଦର୍ଶନୀ କାମ ସାରି ମୁଁ ସେତେବେଳେ କଟକ ଫେରି ଆସିଥାଏ । ରବିବାବୁ ବି ଫେରି ଆସିଥାଆନ୍ତି କଲିକତାରୁ । ସାଙ୍ଗରେ ବକୁଳ ଦେବୀ ଏବଂ ତାଙ୍କ ସାନ ଭାଇ ବିଶ୍ଵନାଥ । ବିଶ୍ଵନାଥ ଟାଇପ ଜାଣିଛି ହେଲେ କାମ କାହିଁ ? ରବିବାବୁ ବିଶ୍ଵନାଥକୁ ନେଇ ଆସିଛନ୍ତି ଏଠି କଟକରେ ତା ପାଇଁ ଗୋଟାଏ କାମ ଯୋଗାଡ଼ କରି ଦେବେ ବୋଲି । ତିନି ଜଣ ଯାକ ଗୋଟାଏ ଘର ଭଡ଼ା ନେଇ ଯେଉଁଠି ଥାଆନ୍ତି ସେ ଯାଗାଟାର ନାଁ ଆଜି ଆଉ ମନେ ନାହିଁ । ବିଶ୍ଵନାଥ ପାଇଁ ଗୋଟାଏ କାମ ଯୋଗାଡ଼ ହେଇଛି । ମାସକୁ ଚାଳିଶ ଟଙ୍କା ଦରମାରେ, ଶାଲିମାରଟାର୍ ପ୍ରୋଡ଼ାକ୍ଟସରେ ଟାଇପିଷ୍ଟର ଚାକିରି । ରବିବାବୁଙ୍କ ସାଙ୍ଗରେ ଯୋଗାଯୋଗ କମି ଯାଇଛି, ଆଉ ତ ବକୁଲ ଦେବୀଙ୍କ ପାଇଁ ଚିଠି ଲେଖିବାକୁ ପଡ଼ୁନି ।

 

ଆଉ ତ ବକୁଲ ଦେବୀଙ୍କର ଚିଠି ରବି ବାବୁଙ୍କୁ ପଢ଼ି ଶୁଣେଇବାକୁ ପଡ଼ୁନି । ରବିବାବୁଙ୍କ ମାଧ୍ୟମ କରି ଜାଣିଲି-ଗଳ୍ପ ଭଳି କବିତା ମଧ୍ୟ ଜୀବନର ପ୍ରତିଛବି ହୁଏ-ଯୌବନର ସଂଳାପ ହୁଏ-ବାର୍ଦ୍ଧକ୍ୟର ବାରଣାସୀ ବି ହେଇ ପାରେ । ବକୁଳ ଦେବୀଙ୍କ ସାନ୍ନିଧ୍ୟ ରବି ବାବୁଙ୍କର କବିତାର ଗତି ବଦଳାଇ ଦେଇଥିଲା-ଏବେ ସେଇ କବିତାର ସ୍ରୋତରେ ଜୁଆର ଆସିଛି ।

 

ଏମିତି ଗୋଟାଏ ଦିନରେ ହଠାତ୍ ଦିନେ ମୁହଁ ସଞ୍ଜବେଳେ ବିଶ୍ଵନାଥ ଆସି ଶିଳ୍ପପୁରୀରେ ପହଞ୍ଚିଲା । ମୁଁ ତୁଳି ଧୋଇ, ଟେବୁଲ ସଜାଡ଼ି ବାହାରି ଆସିଲି । ବିଶ୍ଵନାଥ ସ୍ଥିର ଗମ୍ଭୀର । ମୁଁ ବିସ୍ମୟ ନେଇ ତା ମୁହଁକୁ ଚାହିଁଲାରୁ ସେ କହିଲା–ଅନେକ କଥା ଅଛି, ଚାଲନ୍ତୁ ବାହାରକୁ ଯିବା । ପ୍ରଭାତ ସିନେମା ପାଖକୁ ଆସିଲା ପରେ ବିଶ୍ଵନାଥ ପ୍ରଶ୍ନ କଲା–

 

ରବିବାବବୁଙ୍କ ସହିତ ବକୁଲର ସଂପର୍କ ଥିବା ବିଷୟରେ ଆପଣ କ’ଣ ଜାଣିଛନ୍ତି ? ବୟସରେ ଛୋଟ ହେଲେ ବି ବିଶ୍ଵନାଥ ନାଁ ଧରି ଡାକେ । ନିଜ ଭଉଣୀ ସଂପର୍କରେ ଏମିତି ସିଧା ସଳଖ ପ୍ରଶ୍ନ ପାଇଁ ମୁଁ ପ୍ରସ୍ତୁତ ନ ଥିଲି । ତେଣୁ ପ୍ରଥମେ ଟିକେ ରହି ଯାଇ ମୁଁ ତାଙ୍କୁ ଓଲଟା ପ୍ରଶ୍ନ କଲି–ରବିବାବୁଙ୍କ ସହିତ ବକୁଳ ଦେବୀଙ୍କର କିଛି ସଂପର୍କ ନ ଥିବା ବିଷୟରେ ତମେ କ’ଣ ଜାଣିଛ-?

 

ବିଶ୍ଵନାଥ କିଛି ଉତ୍ତର ଦେଲାନି, ବା କିଛି ଉତ୍ତର ଦେବାର ସୁଯୋଗ ମୁଁ ତାକୁ ଦେଲିନି । ରବିବାବୁଙ୍କ ସହିତ ବକୁଳ ଦେବୀଙ୍କ କିଛି ସଂପର୍କ ନ ଥିଲେ-ସେ କାହିଁକି ତାଙ୍କୁ ଏଠିକି ଆଣି ଥାଆନ୍ତେ । ସାଙ୍ଗରେ ତମକୁ ବା କାହିଁକି ଆଣନ୍ତେ ଏବଂ ମାସ ମାସ ଧରି ତମ ମାନଙ୍କର ସମସ୍ତ ଖର୍ଚ୍ଚ ବହନ କରନ୍ତେ ? ତେଣୁ ରବିବାବୁ ଓ ବକୁଳ ଦେବୀ ଯେ ପରସ୍ପରକୁ ଭଲ ପାଆନ୍ତି ଏ କଥା ମୁଁ ଯେମିତି ଜାଣେ ତମେ ମଧ୍ୟ ସେମିତି ଜାଣ । ଏବଂ ଏଇ ମୁହୂର୍ତ୍ତରେ ତମେ ସବୁ ଜାଣି ବି ନ ଜାଣିବାର ଅଭିନୟ କରୁଛ ମାତ୍ର ।

 

ବିଶ୍ଵନାଥ କିଛି ସମୟ ଚୁପ୍ ହେଇ ରହିଲା ପରେ କହିଲା-ମୁଁ ଆଜି ବକୁଳକୁ ବହୁତ ଗାଳି ଦେଇଛି । ଏଭଳି ଗାଳି ଯାହା ସାନଭାଇ ଭାବରେ ମୋର କହିବାର ନ ଥିଲା । ବକୁଳ ଯେମିତି ସେଣ୍ଟିମେଣ୍ଟାଲ୍ ହୁଏତ ମୋରି ପାଇଁ ଆତ୍ମହତ୍ୟା କରିବ ।

 

ମୋ ଆଖି ଆଗରେ କେତେଗୁଡ଼ିଏ ଛବି ଭାଷି ଉଠିଲା । ବକୁଳ ଦେବୀଙ୍କର ବାକ୍‌ସ ଭିତରୁ ମୋରି ହାତ ଲେଖା ଚିଠି ସବୁ ବାହାରିଛି । ପୋଲିସ ମତେ ବକୁଳ ଦେବୀଙ୍କ ଆତ୍ମହତ୍ୟା ପାଇଁ ଦାୟୀ କରି ଧରି ନେଇ ଯାଉଛି ।

 

ରବିବାବୁ ଏ ବିଷୟରେ ସଂପୂର୍ଣ୍ଣ ନିରବ । ବିଶ୍ଵନାଥକୁ ପଛରେ ପକେଇ, ମୁଁ ଦଉଡ଼ିବାକୁ ଲାଗିଲି ରବିବାବୁଙ୍କ ଘର ଆଡ଼େ । ମୋ ପଛରେ ଦଉଡ଼ୁଥାଏ ବିଶ୍ଵନାଥ । ଘରେ ଆସି ଦେଖିଲି-ଘର ଖୋଲା ପଡ଼ିଛି । ବକୁଳ ଦେବୀ ବା ରବିବାବୁ କେହି ନାହାନ୍ତି । ପଡ଼ିଶା ଘରୁ ଜାଣିଲି ବକୁଳ ଦେବୀ ପ୍ରାୟ ଦୁଇଘଣ୍ଟା ହବ କୁଆଡ଼େ ଚାଲି ଯାଇଛନ୍ତି । ରବିବାବୁ ସକାଳୁ ଏ ପର୍ଯ୍ୟନ୍ତ ଫେରି ନାହାନ୍ତି ।

 

ବିଶ୍ଵନାଥକୁ ସାଙ୍ଗରେ ଧରି ପୁଣି ଦଉଡ଼ିବାକୁ ଲାଗିଲି । କଟକ ରେଳ ଷ୍ଟେସନରେ ଆସି ପହଞ୍ଚିଲା ବେଳକୁ ତଣ୍ଟି ଶୁଖି ଯାଇଥାଏ; ଗୋଡ଼ ଆଉ ଚାଲୁ ନ ଥାଏ । କଳ ଖୋଲି ହାତ ଆଞ୍ଜୁଳା କରି ପାଣି ପାଇଲି । ତାପରେ ପୁଣି ଚାଲିବାକୁ ଲାଗିଲି । ଏ ପାଖରେ ମହାନଦୀ ପୋଲଠାରୁ ସେ ପାଖରେ କାଠଯୋଡ଼ି ପୋଲ ଯାଏ ରେଳ ଲାଇନ କଡ଼େ କଡ଼େ ଖୋଜି ବୁଲିଛି ବକୁଳ ଦେବୀଙ୍କୁ । ନାଁ ବକୁଳ ଦେବୀଙ୍କୁ ନୁହେଁ ତାଙ୍କର ମୃତ ଦେହକୁ । ବିଶ୍ଵନାଥ ଛାଇ ଭଳି ମୋ ସାଙ୍ଗରେ ଚାଲିଥାଏ-। ସେଇ ମୁହୂର୍ତ୍ତରେ ବକୁଳ ଦେବୀଙ୍କର ମୃତ୍ୟୁ ମୋ ପାଖରେ କୌଣସି ଶୋକାବହ ଘଟଣା ନ ଥିଲା-। ମୁଁ କେବଳ ନିଜକୁ ବଞ୍ଚେଇବା ପାଇଁ ବକୁଳ ଦେବୀଙ୍କ ଜୀବନ କାମନା କରୁଥିଲି-। ବିଶ୍ଵନାଥ ମୋ ପାଖରେ ଅସହ୍ୟ ବୋଧ ହେଉଥିଲା । ରବିବାବୁ ମୋ ପାଖରେ ଖଳ ନାୟକ ମନେ ହେଉଥିଲେ ।

 

ବକୁଳ ଦେବୀଙ୍କୁ ରେଳ ଲାଇନ୍ କଡ଼ରେ ନ ପାଇଁ ମୁଁ ସ୍ୱସ୍ଥିର ନିଶ୍ଵାସ ମାରିଲି । ସେ ସମୟରେ ମୋର ଧାରଣା ଥିଲା ଆତ୍ମହତ୍ୟା ଏକ ମାତ୍ର ସହଜ, ସରଳ ଉପାୟ ରେଳ ଲାଇନ୍ । ରେଳ ଲାଇନ୍ କଡ଼ରେ ବକୁଳ ଦେବୀଙ୍କର ଶବ ନାହିଁ–ମାନେ ସେ ଆତ୍ମହତ୍ୟା କରି ନାହାନ୍ତି ।

 

ବିଶ୍ଵନାଥ ଆଉ ମୁଁ ଘରକୁ ଫେରିଲୁ । କାଳେ ଘରକୁ ଫେରି ଆସିଥିବେ ବକୁଳ ଦେବୀ-। ନା, ଫେରି ନାହାନ୍ତି । ରବିବାବୁ ବିମର୍ଷ ମୁହଁରେ ଗୋଟାଏ ଢାବଲ ଉପରେ ବସିଛନ୍ତି । କଥା କହିବାକୁ ଇଚ୍ଛା ହେଲାନି ରବିବାବୁଙ୍କ ସାଙ୍ଗରେ । ହେଲେ ରବିବାବୁ ମତେ ଦେଖି ପାଖକୁ ଆସି କାନ୍ଧରେ ହାତ ପକେଇ ଦେଲେ । “ଅନ୍ତତଃ ଆପଣ ମତେ ଭୁଲ ବୁଝନ୍ତୁନି ଅସୀମବାବୁ । ଆପଣତ ସବୁ ଜାଣନ୍ତି-”ଇଏତ ରବିବାବୁଙ୍କର ସ୍ଵର ନୁହେଁ । ଯେମିତି ରବିବାବୁଙ୍କର ଗଳାରେ ଆଉ କିଏ କଥା କହୁଚି । ଏତେଟା ଶୂନ୍ୟତା ଏତେ ଦୂର ନିଃସ୍ଵ ହେବାର ମୁଁ ରବିବାବୁଙ୍କୁ କେବେ ଦେଖି ନ ଥିଲି-। ଆଖିରେ ଲୁହ ନାହିଁ ହେଲେ ଅନ୍ତରର ଏକ ହା’ହା’ ତାଙ୍କର ସେଇ କଥା ପଦକରେ ଫୁଟି ବାହାରୁଛି । ସେତିକି ବେଳେ ଜାଣିଲି–ଆମେ କେହି ନ ଜାଣିଥିଲେ ବି ବକୁଳ ଦେବୀ ଜାଣନ୍ତି ରବିବାବୁ ରେଜେଷ୍ଟ୍ରି ବାହାଘର ପାଇଁ କୋର୍ଟକୁ ଦରଖାସ୍ତ ଦେଇ ସାରିଛନ୍ତି । ମାସ ପୁରିଲେ ରେଜେଷ୍ଟ୍ରୀ ହେବାର କଥା । ଆଉ ଠିକ୍ ଏତିକିବେଳେ ଏମିତି ଏକ ଅଘଟଣ । ମୁଁ ଆଉ ସେଠି ଅପେକ୍ଷା କଲିନି । ବାହାରି ପଡ଼ିଲି ପୁଣି ଷ୍ଟେସନକୁ । ସାଙ୍ଗରେ ବିଶ୍ଵନାଥ । ଟ୍ରେନ୍ ଗୁଡ଼ାକ ଜଗିବାକୁ ପଡ଼ିବ । ବକୁଳ ଦେବୀଙ୍କୁ କଟକ ଛାଡ଼ି ଯିବାକୁ ଦେବିନି । ରାତି ପାହିବାକୁ ଆଉ ଅଳ୍ପ ସମୟ ଅଛି-ହଠାତ୍ ବିଶ୍ଵନାଥ କହିଲା-ଥରେ ବକୁଳ କହୁଥିଲା ପୁରୀ ଯିବ ବୋଲି । ପୁରୀ ? ମୁଁ ତାରି କଥାକୁ ଦୋହରେଇଲି । ହଁ, କିଛିଦିନ ଆଗରୁ ରବିବାବୁଙ୍କ ସାଙ୍ଗରେ କ’ଣ ପାଇଁ କେଜାଣି ଟିକେ ଯୁକ୍ତି ତର୍କ ହେଲାରୁ ବକୁଳ ପୁରୀ ଚାଲିଯିବ ବୋଲି କହୁଥିଲା । ହାଇ ମାରୁ ମାରୁ ବିଶ୍ଵନାଥ କହିଲା । ଆଉ ମୁଁ ତା’ କଥା ନ ସରୁଣୁ ଟିକଟ କାଉଣ୍ଟର ପାଖରେ ହାଜର ହେଲି ।

 

ସକାଳ ଗାଡ଼ି ପୁରୀ ଏକସ୍‌ପ୍ରେସ୍ ଆଠଟା ନ ବାଜୁଣୁ ପୁରୀରେ ପହଞ୍ଚେଇ ଦେଲା । ରିକ୍‌ସା ଖଣ୍ଡେ ଧରି ପ୍ରଥମେ ଦଉଡ଼ିଲି ବଡ଼ଦାଣ୍ଡକୁ । ରାସ୍ତାରେ, ଅରୁଣ ସ୍ତମ୍ଭ ପାଖରେ ଏବଂ ତା’ପରେ ମନ୍ଦିର ଭିତରେ ଖୋଜା ଖୋଜି କରି ଆମେ ଚାଲିଲୁ ସ୍ଵର୍ଗଦ୍ଵାର ଆଡ଼େ । ରିକ୍‌ସା ଚାଲିଥାଏ, ଆଉ ଆମେ ରାସ୍ତା କଡ଼ର ସବୁ ସ୍ତ୍ରୀ ଲୋକଙ୍କୁ ନିରିଖେଇ ଦେଖୁଥାଉ । ସମୁଦ୍ର କୂଳ ଆଉ ଅଳ୍ପବାଟ ଅଛି ହଠାତ୍ ବିଶ୍ଵନାଥ ରିକ୍‌ସା ଉପରୁ ତଳକୁ ଡେଇଁ ପଡ଼ିଲା । ତା’ପରେ ଗୋଟାଏ ଆଡ଼କୁ ହାତ ଦେଖେଇ କହିଲା-ବକୁଳ ।

 

ଆରେ ସତେ ତ । ରାସ୍ତା ଉପରୁ ଦିଶୁଛି ମହିଳା କୁଟୀର ଶିଳ୍ପାଶ୍ରମର ଅଫିସ ଘରର ଭିତରଟା । ଆଉ ସେଠି ଆମକୁ ପିଠିକରି ବସିଛନ୍ତି ବକୁଳ ଦେବୀ । ଏତେ ସହଜରେ ବକୁଳ ଦେବୀଙ୍କୁ ପାଇଯିବି ମୁଁ ଭାବି ପାରି ନ ଥିଲି ।

 

ରିକସା ଭଡ଼ା ମେଣ୍ଟେଇ ଆମେ ଯେତେବେଳେ ଅଫିସ ଦୁଆର ମୁହଁରେ ପହଞ୍ଚିଲୁ-ବକୁଳ ଦେବୀ ତା ଅନେକ ଆଗରୁ ଆମକୁ ଦେଖି ସାରି ଥାଆନ୍ତି ।

 

ଆମେ ଅଫିସ ଦୁଆର ପାଖରେ ପହଞ୍ଚିଲା ମାତ୍ରେ ବକୁଳ ଦେବୀ ମୁଣ୍ଡ ତଳକୁ ପୋତି ଚାଲି ଆସିଲେ ଆମ ପାଖକୁ । ଆମେ ଫେରି ଚାଲିଲୁ ସମୁଦ୍ର କୂଳ ଆଡ଼େ ।

 

ଏଥର ଆଉ ଦୁଇ ଜଣ ନୁହେଁ, ତିନି ଜଣ । ପଛକୁ ଫେରି ଦେଖିଲି ମହିଳା କୁଟୀର ଶିଳ୍ପାଶ୍ରମ ଅଫିସର ଦୁଆର ପାଖରେ ଅନେକ ଗୁଡ଼ାଏ ମୁହଁ । ବିସ୍ମୟ ଆଉ କୌତୁହଳରେ ଆମରି ଆଡ଼କୁ ଅନେଇ ରହିଛନ୍ତି ସେମାନେ । କାହାରି ମୁହଁରେ କଥା ନାହିଁ । ଯେମିତି ସିନେମା ଚାଲୁ ଚାଲୁ ହଠାତ୍ ଶବ୍ଦ ବନ୍ଦ ହେଇ ଯାଇ ଖାଲି ଛବି ଚାଲିଛି । ସମୁଦ୍ରକୁ ମୁହଁ କରି ବାଲି ଉପରେ ବସି ପଡ଼ିଲି । ଗୋଟାଏ ପାଖରେ ବକୁଳ ଦେବୀ ଅନ୍ୟ ପାଖରେ ବିଶ୍ଵନାଥ । ଦୁହିଁଙ୍କୁ ଭିତରର ଚାପା କୋହ ଏକା ସାଙ୍ଗରେ ବାହାରି ପଡ଼ିଲା । ଦୁହେଁଯାକ ଫୁଲି ଫୁଲି କାନ୍ଦୁଛନ୍ତି । ନା କିଛି ସାନ୍ତ୍ୱନାର ବାଣୀ ସେଇ ମୁହୂର୍ତ୍ତରେ ମୁଁ ଶୁଣେଇ ପାରିଲିନି । କିଛି ସମୟ କାନ୍ଦିଲା ପରେ ଉଭୟେ ସ୍ଥିର ହେଲେ । ହେଲେ କଥା କହି ପାରୁନୁ । ମୋରି ଭଳି ସେମାନେ ବି ହୁଏତ ଭାବୁଥିଲେ-କେଉଁଠୁ କିଭଳି ଭାବରେ କଥା ଆରମ୍ଭ କରି ହେବ ।

 

ଅନେକ ଦିନ ତଳେ ଥରେ ଗୋଟାଏ ସଂଗୀତ ଆସରକୁ ଯାଇଥିଲି । ପଣ୍ଡିତ ରବି ଶଙ୍କରଙ୍କ ସୀତାର ସାଙ୍ଗକୁ ଆଲି ଆକବରଙ୍କ ସରୋଦ । ଯୁଗଳବନ୍ଦୀ ଚାଲିଥାଏ । ହଠାତ୍ ଗୋଟାଏ ସମ୍ ଉପରେ ଦୁହେଁ ଯାକ ରହିଗଲେ–

 

କାନାଇ ଦତ୍ତଙ୍କର ତବଲା ବି ବନ୍ଦ । ସେ ଏକ ଅଦ୍ଭୁତପୂର୍ବ ପରିସ୍ଥିତି–ତିନି ଜଣଙ୍କ ଭିତରେ ଛକା ପଞ୍ଝା ଚାଲିଛି । ତାଳ ଉପରେ କିଏ ପ୍ରଥମ ଧରିବେ । ଦର୍ଶକମାନେ ଉତ୍‌କଣ୍ଠିତ ଉଦ୍‌ଗ୍ରୀବ । ଆଃ କି ମର୍ଯ୍ୟାଦା ସମ୍ପନ୍ନ ସେଇ ନିସ୍ତବ୍‌ଧ ମୁହୂର୍ତ୍ତ କେତୋଟି । ଶେଷରେ ସବୁ ଉତ୍‌କଣ୍ଠାର ସମାପ୍ତି ଆଣି ନିସ୍ତବ୍‌ଧାତାକୁ ଭଙ୍ଗ କରି କାନାଇ ଦତ୍ତଙ୍କ ତବଲା ବାଜି ଉଠିଲା । ସମୁଦ୍ର କୂଳରେ ସେଦିନ ସେଇ ମୁହୂର୍ତ୍ତ ନିସ୍ତବ୍‌ଧତାକୁ ଭାଙ୍ଗି ମୁହିଁ ପ୍ରଥମେ ଚିତ୍‌କାର କରି ଡାକ ପକେଇଲି–ଜଳଖିଆ ଫେରି କରୁଥିବା ଲୋକଟାକୁ । ଗତ ସନ୍ଧ୍ୟାରୁ ସେ ପର୍ଯ୍ୟନ୍ତ କେହି କିଛି ଖାଇନୁ ।

 

କଟକ ଫେରି ଆସିବାର ଦିନ କେଇଟା ପରେ ମ୍ୟାରେଜ୍ ରେଜିଷ୍ଟ୍ରେସନ୍ ଅଫିସ୍‌ରେ ହାଜର ହେଲୁ ଆମେ ସମସ୍ତେ । ସାକ୍ଷୀ ଭାବରେ ବିଶ୍ଵନାଥ ଓ ମୋ ସାଙ୍ଗକୁ ଦସ୍ତଖତ କଲେ ରବିବାବୁଙ୍କୁ ଭଲ ପାଉଥିବା, ଶ୍ରଦ୍ଧା କରୁଥିବା ଆଉ ଏକ ବିଶିଷ୍ଟ ବ୍ୟକ୍ତିତ୍ଵ ହୋମିଓପାଥି ଡାକ୍ତର ସୁରବାବୁ ।

 

॥ ୨୦ ॥

 

ସ୍ଵରାଜ ହୋଟେଲର ନମ୍ବର ନ ଥିବା ଘରର ଝରକାକୁ ମୁହଁ କରି ଖଟ ଉପରେ ହାମୁଡେଇ ପଡ଼ି ଗୋଟାଏ ଉପନ୍ୟାସର ପ୍ରଚ୍ଛଦ ଚିତ୍ର ଆଙ୍କୁଥିଲି ସେଦିନ । ହଠାତ୍ ମନେ ହେଲା ଘର ଭିତରକୁ କିଏ ଜଣେ ପଶି ଆସି ମୋ ପାଖରେ ଠିଆ ହେଲା । ମୁହଁ ଉଠେଇ ଦେଖିବାର ପ୍ରୟୋଜନ ବୋଧ କଲିନି ମୁଁ । ନିଶ୍ଚୟ ପାଖ ଘରର କେହି ହେଇଥିବେ । ବେଳେ ବେଳେ ଏମିତି ଆସନ୍ତି, କିଛି ସମୟ ଠିଆ ହେଇ ମୋ ଅଙ୍କା ଛବିକୁ ଦେଖନ୍ତି, ତାପରେ ନିଜ କାମରେ ବାହାରି ଯାଆନ୍ତି । ସେଥିରେ ମୋର ବ୍ୟସ୍ତ ହେବାର କିଛି ନାହିଁ, ଅନେଇ ଦେଖିବାର କିଛି ନାହିଁ, ସୌଜନ୍ୟ ଜନିତ ବସିବାକୁ କହିବାର ପ୍ରୟୋଜନ ବି କିଛି ନାହିଁ । ତା ଛଡ଼ା ମୋ ଭିତରେ ଗୋଟାଏ ଗର୍ବ ବି ଥାଏ, ସ୍ଵରାଜ ହୋଟେଲର ସବୁଠାରୁ ଭଲ ଆଲୁଅ ପବନ ଖେଳୁଥିବା ଘରର ବାସିନ୍ଦା ମୁଁ । ମୁଁ କାହିଁକି ଖାତିର କରିବି ସେଠାକାର ଅନ୍ଧାରୁଆ ପରେ, ଚାରିଜଣଙ୍କ ସାଙ୍ଗରେ ମିଶି ରହୁଥିବା ବାସିନ୍ଦାମାନଙ୍କୁ ? ମୁଁ କାହିଁକି ମୋର ସମ ପର୍ଯ୍ୟାୟର ଭାବିବି ସେମାନଙ୍କୁ ।

 

ମୋ ନାଁ “କାଳୀକିଙ୍କର ମୁଖାର୍ଜୀ ।”

 

ଏଥର ମୁହଁ ଟେକି ଦେଖିଲି ମୁଁ । ନା ଇଏତ ଧୋତିକୁ ଲୁଙ୍ଗି କରି ପିନ୍ଧିଥିବା, ଦେହରେ ଗାମୁଛା ଘୋଡ଼ି ହେଇଥିବା ଏଠିକାର ବାସିନ୍ଦା ନୁହନ୍ତି ।

 

ମୁଣ୍ଡ ଟେକି ଚାହିଁଲାରୁ ସେ ନମସ୍କାର କଲେ । ମୁଁ ପ୍ରତି ନମସ୍କାର ଜଣେଇ ବସିବାକୁ କହିଲି ।

 

ହେଲେ ସେ ନ ବସି କହିବାକୁ ଲାଗିଲେ–ମୁଁ ଗୋଟାଏ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି । ଘର ମୋର ଏଇ କଟକରେ । ଘର ସାଙ୍ଗରେ ପଡ଼ିଲାନି । ତେଣୁ ଘରୁ ପଳେଇ ଆସିଛି । ହୋଟେଲରେ ରହି ପାଠ ପଢ଼ିବି । ହେଲେ ଏଠି ଆପଣଙ୍କ ଘରକୁ ଛାଡ଼ି ଦେଲେ ବାକୀ ଘର ଗୁଡ଼ାକ ବଡ଼ ଅନ୍ଧାରୁଆ । ଆପଣ ଅନୁମତି ଦେଲେ ମୁଁ ଏଇଠି ରହନ୍ତି ।

 

ଘରୁ ପଳେଇ ଆସିଥିବା କାଳୀକିଙ୍କର କଣ ଆଉ ଗୋଟାଏ ଅସୀମ ବସୁ ? ରହିବା ପାଇଁ, ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା ଖୋଜୁଥିବା କାଳୀକିଙ୍କର କଣ କଲିକତାର ଆଶ୍ରୟହୀନ ଅସୀମ ବସୁ ?

 

ମୁହୂର୍ତ୍ତକ ଭିତରେ ଧରଣୀଧର, ଦୁଇଶହ ଚଉତିରିଶ ନମ୍ବର ବହୁବଜାର ଷ୍ଟ୍ରିଟ କୋଠା ଉପରର କାଠ ପଟାର କେବିନ୍ ଘର–ମୋ ଆଖି ଆଗରେ ଭାସି ଉଠିଲା । କାଳୀକିଙ୍କର ଆଉ ଅତୀତର ଅସୀମ ବସୁ ଏକ ହେଇ ସ୍ଵରାଜ ହୋଟେଲର ଅସୀମ ବସୁ ଆଗରେ ଠିଆ ହେଲା । ମନା କରି ପାରିଲିନି, ଫେରାଇ ଦେଇ ପାରିଲିନି କାଳୀକିଙ୍କର ମୁଖାର୍ଜୀଙ୍କୁ । “ରହିବେ, ହେଲେ ଗୋଟାଏ ସର୍ତ୍ତରେ ।”

 

“ସର୍ତ୍ତ ?”

 

“ହଁ ସର୍ତ୍ତ ?” ଏ ଘରର ମୁହାଁ ମୁହିଁ ଦୁଇ କାନ୍ଥରେ ଦୁଇଟି କବାଟ । ଆମ ଦୁହିଁଙ୍କ ଖଟ ଘର ମଝିରେ ପଡ଼ିବ । ସେପାଖ କବାଟ, ସେପାଖ ଜାଗା ଆପଣଙ୍କର । ଆଉ ଏପାଖ ଜାଗା, କବାଟ ମୋର । ଆପଣ ସେପାଖ ଜାଗା ଯେତେ ସଫା ସୁତୁରା ସାଜ ସଜଡ଼ା କରି ରଖନ୍ତୁ ନା କାହିଁକି, ଏ ପାଖ ଜାଗା ପ୍ରତି କେବେ ବ୍ୟସ୍ତ ହେବେନି । ମୋର ଏପାଖ ଜାଗା ଅଳିଆ ଅସଜଡ଼ା ହେଇଥିଲେ ମଧ୍ୟ ତା ମୋର ନିଜସ୍ଵ । ତାକୁ ସଜାଡ଼ିବାକୁ କେବେ ଚାହିଁବେନି । କାଳୀକିଙ୍କରଙ୍କର ଆଖିରେ ବିସ୍ମୟ ନେଇ ପ୍ରଶ୍ନ କଲା–କାହିଁକି ? କାହିଁକି ଏମିତି ସର୍ତ୍ତ ?–ଭଲପାଏ; ମୋର ନିଜସ୍ଵ ଇଲାକାର ଏଇ ଅସଜଡ଼ା ଆଲୂରୁ ବାଲୁରୁ ରୂପକୁ ମୁଁ ଭଲ ପାଏ । ତା ଛଡ଼ା ଆପଣ ମୋ ଇଲାକାକୁ ସଜାଡ଼ି ଦେଲେ–ପ୍ରତି ବଦଳରେ ମୁଁ କେବେ ଆପଣଙ୍କର ଇଲାକାକୁ ସଜାଡ଼ି ପାରିବିନି । ତେଣୁ ମୁଁ ଚାହେଁନା ଆପଣ–

 

‘ରାଜି’ କାଳୀକିଙ୍କର କହିଲେ । ହୋଟେଲ ମେନେଜର ଦାସବାବୁ ଖଟ ମଗେଇଲେ । ଆର୍ତ୍ତ, ବିହାରୀ ଧରାଧରି କରି ଖଟ ଆଣି ଘରେ ଥୋଇଲା । ଅଲଗା ଟେବୁଲ ଆସିଲା । ଅଲଗା ପାଣି ସୁରେଇ । କାଳୀକିଙ୍କର ଆଉ ମୋ ଖଟ ଲଗାଲଗି ହେଇ ଘର ମଝିରେ ପଡ଼ିଲା । ମୋ ଖଟର ଏପାଖ ଇଲାକା ମୋର ଆଉ ଆର ଖଟର ସେପାଖ ଇଲାକା ତାଙ୍କର ନିର୍ଦ୍ଧାରିତ ହେଇଗଲା ।

 

ଦୁଇ ଖଟ ମଝିରେ ଏକ କଳ୍ପନାର କାନ୍ଥ ଘରଟାକୁ ଦୁଇଭାଗ କରିଦେଲା । ମାସ କେଇଟା କଟିଗଲା ।

 

ଦିନେ ଦି’ ପହରେ କିଛି କାମ ନ ଥିବାରୁ ଶିଳ୍ପପୁରୀରୁ ହୋଟେଲକୁ ଫେରି ଆସି ଦେଖିଲି–ମୋର ତାଲା ପଡ଼ି ନ ଥିବା କାଠ ବାକ୍ସରୁ ମୋର ବ୍ୟକ୍ତିଗତ କିଛି ଚିଠି କାଳୀକିଙ୍କରର ଖଟ ଉପରେ ପଡ଼ିଛି, ଆଉ କାଳୀକିଙ୍କର ସେଥିରୁ ଗୋଟାଏ ଖୁବ୍ ମନ ଦେଇ ପଢ଼ୁଛି । ସମୟ ଓ ସାନ୍ନିଧ୍ୟ ସେତେବେଳକୁ କାଳୀକିଙ୍କରକୁ ଆପଣରୁ ତମେକୁ ନେଇ ଆସିଛି । କିଛି ସମୟ ସେ ଚିଠି ଗୁଡ଼ାକ ଓ କାଳୀକିଙ୍କରକୁ ଅନାଇ ରହିଲି । ସେ ଏଭଳି ପରିସ୍ଥିତି ପାଇଁ ମୋଟେ ପ୍ରସ୍ତୁତ ନ ଥିଲା । ତେଣୁ ତା ମୁହଁରେ ବି କିଛି କଥା ନାହିଁ । ଖାଲି ବଲବଲ କରି ମୋ ମୁହଁକୁ ଅନାଇ ରହିଛି । ମୁଁ କିଛି ନ କହି ଘରୁ ବାହାରି ଆସିଲି, ତା’ ପରେ ଦିନ ସାରା ଘୂରି ବୁଲିଲି । ଖୋଜି ବୁଲିଲି ଗୋଟାଏ ବଖରା ଘର । ସ୍ଵରାଜ ହୋଟେଲ ଛାଡ଼ିବାକୁ ପଡ଼ିବ । କାଳୀକିଙ୍କର ଠାରୁ ଅଲଗା ହେବାକୁ ପଡ଼ିବ-। ଏଠି ସେଠି ଖୋଜିଲା ପରେ ଘର ଗୋଟାଏ ମିଳିଲା । ମାସକୁ ସତର ଟଙ୍କା ଭଡ଼ାରେ ବଖରାଏ ଘର । ବାସନ୍ତୀ ନିବାସର ପୁରୁଣା କାଳିଆ ତୋରଣ କଡ଼କୁ ଗୋଟାଏ ବଖରା ଘର । କାହାରି ସାଙ୍ଗରେ କିଛି ସମ୍ପର୍କ ନାହିଁ । ତୋରଣକୁ ଦେଖିଲେ ଘରଟା ମନ୍ଦିର ଭଳିଆ ଲାଗେ ।

 

ତୋରଣ ଦୁଆରରୁ ଲାଗି ଘର । ମଝିରେ ବଡ଼ ଅଗଣା । ଅଗଣା ଆରପଟକୁ ଅସଲ ଘର । ଯେଉଁଠି ରହନ୍ତି ଘର ମାଲିକ ବସନ୍ତ ବାବୁ । ସନ୍ଧ୍ୟା ବେଳକୁ ହୋଟେଲକୁ ଫେରି ଜିନିଷ ପତ୍ର ସଜାଡ଼ି ହୋଟେଲ ପଇସା ମେଣ୍ଟେଇ ହୋଟେଲ ଛାଡ଼ିଲି । କାଳୀକିଙ୍କର କାନ୍ଦୁଥିଲା । ମୁଁ ତାକୁ କିଛି ନ କହିବା, ତା ପାଇଁ ଥିଲା ଚରମ ଶାସ୍ତି । ରିକ୍‌ସାରେ ବସିଲା ପରେ ଭାବିଲି ଆଉ ଯିବିନି । ହେଲେ ରିକ୍‌ସା ସେତେବେଳକୁ ଚାଲିବାକୁ ଆରମ୍ଭ କଲାଣି ।

 

।। ୨୧ ।।

 

କଥାରେ କଥାରେ ଅନେକ କଥା ତମକୁ ଶୁଣେଇ ଗଲି । ଅନେକ କହିବା କଥା, ଅନେକ ନ କହିବା କଥା । ଏମିତି ଅନେକ କଥା ଯାହା ମନେ ନ ଥିଲେ, ମନେ ରଖିବାଠାରୁ ସୁଖକର ହୁଅନ୍ତା । ମନେ ରଖି ନ ଥିଲେ ତମ ଆଗରେ ନିଜକୁ ଏବଂ ଆଉ ଅତୀତର ସାଥିମାନଙ୍କର ଶୁଖି ଯାଇଥିବା କ୍ଷତ ଚିହ୍ନକୁ ଉଖାଡ଼ି ଏମିତି ରକ୍ତାକ୍ତ କରିବାକୁ ପଡ଼ି ନ ଥାଆନ୍ତା । ହେଲେ ଉପାୟ ନାହିଁ । ଥରେ ମିଶଲରେ ଠିଆ ହେଇ ସାରିଲା ପରେ କେଉଁ କଥା ତମକୁ କହିବି ଆଉ କେଉଁ କଥା ତମକୁ କହିବିନି ଏ କଥା ଭାବିବାର ସମୟ ମିଳୁଛି କେଉଁଠି ? ତା’ ଛଡ଼ା ମୋ ପାପ, ମୋ ପରାଜୟ, ମୋ ଦୈନ୍ୟତାକୁ ତମ ଆଗରେ ନ ଥୋଇଲେ–ତମେ ଯେଉଁ ନକଲି ଅସୀମ ବସୁଟେ ହବ-ସେ ମୋ ଠାରୁ ଭିନ୍ନ, ମୋ ଈର୍ଷାର ଅସୀମ ବସୁ ହେବ । ନା ସେ କଥା ମୁଁ ହେବାକୁ ଦେବିନି । ମୋ’ଠାରୁ ଭଲ କରି ତମକୁ ମୁଁ ଗଢ଼ି ପାରିବିନି ।

 

ଲୋକଟା ଏତକ କହି ମୁଣ୍ଡ ତଳକୁ ପୋତି କ’ଣ ଭାବିଲା । ଯେମିତି ନିଜ ପାପ ନିଜ ଅପରାଧ, ନିଜ ଜୀବନର ଏକ ଜଘନ୍ୟତମ କାହାଣୀର ଖିଅ ଧରିବ ଏବେ । ଇଏ ଯେମିତି ତା’ର ପ୍ରସ୍ତୁତି । କିଛି ସମୟ ଚୁପ୍ ଚାପ୍ । ତା’ପରେ ସେମିତି ମୁଣ୍ଡ ତଳକୁ ପୋତି କହିବାକୁ ଲାଗିଲା ରିକ୍‌ସା ଯାଇ ସେଇ ତୋରଣ ଥିବା ଘର ଆଗରେ ଠିଆ ହେଲା । ଘରର ଚାବି ଖୋଲି ଦେଖିଲି ଗୋଟାଏ ଖଟ ଘର ଭିତରେ ଆଗରୁ ପଡ଼ିଛି । ଆଃ....... କି ଆରାମ । ଅନ୍ତତଃ ଖଟଟେ ତ ମିଳିଲା-। ରିକ୍‌ସାବାଲା ଜିନିଷପତ୍ର ବୋହି ଆଣିଥିଲା । ତାକୁ ଗୋଟାଏ କୋଣରେ ଥୋଇ ରିକ୍‌ସା ବିଦା କରି ଖଟ ଉପରେ ବିଛଣାଟେ ପାରିଲି । ଦିନସାରା ବହୁତ ଧକଲ ଯାଇଛି । ହାତ ଗୋଡ଼ ମେଲି ଖଟ ଉପରେ ଗଡ଼ି ପଡ଼ିଲି । ତା’ ପରେ ଅମାପ ନିଦ । ସକାଳେ ନିଦ ଭାଙ୍ଗିଲା ଅଗଣାରେ ଛୋଟ ପିଲାର ଅଝଟରେ । ସେ ନ ଖାଇବା ପାଇଁ ଜିଦ୍ ଧରିଛି ଆଉ ତାକୁ ଡରେଇବା ପାଇଁ ତା ମାଆ ମୋ ଘର ଆଡ଼କୁ ଆଙ୍ଗୁଠି ଦେଖେଇ “ଏଇ ଘରେ ବାଇୟା ଅଛି” କହି ତାକୁ ଡରାଉଛନ୍ତି । ମୋ ଘରର ଦୁଆର କାଲିରାତିଠୁ ଦିଆହେଇନି । ସେଇ ଦୁଆର ବାଟେ ଏ ଦୃଶ୍ୟ ଦେଖି ଦେଲାପରେ ଏବଂ ନିଜ ପ୍ରତି ‘ବାଇୟା’ ସମ୍ବୋଧନ ଶୁଣିଲା ପରେ ମୁଁ ଯଦି ଉଠି ବସେ–ବାଇୟାର ଆବିଷ୍କାରକ ମହିଳା ଜଣକ ଲାଜରେ ପଡ଼ିବେ । ତେଣୁ ତାଙ୍କୁ ସେଇ ଲାଜ ମୁହଁରୁ ବଞ୍ଚେଇବା ପାଇଁ ମୁଁ–‘ବାଇୟା’ ଜଣକ ସେମିତି ଆଖି ବୁଜି ଖଟ ଉପରେ ପଡ଼ି ରହିଲି । ଛୋଟ ପିଲାଟି ଗୁରୁଣ୍ଡିବା ଛାଡ଼ି ଅଳ୍ପ ଅଳ୍ପ ଚାଲି ଶିଖିଛି । କେଲେଣ୍ଡରର ଶିଶୁ କୃଷ୍ଣ ଭଳି ଥାକୁଲୁ ଥୁକୁଲ ପିଲାଟିଏ । ଆଉ ତାର ମା’ଆ ? ନା ଯଶୋଦା ଭଳି ନୁହେଁ । ବର˚ ମନେ ହେଉଛି ଦକ୍ଷିଣ ଭାରତର କେଉଁ ମନ୍ଦିର ଦେହରୁ କଳା ମୁଗୁନି ପଥରର ମୂର୍ତ୍ତିଟିଏ ବାହାରି ଆସି ଏଠି ଏଇ ଅଗଣାରେ ଘୂରି ବୁଲୁଛି । ବାସନ୍ତୀ ନିବାସର ବାସନ୍ତୀ ଦେବୀ । ଶିଶୁ କୃଷ୍ଣ ବାଇୟାକୁ ଡରିଲାନି । ଡରିବା କଥା ବି ନୁହେଁ । ଅଳ୍ପ ହସି ଦେଇ ଥପ୍ ଥପ୍ କରି ଘର ଭିତର ଆଡ଼କୁ ମୁହେଁଇଲା । କିଛି ସମୟ ପରେ ସେମାନେ ଘର ଭିତରକୁ ଚାଲିଗଲେ । ମୁଁ ବିଛଣା ଛାଡ଼ି ପାଖା ପାଖି ଚାହା ଦୋକାନର ସନ୍ଧାନରେ ବାହାରିଲି-

 

ତା’ପରେ ବେଶ୍ କେତେଟା ଦିନ ଗଡ଼ି ଯାଇଛି । ଏବେ ଆଉ ମୁଁ କୁନୀର ‘ବାଇଆ’ ନୁହେଁ । ସଞ୍ଜବେଳର ଖେଳ ସାଥି । ଘର ମାଲିକ ବସନ୍ତ ବାବୁଙ୍କର ବନ୍ଧୁ । ବାସନ୍ତୀ ଦେବୀଙ୍କ ସିଲେଇ ପାଇଁ ତକିଆ ଖୋଳ, ବ୍ଲାଉଜ୍, ରୁମାଲରେ ଫୁଲ ଲତା ଆଙ୍କିବାର ଆର୍ଟିଷ୍ଟ ମୁଁ । ଏବେ ଆଉ ସକାଳେ ଚାହା କପେ ପାଇଁ ବାହାରକୁ ଯିବାକୁ ପଡ଼େନି । ନିଦ ଭାଙ୍ଗିଲା ବେଳକୁ ବସନ୍ତବାବୁଙ୍କର ଚାକର ଟୋକା ସନିଆ ଚାହା କପେ ଆଣି ଦେଇଯାଏ ।

 

ଏତେ ଦିନକେ ଜାଣି ଯାଇଚି ଏ ଘରର ମାଲିକାଣୀ ହରିପ୍ରିୟା ଦାସୀ ରହନ୍ତି କଲିକତାରେ । କଲିକତାର ହାଡ଼କଟା ଲେନ୍‌ର କୋଠି ଘରର ମାଉସୀ ସେ । ବାର ବନିତା କୋଠିର ମାଉସୀ ହରିପ୍ରିୟାର ଦାସୀଙ୍କର ଏକମାତ୍ର ଝିଅ ବାସନ୍ତୀ ଦେବୀଙ୍କୁ ବାହା ଦେଇ ବସନ୍ତ ବାବୁଙ୍କୁ ଘର ଜୋଇଁଆ କରି ଆଣିଛନ୍ତି ସେ । ଆଉ ଏ ଘର ସେଇ ବାହାଘରର ଯୌତୁକମାନଙ୍କ ଭିତରୁ ଗୋଟାଏ । ବସନ୍ତବାବୁ ବି. ଏ. ପାଶ୍ କରିଥିଲେ ବି ଚାକିରିର ମୋହ ନାହିଁ । ବେପାର ବଣିଜ ପ୍ରତି ବି ନିରାସକ୍ତ । ମାସକୁ ମାସ ଟଙ୍କା ଆସେ କଲିକତାରୁ । ସେଇଥିରେ ଘର ଚଳେ । ବସନ୍ତବାବୁଙ୍କର ନାଁ ସାଙ୍ଗରେ ମେଜ ରଖି ତାଙ୍କ ସ୍ତ୍ରୀଙ୍କ ନାଁ ବାସନ୍ତୀ ଦେବୀ କେମିତି ହେଲା ସେଇଟା ମୋର ଆବିଷ୍କାରର ବିଷୟ ହେଇଥିଲା କିଛି ଦିନ । ହେଲେ ଏ କଥା ତ ମୁହଁ ଖୋଲି ପଚାରି ହବନି । ତେଣୁ ଧରିନେଲି ବାସନ୍ତୀ ଦେବୀ ନାଁଟା ବସନ୍ତବାବୁ ହିଁ ଦେଇଛନ୍ତି–ସ୍ନେହରେ–ପ୍ରେମରେ । ସେଇ ଘରେ ରହଣି ଭିତରେ ଦିନେ ବିଭୂତି ପଟ୍ଟନାୟକ ଆସି ପହଞ୍ଚିଲେ ମୋ ପାଖରେ । ପ୍ରଚ୍ଛଦ ଦରକାର । ତାଙ୍କର ନୂତନ ଉପନ୍ୟାସ “ଗାରେ କଜ୍ଜଳ–ଧାରେ ଲୁହ” ପାଇଁ । କଲିକତାରୁ ପ୍ରକାଶ ପାଉଥିବା “ସମାବେଶ”ର ପ୍ରଚ୍ଛଦ ତାଙ୍କୁ ମୋ ସହିତ ପରିଚୟ କରାଇଛି । ତେଣୁ ମୋର ଠିକଣା ଯୋଗାଡ଼ କରି ଆସି ପହଞ୍ଚିଲେ ମୋ ପାଖରେ । ହଠାତ୍ ମୋର ମନେ ହେଲା ମୁଁ ବିଖ୍ୟାତ ହେଇ ଯାଇଛି । ତା’ ନ ହେଲେ ବିଭୂତି ବାବୁଙ୍କ ଭଳି ଜନପ୍ରିୟ ଲେଖକ ଜଣକ ମୋ ପାଖକୁ ଆସନ୍ତେ କାହିଁକି ? “ଗାରେ କଜ୍ଜଳ-ଧାରେ ଲୁହ” ପ୍ରକାଶ ପାଇଲା । ଆସ୍ତେ ଆସ୍ତେ ବାଙ୍କାବଜାର ପ୍ରକାଶକମାନଙ୍କ ଭିତରୁ କେହି କେହି ଆସିବାକୁ ଲାଗିଲେ ମୋ ପାଖକୁ ।

 

ଦିନେ ଡାକରା ପାଇଲି ଗୋଟିଏ ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ପାଖରୁ । “ଆଧୁନିକ ପ୍ରେମ କବିତା”ର ଏକ ପ୍ରଚ୍ଛଦ ପାଇଁ । ପ୍ରକାଶକ ମତେ ସାମ୍ନାରେ ବସେଇ କ’ଣ ଆଙ୍କିବାକୁ ପଡ଼ିବ ସେ ବିଷୟରେ ବୁଝାଇବାକୁ ଲାଗିଲେ । ପାଠ ପଢ଼ାର କି ବୁକ୍ ଭଳି ପ୍ରଚ୍ଛଦ ଆଙ୍କିବାର କି ବୁକ୍–ଗୋଟାଏ ପୁରୁଣା ପତ୍ରିକା–ମତେ ଧରେଇ ଦେଇ କହିଲେ ଏଇ ପତ୍ରିକାରେ ମନ୍ଦିର ଦେହର ମୂର୍ତ୍ତିମାନଙ୍କର ରେଖାଚିତ୍ର ସବୁ ରହିଛି । ତା’ରି ଦେହରୁ ବାଛି ବାଛି ମିଥୁନ ମୂର୍ତ୍ତିର ଚିତ୍ର ସବୁ ଉଠାଇ ଦିଅନ୍ତୁ ଆପଣଙ୍କର ପ୍ରଚ୍ଛଦକୁ । ବାସ୍ ହେଇଗଲା ।”

 

ମୁଁ କିଛି କହି ପାରିଲିନି । କେବଳ ତାଙ୍କ ମୁହଁକୁ ଅନାଇଲି–ତା’ପରେ ସେ ଦେଇଥିବା ପତ୍ରିକାଟି ହାତରେ ଧରି ଘରକୁ ଫେରିଲି । କିଛିଦିନ ପରେ ପତ୍ରିକାଟି ତାଙ୍କୁ ଫେରସ୍ତ ପଠେଇଲି । ସେଥି ସାଙ୍ଗରେ ଖବର ପଠେଇଲି ପ୍ରଚ୍ଛଦ କରିଛି, ହେଲେ ସେ କହିଥିବା ଚିତ୍ର ମୁଁ କରିନି । ଯେଉଁ ବନ୍ଧୁଙ୍କ ହାତରେ ଖବର ପଠେଇଥିଲି–ଫେରିଆସି ସେ କହିଲେ ଚଳିବନି–ଏକଦମ୍ ଚଳିବନି । ସେ କହିଥିବା ଚିତ୍ର ହିଁ ମତେ କରିବାକୁ ପଡ଼ିବ । ମୁଁ କିଛି କହିଲିନି । ତା’ପରେ ବେଶ୍ କେତେଟା ମାସ କଟିଗଲା । ପ୍ରକାଶକଙ୍କ ଲୋକ ଆସି ପୁଣି ମତେ ଡାକିନେଲା ତାଙ୍କ ଦୋକାନକୁ । ସାଙ୍ଗରେ ମୁଁ ନିଜ ଇଚ୍ଛାରେ କରିଥିବା ପ୍ରଚ୍ଛଦ ଚିତ୍ରଟି ନେବାକୁ କହିଲା ।

 

ସଞ୍ଜବେଳକୁ ଡିଜାଇନ୍ ଧରି ପହଞ୍ଚିଲା ପରେ ପ୍ରକାଶକ ମୋ ଡିଜାଇନ୍ ଦେଖିଲେ । ତା’ ପରେ ପ୍ରଶ୍ନ କଲେ–ସେ ବୁଝେଇଥିବା ଡିଜାଇନ୍ ମୁଁ କଲିନି କାହିଁକି ? ମୁଁ କହିଲି ଆଧୁନିକ ପ୍ରେମ କବିତାରେ ଯଦି ସେ ଛବି ମୁଁ କରନ୍ତି–ତେବେ ପ୍ରାଚୀନ ପ୍ରେମ କବିତା ପାଇଁ କ’ଣ କରିବି ?

 

ପ୍ରକାଶକ କିଛି ସମୟ ଗୁମ୍ ମାରି କ’ଣ ଭାବିଲେ–ତା’ପରେ ଡିଜାଇନ୍ ଡ୍ରୟାରରେ ଥୋଇ ଗୋଟାଏ ଲଫାପା ମୋ ହାତକୁ ବଢ଼େଇ ଦେଲେ ।

 

ଶହେ ଟଙ୍କା । ପଚିଶ ଟଙ୍କାରେ ପ୍ରଚ୍ଛଦ ଆଙ୍କୁଥିବା ଅସୀମ ବସୁ ହଠାତ୍ ସେଦିନ ଶହେ ଟଙ୍କା ପାଇଗଲା ପ୍ରଚ୍ଛଦଟି ପାଇଁ ।

 

॥ ୨୨ ॥

 

ପାକୁଳି କରୁଥିବା ଗାଈକୁ କେବେ ଭଲ କରି ଦେଖିଛ ? ଗଞ୍ଜେଇ ଟାଣିଲା ଭଳି, ସିଗାରେଟ୍‌ରେ ଗୋଟାଏ ଦମ୍ ଟାଣି ଧୂଆଁ ସବୁ ଧୀରେ ଧୀରେ ବାହାରକୁ ଛାଡ଼ିଲା ପରେ ଅସୀମ ବସୁ ପ୍ରଶ୍ନ କଲା । ତା’ ପରେ କିଛି ସମୟ ଚୁପ୍ ଚାପ୍ ‘ମୁଁ ଦେଖିଛି’ ଆଗ କଥାର ଖିଅ ଧରି ଲୋକଟା ପୁଣି କହିବାକୁ ଲାଗିଲା । “ସୁଖ, ସୁଖରେ ଆଖି ଦରବୁଜା ହେଇଥାଏ । ହେଲେ ପାକୁଳି କରିବା ବନ୍ଦ ହୁଏନି । ଯେମିତି ସେଇ ମୁହୂର୍ତ୍ତରେ ପାକୁଳି କରୁଥିବା ଜୀବଟି ଜୀବନର ଚରମତମ ସୁଖକୁ ଅନୁଭବ କରୁଛି । ସ୍ମୃତି ବି ଠିକ୍ ସେଇ ପାକୁଳି ହେଉଥିବା ଖାଦ୍ୟ ଭଳି । ସ୍ମୃତିର ରୋମନ୍ଥନ, ସେ ଦୁଃଖଦ ହେଉ, ବା ସୁଖଦ ହେଉ ଏକ ତୃପ୍ତିର ଅନୁଭୂତି ଆମ ଭିତରେ ଆଣିଦିଏ ।”

 

ବସନ୍ତବାବୁ ଓ ବାସନ୍ତୀ ଦେବୀଙ୍କର ଅଲିଅଳ ପୁଅ କୁନା ଏବେ ମୋର ଖେଳ ସାଥି । ସନ୍ଧ୍ୟାରେ କାମରୁ ଫେରି ଘରର ତାଲା ଖୋଲିଲା ବେଳେ କୁନା ଅଥୟ ହେଇପଡ଼େ ମୋ ପାଖକୁ ଆସିବା ପାଇଁ । ତା’ପରେ ମୋ ପାଖରେ ବସି ଘର ଚଟାଣରେ, କାନ୍ଥରେ କେବେ କେବେ କାଗଜରେ ଚକଖଡ଼ି ବା ପେନ୍‌ସିଲ୍‌ରେ ଛବି ଆଙ୍କି ମତେ ଛବି ଆଙ୍କିବା ଶିଖାଏ । କୁନା ଠାରୁ ମୁଁ ଚଢ଼େଇ, ଫୁଲ, ମାଛ, ମଣିଷର ଛବି ଆଙ୍କିବା ଶିଖିଲି । ଜାଣିଲି ମଣିଷ ଆଙ୍କିବା ଆଉ ମଣିଷର ଛବି ଆଙ୍କିବାରେ ଫରକ୍ ଅଛି । ଫୁଲ ଆଉ ଫୁଲର ଛବି ଏକ ନୁହେଁ । ଏବେ ଆଉ ତାଙ୍କ ଘରର ଚାକର ସନିଆ ନୁହେଁ, ସକାଳର ଚାହା ବାସନ୍ତୀ ଦେବୀ ନିଜେ ଆଣି ଦେଇ ଯାଆନ୍ତି ।

 

ଦକ୍ଷିଣ ଭାରତର ମନ୍ଦିର ଦେହରେ ଯେଉଁ ମୂର୍ତ୍ତ ସବୁ ଖୋଦେଇ ହେଇଛି ହୁଏତ ସ୍ଵପ୍ନରେ କେବେ କେମିତି ସେମାନଙ୍କ ଭିତରୁ କେହି କେହି କାହା ପାଖରେ ଆଖି ନଚେଇ ହସିଥିବେ । ହେଲେ ମୁଁ ସେ ହସ ଦେଖିନି । ସକାଳର ଚାହା କପ୍ ବଢ଼େଇ ଦେଲାବେଳେ ବାସନ୍ତୀ ଦେବୀଙ୍କର ହସ ହସ ମୁହଁକୁ ଦେଖି ଭାବିଛି ସେଇ ମୂର୍ତ୍ତି ସବୁ କଣ ଏହାଠାରୁ ଆହୁରି ସୁନ୍ଦର ହସ ହସି ପାରୁଥିବେ ।

 

ଏହା ଭିତରେ ବର୍ଷ ଗଡ଼ି ଯାଇଛି । ବସନ୍ତ ବାବୁଙ୍କର ଘରର ହାନିଲାଭ, ଭଲମନ୍ଦର ଭାଗିଦାର ମୁଁ ହେଇ ସାରିଛି । ବସନ୍ତ ବାବୁଙ୍କର ଭିତରପଟର ଘର ଏବେ ଦୁଇଭାଗ ହେଇ ଗୋଟାଏ ପାଖରେ ଆଉ ଗୋଟିଏ ପରିବାର ଭଡ଼ାରେ ରହିଛନ୍ତି । ତାଙ୍କର ଚାରୋଟି ପିଲା । ସେମାନଙ୍କର ଖେଳିବା ଜାଗା, ଗପିବା ଜାଗା ଏବେ ମୋ ବଖରାଟି । ମୋର ପରିଚର୍ଯ୍ୟାରେ ଏବେ ପ୍ରତିଯୋଗୀତା ଆରମ୍ଭ ହେଇ ଯାଇଛି । ବସନ୍ତବାବୁଙ୍କ ନୂଆ ଭଡ଼ାଟିଆ ସଦାନନ୍ଦ ବାବୁ ଖୁବ୍ ମେଳାପି ଲୋକ । ମାସର ରବିବାର ଗୁଡ଼ିକରେ ଦି’ ପହରିଆ ଖାଇବାଟା ଆଉ ହୋଟେଲରେ ନୁହେଁ । ସଦାନନ୍ଦ ବାବୁଙ୍କ ଘରେ । ସଦାନନ୍ଦ ବାବୁଙ୍କ ସାଙ୍ଗରେ । ସଦାନନ୍ଦ ବାବୁଙ୍କର କେତେବେଳେ କେମିତି ପ୍ରୟୋଜନରେ ମୁଁ ଆଗତୁରା ବାହାରି ପଡ଼େ । ପିଲାମାନଙ୍କର ପାଠପଢ଼ା ପାଇଁ ମାଷ୍ଟର ଦରକାର । ବିଶ୍ଵନାଥକୁ ମୁଁ ନେଇ ଜୁଟେଇ ଦେଲି । କବି ରବି ସିଂଙ୍କର ସ୍ତ୍ରୀ ବକୁଳ ଦେବୀଙ୍କର ସାନ ଭାଇ ବିଶ୍ଵନାଥ । ତାର ବି କିଛି ଗୋଟାଏ କରିବା ଦରକାର ଥିଲା । ତେଣୁ ଟିଉସନ୍‌ଟେ ପାଇଁ ବିଶ୍ଵନାଥ ଯେମିତି ବର୍ତ୍ତିଗଲା, ସଦାନନ୍ଦ ବାବୁ ବି ମାଷ୍ଟରଟେ ପାଇ ନିଶ୍ଚିନ୍ତ ହେଲେ । ବାସନ୍ତୀ ଦେବୀ କିନ୍ତୁ ସେ ପରିବାର ସହିତ ମୋର ଏଇ ମିଳାମିଶାକୁ ପସନ୍ଦ କରୁ ନ ଥାଆନ୍ତି । ହୁଏତ କୁନାର ସ୍ନେହରେ ଭାଗ ବସାଉଥିବା ସଦାନନ୍ଦ ବାବୁଙ୍କ ପିଲାମାନେ ହିଁ ତା’ର କାରଣ । ମୁହଁ ଖୋଲି ବାସନ୍ତୀ ଦେବୀ କେବେ କିଛି ନ କହିଲେ ବି ମୋର କିନ୍ତୁ କାହିଁକି କେଜାଣି ସେମିତି ମନେ ହେଉଥିଲା ।

 

ସେଦିନ ବସନ୍ତ ବାବୁ ଘରେ ନ ଥାଆନ୍ତି । ତିନିଦିନ ହେଲା ଗାଆଁକୁ ଯାଇଛନ୍ତି ତାଙ୍କର ବୋଉଙ୍କର ଦେହ ଖରାପ ଖବର ପାଇ । ସନ୍ଧ୍ୟାର ଆଡ଼୍‌ଡ଼ା ଆମର ଭାଙ୍ଗି ଯାଇଥାଏ । ଟିଉସନ ମାଷ୍ଟର ଆସିଲା ପରଠୁଁ ସଦାନନ୍ଦ ବାବୁଙ୍କର ପିଲାମାନେ ଆଉ ସଞ୍ଜବେଳେ ମୋ ପାଖକୁ ଆସି ପାରନ୍ତିନି । ଏକୁଟିଆ ଘର ଭିତରେ ବିଛଣାର ପଡ଼ି କେଉଁ ଗୋଟାଏ ଉପନ୍ୟାସ ପଢ଼ୁଥାଏ ମୁଁ । ହଠାତ୍ ସନିଆ ଆସି କହିଲା–ମା’ଙ୍କର ଦେହ ଭଲ ନାହିଁ । ଆପଣଙ୍କୁ ଡକେଇଛନ୍ତି ।

 

ମତେ ଡକେଇଛନ୍ତି ଘର ଭିତରକୁ ? ବିସ୍ମିତ ହେଲି ମୁଁ । ଏତେଦିନ ସେଠି ରହିଛି ସତ-। ହେଲେ ବସନ୍ତବାବୁଙ୍କର ଭିତର ଖଞ୍ଜାକୁ କେବେ ଯାଇନି । ସନିଆ କଥା ଶୁଣି ଜାମାଟାକୁ ଦେହରେ ଗଳେଇ ଭିତରକୁ ଚାଲିଲି ସନିଆ ସାଙ୍ଗରେ । ମଝି ବାରଣ୍ଡା ଡେଇଁ ଘର ଦୁଆର ମୁହଁରେ ଯାଇ ଠିଆ ହେଲି । ବାସନ୍ତୀ ଦେବୀ ଶୋଇଛନ୍ତି । ଘର ସାରା ନୀଳ ଆଲୁଅ ଲହରୀ ଖେଳୁଛି । ମୁଗୁନି ପଥରର ମୂର୍ତ୍ତିଟି ଖଟ ଉପରେ ଗୋଟାଏ ଅପୂର୍ବ ଭଙ୍ଗିମାରେ ଶୋଇଛି । ହଠାତ୍ ମନେ ହେଲା କେଉଁଠି ଯେମିତି ଦେଖିଛି ଏମିତି ଭାବରେ ଶୋଇବାର ଭଙ୍ଗୀମା । କେଉଁଠି ଦେଖିଛି ? ମେଘଦୂତ କାବ୍ୟରେ କେଉଁ ଚିତ୍ର ଅଛି–ସେଥିରେ କ’ଣ ଯକ୍ଷିଣୀ ଏମିତି ଭଙ୍ଗୀମାରେ ଶୋଇଛି । ଏମିତି ଉନ୍ମୁକ୍ତ କେଶଦାମ ? ଏମିତି ଛନ୍ଦମୟ ଦେହ ଭଙ୍ଗୀମା ? ନା କ’ଣ ରଣେନ୍ ଦତ୍ତଙ୍କର ଅଙ୍କା ଶାଲିମାର ନଡ଼ିଆ ତେଲର ବିଜ୍ଞାପନ ଚିତ୍ରରେ ଏ ଭଙ୍ଗୀମା ମୁଁ ଦେଖିଛି ? ବାସନ୍ତୀ ଦେବୀ ଆଖି ବୁଜି ଶୋଇଥିଲେ । କୁନା ବି ଶୋଇ ପଡ଼ିଛି । ପାଦ ଶବ୍ଦ ଶୁଣି ବାସନ୍ତୀ ଦେବୀ ଆଖି ଖୋଲିଲେ । ମତେ ଦୁଆର ମୁହଁରେ ଠିଆ ହେବା ଦେଖି ଭିତରକୁ ଡାକିଲେ । ପରଦା ଆଡ଼େଇ ଭିତରକୁ ଯାଇ ପଲଙ୍କ ପାଖରେ ଠିଆ ହେଲି ମୁଁ । ସନିଆ ଚୌକି ଗୋଟାଏ ଆଣି ପାଖରେ ଥୋଇ ଘରୁ ବାହାରି ଗଲା । ମୁଁ ପଚାରିଲି-ଦେହ ଭଲ ନାହିଁ ଶୁଣିଲି–କ’ଣ ଡାକ୍ତର ଡାକିବି ? ବାସନ୍ତୀ ଦେବୀ ମତେ ବସିବାକୁ ଇଶାରା କଲେ ।

 

ମୁଁ ଚଉକିରେ ବସିଲା ପରେ କହିଲେ–ନା, ଡାକ୍ତର ଦରକାର ନାହିଁ । ସାମାନ୍ୟ ଜ୍ଵର ଆଉ ତା’ ସାଙ୍ଗକୁ ମୁଣ୍ଡଟା ଖୁବ୍ ଜୋର୍‌ରେ ବିନ୍ଧୁଛି । ଆଉ ତା’ପରେ ? ତା’ପରେ ମୋ ହାତଟାକୁ ଟାଣି ନେଇ ତାଙ୍କ କପାଳ ଉପରେ ଚାପି ଧରିଲେ ସେ । ମୁହୂର୍ତ୍ତକ ପାଇଁ ସବୁ ଓଲଟ ପାଲଟ ହେଇଗଲା । ଦୁଆର ମୁହଁର କନା ପର୍ଦ୍ଦାଟି ହଠାତ୍ କିଂଖାବ୍‌ର ଜରିଦାର ପର୍ଦ୍ଦା ପାଲଟିଗଲା । ଗୋଡ଼ତଳେ ପାର୍ସିୟାନ ଗାଲିଚାର ଅବସ୍ଥିତି ଅନୁଭବ କଲି । ମୁଣ୍ଡ ଉପରର ବିରାଟ ଝାଡ଼ରୁ ବିଭିନ୍ନ ରଙ୍ଗର ଆଲୁଅ ସବୁ ଘର ଭିତରେ ନକ୍ଷତ୍ର ଭଳି ଏଠି ସେଠି ବିଛାଡ଼ି ହେଇ ପଡ଼ିଲା । ଆଲାଉଦ୍ଦୀନ୍ ଖାଁ ସାହେବଙ୍କର ସରୋଦର ମାଲକୋଷର ରାଗ ବିଳମ୍ବିତ ଲୟରେ ବାଜି ଚାଲିଲା । ଫରାସୀ ଅତରର ମହକରେ ଘର ଭରିଗଲା । କିଂଖାବ୍‌ର ପର୍ଦ୍ଦା ସେପଟେ ବାଦୀମାନଙ୍କର ଉପସ୍ଥିତି ଅନୁଭୂତ ହେଲା । ସାହେନ୍‌ସାହ ଅସୀମ ବସୁ ଲମ୍ବା ଚପ୍‌କନ୍ ଚୁଡ଼ିଦାର ଆଉ ପଗଡ଼ିରେ ଶୋଭିତ ହେଇ ବେଗମ୍ ବାସନ୍ତୀ ଦେବୀଙ୍କର ଚୂର୍ଣ୍ଣ କୁନ୍ତଳ ନେଇ ଖେଳିବାକୁ ଲାଗିଲା । ମୁହୂର୍ତ୍ତକ ପାଇଁ, ମାତ୍ର ମୁହୂର୍ତ୍ତକ ପାଇଁ ଅସୀମ ବସୁ ସାହେନ୍‌ଶାହ ପାଲଟି ଯାଇଥିଲା ସେଦିନ । ତା’ପରେ ସବୁ ସ୍ଵାଭାବିକ୍ । କାନ୍ଥ ଘଣ୍ଟାର ଟିକ୍ ଟିକ୍ ଶବ୍ଦ । ନେଳି ବଲ୍‌ବ ପାଖରେ ଝିଟିପିଟିର ପୋକ ଧରିବାର ଦୃଶ୍ୟ । କୁନାର ଦାନ୍ତ ଚୋବେଇବା । ସବୁ ଯାହା ଯେମିତି ଥିଲା–ସେମିତି । ବାସନ୍ତୀ ଦେବୀ ହାତଟାକୁ ଜୋର୍‌ରେ ଚାପି ଧରିଛନ୍ତି । ମୁଁ ତାଙ୍କର ମୁଣ୍ଡ ଚିପି ଦେବାକୁ ଚାହୁଁଥିଲେ ବି ଚିପି ପାରୁନି । ଏତେ ପାଖରୁ ବାସନ୍ତୀ ଦେବୀଙ୍କୁ କେବେ ଦେଖି ନ ଥିଲି । ସେ ଆଖି ବନ୍ଦ କରି ଶୋଇଥିଲେ । ହୁଏତ ସେ ଜାଣି ପାରୁଥିଲେ ମୁଁ ତାଙ୍କ ମୁହଁକୁ ଅନେଇ ରହିଛି ।

 

ଏ ମନ ଭାବୁଥାଏ ଯାହା

କାଳେ ପ୍ରାପତ ହୁଏ ତାହା ।

 

କିଏ କେବେ ଏଇ ପଦ ଦୁଇଟି ଲେଖିଥିଲେ କେଜାଣି, ହେଲେ କଥାଟା ଯେ ସତ ନୁହେଁ ଏକଥା ସେ କବି ଜଣକ ଯେମିତି ଜାଣିଥିଲେ ରାମ, ଶ୍ୟାମ, ଯଦୁ, ମଧୁ ଓ ମୁଁ ବି ସେମିତି ଜାଣିଛି । କଥାଟା ସତ ହେଇଥିଲେ ଅନାହାରରେ ଲୋକେ ମରନ୍ତେନି । ରୋଗ ବୈରାଗରେ ଲୋକ କଷ୍ଟ ପାଆନ୍ତେନି–ଦୁଃଖ ଦୁର୍ଦ୍ଦଶା ଲୋକ ଭୋଗନ୍ତେନି । ସବୁ ଚାହିଦା ମେଣ୍ଟେନି, ସବୁ ପାଇବା ପୂର୍ଣ୍ଣତା ନୁହେଁ ବୋଲି ଜୀବନରେ ଏତେ ସଂଗ୍ରାମ, ଏତେ ଝଡ଼, ଏତେ ସମାଧାନ ହୀନ ସମସ୍ୟାର ପାହାଡ଼ ।

 

ବାସନ୍ତୀ ଦେବୀ ମୋର ସମସ୍ୟା ନ ଥିଲେ । ପ୍ରାପ୍ତିର ଆକାଙ୍‌କ୍ଷା ନେଇ କେବେ ହାତ ବଢ଼େଇ ନ ଥିଲି ବୋଲି ଅପ୍ରାପ୍ତିର ଆଶ୍ଵସ୍ତିରେ ଭାଙ୍ଗି ପଡ଼ି ନ ଥିଲି । ସବୁ ଭାବୁଥିବା କଥା ଯେପରି ପ୍ରାପତ ହୁଏ ନାହିଁ । ସେହିପରି ଅନେକ ଭାବୁ ନ ଥିବା କଥା ବି ପ୍ରପାତ ହେଇଯାଏ । କବି ବାଇରନ୍, କିଟସ୍, ନେପୋଲିୟନ, ଏମାନଙ୍କର ଜୀବନରେ ପ୍ରେମ ଥିଲା । ପ୍ରେମପତ୍ର ବି ଥିଲା । ସେହି ସବୁ ପ୍ରେମପତ୍ର କାଳକ୍ରମରେ ଛପା ହେଇ ବହି ଆକାରରେ ପ୍ରକାଶ ପାଇଛି । ହେଲେ କୌଣସି ସଂଗ୍ରାହକ ପ୍ରେମପତ୍ରର ଆକାର ବିଷୟରେ କେବେ ଔତ୍ସୁକ୍ୟ ପ୍ରକାଶ କରିଥିବା କଥା ଜାଣିନି । ମୁଁ କିନ୍ତୁ ଆଜିକୁ ତିରିଶି ବର୍ଷ ହେଲା ଜାଣିବାକୁ ଚାହୁଁଛି ପୃଥିବୀର କ୍ଷୁଦ୍ରତମ ପ୍ରେମପତ୍ର କ’ଣ ? କିଏ ଲେଖିଥିଲା ? କାହା ପାଖକୁ ଲେଖିଥିଲା ?

 

ବେଳେବେଳେ ମନେ ହେଇଛି ମୁହିଁ ବୋଧହୁଏ ସେହି ବ୍ୟକ୍ତି ଯିଏ ପୃଥିବୀର କ୍ଷୁଦ୍ରତମ ପ୍ରେମପତ୍ର ପାଇଥିବାର ଗର୍ବରେ ଗର୍ବିତ । ଅବଶ୍ୟ ଯଦି ବାସନ୍ତୀ ଦେବୀଙ୍କର ଚିଟାଉ ଖଣ୍ଡିକ ପ୍ରେମପତ୍ର ହେଇଥାଏ ।

 

ସେଦିନ ରବିବାର । ସକାଳେ ବିଶ୍ଵନାଥକୁ ସାଙ୍ଗରେ ଧରି ଗୋଟାଏ ଇଂରାଜୀ ଫିଲ୍ମ ଦେଖିବାକୁ ଯିବାର ଯୋଜନା ଆଗରୁ ସ୍ଥିର ହୋଇଥାଏ । ବିଶ୍ଵନାଥ ସିଧାସଳଖ ଚାଲିଯିବ ସିନେମାହଲ୍ ପାଖକୁ । ମୁଁ କାମଦାମ ସାରି ପୋଷାକ ପିନ୍ଧି ଘରୁ ବାହାରିବାକୁ ଯାଉଛି–

 

ଏତିକିବେଳେ ସନିଆ ଗୋଟାଏ ଜଳଖିଆ ପ୍ଳେଟ ଧରି ମୋ ସାମନାରେ ଆସି ଠିଆ ହେଲା ।

 

ମା’ ପଠେଇଛନ୍ତି–ସନିଆ କହିଲା ।

 

ମୁଁ ପ୍ଳେଟ୍‌ଟା ତା’ ହାତରୁ ନେଇ ଟେବୁଲ ଉପରେ ଥୋଇଲି । ତା’ପରେ ଉପର ଘୋଡ଼ଣି ଖୋଲି ଦେଖିଲି ସୁଜି ହାଲୁଆ । ପାଖରେ ଗୋଟାଏ ଚାମଚ ବି ରହିଛି ।

 

ଚାମଚରେ ସୁଜି ନେଇ ପାଟିରେ ଦେବାକୁ ଗଲି । ହେଲେ ଏ କ’ଣ ? ସୁଜି ଭିତରେ ଗୋଟାଏ ସରୁ କାଗଜର ପଟି । ଟେଲିଗ୍ରାମ ଫର୍ମ ଦେହରେ ଯେମିତି ଟେଲିଗ୍ରାମ୍‌ର ବିଷୟ ଟାଇପ୍ ହେଇ ମରା ହେଇଥାଏ ସେମିତି ପଟିଟିଏ । ତା’ଉପରେ କ’ଣ ସବୁ ଲେଖା । ଚାମଚ ରଖି କାଗଜ ପଟିଟି ଉଠେଇ ନେଲି । କାହାରିକୁ ଉଦ୍ଦେଶ୍ୟ କରି ଲେଖା ହେଇନି । କିଏ ଲେଖିଛି ତା’ ବି ଉଲ୍ଲେଖ ନାହିଁ । କାଗଜ ପଟି ଉପରେ ଖାଲି ଗୋଟିଏ ଧାଡ଼ି ଲେଖା-ମୁଁ କାହିଁକି ଆପଣଙ୍କୁ ସ୍ଵପ୍ନ ଦେଖେଁ ?

 

ସନିଆ ପାଣି ଗିଲାସେ ଧରି ଆସି ଠିଆ ହେଲା । ମୁଁ କାଗଜ ପଟିଟିକୁ ଲୁଚାଇ ଦେଲି । ପ୍ରେମପତ୍ର । ପୃଥିବୀର କ୍ଷୁଦ୍ରତମ ପ୍ରେମପତ୍ର । ଏଇ କ୍ଷୁଦ୍ରତମ ପତ୍ରଟିକୁ ବିଶ୍ଳେଷଣ କଲେ କବି ବାଇରନ୍, କିଟସ୍, ନେପୋଲିୟନ୍‌ଙ୍କ ଚିଠି ମାନଙ୍କର ଆକାରଠାରୁ ବଡ଼ ନ ହେବ କାହିଁକି ? ପୁଣି ସେଇ ବଡ଼ ବଡ଼ ଚିଠିମାନଙ୍କୁ ସଙ୍କୁଚିତ କଲେ–ମୁଁ କାହିଁକି ଆପଣଙ୍କୁ ସ୍ଵପ୍ନ ଦେଖେଁରେ ରୂପ ନ ନେବ ।

 

ଜଳଖିଆତକ ଖାଇଦେଇ ପାଣି ଗିଲାସଟା ସନିଆ ହାତରୁ ନେଇ ଢକ୍ ଢକ୍ କରି ପିଇଗଲି । ସନିଆ ଗିଲାସ ଆଉ ପ୍ଳେଟ୍ ନେଇ ଚାଲିଗଲା । ଘରୁ ବାହାରି ଦୁଆରରେ ତାଲା ଦେଇ ବୁଲି ପଡ଼ିଲି । ସେପଟ ଦୁଆରକୁ ଆଉଜି ବାସନ୍ତୀ ଦେବୀ ଠିଆ ହେଇଛନ୍ତି । ମୁଁ କ’ଣ ତାଙ୍କୁ ଅନେଇ କେତେଟା ମୁହୂର୍ତ୍ତ ରହି ଯାଇଥିଲି ? କେଜାଣି, ସେ କଥା ଆଜି ଆଉ ମନେ ନାହିଁ ।

 

॥ ୨୩ ॥

 

ପିଲାଦିନେ ପାଠ ପଢ଼ାଉଥିବା ମାଷ୍ଟର ଜଣକ ଥରେ ଇଂରାଜୀ ହସ୍ତାକ୍ଷର ଖାତାରେ ଗୋଟିଏ ଧାଡ଼ିରେ ବାକ୍ୟଟିଏ ଲେଖିଦେଇଥିଲେ, ଯାହାର ଅର୍ଥ–ଚିକ୍ ଚିକ୍ କରୁଥିବା ସବୁ ଜିନିଷ ହିଁ ସୁନା ନୁହେଁ । ସେଦିନ ସେହି ଧାଡ଼ିଟିକୁ ଥରକୁ ଥର ଲେଖି ଖାଲି ହସ୍ତାକ୍ଷରକୁ ସୁନ୍ଦର କରିବାର ଚେଷ୍ଟା କରି ନ ଥିଲି, ମନ ଭିତରେ, ସୁନା ଯେ ଏକ ମୂଲ୍ୟବାନ ବସ୍ତୁ ଏ ଧାରଣା ବି ପୋଷଣ କରି ସାରିଥିଲି । ଖାଲି ସେତିକି ନୁହେଁ ହୀରା, ନୀଳା, ମୋତି, ମାଣିକ୍ୟ ଯାହା ଆଇମା କାହାଣୀର ରଜାପୁଅ ଓ ରଜାଝିଅମାନେ ପିନ୍ଧୁଥିଲେ ଏବଂ ଯାହା ମୋର ଅଦେଖା ହୋଇଥିଲେ ବି ଯଥେଷ୍ଟ ଚିକ୍ ଚିକ୍ କରେ ବୋଲି ଜାଣିଥିଲି–ତାହାଠାରୁ ବି ସୁନା ମୂଲ୍ୟବାନ ବୋଲି ଭାବିଥିଲି । ମୂଲ୍ୟବାନ ନ ହୋଇଥିଲେ ସେଦିନ ସେଇ ଦାନ୍ତ ନ ଥିବା ଚନ୍ଦାମୁଣ୍ଡର ବୁଢ଼ା ମାଷ୍ଟର ଜଣକ କାହିଁକି ଲେଖିଲେନି ଚିକ୍ ଚିକ୍ କରୁଥିବା ସବୁ ବସ୍ତୁ ହିଁ ହୀରା ନୁହେଁ ବୋଲି ?

ଆଜି ଏହି ବୟସରେ ଯେତେବେଳେ ମୁଣ୍ଡ ବାଳରେ ଏଠି ସେଠି ଧଳା ରଙ୍ଗ ଦେଖା ଦେଲାଣି–ଦାଢ଼ି ଭିତରେ ମେଞ୍ଚା ମେଞ୍ଚା ଧଳା ରଙ୍ଗ ଫୁଟି ଉଠିଲାଣି–ଚିକ୍ ଚିକ୍ କରୁଥିବା ହୀରା, ନୀଳା, ମୋତି, ମାଣିକ୍ୟ ଏବଂ ସୁନାରୁ କାଣିଚାଏ ହେଲେ ବି ମୋର ସମ୍ପତ୍ତିର ଅନ୍ତର୍ଭୁକ୍ତ ହୋଇ ନାହିଁ, ସେତେବେଳେ ବି ମୁଁ ନିଜକୁ ଧନୀ ମଣୁଛି । ସ୍ମୃତିର କୋଠରୀ ଭିତରେ ଚିକ୍ ଚିକ୍ କରୁଥିବା ଉଜ୍ଜଳ ଚରିତ୍ରମାନେ ମତେ ଏ ଗୌରବର ଅଧିକାର ଦେଇଛନ୍ତି । ମତେ ବିତ୍ତବାନ କରିଛନ୍ତି, ଧନୀ କରିଛନ୍ତି ।

ଚରମ ଦୁଃଖ ଓ ପରମ ଆନନ୍ଦର ଅଭିବ୍ୟକ୍ତିର ଯେ ଏକା ପ୍ରକାର, ମୁଁ ତାହା ଅନୁଭବ କରିଛି ଥରକୁ ଥର, ଅନେକ ଥର । ସେଦିନ କଳାବିକାଶ କେନ୍ଦ୍ରର ଅନ୍ୟତମ ପ୍ରତିଷ୍ଠାତା ବାବୁଲାଲ୍ ଯୋଶୀଙ୍କ ହାତରୁ ଲଫାପାଟି ନେଲାବେଳେ ଆଖି କୋଣରେ ଜକେଇ ଉଠିଥିବା ଲୁହକୁ ପୋଛୁ ପୋଛୁ ଆଉଥରେ ଅନୁଭବ କଲି ଚରମ ଦୁଃଖ ଓ ପରମ ଆନନ୍ଦର ଅଭିବ୍ୟକ୍ତିରେ କିଛି ଫରକ୍ ନାହିଁ ବୋଲି । ବାବୁଲାଲ୍ ଯୋଶୀ ମୋର ସ୍ମୃତିର ଚୌହଦି ଭିତରେ ଚିକ୍ ଚିକ୍ କରୁଥିବା ଚରିତ୍ରମାନଙ୍କ ଭିତରୁ ଜଣେ । ବିଭୂତି ପଟ୍ଟନାୟକଙ୍କ ସୁପାରିସ୍‌ରେ–କଳାବିକାଶ କେନ୍ଦ୍ରର କର୍ମକର୍ତ୍ତା ମାନେ ନେଇ ଦିନେ ପହଞ୍ଚେଇ ଦେଲେ ବାବୁଲାଲ୍ ଯୋଶୀଙ୍କ ଘରେ । ତପସ୍ଵିନୀ ନୃତ୍ୟନାଟିକାର ଦୃଶ୍ୟ ସଜ୍ଜା ପାଇଁ ଜଣେ ଶିଳ୍ପୀ ଦରକାର । ଆଉ ବିଭୂତିବାବୁ କହିଛନ୍ତି ମୁଁ କୁଆଡ଼େ ସେଥିପାଇଁ ଯୋଗ୍ୟ ଲୋକ । ସେ ଜାଣି ନାହାନ୍ତି–ତାଙ୍କର “ଗାରେ କଜ୍ଜଳ, ଧାରେ ଲୁହ”ର ପ୍ରଚ୍ଛଦ ଶିଳ୍ପୀ ଅସୀମ ବସୁ ଦୃଶ୍ୟ ସଜ୍ଜାର ଅ, ଆ, କ, ଖ, ବି ଜାଣେନି ବୋଲି । ହେଲେ ସେ କଥା ମୁହଁ ଖୋଲି ନୀଳମାଧବ ବାବୁଙ୍କୁ କହିବି କେମିତି ? ମୋର ଅଯୋଗ୍ୟତା କଥା ନୀଳମାଧବ ବୋଷଙ୍କ ପାଖରେ କହିବା ଅର୍ଥ ବିଭୂତି ବାବୁଙ୍କର ମୋ ଉପରେ ଥିବା ଆସ୍ଥା ଟିକକ ତୁଟିଯିବ । ତେଣୁ କିଛି ନ ଜାଣିବି ସବୁ ଜାଣିଥିବାର ଅଭିନୟ କରି ଅସୀମ ବସୁ ସେଦିନ ଯାଇ ପହଞ୍ଚିଲା ବାବୁଲାଲ୍ ଯୋଶୀଙ୍କ ଘରେ ।

ବାବୁଲାଲ୍ ଯୋଶୀ ପ୍ରଥମେ ତପସ୍ଵିନୀର ବିଷୟବସ୍ତୁ ଓ ପରେ ନୃତ୍ୟାଂଶର ପଶ୍ଚାତ୍‌ପଟ ସମ୍ପର୍କରେ ଗୋଟାଏ ଧାରଣା ଦେଲେ । ତା’ପରେ କହିଲେ ମଞ୍ଚରେ ମୁଁ ଯାହା କରିବାକୁ ଚାହେଁ ତା’ର ଗୋଟାଏ ଚିତ୍ର ଆଙ୍କି ତାଙ୍କୁ ଦେଖାଇବାକୁ ।

ପିଲାଦିନେ ବାଲେଶ୍ଵର ଇସ୍କୁଲରେ ପଢ଼ିଲାବେଳେ ଶାଢୀଟାଙ୍ଗି ମଞ୍ଚ ତିଆରି କରି କିଛି କିଛି ନାଟକରେ ଅଭିନୟ କରିଛି । ସେତେବେଳେ ସେ ନାଟକରେ ଖାଲି ମଞ୍ଚକାର ନୁହେଁ, ନିର୍ଦ୍ଦେଶକ ବି ନ ଥିଲେ । ସେତେବେଳେ ବିନା ନିର୍ଦ୍ଦେଶକରେ ନାଟକ କରି ଯେମିତି ଦର୍ଶକଙ୍କର ହାତ ତାଳି ପାଇଛି ସେମିତି ଘରୁ ଗାଳି ବି ଖାଇଛି ଅନେକ ।

ଆଉ ଟିକିଏ ବଡ଼ ହେଇ କଲେଜରେ ପହିଲି ରଜ ନାଟକରେ ଅଭିନୟ କରି ପୁରସ୍କାର ପାଇ ପାରିନି ବୋଲି ପୁରସ୍କାର ପାଇଥିବା ବନ୍ଧୁ ଅନନ୍ତ ପଣ୍ଡାଙ୍କୁ ଈର୍ଷା କରିଛି । ହେଲେ ମଞ୍ଚର ପଶ୍ଚାତ୍‌ପଟ ସମ୍ପର୍କରେ କେବେ ସଚେତନ ହେଇନି ।

ବାବୁଲାଲ୍ ଯୋଶୀଙ୍କ ଘରୁ ଫେରି ପ୍ରଥମ କରି ଭାବିବାକୁ ପଡ଼ିଲା ନାଟକର ପଶ୍ଚାତ୍‌ପଟ ସମ୍ପର୍କରେ । “ମଙ୍ଗଳେ ଅଇଲା ଉଷା” କବିଙ୍କ ନିକଟରେ ରାଜୀବ ଲୋଚନ ଦୃଶ୍ୟ ହୋଇଥିଲେ ବି ମୋ ପାଖରେ ଖାଲି ଅନ୍ଧକାର ଆଉ ଅନ୍ଧକାର ହେଇ ରହିଲା । କବି ଗଙ୍ଗାଧର ମେହେରଙ୍କ ଉପରେ ବିରୂପ ଭାବ ପୋଷଣ କଲି ମୁଁ । କ’ଣ ଦରକାର ଥିଲା ତପସ୍ଵିନୀ କାବ୍ୟ ଲେଖିବାର ? କେବଳ ତାଙ୍କରି ପାଇଁ ସିନା ମତେ ଆଜି ଏମିତି ଗୋଟାଏ ଅବସ୍ଥାର ସମ୍ମୁଖୀନ ହେବାକୁ ପଡ଼ୁଛି । ନା, ଆଉ ବାବୁଲାଲ୍ ଯୋଶୀଙ୍କ ଘରକୁ ନୁହେଁ । ଦରକାର ନାହିଁ ମୋର ତପୋବନର ଛବି ଆଙ୍କିବା । ଦରକାର ନାହିଁ ମଞ୍ଚ ସଜ୍ଜା କରିବା । ତେଣୁ ଚୁପ୍ ରହିଲି ସେ ବିଷୟରେ । ହେଲେ ଗୋଟାଏ ଦିନ ନ ଯାଉଣୁ ନୀଳମାଧବ ବୋଷ ପୁଣି ଆସି ପହଞ୍ଚିଲେ ମୋ ପାଖରେ । କ’ଣ ବା ଉତ୍ତର ଦେବି ତାଙ୍କୁ । ତେଣୁ ଆଉ ଗୋଟାଏ ଦିନ ସମୟ ମାଗି ଭାବିବାକୁ ବସିଲି ।

ନାଟକ ନୁହେଁ ନୃତ୍ୟ ନାଟକ । କାହାଣୀର ବିଷୟବସ୍ତୁ ଏକ ଛନ୍ଦମୟ ଗତି ମାଧ୍ୟମରେ ଦର୍ଶକଙ୍କ ସାମନାରେ ଉପସ୍ଥାପିତ ହେବ । ତେଣୁ ପଶ୍ଚାତ୍‌ପଟର ତପୋବନକୁ ବାସ୍ତବବାଦୀ ନ କରି ଏକ ଛନ୍ଦମୟ ରୂପ ଦେଲି ଚିତ୍ରରେ । ପ୍ରତିଟି ଗଛ ପ୍ରତୀକବାଦୀ, ହେଲେ ମଧ୍ୟ ଲାଳିତ୍ୟମୟ । କୁଟୀର ମଧ୍ୟ ଲାଳିତ୍ୟମୟତାକୁ ବାଦ ଗଲାନି । ସବୁ ମିଶି ଗୋଟିଏ ଛନ୍ଦବଦ୍ଧ ଭାରତୀୟ କଳାର ନିଦର୍ଶନ । ଗଛମାନଙ୍କରେ ନାମହୀନ ପ୍ରତୀକ ଧର୍ମ୍ମୀ ଫୁଲ । ଏସବୁ ସାଙ୍ଗକୁ ଡେଣାମେଲି ଥିବା ଦୁଇଟି ଧଳା ଚଢ଼େଇ ।

ଛବି ଶେଷ କରି ଯାଇ ପହଞ୍ଚିଲି ବାବୁଲାଲ୍ ଯୋଶୀଙ୍କ ଘରେ । ଛବି ହାତରେ ଧରି ବାବୁଲାଲ ଯୋଷୀ କିଛି ସମୟ ଗୁମ୍ ମାରି ବସି ରହିଲେ । ମୁଁ ବୁଝି ପାରିଲି ଏ ଛବି ତାଙ୍କର ପସନ୍ଦ ହେଇନି । ଆରେ ! ଗଛ ସବୁ କଣ ଦେଖିବାକୁ ଏମିତିକା ? ତାଙ୍କ ଆଖିରେ ମୁଁ ଯେ ଅଯୋଗ୍ୟ ଏ କଥା ମୁଁ ବୁଝି ପାରିଲେ ବି ସେ ବୁଝି ପାରିଲେନି । ଆଉ ବୁଝି ପାରିଲେନି ବୋଲି ଶେଷକୁ କହିଲେ–ଠିକ୍ ଅଛି, ଏଇଆ କରିବେ, ଖାଲି ଚଢ଼େଇ ଦି’ଟାକୁ ରଖିବେନି । ସନ୍ଧ୍ୟାବେଳେ କଳାବିକାଶ କେନ୍ଦ୍ରକୁ ଆସନ୍ତୁ । ସାଙ୍ଗରେ ଗୋଟାଏ ତାଲିକା ଆଣିଥିବେ । ଯେଉଁ ସବୁ ଜିନିଷ ଦରକାର ହେବ ତାର ।

କି ମୁସ୍କିଲ କଥା । ଛବିଟା ନାପସନ୍ଦ କରି ଫେରାଇ ଦେଇଥିଲେ ସିନା ବିଭୂତି ବାବୁ ଅନ୍ୟମାନଙ୍କ ଆଗରେ କହନ୍ତି–ବେପାରୀ ଲୋକ ବେପାର ବଣିଜ ବୁଝନ୍ତି ସିନା ହେଲେ କଳାର କଣ ବୁଝିବେ ? ତେଣୁ ମତେ ଫେରାଇ ଦେଲେ ।

ହେଲେ ଏବେ ତ ଓଲଟା ହେଲା । ଜିନିଷର ତାଲିକା ଧରି କଳା ବିକାଶ କେନ୍ଦ୍ରକୁ ଯିବାକୁ ପଡ଼ିବ ।

ଭାବି ଚିନ୍ତି ପ୍ଲାଇଉଡ଼୍, କଣ୍ଟା, କନା, କାଠ ଇତ୍ୟାଦିର ଗୋଟାଏ ତାଲିକା କରି ସନ୍ଧ୍ୟାରେ ଯାଇ ପହଞ୍ଚିଲି କଳାବିକାଶ କେନ୍ଦ୍ରରେ । ଆଉ ପହଞ୍ଚି ସାରିଲା ପରେ ଜାଣି ପାରିଲି ମୁଁ ସେଠି ଅପରିଚିତ ନୁହେଁ । ପ୍ରଚ୍ଛଦ ଶିଳ୍ପୀ ଅସୀମ ବସୁ ଏଇ କେଇଟା ଘଣ୍ଟା ଭିତରେ କଳା ନିର୍ଦ୍ଦେଶକ ଅସୀମ ବସୁ ପାଲଟି ଯାଇଛି କଳାବିକାଶ କେନ୍ଦ୍ରର ଚୌହଦି ଭିତରେ । ବାବୁଲାଲ ଯୋଶୀ ସେଠି ବାବୁ ଭାଇ । ସେ ମୋ ପାଖରୁ ତାଲିକା ନେଇ ଆଉ ଜଣକୁ ଧରେଇ ଦେଲେ । ତାପରେ ମତେ ନେଇ ପହଞ୍ଚେଇଲେ ରିହାରସେଲ୍ ପାଖରେ । ମୋର ସେଇ ଛବି ଖଣ୍ଡିକ ସେତେବେଳେ–ଗୁରୁ ମାୟାଧର ରାଉତଙ୍କ ହାତରେ । ସେ ସେଇ ଛବିକୁ ଧରି ରିହାରସାଲ୍ କରୁଛନ୍ତି କଳାକାର ମାନଙ୍କୁ ନେଇ । ସୀତା ଦେବୀଙ୍କୁ ବୁଝାଉଛନ୍ତି କୁଟୀର କେଉଁଠି ଅଛି । କେମିତି କୁଟୀରରୁ ବାହାରି କେଉଁ ଗଛର ଆଗରେ ଠିଆ ହେଇ କଣ କରିବାକୁ ହେବ ଇତ୍ୟାଦି ଇତ୍ୟାଦି । ସୀତା ଦେବୀ ଭୂମିକାରେ କୁଙ୍କୁମ ଦାସ । ଏମାନଙ୍କ ସାଙ୍ଗରେ ପରିଚିତ ହେବାକୁ ବାବୁ ଭାଇଙ୍କ ସାହାଯ୍ୟ ଦରକାର ପଡ଼ିଲାନି-

ମାୟାଧର ରାଉତ ମତେ ଯେମିତି ଆଗରୁ ଚିହ୍ନିଥିଲେ । ମତେ ନେଇ ପରିଚିତ କରେଇ ଦେଲେ ସମସ୍ତଙ୍କ ସାଙ୍ଗରେ ।

ପରଦିନ ଠାରୁ କାମ ଆରମ୍ଭ ହେଲା । ବଢ଼େଇ ଆସି ମୁଁ ଆଙ୍କିଥିବା ମୁତାବକ ପ୍ଲାଇଉଡ଼, କାଟି ରଙ୍ଗୀନ୍ କନା ମଡ଼େଇ ଗଛ ତିଆରି କଲା, କୁଟୀର ତିଆରି କଲା । ଝୋଟି ଚିତା ପକେଇ କୁଟୀରକୁ ସୁନ୍ଦର କରାହେଲା । ହେଲେ ଗୋଟାଏ କଥା ସବୁବେଳେ ମନ ଭିତରେ ଘୂରି ବୁଲୁଥାଏ–ଉଡ଼ୁଥିବା ସୁନ୍ଦର ଚଢ଼େଇ ଦିଟା ବାବୁଭାଇ କାଟି ଦେଲେ କାହିଁକି ? ସେ ଦି’ ଟା ଥିଲେ ତ ଗଛ ଆଉ କୁଟୀର ମିଶି ପଶ୍ଚାତ୍‌ପଟ ଆହୁରି ସୁନ୍ଦର ଦିଶନ୍ତା । ଭୁବନେଶ୍ଵରର ରବୀନ୍ଦ୍ର ମଣ୍ଡପରେ ଦିନେ ନୃତ୍ୟନାଟିକାର ଅଭିନୟ ରଜନୀ ମଧ୍ୟ ସରିଲା । ଏସବୁ କାମ ସରିବାର ଦୁଇ ଦିନ ପରେ ବାବୁ ଭାଇ ମତେ ଡକେଇ ପଠେଇଲେ ତାଙ୍କ ଘରକୁ । ତାଙ୍କ ପାଖରେ ପହଞ୍ଚି ତାଙ୍କୁ ମୋର ପ୍ରଥମ ପ୍ରଶ୍ନ–ଚଢ଼େଇ ଦି’ଟାକୁ ଆପଣ ବାଦ ଦେଲେ କାହିଁକି ?

ବାବୁ ଭାଇ ଅଳ୍ପ ହସି ଓଲଟା ପ୍ରଶ୍ନ କଲେ-ଉଡ଼ନ୍ତା ଚଢ଼େଇ ଦି’ଟା ଗୋଟାଏ ଜାଗାରେ ସ୍ଥିର ରହିବେ କେମିତି ?

ଆରେ ! ସତରେ ! ଉଡ଼ୁଥିବା ଚଢ଼େଇ ଦି’ଟା ଗୋଟାଏ ଜାଗାରେ ରହିବେ କେମିତି ଯେ ? ଏତେବେଳକେ ନିଜର ଅଜ୍ଞତା ନିଜେ ବୁଝି ପାରିଲି । ମନେ ମନେ କହିଲି–ରେ ମୂର୍ଖ ଅସୀମ ବସୁ ! ଏଇ ସାମାନ୍ୟ ବିଷୟ ଟିକକ ବୁଝି ପାରିଲୁନି । ପୁଣି ନିଜକୁ କହୁଛୁ କଣ ନା–କଳା ନିର୍ଦ୍ଦେଶକ ? ଧିକ୍ ତତେ । ବାବୁଭାଇ ବୁଝି ପାରିଲେ ମୁଁ ଲଜ୍ଜା ଅନୁଭବ କରୁଛି । ତେଣୁ ଅବସ୍ଥାଟାକୁ ସହଜ କରିବା ପାଇଁ କହିଲେ–ନୂଆ ନୂଆ କାମ କଲେ ଏମିତି ଛୋଟ ଛୋଟ ଭୁଲ୍ ହେବା ସ୍ଵାଭାବିକ । ସେଥିରେ ଲଜ୍ଜିତ ହେବାର କିଛି ନାହିଁ । ତାପରେ ମତେ ପଚାରିଲେ କାମର ପାରିଶ୍ରମିକ ବାବଦରେ କେତେ ନେବି ?

ଭାରି ଅଡ଼ୁଆରେ ପଡ଼ିଲି ମୁଁ । ଯେଉଁକାମ କେବେ କରିନି, ଯେଉଁ କାମ ପ୍ରଥମ କରି ଆରମ୍ଭ କଲି ତା’ର ପାରିଶ୍ରମିକ ମୁଁ କେମିତି କହିବି ? ତା’ ଛଡ଼ା ମୋର ପାରିଶ୍ରମିକ ତ ମୁଁ ପାଇ ସାରିଛି, ରବୀନ୍ଦ୍ର ମଣ୍ଡପର ଦର୍ଶକଙ୍କ ଠାରୁ । ତାଙ୍କର ପ୍ରଶଂସାରୁ ।

ତେଣୁ ବାବୁଭାଇଙ୍କୁ କହିଲି–ପାରିଶ୍ରମିକ ବିଷୟରେ ମୁଁ କଣ କହିବି ? ଆପଣ ଯାହା ଉଚିତ ହେବ ଦେବେ । ସେ ମୋ ମୁହଁକୁ ଅନେଇଲେ-ତାପରେ କହିଲେ–ଅସୀମ ବାବୁ । ଜାଣନ୍ତି ତ ମୋର ଗୋଟାଏ ସୁନା ରୂପାର ଦୋକାନ ଅଛି । ଚାଲନ୍ତୁ ସେଠିକି ଯିବା–ଆପଣଙ୍କୁ ଗୋଟାଏ ହାର ଦେଖେଇବି । ଆପଣଙ୍କୁ କହିବାକୁ ପଡ଼ିବ ସେ ହାରର ଦାମ୍ କେତେ ?

ହାରର ଦାମ୍ ମୁଁ କେମିତି କହିବି ? ଉତ୍ତର ଦେଲି ମୁଁ ।

ଠିକ୍ କଥା ଆପଣଙ୍କ କଳାର ଦାମ୍ ମୁଁ ବା କେମିତି କହିବି ? ବାବୁଭାଇଙ୍କର ଉତ୍ତର ।

ଏହାପରେ ମୋର ଆଉ କିଛି କହିବାର ନ ଥିଲା । ଟିକିଏ ଭାବି ଥଙ୍ଗେଇ ଥଙ୍ଗେଇ କହିଲି-ଯଦି ଉଚିତ୍ ଭାବିବେ ତେବେ ଶହେଟା ଟଙ୍କା ଦେଲେ ଚଳିବ । ଅବଶ୍ୟ ତା ଠାରୁ କମ୍ ଦେଲେ ବି ମୁଁ କିଛି ଖରାପ ଭାବିବିନି । ସେ ଅଳ୍ପ ହସି ଘର ଭିତରକୁ ଉଠିଗଲେ । ଫେରି ଆସିଲେ ହାତରେ ଗୋଟାଏ ଲଫାପା ଧରି ।

ଏଥିରେ ତିନିଶହ ଟଙ୍କା ଅଛି ଆପଣଙ୍କର । ବାବୁଭାଇ ଲଫାପାଟା ମୋ ହାତକୁ ବଢ଼େଇ ଦେଲେ ।

 

॥ ୨୪ ॥

 

ଆଜିଠାରୁ ପ୍ରାୟ ପଇଁଚାଳିଶ ବର୍ଷ ତଳେ ଗାଁ ହାଟରେ, ଗାଁ ଦାଣ୍ଡରେ ଗୋଟିଏ ଲୋକଙ୍କୁ ମୁଁ ଦେଖିଥିଲି । ହାଟ ଭିତରେ, ଗାଁ ଦାଣ୍ଡରେ ଗୋଟାଏ ବାକ୍‌ସ ମୁଣ୍ଡେଇ କାନ୍ଧରେ ଗୋଟାଏ ଇଂରାଜୀ ଏକ୍‌ସ ଅକ୍ଷର ଭଳି କାଠର ଛକି ଧରି ସେ ଯାଉଥିଲା । ସେ ବାକ୍ସର ଆକାର ଚାରିକୋଣିଆ ନ ହେଇ ଛଅକୋଣିଆ ଥିଲା । ସେଥିରେ ପିତଳ ପାତରେ ତିଆରି ବିଭିନ୍ନ ନକ୍‌ସାମାନ ଲାଗିଥିଲା । ସେ ବାକ୍‌ସର ପାଞ୍ଚ ପାଖରେ ପାଞ୍ଚଟା ଗୋଲ ଚୁଙ୍ଗା ଲାଗି ତା’ ମୁହଁ ଗୋଲ ଢାଙ୍କୁଣି ଦେଇ ଘୋଡ଼ା ହେଇଥିଲା । ରାସ୍ତାରେ ଗଲାବେଳେ ସେ ଲୋକ ଜଣକ ଓଡ଼ିଆ ହିନ୍ଦି ମିଶା ଏକ ବିଚିତ୍ର ଭାଷାର ଗୀତଟିଏ ବୋଲୁଥିଲା । ଖାକି ହାଫ୍‌ପ୍ୟାଣ୍ଟ ଆଉ ହାଫ୍‌ସାର୍ଟ ପିନ୍ଧା ମୁଁ ଓ ମୋ ଭଳି ଅନ୍ୟ ପିଲାମାନେ କକା, ଖୁଡ଼ି, ମା’ ମାଉସୀଙ୍କଠାରୁ ଅଣିଟିଏ ହାତରେ ଧରି ତା’ ପଛରେ ଦଉଡ଼ୁଥିଲୁ । ଆମ ପାଇଁ ସେ ଥିଲା ବାଇସ୍କୋପ୍ ବାଲା । ଏକ ଅଲୌକିକ କ୍ଷମତା ସମ୍ପନ୍ନ ବ୍ୟକ୍ତି ।

 

ପଛରେ ଗୋଡ଼େଇ ଥିବା ପିଲାପଲଙ୍କୁ ଦେଖିଲେ କାନ୍ଧରେ ଥିବା ଛକିକୁ ତଳେ ଛିଡ଼ା କରେଇ ମୁଣ୍ଡରୁ ବାକ୍ସକୁ ଓହ୍ଲାଇ ହାତକୁ ଅଣିଟିମାନ ବଢ଼େଇ ଦେଲେ ସେ ଗୋଲ ଚୁଙ୍ଗାର ଢାଙ୍କୁଣି ଖୋଲି ଦେଉଥିଲା । ଆଉ ସେଇ ଚୁଙ୍ଗାରେ ଆଖି ଲଗେଇ ଆମେ ସାରା ପୃଥିବୀ ଦେଖୁଥିଲୁ । ସେ ଗୋଟାଏ ହେଣ୍ଡେଲ ବୁଲେଇ ଦେଖୋ ଦେଖୋ ଦିଲ୍ଲୀକା ଲାଲକିଲ୍ଲା ଦେଖୋ, ଆଗ୍ରାକା ତାଜମହଲ ଦେଖୋ,-ରାମ ରାବଣକା ଲଢ଼ାଇ ଦେଖୋ, ଇତ୍ୟାଦି ଇତ୍ୟାଦି ବଡ଼ ପାଟିରେ ଗାଇ ଚାଲୁଥିଲା । ଆମେ ଚୁଙ୍ଗା ଭିତରେ ଆଖି ଲଗେଇ ସେଇ ଅପୂର୍ବ ଦୃଶ୍ୟମାନ ଦେଖୁଥିଲୁ ।

 

ଶିଳ୍ପପୁରୀରେ ଚାକିରି ପାଇଲା ପରେ ସୀତାନାଥ ବାବୁ ମତେ ସେଇଭଳି ଆଉ ଥରେ ମୁଁ ଚିହ୍ନିଥିବା ଓଡ଼ିଶାକୁ ନୂଆ କରି ଚିହ୍ନେଇଲେ । ରୁଚିର ଓଡ଼ିଶା । ଶିଳ୍ପବୋଧର ଓଡ଼ିଶା । କାଗଜ କଲମରେ ନଗେନ୍ ମହାନ୍ତି ଶିଳ୍ପପୁରୀର ମାଲିକ ହେଲେ ବି, ତାର ହାନିଲାଭ, ଦାୟ ଦାୟିତ୍ଵ ସବୁ କିଛି ବୁଝୁଥିଲେ ନଗେନ ବାବୁଙ୍କ ବାପା ସୀତାନାଥ ମହାନ୍ତି । ଶିଳ୍ପପୁରୀର କାମ ସବୁ ତାଙ୍କ ନିର୍ଦ୍ଦେଶରେ ଚାଲୁଥିଲା । ତାଙ୍କ ରୁଚି ହିଁ ଥିଲା ଶିଳ୍ପପୁରୀର ରୁଚି । ମୁଁ ଚାକିରିରେ ଭର୍ତ୍ତି ହେବାର କିଛି ମାସ ପରେ ଭୁବନେଶ୍ଵରରେ କଳାମଣ୍ଡପ ଉଦ୍‌ଘାଟନ ହେଲା । ଭୁବନେଶ୍ଵରରେ ନାଟକ ପ୍ରଦର୍ଶନ ପାଇଁ କୌଣସି ମଞ୍ଚ ସେତେବେଳେ ନ ଥିଲା । ତେଣୁ ସରକାରୀ ଉଦ୍ୟୋଗରେ ତିଆରି କଳାମଣ୍ଡପ ଖୁବ୍ ଜାକଜମକରେ ଉଦ୍‌ଘାଟିତ ହେଲା । କଳାମଣ୍ଡପର ସାଜସଜ୍ଜାର ଦାୟିତ୍ଵ ଶିଳ୍ପପୁରୀ ନେଇଥାଏ । ମଣ୍ଡପ ଭିତରେ କାନ୍ଥମାନଙ୍କରେ ପ୍ଲାଷ୍ଟର ତିଆରି କୋଣାର୍କର ନର୍ତ୍ତକୀ ମୂର୍ତ୍ତିର ରିଲିଫ୍ ସବୁ ଲଗାହେଲା । ମଞ୍ଚ ସାମନା ପର୍ଦ୍ଦା ବିଭିନ୍ନ ରଙ୍ଗରେ ଭେଲ୍‌ଭେଟ୍ କାନାରେ ତିଆରି ହେଲା । ଉଦ୍‌ଘାଟନ ଉତ୍ସବରେ ବଡ଼େ ଗୁଲାମ୍ ଆଲି ଆସିବେ । ଉଚ୍ଚାଙ୍ଗ ସଙ୍ଗୀତର ଆସର ହେବ । ସୀତାନାଥ ବାବୁଙ୍କ ନିର୍ଦ୍ଦେଶରେ କଳା ମଣ୍ଡପର ସାମନା ବାରଣ୍ଡାରେ କଡ଼ ବାରଣ୍ଡାରେ ବିଭିନ୍ନ ମୂର୍ତ୍ତିମାନ ମାଟିରେ ତିଆରି କରି ରଖାହେଲା । ସେ ସ୍ଥାପତ୍ୟର ବିଷୟ ଥିଲା–ଆଦିବାସୀ ଦମ୍ପତ୍ତି, ଶିକାରୀ, ଡିସ୍‌କାସ୍ ଫିଙ୍ଗୁଥିବା ବିଦେଶୀ ମୂର୍ତ୍ତିର ନକଲ ଏମିତି ଅନେକ । ଗେଟ୍ ତିଆରି ହେଲା ଦାମିକା କାଠର ଫ୍ରେମ୍‌ରେ ପ୍ଲାଇଉଡ଼୍ ମାରି ତା’ ଉପରେ ଭେଲଭେଟ୍ କନା ବସେଇ । କାଠ ପଟି ଉପରେ ଚାଲୁଥିବା ହାତୀମାନ ଖୋଦେଇ କରି ସୁନେଲୀ ରଙ୍ଗ ମାରି ଗେଟ୍ ଫ୍ରେମ୍‌ର ଧାରରେ ମରା ହେଲା ।

 

ଏସବୁକୁ ମୋର ରୁଚି ସମର୍ଥନ ଜଣାଉ ନ ଥିଲେ ବି ପ୍ରତିବାଦ କରି ପାରୁ ନ ଥିଲି ନୂଆ ନୂଆ ଚାକିରିରେ ପଶିଛି ବୋଲି । ତେବେ ବି ସେଦିନ ପ୍ରତିବାଦର ଛୋଟ ସ୍ଵରଟିଏ ମୁଁ ଉଠେଇ ଥିଲି ମୂର୍ତ୍ତିମାନଙ୍କୁ ନେଇ; ଯେଉଁ ମୂର୍ତ୍ତି ମାନଙ୍କର କୌଣସି ସମ୍ପର୍କ ନ ଥିଲା ବଡ଼େ ଗୁଲାମ ଅଲ୍ଲୀ ଖାଁଙ୍କର ଆସର ସାଙ୍ଗରେ । ପ୍ରଶ୍ନ କରିଥିଲି ଭେଲ୍‌ଭେଟ୍ କନାର ଗେଟ୍‌କୁ ନେଇ, କାଠ ଖୋଦେଇ ସୁନେଲି ହାତୀମାନଙ୍କୁ ନେଇ । ଜଣେ ଧନୀ ବ୍ୟକ୍ତିଙ୍କର ବାହାଘର ପାଇଁ ଯେଉଁ ତୋରଣ ତିଆରି ହେବ ସେହି ତୋରଣ କଣ ଗୋଟାଏ ଉଚ୍ଚାଙ୍ଗ ସଙ୍ଗୀତର ଆସର ପାଇଁ ଯୋଗ୍ୟ ବିବେଚିତ ହେବ-? ମୋ ସହକର୍ମୀମାନେ ମୋର ଏ ପ୍ରଶ୍ନକୁ ଗୁରୁତ୍ଵ ଦେଲେନି । ସୀତାନାଥ ବାବୁ କହିଲେ–“ଦାମିକା ଜିନିଷ ନ ଲାଗିଲେ କାମଟା ଦାମିକା ଦିଶିବ କାହିଁକି ? ଲୋକେ ଅଧିକା ପଇସା ଦେବେ କାହିଁକି ? ଆଉ ମୂର୍ତ୍ତି କଥା ? ଦେଖ ବାବୁ ଆଖିକୁ ଭଲ ଲାଗିଲେ ହେଲା । ତା’ ଛଡ଼ା ଭାବିବା ପାଇଁ ବା ଏତେ ସମୟ କାହିଁ ? ଆଉ ଗୋଟାଏ କଥା ବିଚାର କଲ, ଯାହାଙ୍କ ପାଇଁ ଏ ସବୁ କରୁଛ–ସେମାନେ ତ ପସନ୍ଦ କରୁଛନ୍ତି । ପଇସା ପାଇବାକୁ ହେଲେ ତାଙ୍କ ରୁଚି ମୁତାବକ କାମ କରିବା ଦରକାର ନୁହେଁ କି ? କଥାଟା ମିଛ ନୁହେଁ । ଦି ପଇସା ରୋଜଗାର କରିବାକୁ ହେଲେ ଯାହାଙ୍କ କାମ କରୁଛି ତାଙ୍କ ରୁଚିକୁ ସମ୍ମାନ ଦେବାକୁ ହେବ । ତାଙ୍କ ଆଖିକୁ କାମ ଭଲ ଲାଗିଲେ କାମ ଭଲ-। ଆଉ ଯଦି ତାଙ୍କ ଆଖିକୁ ଭଲ ନ ଲାଗିଲା ତେବେ ସେ ଯେତେ ଉଚ୍ଚ ରୁଚିର ହେଇଥାଉନା କାହିଁକି ମୂଲ୍ୟହୀନ ।

 

ହେଲେ ଏତେ ଜାଣିଲା ପରେ, ଏତେ ବୁଝିଲା ପରେ ବି କଣ ମଣିଷର ରୁଚିକୁ ସମ୍ମାନ ଦେଇ ଶିଖିଲି ? ଶିଖିଥିଲେ ଥରକୁ ଥର ମନ ଭିତରେ କାହିଁକି ଗୋଟାଏ ପ୍ରଶ୍ନ ଉଙ୍କି ମାରୁଥିଲା ? ମଣିଷର ରୁଚିକୁ ଜଗି କାମ କରିବାକୁ ହେବ, ନା ରୁଚିର ମଣିଷ ତିଆରି କରିବାକୁ ହେବ ? ଆଉ ଏ ପ୍ରଶ୍ନ ମନ ଭିତରେ ଦେଖା ଦେଇଥିଲା ବୋଲି ଦିନେ ସୀତାନାଥ ମହାନ୍ତିଙ୍କୁ ଛାଡ଼ିଲି । ଶିଳ୍ପପୁରୀ ଛାଡ଼ିଲି ।

 

ଚଉଦ୍ଵାରରେ ଟିଟାଗଡ଼ ପେପର ମିଲ୍‌ର ନୂଆ କାରଖାନା ଖୋଲା ହେବ । ରାଜ୍ୟପାଳ ଉଦ୍‌ଘାଟନ କରିବେ ନୂଆ କାରଖାନା । ଉଦ୍‌ଘାଟନ ଉତ୍ସବରେ ସାଜ ସଜ୍ଜାର ଦାୟିତ୍ଵ ନେଇଛି ଶିଳ୍ପପୁରୀ । ମତେ ଦାୟିତ୍ଵ ଦିଆ ହେଇଥାଏ ସେଠାକାର ତୋରଣ ମାନ ଓ ମଞ୍ଚ ସଜ୍ଜାର ନକ୍‌ସା କରିବା ପାଇଁ । ମୁଁ ନକ୍‌ସା ତିଆରି କରି ସୀତାନାଥ ବାବୁଙ୍କୁ ଧରେଇ ଦେଲା ପରେ ଦେଖିଲି, ତାଙ୍କ ମୁହଁର ହସ ଲିଭିଗଲା । ମୁହଁ ଗମ୍ଭୀର ହେଲା । ବୁଝିଲି, ନକ୍‌ସା ତାଙ୍କ ମନକୁ ପାଇନି । ନକ୍‌ସାରେ ଭେଲ୍‌ଭେଟ୍ କନାର ପ୍ରୟୋଗ ନାହିଁ । ସୁନେଲି ରଙ୍ଗର କାରୁକାର୍ଯ୍ୟ ନାହିଁ । ତା ବଦଳରେ ଅତି ସାଧାରଣ ଅଖା ବାଉଁଶ ପଟିର କାମ । ମାଟି ସରା, ମାଠିଆ, ଶୋଲ ଫୁଲର କାମ । କେତେକ ତୋରଣର ନକ୍ସାରେ ଆଧୁନିକ ଫର୍ମର ପ୍ରୟୋଗ । ହେଲେ ସେତେବେଳକୁ ଆଉ ନୂଆ କରି ନକ୍‌ସା କରିବାର ସମୟ ନାହିଁ । ବାହାରେ ଭଡ଼ାରେ ଆସିଥିବା ଷ୍ଟାଣ୍ଡାର୍ଡ଼ ଗାଡ଼ି ଅପେକ୍ଷା କରୁଛି । ଗାଡ଼ି ପାଖରେ ଶିଳ୍ପୀ ବିଭୂତି କାନୁନ୍‌ଗୋ ଠିଆ ହୋଇଛନ୍ତି । ବିଶେଷ ବିଶେଷ କାମ ପାଇଁ ଉପଦେଷ୍ଟା ଭାବରେ ବିଭୁତି କାନୁନ୍‍ଗୋଙ୍କୁ ଡାକି ଆଣନ୍ତି ସୀତାନାଥ ବାବୁ । ଚୌଦ୍ଵାରରେ ଓଡ଼ିଶା ବାହାରର ଅଫିସର ମାନଙ୍କ ପାଖରେ ନକ୍‌ସା ବୁଝେଇବା ପାଇଁ ବିଭୂତି ବାବୁ ଡକା ହେଇ ଆସିଛନ୍ତି-। ଗଲାବେଳେ ସୀତାନାଥ ବାବୁ ଖାଲି ଏତିକି କହିଲେ–“ବୁଝି ପାରୁନି ଅସୀମ ବାବୁ ଆପଣଙ୍କର କାମକୁ ମୁଁ କେଉଁ ଭାବରେ ବ୍ୟବହାର କରିବି ? “–ବାସ ଏତିକି । ହେଲେ ସେଇ କଥା କେଇ ପଦ ଗୋଟାଏ ଚାବୁକ୍ ଭଳି ମୋ ପିଠିରେ ବାଜିଲା । ମନେ ହେଲା ମୁଁ ଗୋଟାଏ ଠକ-। ଏତେଦିନ ଯାଏଁ ଖାଲି ଅନୁଗ୍ରହ କରି ମତେ ସୀତାନାଥ ମହାନ୍ତି ଚାକିରୀରେ ରଖିଛନ୍ତି । ମୁଁ ସୀତାନାଥ ମହାନ୍ତିଙ୍କର ଶିଳ୍ପପୁରୀର ଅନେକ ଟଙ୍କା ବରବାଦ କରି ଦେଇଛି । ହେଲେ କେବଳ ଚାକିରି ଛାଡ଼ି ଦେବା ଛଡ଼ା କଣ ବା ଆଉ କରି ପାରିବି ? ତେଣୁ ତାଙ୍କ କଥାକୁ ହଜମ କରି ଦିନ ସାରା କଟେଇଲି-

 

ସନ୍ଧ୍ୟାବେଳକୁ ସୀତାନାଥ ବାବୁ ଫେରି ଆସିଲେ ଖୁବ୍ ଖୁସୀ ମନରେ । ସବୁ ନକ୍‌ସା ସେମାନଙ୍କର ପସନ୍ଦ ହେଇଛି । ଦାମିକା ଭେଲ୍‌ଭେଟ୍ ଓ ଅନ୍ୟାନ୍ୟ ଦାମିକା ଜିନିଷ ଲଗେଇ ତୋରଣ କରିଥିଲେ ଯେଉଁ ଟଙ୍କା ପାଇ ଥାଆନ୍ତେ, ଏଥିରେ ବି ସେତିକି ପଇସା ସେ ପାଇବେ । ବିଭୂତି ବାବୁ ଓ ସେ ଦୁହେଁ ମିଶି ମୋତେ ପ୍ରଶଂସା କରିବାକୁ ଲାଗିଲେ । ମୁଁ ବି ଖୁସୀ ହେଲି । ଅନ୍ତତଃ ସୀତାନାଥ ବାବୁଙ୍କୁ ବୁଝେଇ ପାରିଛି ଦାମୀ ଜିନିଷ ହିଁ ଖାଲି କଳାର ମୂଲ୍ୟ ବଢ଼ାଏନି, ରୁଚି ସମ୍ମତ ପ୍ରୟୋଗ ମଧ୍ୟ କଳାକୁ ମୂଲ୍ୟବାନ କରାଏ । ହେଲେ ଶିଳ୍ପପୁରୀ ଯେ ଛାଡ଼ିବି ଏ କଥା ବି ମନେ ମନେ ସ୍ଥିର କରି ସାରିଥାଏ ।

 

ରାତିରେ ଭଲ ନିଦ ହେଲାନି । ସୀତାନାଥ ବାବୁଙ୍କର ସେଇ କଥା ଟିକକ ଥରକୁ ଥର ବିରୁଡ଼ିର ନାହୁଡ଼ ଭଳି ମତେ ବିନ୍ଧିବାକୁ ଲାଗିଲା । ସକାଳେ, ବାସନ୍ତୀ ନିବାସର ବାସନ୍ତୀ ଦେବୀ ତାହା ସାଙ୍ଗକୁ ଗୋଟାଏ ଚିଠି ଆଣି ମତେ ଦେଲେ । ସରକାରୀ ଚିଠି । ଖୋଲି ଦେଖିଲି, ବହୁତ ଦିନ ଏମ୍ପ୍ଲଲ୍‌ୟମେଣ୍ଟଲ୍ ଏକସ୍‌ଚେଞ୍ଜରୁ ଆସିଥିବା ଚିଠି । ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟରେ ଖାଲି ପଡ଼ିଥିବା ଆର୍ଟିଷ୍ଟ ଚାକିରିର ଇଣ୍ଡରଭିଉ ଚିଠି । ଆଃ । ମୁକ୍ତିର ପରୁଆନା । ଶିଳ୍ପପୁରୀର ପାଚେରୀ ଡେଇଁ ବାହାରି ଯିବାର ଫର୍‌ମାନ୍ ।

 

ଦିନକ ପରେ ଭୁବନେଶ୍ଵରରେ ଇଣ୍ଟରଭିଉ । ରାତିର ଅନିଦ୍ରା ଆଉ କଷ୍ଟ ଦେଲାନି । ମନ ଆଉ ଦେହ ହଠାତ୍ ଫୁଲ ଭଳି ହାଲୁକା ହେଇଗଲା । ଇଚ୍ଛା ହେଉଥିଲା ଏଭଳି ଏକ ଚିଠି ଆଣିଥିବା ବାସନ୍ତୀ ଦେବୀଙ୍କୁ ଟିକିଏ ଆଦର କରିବାକୁ । ତାଙ୍କ ଓଠରେ ଚୁମାଟିଏ ଦେବାକୁ ।

 

ନିର୍ଦ୍ଦିଷ୍ଟ ଦିନରେ ଶିଳ୍ପପୁରୀରୁ ଛୁଟି ନେଇ ଭୁବନେଶ୍ଵର ଯାଇ ଇଣ୍ଟରଭିଉ ଦେଇ ଆସିଲି-। ଚୌଦ୍ଵାରର ଉଦ୍‌ଘାଟନ ଉତ୍ସବ ସରିବା ପରେ ପରେ ଚିଠି ଆସିଲା ଭୁବନେଶ୍ଵରରୁ । ଚାକିରିରେ ଯୋଗ ଦେବାର ଚିଠି । ଦରମା ମାତ୍ର ଶହେ ଟଙ୍କା । ଶିଳ୍ପପୁରୀରୁ ପାଉଥିବା ଦରମାର ପାଞ୍ଚ ଭାଗରୁ ଭାଗେ । ହେଲେ କ’ଣ ଯାଏ ଆସେ ସେଥିରେ ? ଶିଳ୍ପପୁରୀଠାରୁ ବାହାରି ଯିବାର ଏହାଠାରୁ ଭଲ ସୁଯୋଗ ଆଉ କଣ ପାଇ ପାରିବି ?

 

ସୀତାନାଥ ବାବୁ ସବୁ କଥା ଶୁଣିଲା ପରେ କିଛି ସମୟ ଚୁପ୍ ହେଇ ବସି କ’ଣ ଭାବିଲେ । ତା’ ପରେ କହିଲେ–ମୋର ସାମାନ୍ୟ କଥା ପଦକରେ ଆପଣ ଏଭଳି ଏକ ନିଷ୍ପତ୍ତି ନେବେ ଭାବି ପାରିନି । ଭାବି ପାରି ନ ଥିଲି ମୋର ସାମାନ୍ୟ କଥା ପଦକ ଆପଣଙ୍କ ପାଖରେ ଏତେ ଅସାମାନ୍ୟ ବୋଲି ଗଣା ହେବ ।”

 

ତା’ପରେ କାନ୍ଥରେ ଝୁଲୁଥିବା ତାଙ୍କ ଗୁରୁଦେବଙ୍କର ଫଟୋକୁ କିଛି ସମୟ ଅନେଇ ରହି କହିଲେ–

 

“ଆପଣ ଯିବାକୁ ଚାହୁଁଛନ୍ତି, ଯାଆନ୍ତୁ । ବାଧା ଦେବିନି । ହେଲେ ମୋର ମନେ ହେଉଛି ସରକାରୀ ଚାକିରିରେ ଆପଣ ରହି ପାରିବେନି । ଭଲ ଲାଗିବନି ସେ ଚାକିରି । ରବିବାର ଆଉ ଅନ୍ୟ ଛୁଟିଦିନରେ ଯଦି ଏଠିକି ଆସି ପାରନ୍ତେ ଭଲ ହୁଆନ୍ତା । ମୁଁ ଠିକ୍ ଆପଣଙ୍କୁ ଜଣେ କର୍ମଚାରୀ ବୋଲି ଭାବୁ ନ ଥିଲି । କାହିଁକି କେଜାଣି ଆପଣଙ୍କ ସାଙ୍ଗରେ ଗୋଟାଏ ଅନ୍ତରର ଯୋଗ ମୁଁ ଅନୁଭବ କରୁଥିଲି ।”

 

ସେ ଧୀରେ ଧୀରେ କଥାଗୁଡ଼ିକ କହୁଥିଲେ ଆଉ ମୁଁ ମୁଣ୍ଡ ତଳକୁ କରି ତାଙ୍କ କଥା ଶୁଣୁଥିଲି । ହଠାତ୍ କ’ଣ ହେଲା କେଜାଣି ତଳେ ମୁଣ୍ଡ ଲଗେଇ ମୁଁ ତାଙ୍କୁ ପ୍ରଣାମ କଲି । ମନେ ହେଲା ମୁଁ ଯେମିତି ବାପାଙ୍କୁ ପ୍ରଣାମ କରି ଘରଛାଡ଼ି ବିଦେଶକୁ ଯାଉଛି ଚାକିରି ଖଣ୍ଡିଏ ପାଇଁ । ତା’ପରେ ବାହାରକୁ ବାହାରି ଆସି ଦଉଡ଼ିବାକୁ ଲାଗିଲି ରାସ୍ତାରେ । ଯେଉଁ ଦୌଡ଼ିବାର ଶେଷ ହେଲା ବାସନ୍ତୀ ନିବାସର ଦୁଆର ମୁହଁକୁ ଆସି ।

 

ଶିଳ୍ପପୁରୀ ଛାଡ଼ିଲି ସିନା–ହେଲେ ବାସନ୍ତୀ ନିବାସ ଛାଡ଼ି ପାରିଲିନି । ଭୁବନେଶ୍ଵରରେ ଚାକିରି ହେଲା ସିନା ହେଲେ କଟକର ମୋହ ଛାଡ଼ି ପାରିଲିନି । ଭଲ ପାଇଥିଲି କଟକକୁ । କଟକକୁ ବା ବାସନ୍ତୀ ନିବାସକୁ ? ବାସନ୍ତୀ ନିବାସକୁ ବା ବାସନ୍ତୀ ଦେବୀଙ୍କୁ ? ଭଲ ନ ପାଇଥିଲେ ଆଜି ଏଇ ବୟସରେ–ସେଦିନ ବାସନ୍ତୀ ଦେବୀଙ୍କର ଧାଡ଼ିଏ ଚିଠିର ଉତ୍ତର ନ ଦେଇଥିବା ପାଇଁ ନିଜକୁ ଦୋଷୀ ମଣୁଛି କାହିଁକି ? କାହିଁକି ଇଚ୍ଛା ପୂରଣ ଠାକୁରଙ୍କୁ ପ୍ରାର୍ଥନା ଜଣେଇ କହୁଛି, “ହେ ଇଚ୍ଛା ପୂରଣ ଠାକୁର ମତେ ମୋର ପୁରୁଣା ଦିନ ଗୁଡ଼ାକ ଆଉ ଥରେ ଫେରେଇ ଦିଅ । ମୁଁ ଡେଇଁ ଆସିଥିବା ମୋର ସେ ଅତୀତକୁ ମତେ ଆଉ ଥରେ ନେଇ ଚାଲ । ସେଦିନ ଯାହା ମୁଁ ସ୍ଵୀକାର କରି ମଧ୍ୟ, ଅସ୍ଵୀକାର କରିବାର ଅଭିନୟ କରିଥିଲି, ଯେଉଁ ଚିଠି ଖଣ୍ଡିକର ଉତ୍ତର ମୁଁ ଲେଖି ନ ଥିଲି–ଆଉ ଥରେ ସେଇ ଦିନ ଗୁଡ଼ାକ ଫେରି ପାଇଲେ, ମୁଁ ନିରୁତ୍ତର ରହିବିନି ।”

 

ହେଲେ ମୁଁ ଜାଣେ ଇଚ୍ଛା ପୂରଣ ଠାକୁର ବୋଲି କେହି ନାହାନ୍ତି । ଥିଲେ ବି ସେ ଆଜି ଚଳତ୍‌ଶକ୍ତି ରହିତ ସ୍ଥିର ସ୍ଥବିର ବୁଢ଼ୀଟିଏ ପାଲଟି ଯାଇଥିବେ । ଅଣ୍ଟା ଭାଙ୍ଗି ଯାଇଥିବ । ହାଡ଼ୁଆ ଦୁଇ ଆଣ୍ଠୁ ମଝିରେ ମୁଣ୍ଡ ଗୁଞ୍ଜି ହୋଇଯାଇଥିବ । ଜୁଳୁଜୁଳୁ କରି ସେ ସବୁ ଦେଖୁଥିବେ ସିନା ହେଲେ କିଛି କରିବାର ଶକ୍ତି ଆଉ ତାଙ୍କର ନ ଥିବ ।

 

ବାସନ୍ତୀ ନିବାସର ଅନ୍ୟତମ ବାସିନ୍ଦା ସଦାନନ୍ଦବାବୁ ଷ୍ଟେଟ ବ୍ୟାଙ୍କର ଆକାଉଣ୍ଟସ୍ ଅଫିସର । ବୟସରେ ମୋ ଠାରୁ ଅନେକ ବଡ଼ । ତାଙ୍କୁ ମୁଁ ଶ୍ରଦ୍ଧା କରେ । ସେ ମୋ ପାଖରେ ସଦାନନ୍ଦ ଭାଇ । ତାଙ୍କ ସ୍ତ୍ରୀ ମୋର ମିଠା ଭାଉଜ । ପିଲାମାନେ ମତେ କକେଇ ବୋଲି ଡାକିଲେ ବି, ମୁଁ ଥିଲି ତାଙ୍କର ବନ୍ଧୁ, ତାଙ୍କ ଖେଳ ସାଥି । ମୋ ବଖରାଟି ଥିଲା ତାଙ୍କର ଆଡ଼୍‌ଡ଼ା ମାରିବା ଜାଗା । ଦିନେ ଦିନେ ଟିଉସନ୍ ସାର ବିଶ୍ଵନାଥ ପାଠ ପଢ଼େଇ ଚାଲିଗଲା ପରେ ଆମର ଆସର ବସେ । କେଉଁଦିନ ଲୁଡ଼ୁପାଲି ତ କେଉଁଦିନ କ୍ୟାରାମ । ସଦାନନ୍ଦ ଭାଇଙ୍କର ବଡ଼ଝିଅ ମୀରା ସବୁ ଖେଳରେ ମୋର ପ୍ରତିଦ୍ଵନ୍ଦୀ । ମୀରାପରେ ବାବ୍‌ଲୁ ଆଉ ବୁଲୁ । ମୋର ସବୁ ଦିନର ପାର୍ଟନାର । ମୀରା, ବାବ୍‌ଲୁ ପାଖରୁ ଜିତିବାରେ ଯେତିକି ଆନନ୍ଦ ଥିଲା, ହାରିବାରେ ବି ତା ଠାରୁ କମ୍ ଆନନ୍ଦ ନ ଥିଲା । ହେଲେ ସେ ହାରିବାର ଆନନ୍ଦ ବୁଲୁ ଉପଭୋଗ କରି ପାରୁ ନ ଥିଲା । ହାରିବାର ଆନନ୍ଦକୁ ଉପଭୋଗ କରିବାର ବୟସ ବି ତା’ର ହେଇ ନ ଥିଲା । ତେଣୁ ଜିତିଗଲେ ସେ ଯେମିତି ଆନନ୍ଦରେ ଡେଉଁଥିଲା, ହାରିଗଲେ ସେମିତି କାନ୍ଦି ପକାଉଥିଲି । ତାକୁ ଖୁସି କରିବା ପାଇଁ ଥରେ ଥରେ ତାକୁ ଜିତେଇବାକୁ ବି ପଡ଼ୁଥିଲା ।

 

ଏଇ ସବୁ ହସ ଖୁସୀର ଦିନଗୁଡ଼ାକ କିନ୍ତୁ ବେଶୀ ଦିନ ରହିଲାନି । ସଦାନନ୍ଦ ଭାଇ କଟକ ଆସିବାର ମାସ କେଇଟା ପରେ ପୁଣି ବଦଳି ପାଇଁ ଚିଠି ପାଇଲେ । ବନାରସ୍‌କୁ ବଦଳି ହେଇଯିବେ ସିଏ । ମୀରା, ବାବ୍‌ଲୁ, ବୁଲୁର ମୁହଁ ଶୁଖିଗଲା ବନାରସ୍ ଯିବା କଥା ଶୁଣି । ମିଠା ଭାଉଜ ବି ମଉଳି ଗଲେ ଖବରଟା ପାଇ । ହେଲେ ଯିବାକୁ ପଡ଼ିବ । ଜିନିଷ ପତ୍ର ବନ୍ଧା ବନ୍ଧି କରି ଆମେ ସମସ୍ତେ ସଞ୍ଜବେଳେ ଷ୍ଟେସନରେ ପହଞ୍ଚିଲୁ । ସଦାନନ୍ଦ ଭାଇ, ମିଠା ଭାଉଜ, ବାବ୍‌ଲୁ, ବୁଲୁ ମୋ ସାଙ୍ଗରେ କଥାବାର୍ତ୍ତା ହେଉଥିଲେ ବି ମୀରା କିଛି କହୁ ନ ଥିଲା । ଷ୍ଟେସନରେ ମୋ ଠାରୁ ଦୂରେଇ ଦୂରେଇ ରହୁଥିଲା । ପୁରୀ ଏକସ୍‌ପ୍ରେସ୍ ପ୍ରାୟ ଘଣ୍ଟାଏ ଡେରିରେ ଷ୍ଟେସନରେ ଆସି ପହଞ୍ଚିଲା । ସମସ୍ତେ ଗାଡ଼ିରେ ଚଢ଼ିଗଲେ । ଜିନିଷପତ୍ର ଟ୍ରେନ୍ ଡବା ଭିତରେ ସଜାଡ଼ି ଦେଇ ତଳକୁ ଓହ୍ଲାଇ ଆସିଲି । ମୀରା ଝରକା ପାଖରେ ବସି ଫୁଲି ଫୁଲି କାନ୍ଦୁଛି । ମୁଁ ଝରକା ଉପରେ ହାତ ରଖି ତାକୁ ବୁଝାଇବାକୁ ଯାଇ ଜାଣିଲି ମୁଁ ବି କାନ୍ଦୁଛି । ଟ୍ରେନ୍ ଛାଡ଼ି ଦେଲା । ମୀରା ମୋର ହାତକୁ ଜାବୁଡ଼ି ଧରିଲା ଜୋରରେ । ମୁଁ ବି ଚାପି ଧରିଥାଏ ତା’ ହାତ । ମୁହଁରେ ଯେଉଁ କଥା କେହି କାହାରିକୁ କେବେ କହି ପାରୁ ନ ଥିଲୁ, ଚାପି ଧରିଥିବା ହାତ ସେ ସବୁ କଥା ପରସ୍ପରକୁ କହିଦେଲା-। ଟ୍ରେନ୍‌ର ଗତି ବଢ଼ିଲା । ହାତ ଆପେ ଆପେ ଛାଡ଼ି ହେଇଗଲା ।

 

॥ ୨୫ ॥

 

ସକାଳ ସାଢ଼େ ଆଠଟାରେ ସାଇକେଲ୍ ଧରି ରେଳ ଷ୍ଟେସନ । ସେଠି ସାଇକେଲ୍ ଥୋଇ ଦେଇ ତାଳଚେର ପୁରୀ ପାସେଞ୍ଜରରେ ଭୁବନେଶ୍ଵର । ତାପରେ ଚାଲି ଚାଲି କେବିନ୍ ଛକ-। ଆଜି ଯେଉଁ ଜାଗା ରାଜମହଲ ଛକ ନାଆଁରେ ପରିଚିତ–ସେତେବେଳେ ସେଇଟା ଥିଲା କେବିନ୍ ଛକ । କେବିନ୍ ଛକ ହୋଟେଲ୍‌ରେ ଭାତ, ଡାଲି ତରକାରୀ ଖାଇ ସିଧା ଅଫିସ୍ । ଅଫିସ୍‌ରେ କାମ ଯେତିକି, ଆଡ଼୍‌ଡ଼ା ତାଠାରୁ ଆହୁରି ବେଶୀ । କଟକରୁ ବାହାରିଲା ବେଳକୁ ମୋ କାନ୍ଧ ବ୍ୟାଗରେ ଅଧା ତିଆରି ବହି କଭର୍, ପେନସିଲ୍, ରବର, ରଙ୍ଗ ସାଙ୍ଗକୁ ଉପନ୍ୟାସ ବା ଗପ ବହିଟିଏ ରହୁଥିଲା । ସେ ବହି ରେଳଡ଼ବାରେ ବସି ଖୋଲୁଥିଲି ଆଉ ଖୋଲୁଥିଲି ଅଫିସ୍‌ରେ ଏଇ କାମ ନ ଥିବା ସମୟରେ ।

 

ସେଦିନ ସେମିତି ଅଧା ପଢ଼ିଥିବା ଉପପନ୍ୟାସ ଖଣ୍ଡିକ ଖୋଲି ଅଫିସ୍ ଟେବୁଲ ଉପରେ ହାମୁଡ଼େଇ ପଡ଼ି ପଢ଼ି ଚାଲିଛି । ହଠାତ୍ ମୋ କୋଠରୀ ଭିତରକୁ ପଶି ଆସିଲେ, ମୋ’ରି ବୟସର ତିନି ଚାରିଜଣ ଭଦ୍ରଲୋକ । ମୁଁ ବହି ଉପରୁ ମୁହଁ ଟେକି ତାଙ୍କୁ ଚାହିଁଲି । ସେମାନଙ୍କ ଭିତରୁ ଧୋତି ପଞ୍ଜାବୀ ପିନ୍ଧା ସାମନାରେ ଥିବା ଭଦ୍ରଲୋକ ଜଣକ ପଚାରିଲେ-ଆପଣ ଅସୀମ ବସୁ ତ ? ମୁଁ ହଁ ଭରିଲାରୁ ଭଦ୍ରଲୋକ ଜଣକ ନିଜ ପରିଚୟ ଦେଲେ-ନରସିଂହ ନନ୍ଦ । ସେକ୍ରେଟାରୀଏଟ୍‌ରେ ଚାକିରି କରନ୍ତି । ନାଆଁଟା ମୋର ଚିହ୍ନା ଚିହ୍ନା ମନେ ହେଲା । ଯେମିତି କେଉଁଠି ଶୁଣିଛି । ଭାବି ପାରୁନି କାହା ମୁହଁରୁ । ତେବେ ଯାହା ମୁହଁରୁ ହେଇ ଥାଉନା କାହିଁକି-ସେ ନରସିଂହ ନନ୍ଦ, ସରକାରୀ ଚାକିରିଆ ନରସିଂହ ନନ୍ଦ ନୁହଁନ୍ତି । ତାଙ୍କର ଅନ୍ୟ ଏକ ପରିଚୟ ଅଛି । ମୁଁ ପଚାରିଲି-ଆପଣ କ’ଣ ଲେଖା ଲେଖି କରନ୍ତି । ଅଳ୍ପ ହସି ସେ ଉତ୍ତର ଦେଲେ ସାମାନ୍ୟ କିଛି । ମୋ ଟେବୁଲ ସାମନାରେ ମାତ୍ର ଗୋଟାଏ ଚଉକି । ତେଣୁ ପିଅନକୁ ଡାକି ଚଉକି ମଗାଇଲି । ନରସିଂହ ବାବୁ ଏଥର ତାଙ୍କ ସାଥିମାନଙ୍କ ସାଙ୍ଗରେ ପରିଚୟ କରାଇଲେ । ନାରାୟଣ ବ୍ରହ୍ମା, ସୀତାକାନ୍ତ ମହାନ୍ତି ଓ ସାରଦା ଚୌଧୁରୀ କେବଳ ସାରଦା ବାବୁଙ୍କୁ ଛାଡ଼ିଦେଇ ଅନ୍ୟମାନେ ସରକାରୀ ଚାକିରିଆ । ସାରଦା ବାବୁ ଲାଇଫ୍ ଇନ୍‌ସିଓରେନ୍‌ସରେ କାମ କରନ୍ତି । ସମସ୍ତେ ବସିଲା ପରେ ପିଅନକୁ ଚାହା ବରାଦ କରି ନରସିଂହ ବାବୁଙ୍କୁ ଅନେଇଲି । ସେ କହିଲେ କମଳବାବୁ ଆମକୁ ପଠେଇଛନ୍ତି ଆପଣଙ୍କ ପାଖକୁ । ଆମେ ନାଟକଟିଏ ମଞ୍ଚସ୍ଥ କରିବାର ଅଭିପ୍ରାୟରେ ତାଙ୍କୁ ଭେଟିଥିଲୁ । ହେଲେ ସେ ଆମକୁ ଆପଣଙ୍କ ପାଖକୁ ପଠେଇଲେ ।

 

କମଳ ଲୋଚନ ମହାନ୍ତିଙ୍କର ନାଆଁ ଭୁବନେଶ୍ୱର ଆସିବା ଆଗରୁ ମୁଁ ଶୁଣିଥିଲି । ବିଶିଷ୍ଟ ନାଟ୍ୟକାର କମଳଲୋଚନ ମହାନ୍ତି । ଭୁବନେଶ୍ଵରରେ ଚାକିରି କଲାପରେ ତାଙ୍କ ଠିକଣା ଯୋଗାଡ଼ କରି ଦିନେ ଯାଇ ପହଞ୍ଚିଲି ତାଙ୍କ ପାଖରେ । ପରିଚୟ ପର୍ବଠାରୁ ଘନିଷ୍ଠ ହେବାର ବ୍ୟବଧାନ ଅଧଘଣ୍ଟାଏ ବି ଲାଗିଲାନି । ଅସୀମବାବୁ ଠାରୁ ଅସୀମ ହେବାକୁ ଏବଂ କମଳବାବୁ ଠାରୁ କମଳଭାଇ ହେବାକୁ ଯେ ଏତେ କମ୍ ସମୟ ଲାଗିବ ଆଗରୁ ଭାବି ପାରି ନ ଥିଲି ।

 

କଲିକତା ରହଣି କାଳର ପ୍ରଭାବ ଏବେ ବି ମୋ ଉପରେ ରବିଛି । କଲିକତାରେ ଦେଖିଥିବା ଅର୍ଦ୍ଧବ୍ୟବସାୟୀ ନାଟ୍ୟ ସଂସ୍ଥାମାନ ମତେ ଯଥେଷ୍ଟ ପ୍ରଭାବିତ କରିଥିଲା । ସ୍ଥିର କରିଥିଲି କମଳଲୋଚନ ମହାନ୍ତିଙ୍କୁ କେନ୍ଦ୍ରରେ ରଖି ସେମିତି ଗୋଟାଏ ଦଳ ଏଠି ଗଢ଼ିବାକୁ ଆଉ ସେଇଥିପାଇଁ ତାଙ୍କୁ ଭେଟିବାକୁ ଯାଇଛି । ସବୁ କଥା ଶୁଣିଲା ପରେ ସେ କହିଲେ-ଠିକ୍ ଅଛି କରିବା ହେଲେ, ଏବେ ନୁହେଁ । କିରାଣୀ ନାଟକକୁ ଫିଲିମ୍ କରିବାକୁ ଯାଉଛି ମୁଁ । ଆଗ ସେ କାମଟା ସରିଯାଉ । ତାଙ୍କୁଠାରୁ ଏକଥା ଶୁଣି ସେଦିନ ମୁଁ ଫେରି ଆସିଥିଲି । ହେଲେ ସେକଥା ମନେ ରଖି ମୋ ପାଖକୁ ଏମାନଙ୍କୁ ପଠେଇଛନ୍ତି ।

 

ଚାହା ପିଉ ପିଉ ନରସିଂହ ବାବୁ କହିଲେ-ବଂଗଳା ନାଟକ ସଲିଲ୍ ସେନ୍‌ଙ୍କର ଡାଉନ୍ ଟ୍ରେନ୍ ବହି ଅନୁବାଦ କରି କରୁଛୁ । ଆପଣ ଆମ ସାଙ୍ଗରେ ଯୋଗଦେଲେ ଭଲ ହୁଅନ୍ତା । ନାଟକର ମୁଖ୍ୟ ଚରିତ୍ର କରିବା ପାଇଁ ପ୍ରସ୍ତୁତ ହେଉଥିବା ନାରାୟଣ ବ୍ରହ୍ମା କହିଲେ ଆମେ ଶୁଣିଛୁ ଆପଣ ଜଣେ ଭଲ ଅଭିନେତା । ମୋ ମୁଣ୍ଡର ବୋଝଟା ଆପଣଙ୍କୁ ମୁଣ୍ଡକୁ ଟେକି ଦେଇ ପାରିଲେ ମୁଁ ଟିକିଏ ନିଶ୍ଚିନ୍ତ ହୁଅନ୍ତି ।

 

ନାରାୟଣ ବାବୁଙ୍କର କଥା ଶୁଣିଲା ପରେ ତାଙ୍କୁ ନିଶ୍ଚିନ୍ତ କରିବାର ନିଶ୍ଚିତ ପ୍ରତିଶୃତି ଦେଲିନି ସତ ହେଲେ ଅଫିସ୍ ଛୁଟି ପରେ ତାଙ୍କ ରିହାରସେଲ୍‌ରୁ ଯିବି ବୋଲି କହିଦେଲି । ତାଙ୍କୁ ବିଦାୟ ଦେଲାବେଳେ ନାରାୟଣ ବାବୁ ମତେ ଗୋଟାଏ କଡ଼କୁ ଡାକି ନେଇ ପୁଣି କହିଲେ-‘ଦେଖନ୍ତୁ ଅସୀମ ବାବୁ ! ମତେ ବଞ୍ଚାନ୍ତୁ । ପାର୍ଟଟା ମୋ ଉପରେ ଲଦି ଦେଲାପରେ, ମୁଁ ଶାନ୍ତିରେ ଟିକିଏ ଶୋଇ ପାରୁନି, ଖାଇ ପାରୁନି । ଏମିତି ହେଇ ପାରେ ନାଟକରେ ମୋର ଚରିତ୍ର ଭଳି ସତକୁ ସତ ମୁଁ ହୁଏତ ପାଗଳ ହେଇଯିବି ।”

 

ନାରାୟଣ ବାବୁଙ୍କଠାରୁ ଏ କଥା ଶୁଣିଲା ପରେ ମୁଁ ଡରିଗଲି । ହେଲେ ମନେ ମନେ ନିଶ୍ଚିନ୍ତ ହେଲି ଯେଉଁ ଲୋକ ନାଟକର ଚରିତ୍ରକୁ ନେଇ ଏତେ ଚିନ୍ତା କରୁଛନ୍ତି ସେ କେବେ ଖରାପ ଅଭିନେତା ହେଇ ନ ପାରନ୍ତି । ତା ଛଡ଼ା ରାଜଧାନୀର ରଂଗମଞ୍ଚ, ରାଜଧାନୀରେ ମଞ୍ଚସ୍ଥ ହେଉଥିବା ନାଟକ ବିଷୟରେ କ’ଣ ବା ମୁଁ ଜାଣେ ? ନାରାୟଣ ବାବୁ ତ ନିଜେ ବୋଝ ମୁକ୍ତ ହେବାପାଇଁ ମତେ ଏମିତି ପ୍ରଶଂସା କରୁଛନ୍ତି । ହେଲେ ମୁଁ ଯେ ସତରେ କେମିତି ଅଭିନେତା ସେ କଥା ମୋଠାରୁ କିଏ ବେଶୀ ଜାଣିଛି ।

 

ଅଫିସ୍ ଛୁଟି ହେଲା ପରେ ନରସିଂହ ବାବୁଙ୍କର ଡାକରା କଥା ମନରେ ଆଣିଲିନି ! ରିହାର୍‌ସାଲକୁ ନ ଗଲେ ସୌଜନ୍ୟତା ହାନି ହେବ ଜାଣି ମଧ୍ୟ କଟକ ଫେରି ଆସିଲି । ତାପରର ତିନିଟା ଦିନ ଆଉ ଅଫିସ ମାଡ଼ିଲିନି । ଏଥର ମୁଁ ନିଶ୍ଚିନ୍ତ ହେଲି ନାରାୟଣ ବାବୁ ନିଶ୍ଚୟ ଜାଣି ଯାଇଥିବେ ତାଙ୍କୁ ଭାର ମୁକ୍ତ କରିବା ଲୋକ ମୁଁ ନୁହେଁ । ନରସିଂହ ବାବୁ ବି ଆଉ ଆସିବେନି ତାଙ୍କ ସଂସ୍ଥାକୁ ଯିବାର ଅନୁରୋଧ ନେଇ । ହେଲେ ନରସିଂହ ବାବୁ ପୁଣି ଆସିଲେ । ଏଥର ତାଙ୍କ ସାଙ୍ଗରେ ପୂର୍ବରୁ ପରିଚିତ ହୋଇଥିବା ଲେଖକ ବନ୍ଧୁ ଭାଗିରଥୀ ନେପାକ୍ । ନରସିଂହ ବାବୁଙ୍କୁ ଦେଖି ମୁଁ ବିବ୍ରତି ହେଲି । ଅସୁସ୍ଥତାର ଦ୍ଵାହି ଦେଇ ଭୁଲ୍ ମାଗିଲି । ହେଲେ ନରସିଂହ ବାବୁ ସେ ପ୍ରସଙ୍ଗକୁ ଗଲେନି । ତାଙ୍କର ପ୍ରଥମ ବକ୍ତବ୍ୟ, ତାଙ୍କ ଅନୁଷ୍ଠାନ ଗୋଦାବରୀଶ ସାହିତ୍ୟ ସଂସଦର ସଭ୍ୟ ହେବା ପାଇଁ ଏବଂ ତା ପରଟି ଭାଗିରଥୀ ବାବୁଙ୍କର ଏକ ବହିର ପ୍ରଚ୍ଛଦ ଚିତ୍ର । ମୁଁ ରାଜି ହେଲି ଏବଂ ତିନିଦିନ ପରେ ପ୍ରଚ୍ଛଦ ଚିତ୍ର ଦେଇଦେବି ବୋଲି କଥା ଦେଲି ।

 

ତିନିଦିନ ସମୟ ନରସିଂହବାବୁଙ୍କ ପାଖରେ ଅନେକ ଦୀର୍ଘ ମନେହେଲା ବୋଧହୁଏ । ତେଣୁ ଗୋଟାଏ ଦିନ ନ ଯାଉଣୁ ସେ ପୁଣି ଆସି ପହଞ୍ଚିଲେ । ଏଥର ଏକା । ମୁଁ କିଛି କହିବା ଆଗରୁ କହିଲେ-ନା, ନା, ତାଗଦାରେ ନୁହେଁ । ଏମିତି ଚାଲି ଆସିଲି । ତା’ପରେ ଦୀର୍ଘ ସମୟ ଧରି ସାହିତ୍ୟ, କବିତା, କବି ରବି ସିଂ, ଅନନ୍ତ ପଟ୍ଟାନାୟକ, ସଚ୍ଚିରାଉତରାୟ ନେଇ ଆଲୋଚନା କରି ଚାଲିଯିବା ଆଗରୁ ପଚାରିଲେ-ପ୍ରଚ୍ଛଦ ବିଷୟରେ ମୁଁ କିଛି ଚିନ୍ତା କରିଛି କି ନାହିଁ ?

 

ଉତ୍ତର ଦେଲି-“ଚିନ୍ତା ନୁହେଁ କାମ ଆରମ୍ଭ କରି ଦେଇଛି । ପ୍ରାୟ ପଚାଶ କି ଷାଠିଏ ଶିଳ୍ପୀ ଲାଗି ପଡ଼ିଛନ୍ତି କାମରେ । ଠିକ୍ ସମୟରେ ଦେଇଦେବି । ମୋ କଥା ଶୁଣି ସେ ବଲବଲ କରି ମୋ ମୁହଁକୁ ଅନେଇଲେ । ଆଖିରେ କେବଳ ବିସ୍ମୟର ଚିହ୍ନ ଫୁଟି ଉଠିନି, ତା ସହିତ ଆହୁରି କିଛି । ହୁଏତ ଭାବୁଛନ୍ତି, ଏ ଲୋକଟା ସ୍ଵଭାବିକ ମଣିଷ ତ ? ହେଲେ ସେ କିଛି ପ୍ରଶ୍ନ ପଚାରିବା ଆଗରୁ ଉପର ହାକିମଙ୍କ ଡାକରେ ମତେ ସେଠୁ ଚାଲିଯିବାକୁ ପଡ଼ିଲା ।

 

ନିର୍ଦ୍ଦିଷ୍ଟ ଦିନରେ ନରସିଂହ ବାବୁ ଖାଲି ଏକା ଆସିଲେନି । ସାଙ୍ଗରେ ଭାଗିରଥୀ ବାବୁଙ୍କୁ ଛାଡ଼ିଦେଲେ ଆହୁରି କେତେଜଣ । ମୁଁ ଜାଣିଗଲି ନରସିଂହବାବୁ ମୋର ସେଦିନର କଥା ଟିକକ ବହୁଳ ଭାବରେ ପ୍ରଚାର କରି ସାରିଛନ୍ତି । ଗୋଟାଏ ପ୍ରଚ୍ଛଦ ଚିତ୍ର ପାଇଁ ପଚାଶ ବା ଷାଠିଏ ଶିଳ୍ପୀ ନିଯୁକ୍ତ ହୋଇଥିବା ବିଷୟରେ ସନ୍ଦୀହାନ ହୋଇ ବା, ମୋର ମସ୍ତିଷ୍କର ସ୍ଵାଭାବିକତା ବିଷୟରେ ସନ୍ଦୀହାନ ହୋଇ ସେମାନେ ମତେ ଦେଖିବାକୁ ଆସିଛନ୍ତି । ପ୍ରଚ୍ଛଦ ବିଷୟରେ ନରସିଂହ ବାବୁ କିଛି ପଚାରିବା ପୂର୍ବରୁ ମୋ ଟେବୁଲର ତଳ ଡ୍ରୟାରଟା ଟାଣି ଖୋଲି ଦେଲି । ନରସିଂହ ବାବୁ ମୋ ପାଖରେ ଠିଆ ହେଇଥିଲେ–ହଠାତ୍ ଚମକି ପଡ଼ି ଦି’ପାଦ ଘୁଞ୍ଚିଗଲେ । କିଛି ଅସରପା ଟେବୁଲ ଡ୍ରୟାରରୁ ବାହାରି ଚଟାଣ ଉପରେ ଚାଲିବାକୁ ଲାଗିଲେ । ମୁଁ ଡ୍ରୟାର ଭିତରେ ହାତ ପୂରାଇ ପ୍ରଚ୍ଛଦ ଚିତ୍ରଟି ବାହାର କରି ଆଣିଲି । ପ୍ରଚ୍ଛଦ ଉପରର କାରୁକାର୍ଯ୍ୟ ତାଙ୍କୁ ଭଲ ଲାଗିଲା । ସେଇ ଅଭିବ୍ୟକ୍ତି ତାଙ୍କ ମୁହଁରେ । ଏଥର ସେ ଧୀରେ ଧୀରେ ପ୍ରଶ୍ନ କଲେ ହେଲେ ଆପଣ ଯେ କହୁଥିଲେ ପଚାଶ, ଷାଠିଏ ଶିଳ୍ପୀ କଥା ? ମୁଁ କହିଲି ସେଦିନ ମୁଁ କିଛି ମିଛ କହି ନ ଥିଲି ତା ପ୍ରମାଣ ତ ଆପଣଙ୍କ ଆଗରେ ଦେଲି । ଏ ଡିଜାଇନ୍ ମୁଁ କରିନି । କରିଛି ଆପଣଙ୍କ ସାମନାରେ ଚାଲୁଥିବା ଏଇ ଅସରପାମାନେ । ରଙ୍ଗରେ ଗ୍ଲିସାରିନ୍ ଥାଏ । ତାକୁଇ ଖାଇବାକୁ ଯାଇ ସେମାନେ ଏଇ ଡିଜାଇନଟିଏ ସୃଷ୍ଟି କରିଛନ୍ତି । ମୁଁ କେବଳ ତାଙ୍କଠାରୁ ଏ ଟିକକ ସଂଗ୍ରହ କରିଛି ।

 

।। ୨୬ ।।

 

ଅସୀ....ମ ! ଏ....ଅସୀମ ।

 

ଅନେକ ଦୂରରୁ ଡାକ ଶୁଣି ମୁଁ ବୁଲିପଡ଼ି ଅନେଇଲି । ନାଁ ଧରି ଏମିତି ଡାକର ଦିନ ଗୁଡ଼ାକ ପଛରେ ପକେଇ ଦେଇ ଆସିଛି ଅନେକ ଦିନ ହେଲା । ବୟସ ଆଗକୁ ଯେତିକି ମାଡ଼ି ଚାଲିଛି ନାଁ ଧରି ଡାକିବାର ଲୋକମାନେ ସେତିକି ପଛରେ ପଡ଼ି ଯାଇଛନ୍ତି, ହଜି ଯାଇଛନ୍ତି । ତେଣୁ ଏତେ ଦିନ ପରେ ଏମିତି ନାଁ ଧରି ଡାକିକରି ଲୋକ ଜଣକ ଅନେକ ଦୂରରେ ଠିଆ ହୋଇଥିଲେ ବି ମନେ ହେଲା ସେ ମୋର ଆପଣାର ଅନେକ ଆପଣାର । ମୁଁ ପଛକୁ ଫେରିଲି । ଏ ଯେମିତି ବର୍ତ୍ତମାନକୁ ଅତୀତକୁ ଫେରିଯିବା ଅତୀତକୁ ଫେରିଯିବା ନୁହେଁ ତ ଆଉ କଣ ? ଲୋକ ଜଣକ ଯେତେବେଳେ କହିଲା–ଗୌରୀଶଙ୍କରକୁ ଚିହ୍ନି ପାରୁନୁ ? ଅନୁଗୁଳ ସ୍କୁଲର ସାଙ୍ଗ ଗୌରୀ ଶଙ୍କର ।

 

ଆଉ ପରିଚୟ କହିବାର ଦରକାର ପଡ଼ିଲାନି । ମୁଁ ପାଟି କରି ଉଠିଲି–“ତୁ ? ତୁ ? ଗୋରୀ ଶଙ୍କର ମୋଦୀ ? ହରରେ । ତୁ ତୋର ସେଦିନର ଫଟୋ ଥିଲେ ଆଣି ଦେଖିଲୁ ନିଜେ ନିଜକୁ ଚିହ୍ନି ପାରୁଛୁ କି ନାହିଁ ?”

 

ସେଦିନର ସେଇ ଗୋରା ପତଳା ଗୌରୀଶଙ୍କର ସାଙ୍ଗରେ ଆଜିର ଗୌରୀ ଶଙ୍କରର କିଛି ମେଳ ନାହିଁ । ଗୌରୀ ଶଙ୍କର କହିଲା-“ମୁଁ ବି କଣ ତତେ ଚିହ୍ନି ପାରିଥିଲି କି ? ତୋର ଦଳର ଲୋକମାନେ କାଲି ତତେ ଦେଖେଇ ଦେଇ କହିଲେ-“ସେ ହେଉଛନ୍ତି ଆର୍ଟ ଡାଇରେକ୍ଟର ଅସୀମ ଦା । ଅସୀମ ବସୁ । ବାସ୍ ତା’ପରେ ଆଉ ତାଙ୍କଠୁ କିଛି ଜାଣିବାର ଦରକାର ପଡ଼ିଲାନି । ମନେ ମନେ ତୋ ଦାଢ଼ି ବାବ ଦେଇ, ବୟସ ଯୋଡ଼ି ଜାଣି ପାରିଲି ତୁ ଅସୀମଦା ନୁହଁ ଆମ କ୍ଳାସରେ ଅସୀମ୍ । ହେଲେ ତୁ ତ ଜାଣୁ ମୁଁ ଏଇଠି ଏଇ ଅନୁଗୁଳରେ ରହୁଛି । ଦେଖା କଲୁନି କାହିଁକି ?” ଗୌରୀ ଶଙ୍କରକୁ କିଛି ଉତ୍ତର ନ ଦେଲେ ବି ମୁଁ ମନେ ମନେ କହିଲି-କିଏ କହିଲା ମୁଁ ତତେ ଖୋଜିନି ? ଆସିବା ପରଦିନ ହିଁ ତତେ ଦେଖା କରିବା ପାଇଁ ତୋ ଘରକୁ ଯାଇଥିଲି । ହେଲେ ତୋର କୋଠା ଦେଖି, ତୋର ଦୋକାନାର ବିସ୍ତାର ଦେଖି ସାହସ କରିନି ତୋ ପାଖକୁ ଯିବା । ରାସ୍ତା ଉପରେ ଠିଆ ହୋଇ ତୋ ଦୋକାନକୁ ଅନେଇ ରହିଛି ଅନେକ ସମୟ ଧରି । ଦୋକାନ ଭିତରେ ଲୋକମାନଙ୍କର ଗହଳି ଭିତରେ ଖୋଜି ବୁଲିଛି ତତେ । ହେଲେ ସାହସ କରି ଦୋକାନକୁ ଯାଇ ପଚାରି ପାରିନି, ଗୌରୀ ଶଙ୍କର ମୋଦୀ କିଏ ? କାହିଁକି ଜାଣୁ ? କାଳେ ତୁ ପଚାରି ଦବୁ–‘ତମେ କିଏ ? ଆଉ ତା’ପରେ ମୁଁ ମୋ ନାଁ କହିଲା ପରେ ବି ଯଦି କହୁ କଣ ଦରକାର ? ତା ହେଲେ ମୁଁ କଣ ଉତ୍ତର ଦେବି ? ସେଇ ଉତ୍ତର ଟିକକ ଖୋଜି ପାଇନି ବୋଲି ମୁଁ ତୋ ପାଖକୁ ଯାଇନି ଗୌରୀ ଶଙ୍କର !

 

ଥରେ ହୁଏତ କେଉଁଠି ପଢ଼ିଥିଲି ବା କାହାରି ମୁହଁରୁ ଶୁଣିଥିଲି-ଆମେ ସ୍ଵପ୍ନରେ ଦୀର୍ଘ ସମୟ ଧରି ଯେଉଁ ଘଟଣାମାନ ଦେଖୁ ବାସ୍ତବରେ ତାହାର ସମୟସୀମା କୁଆଡ଼େ ଗୋଟିଏ ସେକେଣ୍ଡ ବା ଦୁଇ ସେକେଣ୍ଡ ମାତ୍ର । ଗୌରୀ ଶଙ୍କର ସାମନାରେ ଠିଆ ହେଇ ତା ମୁହଁକୁ ଅନେଇ ଅତୀତର ଯେତେ ଘଟଣା ଗୋଟି ଗୋଟି କରି ମନକୁ ଆସିଲା ତାର ସମୟ ସୀମା ସ୍ଵପ୍ନର ସମୟ ସୀମା ଠାରୁ କେତେ ଆଉ ବଡ଼ ହୋଇଥିବ ?

 

ଗୋପବନ୍ଧୁ ଚୌଧୁରୀ ଓ ମାଳତୀଦେବୀଙ୍କ ପରିଚାଳନାରେ ସର୍ବୋଦୟ ମେଳା । ମେଳାରେ ସ୍କୁଲର ଅନ୍ୟ ଅନେକ ପିଲାଙ୍କ ସାଙ୍ଗରେ ଗୌରୀ ଶଙ୍କର ଆଉ ଅସୀମ ବସୁ ମଧ୍ୟ ସ୍ଵେଚ୍ଛା ସେବକ । ସ୍ଵେଚ୍ଛା ସେବକମାନଙ୍କ ପାଇଁ ଗୋଟାଏ ତମ୍ବୁ ପଡ଼ିଛି । ତମ୍ବୁ ଭିତରେ ପାଣି ଡ୍ରମ । ସବୁଦିନ ସକାଳେ ଗୋଟାଏ ଟ୍ରକରେ ବରଫ ଆସେ । ବରଫକୁ ପାଣିରେ ପକେଇ ସେଇ ଥଣ୍ଡା ପାଣି ଜନଗହଳି ଭିତରେ ବାଣ୍ଟିବା ହେଉଛି ଆମ କାମ । ସେଦିନ ସକାଳେ ବରଫ ଆସି ପହଞ୍ଚିଲା ପରେ ଗୌରୀ ଶଙ୍କର କହିଲା “ଏଇ ବରଫକୁ ଭାଙ୍ଗି ବାଲଟିରେ ରଖି ତା ଭିତରେ ଯିଏ ଅଧଘଣ୍ଟାଏ ହାତ ପୁରାଇ ରଖିବ ତାକୁ ମୁଁ ପାଞ୍ଚଟଙ୍କା ଦେବି । ସେଦିନ ଗୌରୀଶଙ୍କରର ସେ ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ଅସୀମ ବସୁ ବରଫ ବାଲଟି ଭିତରେ ହାତ ରଖି ଥିଲା ଅଧଘଣ୍ଟାଏ । ଆଉ ହାତ ବାହାର କଲା ପରେ ନିଆଁ ଜାଳି ହାତ ସେକିଥିଲା ଏଇ ଗୌରୀଶଙ୍କର । ଏବଂ ସବାଶେଷରେ ଗୌରୀଶଙ୍କରର ପାଞ୍ଚଟଙ୍କାର ଜଳଖିଆ ସମସ୍ତେ ମିଶି ଖାଇଲା ବେଳେ ଗୌରୀଶଙ୍କର ବି ସେଥିରେ ସାମିଲ୍ ହୋଇଥିଲା । ଗୌରୀଶଙ୍କର ପୁଣି ସ୍ଵେଚ୍ଛାସେବକ ଭାବରେ ଆମ ସାଙ୍ଗରେ କାମ କରୁଥିଲା ସେଇ ଯେତେବେଳେ ରଂତଲେଇର ନେପାଳ ବାବାଙ୍କଠାରୁ ଔଷଧ ଖାଇବା ପାଇଁ ଲକ୍ଷ ଲକ୍ଷ ଲୋକ ଅନୁଗୁଳରେ ରୁଣ୍ଡ ହୋଇ ଦୁର୍ଘଟଣା ଓ ମହାମାରିରେ ମରିବାକୁ ଲାଗିଲେ ସେତେବେଳେ ।

 

‘ରଂତଲେଇ’ ସେତେବେଳେ ସାରା ଓଡ଼ିଶାରେ ନୁହେଁ ଭାରତରେ ନୁହେଁ, ସାରା ପୃଥିବୀରେ ଚହଳ ପକେଇ ଦେଇଥିଲା । ଅନୁଗୁଳ ଠାରୁ ଅଳ୍ପ ଦୂରରେ ରଂତଲେଇ ଗାଆଁ, ସେଠାକାର ଗୋଟିଏ ଗାଈଆଳ ପିଲାଦିନେ ସ୍ଵପ୍ନରେ ଗୋଟାଏ ଔଷଧର ସଂଧାନ ପାଇଲା କେଉଁ ଗୋଟାଏ ଗଛର ଚେର ତାକୁ ଖାଇଲେ କୁଆଡ଼େ ଯେ କୌଣସି ରୋଗ ମୁହୂର୍ତ୍ତକରେ ଭଲ ହୋଇଯିବ । ସପ୍ତାହରେ ଗୋଟିଏ ଦିନ ମାତ୍ର ସେ ଔଷଧ ବାଣ୍ଟେ । ପ୍ରଥମେ ପ୍ରଚାର ହେଲା ଆଖ ପାଖ ଗାଆଁରେ । ଲୋକ ଛୁଟିଲେ ଔଷଧ ପାଇଁ । ଧୀରେ ଧୀରେ ଗାଆଁରୁ ସହର, ସହରରୁ ସାରା ଓଡ଼ିଶା, ତାପରେ ସାରା ଭାରତ । ଔଷଧ ବାଣ୍ଟିବା ଦିନ ସପ୍ତାହରେ ଦିନକ ଜାଗାରେ ତିନିଦିନ ହେଲା । ତାପରେ ସବୁଦିନ । ଏଇ ଦିନକରୁ ସପ୍ତାହର ସବୁଦିନ ହେବାକୁ ସମୟ ଲାଗିଗଲା ଗୋଟାଏ ବର୍ଷ । ପିମ୍ପୁଡ଼ି ଧାଡ଼ି ପରି ଲୋକ ଚାଲିଲେ ରଂତଲେଇର ନେପାଳ ବାବା ପାଖକୁ ଖଣ୍ଟିଏ ଚେର ପାଇଁ । ଖାଲି ଚାଲିଲେ ନୁହଁ–ଗାଡ଼ି, ମଟର ଏପରିକି ଟୋକେଇରେ ବାହୁଙ୍ଗିବାଡ଼ି ଲଗେଇ ବୁହା ହେଇ ଚାଲିଲେ ଲୋକମାନେ । ସେତେବେଳେ ପୃଥିବୀର ସପ୍ତାଶ୍ଚର୍ଯ୍ୟର ତାଲିକାରେ–ଚୀନର ପ୍ରାଚୀନ, ବେବିଲନ୍‌ର ଝୁଲନ୍ତା ବଗିଚା, ଆଗ୍ରାର ତାଜମହଲ ଇତ୍ୟାଦି ପଢ଼ିଥିଲା ସିନା ହେଲେ ସେସବୁକୁ ଛାଡ଼ି ମୋ ପାଇଁ ଯେ ଆହୁରି ଆଶ୍ଚର୍ଯ୍ୟମାନ ରହିଥିଲା ଅନୁଗୁଳର ଆକାଶକୁ ଦେଖି ଜାଣିଲି । ଆକାଶରେ ଧୂଳିରେ ଜମାଟ ବନ୍ଧା ରାସ୍ତା, ନୀଳ ଆକାଶରେ ଗାଢ଼ ପାଉଁଶିଆ ରଙ୍ଗର ରାସ୍ତାଟିଏ ଲମ୍ବିଯାଇଛି ରଂତଲେଇ ଆଡ଼କୁ । ଗାଡ଼ି, ମଟର ଆଉ ପାଦଚଲା ଲୋକଙ୍କର ଧୂଳି ଉଡ଼ି ସେ ରାସ୍ତା ତିଆରି ହେଇଛି । ହଠାତ୍ ସେ ଅଞ୍ଚଳରେ ଗାଡ଼ି, ମଟର ବଢ଼ି ଗଲାରୁ ଦୁର୍ଘଟଣା ମନ ବଢ଼ି ଚାଲିଲା ଦିନକୁ ଦିନ । ଆଜି ଆଉ ମନେ ନାହିଁ ମାଳତୀ ଦେବୀଙ୍କୁ କି ଆଉ କାହାର ଡାକରରେ ସ୍ଵେଚ୍ଛାସେବୀ ଦଳ ଗଢ଼ା ହେଲା ଲୋକଙ୍କର ସେବା ପାଇଁ । ଗୌରୀଶଙ୍କର ଓ ମୁଁ ସାମିଲ ହେଲୁ ସେ ଦଳରେ । କେଉଁଠି ଜିପ୍ ଓଲଟି ପଡ଼ି ଲୋକମାନେ ଜଖମ ହେଉଛନ୍ତି । ଟ୍ରକ୍‌ରେ ବସି ଚାଲିଲୁ ଆମେ ଆହତମାନଙ୍କୁ ଆଣିବା ପାଇଁ । ଅନୁଗୁଳରେ ଜିନିଷ ପତ୍ରର ଦାମ ଆକାଶ ଛୁଆଁ ହେଲା । ବିଶେଷ କରି ଖାଇବା ଜିନିଷର । ଲୋକଙ୍କର ଅନ୍ଧ ବିଶ୍ଵାସକୁ ରୋକିବା ପାଇଁ ମାଳତୀ ଦେବୀ ଜିପ୍ ଖଣ୍ଡିଏ ଧରି ବାହାରି ପଡ଼ିଲେ ରାସ୍ତାକୁ । ହେଲେ ଧର୍ମାନ୍ଧ ଜନତାର ସୁଅ ଆଗରେ ତିଷ୍ଠି ପାରିଲେନି । ରାସ୍ତା ଘାଟ ଗଛମୂଳ ଲୋକଙ୍କର ଆଶ୍ରୟସ୍ଥଳ ହେଲା । ଅନୁଗୁଳରେ ଅଧିକାଂଶ ସ୍ଵଚ୍ଛଳ ପରିବାର କାର କିଣି ଟ୍ୟାକ୍‌ସି ଆକାରରେ ଲୋକ ବୋହିବାରେ ଲାଗିଲେ । ଉଚିତ୍ ମୂଲ୍ୟର ଦଶଗୁଣ ଖର୍ଚ୍ଚ କରି ଲୋକେ ରଂତଲେଇ ଯିବା ପାଇଁ ବ୍ୟଗ୍ର । ସାତ, ଆଠଦିନ ସେମିତି ରାସ୍ତା କଡ଼ରେ ପଡ଼ି ରହିଲେ । ତାଳଚେରରେ ଏୟାର ଷ୍ଟ୍ରିପ୍ ତିଆରି ହେଲା । ସୁଦୂର ବୋମ୍ବାଇରୁ ଭଡ଼ାଜାହାଜରେ ଲୋକ ଆସିଲେ ନେପାଳ ବାବଙ୍କଠାରୁ ଚେର ଖଣ୍ଡେ ନେବା ପାଇଁ । ଲଣ୍ଡନରେ ରହୁଥିବା ଗୋଲକ ବିହାରୀ ଧଳଙ୍କର ଲେଖା ବାହାରିଲା ସମାଜରେ-ସେଠାକାର ଲୋକ ତାଙ୍କୁ ପ୍ରଶ୍ନ କରୁଛନ୍ତି What about Rantalei ?

 

ରଂତଲେଇ ପୃଥିବୀର ମାନଚିତ୍ରରେ ଏକ ବିଶେଷ ସ୍ଥାନ ଦଖଲ କରି ବସିଲା । ସ୍କୁଲ ହଷ୍ଟେଲରେ ଯିଏ ମେସ୍ କଂଟ୍ରାକ୍ଟର ଥିଲା ସେ ମେସ୍‍ ଛାଡ଼ି ଚାଲିଯାଇ ରଂତଲେଇ ପାଖରେ ଚାଳିଆଟିଏ କରି ହୋଟେଲ ଖୋଲିଲା । ଡାଲି, ଭାତ ଆଉ ଗୋଟିଏ ତରକାରୀ ଯାହାର ସେ ସମୟର ବଜାର ଦାମ ଥିଲା ଦଶଅଣା, ତାରି ଦାମ କଲା ଅଢ଼େଇ ଟଙ୍କା । ହେଲେ ସେଥିରେ ବି ଖାଇବା ଯୋଗେଇବାକୁ ନାକେଦମ ହୋଇଗଲା ସେ । ଏଣେ ଆମ ମେସ୍ ବନ୍ଦ । ବଜାରରେ ଚାଉଳ ମିଳୁନି । ହେଡ଼୍‌ମାଷ୍ଟର ଶ୍ରୀ ମହେଶ୍ଵର ମିଶ୍ର ଏସ୍. ଡ଼ି. ଓଙ୍କ ପାଖକୁ ଯାଇ ହଷ୍ଟେଲ କଥା କହିଲାରୁ ସେ ବାହାରୁ ଚାଉଳ ମଗେଇ ଦେଲେ । ସ୍କୁଲର ଶେଷ ବର୍ଷର ଛାତ୍ର ମୁଁ । ଟେଷ୍ଟ ପରୀକ୍ଷା ସରିଯାଇଥାଏ । ତେଣୁ ସ୍କୁଲ ଖୋଲା ଥିଲେ ବି ଆମର ପ୍ରାୟ ଛୁଟି । ଦିନ ଦିପହରେ ଆମେ ପାଞ୍ଚଜଣ ପିଲା ସାଇକେଲ ଗୋଟିଏ ଗୋଟିଏ ଯୋଗାଡ଼ କରି ବାହାରି ପଡ଼ିଲୁ ତାଳଚେର କୋଇଲା ଖଣି ଦେଖିବା ପାଇଁ । ପାଞ୍ଚ ଜଣକ ଭିତରୁ ଚାରିଜଣ ହେଲେ ହଷ୍ଟେର ପିଲା ଆଉ ଆଉ ଗୌରୀଶଙ୍କର । ତାଳଚେରରେ ପହଞ୍ଚିଲା ବେଳକୁ ସନ୍ଧ୍ୟା । ତେଣୁ ରାତି କଟେଇବା ପାଇଁ ଗୌରୀଶଙ୍କର ଘର ଯୋଗାଡ଼ କଲା । ସେଠାକାର ଜଣେ ବ୍ୟବସାୟୀଙ୍କ ଗୋଦାମ ଘର । ସକାଳେ ଖଣି ଦେଖି ଫେରିଲା ବେଳକୁ ଦିନ ଦୁଇଟା । ଗାଧୁଆ ସାରି ମେସ୍‌ରେ ପଖାଳ ଗଣ୍ଡେ ଖାଇ ସାଇକେଲ ଫେରାଇବା ପାଇଁ ସ୍କୁଲ ଗେଟ୍ ବାହାରକୁ ଆସି ଥମ୍ ମାରି ରହିଗଲି । ସାଇକେଲ ପଛରେ, ଲୋକଙ୍କ କାନ୍ଧରେ ରୋଗୀ ବୁହା ହେଇ ଡାକ୍ତରଖାନା ଯାଉଛନ୍ତି । ଶୁଣିଲି ହଇଜାରେ ଏହା ଭିତରେ ଅନେକ ଲୋକ ମରିଗଲେଣି । ଡାକ୍ତରଖାନାକୁ ଦୌଡ଼ିଲି ଅବସ୍ଥା ବୁଝିବା ପାଇଁ । ସେଠି ଯାଇ ଦେଖିଲି ହତା ଭିତରର ପଡ଼ିଆଟା ସାରା ଡାକ୍ତରଖାନା ପାଲଟି ଯାଇଛି । ପଡ଼ିଆ ସାରା ରୋଗୀ ମାନେ ପଡ଼ିଛନ୍ତି । ଚିକିତ୍ସା ଚାଲିଛି । ଘର ଭିତରେ ଜାଗା ନ ହେଲାରୁ ଏଇ ବ୍ୟବସ୍ଥା । ଯେଉଁମାନେ ମରି ଯାଉଛନ୍ତି ସେମାନଙ୍କୁ ପଡ଼ିଆର ଗୋଟାଏ କୋଣରେ ଦେହକୁ ଦେହ ଲଗେଇ ଶୁଆଇ ଦିଆ ହଉଛି । ଏହାପରେ ମୋର ଆଉ କିଛି ଦେଖିବାର ନ ଥିଲା । ଦୌଡ଼ି ଦୌଡ଼ି ପଳେଇ ଆସିଲି ହଷ୍ଟେଲକୁ । ହଷ୍ଟେଲରେ ମୋ ବିଛଣା ଉପରେ ଗୌରୀଶଙ୍କର ବସି ମତେ ଅପେକ୍ଷା କରିଛି । ମୁଁ ଆସି ପହଞ୍ଚିଲାରୁ ସେ କହିଲା-“ଚାଲ୍ ଅସୀମ ଆମ ଘରକୁ ଚାଲ୍ । ଏଠି ଆଉ ତୁ ରହି ପାରିବୁନି” । ମୁଁ କହିଲି–ତୁ ବ୍ୟସ୍ତ ହଉଛୁ କାହିଁକି ? ଏଠି ତ ଆମେ ଏବେ ନିଜ ହାତରେ ରାନ୍ଧି କରି ଖାଉଛୁ । ତେଣୁ ଆମେ ସାବଧାନ ହେଇ ରହିବା । ଗୌରୀଶଙ୍କର କହିଲା–“ଠିକ୍ ଅଛି ତୁ ଏଇଠି ରହ ପଛେ, ହେଲେ ଖାଇବା ପିଇବା ଆମ ଘରେ ହେବ ।” ମୁଁ ରାଜି ହେଲି । ରାତି ଖାଇବା ତାଙ୍କ ଘରେ ଖାଇ ହଷ୍ଟେଲରେ ଆସି ଶୋଇଲି ।

Unknown

 

ସକାଳ ପାହିଲା ବେଳକୁ ସବୁ ଓଲଟ୍ ପାଲଟ୍ ହେଇ ଯାଇଛି । ଏସ୍. ଡ଼ି. ଓ ଆଦେଶ କରିଛନ୍ତି ହଷ୍ଟେଲ ଖାଲି କରି ଦେବାକୁ । ଦୂରର ପିଲା ଏକା ମୁଁ । ଅନ୍ୟମାନେ ପାଖା ପାଖି ଗାଆଁର ପିଲା । ନୋଟିଶ ପାଇଲା ମାତ୍ରେ ଯେ ଯାହା ଘରକୁ ଚାଲିଗଲେ । ହେଡ଼୍ ମାଷ୍ଟର ମତେ ତାଙ୍କ ଘରକୁ ନେଇଗଲେ । ଘରେ ସେ ଏକୁଟିଆ, ପିଅନଟିଏ ଅଛି ଯିଏ ରନ୍ଧା ରନ୍ଧି କରେ । ସ୍କୁଲ ଛୁଟି କରି ଦିଆ ହେଇଛି । ରାତିକ ଭିତରେ ଶହ ଶହ ଲୋକ ମରି ସାରିଲେଣି । ମୁଁ ବାପାଙ୍କ ପାଖକୁ ଖଣ୍ଡେ ଚିଠି ଲେଖିବି ବୋଲି ଗେଟ ବାହାରକୁ ଆସିଲି । ପୋଷ୍ଟ ଅଫିସ୍ ଆଡ଼କୁ ପାଦ ଚାଲୁନି । ରାସ୍ତା କଡ଼ରେ ଗଛ ମୂଳରେ ଲୋକ ସବୁ ମରି ପଡ଼ିଛନ୍ତି । ଗୋଟିଏ ଟିଣ କେବିନକୁ ଆଉଜି ବୁଢ଼ାଟିଏ ବସିଛି । ତା ଦୁଇ କଡ଼ରେ ଦୁଇଜଣ ମରି ପଡ଼ିଛନ୍ତି । ବୁଢ଼ା କାନ୍ଦୁନି । ଖାଲି କଲବଲ କରି ପଥଚାରୀଙ୍କୁ ଦେଖୁଛି । ଟିକଏ ଦୂରରେ ଗୋଟାଏ ସ୍ତ୍ରୀ ଲୋକ ପେଟ ଚାପିଧରି ଛଟପଟ ହଉଛି । ଚାରିପାଖରେ ମୃତଦେହ ସବୁ ଦେଖି ସେ ନିଶ୍ଚିତ, ଆଉ ଅଳ୍ପ ସମୟ ପରେ ସେ ବି ସେମାନଙ୍କ ଭିତରେ ଗୋଟିଏ ହେଇଯିବ । ମୃତ୍ୟୁକୁ ଏଭଳି ଭାବରେ ଦେଖିବି ବୋଲି ମୁଁ ବି କ’ଣ କେବେ ଭାବି ପରି ଥିଲି ? ପୋଷ୍ଟ ଅଫିସ ପର୍ଯ୍ୟନ୍ତ ଯିବା ଆଉ ସମ୍ଭବ ହେଲାନି । ଅଧା ବାଟରୁ ଫେରି ଆସିଲି । ରାସ୍ତାରେ ଲୋକେ ଚାଲିବା ବନ୍ଦ ହୋଇଗଲା । ଟ୍ରକରେ ମୁର୍ଦ୍ଦାରମାନ ବୁହା ହେବାକୁ ଲାଗିଲା । ବଡ଼ ବଡ଼ ଗାତମାନ ଖୋଳା ହେଇ ଭିତରେ ମୁର୍ଦ୍ଦାରମାନଙ୍କୁ ଗଦା କରି ତା ଉପରରେ କାଠ ଲଦି କିରାସିନି ଢାଳି ନିଆଁ ଲଗା ହେଲା ପରେ ମାଟି ପକେଇ ସେ ଗାତ ସବୁ ପୋତି ଦିଆ ହଉଛି । ଏ ସବୁ ମୁଁ ଦେଖିନି ସିନା ହେଲେ ଶୁଣିଛି । ଆହୁରି ଶୁଣିଲି ଯେଉଁ ସରକାରୀ କର୍ମଚାରୀମାନେ ଏ କାମରେ ଲାଗିଥିଲେ ସେମାନେ କୁଆଡ଼େ ରାତାରାତି ବଡ଼ ଲୋକ ହୋଇଗଲେ । ବଡ଼ ଲୋକ ହୋଇଗଲେ ମୁର୍ଦ୍ଦାରମାନଙ୍କ ପାଖରେ ଥିବା ପଇସାରେ, ସୁନା ଗହଣାରେ ।

 

ଅନୁଗୁଳ ଭିତରକୁ ଆଉ ବାହାରର ଲୋକଙ୍କୁ ପଶିବାକୁ ଦିଆହେଲାନି । କଟକରୁ ଖାଲି ଟ୍ରେନ୍ ଯାଇ ମେରାମୁଣ୍ଡଳି ଷ୍ଟେସନରୁ ଲୋକ ଆଣିବାକୁ ଲାଗିଲା । ଦୁଇଦିନ ହେଡ଼ମାଷ୍ଟରଙ୍କ ଘରେ କଟେଇଲା ପରେ ମୁଁ ଅନୁଗୁଳ ଛାଡ଼ିଲି, ସାଙ୍ଗରେ ହେଡ଼ମାଷ୍ଟର ମହେଶ୍ଵର ସାହୁ । ମହେଶ୍ଵର ବାବୁ ଅତି ସାବଧାନୀ ଲୋକ । ସେ କିଛି ପରଟା ଓ କୋବି ଭଜା ଗୋଟାଏ ବଡ଼ କଂସାରେ ରଖି ଗାମୁଛାରେ ବାନ୍ଧିଲେ । ମୋ ହାତରେ କିଛି କର୍ପୁର ବଂଧା ହେଇଥିବା ଗୋଟାଏ ଛୋଟ କନା ପୁଟୁଳି ଧରେଇ ଦେଇ କହିଲେ-‘ତୁ ଏଇଟାକୁ ସବୁବେଳେ ଶୁଙ୍ଘିବୁ । ଆଉ ଭୋକ ହେଲେ ଏଇ ଗାମୁଛା ଫାଙ୍କରେ ହାତ ପୁରେଇ ପରଟା କୋବି ଭଜା ଆଣି ଖାଇବୁ । ଖବରଦାର ସେ ଖାଇବା ଜିନିଷ ବେଶୀ ସମୟ ପଦାରେ ରଖିବୁନି ।’ ମେରାମୁଣ୍ଡଳୀ ଆସି ଆମେ ଟ୍ରେନ୍ ଧରିଲୁ । ମୁଁ ଯିବି ବହରମ୍‌ପୁର ସେ ଯିବେ ପୁରୀ ।

 

କଟକ ଷ୍ଟେସନରେ ରାତି ଦଶଟାରେ ଯେତେବେଳେ ଗାଡ଼ି ଆସି ପହଞ୍ଚିଲା ଡାକବାଜୀ ଯନ୍ତ୍ରରେ ପ୍ରଚାର ହେବାର ଶୁଣିଲି–‘ଆପଣଙ୍କର ଡବା ଭିତରେ ଯଦି କୌଣସି ରୋଗୀ ବା ମୃତ ଦେହ ଥାଆନ୍ତି ତେବେ ଆମ ପାଖରେ ଖବର ଦିଅନ୍ତୁ ।’ ଛାତି ଥରି ଉଠିଲା । ଗାଡ଼ିରୁ ଓହ୍ଲାଇଲା ବେଳେ ଗୋଡ଼ ଥରିବାକୁ ଲାଗିଲା । ମହେଶ୍ଵରବାବୁ ସେହି ଗାଡ଼ିରେ ହିଁ ପୁରୀ ଯାଇ ପାରି ଥାଆନ୍ତେ । ହେଲେ ଗଲେନି । ମତେ ବରହମ୍‌ପୁରର ଗାଡ଼ିରେ ଚଢ଼େଇବା ପାଇଁ କଟକରେ ଓହ୍ଲେଇ ପଡ଼ିଲେ । ସେଦିନ ଅନୁଗୁଳୁ ଛାଡ଼ିବା ପରଠୁ ଗୌରୀଶଙ୍କରକୁ ଆଉ ଦେଖି ନଥିଲି । ଏବେ ଦେଖି ମନେ ହେଉଛି-ଏଇ ଚାଳିଶଟା ବର୍ଷ ଖାଲି ଆମ ଦେହ ଉପରେ ତାର ରୁକ୍ଷ ହାତ ବୁଲେଇ ଦେଇଛି ସିନା ହେଲେ ଏଇ ଦେହ ଭିତରେ ଥିବା ଆଉ ଏକ ଅସୀମ ବସୁ ଆଉ ଏକ ଗୌରୀ ଶଙ୍କର ଏବେ ବି ସେମିତି ସ୍କୁଲରେ ପଢ଼ୁଥିବା ଦୁଇ ସାଙ୍ଗ ଦେଇ ରହିଛନ୍ତି ।

 

॥ ୨୭ ॥

 

କଥାରେ କଥାରେ ରନ୍ତଲେଇ ଆଉ ନେପାଳବାବା ସଂପର୍କରେ ଏତେ କଥା କହି ସାରିଲା ପରେ ନିଜକୁ ଆସଲି ଅସୀମ ବସୁ ବୋଲି ବୋଲାଉଥିବା ଲୋକଟା ମୋ ଆଡ଼କୁ ଅନେଇ କହିଲା ହୋଇ ହୋ ନକଲି ଅସୀମ ବସୁ । ତମେ ହୁଏତ ଭାବୁଛ, ଏତେ କଥା ମୁଁ ତମ ଆଗରେ ଗପୁଛି କାହିଁକି ? ଏଥିରେ ମୋର ବା କ’ଣ ସ୍ଵାର୍ଥ ଅଛି ? ଅଛି, ଅଛି ବନ୍ଧୁ ଅଛି । ସେଇ ପିଲାଟି ଦିନରୁ ଗୋଟାଏ ଇଚ୍ଛା ମନରେ ପୋଷି ରଖିଛି । ସେଇ ଯେତେବେଳେ ଭାଇଙ୍କ ପାଖକୁ ଅଦୃଶ୍ୟ ମଣିଷର ଗପ ଶୁଣିଥିଲି, ସେତେବେଳଠାରୁ । ଗଳ୍ପର ନାୟକ କୌଣସି ଔଷଧ ଖାଇ ନିଜକୁ ଅଦୃଶ୍ୟ କଲାଭଳି ମୁଁ ଯଦି ନିଜକୁ ଅଦୃଶ୍ୟ କରି ପାରନ୍ତି ! ନିଜକୁ ଅଦୃଶ୍ୟ କରି ପାରୁଥିଲେ-ମୋ ଚାରିପଟରେ ବୁଲୁଥିବା ମୋର ଅନ୍ତରଙ୍ଗ ବନ୍ଧୁମାନଙ୍କର, ମତେ ଭଲ ପାଉଥିବା ଓ ଭଲ ନ ପାଉଥିବା ଲୋକମାନଙ୍କର ଅସଲ ରୂପଟା ଜାଣି ପାରନ୍ତି । ଜାଣି ପାରନ୍ତି ମୁଁ ଯେଉଁମାନଙ୍କୁ ପ୍ରତାରିତ କରିଛି, ଅବହେଳା କରିଛି, ସେମାନଙ୍କ ଭିତରେ ଏବେ ବି ମୋ ପ୍ରତି କିଛି ସ୍ନେହ କିଛି ମମତା ମାଠିଆ ତଳର ପାଣି ଭଳି, ପଡ଼ି ରହିଛି କି ନାହିଁ । ତମେ ହେଉଛ ମୋ ସେଇ ଅଦୃଶ୍ୟ ହେବାର ମନ୍ତ୍ର । ତମକୁ ଆଗରେ ରଖି ମୁଁ ମୋର ଭେକ ବଦଳେଇ ରାମା, ଶାମା, ଦାମା ହେଇଗଲେ ଏ ସବୁ ଜାଣିବା କେବଳ ସମ୍ଭବ । ତେଣୁ ତମକୁ ଶତକଡ଼ା ଶହେଭାଗ ମୁଁ ଟିଏ ତିଆରି କରିଦେଇ ପାରିଲେ ଯାଇ ମୋର ଅଭିଷ୍ଟ ସିଦ୍ଧ ହେଇ ପାରିବ ।

 

ସେ କହିବା ଲୋକ କହୁଛି, ମୁଁ ଶୁଣିବା ଲୋକ ଶୁଣିଛି । ଶୁଣୁଛି ଏଇଥିପାଇଁ ଯେ ମୋର ସବୁ ଅଙ୍ଗେ ଲିଭେଇଥିବା କଥା ସେ କହିଲା ବେଳେ ଯଦି କେଉଁଠି ବାଟ ହୁରୁଡ଼ି ଅନ୍ୟ ବାଟରେ ଚାଲିଯାଏ ମୋର ଅଜଣା କଥାରୁ ପଦେ ଯଦି ମତେ ଜଣେଇ ଦିଏ ତେବେ ଲୋକଟାର ଅସଲ ପରିଚୟ ପାଇଯିବି । ଜାଣି ଯିବି ଯେ ଏତେବେଳ ଯାଏଁ ମୁଁ, ମୋରି ସାମନାରେ ବସି ରହିନି ।

 

ଲୋକଟା କହିଲା-ଜୀବନରେ ଘଟିଥିବା ସ୍ମରଣୀୟ ରୋମାଞ୍ଚକର ଘଟଣାର ତାଲିକା କଲେ ରବୀନ୍ଦ୍ରମଣ୍ଡପ ରଙ୍ଗମଞ୍ଚରେ “ପଞ୍ଚୁ” ସାଜି ଠିଆ ହେବା ଘଟଣା ସେ ତାଲିକାରେ ଏକ ବିଶେଷ ସ୍ଥାନ ଦଖଲ କରିବ । ସେତେବେଳେ ମୁଁ କଟକ ଛାଡ଼ି ଭୁବନେଶ୍ଵରରେ ନୂଆକରି ବସା ବାନ୍ଧିଛି । ଆପ ଅଫିସ୍‌ର ଲାଇବ୍ରେରୀଆନ୍‌ କିଶୋର ଦାସ ଦିନେ ସଞ୍ଜ ବେଳେ ମତେ ଧରିନେଇ ଗଲେ ଭୁବନେଶ୍ଵର କଳାକେନ୍ଦ୍ରକୁ । ସେଠି ସେତେବେଳେ ରହିରସାଲ୍ ଚାଲିଛି “ଅଭିଯାନ” ନୃତ୍ୟ ନାଟିକାର । ଅନେକ ଅପରିଚିତଙ୍କ ଗହଣରେ ପଶି ଯାଇଥିଲେ ବି ମୁଁ ସେମାନଙ୍କର ସଂପୂର୍ଣ୍ଣ ଅପରିଚିତ ନ ଥିଲି । କଟକ କଳା ବିକାଶ କେନ୍ଦ୍ରରେ ତପସ୍ଵିନୀର ମଞ୍ଚ ସଜ୍ଜାର ପରିଚିତି ପତ୍ର ମୋ ହାତରେ । ବନ୍ଧୁ କିଶୋର ଦାସ ସେଠାକାର ଜଣେ ବିଶିଷ୍ଟ କର୍ମକର୍ତ୍ତା । ମତେ ପାଇ ସେମାନେ ଖାଲି ଖୁସୀ ହେଲେନି, ମତେ ବି ଭଲ ଲାଗିଲା ଆଉ ଏକ ମିନି କଳା ବିକାଶ କେନ୍ଦ୍ର ସହିତ ସଂପୃକ୍ତ ହେଇ । କେନ୍ଦ୍ରର ସଂପାଦକ ଅନ୍ନଦା ବାବୁ ଅନୁରୋଧ କଲେ ଅଭିଯାନର ମଞ୍ଚ ସଜ୍ଜାର ଦାୟୀତ୍ଵ ନେବାପାଇଁ । ମନେ ମନେ ହୁଏତ ମୁଁ ବି ସେଇଆ ଚାହୁଁଥିଲି । ଅନ୍ନଦା ବାବୁଙ୍କୁ କହିଲି-ଚିରାଚରିତ ଧାରାର ବାହାରେ ମୁଁ ଯଦି କିଛି କରେ ଆପଣମାନେ କ’ଣ ଗ୍ରହଣ କରିବେ ? ଏଥର ଖାଲି ଅନ୍ନଦା ବାବୁ ନୁହେଁ–ତାଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ବି ଏକ ସ୍ଵରରେ କହିଲେ “ରାଜି” । ଅନ୍ନଦା ବାବୁ ହୁଏତ “ଅଭିଯାନ”ର ବଜେଟ୍ ତିଆରି କରୁଥିଲେ । କହିଲେ-ଖାଲି ଟିକିଏ ନଜର ରଖିବେ ଅଧିକ ଖର୍ଚ୍ଚ ଯେମିତି ନ ହୁଏ । ଆମ ଚୁନାକୁ ଚାହିଁ ପିଠା କରିବା ।

 

ପଚାରିଲି–କେତେ ଚୁନା ?

 

ତାଙ୍କଠାରୁ ଉତ୍ତର ଶୁଣି ମୁଁ କହିଲି ଏତେ ଟଙ୍କା ଲାଗିବନି । ତା ଅଧା ଟଙ୍କାରେ କାମ ହବ ।

 

ଏଥର ଅନ୍ନଦା ବାବୁଙ୍କ ଆଖିରେ ସନ୍ଦେହ ଉଙ୍କି ମାରିଲା ।

 

କହିଲେ–କିଛି ଯଦି ନ ଭାବନ୍ତି ମଞ୍ଚ ସଜ୍ଜା ବିଷୟରେ ଆମକୁ ଟିକିଏ କହିବେ ।

 

ମୁଁ ମୋ କଳ୍ପନାରେ ମଞ୍ଚକୁ ଦୁଇ ସ୍ତରରେ ଭାଗ କରିଥାଏ । ଏବଂ ମଞ୍ଚର ଗୋଟିଏ ସ୍ଥାନରେ ଅଢ଼େଇଫୁଟ ଉଚ୍ଚାର ଏକ ପିଣ୍ଡି ରଖି ତା ଉପରେ ଗୋଟାଏ ଛବିର ଫ୍ରେମ୍ ଛିଡ଼ା କରାଇଥାଏ । ପ୍ରତି ଦୃଶ୍ୟରେ ସେଇ ଫ୍ରେମ ଭିତରକୁ ପଟ୍ଟଚିତ୍ର ପଦ୍ଧତିରେ ଅଙ୍କା ଛବିମାନ ଖଞ୍ଜା ହେଉଥାଏ ।

 

ଅନ୍ନଦାବାବୁଙ୍କୁ ମୁଁ ସେ କଥା ବୁଝାଇ ଦେଲାପରେ ସାଏ ଅରାଜି ହେଲେନି, ହେଲେ ରାଜି ହେଲା ଭଳି ବି ମନେ ହେଲାନି । ମଣିଷ ସବୁ କଥା କଣ ମୁହଁରେ କହନ୍ତି ? ଆଖି ବି କିଛି କଥା କହେ । ମୁଁ ସେଇ ଆଖିର କଥା ଟିକକ ଶୁଣି ପରିଲି ମୋର ଏଇ ଚିନ୍ତାଧାରା ଗ୍ରହଣ କରିବାକୁ କିଏ ବା ଚାହିଁବ ? ଆଗରୁ ତ ଏମିତି କାମ କେବେ ହେଇନି । ହେଲେ ମୋର ସୌଭାଗ୍ୟ ଅନ୍ନଦା ବାବୁ ଓ ଅନ୍ୟମାନେ ମୁହଁରେ ମତେ ବିରୋଧ କଲେନି । ମୁଁ କାମ କଲି ଏବଂ ନିର୍ଦ୍ଦିଷ୍ଟ ଦିନରେ ଅଭିଯାନ ନୃତ୍ୟ ନାଟିକା ମଞ୍ଚସ୍ଥ ହେଲା । ଦର୍ଶକ ମଣ୍ଡଳୀ ମୋର ଦୃଶ୍ୟ ସଜ୍ଜାକୁ ଗ୍ରହଣ କଲେ । ମୁଁ ଭୁବନେଶ୍ଵର କଳା କେନ୍ଦ୍ର ସହିତ ଜଡ଼ିତ ହେଇ ପଡ଼ିଲି । ମାସ ଦୁଇଟା ନ ଯାଉଣୁ କଳା କେନ୍ଦ୍ରର ଅନ୍ୟତମ କର୍ମୀ ଶ୍ରୀ ସୁରେନ୍ଦ୍ର ଦାସ, ଯିଏ କି ଆମ ପାଖରେ ସୁରଭାଇ ଭାବରେ, ପରିଚିତ, ବାରିପଦାରୁ ଏକ ନାଟକର ପାଣ୍ଡୁଲିପି ଆଣି ହାଜର ହେଲେ । ନାଟକ ହେବ । ବଙ୍ଗଳାରୁ ଆନନ୍ଦ ଶଙ୍କର ଅନୁବାଦ କରିଥିବା ନାଟକ ରୂପାନ୍ତର । ସୁରଭାଇଙ୍କ କଥାକୁ ନ ମାନିବ ବା କିଏ ? ସେ କଳା କେନ୍ଦ୍ରରେ ଯେତିକି ସମୟ ରହନ୍ତି କେନ୍ଦ୍ରର ମଧ୍ୟମଣି ହେଇ ରହନ୍ତି । ତାଙ୍କର ମଜାଳିଆ କଥାରେ କେନ୍ଦ୍ରର କୋଠା ହସର ଲହରୀରେ ଫାଟି ପଡ଼ୁଥାଏ । ଦିନ ସ୍ଥିର ହେଲା । ରବୀନ୍ଦ୍ର ମଣ୍ଡପ ତିନି ଦିନ ପାଇଁ ଭଡ଼ା ନିଆହେଲା । ଏବେ ନାଟକର ରିହାରସାଲ୍ ଆରମ୍ଭ ହେବ । ନିର୍ଦ୍ଦେଶକ ବଛା ହେବେ । ବଛା ହେବେ କଳାକାର । ବନ୍ଧୁ କିଶୋର ଦାସଙ୍କ ଉପରେ ଲଦି ଦିଆ ହେଲା ସେ ସବୁ ଦାୟିତ୍ଵ । କଳା କେନ୍ଦ୍ରର ସ୍ଥାୟୀ ନାଟ୍ୟ ନିର୍ଦ୍ଦେଶକ ନୃସିଂହ ବାବୁ ପାରିବାରିକ କାରଣରେ ବ୍ୟସ୍ତ ଥିବାରୁ ଅନ୍ୟ ଜଣେ ନିର୍ଦ୍ଦେଶକ ଆଣିବାକୁ ପଡ଼ିବ । କିଶୋର ବାବୁ ବିଶ୍ଵଜିତ୍ ଦାସଙ୍କ ପାଖରେ ଯାଇ ପହଞ୍ଚିଲେ । ନାଟ୍ୟକାର ଓ ଅଭିନେତା ବିଶ୍ଵଜିତ୍ ଦାସ ସେତେବେଳେ କଟକର ବିଶିଷ୍ଟ ନାଟ୍ୟ ସଂସ୍ଥା ସୃଜନୀ ସହିତ ଜଡ଼ିତ । କିଶୋର ବାବୁଙ୍କ ଅନୁରୋଧ ଏଡ଼ି ନା ପାରି ବିଶ୍ଵଜିତ୍ ବାବୁ ରାଜିହେଲେ ନିଦ୍ଦେର୍ଶନା ପାଇଁ । ଏଥର କଳାକାର ଖୋଜିବା ପାଲା ନାଟକର ନାୟକ ଘରର ଚାକର ଏବଂ ନାୟିକା ଚାକରାଣୀ । ଆଗରୁ ଅଭିନୟରେ ଦକ୍ଷତା ଦେଖାଇଥିବା କଳାକେନ୍ଦ୍ରର ଅଭିନେତା ମାନଙ୍କର ଗୋଟିଏ ତାଲିକା ପ୍ରସ୍ତୁତ କଲେ କିଶୋର ବାବୁ । ତା ପରେ ସେଇ ତାଲିକାକୁ ଦେଖି ଚରିତ୍ର ଅନୁଯାୟୀ ଶିଳ୍ପୀ ବାଛିବାକୁ ଲାଗିଲେ । ଗୃହକର୍ତ୍ତା ଭୂମିକା ପାଇଁ ପ୍ରମୋଦ ମହାପାତ୍ରଙ୍କ ନାଁ ପାଖରେ ଟିକ ଚିହ୍ନ ମରା ହେଲା । ବଡ଼ ପୁଅ ପାଇଁ ଦାଗ ଦେଲେ ନିଜ ନାଆଁ ପାଖରେ । ସାନପୁଅ ସୁଶାନ୍ତ, ଏମିତି ଏମିତି । ହେଲେ ଚାକର ଭୂମିକାକୁ ଆସି ରହିଗଲେ କିଶୋର ବାବୁ । ତା’ପରେ ଅନେକ ଚିନ୍ତା କରି ଜଗଦୀଶ ଦାସ ଲେଖା ହୋଇଥିବା ଯାଗାରେ ଚିହ୍ନ ଦେଲେ । ମୁଁ ତ ନୂଆ ଲୋକ । ଏକ ମାତ୍ର କିଶୋର ବାବୁଙ୍କୁ ଛାଡ଼ିଦେଲେ ବାକି ଚରିତ୍ରମାନଙ୍କୁ ଭଲ ଭାବରେ ଜାଣିନି । ଖାଲି ଜାଣିନି ନୁହେଁ ସେଥିରୁ ଅନେକଙ୍କୁ ଚିହ୍ନିନି ମଧ୍ୟ । ତାପର ଦିନଠାରୁ କିଶୋର ବାବୁଙ୍କର କାମ ହେଲା ମତେ ସାଙ୍ଗରେ ଧରି ବିଭିନ୍ନ ଅଫିସକୁ ଯାଇ କଳାକାର ମାନଙ୍କୁ ଖବର ଦେବା । ଦଶଟାବେଳେ ଅଫିସ ପହଞ୍ଚି ହାଜିରା ଖାତାରେ ଦସ୍ତଖତ । ତାପରେ ଦିନସାରା ଅଫିସ ବାହାରେ । ଜଗଦୀଶ ବାବୁଙ୍କୁ ଖବର ଦେବାପାଇଁ ତାଙ୍କ ଅଫିସରେ ହାଜର ଦେଇ ଦେଖିଲୁ ସେ ଛୁଟିରେ ଅଛନ୍ତି । ନାଟକର ନାୟକକୁ ବାଦ ଦେଇ ରହିରସାଲ ହେବ କେମିତି ? ତିନିଦିନ ଦଉଡ଼ିଲା ପରେ ଜଗଦୀଶ ଦାସଙ୍କୁ ପାଇଲୁ ସିନା ହେଲେ ଆମ ସମସ୍ୟାର ସମାଧାନ ହେଲାନି । ତାଙ୍କ ପୁଅ ଅସୁସ୍ଥ । ସେ ବ୍ୟସ୍ତ ଅଛନ୍ତି । ତେଣୁ ଅଭିନୟ କରି ପାରିବେନି । କ’ଣ ହେବ ? କଳାକେନ୍ଦ୍ରର ସମସ୍ତଙ୍କର ମୁଣ୍ଡକୁ କିଛି ଉପାୟ ଦିଶୁନି । ସାଧାରଣତ ନାଟକରେ ନାରୀ ଚରିତ୍ର ପାଇଁ କର୍ମକର୍ତ୍ତାମାନେ ଚିନ୍ତା କରନ୍ତି । ହେଲେ ଭୁବନେଶ୍ୱର କଳାକେନ୍ଦ୍ରରେ ସେ ସମସ୍ୟା ନାହିଁ । ନାଟକର ତିନୋଟି ନାରୀ ଚରିତ୍ରରୁ ଜଣେ କଳାକେନ୍ଦ୍ରର ଛାତ୍ରୀ, ସୌଦାମିନୀ ପଣ୍ଡା, ଅନ୍ୟ ଜଣେ କେନ୍ଦ୍ରର ସଭାପତି ଶ୍ରୀ ଜଗନ୍ନାଥ ମହାପାତ୍ର, ଅଣ୍ଡର ସେକ୍ରେଟାରୀଙ୍କର ଝିଅ ସନ୍ଧ୍ୟା ଏବଂ ତୃତୀୟ ଚରିତ୍ରଟିରେ କେନ୍ଦ୍ରର ସଭ୍ୟ ଦେବ କରଙ୍କର ସ୍ତ୍ରୀ ମୀରା କର ।

 

ନାୟକ ଅଭାବରୁ ନାଟକ ବନ୍ଦ ହେବା ପ୍ରାୟ ସ୍ଥିର ହେଇ ସାରିଥାଏ । ଏତିକିବେଳେ ନୃସିଂହ ବାବୁ ପ୍ରସ୍ତାବ ଦେଲେ ଅସୀମ ବାବୁଙ୍କୁ ଚାକର ଭୂମିକା ଦେଲେ କେମିତି ହୁଅନ୍ତା ? ଉପସ୍ଥିତ କର୍ମକର୍ତ୍ତାମାନଙ୍କର ଆଖି ମୋ ଉପରେ ପଡ଼ିଲା । ମୁଁ ଜାଣେ ନୃସିଂହବାବୁ ମୋର ଅଭିନୟ କ୍ଷେତ୍ରରେ ଯୋଗ୍ୟତା କଥା ବିଚାର ନ କରି କେବଳ ମୋର ଚେହେରାକୁ ଦେଖି ଏଭଳି ପ୍ରସ୍ତାବଟିଏ ଦେଇଛନ୍ତି । ମୋ ଚେହେରା ଯେ ଚାକର ଚରିତ୍ର ପାଇଁ ଉପଯୁକ୍ତ ଏ ବିଷୟରେ ମୋର ବି ସନ୍ଦେହ ନାହିଁ । ଫେଲେ ଅଭିନୟ ଯୋଗ୍ୟତା ? ରାଜଧୀନର ରଙ୍ଗମଞ୍ଚରେ ଅଭିନୟ କରିବାର ସାହସ ମୋର କାହିଁ ? ତେଣୁ ସମସ୍ତେ ମୋ ଆଡ଼କୁ ଅନେଇଛନ୍ତି ଦେଖି ମୁଁ ସଙ୍କୁଚିତ ହୋଇ ପଡ଼ିଲି । ବିଶ୍ଵଜିତ୍ ବାବୁଙ୍କର ଉପସ୍ଥିତିରେ ହିଁ ଆଲୋଚନା ଚାଲିଥିଲା । ସେ ଏଥର ମତେ ଅନେଇ କହିଲେ-କ’ଣ ଅସୀମ ବାବୁ ପାରିବେ ? ମୁଁ ମୁଣ୍ଡ ହଲେଇ ମନା କଲି । ହେଲେ ନୃସିଂହ ବାବୁ ପାଟି କରି ଉଠିଲେ ଅଲବତ୍ ପାରିବେ । ମୁଁ କହୁଛି ପାରିବେ । ସେ ଯେମିତି ନାଟକର ନାୟକ ପଞ୍ଚୁ ଆଉ ମୋ ଭିତରେ କିଛି ଫରକ ବାରି ପାରୁ ନାହାନ୍ତି । ବିଶ୍ଵଜିତ୍ ବାବୁ ବି କହିଲେ ପାରିବେ ଏବଂ ସବା ଶେଷରେ ବନ୍ଧୁ କିଶୋର ଦାସ ବି କହିଲେ ହଁ ପାରିବେ, ଅସୀମ ବାବୁ ପାରିବେ । ଏତେ ଲୋକଙ୍କ ‘ପାରିବେ’ ଶୁଣିଲା ପରେ ‘ପାରିବିନି’ ଶବ୍ଦ ମୋ ପାଟିର ବାହାରିବ କେମିତି ? ବିଶ୍ଵଜିତ୍ ବାବୁ ଡାକରା ଦେଲେ ପଞ୍ଚୁ ଭୂମିକାରେ ଠିଆ ହେବା ପାଇଁ । ଠିଆ ହେଲି । ପାଖରେ ଚଂପି ଭୂମିକାରେ ସୌଦାମିନୀ । ସାତ, ଆଠ ପୃଷ୍ଠା ରହିରସାଲ ହେଲା । ବିଶ୍ଵଜିତ୍ ବାବୁ କିଛି ବତେଇଲେନି । ଆମେ ମନଇଚ୍ଛା ସଂଳାପ କହିଗଲୁ । ରିହରସାଲ୍ ସରିଲାପରେ ବିଶ୍ଵଜିତ୍ ବାବୁ ନୃସିଂହ ବାବୁଙ୍କୁ ବଧେଇ ଜଣେଇଲେ । ସଂଳାପ କହିଲା ବେଳେ ମୁଁ ବି ଦେଖିଛି ନୃସିଂହ ବାବୁଙ୍କ ମୁହଁରେ ଖୁସିର ହସ । ସେ ହସ ଆବିଷ୍କାରର ହସ ।

 

ଏଥର ରିହାରସଲ୍ ଚାଲିଲା ନିୟମିତ ଭାବରେ । ବିଶ୍ଵଜିତ୍ ବାବୁ ଅନ୍ୟ ସମୟରେ ହସ ଖୁସିର ମଣିଷ ହୋଇଥିଲେ ବି ରିହରସାଲ୍ ବେଳେ ଅନ୍ୟ ଲୋକ ।

 

ନାଟକ ପ୍ରସ୍ତୁତିରେ ଯେଉଁ ଶୃଙ୍ଖଳା ରଖିବାକୁ ପଡ଼େ ସେ କଥା ମୁଁ ପ୍ରଥମ ଶିଖିଲି ବିଶ୍ଵଜିତ୍ ବାବୁଙ୍କ ପାଖରୁ । ନାଟକର ସ୍ମାରକ ଚରିତ୍ର ଯେ ନାଟକର ଗୌରବ ନୁହେଁ ଏ କଥା ମୁଁ ତାଙ୍କରି ପାଖରୁ ଜାଣିଲି । ପ୍ରସ୍ତୁତି ପର୍ବ ସରିଲା ପରେ ରବୀନ୍ଦ୍ର ମଣ୍ଡପରେ ନାଟକ ମଞ୍ଚସ୍ଥ ହେଲା । ନାଟକର ମୁଁ କେବଳ ନାୟକ ନୁହେଁ-ମଞ୍ଚ ପ୍ରସ୍ତୁତିର ଦାୟୀତ୍ଵ ମଧ୍ୟ ମୋ ଉପରେ । ସେଟ୍ ରଙ୍ଗ କରିସାରି ହାତ ଗୋଡ଼ ଧୋଇ ରୂପ ସଜ୍ଜାକାରୀଙ୍କ ପାଖରେ ଠିଆ ହେଲି । ବିଶ୍ଵଜିତ୍ ବାବୁଙ୍କ ନିର୍ଦ୍ଦେଶ ମୁତାବକ ସେ ମତେ ପଞ୍ଚୁ ଚାକର ବନେଇ ଦେଲା । ମଇଳା, ଧୋତି, ଛିଣ୍ଡା ଗଞ୍ଜିରେ ମୁଁ ପଞ୍ଚୁଆ-ପଞ୍ଚୁ-ପଞ୍ଚାନନ । ନିର୍ଦ୍ଦିଷ୍ଟ ସମୟରେ ନାଟକ ଆରମ୍ଭ ହେଲା । ମଞ୍ଚକୁ ପଶି ମୋର ମନେ ହେଲା ଦର୍ଶକ ବୋଲି କେହି ନାହାନ୍ତି । ଆମେ ସମସ୍ତେ ଶୂନ୍ୟ ପ୍ରେକ୍ଷାଳୟରେ ଅଭିନୟ କରୁଛୁ । ହେଲେ କିଛି ସମୟ ପରେ ସେଇ ଶୂନ୍ୟ ଅନ୍ଧାର ଭିତରୁ ଘନ ଘନ ହାତ ତାଳି ଭାଷି ଆସିଲା । ରବୀନ୍ଦ୍ର ମଣ୍ଡପରେ ସେତେବେଳେ ଦିନ ବେଳା ସଙ୍ଗୀତ ମହାବିଦ୍ୟାଳୟ ଚାଲୁଥିବା ଏବଂ ଉପର ମହଲାରେ ଝିଅମାନଙ୍କର ହଷ୍ଟେଲ ଥିଲା ରଙ୍ଗମଞ୍ଚ ଉପର ବାଲ୍‌କନିରୁ ଘନଘନ ଝିଅମାନଙ୍କର ଡାକ ଶୁଭିଲା–ଏଇ ପଞ୍ଚୁ-ଏଇ ପଞ୍ଚୁଆ ! ପଞ୍ଚାନନ ବାବୁ !

 

ନାଟକ ସରିଲା ପରେ–ଦଳ ଦଳ ହେଇ ଦର୍ଶନ ମାନେ ମଞ୍ଚକୁ ପଶି ଆସିଲେ । ବିଶ୍ଵଜିତ୍ ବାବୁ ଚାରିପଟରେ ଜନତାର ଭିଡ଼ । ଭିଡ଼ ମୋ ପାଖରେ, ସୌଦାମିନୀ ପାଖରେ, ସନ୍ଧ୍ୟା ପାଖରେ, ସମସ୍ତ ଅଭିନେତାଙ୍କ ପାଖରେ । କେହି କେହି ମୋ ସହିତ ହାତ ମେଳାଉଛନ୍ତି ତ କେହି କେହି ପିଠି ଥାପୁଡ଼େଇ ଚାଲି ଯାଉଥାନ୍ତି । ଅନେକେ ଆସି ମୋ ମୁହଁକୁ ଅନେଇ ରହିଲେ । ହଁ ଏଇ ଲୋକଟା ହିଁ ପଞ୍ଚୁ । ନାଟକର ଚରିତ୍ର ନୁହେଁ-ସତକୁ ସତ ପଞ୍ଚୁ ।

 

ଗୋଟିଏ ରାତିର ଅଭିନୟ ପରେ ସାରା ସହରରେ ମୁଁ ପଞ୍ଚୁ ପାଲଟି ରହିଗଲି ।

 

ରୂପାନ୍ତର ନାଟକରେ ପଞ୍ଚୁ ସାଜିଥିବା ଅସୀମ ବସୁ ଦର୍ଶକଙ୍କର ହାତ ତାଳି ପାଉ ବାହାରକୁ ଭୁଲି ପାରିଲାନି । ଭୁଲି ପାରିଲାନି ଦର୍ଶକମାନେ ଯୋଗେଇଥିବା ଉତ୍ସାହକୁ ଉଦ୍ଦୀପନାକୁ-। କମଳଲୋଚନ ମହାନ୍ତି ଆଗରେ ଦିନେ ବଖାଣିଥିବା ତା ସ୍ଵପ୍ନକୁ ହାତମୁଠାରେ ଧରି ସେ ମୁକ୍ତ ଆକାଶ ଡେଇଁ ପଡ଼ିଲା । କେବଳ ରୂଚିପୂର୍ଣ୍ଣ ଭଲ ନାଟକ ନିୟମିତ ଭାବରେ କରିବା ପାଇଁ ଦଳଟିଏ ଗଢ଼ିବାକୁ ହବ । ଶ୍ରୀ ଜଗନ୍ନାଥ ମହାପାତ୍ର ଯିଏକି କଳାକେନ୍ଦ୍ରର ସଭାପତି ତାଙ୍କରି ଘରର ସାମନା ପିଣ୍ଡାରେ ସେଦିନ ସନ୍ଧ୍ୟାରେ ରୁଣ୍ଡ ହେଲେ ବିଶ୍ଵଜିତ, ବିରେନ୍ଦ୍ର, କିଶୋର, ପ୍ରସନ୍ନ, ଅଜିତ ଓ ଅସୀମ-। ବାରଣ୍ଡାରେ ଆଲୁଅ ଜଳୁ ନ ଥିଲା । ହୁଏତ ସେମାନେ ଜାଳି ନ ଥିଲେ । ହୁଏତ ସେମାନେ ଚାହିଁଥିଲେ ରାସ୍ତା ବତିଖୁଣ୍ଟରୁ ଆସୁଥିବା ଛାଇ ଛାଇ ଆଲୁଅ ଭିତରେ ଘନିଷ୍ଠ ହୋଇ ରହିବାକୁ । ସେଇଠି ସେମାନେ ଦଳର ନାଆଁ ଠିକ୍ କଲେ । ଠିକ୍ କଲେ ଦଳର ସଭାପତି, ସଂପାଦକ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନଙ୍କୁ । ‘ରୂପକାର’ ଜନ୍ମହେଲା ଶ୍ରୀଜଗନ୍ନାଥ ମହାପାତ୍ରଙ୍କର ପିଣ୍ଡାରେ । ସେଇଠି ଠିକ୍‍ ହେଲା ସଂସ୍ଥାର ପ୍ରଥମ ନାଟକ କ’ଣ ହବ, କେବେ ହବ । ତାପରେ ଚାଲିଲା ରିହାରସାଲ୍ । ସଂସ୍ଥାର ପ୍ରଥମ ନାଟକ ‘ନିଶିପଦ୍ମ’ର ରିହାରସାଲ୍ ।

 

‘ନିଶିପଦ୍ମ ନାଟକରେ ମୁଁ ବାବାଜୀ’ ଲୋକଟା କହିବାକୁ ଲାଗିଲା–ଭାରି ଡର ମାଡ଼ୁଥାଏ-। ଏଇ ବାବାଜୀ ଚରିତ୍ର ଏଥିପୂର୍ବରୁ ବିଶ୍ଵଜିତ ବାବୁ ନିଜେ କରିଛନ୍ତି । ତାଙ୍କ ଜାଗାରେ ମୁଁ-। ସେ ଯେଉଁଠି ନିର୍ଦ୍ଦେଶକ । ବିଶ୍ଵଜିତ ବାବୁ ସେ ନିଜେ କରିଥିବା ଚରିତ୍ର ସାଙ୍ଗରେ ନ ମିଶେଇ, ମୁଁ ମୋ ଭଳି କରୁଥିବା ବାବାଜୀକୁ ଗ୍ରହଣ କଲେ । ପ୍ରଥମ ନାଟକ ମଞ୍ଚସ୍ଥ ହେଲାପରେ ଦେଖାଗଲା ଦର୍ଶକ ମନରେ ଖାଲି ନାଟକ ନୁହେଁ, ସଂସ୍ଥା ବି ଯଥେଷ୍ଟ ପ୍ରଭାବ ପକେଇଚି । ସଂସ୍ଥାର ଶୃଙ୍ଖଳାବୋଧ, ନାଟକ ନିର୍ଦ୍ଦିଷ୍ଟ ସମୟରେ ଆରମ୍ଭ କରିବା ପ୍ରଭୃତି ଦର୍ଶକ ମନରେ ପ୍ରଭାବ ପକେଇଛି । ନିଶିପଦ୍ମ ପରେ ବିଶ୍ଵଜିତ ବାବୁଙ୍କର ନୂଆ ନାଟକ-‘ନିଜ ପ୍ରତିନିଧିଙ୍କଠାରୁ’ । ସେଠି ମୁଁ ଯଦୁନାଥ । ସେକ୍ରେଟାରୀଏଟ୍‌ର କିରାଣି ଯଦୁନାଥ । ଯାହା ମନରେ ସ୍ଵପ୍ନଥିଲା ଆଉ କିଛି ହବାର । ଯେ ଦିନେ କବିତା ଲେଖୁଥିଲା ତା ସ୍ୱପ୍ନମାନଙ୍କୁ ନେଇ । ନାଟକ ମଞ୍ଚସ୍ଥ ହେବାକୁ ଆଉ ପାଞ୍ଚଦିନ ଅଛି । ବିଶ୍ଵଜିତ୍‌ବାବୁ ଦିନେ ତାଙ୍କ ବନ୍ଧୁ ଅନନ୍ତ ମହାପାତ୍ରଙ୍କୁ ନେଇ ଆସିଲେ ରିହାରସାଲ ଦେଖେଇବାକୁ । ଅନନ୍ତବାବୁ ‘ସୃଜନୀ’ର ନିର୍ଦ୍ଦେଶକ । ତାଙ୍କ ନିର୍ଦ୍ଦେଶିତ ନାଟକ ‘ସାଗର ମନ୍ଥନ’ ‘ପ୍ରତାପଗଡ଼ରେ ଦୁଇଦିନ’ ଦେଖି ସାରିଛି । ମନରେ ଅସ୍ଵସ୍ତି ନେଇ ରିହାରସାଲ କଲି । ନାଟକର ଶେଷ ଦୃଶ୍ୟରେ ମୋ ପୁଅର ମୃତ୍ୟୁ ସଂବାଦ ନେଇ ଆସିଛି ସାମ୍ବାଦିକଙ୍କ ପାଖକୁ । ବିଶ୍ଵଜିତ୍‌ବାବୁ ମୋ ମୁହଁରେ ବେଶ୍ ସୁନ୍ଦର ସଂଳାପମାନ ଦେଇଛନ୍ତି । ରିହାରସାଲ୍ ପରେ ଅନନ୍ତବାବୁ କହିଲେ ମୋ ମୁହଁର ସଂଳାପସବୁ କାଟି ଦେବାକୁ । ସେଇଆ ହେଲା । ମନ ଖରାପ ହେଇଗଲା-ସଂଳାପ କଟିଯିବାରୁ । ହେଲେ ଯେଉଁଦିନ ନାଟକ ମଞ୍ଚସ୍ଥ ହେଲା ଶେଷ ଦୃଶ୍ୟ ଅଭିନୟ କରିବାକୁ ଯାଇ ଅନୁଭବ କଲି ସତରେ ସେଠି କିଛି ସଂଳାପର ପ୍ରୟୋଜନ ନାହିଁ । ଅନେକ ସଂଳାପ କହୁଥିବା ଯଦୁନାଥଠାରୁ ସଂଳାପହୀନ ଯଦୁନାଥ ଆହୁରି ବଡ଼ । ଆହୁରି ହୃଦୟସ୍ପର୍ଶୀ । ଗୋଟିଏ ଅଭିନେତା ପାଇଁ ସଂଳାପ ହିଁ ଏକମାତ୍ର ସଂପଦ ନୁହେଁ । ଶ୍ରଦ୍ଧାର ସହିତ ମନେ ମନେ ଅନନ୍ତବାବୁଙ୍କୁ ନମସ୍କାର ଜଣାଇଲି ।

 

ସଙ୍ଗୀତ ନାଟକ ଏକାଡ଼େମୀର ନାଟ୍ୟ ପ୍ରତିଯୋଗିତା । ରୂପକାର ଭାଗ ନେଲା ସେ ପ୍ରତିଯୋଗିତାରେ । ନାଟକ-ବିଶ୍ଵଜିତବାବୁଙ୍କର ‘ନାଲିପାନ ରାଣୀ କଳାପାନ ଟିକା’ । ନାଟକ ମଞ୍ଚସ୍ଥ ହେଲା । ଫଳ ଦେଖି ଖୁସିରେ ନାଚି ଉଠିଲି । ଶ୍ରେଷ୍ଠ ନିର୍ଦ୍ଦେଶକ–ବିଶ୍ଵଜିତ୍ ଦାସ । ଶ୍ରେଷ୍ଠ ଅଭିନେତା ରୂପକାରର ଅଜିର କର । ଶ୍ରେଷ୍ଠ ଅଭିନେତ୍ରୀ ରୂପକାରର ସନ୍ଧ୍ୟା ମହାପାତ୍ର । ଶ୍ରେଷ୍ଠ ପ୍ରଯୋଜନା ରୂପକାର । ‘ରୂପକାର’ ଚାରୋଟି ଶ୍ରେଷ୍ଠତର ସମ୍ମାନରେ ସମ୍ମାନିତ । ହେଲେ ଶ୍ରେଷ୍ଠ ନାଟ୍ୟକାରର ସମ୍ମାନ ଲାଭ କରିଛନ୍ତି ‘ଶବବାହକମାନେ’ର ଲେଖକ ବିଜୟ ମିଶ୍ର । କିଏ ଏଇ ବିଜୟ ମିଶ୍ର ? କେଉଁଠି ରହନ୍ତି ? କ’ଣ କରନ୍ତି ? ଖବର ନେଇ ଜାଣିଲି ଏଇଠି, ଏଇ ଭୁବନେଶ୍ଵରରେ ଚାକିରି କରନ୍ତି ବିଜୟ ମିଶ୍ର । ରହନ୍ତି କଟକରେ । ବିଶ୍ଵଜିତ ବାବୁଙ୍କ ସାଙ୍ଗରେ ଆଲୋଚନା କରି, ତାଙ୍କ ପାଖକୁ ଗୋଟିଏ ନାଟକ ପାଇଁ ଯିବି ବୋଲି ସ୍ଥିର କରିଛି ଏତିକିବେଳେ କେତେକଙ୍କ ମୁହଁରୁ ଶୁଣିଲି “ଶବ ବାହକମାନେ” କୁଆଡ଼େ କେଉଁ ବିଦେଶୀ ନାଟକର ରୂପାନ୍ତର । ମନଟା ଦବିଗଲା । ଅନେକ ବିଦେଶୀ ନାଟକ ପଢ଼ିଥିବା ଅନନ୍ତ ମହାପାତ୍ରଙ୍କ ପାଖରେ ପହଞ୍ଚି କଥାଟାର ସତ୍ୟତା ବିଷୟରେ ପଚାରିଲି । ଅନନ୍ତବାବୁ ସବୁ କଥା ଶୁଣିଲା ପରେ କହିଲେ କଥାଟା ମୁଁ ବି ଶୁଣିଛି । ଏକାଡ଼େମୀକୁ କୁଆଡ଼େ ବେନାମୀ ଚିଠି ବି ଆସିଛି, ନାଟକଟି ମ୍ୟାଡ଼୍, ମ୍ୟାଡ଼୍, ମ୍ୟାଡ଼୍ ୱାର୍ଲଡ଼ର ରୂପାନ୍ତର । ମୁଁ ସେ ନାଟକ ପଢ଼ିଛି । ସେ ନାଟକ ସହିତ “ଶବ ବାହକମାନେ”ର କୌଣସି ସଂପର୍କ ନାହିଁ ।

 

ମନଭିତରୁ ଗୋଟାଏ ମସ୍ତବଡ଼ ବୋଝ ଓହ୍ଲେଇଗଲା । ଖୋଜି ଖୋଜି ଦିନେ ବିଜୟ ମିଶ୍ରଙ୍କ ଅଫିସରେ ଯାଇ ପହଞ୍ଚିଲି । ପରିଚୟ ହେଲା । ପରିଚୟ ହେଲା । ପରିଚୟରୁ ଜାଣିଲି ଆମେ ଦୁହେଁ କେବଳ ଏକା ଅଞ୍ଚଳର ଲୋକ ନୋହୁଁ, ଗୋଟିଏ କଲେଜରେ ଏକ ସମୟରେ ପାଠ ପଢ଼ୁଥିଲୁ ।

 

ବିଜୟ ମିଶ୍ର ନାଟକ ଦେବେ କଥା ଦେଲେ । ନାଟକଟିଏ ଅଧା ଲେଖା ହେଇ ଥୁଆ ହେଇଛି । ସାରିଦେବାକୁ ଚାରି ପାଞ୍ଚଦିନ ଦରକାର । ତେଣୁ କଥା ରହିଲା ସାତ ଦିନ ପରେ, ଆସନ୍ତା ଶୁକ୍ରବାର । ସାତଦିନ ପରେ ମୁଁ ପୁଣି ଭେଟିଲି ବିଜୟ ମିଶ୍ରଙ୍କୁ । ନାଟକ ଆଣିବାକୁ ଭୁଲି ଯାଇଛନ୍ତି । ସେ କହିଲେ–“କାଲି ଆଣିବି” ନାଟକର ନାଆଁ “ଗାର” ଚୁମ୍ବକରେ କାହାଣୀ ଶୁଣେଇ ଦେଲେ ବିଜୟ ମିଶ୍ର । ପରଦିନ ନାଟକ ଆଣିବାକୁ ଯାଇ ତାଙ୍କୁ ପାଇଲିନି । ମୁଁ ଯିବା ଆଗରୁ ସେ କଟକ ଚାଲି ଯାଇଛନ୍ତି । ପରଦିନ ପୁଣି ଯାଇ ପହଞ୍ଚିଲି ତାଙ୍କ ଅଫିସରେ । ବିଜୟ ମିଶ୍ରଙ୍କ ଅଭିଯୋଗ ଗଲା କାଲି ନାଟକ ଆଣିଥିଲେ । ହେଲେ ଆମର ଭେଟ ନ ହେଲାରୁ ଆଉ ଜଣଙ୍କୁ ପଢ଼ିବାକୁ ଦେଇଛନ୍ତି । ତା’ପରଠାରୁ ପ୍ରତିଦିନ ମୁଁ ଯାଉଥାଏଁ, କେଉଁଦିନ ଭେଟ ହୁଏ ତ କେଉଁଦିନ ହୁଏନି, ଭେଟ ହେଲେ ତାଙ୍କର ଗୋଟିଏ କଥା କାଲି ଆଣିଥିଲି, ଫେରେଇ ନେଇଗଲି । କାଲି ପୁଣି ଆଣିବି । ହେଲେ ଆଣିବି ବୋଲି କହିଥିବା ଦିନ ସେ ମୁଁ ଯିବା ଆଗରୁ ଅଫିସ ଛାଡ଼ି ଚାଲି ଯାଆନ୍ତି-। ଏମିତି ଛକାପଞ୍ଝା ଖେଳୁ ଖେଳୁ ଦିନେ ବିଜୟମିଶ୍ର ସାତ ଦିନର ଛୁଟି ନେଇ କଟକରେ ରହିଗଲେ ଏବଂ ସାତଦିନ ପରେ ନାଟକ ଆଣି ମତେ ଦେଇ କହିଲେ-ସତ କଥା କହିବାକୁ ଗଲେ ନାଟକ ମୁଁ ଲେଖି ନ ଥିଲି । ଲେଖିଲି ଏଇ ସାତଦିନ ଛୁଟିରେ ରହିବା ଭିତରେ । ଛୁଟି ନେଇଥିଲି ଖାଳି “ଗାର” ଲେଖିବି ବୋଲି । ପ୍ରଥମ ପରିଚୟଠାରୁ ନାଟକ ପାଇବା ଦିନ ଭିତରେ ପ୍ରାୟ ଦେଢ଼ମାସ ବିତି ଯାଇଥାଏ । ଏଇ ଦେଢ଼ମାସରେ ଆମେ “ଆପଣରୁ ତମକୁ ଖସି ଆସିଛୁ । ମୁଁ “ଦାଦା” ଓ ସେ “ବିଜୟ” ହୋଇ ଯାଇଛି ।

 

ଜୀବନରେ ସ୍ମରଣୀୟ ଘଟଣା ତ ଅନେକ ରହିଛି । ରନ୍ତଲେଇ ଭଳି, ପଞ୍ଚୁ, ଭୂମିକାରେ ଅଭିନୟ କଲା ଭଳି, “ରୂପକାର”ର ସୃଷ୍ଟି ଭଳି ଆହୁରି ଅନେକ ଅନେକ ଘଟଣାମାନ ରହିଛି ଯାହାକୁ ମୁଁ ଚାହିଁକରି ବି ଭୁଲି ପାରିବିନି । ସ୍ମୃତିର ସେହି ଘଟଣା ସବୁ କେବଳ ଅଳସ ସମୟ ମାନଙ୍କର ରୋମନ୍ଥନ କରି ଏକ ସୁଖାନୁଭୂତି ଉପଲବଧି ପାଇଁ ସାଇତା ହେଇ ରହିଛି । ସାଇତା ହେଇଥିବା ସ୍ମୃତି ଉପରେ ଧୂଳି ନ ପଡ଼ୁ, ସବୁବେଳେ ସେ ସ୍ମୃତି ଯେମିତି ଚିକ୍‌ଚିକ୍‌ କରୁଥାଉ ଏତକ ଚାହୁଁଚି ବୋଲି ତ ତମ ପାଖରେ ପୁଣି ବଖାଣି ଚାଲିଛି ଅତୀତକୁ । ଏତକ କହି ଲୋକଟା ଟିକିଏ ଦମ୍ ନେଲା । ତାପରେ ପୁଣି କହି ଚାଲିଲା-

 

ଓଡ଼ିଆ ରଙ୍ଗମଞ୍ଚର ଅପ୍ରତିଦ୍ଵନ୍ଦୀ କଳାକାର ନିରଞ୍ଜନ ଶତପଥିଙ୍କୁ ମୁଁ ପ୍ରଥମ ଦେଖିଥିଲି ମୋ ଅଫିସ ବାରଣ୍ଡାରେ । ବାବି, ପିର, ନିରଞ୍ଜନ ନାଆଁ କେବେ ଠାରୁ ଶୁଣି ଆସୁଛି ମନେ ନାହିଁ । ହେଲେ ମଞ୍ଚ ବାହାରେ ମୋ ଅଫିସ ବାରଣ୍ଡାରେ ଏମିତି ଜଣେ ଶିଳ୍ପୀଙ୍କୁ ଦେଖିବା ମୋ ଜୀବନରେ ପ୍ରଥମ । ପ୍ରଥମ ଦେଖାରେ ମୁଁ ତାଙ୍କୁ ଖାଲି ଅନେଇ ରହିଲି ସିନା ହେଲେ ପାଖକୁ ଯାଇ କଥା କହିବାର ବା ପରିଚିତ ହେବାର ସାହସ ହେଲାନି । ସେମାନେ ତ ମୋ ପାଖରେ ଈଶ୍ଵର ତୁଲ୍ୟ । ମୁଁ ତାଙ୍କର ବନ୍ଧୁ ନୁହେଁ–ଗୁଣମୁଗ୍ଧ ସ୍ତାବକ ।

 

ଅଫିସ ଭୁବନେଶ୍ୱରରେ ଆଉ ରହଣି କଟକରେ “ଶିଳ୍ପପୁରୀ” ଛାଡ଼ିବାର ପର ବେଳର କଥା । କଟକରେ ବାସନ୍ତୀ ନିବାସର ବାସିନ୍ଦା ମୁଁ । ସେଦିନ ରବିବାର । ଅଫିସ ଛୁଟି । ସବୁ ରବିବାର ଭଳି ସେଦିନ ବି ମୁଁ ବିଛଣା ଛାଡ଼ିବା ଆଗରୁ କବି ରବି ସିଂଙ୍କର ଶ୍ୟାଳକ ବିଶ୍ଵନାଥ ଆସି ପହଞ୍ଚିଲା ମୋ ପାଖରେ । ମୁହଁ ଧୋଇ ବିଶ୍ଵନାଥକୁ ସାଙ୍ଗରେ ଧରି ଚାହା ଦୋକାନରେ ଚାହା ଗିଲାସ ଧରି ଆମେ ବସିଛୁ-ଦେଖିଲି ଗୋଟାଏ ବୁଲେଟ୍ ମଟର ସାଇକେଲ ଆସି ପହଞ୍ଚିଲା ଦୋକାନ ସାମନାରେ । ମଟର ସାଇକେଲରେ ନିରଂଜନ ଶତପଥି । ମୋ ଅଜାଣତରେ ମୁଁ ଚଉକି ଛାଡ଼ି ଉଠି ପଡ଼ିଲି । ନିରଂଜନ ବାବୁ ଗାଡ଼ିରୁ ଓହ୍ଲାଇ ମୋ ସାମନାରେ ଆସି ହାଜର । ମୁଁ କିଛି କହିବା ପୂର୍ବରୁ ସେ କହିଲେ-ଅସୀମ ବାବୁ ! ମୁଁ ଆପଣଙ୍କର ବସା ହେଇ ଆସୁଛି । ମୁଁ ବିସ୍ମିତ ହେଲି । ନିରଞ୍ଜନ ବାବୁ ମତେ ଜାଣିଛନ୍ତି । ମୋ ନାଆଁ ଜାଣିଛନ୍ତି । ମୋ ବସା ଜାଣିଛନ୍ତି । ଏଇଟା କେମିତି ସମ୍ଭବ ? ହେଲେ ମୋର ବିସ୍ମୟ ସେତିକିରେ ସୀମିତ ହେଲାନି । ସେ ମୋ ସାମନା ଚଉକି ଦଖଲ କରି ବସିଲାରୁ ମୁଁ ଚାହା ବରାଦ କଲି । ସେ କହିଲେ–ଆପଣ ଜଣେ ନାଟୁଆ ଲୋକ ହୋଇ ଆମ ନାଟକ ଦେଖିବାକୁ ଆସୁ ନାହାନ୍ତି କାହିଁକି ? ଆରେ ! ମୁଁ ଜଣେ ନାଟୁଆ ଲୋକ ଏ କଥା ଆଉ କେହି ନ ଜାଣିଥିଲା ବେଳେ ନିରଞ୍ଜନବାବୁ ଜାଣିଲେ କେମିତି ? ଶ୍ରଦ୍ଧା ଓ ସମ୍ଭ୍ରମରେ ମୋ ମନ ଭରି ଉଠିଲା । ତାଙ୍କ ପାଇଁ ଚାହା ଆସି ପହଞ୍ଚିଲା । ଢୋକେ ଚାହା ପିଇ ସେ ଆମନ୍ତ୍ରଣ ଜଣେଇଲେ ସେଦିନ ନାଟକ ଦେଖିବା ପାଇଁ । କହିଲେ–ଆପଣଙ୍କର ବନ୍ଧୁଙ୍କୁ ଧରି ଆଜି ଆସନ୍ତୁ ‘ଜନତା’କୁ । ଜନତା ରଙ୍ଗମଞ୍ଚରେ “ଆଦିବାସୀ” ନାଟକ ଚାଲିଥାଏ । ନିରଞ୍ଜନବାବୁ ଯେ ନାଟକର ଏକ ମୁଖ୍ୟ ଚରିତ୍ରର ଅଭିନେତା ଏ କଥା ମୁଁ ଆଗରୁ ଜାଣିଥାଏ । ନାଟକର ସେଇ ମୁଖ୍ୟ ଚରିତ୍ରର ଅଭିନେତା ମତେ ଆମନ୍ତ୍ରଣ ଜଣାଉଛନ୍ତି ନାଟକ ଦେଖିବା ପାଇଁ । ମୁଁ ଧନ୍ୟ ହେଇଗଲି । ଚାହା ଟିକକ ସାରି ନିରଞ୍ଜନ ବାବୁ ବିଦାୟ ନେଲେ । ଯିବାବେଳେ ସେ ଜୋର କରି ଆମ ସମସ୍ତଙ୍କର ଚାହା ପଇସା ବି ମେଣ୍ଟେଇ ଦେଇଗଲେ । ସେ ଚାଲିଗଲା ପରେ ଦେଖିଲି ଦୋକାନର ଅନ୍ୟ ଗରାଖ ମାନଙ୍କର ଆଖି ମୋ ଉପରେ । ନିଜକୁ ବଡ଼ ଅସ୍ଵସ୍ତି ଲାଗିଲା । ବେଶୀ ସମୟ ସେଠି ନ ରହି ଆମେ ବାହାରି ଆସିଲୁ । ଦିନଟା ସାରା ଗୋଟାଏ ନିଶାରେ ବୁଡ଼ି ରହିଲି । ମୁଁ ଯେ ଥିଏଟରର ଲୋକ ଏ କଥା ମୁଁ କାହାକୁ ନ କହିଲେ ବି–କଟକ ସାରା ଜାଣି ଯାଇଛନ୍ତି । ଜାଣି ଯାଇଛନ୍ତି ଅନ୍ନପୂର୍ଣ୍ଣା, ଜନତାର ଶିଳ୍ପୀମାନେ । ତା’ନ ହେଇଥିଲେ ନିରଞ୍ଜନବାବୁ ଜଣିଲେ କେମିତି ? ରବିବାର ଦିନ ସକାଳ ଛଅଟାରେ ବିଶ୍ଵନାଥ ଆଉ ମୁଁ ‘କ୍ୟାପିଟାଲ’ ନ ହେଲେ ‘ପ୍ରଭାତ’ରେ ସିନେମା ଦେଖିବାକୁ ଯିବା କଥା । ହେଲେ ସେ ରବିବାର ବାଦ ପଡ଼ିଲା । ସନ୍ଧ୍ୟାବେଳେ ବିଶ୍ଵନାଥ ଆଉ ମୁଁ ଜନତା ଥିଏଟରରେ ଯାଇ ଯହଞ୍ଚିଲୁ । ନିରଞ୍ଜନ ବାବୁଙ୍କର ଦେଖା ନ ମିଳିଲେ ଭଲ ହୁଅନ୍ତା । ଟିକଟ ନ କାଟି ନାଟକ ଦେଖିବାକୁ ସଙ୍କୋଚ ହେଉଛି । ନା, ହଲ୍ ସାମନା ଖୋଲା ଯାଗାଟାରେ ନିରଞ୍ଜନ ବାବୁ ନାହାନ୍ତି । ସେ ହୁଏତ ଗ୍ରୀନ୍ ରୁମ୍‌ରେ ଥିବେ । ଏତିକିବେଳେ ଟିକଟ କରି ଭିତରେ ପଶିଯିବା ଭଲ । ଟିକଟ କାଉଣ୍ଟର ଭିତରକୁ ହାତ ପୂରେଇ ଦୁଇଟା ଟିକଟ ମାଗିଲା ବେଳକୁ କାଉଣ୍ଟର ଭିତରୁ ନିରଞ୍ଜନ ବାବୁଙ୍କର ସ୍ଵର ଭାସି ଆସିଲା-“ମୁଁ ଏଇଠି ଅଛି ଅସୀମ ବାବୁ-।”

 

ନିରଞ୍ଜନ ବାବୁ ଆମକୁ ଆଣି ଆଗ ଧାଡ଼ିର ମଝି ସିଟ୍ ଦୁଇଟିରେ ବସେଇ ଦେଲେ । କିଛି ସମୟ ପରେ ନାଟକ ଆରମ୍ଭ ହେଲା । ନାଟକ ମଝିରେ ଇଣ୍ଟରଭାଲ୍ । ଜଣେ ଲୋକ ଦୁଇଟି ଚାହା ଗ୍ଳାସ ଆଣି ଆମକୁ ଧରେଇ ଦେଲା । ଏ ଚାହାତ ଖାଲି ଚାହା ନୁହେଁ, ଏକ ସ୍ଵୀକୃତି । ସ୍ଵୀକୃତି, ନାଟକର ସମଝଦାରର । ସ୍ଵୀକୃତି, କଳାକାର, ଅଭିନେତା ଅସୀମ ବସୁର ।

 

ଇଣ୍ଟରଭାଲ୍ ପରେ ପୁଣି ନାଟକ ଆରମ୍ଭ ହେଲା । ନାଟକ ସରିବାକୁ ଆଉ ଦୁଇ ତିନୋଟି ସିନ୍ ବାକି ଅଛି, ଚାହା ଦେଇଥିବା ଲୋକଟି ଗିଲାସ ନବାକୁ ଆସି କାନ ପାଖରେ କହି ଦେଇଗଲା ନିରଞ୍ଜନ ବାବୁ କହିଛନ୍ତି ନାଟକ ସରିଲା ପରେ ଗ୍ରୀନ ରୁମ୍ ପାଖରେ ତାଙ୍କ ସହିତ ଦେଖା କରିବାକୁ ।

 

ବାସ୍, ନାଟକ ଦେଖିବା ସେଇଠି ରହିଲା । ମନେ ମନେ ଭାବିବାକୁ ଲାଗିଲି ନାଟକ ସରିବା ପରର ଦୃଶ୍ୟ । ଦେଖା କଲା ପରେ ନିରଞ୍ଜନ ବାବୁ ନିଶ୍ଚୟ ପଚାରିବେ ନାଟକ କେମିତି ଲାଗିଲା ? ମୁଁ କହିବି–ଭଲ ଲାଗିଲା । ଏଥର ସେ ପୁଣି ପ୍ରଶ୍ନ କରିବେ ନାଟକର କେଉଁ ଯାଗାଟି ବେଶୀ ଭଲ ଲାଗିଲା ଓ କାହିଁକି ? କଣ କହିବି ମୁଁ ? ଏମିତି ବିଶ୍ଲେଷଣାତ୍ମକ ସମାଲୋଚନା ମୁଁ ବା କେଉଁଠି କରି ପାରିବି ? ତେଣୁ ଧରା ପଡ଼ିଯିବି-ମୁଁ ଜଣେ ସାଧାରଣ ଦର୍ଶକଠାରୁ ଭିନ୍ନ ନୁହେଁ । ସାମନା ଚଉକିରେ ସେ ଭୁଲ୍ ଲୋକ ବସେଇଛନ୍ତି । ଭୁଲ୍ ଲୋକକୁ ସେ ଚାହା ପିଏଇଛନ୍ତି । ଧରା ପଡ଼ିଯିବି, ସେ ଯାହା ଭାବିଛନ୍ତି ମୁଁ ତାହା ନୁହେଁ ବୋଲି । ଏମିତି ଭାବୁ ଭାବୁ ନାଟକ ସରିଲା । ମୁଁ ବାଧ୍ୟ ହେଇ ଗ୍ରୀନ୍ ରୁମ୍ ପାଖକୁ ଗଲି । ନିରଞ୍ଜନ ବାବୁ ଆଗରୁ ସେଠି ଠିଆ ହେଇ ଥାଆନ୍ତି । ମତେ ଦେଖି କହିଲେ-ଅସୀମ ବାବୁ । ଆପଣ ଜାଣିଥିବେ ଅଖିଳବାବୁ (ଅଖିଳ ପଟ୍ଟନାୟକ) ଆଉ ମୁଁ ମିଶି ଗୋଟାଏ ଫାର୍ମ କରିଛୁ ‘କୁଇକ୍ କ୍ୟାମେଲ୍” । ଫ୍ୟାମିଲି ପ୍ଲାନିଂର କିଛି ହୋଡ଼ିଂ ଅର୍ଡ଼ର ଆମେ ପାଇବୁ । ଫାଇଲ ଆପଣଙ୍କ ପାଖକୁ ଯିବ ଫାର୍ମର ଜେନୁଇନିଟି ଓ କାମର କ୍ଵାଲିଟି ଉଓରେ ରିପୋର୍ଟ ମାଗି । ଆପଣ ଆମ ସପକ୍ଷରେ ଲେଖି ଦେବେ । ମୁଁ ଆକାଶରୁ ଭୂଇଁକୁ ଖସି ପଡ଼ିଲି । ଠକି ଯାଇଛି । ମଞ୍ଚ ଉପରର ନିରଞ୍ଜନ ଶତପଥି ଓ ମଞ୍ଚ ବାହାରର ନିରଞ୍ଜନ ଶତପଥି ଯେ ଗୋଟିଏ ଲୋକ ନୁହନ୍ତି ଏ କଥା ମୁଁ ଜାଣି ପାରିଲିନି କେମିତି ? ମଞ୍ଚ ବାହାରର ନିରଞ୍ଚନ ଶତପଥି ତ ଆମରି ଭଳି ତେଲ, ଲୁଣ, ସଂସାରର ଲୋକଟିଏ । ତାଙ୍କର “କୁଇଜ୍ କ୍ୟାମେଲ୍”ର କ୍ୟାମେଲଟିକୁ ଦୌଡ଼େଇବାକୁ ପଡ଼ିବ । ଆଉ ସେଇ କ୍ୟାମେଲଟିକୁ ଦଉଡ଼ୁଥିବା ବାଟରେ ଆଗକୁ ଖାଲଟିଏ ଥିଲେ ସେଥିରେ ମାଟି ପକେଇବାକୁ ପଡ଼ିବ । ନିରଞ୍ଜନ ବାବୁଙ୍କ ଆଖିରେ ମୁଁ ସେଇ ମାଟି ଛଡ଼ା କିଛି ନୁହେଁ ।

 

॥ ୨୯ ॥

 

ଲୋକଟା ଜନତା ଥିଏଟର ଓ ନିରଞ୍ଜନ ବାବୁଙ୍କ କଥା କହି ସାରିଲା ପରେ କିଛି ସମୟ ଚୁପ ହେଇ ବସି ରହିଲା, ଯେମିତି ଗୋଟାଏ ଉପନ୍ୟାସର ଗୋଟିଏ ପରିଚ୍ଛଦ ପରେ କିଛିଟା ଫାଙ୍କା ଛାଡ଼ି ତା ପରେ ପରବର୍ତ୍ତି ପରିଚ୍ଛଦ ଲେଖା ହୁଏ । ହେଲେ ଫାଙ୍କାଟା କ୍ରମେ ବଢ଼ିବାକୁ ଲାଗିଲା । ଏ ଯେମିତି ଦୂରଦର୍ଶନରେ କାର୍ଯ୍ୟକ୍ରମ ଦେଖୁ ଦେଖୁ ହଠାତ୍ ରିଲେ ସେଣ୍ଟରରେ ବିଦ୍ୟୁତ୍ ସରବରାହ ବନ୍ଦ ହେଇଗଲା ଏବଂ ଦେଖୁଥିବା ଲୋକ ପରଦା ଉପରେ ଖାଲି ଆଲୁଅର ଝିଲ୍‌ମିଲ୍ ଖେଳ ଦେଖି ଚାଲିଲା । ମୁଁ ବି ସେମିତି ତା’ ମୁହଁକୁ ଚାହିଁ ତାର ପରବର୍ତ୍ତି କଥାକୁ କାନେଇ ଥାଏଁ । ଯଦିଓ ଜାଣେ ସେ ଏଭଳି କିଛି କହି ପାରିବନି ଯାହା ମୋ ପାଖରେ ଅଜଣା । ତା ପାପୁଲିରେ ଏଭଳି କିଛି ଅନୁଭୂତି ନାହିଁ ଯାହା ମୁଁ ଅନୁଭବ ନ କରିଛି । ଥିଲେ ମୁଁ ନିଶ୍ଵାସ ମାରି କହି ପାରନ୍ତି, ଆଃ ମୁଁ ବଞ୍ଚିଗଲି । ତା’ର ପରିଚିତି ମୁଁ ପାଇ ସାରିଛି । ସେ ଆଉ ମୋ ସାଙ୍ଗରେ ଗୋଳେଇ ହେଇ ଯାଇ ପାରିବନି । ମୁଁ-ମୁଁ, ସେ-ସେ । କେଜାଣି ହୁଏତ ମୋ ମନର ଏଇ ଚିନ୍ତା ଟିକକ ବାୟୋ ତା ମନରେ ଅନୁରଣିତ ହେଉଛି ।

 

ହଠାତ୍ ଟିଭି ସେଟ୍‌ର ଫାଙ୍କା ପରଦା ଉପରେ ଛବି ଫୁଟି ଉଠିଲା । ଏ କ’ଣ ! ଏ ତ ଅନ୍ୟ ଚରିତ୍ର ! ପରଦା ଉପରେ “କବିତାର” ମୁହଁ । ଅତୀତରେ ଘଟିଥିବା କିଛି ଘଟଣା ଜାଣିବା ପାଇଁ ନଖ ଦର୍ପଣ ନାମରେ ଏକ ପ୍ରକ୍ରିୟା ଅଛି ବୋଲି ମୁଁ ଶୁଣିଥିଲି ମୁଁ ଆହୁରି ଶୁଣିଥିଲି ନଖ ଦର୍ପଣରେ ଅତୀତରେ ଘଟି ଯାଇଥିବା ଘଟଣାର ପୁନରାଭିନୟ ହୁଏ ଦେଖଣାହାରୀର ତେଲ କଳାବୋଳା ତେଲ କଳାବୋଳା ନଖ ଉପରେ । ଏ ଯେମିତି ସେଇ ନଖ ଦର୍ପଣରେ ଛବି । କବିତାର ମୁହଁ ସାଙ୍ଗକୁ ସେ ଦିନ ଘଟିଥିବା ଘଟଣାର ନାଟ୍ୟରୂପ । ସେଇ ବାଲେଶ୍ଵର କଲେଜରେ ନାଁ ଲେଖେଇବା ବେଳର ଘଟଣା ।

 

ଲୋକଟା କହି ଚାଲିଲା । କବିତା ମୋର ସ୍ଵପ୍ନ ନ ଥିଲା । କବିତାକୁ ନେଇ ଦି ଧାଡ଼ି କବିତା ଲେଖିବା କଥା ବି କେବେ ସ୍ଵପ୍ନରେ ଭାବି ନ ଥିଲି-ହେଲେ କବିତା ଥିଲା । ଆମେ ରହୁଥିବା ଘରର ସାମନା ପଟର ଭଡ଼ାଟିଆ ଦୀନବନ୍ଧୁ ମଉସାଙ୍କ ମଝିଆ ଝିଅ କବିତା । ଫ୍ରକ୍ ଛାଡ଼ି ନୂଆ ନୂଆ ଶାଢ଼ୀ ପିନ୍ଧୁଥିବା କବିତା । ଶାଢ଼ୀର କବିତା, ଫ୍ରକ୍‌ର କବିତା ଭିତରେ କେତେ ଫରକ୍ । ଏ ଯେମିତି ଗୋଟାଏ ଜାଦୁ ପେଡ଼ିର ଖେଳ । ଯାଦୁକର ଯେମିତି ତାର ଖାଲି ପେଡ଼ି ଭିତରେ କେତେଟା କଢ଼ ଥୋଇ ଦେଇ ମନ୍ତ୍ର କଲା । ଆଉ ତା ପରେ ବାହାର କରି ଆଣିଲା ଗୋଲାପର ତୋଡ଼ାଟିଏ । ଚାରି ଆଡ଼ ଫୁଲର ବାସ୍ନାରେ ମହକି ଉଠିଲା ।

 

ଛବି ଆଙ୍କିବା ସେତେବେଳେ ଥିଲା ମୋର ଗୋଟାଏ ନିଶା । ଅନ୍ୟ ପିଲାମାନେ ଯେତେବେଳେ ଖେଳ ପଡ଼ିଆରେ–ମୁଁ ଘର ଚଟାଣରେ ବସି ରଙ୍ଗ ତୂଳୀ ଧରି ଯାହା ମନକୁ ଆସିଲା ଆଙ୍କି ଯାଉଥିଲି । ସିନେମା ପତ୍ରିକାର ନାୟକ ନାୟିକାଙ୍କ ମୁହଁ ନକଲ କରୁଥିଲି । ମିକି ମାଉସ୍‌ର ଛବି ଆଙ୍କି ତା ଉପରେ ରଙ୍ଗ ଚଢ଼ାଉଥିଲି । ରବୀନ୍ଦ୍ରନାଥଙ୍କର କବିତାର ଚିତ୍ରରୂପ ଦେବାର ପ୍ରୟାସ କରୁଥିଲି । ବେଳେ ବେଳେ ଗାନ୍ଧୀ, ଗୋପବନ୍ଧୁ, ସୁଭାଷଙ୍କର ମୁହଁଟି ଆଙ୍କୁଥିଲି । ସାହି ପଡ଼ିଶା ବାହାଘର ବ୍ରତଘର ଚିତା ପକେଇବାଠାରୁ ଆରମ୍ଭ କରି ତକିଆ ଖୋଳ, ବ୍ଳାଉଜ୍, ରୁମାଲରେ ଲତା ଫୁଲ ଆଙ୍କିବାର ଦାୟିତ୍ଵ ମୋ ଉପରେ ନ୍ୟସ୍ତ ହେଉଥିଲା । ଭାଇ ଭାଉଜଙ୍କ ଆଶ୍ରିତ । ମୁଁ ଭାରି ପ୍ରୁଫ୍ ଆଣ୍ଡ ଏକ୍ସପେରିମେଣ୍ଟ ଅଫିସର କିରାଣୀ । ଏଣୁ ତେଣୁ ଅନେକ ଚାକିରି କଲାପରେ ଏଇଠି ଆସି ଠାକି ଯାଇଛନ୍ତି । ସକାଳ ଆଠଟାରେ ତାଙ୍କ ଅଫିସ । ଦିନ ସାରା ଭାଉଜ ଏକା । ତେଣୁ କବିତାର ଆଡ୍ଡା ଦେବା ଯାଗା ଭାଉଜଙ୍କ ଘର ।

 

ସେଦିନ ମୁହଁ ସଞ୍ଜବେଳେ ମୁଁ ଦାଣ୍ଡଘରେ ମୋ ପଢ଼ା ଟେବୁଲ ପାଖରେ ବସି ଖୁବ ମନ ଲଗେଇ ଛବିଟିଏ ନକଲ କରୁଛି । ଭିତରେ ଘରେ ଭାଉଜଙ୍କ ପାଖରେ କବିତାର ବୋଉ ଗପୁଛନ୍ତି-। ମଝିରେ ମଝିରେ ସେମାନଙ୍କର ହସ ଏ ଘରକୁ ଭାସି ଆସୁଛି । କବିତା କୁଆଡ଼ୁ ଦୌଡ଼ି ଦୌଡ଼ି ଆସି ଦାଣ୍ଡ ଘରର ଦୁଆରର ବନ୍ଧ ମଝିରେ ଆସି ଠିଆ ହେଲା । କବିତା ଠିକ୍ ଫ୍ରେମ୍‌ରେ ବନ୍ଧା ହୋଇଥିବା ଛବିଟିଏ ଭଳି ଦିଶୁଛି । ସେ ମୋ ଆଡ଼କୁ ଅନେଇ ହସି ହସି ପଚାରିଲା–କ’ଣ ଚାଲିଛି ଏଠି ? ମୁଁ ତରତର ହୋଇ ଛବିଟିକୁ ଲୁଚେଇ ଦେଲି । “ଓଃ ପାଠ ପଢ଼ା ବନ୍ଦ କରି ଛବି ଅଙ୍କା ଚାଲିଛି ନା ?” କବିତା ଅଭିଭାବକର ଭୂମିକା ନେଇ କହି ଚାଲିଲା । “ବେଶ୍, ମୁଁ ଯାଉଛି ଭାଉଜଙ୍କୁ ସବୁ କହିବି ।”

 

ଭାଉଜ ଯେ ଏ ସବୁ ନେଇ ମତେ କିଚ୍ଛି କହିବେନି ଏ କଥା ମୁଁ ଯେମିତି ଜାଣେ । ସେ ବି ସେମିତି ଜାଣେ । ତେଣୁ ତା କଥାକୁ ଗୁରୁତ୍ଵ ଦେବାର ପ୍ରୟୋଜନ ମୋର ନ ଥିଲା ମତେ ନିରୁତ୍ତର ରହିବାର ଦେଖି ସେ କହିଲା–“କଣ ଆଙ୍କୁଥିଲ ଦେଖେଁ ।” ମୁଁ ଏଥର ଛବିଟିକୁ ହାତରେ ଧରି ଲୁଚେଇ ଦେଲି । ମୁଁ ଚାହୁଁ ନ ଥିଲି ମୋ ଅଙ୍କା ଛବି ଅନ୍ୟ କାହାରି ସମାଲୋଚନାର ବିଷୟ ହେଉ । ମୋର ଭଲ ଲାଗିବାକୁ କେବଳ ମୋରି ଭିତରେ ସୀମିତ ରଖିବାକୁ ଚାହୁଁଥିଲି । କ’ଣ ଦରକାର କବିତା ମୁହଁରୁ ଶୁଣିବା–ଏ, ହେ, ଏ ନାକଟା ବଙ୍କା ହୋଇ ଯାଇଛି, ଆଖି ଦି’ ଟା ଛୋଟ ଲାଗୁଛି, ଓଟ ଦୁଇଟି ମୋଟା ହେଇଛି । କବିତା ଦୁଆର ବ୍ବାନ୍ଧ ଛାଡ଼ି ଆଗେଇ ଆସିଲା । ମୁଁ ଛବି ଧରିଥିବା ହାତକୁ ପଛକୁ ନେଇଗଲି । ଆଉ ଠିକ୍ ସେତିକିବେଳେ ସେ ଛବିଟି ଛଡ଼େଇ ନେବା ପାଇଁ ମୋ ଉପରକୁ ଝାମ୍ପି ପଡ଼ିଲା । ମୁଁ ଏଥିପାଇଁ ପ୍ରସ୍ତୁତ ନ ଥିଲି । ତଳେ ପଡ଼ିଗଲା । କବିତା ମୋ ଉପରେ ଅଜାଡ଼ି ହେଇ ପଡ଼ିଲା କେତୋଟି ମୁହୂର୍ତ୍ତ । କେହି କିଛି କହି ପାରିଲୁନି । ମାତ୍ର କେତୋଟି ମୁହୂର୍ତ୍ତ ତା ପରେ କବିତା ଉଠି ଦୌଡ଼ି ପଳାଇ ଗଲା । କବିତା ଚାହିଁଥିଲେ ଛବିଟି ସେଇ ମୁହୂର୍ତ୍ତରେ ନେଇ ଯାଇ ପାରନ୍ତା । ହେଲେ ସେ ମୁହୂର୍ତ୍ତରେ ହୁଏତ ସେ ଛବି ତା ପାଖରେ ପ୍ରୟୋଜନହୀନ ମନେ ହେଇଥିଲା । ପ୍ରୟୋଜନ ହୀନ ମନେ ହେଇଥିଲା ମୋ ପାଖରେ ବି । ସେଇ କେତୋଟି ମୁହୂର୍ତ୍ତର ଅନୁଭୂତି ଜୀବନର ଚରମ ମୂଲ୍ୟ ଦେଇ ଧରି ରଖିବାକୁ ମୁଁ ବ୍ୟଗ୍ର ହୋଇ ଉଠିଥିଲି । ମୋର ସବୁ କିଛିର ବିନିମୟରେ ସେଇ ମୁହୂର୍ତ୍ତ ଟିକକ ଫେରି ପାଆନ୍ତି କି ! ମୁଁ ଧିରେ ଧିରେ ନିଜକୁ ସଂଯତ କଲି । ଉଠି ଠିଆ ହେଇ ମନେ ମନେ ସମସ୍ତ ଘଟଣାକୁ ରୋମନ୍ଥନ କଲି । ଆଉ ଠିକ୍ ସେତିକି ବେଳେ, ମୁଣ୍ଡ ଭିତରେ କୌଣସି ଏକ ଦୁଷ୍ଟ କୀଟର ଦଂଶନ ମୁଁ ଅନୁଭବ କଲି । କୌତୁହଳ ମତେ ପ୍ରରୋଚିତ କଲା କବିତାକୁ ଆହୁରି ଜାଣିବାକୁ ଆହୁରି ଚିହ୍ନିବାକୁ । ବାହାରର କବିତା ନୁହେଁ । କବିତା ଭିତରେ ଲୁଚି ରହିଥିବା ଆଉ ଏକ କବିତାକୁ ଆବିଷ୍କାର କରିବାର ନିଶାରେ ମୁଁ ମାତି ଉଠିଲି-। ମୋ ଛବି ଆଙ୍କିବା କାଗଜରୁ ଖଣ୍ଡେ ଟାଣିଆଣି ତା ଉପରେ ସୁନ୍ଦର ଅକ୍ଷରରେ ଲେଖିଲି “କବିତା”-। ଆଉ ସେହି ନାଁଟିକୁ ସଜେଇବା ପାଇଁ ତାରି ଚାରିକଡ଼ରେ ଲତା ଓ ଫୁଲ ଆଙ୍କିଲି । ରଙ୍ଗ ଶିଶି ଖୋଲି ସେ ଲତାରେ ସେ ଫୁଲରେ ସେ ନାଆଁରେ ରଙ୍ଗ ଦେଲି । ମୁଁ ଯେମିତି ସେ ଲେଖା ଖଣ୍ଡିକରେ ନୁହେଁ–କବିତା ଦେହରେ ରଙ୍ଗ ବୋଳି ତାକୁ ମନ ଇଚ୍ଛା ସଜାଇ ଚାଲିଛି । କାହିଁକି କେଜାଣି ମନେ ହେଲା-କବିତା ଆସିବ । ଆଉ ଥରେ ଆସିବ । ହୁଏତ କିଛି ପ୍ରତ୍ୟାଶା ନେଇ ଆସିବ । ଲେଖାଟିକୁ ଓଲଟେଇ ଟେବୁଲ ଉପରେ ଥୋଇ ମୁଁ ବାହାରି ଗଲି ଘର ଭିତରୁ । ମୋର ଅନୁମାନ ମିଛ ହେଲାନି । ଦୂରର ଦେଖିଲି କବିତା ମୋ ଘର ଭିତରେ ପଶିଲା । କିଛି ସମୟ ପରେ ମୁଁ ଦୁଆର ମୁହଁରେ ଛିଡ଼ା ହୋଇଥିବା ଜାଗାରେ ଠିଆ ହେଲି । କବିତା ମୋ ଚଉକିରେ ବସି ମୁଁ ଆଙ୍କିଥିବା କାଗଜଟିକୁ କାଟି ଲକେଟି ବନେଇ ସୂତା ଲଗେଇ ବେକରେ ଝୁଲେଇଛି । କବିତା ଯେଉଁଠି ଠିଆ ହେଇ ଫ୍ରେମ୍‌ରେ ବନ୍ଧେଇ ଛବି ପାଲଟି ଯାଇଥିଲା ଏବେ ମୁଁ ସେଇଠି ଛବି ପାଲଟି ଠିଆ ହେଇଛି । ସେ ଛବିର ମୁହଁରେ ଆଶଙ୍କାର ଅଭିବ୍ୟକ୍ତି । ଏ କ’ଣ ! କବିତା କ’ଣ ଏମିତି ସେଇ କାଗଜ ଖଣ୍ଡିକ ଝୁଲେଇ ଭାଉଜଙ୍କ ସାମନାକୁ ଯିବ ନା କ’ଣ ? ଏଥର ମୁଁ ଝାମ୍ପି ପଡ଼ିଲି କବିତା ଉପରକୁ । ସୂତା ଛିଣ୍ଡେଇ କାଗଜଟିକୁ ମୋ ହାତକୁ ନେଇ ଆସିବି ଭାବିଲି-। ହେଲେ ପାରିଲିନି । ସୂତା ଛିଣ୍ଡେଇ ଦେଲି ସିନା ହେଲେ କାଗଜଟା କବିତା ପାପୁଲିରେ ରହିଗଲା । ମୁଁ ଅଧିକ ଜୋର ଜବାରଦସ୍ତି କରିବା ଆଗରୁ କବିତା କାଗଜଟିକୁ ବ୍ଳାଉଜ ଭିତରେ ପୂରେଇ ହସିବାକୁ ଲାଗିଲା-। ଆଉ ମୁଁ ସ୍ଥାଣୁ ପାଲଟି ରହିଗଲି ।

 

ସେଦିନରେ ସେଇ ଘଟଣା ପରେ ମୁଁ କବିତାକୁ ଲୁଚୁଥିଲି । ଡରୁଥିଲି, କାଳେ କବିତା ସବୁ କଥା ଭାଉଜଙ୍କ କହିଦେବ । ହେଲେ ବେଶୀଦିନ ଲୁଚି ରହିବାକୁ ପଡ଼ିଲାନି । ଦୀନବନ୍ଧୁ ମଉସା ବାଲେଶ୍ଵର ଛାଡ଼ି କୁଆଡ଼େ ଗୋଟାଏ ଯାଗାକୁ ବଦଳି ହୋଇଗଲେ । କବିତା ବି ଆଖି ସାମନାରୁ ଉଭେଇ ଗଲା ।

 

ଏତକ କହିସାରି ଲୋକଟା ଟିକିଏ ଦମ ନେଲା । ତାପରେ କହିଲା କବିତାକୁ ଆଉ ଥରେ ଦେଖିଲି କଟକରେ । ମହାମାୟା କ୍ଳବର ରଙ୍ଗ ମଞ୍ଚରେ । ମୁଁ ଅଭିନେତା, କବିତା ଦର୍ଶକ । କବିତାର ବଡ଼ ଭାଇ ବିଶ୍ଵେଶ୍ଵର ଭାଇ ମତେ କଟକରେ ରାସ୍ତାରେ ଦିନେ ଆବିଷ୍କାର କରି ଟାଣି ନେଇ ଗଲେ ମହାମାୟା କ୍ଳବକୁ । ଦୁର୍ଗାପୂଜାରେ ନାଟକ ହବ । ବଙ୍ଗଳା ନାଟକ କିରଣ ମୈତ୍ରଙ୍କର “ବାରୋଘଣ୍ଟା” । ନିର୍ଦ୍ଦେଶନା ଦାୟିତ୍ଵରେ ବିଶ୍ଵେଶର ଭାଇ ନିଜେ । ମୁଖ୍ୟ ଚରିତ୍ରମାନଙ୍କ ଭିତରୁ ଗୋଟାକରେ ମୁଁ ଓ ଅନ୍ୟଟିରେ ଶିବୁ ସରକାର । ଶିବତୋଷ ସରକାର ସେତେବେଳେ ସୌଖିନ କଳାକାର ଭାବରେ ଯଥେଷ୍ଟ ନାଆଁ କମେଇ ଥାଆନ୍ତି । ତାଙ୍କ ସାଙ୍ଗରେ ଅଭିନୟ କରୁଥିବାରୁ ମନେ ମନେ ଗର୍ବ ଅନୁଭବ କରୁଛି । ବିଶ୍ଵେଶ୍ଵର ଭାଇଙ୍କ ସାଙ୍ଗରେ ସବୁଦିନ ଦେଖା ହେଉଥିଲେ କି କବିତା ବିଷୟରେ କି ଦୀନବନ୍ଧୁ ମଉସୀଙ୍କ ବିଷୟରେ କେବେ କିଛି ପ୍ରଶ୍ନ କରିନି । କବିତା ବିଷୟରେ ଭୟ ଏବେ ବି ମୋର ଯାଇନି ।

 

ମୋର ସେଇ ନାଆଁ ଲେଖିବା କଥା ହୁଏତ ସେ ତା ବୋଉକୁ କହିଥିବ । ତା ପରେ ବିଶ୍ଵେଶ୍ଵର ଭାଇ ଓ ଅନ୍ୟମାନେ ଜାଣିଥିବେ । କଣ ଦରକାର ସେଇ ଲଜ୍ୟାକର ଘଟଣାକୁ ଆଉ ଥରେ ଉଖୁରେଇ ବାହାର କରିବା ?

 

ନାଟକ ମଞ୍ଚସ୍ଥ ହେଲା । କଟକରେ ମୋର ପ୍ରଥମ ଅଭିନୟ । ନାଟକ ସରିଲା ପରେ ଅନେକ ଦର୍ଶକ ମୋର ପିଠି ଥାପୁଡ଼େଇଲେ । ମୁଁ ଯେ ଖରାପ ଅଭିନୟ କରେନି ଏ କଥା ପ୍ରଥମ ଅଭିନୟ ରଜନୀରେ ହିଁ ପ୍ରମାଣ କରି ପାରିଛି । ଅନେକଙ୍କର ଅନେକ ପ୍ରଶଂସା, ଅନେକ ବାହାବା ଭିତରେ ବି ଗୋଟିଏ ମୁହଁକୁ ମୁଁ ବାର ବାର ଚିହ୍ନିବାକୁ ଚେଷ୍ଟା କରୁଛି । ମୋ ଠାରୁ ବେଶ୍ ଦୂରରେ ମୁଣ୍ଡରେ ଅଧା ଓଢ଼ଣା ଟାଣି ସ୍ତ୍ରୀଲୋକ ଜଣେ ଠିଆ ହେଇ ଥରକୁ ଥର ମୋତେ ହିଁ ଦେଖୁଛି । ମୁଁ କିଛିଟା ପାଖକୁ ମାଡ଼ଗଲି ଭଲ ଭାବରେ ଲକ୍ଷ କରିବା ପାଇଁ । ଏଥର ଚିହ୍ନି ପାରିଲି, କବିତା ! କାନ୍ଧ ଉପରେ ପ୍ରାୟ ଦେଢ଼ ବର୍ଷର ପିଲାଟିଏ ଶୋଇ ଯାଇଛି । ମୁଁ ତା ପାଖକୁ ଆଗେଇ ଯାଇ ଡାକିଲି–କବିତା !

 

କବିତା ଅଳ୍ପ ହସି କହିଲା ଚିହ୍ନି ପାରିଲ ତା ହେଲେ ?

 

ଭାଇଙ୍କ ପାଖରୁ ତମ କଥା ଶୁଣିଛି । ତମ ଅଭିନୟର ପ୍ରଶଂସା ତାଙ୍କ ମୁହଁରୁ ବି ଶୁଣିଛି-। ଏବେ ଦେଖିଲି, ସତରେ ତମେ ଖୁବ୍ ଭଲ ଅଭିନୟ କରି ପାର । ସେ ଦିନ ବାଲେଶ୍ଵରରେ ତମ ପଢ଼ା ଟେବୁଲ ପାଖରେ ଯାହା ଘଟିଥିଲା ସେ ସବୁ ଯେ ଖାଲି ଅଭିନୟ ଥିଲା-ଆଜିର ଅଭିନୟ ଦେଖିଲା ପରେ ମୁଁ ବୁଝିଲି । ମୁଣ୍ଡରେ ଓଢ଼ଣା, କପାଳର ସିନ୍ଦୁର ଦେଖି ମୁଁ ବୁଝି ପାରିଥିଲି–କବିତା ବାହା ହେଇ ଯାଇଛି । କାନ୍ଧ ଉପରେ ଶୋଇଯାଇଥିବା ପିଲାଟି ଯେ ତାର, ଏଥିରେ ଆଉ ପଚାରି ବୁଝିବାର କିଛି ନାହିଁ ଠିକ୍ ଏତିକିବେଳ ବିଶ୍ଵେଶ୍ଵର ଭାଇ ସେଠି ଆସି ପହଞ୍ଚିଲେ ଏବଂ ମତେ ଦେଖିଇ କହିଲେ–କ’ଣ କହୁଥିଲି କବିତା ! ଅସୀମ ଗୋଟେ ଭଲ ଅଭିନେତା ନୁହେଁ ? ଉତ୍ତରରେ କବିତା କହିଲା ପକ୍‌କା ଅଭିନେତା, ମୁଁ ଆଗରୁ ଜାଣି ନ ଥିଲି । ବିଶ୍ଵେଶର ଭାଇ ଓ କବିତା, ତାଙ୍କ ଘରକୁ ଯିବା ପାଇଁ ଆମନ୍ତ୍ରଣ ଜଣାଇ ଚାଲିଗଲେ । ପ୍ରୟୋଗ ଭଙ୍ଗିରେ “ଭଲ ଅଭିନେତା” ଏବଂ “ପକ୍କା ଅଭିନେତା” ଭିତରେ କେତେ ଫରକ୍ ! ଯଦି ଓ ଦୁଇଟି ଯାକ ଶବ୍ଦ ପ୍ରଶଂସା ବ୍ୟଞ୍ଜନ ।

 

କବିତା ଘରକୁ ଯିବି କି ନାହିଁ ? ତାହା ସହିତ ଆଉ ଥରେ ମୁହାଁ ମୁହିଁ ହେବି କି ନାହିଁ ଏମିତି ଭାବୁ ଭାବୁ ଦୁଇଟି ରବିବାର କଟିଗଲା । ତୃତୀୟ ରବିବାର ଆସିବା ଆଗରୁ ମୁଁ ପ୍ରାୟ ନିଶ୍ଚିତ ହୋଇଗଲି–କବିତା ଆଉ ସେଠି ନ ଥିବ । ସେ ନିଶ୍ଚୟ ପୂଜା ଛୁଟିରେ ବାପା ପାଖକୁ ଆସିଥିବ ଏବଂ ଛୁଟିପରେ ଚାଲିଯାଇଥିବ ତା ସ୍ଵାମୀ ପାଖକୁ । ସେଦିନ ମହାମାୟା କ୍ଳବରେ ତା ବିଷୟରେ, ତା ସ୍ଵାମୀ ବିଷୟରେ କିଛି ଜାଣି ପାରି ନ ଥିଲି । ଜାଣିବାର ସୁଯୋଗ ବି ନ ଥିଲା । ତେଣୁ ତୃତୀୟ ରବିବାର ଉପରଓଳି ଠିକଣା ମିଳେଇ ଯାଇ ପହଞ୍ଚିଲି ବିଶ୍ଵେଶ୍ଵର ଭାଇ ଘରେ । କବାଟ ଖୋଲି ଠିଆ ହେଲା କବିତା । ମୋର ସମସ୍ତ ବିଚାରକୁ ଓଲଟ ପାଲଟ କରି କବିତା ପ୍ରଶ୍ନ କଲା-ଆସିଲ ତା ହେଲେ ? ଘର ଭିତରକୁ ପଶି କବିତାର ମାଆଙ୍କୁ ମୁଣ୍ଡିଆ ମାରିଲି । ପ୍ରଥମେ ମାଉସୀ ଚିହ୍ନି ପାରିଲେ ନି । ପରିଚୟ ଦେଲା କବିତା । ମାଉସୀ ଖୁବ୍ ଖୁସି ହେଲେ ପରିଚୟ ପାଇ ଘରର ଅନ୍ୟାନ୍ୟ ଖବର ପଚାରି ବୁଝିଲେ ସ୍ଵାଭାବିକ ଭାବରେ । ତା’ ପରେ ନିଜ କଥା ବଖାଣି ବସିଲେ । ଡାଇବେଟିସ୍‌ରେ ଭୋଗୁଛନ୍ତି ସେ । କବିତାର ବାହା ଦେଇଥିଲେ ଜଣେ ଇଞ୍ଜିନିୟର ପାତ୍ର ଦେଖି । ହେଲେ କବିତା ସେଠି ବେଶୀ ଦିନ ରହି ପାରିଲାନି । ନାନା ପ୍ରକାର ଗଣ୍ଡଗୋଳ ପରେ କବିତା ଏବେ ତାର ପିଲାଟିକୁ ନେଇ ଏଠି । ଏମିତି ଅନେକ କଥା । କଥା ମଝିରେ କବିତା ଚାହା ଜଳଖିଆ ନେଇ ଆସିଲା ଆଉ କଥାର କେଉଁ ଏକ ଫାଙ୍କରେ ମାଉସୀ ସେଠୁ ଉଠି ଯାଇଛନ୍ତି ମୁଁ ଖିଆଲ କରିନି । ଘର ଭିତରେ ଏକା କବିତାକୁ ଦେଖି ମୁଁ ଅସ୍ଵସ୍ଥି, ବୋଧ କଲି । କବିତା ଏତିକିବେଳେ ମୋ ଆଡ଼କୁ ତାର ହାତ ମୁଠା ମେଲି ଧରିଲା । ପାପୁଲି ଉପରେ ସେଦିନର ସେହି କାଗଜ ଖଣ୍ଡିକ । ସେମିତି ଲତା ଫୁଲ ଭିତରେ ଲେଖା ଗୋଟିଏ ନାଆଁ କବିତା ।

 

ଏଇଟା ଏଥର ଫେରାଇ ନିଅ-କବିତା କହିଲା । ଆଠ ବର୍ଷ ତଳର କାଗଜ ଖଣ୍ଡିକ ଏ ଯାଏଁ ସେ ସାଇତି ରଖିଛି ଭାବି ପାରି ନ ଥିଲି । ସେଦିନ ସେଇ କାଗଜ ଖଣ୍ଡିକ ଛଡ଼ାଇ ନେବାକୁ ଚାହିଁଥିଲି ତା ହାତରୁ–ହେଲେ ଆଜି ମନେ ମନେ ଭାବୁଛି ସେଇଟା ତା ପାଖରେ ସେମିତି ଥାଆନ୍ତା କି । ମୁଁ ତା ହାତ ପାପୁଲି ଭିତରେ ରହି ଯାଆନ୍ତି କି ସବୁଦିନ ପାଇଁ ।

 

ଦିନଟାସାରା କିଛି କାମ ନାହିଁ । ଯିଏ ମୋର ନିୟୋଗକର୍ତ୍ତା ସେ ବି ଜାଣନ୍ତିନି ମତେ କେଉଁ କାମରେ ଲଗେଇବେ । ତେଣୁ ନିଜ କାମ ନିଜକୁ ତିଆରି କରିବାକୁ ପଡ଼ିଲା । ହଇଜା, ବସନ୍ତ, ମିଳିମିଳା ପ୍ରଭୃତିକୁ ଲୋକଙ୍କୁ ସତର୍କ କରିବା ପାଇଁ ପୋଷ୍ଟର ଡିଜାଇନ୍ ତିଆରି କଲି । ସେ ପୋଷ୍ଟର ଛପା ହେଇ ଗାଆଁ ଗହଳିରେ ମରା ହେଲା । ରଥଯାତ୍ରା ବେଳେ ପୁରୀରେ ଜିପ୍‌ରେ ବସି ନାଟକୀୟ ଭଙ୍ଗୀରେ ଲୋକଙ୍କୁ ସତର୍କବାଣୀ ଶୁଣେଇଲି । ଏସବୁ ସରକାରୀ କାମ ଛଡ଼ା ବହିର ପ୍ରଚ୍ଛଦ ଚିତ୍ର ପ୍ରକାଶକ ଓ ଲେଖକମାନଙ୍କର ପ୍ରୟୋଜନ ଅନୁଯାୟୀ ତିଆରି କଲି । ଏତିକିବେଳେ ଭୁବନେଶ୍ଵରରେ ଏ. ଆ. ସି. ସି.ର ସଭା ବସିବାର ଆୟୋଜନ ଚାଲିଲା । ଭୁବନେଶ୍ୱରରେ ପ୍ରଥମ କରି ଫୁଟ୍‌ପାଥ୍‌ ତିଆରି ହେଲା ରାସ୍ତା ସବୁ ଚଉଡ଼ା କରାହେଲା । ଏ. ଆଇ. ସି. ସି. ପାଇଁ ପ୍ରଦର୍ଶନୀ ମଧ୍ୟ ହେବ । ଆମ ଅଫିସକୁ ଚିଠି ଆସିଛି । ସେ ଚିଠି ବୁଲି ବୁଲି ଫାଇଲ୍ ସମେତ ଆସି ପହଞ୍ଚିଲା ମୋ ପାଖରେ । ମୋ ପ୍ରତି ନିର୍ଦ୍ଦେଶ, ଡିଜାଇନ୍ ବନାଅ ପ୍ରଦର୍ଶନୀର । କେମିତି ହବ ପ୍ରଦର୍ଶନୀ ମଣ୍ଡପର ମୁଖଶାଳା ? କେମିତି ହବ ଭିତରେ ସାଜ ସଜ୍ଜା ?

 

ସେଦିନ ଅଫିସରେ ବସି ପ୍ରଦର୍ଶନୀ ପାଇଁ ନକ୍‌ସା ତିଆରି କରୁଛି ଡାକରା ଆସିଲା ସେକ୍ରେଟାରୀଙ୍କ ପାଖରୁ । ଖାଲି ଡାକରା ନୁହେଁ, ତାଙ୍କ ଗାଡ଼ି ମଧ୍ୟ ଆସିଛି ମତେ ନେଇଯିବା ପାଇଁ-। ମୋ ପାଖରେ ସେକ୍ରେଟାରୀ ଈଶ୍ଵର ତୁଲ୍ୟ । ଚାକିରିରେ ଯୋଗ ଦେଲା ପରଠାରୁ ମୁଁ ତାଙ୍କୁ ଦର୍ଶନ କରିନି । କରିନି ଏଇଥିପାଇଁ ଯେ ମୋର ବିଶ୍ଵାସ ତାଙ୍କ ଅଫିସ୍‌ରେ ଆର୍ଟଷ୍ଟର କିଛି ଭୂମିକା ଥିବ ଏକଥା ସେ ହୁଏତ ଅବଗତ ନ ଥିବେ । ଷଣ୍ଢ ଶିଙ୍ଗରେ ବସିଥିବା ମଶାର ଉପସ୍ଥିତି ଷଣ୍ଢ ଜାଣି ନ ପାରିଲା ଭଳି ମୋ ଉପସ୍ଥିତି ମଧ୍ୟ ସେ ଜାଣି ନ ଥିବେ । ହେଲେ ସେଇ ସେକ୍ରେଟାରୀଙ୍କ ପାଖରୁ ଡାକରା ଆସିଛି ଅସୀମ ବସୁ ନାମକ ଆର୍ଟିଷ୍ଟ ଜଣକୁ ନେଇଯିବା ପାଇଁ । ଅଫିସ ସାରା ଚହଳ ପଡ଼ିଗଲା । ଏକାନରୁ ସେ କାନ ହେଇ କଥା ଯାଇ ପହଞ୍ଚିଗଲା ମୋର ନିୟୋଗକର୍ତ୍ତା ପି. ସି. ମହାନ୍ତିଙ୍କ ପାଖରେ । ସେ ଡକେଇ ପଠେଇଲେ ମତେ । ସେକ୍ରେଟାରୀଙ୍କ ପାଖକୁ ଯିବା ଆଗରୁ ତାଙ୍କ ପାଖରେ ଯାଇ ପହଞ୍ଚିଲି । ସେ ମତେ ଦେଖି ସବୁ କାମ ବନ୍ଦ କରି ଆଗ ମତେ ବୁଝେଇବାକୁ ଲାଗିଲେ “ଦେଖ ଅସୀମ । ସେକ୍ରେଟାରୀ ଯେଉଁ କାମ ବରାଦ୍ କରିବେ କିଛି ପ୍ରତିବାଦ ନ କରି ଏବେ କରି ଦଉଛି ବୋଲି କହି ମତେ ଦେଖା କରିବ ।” ବାସ୍ ଏତିକି ଉପଦେଶ ମୁଣ୍ଡରେ ଧରି ତାଙ୍କ ଗାଡ଼ିରେ ବସି ତାଙ୍କ ସାମନାରେ ଆସି ହାତଯୋଡ଼ି ନମସ୍କାର କଲି । ସେ ମତେ ବସିବାକୁ ନିର୍ଦ୍ଦେଶ ଦେଲେ । ତାପରେ କହିଲେ-ମନ୍ତ୍ରୀ ବନମାଳୀବାବୁ ତମକୁ ଡକେଇଛନ୍ତି । ଏବେ ମୋ ଗାଡ଼ିରେ ତାଙ୍କ ବସାକୁ ଯାଇ ଦେଖା କର । ସେ ଯାହା କରିବାକୁ ଦେବେ, ନ କରିବା ପାଇଁ କିଛି ଆଳ ଦେଖେଇବନି । ମତେ ଆସି କହିବ କ’ଣ ହେଲା । ସେକ୍ରେଟାରୀଙ୍କ ନିର୍ଦ୍ଦେଶ ମାନି ତାଙ୍କ ଗଡ଼ିରେ ବସି ମନ୍ତ୍ରୀଙ୍କର ଘରେ ଯାଇ ପହଞ୍ଚିଲି । ଖବର ପଠେଇବା ପରେ ମନ୍ତ୍ରୀ ଘର ଭିତରକୁ ଡାକିଲେ ।

 

ତାଙ୍କ ପାଖରେ ପହଞ୍ଚିଲା ମାତ୍ରେ ସେ କହିଲେ

 

-ଆପଣ ଅସୀମବାବୁ ?

 

ମୁଁ ହଁ କଲାରୁ ସେ ମତେ କିଛି ଗେଟ୍‌ର ଡିଜାଇନ୍ କରିବାକୁ କହିଲେ । ଏ. ଆଇ. ସି. ସି.ର ଗେଟ୍ ଡିଜାଇନ୍ ।

 

ମୁଁ ଏଥିପାଇଁ ତିନିଦିନ ସମୟ ମାଗିଲାରୁ ସେ କହିଲେ ତିନିଦିନ ନୁହେଁ ଦୁଇଦିନ ଭିତରେ କରି ଦେବେ । ସେକ୍ରେଟାରୀଙ୍କ ନିର୍ଦ୍ଦେଶ ମନେ ପଡ଼ିଲା । ମନ୍ତ୍ରୀଙ୍କ କଥାକୁ ମାନିନେବାକୁ ହେବ । ମୁଁ ରାଜି ହେଲି ।

 

ଦୁଇଦିନ ପରେ ଡିଜାଇନ୍ ଧରି ମନ୍ତ୍ରୀଙ୍କୁ ଭେଟିଲି । ସେ ଡିଜାଇନ୍ ସବୁ ଦେଖିଲା ପରେ ମତେ ପଚାରିଲେ–ଏଥିରୁ କେତେଟା ଆପଣ କରି ଦେଇ ପାରିବେ ? ମୁଁ ବଡ଼ ଅଡ଼ୁଆରେ ପଡ଼ିଲି । ଏ ସବୁ କାମ ସ୍ଵାଧୀନ ଭାବରେ ମୁଁ କେବେ କରିନି ଏଥିରେ କେତେ କାଠ ଲାଗିବି କେତେ ଲୋକ ଲାଗିବେ ସେ ଧାରଣା ମୋର ନାହିଁ । ହେଲେ କିଛି କରିପାରିବିନି ଏ କଥା ବି କହି ହବନି । ଜଏଣ୍ଟ ଡାଇରେକ୍ଟର ପି. ସି. ମହାନ୍ତି, ସେକ୍ରେଟାରୀ ସମସ୍ତଙ୍କର ନିର୍ଦ୍ଦେଶ ମନେ ପଡ଼ିଲା । ମୁଁ କହିଲି–ମତେ ଗୋଟାଏ ଦିଅନ୍ତୁ ।

 

ବନମାଳୀବାବୁ ମୋ ମୁହଁକୁ ଅନେଇଲେ । ତା’ପରେ କହିଲେ ଠିକ୍ ଅଛି ଗୋଟାଏ କରନ୍ତୁ । ଅନ୍ୟଗୁଡ଼ାକୁ ମୁଁ କରେଇ ନେବି ଅନ୍ୟ ଲୋକଙ୍କୁ ଦେଇ ।

 

ଏତକ କହି ଗୋଟାଏ ଡିଜାଇନ୍ ମତେ ବଢ଼େଇଦେଲେ ।

 

ମୁଁ ବି ମନେ ମନେ ଚାହୁଁଥିଲି ସେଇ ଡିଜାଇନର ଗେଟ୍‌ଟି କରିବାକୁ ।

 

ଏଥର ବନମାଳୀବାବୁ ପ୍ରଶ୍ନ କଲେ–କେତେ ଟଙ୍କା ଲାଗିବ ଏ ଗେଟ୍ ପାଇଁ ?

 

ତାଙ୍କର ପ୍ରଶ୍ନ ଉତ୍ତର ମୋ ପାଖରେ ନ ଥିଲା । ମୁଁ କେମିତି କହିବି-କେତେ ଟଙ୍କାର କାଠ ଲାବିବ । କେତେ ଟଙ୍କାର ସପମସିଣା ଲାଗିବ, କେତେ ଟଙ୍କା ଖର୍ଚ୍ଚ ହବ ବଢ଼େଇ ମଜୁରିରେ ? ତେଣୁ ମୁଁ ତାଙ୍କୁ ଓଲଟା ପ୍ରଶ୍ନ କଲି-ଆପଣ କେତେ ଟଙ୍କା ଏଇ ଗେଟ ବାବଦ ଖର୍ଚ୍ଚ କରିପାରିବେ ମତେ କହିଲେ ମୁଁ ତା’ରି ଭିତରେ କରିବାକୁ ଚେଷ୍ଟା କରିବି ।

 

ବନମାଳୀବାବୁ ବୁଝି ପାରିଲେ ଏ ଲୋକର ରଙ୍ଗ ତୁଳୀର ଚାଷ ଅଛି ସିନା ହେଲେ ଆଉ ସବୁଥିରେ ଫମ୍ପା । ସେ କହିଲେ–ପାଞ୍ଚ ହଜାରରୁ ଅଧିକା ନାମେ ଗେଟ୍ ଗୋଟାକରେ ଖର୍ଚ୍ଚ କରିବୁନି । ପାଞ୍ଚ ହଜାର ! ସିଏତ ଅନେକ ଟଙ୍କା । ଏତେ ଟଙ୍କା କ’ଣ ଖାଲି ଗୋଟାଏ ଗେଟ୍ ପାଇଁ ଖର୍ଚ୍ଚ କରିବା ଉଚିତ ? ଏମିତି ଅନେକ ପ୍ରଶ୍ନ ମନ ଭିତରେ ଖେଳି ବୁଲିଲା ।

 

ବନମାଳୀବାବୁ ମୋ ହାତରେ ଦୁଇ ହଜାର ଟଙ୍କା ଧରେଇ ଦେଇ କହିଲେ–କାମ ଆରମ୍ଭ କରନ୍ତୁ । ସେକ୍ରେଟାରୀ ଓ ଜଏଣ୍ଟ ଡାଇରେକ୍ଟରଙ୍କ ସବୁ କଥା କହିଲି । ଜଏଣ୍ଟ ଡାଇରେକ୍ଟର ପଚାରିଲେ–ବନମାଳୀବାବୁ ସାଙ୍ଗରେ କ’ଣ ତମର ଆଗରୁ ପରିଚୟ ଥିଲା ? ମନା କଲାରୁ ସେ ପୁଣି ପ୍ରଶ୍ନ କଲେ–ତା’ ହେଲେ ସେ ତମ କଥା ଜାଣିଲେ କେମିତି ? ସେଇ ଏକା ପ୍ରଶ୍ନ ମୋର ବି–ସେ ମତେ ଜାଣିଲେ କେମିତି ? ଏବେ ଆଉ ସେ କଥାରେ ମୁଣ୍ଡ ଖେଳେଇ ଲାଭ ନାହିଁ । କାମ ଆରମ୍ଭ କରିବାକୁ ପଡ଼ିବ । ଏ. ଜି. ଅଫିସ୍ ଛକ ପାଖରେ ଯେଉଁ ଗୋଲେଇ ନୂଆ କରି ତିଆରି ହେଇଛି ତାରି ଆଗକୁ ଗେଟ୍ ଲଗାଯିବ । କଟକରେ ଯେଉଁମାନେ କଳାବିକାଶ କେନ୍ଦ୍ରରେ ମୋ ସାଙ୍ଗରେ ସେଟ୍‌କାମ କରୁଥିଲେ ସେଇ ବଢ଼େଇମାନଙ୍କୁ ନେଇ ଆସିଲି । ଏଠି ମୋ ସହିତ ରହିଲା ବଢ଼େଇ ମଦନ ମହାରଣା । ଯିଏକି ନୂଆ କରି ଚାକିରି କରିଛି ମୋର ସାଙ୍ଗରେ ଏକା ଅଫିସ୍‌ରେ ।

 

ଏଣେ ଆମ ସ୍ୱାସ୍ଥ୍ୟ ବିଭାଗ ପ୍ରଦର୍ଶନୀର ଡିଜାଇନ୍ ପ୍ରସ୍ତୁତ ହେଇ ସାରିଛି । ଭିତରେ କେମିତି କ’ଣ ସଜା ହବ ତା ପାଇଁ ବି ବିଷୟ ତିଆରି କରିଛି । ବଞ୍ଚିବା ପାଇଁ ମଣିଷର ପ୍ରଥମ ଚାହିଦା ଖାଦ୍ୟ ଓ ପାଣି । ଆଦିମ ମାନବର ସେଇ ଚାହିଦାଠାରୁ ଆରମ୍ଭ କରି ଖାଦ୍ୟ ଓ ପାନୀୟର ବିଶୁଦ୍ଧତା ଓ ରୋଗ ନିରାକାରଣ ଏମିତି ଗୋଟାଏ କାହାଣୀ ପ୍ରସ୍ତୁତ କରିଥାଏ ସେ କାମ ପାଇଁ । ବାହାରୁ ଟେଣ୍ଡର ମାଗି କାମ ଦିଆ ହେଲା । କାମ ତାଦରଖର ଭାର ମୋ ଉପରେ । ଗେଟ୍ କାମ ଆରମ୍ଭ ହେଲା । ଚଉଡ଼ା ରାସ୍ତାର ଏପାଖ ସେ ପାଖରେ ଖୁଣ୍ଟ ବସେଇ ଗେଟ୍ ତିଆରି ହେଉଛି । କାମର ସୁବିଧା ପାଇଁ ମଝିରେ ଗୋଟାଏ ଖୁଣ୍ଟ ଲଗା ହୋଇଛି । କାଠ କାମ ସରିଲା ହେଲେ ମଝି ଖୁଣ୍ଟ କାଢ଼ି ହଉନି । କାଢ଼ି ଦେଲେ ମଝିକୁ ଭାଙ୍ଗି ପଡ଼ିବ ମନେ ହେଉଛି । ବନମାଳୀବାବୁ ରାତିରେ ଘଣ୍ଟା ଘଣ୍ଟା ଧରି ଗେଟ ପାଖରେ ରହୁଛନ୍ତି ଓ ଥରକୁ ଥର ପଚାରୁଛନ୍ତି–ଅସୀମବାବୁ । ମଝି ଖୁଣ୍ଟ କାଢ଼ି ହବ ତ ? ମୁଁ କହୁଛି, ହଁ ସାର ! ଆପଣ ବ୍ୟସ୍ତ ହୁଅନ୍ତୁନି । ହେଲେ ଜାଣିଛି ସେ ଖୁଣ୍ଟ କାଢ଼ିବା ବିପଜ୍ଜ୍ନନକ ।

 

ସେଦିନ ରାତି ପ୍ରାୟ ବାରଟା । ମନ୍ତ୍ରୀ ଗେଟ ପାଖରୁ ଚାଲିଗଲେଣି । ଆମେ କେତେ ଜଣ ହତାଶ ହେଇ ଗେଟ୍ ପାଖରେ ଠିଆ ହେଇଛୁ । ହଠାତ୍ ମଦନ ମହାରଣା ଗେଟ୍ ଉପରକୁ ଚଢ଼ିଗଲା । ଅନ୍ୟ ବଢ଼େଇଙ୍କୁ କହିଲା କିଛି କାଠ ପଟି ବଢ଼େଇ ଦବାକୁ । ତା’ପରେ ସେ ତେଢ଼ାବଙ୍କା କରି କିଛି କାଠ ପଟି ସେଇ ଫ୍ରେମ୍ ଦେହରେ ବାଡେଇ ଚାଲିଲା । ଆଉ ଶେଷରେ ମଝିଖୁଣ୍ଟକୁ କାଢ଼ିଦେଲା । ଗେଟ୍ ଯେମିତିକୁ ସେମିତି ଠିଆ ହେଇ ରହିଲା । ଏତିକି ବେଳେ ମୋର ପାଠପଢ଼ା ବୁଦ୍ଧି ମନେ ପଡ଼ିଲା । ଆରେ ସତେ ତ । ମଝିରେ ଓଜନକୁ କଡ଼କୁ ଆଣିବାକୁ ହେଲେ ତ ଏଇଆ କରିବାକୁ ପଡ଼େ । ଆଖିରୁ ଆମର ନିଦ ଉଭେଇଗଲା ରାତିସାରା କାମ କରି ଗେଟ୍ କାମ ସାରିଦେଲୁ । ସକାଳେ ବନମାଳୀବାବୁ ଆସି ଗେଟ୍ ଦେଖି ବିସ୍ମିତ ହେଲେ । ମତେ ତାଙ୍କ ସାଙ୍ଗରେ ଘରକୁ ନେଇ ଯାଇ ବାକି ତିନି ହଜାର ଟଙ୍କା ମତେ ଦେଇ କହିଲେ–ଆଉ ଦରକାର ହେଲେ କହିବେ । ତା’ପରେ ଡ୍ରାଇଭରକୁ କହିଲେ ମତେ ମୋ ଗେଟ୍ ପାଖରେ ଛାଡ଼ି ଆସିବାକୁ । ଅସୀମ ବସୁ ତା ଜୀବନରେ ପ୍ରଥମ କରି ସ୍ଵାଧୀନ ଭାବରେ ଯେଉଁ ବଡ଼ କାମଟିଏ କଲା ତା ହେଲା ଭୁବନେଶ୍ଵର ଏ. ଆଇ. ସି. ସି. ର ଗୋଟାଏ ଗେଟ୍ ।

 

ଜୀବନଟା କୁଆଡ଼େ ଗୋଟାଏ ବହତା ନଦୀ । କେବେ କେଉଁଠି, ଶୁଣିଥିଲି କେଉଁ ଏକ ମହାପୁରୁଷଙ୍କ ଉପଲବଧିର ମହତବାଣୀ । ଜୀବନ, ନଦୀ ଭଳି ବୋହି ଚାଲିଛି ମହାସାଗରରେ ମିଶିବା ପାଇଁ । ଜୀବନ ଯଦି ନଦୀ ହୁଏ ତେବେ ଜୀବିକା ସେଇ ପାଣି ସୁଅରେ ଭାସି ଯାଉଥିବା ବାଲିଗରଡ଼ା । ଏଇଟା କୌଣସି ମହାପୁରୁଷଙ୍କ ବାଣୀ ନୁହେଁ । ଏଇଟା ମୋର, ଅର୍ଥାତ୍ ରାମା, ଶାମା, ଦାମା ଭଳି ଗୋଟାଏ ସାଧାରଣ ଲୋକର ଉପଲବଧି ମାତ୍ର । ଜୀବନର ‘ବହତା ପାଣି’ ରେ ଗଡ଼ି ଯାଉଥିବା ବାଲିଗରଡ଼ାଟି ଥରେ ଶିଳ୍ପପୁରୀରେ ନାଖି ଯାଇଥିଲା କେଇଟା ବର୍ଷ ପାଇଁ ତ ସେଠୁ ଗଡ଼ି ଆସି ଏଠି ଏଇ ସରକାରୀ ଚାକିରିରେ ନାଖିଗଲା ପୁଣି । ସରକାରୀ ଚାକିରିରେ ନିୟମ ଅଛି, କଟକଣା ଅଛି, ବଡ଼ ହାକିମଙ୍କୁ ଜୀହଜୁର, ଏ ସବୁ ମାନିବାକୁ ପଡ଼େ । ହେଲେ ଅସୀମ ବସୁ ବେପରୁଆ ତା ନୀତିରେ–ମନ ଆପଣା ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ । ଇଚ୍ଛା ହେଲେ ଅଫିସ ଗଲା-ଇଚ୍ଛା ନ ହେଲେ ନାହିଁ । ଉପର ହାକିମ-ମଦନ ମୋହନ ମିଶ୍ର । ଚାକିରିର ତିନିକାଳ ପୂରିଲାଣି ଦିନେ କହିଲେ–ହଇହୋ ଅସୀମ ବାବୁ ! ତମେ ବାଉଁଶ ଗଜା ତରକାରି କେବେ ଖାଇଛ-?

 

ଅସୀମ ବସୁ ମୁଣ୍ଡ ଟୁଙ୍ଗାରି ମନା କଲା ।

 

ସେଇଠୁ ପୁଣି ପ୍ରଶ୍ନ–ସେ ଗଜା କେମିତି ତିଆରି ହୁଏ ଜାଣିଛ ?

 

ପୁଣି ମୁଣ୍ଡ ଟୁଙ୍ଗାରି ମନା କଲା ଅସୀମ ବସୁ । ବାଉଁଶ ଗଜା ମୁନିଆଁ ହେଇ ମାଟି ଫୋଡ଼ି ଉପରକୁ ଉଠିଲେ ତା ଉପରେ ଗୋଟାଏ ହାଣ୍ଡି ଘୋଡେଇ ଦିଆ ହୁଏ । ତା’ପରେ କିଛିଦିନି ଛାଡ଼ି ଛାଡ଼ି ହାଣ୍ଡିର ବିଭିନ୍ନ ଜାଗାରେ କଣା କରି ଦିଆ ହୁଏ ଆଉ ଆଗ କଣାକୁ ଗୋବର ଦେଇ ବନ୍ଦ କରାହୁଏ । ଗଜାଟା ହାଣ୍ଡି ଭିତରେ ମୋଡ଼ି ମୋଡ଼ି ହେଇ ବଢ଼ିଚାଲେ । ଶେଷକୁ ହାଣ୍ଡି ଭର୍ତ୍ତି ବାଉଁଶ ଗଜା । ହାଣ୍ଡିରୁ ବାହାରିବାର ଉପାୟ ନାହିଁ । ଭାଙ୍ଗି ସେ ଗଜାକୁ ବାହାର କରିବାକୁ ହୁଏ । ଏ ସରକାରି ଚାକିରି ବି ସେମିତି ଗୋଟାଏ ହାଣ୍ଡି । ତମ ଇପରର ଘୋଡେଇ ଦିଆ ହେଲା । ତମେ ବଢ଼ୁଛ, ହେଲେ ତାରି ଭିତରେ ମୋଡ଼ି ହେଇ । ତା’ପରେ ଦିନ ଆସିବ-ତମେ ଆଉ ସେ ହାଣ୍ଡି ଭିତରୁ ପଦାକୁ ଆସି ପାରିବନି । ବାହାରିବ ଚାକିରି ନାମକ ହାଣ୍ଡିକୁ ଭାଙ୍ଗିଲା ପରେ । ତେଣୁ ଚାକିରି ଯେତେବେଳେ କରୁଛ ସରକାରୀ ନିୟମ ତମକୁ ମାନିବାକୁ ପଡ଼ିବ । ଦଶଟା–ପାଞ୍ଚଟା ଅଫିସ କରିବାକୁ ପଡ଼ିବ ।

 

ଏକଥା କହିବା ଆଗରୁ ବି ହେଲ୍‌ଥ୍ ଏଡ଼ୁକେସନ୍ ଅଫିସର ମଦନ ମୋହନ ମିଶ୍ର ଅସୀମ ବସକୁ ଅନେକ ବୁଝେଇଛନ୍ତି । ତାର ଅନେକ ଅନୁପସ୍ଥିତିକୁ ଉପସ୍ଥିତିର ଦାଗ ମାରିଛନ୍ତି । ଲୋକଟା କହି ଚାଲିଲା ତା ସରକାରୀ ଚାକିରିର ଦିନ ଗୁଡ଼ାକ କଥା ।

 

“ସରକାରୀ ଚାକିରିଟା ବାଉଁଶ ଗଜା ଉପରେ ଘୋଡ଼ା ହେଇଥିବା ହାଣ୍ଡି ଭଳି” ଏଇ କଥା ପଦାକୁ ଶୁଣିଲା ପରେ ଅଣନିଃଶ୍ଵାସୀ ଲାଗିଲା ମତେ । କେଉଁ ଯାଦୁକର ତା ଯାଦୁଖେଳ ଦେଖେଇବା ପାଇଁ ମତେ ଯେମିତି ଗୋଟାଏ କାଠ ବାକ୍‌ସ ଭିତରେ ତାଲା ବନ୍ଦ କରି ଦେଇଛି । ହେଲେ ତା’ପରେ ଭୁଲିଯାଇଛି ବାହାର କରିବାର କୌଶଳ । ମୁଁ ସେଇ କିଟିକିଟିଆ ଅନ୍ଧାର ବାକ୍‌ସ ଭିତରେ ଟିକିଏ ଆଲୁଅ ପାଇଁ, ମେଞ୍ଚାଏ ପବନ ପାଇଁ ବ୍ୟାକୁଳ ହେଉଛି । ପିଲାଦିନେ ଯେତେବେଳେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲି ଘରେ ଗୋବର୍ଦ୍ଧନ ସାର୍ ମତେ ଟିଉସନ୍ କରୁଥିଲେ । ଏସବୁ ସେଇ ପୁରୀରେ ରହଣି ବେଳର କଥା । ଗୋବର୍ଦ୍ଧନ ସାର ଜଣେ ମେଜିସିଆନ୍ ଥିଲେ । ପୁରୀ ଲୋକନାଥଙ୍କ ପାଖରେ ଶିବରାତ୍ରି ବେଳେ ମେଳା ବସେ । ଗୋବର୍ଦ୍ଧନ ସାର୍ ସେଠି ତମ୍ବୁ ପକେଇ ମେଜିକ୍ ଦେଖାନ୍ତି । ତାଙ୍କ ନାଁ ସେତେବେଳେ ହୋଇଯାଏ “ଯାଦୁ ସମ୍ରାଟ ଗୋବର୍ଦ୍ଧନ ଦାସ” । ତମ୍ବୁ ବାହାରେ ତାଙ୍କ ଚେହେରା ସାଙ୍ଗରେ ନ ମିଶୁଥିବା କନାରେ ଅଙ୍କା ହେଇଥିବା ଜଣେ ଯାଦୁକରର ଛବି ଝୁଲା ହେଇଥାଏ । ସେଥିରେ ଲେଖା ଥାଏ ପୃଥିବୀ ବିଖ୍ୟାତ ଯାଦୁକର–ଯାଦୁ ସମ୍ରାଟ ଗୋବର୍ଦ୍ଧନ ଦାସଙ୍କର ଅପୂର୍ବ ଯଦୁଖେଳ ଦେଖନ୍ତୁ । ଟିକଟ୍‌ର ମୂଲ୍ୟ-ଚାରିଅଣା, ଆଠଅଣା ଓ ଏକଟଙ୍କା ।

 

ସେ କେବେ ଯାଦୁ ସମ୍ରାଟ ଉପାଧି ପାଇଲେ, କେବେ ପୃଥିବୀ ବିଖ୍ୟାତ ହେଲେ ଏ ପ୍ରଶ୍ନ ଦର୍ଶକ ମନରେ ନ ଥାଏ । ମୁଁ ତାଙ୍କର ଛାତ୍ର ଥିବାବେଳେ, ମତେ ସେ ତାଙ୍କର ସହକାରୀ କରି ନେଇଥିଲେ ଲୋକନାଥଙ୍କ ମେଳାକୁ । ଯାଦୁର କିଛି ସହଜ ଉପାୟ ସାଙ୍ଗକୁ ସମ୍ମୋହିତ ହେବାର ଅଭିନୟ ମଧ୍ୟ ଶିଖେଇ ଥିଲେ । ଏଇ ମୁହୂର୍ତ୍ତରେ ସେଇ ଗୋବର୍ଦ୍ଧନ ସାରଙ୍କ କଥା ମନେ ପଡ଼ିଲା ଥରକୁ ଥର ।

 

ଏତକ କହିସାରି ଅସୀମ ବସୁ ବୋଲି ବୋଲାଉଥିବା ଲୋକଟା ଦଣ୍ଡେ ଦମ୍ ମାରିଲା ତାପରେ ସିଗାରେଟ୍ ଖଣ୍ଡେ ଲଗେଇ, ତା ନିଜସ୍ଵ ରୀତିରେ ପୁଳାଏ ଧୂଆଁ ଶୋଷି ପଦାକୁ ଛାଡ଼ିଲା । ତାପରେ ପୁଣି କହିବାକୁ ଆରମ୍ଭ କଲା-ବୁଝିଲ ବାବୁ ! ମଦନ ମୋହନ ମିଶ୍ରଙ୍କ ଠାରୁ ସରକାରୀ ଚାକିରିର ତତ୍ତ୍ଵ କଥା ଶୁଣିଲା ବେଳଠୁଁ ମନଟା ଛଟପଟ ହେବାକୁ ଆରମ୍ଭ କଲା । ସରକାରୀ ଚାକିରିରେ ପାଞ୍ଚଟା ବର୍ଷ ସେତେବେଳେ କଟି ଯାଇଛି । ଏତିକିବେଳକୁ ପରିବାର ନିୟନ୍ତ୍ରଣ ବିଭାଗର ପ୍ରଦର୍ଶନୀ ପାଇଁ କିଛି ପ୍ରଚାର ମୂଳକ ଚିତ୍ର ବୋର୍ଡ଼ ପାଇଁ ଟେଣ୍ଡର ବାହାରିଲା । ଡିଜାଇନ୍ ଦେବାକୁ ପଡ଼ିବ । ମନୋନୀତ ହେଲେ ଅର୍ଡ଼ର ମିଳିବ । ରାତି ଦିନ ଲାଗି ଡିଜାଇନ୍ ତିଆରି କଲି । ଗୋଟାଏ ନାଁ ଦରକାର । ସଂସ୍ଥା ପାଇଁ ଗୋଟାଏ ନାଁ, ଭାବି ଭାବି ଠିକ୍ କଲି ରୂପକାର । ବାସ୍ ରୂପକାର ନାଁରେ ଡିଜାଇନ୍ ଆଉ ଟେଣ୍ଡର ପକେଇଲି । ହେଲେ ମୁଁ ଯେ ସରକାରୀ ଚାକିରିଆ । ସଂସ୍ଥାର ମାଲିକ ମୁଁ ହେବି କେମିତି ? ତେଣୁ ଦରମା ଦେଇ ମୋର ଜଣେ ମାଲିକ ରଖିଲି । ମାସକୁ ପାଞ୍ଚଶହ ଟଙ୍କା ଦରମା । ଭାଗବତବାବୁ ପାଞ୍ଚଶହ ଟଙ୍କା ଦରମାରେ ରୂପକାରର ମାଲିକ ହେଇ ଟେଣ୍ଡର ଦେଲେ । ଯୁଗ୍ମ ନିର୍ଦ୍ଦେଶକ କୌଳସ ତ୍ରିପାଠୀଙ୍କୁ ଭେଟିଲେ । ମନୋନୀତ ହେଲା ମୋ ଡିଜାଇନ୍ । ହେଲେ କାମ ଦିଆହେଲା ଦୁଇଟି ସଂସ୍ଥାକୁ ।

 

ମୋର ଡିଜାଇନରେ ଅଧା କାମ କରିବ ସେ ସମୟର ପ୍ରତିଷ୍ଠିତ ସଂସ୍ଥା “ଉଷା ଆଲୋକ” ବାକି ଅଧା ମୁଁ । ପନ୍ଦର ହଜାର ଟଙ୍କାର କାମ । କାମ ସିନା ଆସିଲା ହେଲେ କାମ କରିବା ପାଇଁ ଟଙ୍କା ଦରକାର । ସେ ଟଙ୍କା ମୋ ପାଖରେ କାହିଁ ? କାଠ କିଣିବାକୁ ପଡ଼ିବ, ପ୍ଲାଇଉଡ଼ କିଣିବାକୁ ପଡ଼ିବ, ପ୍ଲାଷ୍ଟିକ କିଣିବାକୁ ପଡ଼ିବ । ବଢ଼େଇ ଲଗେଇ ବୋର୍ଡ଼ ତିଆରି କରିବାକୁ ପଡ଼ିବ ଅର୍ଡ଼ର ଲେଟର ହାତରେ ଧରି ପ୍ଲାଇ ଆଉ ପ୍ଲାଷ୍ଟିକ୍ ଦୋକାନରେ ଯାଇ ହାଜର ହେଲି । ଜିନିଷ ନେବି ହେଲେ ପଇସା ଦେବି ଟଙ୍କା ପାଇଲା ପରେ । ଦୋକାନ ମାଲିକ ମୋ ମୁହଁକୁ ଚାହିଁ କ’ଣ ଦେଖିଲା କେଜାଣି ରାଜି ହେଇଗଲା କିଛି ପ୍ରଶ୍ନ ନ କରି କାଠବାଲା ବି ସେଇଆ । ଏବେ କାମ କରିବା ଲୋକ । ଅଫିସ ବଢ଼େଇ ମଦନ ମହାରଣା କହିଲା କାମ କରିବା ଲୋକ କଥା ଭାବନ୍ତୁନି । କାମ ମୁଁ ଏକୁଟିଆ ତୁଲେଇ ଦେବି । ପଇସା ଏବେ ଦରକାର ନାହିଁ ।

 

କାମ ଆରମ୍ଭ ହେଲା । ଦିନ ନାହିଁ ରାତି ନାହିଁ କାମ ଚାଲିଛି । ମାର୍ଚ୍ଚ ମାସର କାମ । ଠିକ୍ ସମୟରେ ଦେଇ ନ ପାରିଲେ ସବୁ ବରବାଦ ହୋଇଯିବ । ରାତି ଅଧରେ କାମ ଭିତରେ ନିଦ ମାଡ଼ିଲେ ମଦନ ରାସ୍ତାକୁ ବାହାରି ଥୋଡ଼ାଏ ଦୌଡ଼ା ଦୌଡ଼ି କରି ନିଦ ଛଡ଼େଇ ପୁଣି କାମରେ ଲାଗେ ।

 

ଏତେ ସବୁ ମିଳିଲା ପରେ ବି କିଛି ଟଙ୍କା ଦରକାର ଖର୍ଚ୍ଚ ପାଇଁ, କିଛି ଛୋଟ ଛୋଟ ଜିନିଷ କିଣିବା ପାଇଁ ଦୁଇଶହ, ତିନିଶହ, ପାଞ୍ଚଶହ କରି ଧାର ଆଣିଲି ବନ୍ଧୁମାନଙ୍କ ଠାରୁ । ଯାହାଙ୍କୁ ଯାହା ମାଗିଛି କେହି ଫେରେଇ ନାହାନ୍ତି, କେହି ମନା କରି ନାହାନ୍ତି । ଖଲିକୋଟ ଆର୍ଟ କଲେଜରୁ ପାସ୍ କରି ଜି. ପାନ୍ତୁଲୁ ଦୋରା ଆସି ପହଞ୍ଚିଲା ମୋ ପାଖରେ । କାମ କରିବ । କାମ ଶିଖିବ ମୋ ପାଖରୁ । ଏବେ ଆଉ ମୁଁ ଏକା ନୁହେଁ । ଜି. ପାନ୍ତଲୁ ଦୋରାର ଭରଣ ପୋଷଣର ଭାର ବି ମୋ ଉପରେ ।

 

ଗୋଟାଏ କଥା ତମକୁ କହିବାକୁ ଭୁଲି ଯାଇଛି । ଏଇ ପାଞ୍ଚଟା ବର୍ଷ ଭିତରେ ମୁଁ, ସ୍ତ୍ରୀ, କନ୍ୟା, ପୁତ୍ର ନେଇ ଏକ ସାଂସାରିକ ଜୀବନର ଅଧିକାରୀ । ତେଣୁ ପରିବାରର ଭରଣ ପୋଷଣ ବି ରହିଛି । ଶହେ କୋଡ଼ିଏ ଟଙ୍କା ଦରମାର ଗୋଟାଏ ଶିଳ୍ପୀ ମୁଣ୍ଡରେ ଏଇ ବୋଝ କିଛି କମ୍ ନୁହେଁ । ସବୁ କାମ ସାରି ବୋର୍ଡ଼ ସବୁ ଜମା ଦେଲା ପରେ ଭାଗବତବାବୁ ପନ୍ଦର ହଜାର ଟଙ୍କା ଆଣି ମୋ ହାତରେ ଧରେଇ ଦେଲେ । ପନ୍ଦର ହଜାର ! ଏକା ସାଙ୍ଗରେ ଏତେ ଗୁଡ଼ାଏ ଟଙ୍କା ଦେଖି ନ ଥିଲି କେବେ । ଭାଗବତବାବୁଙ୍କୁ ତାଙ୍କ ଦରମା ଟଙ୍କା ଧରେଇ ଦେଇ, ଗୋଟାଏ ରିକ୍‌ସା କରି, ଜି. ପାନ୍ତୁଲୁ ଦୋରା ଆଉ ମୁଁ ଘର ଘର ଦୋକାନ ଦୋକାନ ବୁଲି ଟଙ୍କା ସୁଝିବାକୁ ଲାଗିଲି । ସମସ୍ତଙ୍କର ସବୁ ଟଙ୍କା ସୁଝିଦେଲା ପରେ ଗୋଟାଏ ଲଫାପାରେ କିଛି ଟଙ୍କା ଭର୍ତ୍ତି କରି ମଦନ ହାତରେ ଧରେଇ ଦେଲି । ଏବେ ମତେ ହାଲୁକା ଲାଗୁଛି । ଫୁଲ ଭଳି ହାଲୁକା । ଉଡ଼ିବାକୁ ଇଚ୍ଛା ହେଉଛି ଆକାଶରେ । ମିଶିଯିବାକୁ ଇଚ୍ଛା ହେଉଛି ପବନରେ, ପାଣିରେ ॥ ଆଃ କି ଆରାମ ।

 

ମୁକ୍ତିର ବାଟ ଖୋଲିଗଲା । ଆଉ ବାଉଁଶ ଗଜା ହେଇ ହାଣ୍ଡି ଭିତରେ ମୋଡ଼ି ମୋଡ଼ି ବଢ଼ିବାକୁ ପଡ଼ିବନି । ଆଉ ଉପର ହାକିମର କଥାରେ ସମ୍ମତି ନ ଥିଲେ ବି ‘ଆଜ୍ଞା ହଁ’ କହିବାକୁ ପଡ଼ିବନି ।

 

ସରକାରୀ ଚାକିରିରୁ ବିଦାୟ ନେଲି । କିଛି ତ୍ୟାଗପତ୍ର ନ ଦେଇ ଅଫିସ ନ ଯାଇ ଘୂରି ବୁଲିଲି ଏଣେ ତେଣେ–ଦିନ ପରେ ଦିନ ମାସ ପରେ ମାସ । ବାକ୍‌ସ ଭିତରେ ସାଇତା ହେଇଥିବା ସାର୍ଟିଫିକେଟ ଡିପ୍ଲୋମା ଏ ସବୁ ଖୋଜି ବାହାର କଲି । ଆଉ କ’ଣ ଦରକାର ଏ ଡିପ୍ଲୋମାର ? କଣ ଦରକାର ଏ ସାର୍ଟିଫିକେଟର ? ମୋ ଭିତରେ ଲୁଚି ରହିଥିବା ଆଉ କେଉଁ ଅସୀମ ବସୁ ବାରମ୍ବାର ଚିତ୍କାର କରି କହିବାକୁ ଲାଗିଲା ଚିରିଦିଅ ସେ ସାର୍ଟିଫିକେଟ-ପୋଡ଼ିଦିଅ ସେ ଡିପ୍ଲୋମା-। ତା ନ ହେଲେ ଅସୁବିଧା ପଡ଼ିଲେ ତମେ ପୁଣି ଚାକିରି ଖୋଜିବ । ଏଗୁଡ଼ାକ ତ ସେଇ ଚାଲିରି ଭିତରେ ପଶିବାର ଛାଡ଼ପତ୍ର । ପୋଡ଼ିଦେଲି ସବୁ ଶିକ୍ଷାର ଦଲିଲ୍ । ବାପୁଜୀନଗର ଓଭର ବ୍ରିଜ୍ ପାଖ ରେଳ ଲାଇନ୍ କଡ଼ରେ ଘରଭଡ଼ା ନେଇ ସାଇନ୍‌ବୋର୍ଡ଼ ଝୁଲେଇଲି “ରୂପକାର” । ଏହା ଭିତରେ ଚାକିରି ଛାଡ଼ିବାର ଦୁଇ ତିନି ମାସ କଟି ଯାଇଛି । ଏଇ ଦୁଇ-ତିନି ମାସ ଭିତରେ ମଦନ ଆସି ତିନି ଚାରି ଥର ମତେ ଖୋଜି ନ ପାଇ ଫେରି ଯାଇଛି । ସେଦିନ ସଞ୍ଜବେଳେ ମଦନ ଆସି ପହଞ୍ଚିଲା ମୋ ପାଖରେ । ହାତରେ ତାର ଲଫାପାଟିଏ । ସେଇ ଲଫାଫା, ଯେଉଁଥିରେ ଟଙ୍କା ଭର୍ତ୍ତି କରି ମୁଁ ତା ହାତରେ ଧରେଇଥିଲି ପରିବାର କଲ୍ୟାଣ ବିଭାଗର ଟଙ୍କା ପାଇଲା ପରେ । ଲଫାପାଟା ମୋ ଆଗରେ ଥୋଇ ଦେଇ ସେ କହିଲା-ଆପଣଙ୍କୁ ମୁଁ ଖୋଜୁଛି । ଏ ଟଙ୍କା ଫେରେଇ ଦେବା ପାଇଁ ।

 

ଫେରାଇ ଦବ ? କାହିଁକି ? ମୋ ମନରେ ପ୍ରଶ୍ନ । ହୁଏତ ସେ ଆଶା କରୁଥିବା ଟଙ୍କାରୁ ମୁଁ କମ୍ ଦେଇଛି । ଇଏତ ତାର ଅଭିମାନର କଥା । ବିତୃଷ୍ଣାର ଭାଷା । ରୂପକାରର ପ୍ରଥମ କାମ । କାହାକୁ କେତେ ଦେବା କଥା ସେ ଠିକ୍ ଭାବରେ ଜାଣିବି ବା କେମିତି ? ମନଟା ଦବିଗଲା । କହିଲି–ଟଙ୍କା ଫେରାଇବ କାହିଁକି ? ମତେ କହିଦିଅ, ଆଉ କେତେ ଦବାକୁ ହବ । ମୋ ଭୁଲ୍‌କୁ ସୁଧାରି ଦିଅ ।

 

ମଦନ ମୋ ମୁହଁକୁ ଚାହିଁଲା । ତା’ପରେ କହିଲା ଏତେ ଟଙ୍କା ତ ମୋ’ ପ୍ରାପ୍ୟ ନୁହେଁ । ଆପଣ ମୋ ପ୍ରାପ୍ୟଠାରୁ ଅନେକ ବେଶୀ ଦେଇଛନ୍ତି ମତେ । ସେଇ ଅଧିକା ଟଙ୍କାଟା ଫେରାଇବା ପାଇଁ ଆସିଥିଲି ମୁଁ । ଏଥର ମୁଁ ବିସ୍ମିତ ହେବାର ପାଳି । ଲଫାପାଟା ପୁଣି ତା ହାତରେ ଧରେଇଦେଇ କହିଲି–ମଦନ ! ଯଦି ଅଧିକା ଟଙ୍କା ଦେଇଥାଏ ରଖିଦିଅ । ନୂଆ କରି ବ୍ୟବସାୟ ଆରମ୍ଭ କରିଛି । ହୁଏତ ଦିନ ଆସିବ ତମର ପ୍ରାପ୍ୟ ଟଙ୍କାଠାରୁ ଅନେକ କମ୍ ଟଙ୍କା ଦେବାକୁ ପଡ଼ିବ-। କିଏ ଜାଣିଛି–ଆସନ୍ତା ଦିନ ଗୁଡ଼ାକ କେମିତି କଟିବ ?

 

॥ ୩୨ ॥

 

“ରୂପକାର’ର ଟେବୁଲ ଚଉକି ନ ଥିବା ଅଫିସ ଘରେ ମୁଁ ଏକା । ମୁଁ ମୋ ସଂସ୍ଥାର ମାଲିକ, କାରିଗର, ପିଅନ, ଝାଡ଼ୁଦାର ସବୁ କିଛି । ସବୁଦିନ ସକାଳେ ଘର ଖୋଲି ସପ ପକେଇ ବସି କାମରେ ଲାଗେ । କେତେବେଳେ ବହିର ପ୍ରଚ୍ଛଦ ତ କେତେବେଳେ ଆଉ କିଛି । ଶିଳ୍ପପୁରୀରେ ଥିଲାବେଳେ ଦେଖିଥିଲି ନିତିଦିନ କେତେ କେତେ ଲୋକ ଆସନ୍ତି କାମ ଦବାକୁ–କାମ ନବାକୁ, ହେଲେ ଏଠି କାହିଁ ? କାହାରି ଆସିବା ତ ଦେଖୁନି । ଆସିବେ ବା କେମିତି ? କିଏ ବା ମତେ ଜାଣେ–ମୁଁ ବା କାହାକୁ ଚିହ୍ନେ ? ଯେଉଁମାନଙ୍କୁ ମୁଁ ଚିହ୍ନେ ଏବଂ ଯେଉଁମାନେ ମତେ ଜାଣନ୍ତି ସେମାନେ କାମଦେବା ଲୋକ ନୁହନ୍ତି, କେବଳ ଜଣଙ୍କୁ ଛାଡ଼ିଦେଲେ । ସେ ଜଣକ ହେଲେ କୃଷି ବିଭାଗରେ କାମ କରୁଥିବା କମଳ ଲୋଚନ ମହାନ୍ତି । ସିଏ ଆଶ୍ଵାସନା ଦେଇଛନ୍ତି କାମ ଦେବେ । ସିଏ କହିଛନ୍ତି ଧୈର୍ଯ୍ୟ ଧରି ବସି ରହିବାକୁ । ତେଣୁ କାମ ଆସିବ ଏଇ ଆଶା ନେଇ ବସି ରହିଛି ।

 

ଏମିତି ବସି ରହିଥିବା ଗୋଟାଏ ଦିନରେ ଧୀରବାବୁ ଆସି ପହଞ୍ଚିଲେ । ଲୋକ ସମ୍ପର୍କ ବିଭାଗରେ କାମ କରୁଥିବା ସାମନ୍ତ ଚନ୍ଦ୍ରଶେଖର ଧୀର । ବୋମ୍ବାଇରେ ହେବାକୁ ଥିବା ବିଶ୍ଵ ପର୍ଯ୍ୟଟନ ମେଳାରେ ଓଡ଼ିଶା ମଣ୍ଡପ ତିଆରି ହେବ । ସେ କାମର ଦାୟିତ୍ଵ କୁଆଡ଼େ ମତେ ଦେବାକୁ ଚାହାନ୍ତି ଏଗଜିବିସନ୍ ଅଫିସର ଦେବରାଜ ସାମନ୍ତରାୟ । ଦେବରାଜ ବାବୁଙ୍କୁ ମୁଁ ଚିହ୍ନିନି । ହେଲେ ସିଏ ମୋତେ ଚିହ୍ନିଛନ୍ତି, ବା କାହା ପାଖରୁ ନିଶ୍ଚୟ ଶୁଣିଛନ୍ତି, ନ ହେଲେ ଏ କାମ ମତେ ଦବା କଥା ଭାବିଲେ କେମିତି ? ଅଫିସ ଘରେ ତାଲା ପକେଇ ଧୀରବାବୁଙ୍କ ସାଙ୍ଗରେ ବାହାରି ପଡ଼ିଲି ଦେବରାଜ ବାବୁଙ୍କ ପାଖକୁ । କଲିକତାରୁ ଆସି ଶିଳ୍ପପୁରୀରେ ଯୋଗଦେଲା ପରେ ପ୍ରଥମ ଯେଉଁ କାମ କରିଥିଲି ସିଏତ ଥିଲା ଦିଲ୍ଲୀର ବିଶ୍ଵ କୃଷି ମେଳାର କାମ । ତେଣୁ ପ୍ରଦର୍ଶନୀ ମଣ୍ଡପ ନିର୍ମାଣର କିଛିଟା ଅଭିଜ୍ଞତା ଯେ ମୋର ନ ଥିଲା ତାହା ନୁହେଁ । ସେଇ ଅଭିଜ୍ଞତାକୁ ଆଶ୍ରୟ କରି ଦେବରାଜ ବାବୁଙ୍କୁ ହଁ ଭରିଲି–କାମ କରିବି ବୋଲି । ପର୍ଯ୍ୟଟନ ମେଳା, ଆରମ୍ଭ ହେବାକୁ ଆଉ ସାତ, ଆଠ ଦିନ ବାକି ତେଣୁ ଯେତେ ଜଲ୍‌ଦି ସମ୍ଭବ ବାହାରି ଯିବାକୁ ପଡ଼ିବ । ସାଙ୍ଗରେ ଚାରି-ଛଅଜଣ ବଢ଼େଇ ଓ ଜଣେ ଆର୍ଟିଷ୍ଟ ନବା ଦରକାର । ଜି. ପାନ୍ଥଲୁ ଦୋରା ଏବେ ଆଉ ମୋ ପାଖରେ ନାହିଁ । ପରିବାର କଲ୍ୟାଣ ବିଭାଗରେ ଚାକିରି ପାଇ ସେ ଚାଲି ଯାଇଛି । ଧୀରବାବୁ କହିଲେ–ମୁଁ ଗୋଟାଏ ପିଲା ଆଣିଦେବି । ଛବି ଅଙ୍କା ସେମିତି ନ ଜାଣିଲେ ବି ଭଲ ଅକ୍ଷର ଲେଖେ, ରୋହିତ ।

 

“ରୋହିତ ?”

 

ନାଁଟା ଶୁଣିଲା ପରି ଲାଗିଲା, ହେଲେ କେବେ ତାକୁ ଦେଖିନି, ମୁଁ ହଁ ଭରିଲାରୁ ସନ୍ଧ୍ୟା ବେଳକୁ ଧୀରବାବୁ ରୋହିତକୁ ଧରି ଆସିଲେ । ପୂରା ନାଆଁ ରୋହିତ କୁମାର ବଡ଼ୁ । ଅନେକ ନାଆଁର ଭିତରେ ଏ ନାଆଁ ହଜିଯିବାର ନୁହେଁ । ରୋହିତ ଚାକିରି କରେ । ସିନେମା ହଲ ଚାକିରି । ଟିକଟ ବିକିବା କାମ ସାଙ୍ଗକୁ ଛେଚା ଦାନ୍ତକାଠିକୁ ରଙ୍ଗରେ ବୁଡ଼େଇ ଖବର କାଗଜ ଉପରେ ସିନେମା ପୋଷ୍ଟର ଲେଖିବା କାମ । ଚାକିରିରୁ ଛୁଟି ନେଇ ମୋ ସାଙ୍ଗରେ ବୋମ୍ବାଇ ଯିବା ପାଇଁ ରୋହିତ ରାଜି ହେଲା । ରୋହିତ ସାଙ୍ଗକୁ ଆଉ ଚାରିଜଣ ବଢ଼େଇ ଧରି ମୁଁ ଯେତେବେଳେ ବୋମ୍ବାଇରେ ପହଞ୍ଚିଲି ସେତେବେଳକୁ ପ୍ରଦର୍ଶନୀ ଆରମ୍ଭ ହେବାକୁ ଆଉ ମାତ୍ର ତିନିଦିନ ବାକି । ଅନ୍ୟ ସମସ୍ତଙ୍କର ପ୍ରଦର୍ଶନୀ ମଣ୍ଡପ ତିଆରି ହୋଇ ସାରିଛି । ଆମେ ସବା ଶେଷ ଲୋକ । ତେଣୁ ପ୍ରଦର୍ଶନୀର କର୍ମକର୍ତ୍ତାମାନେ ପ୍ରାୟ ନିଶ୍ଚିତ ହେଇ ସାରି ଥାଆନ୍ତି ଯେ ଓଡ଼ିଶା ମଣ୍ଡପର କାମ ପ୍ରଦର୍ଶନୀ ଖୋଲିବା ଦିନ ସରିବନି । ଆମ ମଣ୍ଡପକୁ ଘୋଡ଼ାଇ ରଖିବା ପାଇଁ ଗୋଟାଏ କନାର ବାଡ଼ି ବି ସେମାନେ ପ୍ରସ୍ତୁତ କରି ରଖିଥାଆନ୍ତି । ରାତିଦିନ କାମ ଚାଲିଛି । ଆମର ବି ଜିଦ୍ ଚଢ଼ିଛି ଆମେ ନିର୍ଦ୍ଦିଷ୍ଟ ଦିନରେ ମଣ୍ଡପ ଖୋଲିବୁ । ଜଗନ୍ନାଥଙ୍କ ରଥ ଆକାରରେ ଓଡ଼ିଶା ମଣ୍ଡପ ତିଆରି କରିବାର ନିର୍ଦ୍ଦେଶ ଦେଇଛନ୍ତି ଦେବରାଜବାବୁ । କାଠ ଫର୍ମା ବାନ୍ଧି ରାତାରାତି ରଙ୍ଗୀନ କନାର ଖୋଳ ଗଳେଇ ତା ଉପରେ କଳସ ବସେଇ ଦେଲୁ । ପ୍ରଦର୍ଶନୀ ଦିନ ସକାଳ ପାହିଲା ବେଳକୁ ଜଗନ୍ନାଥ ରଥର ବାନା ଫର୍ ଫର୍ ହେଇ ଉଡ଼ୁଛି । ରଥ କନାର ଉଜ୍ଜ୍ଵଳ ରଙ୍ଗ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଛି ।

 

ପ୍ରଦର୍ଶନୀର କର୍ମକର୍ତ୍ତାମାନଙ୍କର କନା ଘେର ଆଉ ଦରକାର ପଡ଼ିଲାନି । ବୋମ୍ବାଇର ମଇଦାନରେ ଓଡ଼ିଶା ମଣ୍ଡପ ଏକ ଚର୍ଚ୍ଚାର ବିଷୟ ହୋଇଗଲା ରାତିକ ଭିତରେ । ଦିନ ତମାମ ଲାଗି ମଣ୍ଡପର ଭିତର ସଜେଇବା କାମ ବି ସାରି ଦେଲୁ । ସନ୍ଧ୍ୟା ବେଳକୁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପ୍ରଦର୍ଶନୀ ଉଦ୍‌ଘାଟନ କଲେ । ଆମେ ସେତେବେଳେକୁ କ୍ଳାନ୍ତିରେ ଭାଙ୍ଗି ପଡ଼ିଛୁ ।

 

ମତେ ଯଦି କେହି କେବେ ପ୍ରଶ୍ନ କରନ୍ତା ଆପଣଙ୍କ ଜୀବନରେ ଭେଟିଥିବା ତୋନୋଟି ସ୍ମରଣୀୟ ଚରିତ୍ରର ନାଆଁ କୁହନ୍ତୁ–ତେବେ ତୃତୀୟ ଜଣକର ନାଆଁ ଭାବିବାକୁ ମତେ ଚିନ୍ତା କରିବାକୁ ପଡ଼ନ୍ତା । ହେଲେ ପ୍ରଥମ ଦୁଇଜଣକର ନାଆଁ ମୁଁ ସଙ୍ଗେ ସଙ୍ଗେ କହି ଦିଅନ୍ତି । ପ୍ରଥମ ଜଣକ ହେଲେ ଧରିଣୀଧର ନାଏକ–ଯାହା କଥା ମୁଁ ଅନେକ ଆଗରୁ କହି ସାରିଛି । ଆଉ ଦ୍ଵିତୀୟ ଜଣକ “ମିଃ ଭଟ୍ଟାଚାରିଆ” ।

 

ଭଟ୍ଟାଚାରିଆକୁ ମୁଁ ପ୍ରଥମ ଭେଟିଥିଲି ବୋମ୍ବାଇରେ ସେଇ କ୍ରଶ ମଇଦାନରେ । ଅଠେଇଶ ବର୍ଷ ପୂର୍ବର ସେଇ ଦିନ ଗୁଡ଼ିକ ଏବେ ବି ମୋ ପାଖରେ ସେମିତି ଉଜ୍ଜ୍ଵଳ ହେଇ ରହିଛି କେବଳ ଭଟ୍ଟାଚାରିଆର ସ୍ମୁତି ସେଇ ଦିନ ଗୁଡ଼ିକ ସହିତ ମିଶି ରହିଛି ବୋଲି କେବଳ ଆମ ମଣ୍ଡପକୁ ଛାଡ଼ିଦେଲେ ରାତି ତିନିଟା ବେଳେ ସାରା ପ୍ରଦର୍ଶନୀ ପଡ଼ିଆ ଯେତେବେଳେ ଶୁନ୍‌ଶାନ୍ ସେତେବେଳେ ଲୋକଟିକୁ ଦେଖିଥିଲି ପଶ୍ଚିମବଙ୍ଗର ପ୍ରଦର୍ଶନୀ ମଣ୍ଡପ ସାମନାରେ । ମୁହଁରେ ଖୁଞ୍ଚା ଖୁଞ୍ଚା ଦାଢ଼ି । ବେକରେ ଗୋଟିଏ ନାଲି ରୁମାଲ୍, ଦେହରେ ଡୋରିଆ ଗଞ୍ଜି ସାଙ୍ଗକୁ ଜିନ୍ ପ୍ୟାଣ୍ଟ । ଲୋକଟି ଗୋଟାଏ ଢାବଲ ଉପରେ ବସି ଗୋଟାଏ ବଡ଼ ଡ୍ରମରେ ରଙ୍ଗ ଗୋଳୁଛି । ସାମନାରେ ତିନି ଚାରିଜଣ କୁଲି । ସେଇ କୁଲିମାନଙ୍କ ସାଙ୍ଗରେ କେଉଁ ଏକ ଦୁର୍ବୋଧ୍ୟ ଭାଷାରେ ଗପି ଚାଲିଥାଏ ଲୋକଟି । ହେଲେ ସେତେବେଳେ କ’ଣ ଜାଣିଥିଲି ସେହି ହେଉଛି ଭଟ୍ଟାଚାରିଆ ? ଜାଣିଲି, ଓଡ଼ିଶା ମଣ୍ଡପର କାମ ସାରିଲା ପରେ ପ୍ରଭାସ ଦାସଙ୍କ ଘରକୁ ଯାଇ । ପ୍ରଭାସ ଦାସ କଳିଙ୍ଗ ଫିଲିଗ୍ରିର ମେନେଜର । ପ୍ରଦର୍ଶନୀ ପଡ଼ିଆରେ କଳିଙ୍ଗ ଫିଲିଗ୍ରିର ଷ୍ଟଲ ରହିଛି ।

 

ହେଲେ ପ୍ରଭାସ ଦାସଙ୍କ ମନକୁ ପାଉନି ସେ ଷ୍ଟଲ । ତେଣୁ ସେ ମତେ କହିଥିଲେ ତାଙ୍କ ଷ୍ଟଲକୁ ଟିକିଏ ସଜାଡ଼ି ଦେବାକୁ । ମୁଁ ମଧ୍ୟ କଥା ଦେଇଥିଲି । କହିଥିଲି ଓଡ଼ିଶା ମଣ୍ଡପ କାମ ସରିଲା ପରେ ସେ କାମ କରିବି । ତେଣୁ କାମ ସରିବା ପରଦିନ ଧୀରବାବୁ ଓ ଲୋକ ସମ୍ପର୍କ ବିଭାଗରେ ଫଟୋଗ୍ରାଫର ନଟବାବୁଙ୍କୁ ସାଙ୍ଗରେ ଧରି ପ୍ରଭାସବାବୁଙ୍କ ଘରେ ଯାଇ ପହଞ୍ଚିଲି । ହେଲେ ଘରେ ପଶିବି କଣ ? ଘର ବାହାରୁ ଶୁଣିଲି ସେ ଖୁବ୍ ବଡ଼ ପାଟିରେ କାହାକୁ ଗାଳି ଦେଉଛନ୍ତି । ଏ ସମୟରେ ଘର ଭିତରକୁ ପଶିବା ବା ନିଜର ଉପସ୍ଥିତି ଜଣାଇବା ଠିକ୍ ହେବନି ଭାବି ମୁଁ ରାସ୍ତା ଉପରକୁ ଚାଲି ଆସିବାକୁ ଚାହୁଁଥିଲି । କିନ୍ତୁ ଧୀରବାବୁ ମୋ ହାତ ଧରି ପକେଇ କହିଲେ “ଚାଲନ୍ତୁନା ଭିତରକୁ” । ଧୀରବାବୁଙ୍କ କଥା ଶୁଣି ପ୍ରଭାସବାବୁ ଘରୁ ବାହାରି ଆମକୁ ଅଭିବାଦନ ଜଣେଇଲେ । ଆମେ ଘର ଭିତରେ ପଶିଲୁ । ଆମ ସାମନାରେ ପ୍ରଭାସବାବୁଙ୍କୁ ଛାଡ଼ିଦେଲେ ଆଉ ଜଣେ ଯିଏ ଠିଆ ହୋଇଛି ତାକୁ ତ ମୁଁ ଆଗରୁ ଦେଖିଛି । ରାତି ଅଧରେ ଢାବଲ ଉପରେ ବସି ରଙ୍ଗ ଫେଣ୍ଟୁଥିବା ସେଇ ଲୋକଟା । ପ୍ରଭାସ ବାବୁ ଆମକୁ ବସିବାକୁ କହି–ତା ଆଡ଼କୁ ଆଙ୍ଗୁଠି ଦେଖେଇ କହିଲେ–“ୟା’କୁ ଚିହ୍ନି ରଖନ୍ତୁ । ଲୋକଟାର ନାଆଁ ଭଟ୍ଟାଚାରିଆ । ଗୋଟାଏ ଠକ, ବଦମାସ, ବଜାରୀ, ଲଫଙ୍ଗା । ଏଇ ଲୋକଟା ମୋର ଷ୍ଟଲକୁ ନଷ୍ଟ କରି ଆସିଛି ପୁଣି ଟଙ୍କା ପାଇଁ । ଟଙ୍କା ଫଙ୍କା କିଛି ମିଳିବନି । ବାହାରିଯା ମୋ ସାମନାରୁ ।”

 

ଲୋକଟା ଆମକୁ ନମସ୍କାର କରି ଆସ୍ତେ ଆସ୍ତେ ସେ ଘରୁ ବାହାରିଗଲା । ମୁଁ “ବୋମ୍ବାଇ କା ଠକ୍” ବୋଲି ଗୋଟାଏ ଫିଲିମ୍‌ର ନାଆଁ ଶୁଣିଥିଲି । ଏବେ ନିଜ ଆଖିରେ ସତକୁ ସତ ଗୋଟିଏ ବୋମ୍ବାଇକା ଠକ୍‌କୁ ଦେଖିଲି । ଅତିଥି ଚର୍ଚ୍ଚା ପରେ ପ୍ରଭାସ ବାବୁ ଆମକୁ ନେଇ ପ୍ରଦର୍ଶନୀ ପଡ଼ିଆକୁ ଆସିଲେ ତାଙ୍କ ଷ୍ଟଲ ଦେଖେଇବେ ବୋଲି । ଷ୍ଟଲ ଦେଖି ମୁଁ ସତକୁ ସତ ହତାଶ ହେଲି । ମୋଟା ମୋଟା କାଠରେ ଫ୍ରେମ୍ କରାହେଇ ତା ଉପରେ ଅଖା ମାରି କଳା ରଙ୍ଗ ମରା ହେଇଛି । ପବନରେ ସେ କଳାରଙ୍ଗ ସବୁ ଉଡ଼ୁଛି । ଦେହରେ ହାତରେ ନେସି ହେଇ ଯାଉଛି-। ପ୍ରଭାସବାବୁଙ୍କ ନିର୍ଦ୍ଦେଶରେ ଭଟ୍ଟାଚାରିଆ କଳାରଙ୍ଗ ବୋଳିଛି ସତ, ହେଲେ କେଉଁ ରଙ୍ଗ ବୋଳିଲେ ଏପରି ଅବସ୍ଥା ହୁଅନ୍ତାନି ସେ ଜାଣିନି । ସବୁ ଦେଖିଲା ପରେ ମୁଁ କହିଲି–ଆଉ ତ କିଛି କରି ହେବନି, ତେବେ ଏହା ଉପରେ କଳା କନା ସିଲେଇ କରି ଲଗେଇ ଦେଲେ ଏ ଅବସ୍ଥାରୁ ବର୍ତ୍ତିଯାଇ ପାରିବେ । ପ୍ରଭାସବାବୁ କହିଲେ–ଆପଣ ସେଇୟା କରନ୍ତୁ ।

 

ସନ୍ଧ୍ୟା ବେଳକୁ ପ୍ରଭାସବାବୁ ଟଙ୍କାଦେଲେ କନା କିଣିବା ପାଇଁ । ଟଙ୍କା ଧରି ମୁଁ ପଡ଼ିଆ ବାହାରକୁ ଆସିଲା ବେଳକୁ ଭଟ୍ଟାଚାରିଆ କେଉଁଠି ଥିଲା କେଜାଣି ମୋ ସାମନାରେ ଆସି ଠିଆ ହେଲା, ମତେ ନମସ୍କାର କରି କହିଲା–କନା କିଣିବାକୁ ଯିବେ ତ ? କେଉଁଠି ସୁବିଧା ଦରରେ କନା ମିଳିବ ଆପଣ କ’ଣ ଜାଣି ପାରିବେ ? ଚାଲନ୍ତୁ ମୁଁ ନେଇଯିବି ।

ଭଟ୍ଟାଚାରିଆକୁ ଦେଖି ମୁଁ ଟିକିଏ ଡରି ଯାଇଥିଲି । ହେଲେ ପରେ ଭାବିଲି–ମତେ ଠକିଦେଇ ଟଙ୍କା ନେଇଗଲେ କେତେ ବା ଏମିତି ନବ ? ପାଞ୍ଚଶହ କି ଛଅ ଶହ ଟଙ୍କା । ଦେଖାଯାଉ କ’ଣ ହେଉଛି । ଏଇଆ ଭାବି ମୁଁ କହିଲି–ଠିକ୍ ଅଛି ଚାଲନ୍ତୁ ମୋ ସାଙ୍ଗରେ । ହେଲେ ଭଟ୍ଟାଚାରିଆ ଚାଲିଲାନି । ସେଇଠି ସେମିତି ଠିଆ ହେଇ ମତେ ପ୍ରଶ୍ନ କଲା “ଆପଣ ଯେଉଁ କାମ କରିବାକୁ ଯାଉଛନ୍ତି–କେତେ ଟଙ୍କା ନେବେ ?”

ମୁଁ ଚଟ୍ କରି କିଛି ଉତ୍ତର ଦେଇ ପାରିଲିନି । ପ୍ରଭାସବାବୁଙ୍କୁ ଏ ବିଷୟରେ ତ କିଛି ପଚାରିନି । ଟିକିଏ ଭାବି କହିଲି–ଏ ବିଷୟରେ କିଛି କଥା ହେଇନି । ତେବେ ହଜାର କି ବାରଶହ ଖର୍ଚ୍ଚ ହବ ବୋଲି ମୁଁ ଭାବୁଛି । ଭଟ୍ଟାଚାରିଆ କହିଲା–ପ୍ରଭାସ ଦା, ମତେ କେତେ ଟଙ୍କା ଦେଇଛନ୍ତି ଜାଣନ୍ତି ? ତିନିଶହ ଟଙ୍କା । “ମାତ୍ର ତିନିଶହ ?” ମୁଁ ଭଟ୍ଟାଚାରିଆ ମୁହଁକୁ ଅନେଇଲି ।

ଆପଣ ପ୍ରଭାସଦା’କୁ ପଚାରୁ ନାହାନ୍ତି ? ମାତ୍ର ତିନିଶହ । ବଢ଼େଇ, ରଙ୍ଗ ମିସ୍ତ୍ରୀ ଟଙ୍କା ପାଇଁ ମୋ ପଛରେ ଗୋଡ଼େଇଛନ୍ତି । ମୁଁ ତାଙ୍କୁ ଟଙ୍କା ମାଗିଲାରୁ ସେ କେମିତି ଗାଳି ଦେଉଛନ୍ତି ଆପଣ ନିଜ କାନରେ ତ ଶୁଣିଲେ । ଏତକ କହି ସେ ଟିକିଏ ଦମ୍ ନେଲା । ତା’ପରେ କହିଲା–ସେ ସିନା ଗାଳି ଦେଉଛନ୍ତି, ହେଲେ ମୁଁ କିଛି ଉତ୍ତର ଦେଇ ପାରୁନି କାହିଁକି ଜାଣନ୍ତି ? ମୁଁ ତାଙ୍କୁ ଦାଦା ବୋଲି ଡାକେ ।

ତାଙ୍କ ସ୍ତ୍ରୀଙ୍କୁ ବୋଉ ଦି ବୋଲି ଡାକେ । ସିଏ ଗାଳି ଦେଲେ ବୋଲି ମୁଁ କଣ ତାଙ୍କ ମୁହଁ ଉପରେ ଉତ୍ତର ଦେଇ ପାରିବି ?

ଏ କଥା ପରେ ମୁଁ ବା ଆଉ କଣ କହିବି ? ମତେ ଚୁପ୍ ରହିବାର ଦେଖି ଭଟ୍ଟାଚାରିଆ ପୁଣି କହିଲା–କନା ତ କିଣିବା । ଆସନ୍ତୁ ତା ଆଗରୁ ମେରିନ୍ ଡ୍ରାଇଭ୍ ଆଡ଼େ ଟିକେ ବୁଲି ଆସିବା । ଆପଣଙ୍କୁ ମୋର ଅନେକ କଥା କହିବାର ଅଛି ।

ଆମେ ଦୁହେଁ ମେରିନ୍ ଡ୍ରାଇଭର ପାଚେରି ଉପରେ ଯାଇ ବସିଲୁ । ଜହ୍ନ ଆଲୁଅ ଚାରିଆଡ଼େ ବିଛାଡ଼ି ହେଇ ପଡ଼ିଛି । ଭଟ୍ଟାଚାରିଆ କିଛି ସମୟ ଚୁପ୍ ଚାପ୍ ବସି ରହିଲା ପରେ କହିଲା ଜୀବନସାରା ଅନେକ କଷ୍ଟ ସହିଲିଣି । ଆଉ ପାରୁନି । ଚାରିମାସ ତଳେ ବାପା ଚାଲିଗଲେ-। ବାପା ଚାଲିଯିବାର ସତରଦିନ ପରେ ସ୍ତ୍ରୀ ବି ମତେ ଛାଡ଼ି ଚାଲିଗଲା । ଦୁଇଟା ଛୋଟ ଛୋଟ ଛୁଆ । ଜାଆଁଳା ପିଲା । ସ୍ତ୍ରୀକୁ ଖୁବ୍ ଭଲ ପାଉଥିଲି । ସ୍ତ୍ରୀ ସିନା ମରିଗଲା ହେଲେ ମୁଁ ତାକୁ ଭୁଲି ପାରୁଛି କୋଉଠି ? ଏବେ ବି ବେଳେ ବେଳେ ରାତିରେ ଘରକୁ ଫେରି ମୁଁ ତାର ନାଁ ଧରି ଡାକେ । ଆଉ ମୋର ମନେହୁଏ–ସେ ଯେମିତି ମୋ ପାଖରେ ଆସି ଠିଆ ହୋଇଛି । ମୁଁ ତା ସାଙ୍ଗରେ ଅନେକ କଥା ହୁଏ । କେତେବେଳେ ହୁଏତ ପାଣି ଗିଲାସେ ମାଗିଦିଏ, କେତେବେଳେ ପୁଣି ମୁଣ୍ଡ ଚିପି ଦେବାକୁ କହେ । ଆପଣ ବିଶ୍ଵାସ କରିବେନି, ମୋର ମନେ ହୁଏ ସିଏ ଯେମିତି ମୋର ମୁଣ୍ଡ ଚିପି ଦଉଛି । କଣ ଆଉ କହିବି, ବେଳେ ବେଳେ ଭାବେ ମୁଁ ହୁଏତ ପାଗଳ ହୋଇଯିବି ।

ଏହାପରେ ମେରିନ୍ ଡ୍ରାଇଭର୍ ପଥର ପାଚେରୀ ଉପରେ ଆମେ କେହି କିଛି କଥା ନ କହି ବହୁତ ସମୟ ବସି ରହିଲୁ । ଭଟ୍ଟାଚାରିଆ ଆଉ ମୋ ପାଖରେ ଭୟଙ୍କର ଦିଲ୍ଲୀକା ଠକ ନୁହେଁ-। ଜଣେ ସ୍ନେହ ମମତାର କାଙ୍ଗାଳ । ଯାହା ପାଇଁ ଦରକାର ‘ଆହା’ ପଦଟିଏ । ସେଦିନ ଆମେ କନା କିଣି ଫେରିଲାବେଳେ ଗୋଟାଏ ଛୋଟ ଦୋକାନରେ ହାଲୁଆ ଆଉ ଚାହା ପିଇଲୁ । ତାପରେ ଭଟ୍ଟାଚାରିଆ ଘରକୁ ଚାଲିଗଲା । ସେ ରହେ ମାଟୁଙ୍ଗାରେ । ଟ୍ରେନ୍‌ରେ ଯିବାକୁ ପଡ଼େ ସାତ, ଆଠ କିଲୋମିଟର ରାସ୍ତା ।

ପ୍ରଭାସବାବୁଙ୍କର କାମ ସରିଗଲା । ସେ ଆଉ ମତେ କେତେ ଟଙ୍କା ଦେବେ ପଚାରିଲେନି କି ମୁଁ ବି କିଛି ମୁହଁ ଖୋଲି କହି ପାରିଲିନି ।

ଧୀରବାବୁ, ନଟବାବୁ ଓ ଲୋକ ସମ୍ପର୍କ ବିଭାଗର ଅନ୍ୟମାନେ ଭଟ୍ଟାଚାରିଆ ବିଷୟରେ ସବୁ କଥା ମୋ ପାଖରୁ ଶୁଣି ସାରିଥିଲେ । ତେଣୁ ତାଙ୍କ ପାଖରେ ବି ଭଟ୍ଟାଚାରିଆ ଆଉ ଭୟଙ୍କର ଲୋକ ହୋଇ ରହିଲାନି । ସେ ଏବେ ଆମ ସମସ୍ତଙ୍କର ବନ୍ଧୁ ।

ଲୋକ ସମ୍ପର୍କ ବିଭାଗର ରାୟଗୁରୁବାବୁ ବୋମ୍ବାଇ ଆସିଥିଲେ ପୁଅକୁ ପୋଲିଓ ହସପିଟାଲ୍‌ରେ ଭର୍ତ୍ତି କରିବାକୁ । କାମ ସରିଛି ହେଲେ ଫେରିବା ପାଇଁ ଟିକଟ ପାଇ ପାରୁ ନାହାନ୍ତି-। କଥାଟା ଭଟ୍ଟାଚାରିଆ କାନକୁ ଗଲା । ସେଦିନ ରାତିରେ ଷ୍ଟେସନରେ ଖବରକାଗଜ ପାରି ସେ ଶୋଇଲା । ସକାଳେ, ଟିକଟ ଲାଇନ୍‌ରେ ସେ ପ୍ରଥମ ଲୋକ ହେଇ ଟିକଟ ଆଣି ଧରେଇ ଦେଲା ରାୟଗୁରୁବାବୁଙ୍କୁ ।

ପ୍ରଦର୍ଶନୀ ଆରମ୍ଭ ହେଲା ପରେ ବଢ଼େଇମାନଙ୍କୁ ଓ ରୋହିତକୁ ଟ୍ରେନ୍‌ରେ ବସେଇ ଦେଲି । ମୁଁ ରହି ଯାଇଛି । ଦେବରାଜବାବୁଙ୍କ ପାଖରୁ କିଛି ଟଙ୍କା ନେଲେ ମୁଁ ଆସିବି । ଦେବରାଜବାବୁଙ୍କ ପାଖରେ ଟଙ୍କା ନାହିଁ । ସେ ଭୁବନେଶ୍ଵର ଫେରି ଟଙ୍କା ପଠେଇବେ । ପ୍ରଥମଥର ପାଇଁ ବୋମ୍ବାଇ ଯାଇଛି । ଫେରିଲାବେଳେ ଘର ପାଇଁ, ବନ୍ଧୁମାନଙ୍କ ପାଇଁ କିଛି ଆଣିବା ଦରକାର-। ତେଣୁ ଦେବରାଜବାବୁଙ୍କ ଟଙ୍କାକୁ ଅପେକ୍ଷା କରି ମୁଁ ରହିଗଲି । ହେଲେ କାହିଁ ? ଦିନ ପରେ ଦିନ ଗଡ଼ି ଯାଉଛି । ଟଙ୍କା ଆସୁନି । ଇୟାଡ଼େ ମୋ ପାଖରେ ଯେତିକି ପଇସା ଥିଲା ତା ବି ସରି ଆସୁଛି-। ମତେ ଚିନ୍ତା କରିବାକୁ ଦେଖି ଭଟ୍ଟାଚାରିଆ କହିଲା ଏଥିପାଇଁ ଚିନ୍ତା କରିବାର କଣ ଅଛି ? ମୁଁ କାମ ଆଣି ଦଉଛି । ଆପଣ କରନ୍ତୁ ଟଙ୍କା ଆସିଯିବ । ଖାଲି ଏତକ ସେ କହିଲାନି–ସନ୍ଧ୍ୟା ଭିତରେ କାମ ବି ଆଣିଲା । କ୍ଵାଲିଟି ଆଇସ୍‌କ୍ରିମ୍ ମାଡ଼୍ରାସ୍‌ରେ ଆଉ ଗୋଟେ ପ୍ରଦର୍ଶନୀରେ ଷ୍ଟଲ କରିବ । ସେଥିପାଇଁ ଡିଜାଇନ୍ ଦରକାର । ରାତିକ ଭିତରେ ଡିଜାଇନ୍ ସାରିଲି । ପରଦିନ ଭଟ୍ଟାଚାରିଆ ଡିଜାଇନ୍ ଦେଇ ତିନିଶହ ଟଙ୍କା ଆଣି ଧରେଇ ଦେଲା । ତା’ପରେ ଚନ୍ଦ୍ରକାନ୍ତ ଇଣ୍ଡଷ୍ଟ୍ରିର ସାଇନ୍‌ବୋର୍ଡ଼ । ଏମିତି ଗୋଟାକ ପରେ ଗୋଟାଏ । ଫେରିଲାବେଳେ ଘର ଆଉ ବନ୍ଧୁମାନଙ୍କ ପାଇଁ ଜିନିଷ କିଣିବା କଥା ଶୁଣି–ଭଟ୍ଟାଚାରିଆ କହିଲା ଏଇଟା କିଛି ପ୍ରବ୍ଲେମ୍ ନୁହେଁ ଏବଂ ତା ପରଦିନ ସକାଳେ ମୁଁ ବିଛଣାରୁ ଉଠିବା ଆଗରୁ ଦୁଇଟା ବଡ଼ ବଡ଼ ବ୍ୟାଗ୍ ଧରି ସେ ମୋ ହୋଟେଲରେ ହାଜର ହେଲା ।

ମୁଁ କିଛି ବୁଝି ନ ପାରି ବ୍ୟାଗ୍‌କୁ ଅନେଇବାରୁ ଭଟ୍ଟାଚାରିଆ କହିଲା ଆପଣଙ୍କ ପାଇଁ ଆଣିଛି । ଏଗୁଡ଼ା ସବୁ ଆପଣ ନେଇ ଯାଆନ୍ତୁ ।

ହେଲେ କ’ଣ ଅଛି ସେ ବ୍ୟାଗ୍‌ରେ ? ମୁଁ ବିସ୍ମୟର ସହିତ ପ୍ରଶ୍ନ କଲି । ଭଟ୍ଟାଚାରିଆ କିଛି ନ କହି ବ୍ୟାଗ୍‌ରୁ ଜିନିଷ କାଢ଼ି ଟେବୁଲ ଉପରେ ଥୋଇବାକୁ ଲାଗିଲା । ଆଠ ଡଜନ ପାନିଆ, ମୁଣ୍ଡ ଟିକିଲି ପନ୍ଦର ଡବା, ଚାବି ରିଂ ଛଅ ଡଜନ, ସେପ୍ଟିପିନ ମେଞ୍ଚାଏ, ନେଲପଲିସ୍, ରିବନ୍, ପ୍ଲାଷ୍ଟିକ ବୋତାମ ଏମିତି କେତେ ଜିନିଷ ।

ମୁଁ କହିଲି ଭଟ୍ଟାଚାରିଆ ଏଗୁଡ଼ା ମୋର କ’ଣ ହବ ? ତମେ ବା ଏସବୁ ପାଇଲ କେଉଁଠୁ ? ଉତ୍ତରରେ ଭଟ୍ଟାଚାରିଆ କହିଲା–ସବୁ ମୁଁ କିଣି ଥିଲି ଫୁଟ୍‌ପାଥ୍‌ରେ ଦୋକାନ କରିବି ବୋଲି । ଦୋକାନ ତ କଲିନି । ତେଣୁ ଏଗୁଡ଼ା ଆଉ କ’ଣ ହବ ? ଆପଣ ନେଇ ଯାଆନ୍ତୁ ।

ହେଲେ ଏତେ ?

ଭଟ୍ଟାଚାରିଆ ସମସ୍ୟାର ସମାଧାନ କରିଦେଲା, “ଯାହା ପାରିବେ ଆପଣ ସାଙ୍ଗମାନଙ୍କୁ ବାଣ୍ଟିଦେବେ, ଆଉ ଯାହା ରହିବ ମୁଁ ଭୁବନେଶ୍ଵର ଯାଇ ଫୁଟ୍‌ପାଥ୍‌ରେ ଦୋକାନ କରିବି ।” ସେଦିନ ସେ ମୋର କୌଣସି ବାଧା ନ ମାନି ବ୍ୟାଗ୍ ଦୁଇଟି ଥୋଇ ଦେଇ ଗଲା ।

ଦିନକ ପରେ ଭୂବନେଶ୍ଵରରୁ ଦେବରାଜବାବୁ ପଠେଇଥିବା ଟଙ୍କା ଯାଇ ପହଞ୍ଚିଲା । ଟଙ୍କା ପାଇବା ମାତ୍ରେ ଭଟ୍ଟାଚାରିଆ ଟ୍ରାଭଲ୍ ଏଜେଣ୍ଟ ଜରିଆରେ ଟ୍ରେନ୍ ଟିକଟ ନେଇ ଆସିଲା ପରଦିନ ପାଇଁ । ସ୍ଥିର ହେଲା ପରଦିନ ଏଗାରଟା ସୁଦ୍ଧା ଭଟ୍ଟାଚାରିଆ ଆସି ପହଞ୍ଚିବ । ଆମେ ମାର୍କେର୍ଟିଂ କରିବା । ରାତିରେ ମତେ ଟ୍ରେନ୍‌ରେ ବସେଇ ସେ ଫେରିଯିବ ।

ହେଲେ ପରଦିନ ଏଗାରଟାରେ ଭଟ୍ଟାଚାରିଆ ଆସିଲାନି । ମୁଁ ଅପେକ୍ଷାରେ ରହିଲି । ବାରଟା, ଗୋଟାଏ, ଦୁଇଟା । ନା ଭଟ୍ଟାଚାରିଆ ଆସିଲାନି । ମୋର ଦୁଇ, ତିନିଶହ ଟଙ୍କା ସେତେବେଳେ ଭଟ୍ଟାଚାରିଆ ପାଖରେ ରହି ଯାଇଛି । ଭାବିଲି ସେଇ ଟଙ୍କା ଫେରାଇ ନ ଦେବା ପାଇଁ ସେ ଆସିଲାନି । ପ୍ରଭାସ ଦାସଙ୍କ କଥା ମନେ ପଡ଼ିଗଲା । ଲୋକଟା ଏକ ନମ୍ବର ଠକ । ହଁ, ଲୋକଟା ଏକ ନମ୍ବର ଠକ, ମନେ ମନେ ବିରକ୍ତ ହେଲି ଭଟ୍ଟାଚାରିଆ ଉପରେ । ଏକା ଏକା ବଜାର ଯାଇ କିଣାକିଣି କଲି । ସନ୍ଧ୍ୟାବେଳେ ଜିନିଷପତ୍ର ଧରି ଷ୍ଟେସନ ବାହାରିଲା ବେଳେ ଧୀରବାବୁଙ୍କୁ ଭଟ୍ଟାଚାରିଆ ଦେଇଥିବା ବ୍ୟାଗ ଦୁଇଟି ଦେଇ ଆସିଲି ତାକୁ ଫେରାଇ ଦେବା ପାଇଁ । ଖାଲି ସେତିକି ନୁହେଁ–ଭଟ୍ଟାଚାରିଆ ଯେ ସତକୁ ସତ ଗୋଟାଏ ଠକ, ଏ କଥା ବି ଧୀରବାବୁଙ୍କୁ କହି ଦେଇ ଆସିଲି ।

ଟ୍ରେନ୍ ପାଖରେ ପହଞ୍ଚି ବଗି ନମ୍ବର, ବର୍ଥ ନମ୍ବର ଖୋଜି ନିଜ ବର୍ଥକୁ ଆସି ପହଞ୍ଚିଲା ବେଳକୁ ଗାଡ଼ି ଛାଡ଼ିବାକୁ ଆଉ ଅଳ୍ପ ସମୟ ବାକି ଅଛି । ଦେଖିଲି ମୋ ବର୍ଥରେ ଗୋଟିଏ ଷୋହଳ ସତର ବର୍ଷର ପିଲା ବସିଛି । ମୁଁ ଜିନିଷ ଥୋଇଲାରୁ ସେ ମତେ ମୁଣ୍ଡିଆ ହାତକୁ ଚିଠି ଖଣ୍ଡିଏ ବଢ଼େଇ ଦେଲା । ଭଟ୍ଟାଚାରିଆ ଚିଠି । ଲେଖିଛି–ଦାଦା ! ଘରକୁ ଫେରି ଦେଖିଲି ମାଆଙ୍କୁ ଷ୍ଟ୍ରୋକ୍ ହେଇଛି । ଆପଣଙ୍କ ପାଖକୁ ଯାଇ ପାରିଲିନି । ଡାକ୍ତର ଆଉ ଔଷଧ ପଛରେ ଆପଣଙ୍କ ଦୁଇଶହ ଏକାଅଶୀ ଟଙ୍କା ଖର୍ଚ୍ଚ ହୋଇ ଯାଇଛି । ସାନ ଭାଇକୁ ପଠାଇଲି । ଯଦି ପାଖରେ ଟଙ୍କା ଥିବ ଆଉ କିଛି ଟଙ୍କା ଭାଇ ହାତରେ ପଠେଇବେ ।

ନିଜ ପାଖରେ ନିଜେ ଛୋଟ ହେଇଗଲି । ଛୋଟ ହେଇଗଲି ଧୀରବାବୁଙ୍କ ପାଖରେ ବି-। ପକେଟରୁ ଦୁଇଶହ ଟଙ୍କା ବାହାର କରି ପିଲାଟି ହାତରେ ଧରେଇ ଦେଇ କହିଲି–ଭାଇଙ୍କି କହିବ ମୋ ପାଖକୁ ଚିଠି ଲେଖିବେ ମାଆଙ୍କ ଦେହ କେମିତି ଅଛି ଜଣେଇ ।

ପ୍ରଦର୍ଶନୀ ସରିଲା ପରେ ଧୀରବାବୁ ଆସିଲେ । ସାଙ୍ଗରେ ଭଟ୍ଟାଚାରିଆ ଦେଇଥିବା ବ୍ୟାଗ ଦୁଇଟି । ଧୀରବାବୁଙ୍କୁ ଭଟ୍ଟାଚାରିଆ କଥା ପଚାରିଲାରୁ କହିଲେ–ଆପଣ ଆସିବାର ତିନି–ଚାରିଦିନ ପରେ ଭଟ୍ଟାଚାରିଆ ଆସିଥିଲା । ଦୁଃଖ କଲା ଆପଣ ବ୍ୟାଗ୍ ଦୁଇଟି ଆଣି ନାହାନ୍ତି ଶୁଣି । କହିଲା ମୋର ବେଳେ ବେଳେ ସବୁ କିଛି ଓଲଟ ପାଲଟ ହୋଇ ଯାଉଛି । ହୁଏତ ମୁଁ ଖୁବ୍ ଶୀଘ୍ର ପାଗଳ ହେଇଯିବି । ଏଇଟା ଅବଶ୍ୟ ସତ ନ ହୋଇପାରେ । ତେବେ ବି ଆପଣଙ୍କୁ କହି ରଖୁଛି–କାଲି ଡାକ୍ତର ପାଖକୁ ଯିବି । ଯଦି ମୁଁ ନ ଆସେ ତେବେ ଜାଣିବେ ମୁଁ ମାନସିକ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଗଲି ବୋଲି । ଆଉ ତା ପରଠୁଁ ସେ ଆସିନି ।

ତିନିବର୍ଷ ପରେ ପୁଣି ଥରେ ବୋମ୍ବାଇ ଗଲି । ଭଟ୍ଟାଚାରିଆକୁ ଭୁଲିବି କେମିତି ? ତା ବ୍ୟାଗ ଦି’ଟା ଯେ ମୋ ପାଖରେ ସେମିତି ଥୁଆ ହୋଇଛି । ବୋମ୍ବାଇର କୃଷି ମେଳାର କାମ । କାମ ସରିଲା ପରେ ଠିକଣା ଧରି ଭଟ୍ଟାଚାରିଆର ଖବର ନବା ପାଇଁ ମାଟୁଙ୍ଗାରେ ତା ଘରେ ଆସି ପହଞ୍ଚିଲି । ଦେଖାହେଲା ତା ଭାଇ ଆଉ ମାଆ ସାଙ୍ଗରେ । ଦେଖିଲି ଭଟ୍ଟାଚାରିଆର ଜାଆଁଳା ପିଲା ଦୁଇଟିକୁ । ହେଲେ ଭଟ୍ଟାଚାରିଆ ?

ଭଟ୍ଟାଚାରିଆର ମା କହିଲେ, ଡାକ୍ତରୀ ଚିକିତ୍ସାରେ ଭଲହେଇ ସେ ଘରକୁ ଫେରିଥିଲା, ତା’ପରେ ଲାର୍‌ସନ୍ ଟ୍ୟୁର୍ବୋରେ ଚାକିରି ଖଣ୍ଡେ ପାଇଥିଲା । ହେଲେ ମାସ କେଇଟା ପାଇଁ । ତା’ପରେ ହଠାତ୍ ଦିନେ କୁଆଡ଼େ ଚାଲିଗଲା । କିଏ କହୁଛି କଲିକତାରେ ତାକୁ ଦେଖିଛି ତ କିଏ କହୁଛି ପାଟନାରେ । ହେଲେ ଆମ ଜାଣିବାରେ ସେ ଆଉ ନାହିଁ । ସବୁଦିନ ପାଇଁ ନାହିଁ । ମୁଁ ଦେଖିଲି ଭଟ୍ଟାଚାରିଆ ମାଆ ଆଖିରୁ ଦୁଇଧାର ଲୁହ ବୋହି ଆସୁଛି ।

 

॥ ୩୩ ॥

 

ବାରଟା ବର୍ଷ । ବାରଟା ବର୍ଷ ଭିତରେ ଅନେକ ଅଦଳ ବଦଳ ହେଇଗଲା । ବୋମ୍ବାଇର ଆନ୍ତର୍ଜାତିକ ପର୍ଯ୍ୟଟନ ମେଳା ଠାରୁ ମାଡ଼୍ରାସର ପର୍ଯ୍ୟଟନ ମେଳା ଗୋଟାଏ ଯୁଗର ବ୍ୟବଧାନ । ଅସୀମବସୁ ଏ ବାରବର୍ଷ ଭିତରେ ଅନେକ ପ୍ରଦର୍ଶନୀ ମଣ୍ଡପ କରିଛି । ଓଡ଼ିଶା ସରକାର ଯେଉଁ ପ୍ରଦର୍ଶନୀରେ ଯୋଗ ଦେବ–ଅସୀମ ବସୁର ଡାକରା ସେଠିକି । ଦିଲ୍ଲୀର ଗାନ୍ଧୀ ଦର୍ଶନ, ଏସିଆ ୭୨ ପ୍ରଦର୍ଶନୀ, ଆସାମର କଂଗ୍ରେସ ମେଳା, ଲକ୍ଷ୍ନୌ, ଅହମଦାବାଦର କୃଷି ମେଳା–ସବୁଠି ଅସୀମ ବସୁ । ସୁନାମ ପାଇଛି ଯଥେଷ୍ଟ । ଓଡ଼ିଶା ସରକାରଙ୍କ ପାଇଁ ସମ୍ମାନ ମଧ୍ୟ ଅର୍ଜନ କରେଇଛି ଅନେକ ଥର । ହେଲେ ସବୁ ଓଲଟ୍ ପାଲଟ୍ ହେଇଗଲା । ଖାଲି ଭଲ କାମ କରିବା ତ ଗୋଟାଏ ପ୍ରତିଷ୍ଠାନ ପାଇଁ ଯଥେଷ୍ଟ ନୁହେଁ । ଭଲ କଥା କହିବାର ବାଗବି ଜାଣିବା ଦରକାର । ଆଉ ସେଇ ବାଗେଇ ଚୁନେଇ କଥା କହିବାର ଢଙ୍ଗ ତାକୁ ଜଣା ନ ଥିଲା । ଅସୀମ ବସୁର ସବୁ ଯୋଗ୍ୟତା ସବୁ ଅଭିଜ୍ଞତାକୁ ନସ୍ୟାତ୍ କରିଦେଇ କଲିକତାର ମିଃ ଦାଶଗୁପ୍ତା ଦିଲ୍ଲୀ ପ୍ରଦର୍ଶନୀର କାମ ପାଇଲେ ସେଥର । ଆଉ ଥରେ ଯେ ଏମିତି ଘଟିବାକୁ ଯାଉ ନଥିଲା ତା ନୁହେଁ-। ଏସିଆ ୭୨ ପ୍ରଦର୍ଶନୀ ବେଳେ ବି ସେମିତି ଦିଲ୍ଲୀର ରେସିଡେଣ୍ଟ କମିଶନର କେଉଁ–ମିସ୍ ସୋନାରାୟଙ୍କୁ କାମ ଦେବାପାଇଁ ସ୍ଥିର କରିଥିଲେ । ହେଲେ ସେ ସମୟର ମୁଖ୍ୟମନ୍ତ୍ରୀ କଥାଟାକୁ ନା ପସନ୍ଦ କରି ଓଡ଼ିଶା ଲୋକଙ୍କୁ କାମ ଦେବାର ନିଷ୍ପତି ନେଇଥିଲେ । ତେଣୁ ଏସିଆ ୭୨ ପ୍ରଦର୍ଶନୀ କାମ ଅସୀତ୍, ଅସୀମ ପାଇ ପାରିଥିଲେ । ଦିଲ୍ଲୀ ପ୍ରଦର୍ଶନୀ ନ ସରୁଣୁ ମାଡ଼୍ରାସରେ ପର୍ଯ୍ୟଟନ ମେଳାରେ ଯୋଗ ଦେବା କଥା ଓଡ଼ିଶା ସରକାର ସ୍ଥିର କଲେ । ସେଥିପାଇଁ ନକ୍‌ସା ମଗାହେଲା ବିଜ୍ଞାପନ ଜରିଆରେ । ଅସୀମ ବସୁ ରାତିଦିନ ଲାଗି ନକ୍‌ସା ତିଆରି କଲା । ନିର୍ଦ୍ଦିଷ୍ଟ ଦିନରେ ଅଫିସରେ ଦାଖଲ କଲା ମଧ୍ୟ । ହେଲେ ଦିନ ଗଡ଼ି ଚାଲିଲା । ଦିନେ ଅସୀମ ବସୁ ସାହସ ବାନ୍ଧି ଯାଇ ଠିଆ ହେଲା ବିଭାଗୀୟ ନିର୍ଦ୍ଦେଶକଙ୍କ ସାମନାରେ । ନିର୍ଦ୍ଦେଶକ ଫାଇଲ ଉପରୁ ମୁଣ୍ଡ ଟେକି ଅସୀମ ବସୁକୁ ଚାହିଁଲାରୁ ସେ ପଚାରିଦେଲା–କେବେ ବିଚାର କରିବେ ସେ ନକ୍‌ସା କଥା ? ନିର୍ଦ୍ଦେଶକ ଭୃକୁଞ୍ଚନ କରି କହିଲେ–ସେ କଥା ଜାଣି ତମର ଲାଭ ? ଅସୀମ ବସୁ ନମ୍ର ଭାବରେ କହିଲା–କାଳେ ମୋର ଦରକାର ପଡ଼ିବ ମୋ ନକ୍‌ସା ବୁଝେଇବା ପାଇଁ ସେଥିପାଇଁ ପଚାରୁଥିଲି । ସେ କହିଲେ–“ପଅରଦିନ ବିଚାର ହେବ ସଚିବାଳୟରେ ସେକ୍ରେଟାରୀଙ୍କ ଘରେ । ତମେ ଇଚ୍ଛା କଲେ ଯାଇପାର । ବାହାରେ ଅପେକ୍ଷା କରିବ । ଦରକାର ହେଲେ ଆମେ ଡାକିବୁ ।” ତାପରେ କହିଲେ–“ତମେ ଆଉ ଅଧିକ କଣ କରିଛ ତମ ନକ୍‌ସାରେ ? ଦାଶଗୁପ୍ତ ତା ମଡ଼େଲ୍‌ରେ କିଛି ନୂଆ କାନ୍ଥ କରିଛି, ତମେ ବି ତ ସେଇଆ କରିଛ । ତଫାତ୍ କଣ ?”

 

ସତରେ କାନ୍ଥ ତିଆରିରେ ତଫାତ ବା କଣ ହେବ କେମିତି ? କାନ୍ଥ ତିଆରି କଲେ ପ୍ରଦର୍ଶନୀ ପାଇଁ ଫଟୋ ସବୁ ଲାଗିବ କେମିତି ? ତା’ଛଡ଼ା ଭିତରର କାନ୍ଥ ବିଚାରର ବିଷୟ ନୁହେଁ । ବିଚାରର ବିଷୟ ସମ୍ମୁଖ ଭାଗର ନକ୍‌ସା । ତଫାତ୍ ତ ସେଇଠି । ହେଲେ ମୁହଁ ଖୋଲି ସେ କଥା ତାଙ୍କୁ କହି ଲାଭ କଣ ? ସଚିବାଳୟକୁ ଯିବାକୁ ହେଲେ ପ୍ରବେଶ ପତ୍ର ଦରକାର । ସେ ପ୍ରବେଶପତ୍ର ମୁଁ ପାଇ ପାରିଲିନି । ତେଣୁ ନକ୍‌ସା ବୁଝେଇବାକୁ ଯିବା କଥା ଉଠୁଛି କେଉଁଠି ? ନିର୍ଦ୍ଦେଶକଙ୍କ ଅଫିସ ସାମନାରେ ଅପେକ୍ଷା କରି ରହିଲି ଫଳ ଜାଣିବା ପାଇଁ । ରାତି ନଅଟା ପରେ ଜାଣିଲି ମୋରି ନକ୍‌ସା ପସନ୍ଦ ହେଇଛି । ହେଲେ କାମ କରିବା ଆଗରୁ ସରକାରଙ୍କ ଗୋଟାଏ ଚିଠିର ଜବାବ ଦେବାକୁ ହେବ । କି ଚିଠି ? ଜାଣିଲି ତା ପରଦିନ । ଦିଲ୍ଲୀ ପ୍ରଦର୍ଶନୀରୁ କିଛି ଜିନିଷ ମାଡ଼୍ରାସ ପଠାଯାଉଛି । ସେଗୁଡ଼ିକ ଯଦି ମୁଁ ବ୍ୟବହାର କରେ ତେବେ ମୁଁ ଉଲ୍ଲେଖ କରିଥିବା ମୂଲ୍ୟର କେତେ କମେଇ ଦେଇ ପାରିବି ? ଏ ଚିଠି ମତେ ଯେମିତି ଲେଖା ହେଇଛି ମିଃ ଦାଶଗୁପ୍ତଙ୍କୁ ମଧ୍ୟ ସେମିତି ଲେଖା ହେଇଛି । ଏମିତିରେ ମଣ୍ଡପ ନିର୍ମାଣ ପାଇଁ ଦାଶଗୁପ୍ତଙ୍କର ଠାରୁ ମୋର ରେଟ୍ କମ୍ ରହିଛି । ଏକଥା କୋଟେସନ୍ ଖୋଲା ହେଲାପରେ ଆମେ ପରିଷ୍କାର ଜାଣି ଗଲୁଣି । ଏବେ ଦାଶଗୁପ୍ତଙ୍କର ରେଟ୍ କମେଇବାର ଗୋଟିଏ ବାଟ ହେଲା–ସରକାରୀ ଚିଠିର ଜବାବରେ ମୁଁ ଯେତିକି କମେଇବି ଦାଶଗୁପ୍ତ ତା’ଠାରୁ ଅଧିକ କମେଇ ମୋ ରେଟ୍‌ଠୁଁ ତଳ ରେଟ୍ କରି କାମ ନେବ ।

 

ବୁଝିବାକୁ ଅସୁବିଧା ହେଲାନି ନିର୍ଦ୍ଦେଶକ ଦାଶଗୁପ୍ତଙ୍କୁ କାମ ଦେବାପାଇଁ ବଦ୍ଧ ପରିକର-। ଏ କ୍ଷେତ୍ରରେ ମୁଁ କାମ ପାଇଲେ ବି ନିର୍ଦ୍ଦେଶଙ୍କର ରୋଷ ଦୃଷ୍ଟିରେ ରହି ହଇରାଣ ହେବି-। ତା’ ଠାରୁ କାମ ନ କରିବା ବରଂ ଭଲ । ତେଣୁ ମୁଁ ଚିଠିର ଜବାବରେ ଲେଖିଲି ଦିଲ୍ଲୀଠାରୁ ଯେଉଁ ଜିନିଷ ଆସିବ ଏବଂ ମତେ ବ୍ୟବହାର କରିବାକୁ ଦିଆ ହବ ମୁଁ ତାହା ଦେଖି ନ ଥିବାରୁ ବ୍ୟବହାର କରିବାକୁ ପ୍ରସ୍ତୁତ ନୁହେଁ । ଆଉ ମୁଁ ଲେଖିଥିବା ରେଟ୍‌ରୁ ମଧ୍ୟ କମେଇବା ସମ୍ଭବ ନୁହେଁ । ଏବେ ପୁଣି ଚିନ୍ତାରେ ପଡ଼ିଲି ଏହାପରେ ବି ଯଦି ମତେ କାମ ଦିଆହୁଏ ମୁଁ କଣ କରିବି । କାମ ମିଳିଲା ପରେ କାମ କରିବାକୁ ମନା କରିବାଟା ସଂସ୍ଥା ପାଇଁ ଅଯୋଗ୍ୟର ପରିଚୟ ଦେବ । ହୁଏତ ସରକାରଙ୍କ ପାଖରେ ମୁଁ ବ୍ଲାକ ଲିଷ୍ଟେଡ଼୍ ହେବି ।

 

ତେଣୁ ପରଦିନ ସକାଳେ ବିଭାଗୀୟ ସ୍ରେକେଟାରୀଙ୍କ ଘରେ ଯାଇ ହାଜର ହେଲି । ତାଙ୍କ ସାଙ୍ଗରେ ଦେଖା କରି ମୋତେ କାମ ନ ଦେବା ପାଇଁ ଅନୁରୋଧ କଲି । ସେ ଅବାକ୍ ହେଇ ମୋ ମୁହଁକୁ ଚାହିଁଲେ । ବୁଝିପାରିଲି, ତାଙ୍କର ଏତେ ଦିନର ଚାକିରି ଜୀବନରେ ଏଭଳି ଅଦ୍‌ଭୂତ ଅନୁରୋଧ କେହି କରି ନାହାନ୍ତି ।

 

ମୋ ମୁହଁକୁ କିଛି ସମୟ ଚାହିଁ ରହିଲା ପରେ କହିଲେ–ହେଲେ ଆମେ ତ ଆପଣଙ୍କୁ କାମ ଦେବା କଥା ସ୍ଥିର କରି ସାରିଛୁ । ସ୍ଥିର କରିଛୁ ଆପଣଙ୍କର ମଡେଲ୍ ଦେଖି । ଆପଣଙ୍କର ଯୋଗ୍ୟତା କଥା ବିଚାର କରି । ଏବେ କୁହନ୍ତୁ ତ ଆପଣ କରିବେନି କାହିଁକି ? ତାଙ୍କର ଏଇ କାହିଁକିର ଉତ୍ତର ନ ଦେବି କେମିତି ? ତେଣୁ ମୋ ସନ୍ଦେହ କଥା ତାଙ୍କୁ ଖୋଲି କହିଲି । ମୋ କଥା ଶୁଣି ସେ କିଛି ସମୟ ଗୁମ୍ ମାରି ରହିଲେ । ତାପରେ କହିଲେ–କାମ ଆପଣ କରିବେ । ମୁଁ ନିଜେ ଯିବି ମାଡ଼୍ରାସ୍ କାମ ଦେଖିବା ପାଇଁ । ଏହାପରେ ଆଉ ମୋର କିଛି କହିବାର ନ ଥିଲା ।

 

ମୋର ଅନୁମାନ ସତ୍ୟ କରି ମିଃ ଦାଶଗୁପ୍ତ ମୋ ରେଟ୍‌ଠୁଁ କମେଇ ନୂଆ ରେଟ୍ ଲେଖି ଜଣେଇଲେ ଅଫିସକୁ । ହେଲେ ଲାଭ କିଛି ହେଲାନି । ଅର୍ଡ଼ର ମୁଁ ପାଇଲି । ଗୋଟାଏ ନୁହେଁ ଦୁଇଟା–ମାଡ଼୍ରାସ୍‌ର ପ୍ରଦର୍ଶନୀ କାମ ସାଙ୍ଗକୁ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ହେବାକୁ ଥିବା ପ୍ରଜ୍ଞାପନ ମେଢ଼ର କାମ, ଯାହାର ନକ୍‌ସା କେନ୍ଦ୍ର ସରକାର ଅନେକ ଆଗରୁ ମନୋନୀତ କରିଥିଲେ । ହାତରେ ପଇସା ନାହିଁ । ଅଗ୍ରୀମ ଆକାରରେ ବି ସରକାର କିଛି ଦେଲେନି । କଣ କରିବି ? କେମିତି କରିବି ଭାବିବାକୁ ଲାଗିଲି ।

 

ହେଲେ ଭାବିବାକୁ ବା ସମୟ କାହିଁ ? ବହୁ କଷ୍ଟରେ ଦଶହଜାର ଟଙ୍କା ଯୋଗାଡ଼ କଲି-। ରୋହିତ ବଟୁ ଯିଏ ବାରବର୍ଷ ପୂର୍ବେ ମୋରି ସାଙ୍ଗରେ ବୋମ୍ବାଇ ପର୍ଯ୍ୟଟନ ମେଳାକୁ ଯାଇଥିଲା ବୋଲି ରବି ଟକିଜ୍‌ରୁ ଚାକିରି ହରେଇଥିଲା ଏବଂ ସେଇ ଦିନଠୁଁ ମୋରି ସାଙ୍ଗରେ କାମ କରୁଥିଲା ତା ହାତରେ ପାଞ୍ଚ ହଜାର ଟଙ୍କା ଓ ଛଅଜଣ ଲୋକ ଦେଇ କହିଲି–ରୋହିତ ତମେ ଦିଲ୍ଲୀ ଯାଅ । ମଡେଲ୍ ମୁତାବକ କାମ କରିଯାଅ । ଜିନିଷ ସବୁ ବାକିରେ ମିଳିବ । କାଠ ବେପାରୀ ‘ଦୋଭାଇ’ ଅଛି–ପ୍ଲାଇ ବେପାରୀ ଗାନ୍ଧୀ ଅଛି–ଅଟୋବାଲା କପୁର୍ ଅଛି–ଏମାନେ ତମକୁ ସାହାଯ୍ୟ କରିବେ । ରୋହିତ ଦିଲ୍ଲୀ ଗଲା । ମାଡ଼୍ରାସ୍ କାମ ପାଇଁ ଅନୁଜ ପ୍ରତିମ ଶିଳ୍ପୀ ବନ୍ଧୁ ବାଞ୍ଛାନିଧିକୁ ମଡ଼େଲ ଓ ଲୋକ ଦେଇ ପଠେଇ ଦେଲି । ସେଇ ଏକା କଥା ତାକୁ ମଧ୍ୟ କହିଲି । ସମସ୍ତେ ଚାଲିଗଲା ପରେ ନିରୋଳାରେ ଭାବିବାକୁ ବସିଲି ମୁଁ କଣ କରିବି । ଆଉ କିଛି ଟଙ୍କା ଯୋଗାଡ଼ କରିବାକୁ ଦୁଇ ଦିନ ସମୟ ଲାଗିଲା । ଟଙ୍କା ଧରି ଯାଇ ପହଞ୍ଚିଲି ମାଡ଼୍ରାସ୍‌ରେ । କାମ ଆଗେଇ ଚାଲିଛି ଜୋର୍ ସୋରରେ । ଯଦିଓ ସରକାରୀ ଅର୍ଡ଼ରରେ ଲେଖାଥିଲା କାମ ଆଗେଇବା ସାଙ୍ଗେ ସାଙ୍ଗେ କାମକୁ ବିଚାରକରି ଟଙ୍କା ଦେବେ–ହେଲେ କାର୍ଯ୍ୟତଃ ତାହା ହେଲାନି । ଟଙ୍କା ମିଳିଲାନି, କଣ ଫାଇଲ୍‌ର ଭୁଲ୍ ଲେଖା ପାଇଁ । ହେଲେ ମୋର ମନେ ହେଲା ଏସବୁ ନିର୍ଦ୍ଦେଶକଙ୍କର ଇଚ୍ଛାରେ ହିଁ ହେଉଛି ।

 

ପ୍ରଦର୍ଶନୀ ଆରମ୍ଭ ହେବା ଆଗଦିନ ସାରା ରାତି କାମ କରି ପ୍ରଦର୍ଶନୀ କାମ ଆମେ ସାରିଲୁ । ରାତି ପାହିଲା ବେଳକୁ ମୁଁ ଦିଲ୍ଲୀ ଯିବି ପ୍ଲେନ୍‌ରେ । ଦିଲ୍ଲୀରେ ପହଞ୍ଚି ଶୁଣିଲି ଡେପୁଟି ଡାଇରେକ୍ଟର କାମ ତଦାରଖ କରିବା ପାଇଁ ସେଇଦିନ ସନ୍ଧ୍ୟାବେଳେ ଆସି ପହଞ୍ଚିବେ । କାମ ବେଶ୍ ଆଗେଇ ଯାଇଥାଏ । ବୋଇତ ଯାତ୍ରା ଉପରେ ନକ୍‌ସା । ରୋହିତ ବୋଇତ ଗଢ଼ା କାମ ପ୍ରାୟ ସାରି ଦେଇଥାଏ । ଏଥର ଯାହା ରଙ୍ଗ ହେବ ଆଉ ତା ସାଙ୍ଗକୁ କିଛି ଖୁଚୁରା କାମ । ସନ୍ଧ୍ୟାବେଳକୁ ଡେପୁଟି ଡାଇରେକ୍ଟର ଆସି ପହଞ୍ଚିଲେ । ମତେ ଦେଖି ସିଏ କାବା ହେଇ ଅନେଇଲେ । ମୋର ତ ଏଠି ରହିବା କଥା ନୁହେଁ ।

 

ଡାଇରେକ୍ଟର ତାଙ୍କୁ ପଠେଇଛନ୍ତି ମୋର ଅନୁପସ୍ଥିତିର ସୁଯୋଗ ନେଇ କାମ କ୍ୟାନସଲ କରିବାକୁ । କାରଣ ଦେଖେଇଥାନ୍ତେ ମୋର ଅନୁପସ୍ଥିତି ଯୋଗୁଁ କାମ ଠିକ୍ ଭାବରେ ହେଉନି । ହେଲେ ଏ କଣ । ଏ ଲୋକ ମାଡ଼୍ରାସ ଛାଡ଼ି ଏଠିକି ଆସିଲା କେତେବେଳେ ? ଏଇ କାମ କ୍ୟାନ୍‌ସାଲ୍ ପାଇଁ ଡାଇରେକ୍ଟରଙ୍କର ଯେଉଁ ଉଦ୍ୟୋଗ ଏ କଥା ମୁଁ ଶୁଣିଥିଲି ଅନେକ ପରେ ।

 

ସେ ଯାହା ହେଉ ନିର୍ଦ୍ଦିଷ୍ଟ ଦିନରେ ପ୍ରଜ୍ଞାପନ ମେଢ଼ ବାହାରିଲା । କାମ ଦେଖି ଦିଲ୍ଲୀରେ ରହୁଥିବା ଓଡ଼ିଶା ଲୋକ ଖୁବ୍ ଖୁସୀ ହେଲେ । ଜେ. ପି. ଦାସ, ଆଇ. ଏ. ଏସ୍ ଯେ କି ସେତେବେଳେ ଦିଲ୍ଲୀରେ ରହୁଥିଲେ ମତେ ଅଭିନନ୍ଦନ ଜଣାଇଲେ । ପ୍ରଜ୍ଞାପନ ମେଢ଼ର ଟଙ୍କା ମିଳିଲାପରେ ସେଠାକାର ଧାର ସବୁ ମେଣ୍ଟେଇ ପୁଣି ମାଡ଼୍ରାସ ଆସିଲି । ବାଞ୍ଛାନିଧି ପାଖରେ ସେତେବେଳେ ଖାଇବାକୁ ବି ପଇସା ନାହିଁ । ଯାହାହେଉ ମାଡ଼୍ରାସରୁ ସମସ୍ତଙ୍କୁ ଧରି ଭୁବନେଶ୍ଵର ଫେରିଲି ।

 

ଡାଇରେକ୍ଟରଙ୍କୁ ଯାଇ ଦେଖା କଲାପରେ ସେ କହିଲେ–ଶୁଣିଲି ଦିଲ୍ଲୀରେ ପ୍ରଜ୍ଞାପନ ମେଢ଼ର କାମ ଭଲ ହେଇଛି । ହେଲେ ମାଡ଼୍ରାସ କାମ ଭଲ ନ ହେଇଥିବାର ଖବର ବି ମୁଁ ପାଇଛି । ମୁଁ ଆଉ କଣ କହିବି ? ଖାଲି କହିଲି–ସାର୍ ଆପଣ ନିଜେ ଚାଲନ୍ତୁ କାମ ଦେଖିବେ । ସେ ରାଜି ହେଲେ । ହେଲେ ସେ ଯିବା ଆଗରୁ ମାଡ଼୍ରାସରୁ ଟେଲିଗ୍ରାମ ଆସିଲା–ଓଡ଼ିଶା ପାଭିଲିୟନ୍ ଫାଷ୍ଟ ହେଇଛି । ଟେଲିଗ୍ରାମ୍ ଆସିବା ଦିନ ମିଃ ଦାଶଗୁପ୍ତ ସେଇଠି ଉପସ୍ଥିତ ଥିଲେ । ସେଦିନ ଠୁଁ ଆଜି ଯାଏ, ଗୁଡ଼ାଏ ବର୍ଷ କଟିଗଲାଣି । ହେଲେ ଏ ପର୍ଯ୍ୟନ୍ତ ବୁଝି ପାରିଲିନି । କେଉଁଥିପାଇଁ ସେଦିନ ଡାଇରେକ୍ଟରଙ୍କ ରୋଷ ଦୃଷ୍ଟିରେ ମୁଁ ପଡ଼ିଥିଲି ।

 

॥ ୩୪ ॥

 

କଥା ମାଜିଲେ ମୋଟ ଆଉ ସୂତା ମାଜିଲେ କୁଆଡ଼େ ସରୁ ହୁଏ । ଏମିତି ଏକ ସତ୍ୟକୁ ମୋର ଜେଜେବାପାଙ୍କ ଜେଜେ ବାପା କିମ୍ବା ତାଙ୍କ ଜେଜେ ବାପା ଆବିଷ୍କାର କରିଥିଲେ । ମୁଁ କେବଳ ସେହି ସତ୍ୟର ବାହକ ମାତ୍ର । ତେଣୁ ଅତୀତକୁ, ଅତୀତର ଛୋଟ ବଡ଼ ଘଟଣାର ସ୍ମୃତିକୁ ସମ୍ବଳ କରି ଏତେ କଥା ବଖାଣି ଚାଲିଛି । ବଖାଣି ଚାଲିଛି ଏମିତି ଗୋଟାଏ ଲୋକ ଆଗରେ ଯାହାର ନିଜସ୍ଵ କିଛି ସତ୍ତା ନାହିଁ । ଯିଏ ଛାତି ଫୁଲେଇ ବି କହି ପାରିବନି–ମୁଁ ଶତକଡ଼ା ଶହେଭାଗ ଅସୀମ ବସୁ ନୁହେଁ, ମୁଁ ଶ୍ରୀ ଅମୁକ ଚନ୍ଦ୍ର ଅମୁକ । ଏ କଥା ବି କହି ପାରିବିନି–ମୁଁ ଅସୀମ ବସୁ । ହଁ ଶତକଡ଼ା ଶହେଭାଗ ଅସୀମ ବସୁ । କାରଣ ମୁଁ ଏଠି ବସି ରହିଛି । ଆଲୁରୁ ବାଲୁରୁ ଦାଢ଼ି ନିଶରେ ମୋର ହାଡ଼ୁଆ ମୁହଁକୁ ଘୋଡ଼େଇ ମୁଁ ତା’ ଆଗରେ ବସି ରହିଛି । ମୁଁ ଅସୀମ ବସୁ । ଆଉ କଥାକୁ ମାଜି ମାଜି ମୋଟା କରି ଚାଲିଛି ।

 

ସରକାରୀ ଚାକିରିରେ ଭର୍ତ୍ତି ହେଇ ଅଫିସ ଭିତରେ ପ୍ରଥମ ଯାହାକୁ ଭେଟିଥିଲି ସେ ଲୋକଟା ମତେ ବାରବର୍ଷ ପଛକୁ ଟାଣି ନେଇଗଲା । ଟାଣି ନେଇଗଲା ଇତିହାସ, ଭୂଗୋଳ, ଅଙ୍କ, ଇଂରାଜୀ, ସାହିତ୍ୟ ଘୋଷିବାର ଦିନ ଗୁଡ଼ାକ ପାଖକୁ । ମୋର ସ୍କୁଲ ଜୀବନକୁ । ଲୋକ ଜଣକର ମତେ ପ୍ରଥମ ପ୍ରଶ୍ନ, ଅଫିସ ବାରଣ୍ଡାରେ ଠିଆ ହେଇ “ଆପଣ କଣ ଅନୁଗୁଳୁ ସ୍କୁଲରେ ପଢ଼ୁଥିଲେ-?” ମୁଁ ‘ହଁ’ ଭରିଲା ପରେ ସେ ‘ଆପଣରୁ ‘ତୁ’ କୁ ଖସି ଆଉ ଦ୍ଵିତୀୟ ପ୍ରଶ୍ନ–ହଇରେ ମତେ ଚିହ୍ନି ପାରୁନୁ ? ମୁଁ ଉପେନ୍ଦ୍ର । ଚିହ୍ନି ପାରିଲି, ଉପେନ୍ଦ୍ର ତ୍ରିପାଠୀ । ଅନୁଗୁଳ ହାଇସ୍କୁଲର ଦଶମ ଶ୍ରେଣୀର ସହପାଠୀ ଖାଲି ନୁହେଁ–ସେ ବୟସରେ ଛବି ଆଙ୍କିବାରେ ସେ ଥିଲା ଏକମାତ୍ର ସହଯୋଗୀ ମଧ୍ୟ । ଉପେନ୍ଦ୍ର ମୋଠାରୁ ବି ଭଲ ଛବି ଆଙ୍କୁଥିଲା । ଦୁହିଁଙ୍କର ସ୍ଵପ୍ନ ଥିଲା ଗୋଟିଏ । ଶିଳ୍ପୀ ହେବୁ–ଶିଳ୍ପୀ । ସେହି ଉପେନ୍ଦ୍ର ଆଜି ମୋ ସାମ୍ନାରେ ହେଲଥ୍ ଏଜୁକେଟର ଉପେନ୍ଦ୍ର ତ୍ରିପାଠୀ ହେଇ ଠିଆ ହେଇଛି-

 

ମୁଁ ପଚାରିଲି “ଉପେନ୍ଦ୍ର । ତୋର ଛବି ଅଙ୍କା ?” ଉତ୍ତର ପାଇଲି–“ଆଉ ତ ମୁଁ ଆଙ୍କୁନି” ମୁଁ ପଚାରିଲି–“ବାନାମ୍ବର କଣ ଆଉ କବିତା ଲେଖେ ?” ସେ କହିଲା–“ସେ ତ ଏବେ ଇଞ୍ଜିନିୟର-।” ଯେମିତି–ହେଲ୍‌ଥ୍ ଏଡ଼ୁକେଟର ଛବି ଆଙ୍କିବା ମନା । ଇଞ୍ଜିନିୟର ହେଲେ କବିତା ଲେଖିବା ଏକ ଅପରାଧ ବିଶେଷ ।

 

ସେଇ ମୁହୂର୍ତ୍ତରେ ମନେ ହେଲା ମୁଁ ସାଫଲ୍ୟର ଉଚ୍ଚ ଶିଖରରୁ ଗଡ଼ି ଗଡ଼ି ତଳକୁ ଖସି ଆସୁଛି । ମୋ ସ୍ଵପକୁ ସାର୍ଥକ ରୂପ ଦେଇଥିବାର ଗର୍ବ ମୋର ଭାଙ୍ଗି ଚୁରମାର ହେଇଗଲା ।

 

ହେଲଥ ଏଡ଼ୁକେଟର ପଦରେ ଚାକିରି କରୁଥିବା ଉପେନ୍ଦ୍ର–ଇଞ୍ଜିନିୟର ପଦରେ ଚାକିରି କରିଥିବା ବାନାମ୍ବର ଆଉ ଆର୍ଟିଷ୍ଟ ପଦରେ ଚାକିରି କରିଥିବା ଅସୀମ ବସୁ ଭିତରେ କୌଣସି ତଫାତ ନାହିଁ । ଶିଳ୍ପୀ ହେବାର ସ୍ଵପ୍ନ ଦେଖିଥିବା ଅସୀମ ବସୁ କେବଳ ଶିଳ୍ପୀ ପଦରେ ଚାକିରି କରୁଥିବା ଅସୀମ ବସୁ ହେଇ ରହିଗଲା ।

 

ଆର୍ଟ କଲେଜରେ ପାଠ ପଢ଼ିଥିଲେ ବାନାମ୍ବର ଆର୍ଟିଷ୍ଟ ପଦରେ ଚାକିରି କରି ଥାଆନ୍ତା ।

 

ଇଞ୍ଜିନିୟରିଂ ପାଠ ପଢ଼ିଥିଲେ ଉପେନ୍ଦ୍ର ଇଞ୍ଜିନିୟର ପଦରେ ଚାକିରି କରନ୍ତା ଏବଂ ହେଲ୍‌ଥ୍ ଏଡ଼ୁକେଶନ ପାଠ ପଢ଼ିଥିଲେ ମୁଁ ହେଲ୍‌ଥ ଏଡ଼ୁକେଟର ପଦରେ ରହି ଥାଆନ୍ତି ।

 

କ୍ଲାସରେ ଭଲ ପାଠ ପଢ଼ୁଥିବା ବାନାମ୍ବରକୁ ମୁଁ ଶ୍ରଦ୍ଧା କରୁଥିଲି–ଈର୍ଷା କରୁଥିଲି । ସେ ଶ୍ରଦ୍ଧା ଈର୍ଷା ତାର ପାଠ ପାଇଁ ନୁହେଁ, ତାର ଲେଖା ପାଇଁ । ବାନାମ୍ବର ଖୁବ୍ ଭଲ କବିତା ଲେଖୁଥିଲା, ଆଉ ଯାହା ଲେଖୁଥିଲା ମତେ ପଢ଼ି ଶୁଣାଉଥିଲା । ସେ ବୟସରେ ଭଲ ପାଇବାର ସୂକ୍ଷ୍ମ ଧାରଣା ତାର ଥିଲା କି ନା ମୁଁ କହି ପାରିବିନି–ହେଲେ ସେ ଧାରଣା ଟିକକ ତା ଲେଖା କବିତାରୁ ମୁଁ ପାଇ ପାରିଥିଲି । ଆଉ ପାଇ ପାରିଥିଲି ବୋଲି ହଷ୍ଟେଲର ମୋ ପଢ଼ା ଟେବୁଲ ଉପରେ ଗୋଟିଏ ନାଆଁ ଛୁରୀରେ କାଟି ଖୋଦେଇ କରିଥିଲି । ଆମ କ୍ଲାସରେ ପଢ଼ୁଥିବା ଅନୁସୂୟାକୁ ଦେଖିବାକୁ ମତେ ଭାରି ଭଲ ଲାଗୁଥିଲା । ଅନୁସୂୟା ସାଙ୍ଗରେ ପଦେ କଥା ହେଇ ପାରିଲେ, ଦିନ ସାରା ସେଇ କଥା କହିବାର ମୁହୂର୍ତ୍ତ ଟିକକ ମନେ ମନେ ରୋମନ୍ଥନ କରୁଥିଲି । ଅନୁସୂୟା ନାଆଁଟିକୁ ବୁଢ଼ୀ ଠାକୁରାଣୀ ପାହାଡ଼ର ମୁଣ୍ଡିଆ ଉପରେ ଠିଆ ହୋଇ ଥରକୁ ଥର ଉଚ୍ଚାରଣ କରୁଥିଲି । ସେଥିରେ ବି ଏକ ସୁଖାନୁଭୂତି ଥିଲା । ଆଉ ସେ ସୁଖାନୁଭୂତି ପାଇଁ ନିରୋଳା ରାତିରେ ଟେବୁଲ ଉପରେ ଯାହା ଖୋଦେଇ କରିଥିଲି, ଦିନର ଆଲୁଅରେ ସେ ଖୋଦେଇ କାରୁକାର୍ଯ୍ୟ ମତେ ଅଶ୍ଳୀଳ ବୋଲି ମନେ ହେଲା । ଆଉ ସେଇଥିପାଇଁ ଖବରକାଗଜ ଦେଇ ସେ ଲେଖାକୁ ମୁଁ ଘୋଡ଼େଇ ରଖିଥିଲି ହଷ୍ଟେଲ ଜୀବନର ଶେଷ ଦିନ ପର୍ଯ୍ୟନ୍ତ । ବାନାମ୍ବର ଖାଲି ଭଲ କବିତା ଲେଖୁଥିଲା ତା ନୁହେଁ, ନାଟକ ଅଭିନୟ କ୍ଷେତ୍ରରେ ବି ସେ ଯଥେଷ୍ଟ ନାଁ କମେଇଥିଲା । ସ୍କୁଲର ବାର୍ଷିକ ଉତ୍ସବ ଦିନ ସେ ଦି’ହାତ ପୁରେଇ ପ୍ରାଇଜ୍ ଆଣୁଥିଲା ଆଉ ମୁଁ ଖାଲି ହାତରେ ରହିବି ଖୁସି ହେଉଥିଲି ।

 

ଦିନେ ଡାକରା ଆସିଲା ସେଠାକାର ଏସ. ଡି. ଓ. ଶ୍ରୀ ହିମାଂଶୁ ଘୋଷଙ୍କ ପାଖରୁ । ନାଟକର ଅଭିନୟ ପାଇଁ ଦୁଇଜଣ ପିଲା ଦରକାର । କୁଷ୍ଠରୋଗୀଙ୍କ ସାହାଯ୍ୟର୍ଥେ ତାଙ୍କ ସ୍ତ୍ରୀ ଶ୍ରୀମତୀ ତୃପ୍ତି ଘୋଷ ଓ ସମାଜସେବୀ ଶ୍ରୀମତୀ ମାଳତୀ ଦେବୀଙ୍କ ଉଦ୍ୟମରେ ନାଟକ ହେବ । ଡାକରା ଆସିଲା ଆମ ପାଖକୁ ନୁହେଁ, ଆମ ସ୍କୁଲର ହେଡ଼ମାଷ୍ଟରଙ୍କ ପାଖକୁ ।

 

ହେଡ଼ମାଷ୍ଟର ବାଛିଥିବା ଦୁଇଜଣ ପିଲାଙ୍କ ଭିତରେ ବାନାମ୍ବର ସାଙ୍ଗକୁ ମୁଁ’ ବି ବଛା ହେଲି । ସୁନନ୍ଦକର ଅନୁବାଦ କରିଥିବା ରବୀନ୍ଦ୍ରନାଥଙ୍କର ଡାକଘର ନାଟକ । ମହଡ଼ା ଚାଲିଲା । ଏସ. ଡି. ଓ.ଙ୍କ ଗାଡ଼ି ଆସି ପହଞ୍ଚେ ସ୍କୁଲରେ, ନ ହେଲେ ହଷ୍ଟେଲରେ, ଆମକୁ ନେଇଯିବା ପାଇଁ । ଗର୍ବରେ ମୋର ଆଉ ତଳେ ପାଦ ପଡ଼ୁ ନ ଥାଏ । ଛାତି ଫୁଲେଇ ଅନ୍ୟ ପିଲାଙ୍କ ଗହଣରୁ ବାହାରି ମୁଁ ଯାଇ ଗାଡ଼ିରେ ବସେ । ଏତେ ଦିନ ପରେ ମନେ ହେଲା, ପାଠରେ ନ ହେଲା ନାହିଁ, କବିତା ଲେଖାରେ ନ ହେଲା ନାହିଁ ନାଟକ ଅଭିନୟରେ ମୁଁ ବାନାମ୍ବର ଠାରୁ କୌଣସି ମତେ କମ ନୁହେଁ । ଗୋଟିଏ ଗାଡ଼ିରେ ଆମେ ଦିହେଁ ଯାଉଛୁ, ନାଟକରେ ଦୁଇଟି ବିଶିଷ୍ଟ ଚରିତ୍ର ଆମେ ଦୁହେଁ ଅଭିନୟ ଶିଖୁଛୁ । ହିମାଂଶୁ ବାବୁଙ୍କ ଘରେ ମୋର ବହୁତ ଖାତିର । ହୁଏତ ମୋର ନାଆଁଟା ପାଇଁ । କାରଣ ସେ ସମୟରେ ଅନୁଗୁଳରେ ବଙ୍ଗ ଭାଷି ଲୋକ ଅନେକ କମ୍‍ ଏବଂ ସେହି କମ୍‍ ମାନଙ୍କ ଭିତରୁ ମୁଁ ଜଣେ । ସେତେବେଳେ ଅନୁଗୁଳରେ ମାଛ ମିଳୁ ନ ଥିଲା । ହେଲେ ମୁଁ ରିହାରସେଲ୍ ସରିଲା ପରେ କେତେଥର ଶ୍ରୀମତୀ ଘୋଷଙ୍କ ପରିଚର୍ଯ୍ୟାରେ ରୋହିମାଛ ଭଜା ଦେଇ ପରଟା ଖାଇଛି । ରାତିରେ ହଷ୍ଟେଲ ଦୁଆର ପାଖରେ ଏସ. ଡି ଓ.ଙ୍କ ଗାଡ଼ିରୁ ଓହ୍ଲେଇଲା ବେଳେ ଦେଖିଛି ହଷ୍ଟେଲର ଅନ୍ୟ ପିଲାମାନେ ମତେ ସମ୍ଭ୍ରମତାର ସହ ଅନେଇ ରହିଛନ୍ତି । ଦିନ କେଇଟା ଭିତରେ ମୁଁ ଏସ.ଡି.ଓ ସାହାବଙ୍କ ଘରଲୋକ ହେଇଗଲି । ମନେ ମନେ ଭାବିଲି ଅନ୍ତତଃ ଏଇ ଗୋଟିଏ ଯାଗାରେ ମୁଁ ବାନାମ୍ବରକୁ ଅତିକ୍ରମ କରି ଆସିଛି । ଏଇ ଗୋଟିଏ ଯାଗାରେ ମୁଁ ବାନାମ୍ବରକୁ ହରେଇ ଦେଇ ପାରିଛି । ନିର୍ଦ୍ଦିଷ୍ଟ ଦିନରେ ଅନୁଗୁଳର ଏକମାତ୍ର ମଞ୍ଚ “ସଭାଘର” ନାଟକ ମଞ୍ଚସ୍ଥ ହେଲା । ନାଟକ ଆରମ୍ଭ ହେବା ଆଗରୁ କିଛି ଗୋଟାଏ ଲେଖିବା ପାଇଁ ହିମାଂଶୁବାବୁଙ୍କର ହଠାତ୍ କଲମ ଦରକାର ପଡ଼ିଲା । ବାନାମ୍ବର ଆଉ ମୁଁ ତାଙ୍କ ପାଖରେ ଠିଆ ହେଇଥିଲୁ । ସେ ବାନାମ୍ବରକୁ କଲମ ମାଗିଲେ । ହେଲେ ବାନାମ୍ବରକୁ କଲମ ଦେବାର ସୁଯୋଗ ମୁଁ ଦେଲିନି । ସେ କଲମ ବାହାର କରିବା ଆଗରୁ, ବଡ଼ଭାଇ ଉପହାର ଦେଇଥିବା ମୋ ଜୀବନର ପ୍ରଥମ ଫାଉଣ୍ଟେନ୍ ପେନ୍ “ରାଜାପେନ୍”ଟି ତାଙ୍କୁ ବଢ଼େଇ ଦେଲି ମୁଁ ।

 

ନାଟକର ଶେଷ ଦୃଶ୍ୟରେ ମୋର ପାଳିତ ପୁତ୍ର ଅମର ମରି ଯାଇଛି ଓ ମୁଁ ଶୋକ ବିହ୍ଵଳ ହେଇ ପଡ଼ୁଛି । ମଞ୍ଚ ଉପରେ ମୁଁ ଓ ଅମଲର ଅଜା ଭୂମିକାରେ ଅଭିନେତା ବାନାମ୍ବର ପାଖା ପାଖି ଠିଆ ହେଇଛୁ । ଅନ୍ତରାଳରୁ ବେହେଲାର କରୁଣ ରାଗିଣୀ ଭାଷି ଆସୁଛି । ବେହେଲାର ଏଇ ରାଗିଣୀ ସହିତ ରିହାରସେଲ୍‌ରେ ଆଗରୁ ମୁଁ ପରିଚିତ ନ ଥିଲି । ସେ ରାଗିଣୀ ମୋ ଭିତରେ ଏକ ଗଭୀର ଆଲୋଡ଼ନା ସୃଷ୍ଟି କଲା । ମୋ ହୃଦୟରେ ସବୁ ତନ୍ତ୍ରିରୁ ରକ୍ତ କ୍ଷରଣ ହେବାକୁ ଲାଗିଲା । ଦେହ ଅବଶ ହେଇ ଆସିଲା । ଯବନିକା ପଡ଼ିବା ସଙ୍ଗେ ସଙ୍ଗେ ବାନାମ୍ବର ମତେ ଧରି ପକେଇଲା ଓ ଆସ୍ତେ ଆସ୍ତେ ସେଇଠି ଶୁଆଇ ଦେଲା । ଚାରିଆଡ଼େ ସମସ୍ତେ ନାଟକ ନେଇ ଆଲୋଚନାରେ ବ୍ୟସ୍ତ । ହେଲେ ବାନାମ୍ବର ମୋରି ପାଖରେ ବସି ରହିଛି । ମୁଁ ଆଖି ମେଲି ସବୁ କିଛି ଦେଖୁଛି ସିନା ହେଲେ ହାତ ଗୋଡ଼ ହଲେଇ ପାରୁନି । କଥା କହି ପାରୁନି–କାହାରିକୁ ଡାକି ପାରୁନି । ବେଶ୍ କିଛି ସମୟ ସେମିତି ପଡ଼ି ରହିବା ପରେ ମୁଁ ଆସ୍ତେ ଆସ୍ତେ ବାନାମ୍ବରକୁ ଧରି ଉଠି ଠିଆ ହେଲି । କିଛି ଦର୍ଶକ ମଞ୍ଚ ଭିତରକୁ ଆସି ଆମର ପିଠି ଥାପୁଡ଼େଇ ଥିଲେ, ହେଲେ ତୃପ୍ତି ଦେବୀ ଓ ହିମାଂଶୁବାବୁଙ୍କ ପାଖରେ ଗହଳି ଅନେକ । ସେଦିନ ରାତିରେ ଆଉ ଏସ. ଡି. ଓ.ଙ୍କ ଗାଡ଼ି ଆମକୁ ଛାଡ଼ିବାକୁ ଆସିଲାନି । ଆସିଥାଆନ୍ତା କେମିତି ? ସେଦିନ ଯେ ଏସ. ଡି. ଓ. ସାହେବଙ୍କର ଅନେକ ଅତିଥି । ସେମାନଙ୍କ ଭିତରୁ କେତେକଙ୍କୁ ତାଙ୍କ ଘରେ ପହଞ୍ଚେଇବା ପାଇଁ ଗାଡ଼ି ଦରକାର । ଗାଡ଼ି ଦରକାର ଅନ୍ୟ ଅଫିସରମାନଙ୍କର ଝିଅମାନଙ୍କୁ ଘରେ ପହଞ୍ଚେଇବା ପାଇଁ–ଯେଉଁମାନେ ନାଟକ ପୂର୍ବରୁ ନାଚ ପରିବେଷଣ କରିଥିଲେ । ବାନାମ୍ବର ମତେ ଧରି କିଛି ସମୟ ଠିଆ ହେଲା ପରେ ଆଣି ହଷ୍ଟେଲରେ ଛାଡ଼ିଲା । ସେଦିନର ହୋ ହଲ୍ଲା ଭିତରେ ମୋର “ରାଜା” ଫାଉଣ୍ଟେନ୍ ପେନ୍‌ଟା ରହି ଯାଇଥିଲା ହିମାଂଶୁବାବୁଙ୍କ ପାଖରେ । ମୁଁ ବି ସେଦିନ କଲମ ପାଇଁ ଖୁବ୍ ଉତ୍ସୁକ ନ ଥିଲି । କ’ଣ ଦରକାର କଲମ ପାଇଁ ବ୍ୟସ୍ତ ହେବାର । ହିମାଂଶୁବାବୁ ଓ ତୃପ୍ତିଦେବୀ ଏବେ ମୋର ଆପଣାର ଲୋକ ।

 

ନାଟକ ଶେଷ ହେବାର ଦିନ କେଇଟା ପରେ ଦିନେ ଉପରଓଳି ଯାଇ ପହଞ୍ଚିଲି ଏସ. ଡି. ଓ. ସାହେବଙ୍କ ଘରେ । ଦାଣ୍ଡ ବାରଣ୍ଡାରେ ହିମାଂଶୁବାବୁଙ୍କର ପୁଅ ପାଠ ପଢ଼ୁଛି, ମାଷ୍ଟରଙ୍କ ସାମନାରେ ବସି । ମୁଁ ଯାଇ ତାକୁ କହିଲି ମାଆଙ୍କୁ ଡାକି ଦେବାକୁ । ସେ ଭିତରକୁ ଉଠିଗଲା ଏବଂ କିଛି ସମୟ ପରେ ଫେରି ଆସି କହିଲା–“ମାଆ କହିଲେ ତାଙ୍କ ମୁଣ୍ଡ ବିନ୍ଧୁଛି ଆସି ପାରିବେନି । କଣ ଦରକାର କୁହନ୍ତୁ । କଣ ଦରକାର ? ସତରେ ଠିକ୍ ସେଇ ମୁହୂର୍ତ୍ତରେ ଭାବି ପାରିଲିନି କଣ ଦରକାର । କିଛି ସମୟ ଚିନ୍ତା କରି କହିଲି–“ମୋ କଲମଟା ନେବାକୁ ଆସିଥିଲି ।” ସେ ଆଉ ଥରେ ଭିତରକୁ ଗଲା–ମୁଁ ବାରଣ୍ଡାରେ ଠିଆ ହେଇ ଶୁଣିଲି ତୃପ୍ତିଦେବୀ ପୁଅକୁ କହୁଛନ୍ତି–“କହିଦେ ପରେ କେତେବେଳେ ଆସି ନେଇଯିବାକୁ । ମୁଁ ଖୋଜି ରଖିଥିବି ।” ସେଇ ମୁହୂର୍ତ୍ତରେ ମନେ ହେଲା–ତାଙ୍କ ପାଖରେ ରାମା, ଶ୍ୟାମା, ଦାମା ଆଉ ମୋ ଭିତରେ କିଛି ଫରକ ନାହିଁ । ପୁଅ ମୁହଁରୁ ମାଆର କଥା ଆଉ ଥରେ ଶୁଣିବା ଆଗରୁ ମୁଁ ବାହାରି ଆସିଥିଲି । କଲମ ଆଉ ମୁଁ ଫେରି ପାଇନି-। ମୋ ଜୀବନର ପ୍ରଥମ ଉପହାର ମୁଁ ଆଉ ଫେରି ପାଇନି । ରାଜା ପେନ୍ ମୁଁ ଆଉ ଫେରି ପାଇନି-

 

ସେଦିନ ଅନୁଗୁଳ ସ୍କୁଲର ଅସୀମ ବସୁ ଭଳି ଆଜି ଚାକିରିରେ ଯୋଗ ଦେବାର ପ୍ରଥମ ଦିନ ଉପେନ୍ଦ୍ର ଆଉ ଥରେ ସୂଚେଇ ଦେଲା–ତୁ ରାମା, ଶ୍ୟାମା, ଦାମା, ଯଦୁ, ମଧୁଠାରୁ ଭିନ୍ନ ନୁହେଁ-। ତାଙ୍କ ଠାରୁ କୌଣସି ମତେ ତୁ ଅଲଗା ନୁହଁ ।

 

।। ୩୫ ।।

 

କଟକରେ ଏକାମ୍ର ଥିଏଟରର ନାଟକ ଚାଲିଛି । ଜନତା ରଙ୍ଗ ମଞ୍ଚରେ ପ୍ରତିଦିନ ନୂଆ ନୂଆ ନାଟକ । ସେଦିନର ନାଟକ ‘‘ରୂପାନ୍ତର’’ । ଯେଉଁଥିରେ ମୁଖ୍ୟ ଭୂମିକାରେ ଅଭିନେତା ‘‘ଅସୀମ ବସୁ’’ ରୂପାନ୍ତରର ଚାକର ଭୂମିକାରେ ଅଭିନୟ କରି ସେ ଭୁବନେଶ୍ୱରରେ ବହୁତ ତାଳି ପାଇଛନ୍ତି । ଦର୍ଶକ ପିଠି ଥାପୁଡ଼େଇଛନ୍ତି ଅନେକ ଥର । ହେଲେ କଟକ ଯେ ଥିଏଟରର ଅସଲ ଜାଗା । ପୁଣି ଜନତା ଥିଏଟରର ରଙ୍ଗମଞ୍ଚ । ତେଣୁ ଅନେକ ଡର ନେଇ ମଞ୍ଚରେ ଓହ୍ଲେଇଲା ଅସୀମ ବସୁ । ଦର୍ଶକ ଆସନରେ ଓଡ଼ିଶା ରଙ୍ଗମଞ୍ଚର ଅନେକ ପ୍ରତିଷ୍ଠିତ ଶିଳ୍ପୀ । ଡର ନ ମାଡ଼ିବ କିମିତି ? ଏକାମ୍ର ଥିଏଟରର କର୍ଣ୍ଣଧାର ନାଟ୍ୟକାର କମଳ ଲୋଚନ ମହାନ୍ତି ନିଜେ ଘର ଘର ବୁଲି, ଲୋକ ପଠେଇ ସମସ୍ତଙ୍କୁ ଡକେଇ ଆଣିଛନ୍ତି ନିଜ ସଂସ୍ଥାର କୃତିତ୍ୱ ଦେଖେଇବା ପାଇଁ । ସେଇ ବଡ଼ ବଡ଼ କଳାକାରଙ୍କର ଉପସ୍ଥିତି ଅସୀମ ବସୁ ଭଳି ଲୋକଙ୍କ ପାଖରେ ଯେ କେତେ ଅସ୍ଵସ୍ଥିକର ହେବ ସେ କଥା ଟିକିଏ ବି ଭାବିଲେନି କମଳ ଲୋଚନ ମହାନ୍ତି ।

 

“ନାଟକ ଆରମ୍ଭ ହେଲା । ଶେଷ ବି ହେଲା । ସାହସ କରି ଦର୍ଶକଙ୍କ ଆସନର ସାମନା ଧାଡ଼ିକୁ ଅନେଇ ପାରି ନ ଥିଲି ମୁଁ ।” ଲୋକଟା କହିବାକୁ ଲାଗିଲା–ଗ୍ରୀନ୍ ରୁମ୍‌ରେ ଅନେକ ଲୋକଙ୍କ ଭିଡ଼ । ନାଟକ ଭଲ ଲାଗିଛି ସେମାନଙ୍କୁ, ଯେଉଁମାନଙ୍କୁ ଡରି ମୁଁ ସାମନା ଧାଡ଼ିକୁ ଅନେଇ ନଥିଲି । ସେଦିନ ଯାଇ ଗ୍ରୀନ୍ ରୁମ୍‌ରେ ଭିଡ଼ ଠେଲି ମୋ ପାଖକୁ ଆଗେଇ ଆସିଲେ ସେତେବେଳର ଟେଲିଭିଜନ୍ ସେଣ୍ଟରର ଷ୍ଟେସନ୍ ଡାଇରେକଟର ରଫିକ୍ ବାବୁ । ହାତ ପାପୁଲିକୁ ଜୋରରେ ଚାପି ଧରି କହିଲେ–ଆପଣ ଟି. ଭି.ରେ ଅଭିନୟ ପାଇଁ ଅଡେସନ ଦେଇ ନାହାନ୍ତି କାହିଁକି ? ମୁଁ କ’ଣ ଉତ୍ତର ଦେବି ଭାବି ପାରିଲିନି । ସେ ବି ମୋ ଉତ୍ତରକୁ ଅପେକ୍ଷା କରି ନ ଥିଲେ-। କହିଲେ–ଏଇ ସପ୍ତାହ ଭିତରେ ଫର୍ମ ପୂରଣ କରି ପଠାନ୍ତୁ । ମନେ ରହିବ ତ ? ଏଇ ସପ୍ତାହ ଭିତରେ । ମୁଁ କୌଣସି ରକମର ହଁ ଟିଏ ମାରି ତାଙ୍କଠୁ ମୁକ୍ତି ପାଇଲି ।

 

ଅଡ଼େସନ୍–ପୁଣି ଟେଲିଭିଜନ ପାଇଁ ?

 

ମନେ ପଡ଼ିଗଲା ରେଡ଼ିଓ ଅଡ଼େସନ୍ କଥା । ବନ୍ଧୁମାନଙ୍କ କଥାରେ ପଡ଼ି ରେଡ଼ିଓ ନାଟକ ପାଇଁ ଥରେ ଫର୍ମ ପୂରଣ କରି ପଠେଇଥିଲି । ଫର୍ମ ପଠେଇବାର ପ୍ରାୟ ଦେଢ଼ ବର୍ଷ ପରେ ଡାକରା ପାଇଲି ଅଡ଼େସନ୍ ପାଇଁ । ବନ୍ଧୁ ଶିଳ୍ପୀ ଦାଶରଥି ପ୍ରସାଦ ଦାସ, ଚାକିରି କରେ ରେଡ଼ିଓ ଷ୍ଟେସନରେ । ଅଡ଼େସନ୍ ଦିନ ସକାଳେ ଯାଇ ପହଞ୍ଚିଲି ଦାଶରଥି ପାଖରେ । ମତେ ଟିକିଏ ବତେଇ ଦିଅ କ’ଣ କେମିତି କରିବାକୁ ପଡ଼ିବ । ଦାଶରଥି ହସିଲା “ତମକୁ ଗୋଟାଏ କଣ ବତେଇବି ? ତମ ଗଳାର ଯେଉଁ ଓଜନ ସେଥିରେ ତମକୁ କାଟିବ କିଏ ?”

 

ଦାଶରଥି ଆଉ ମୁଁ ତା ଟେବୁଲରେ ବସି ଚାହା ପିଉଛୁ, ଏତିକିବେଳେ ନାଟ୍ୟକାର ମନୋରଞ୍ଜନ ଦାସ ସେଠି ଆସି ପହଞ୍ଚିଲେ । ମୁଁ ତାଙ୍କୁ ଚିହ୍ନିଛି ସିନାହେଲେ ସେ ମୋତେ ଜାଣିବେ କେମିତି ? ଦାଶରଥି ପରିଚୟ କରେଇ ଦେଲା ତାର ଘନିଷ୍ଠ ସାଙ୍ଗ କହି । ମନୋରଞ୍ଜନ ଦାସ ସେଇ ଅଡ଼େସନର ହର୍ତ୍ତା କର୍ତ୍ତା ବିଧାତା । ତାଙ୍କ ମନକୁ ପାଇଲେ ପାସ୍ ନ ପାଇଲେ ଫେଲ୍ । ମନୋରଞ୍ଜନ ବାବୁ ଗୁମ୍ ମାରି ସେଠୁ ଚାଲିଗଲେ । ମୋ ହାତରେ ଗୋଟାଏ ପୁରୁଣା ରେଡ଼ିଓ ନାଟକର ପାଣ୍ଡୁଲିପି । ପାଣ୍ଡୁଲିପି ଧରି ମୁଁ ନିଜକୁ ପ୍ରସ୍ତୁତ କରିବାକୁ ଲାଗିଲି । ଦାଶରଥି କହିଲା–ରେଡ଼ିଓ ନାଟକରେ ଗଳାର କାମ ଦରକାର । ସ୍ଵର ପ୍ରକ୍ଷେପଣ ମାଧ୍ୟମରେ ହିଁ ଚରିତ୍ର ତିଆରି କରିବାକୁ ପଡ଼େ । ମୁଁ ଲାଗି ପଡ଼ିଲି ଚରିତ୍ର ତିଆରି କରିବାକୁ ।

 

ଗୋଟାଏ ସମୟରେ ଡାକରା ଆସିଲା–ଅସୀମ ବସୁ । ଅଡ଼େସନ ରୁମ୍‌ରେ ପହଞ୍ଚିଲି । ମାଇକ୍ ସାମନାରେ ଠିଆ ହେଲା ପରେ ଶୂନ୍ୟବାଣୀ ହେଲା–ମୋ ପାଇଁ ନିର୍ଦ୍ଦେଶ । ନିର୍ଦ୍ଦେଶ ମୁତାବକ କାମ କରିଗଲି । ସବା ଶେଷରେ ପୁଣି ଶୂନ୍ୟବାଣୀ–“ଧନ୍ୟବାଦ ।” ମୁଁ ଘର ଭିତରୁ ବାହାରି ଆସିଲି । ଶୀତତାପ ନିୟନ୍ତ୍ରିତ ଘର ଭିତରୁ ବାହାରି ଆସି ଦେଖିଲି ଝାଳରେ ଦେହ ସାରା ଓଦା ହେଇ ଯାଇଛି । ରୁମାଲ ବାହାର କରି ମୁହଁ ପୋଛୁଚି ଦାଶରଥି ଆସି ପିଠି ଥାପୁଡ଼େଇଲା । ଭଲ ହେଇଛି ଅଡ଼େସନ । ମୁଁ ଶୁଣିଚି । ଅଲବତ ଚିଠି ପାଇବ । ସିଲେକ୍‌ଟ ହେଇଚ ବୋଲି । ଚିଠି ପାଇଲି ପ୍ରାୟ ପନ୍ଦର ଦିନ ପରେ । ସିଲେକ୍‌ଟ ନୁହେଁ–ରିଜେକ୍‌ଟ ।

 

କଟକ ଯାଇ ଦାଶରଥିକୁ ପଚାରିଲି–କ’ଣ ହେଲା ? ମୋର ଭୁଲ୍ କେଉଁଠି ରହିଲା ? କେଉଁ ତୃଟି ପାଇଁ ମୁଁ ଯୋଗ୍ୟ ବିବେଚିତ ହେଇ ପାରିଲିନି ?

 

ଦାଶରଥି କିଛି ଉତ୍ତର ନ ଦେଇ ମତେ ବସିବାକୁ କହିଲା । ତାପରେ ପିଅନ ଡାକି ଚାହା ମଗେଇଲା । କିଛି ସମୟ ଗୁମ୍ ମାରି ରହିଲା ପରେ କହିଲା-ଭୁଲ୍ ତମର ନୁହେଁ–ମୋର । ଭୁଲ୍ ତମର ମୋର ବନ୍ଧୁତ୍ଵ । ଭୁଲ୍ ସେଦିନ ତମର ଅଡ଼େସନ୍ ମୁଁ ରେକର୍ଡ଼ କରି ରଖି ପାରିନି । ପ୍ରତିବାଦ କରିବାର ଅସ୍ତ୍ର ମୋ ପାଖରେ ନାହିଁ ।

 

ମୁଁ କିଛି ବୁଝି ନ ପାରି ତା ମୁହଁକୁ ଅନେଇଲି । ସେ କହିଲା–ଦେଖ ଏହାଠାରୁ ବେଶୀ ମୁଁ କହି ପାରିବିନି । ଯେତିକି କହିଲି ସେଥିରୁ ତମେ ଯାହା ବୁଝିବ ।

 

ମୁଁ କିଛି ବୁଝିଲିନି, ହେଲେ ଏତିକି ଦାଶରଥି ସହିତ ବନ୍ଧୁତ୍ଵ, ମୋର ସିଲେକ୍‌ଟ ନ ହେବା ପଛରେ ଆଂଶିକ ଭାବରେ ଦାୟୀ । ତେଣୁ ରଫିକ୍ ବାବୁଙ୍କର ଅନୁରୋଧ ମତେ ଖୁବ୍ ଉତ୍ସାହିତ କଲାନି । ଏହା ଭିତରେ ପ୍ରାୟ ଦୁଇବର୍ଷ କଟି ଯାଇଛି । ମନୋରଞ୍ଜନ ଦାସ ଏବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସମ୍ପାଦକ ଶ୍ରୀ ଯଦୁନାଥ ଦାଶ ମହାପାତ୍ରଙ୍କର ନାଟକ “ଅଥବା ଅନ୍ଧାର” ନାଟକ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ । ବିଧାୟକମାନଙ୍କର ମନୋରଞ୍ଜନ ପାଇଁ ଏକାଡ଼େମୀ ଏହି ନାଟକ ମଞ୍ଚସ୍ଥ କରେଇବେ । ନାଟକର ନିର୍ଦ୍ଦେଶକ ମୁଁ । ଗୋଟିଏ ଚରିତ୍ରର ଅଭିନେତା ମୁଁ । ସଂସ୍ଥା ମଧ୍ୟ ମୋର “ଶ୍ରୀ ଥିଏଟରସ୍ ।”

 

ନାଟକ ସରିଲା ପରେ ମନୋରଞ୍ଜନ ବାବୁ ଷ୍ଟେଜ୍‌କୁ ଆସି ମୋତେ କୁଣ୍ଢେଇ ଧରିଲେ । କହିଲେ ଅସୀମ ବାବୁ । ମୁଁ ଆପଣଙ୍କର ସ୍ଵରର ପ୍ରେମରେ ପଡ଼ି ଯାଇଛି । ମୁଁ ବିସ୍ମୟରେ ତାଙ୍କ ମୁହଁକୁ ଅନେଇ ରହିଲି । ଏ କଣ ସେଇ ମନୋରଞ୍ଜନ ବାବୁ ଯିଏ ସେଦିନ ମୋର ସ୍ଵର ଅଯୋଗ୍ୟ ବୋଲି ଆକାଶବାଣୀ ଗଣ୍ଡି ଭିତରକୁ ପଶିବାକୁ ଦେଇ ନ ଥିଲେ । ଏ କଣ ସେଇ ମନୋରଞ୍ଜନ ବାବୁ ଯାହାଙ୍କ ବିଚାରର ସ୍ଵାକ୍ଷର ନେଇ ମୋ ପାଖକୁ ଆସିଥିଲା ରିଗ୍ରେଟ ଲେଟର ?

 

ମୁଁ କିନ୍ତୁ ଦିନେ ଆକାଶବାଣୀ ଗଣ୍ଡି ଭିତରକୁ ପଶିଲି । ସେ ତ ଆଉ ଏକ କାହାଣୀ ।

 

ଅଭିନେତା, ନାଟ୍ୟ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତି ହଠାତ୍‍ ଦିନେ ସକାଳେ ଗୋଟାଏ ଫର୍ମ ଧରି ମୋ ପାଖରେ ହାଜର ହେଲେ ।

 

“ଦାଦା ଏଇଠି ଗୋଟାଏ ଦସ୍ତଖସ୍ତ କଲେ ।”

 

ଅକ୍ଷୟ ମୋ ହାତରେ କଲମ ଧରେଇ ଦେଲା ।

 

ଆକାଶବାଣୀରେ ଅଭିନୟ କରିବା ପାଇଁ ଉଦ୍ଦିଷ୍ଟ ଫର୍ମ । ମୁଁ କହିଲି–ଅକ୍ଷୟ ତମେ ବୋଧହୁଏ ଜାଣିନ ମୁଁ ଆକାଶବାଣୀରୁ ଅଯୋଗ୍ୟତାର ପ୍ରମାଣପତ୍ର ବହନ କରୁଥିବା ଗୋଟିଏ ଲୋକ । ସେ କହିଲା ସେ କଥା ମୁଁ ଜାଣିଛି ବୋଲି ଆପଣଙ୍କୁ ଦସ୍ତଖସ୍ତ କରିବାକୁ କହୁଛି ।

 

ଏହାପରେ ମୋର ଆଉ କିଛି କହିବାର ନ ଥିଲା । ତେଣୁ କଲମ ଧରି ଦସ୍ତଖତ କରିଦେଲି । ମାସ କେଇଟା ପରେ ଡାକରା ଆସିଲା ଅଡ଼େସନ ପାଇଁ । ପୁଣି ଅଡ଼େସନ ? ଅକ୍ଷୟ-। ଏସବୁ ପାଇଁ ଦାୟୀ ଅକ୍ଷୟ । କଣ ଦରକାର ଥିଲା ସେଦିନ ସେ ଫର୍ମରେ ଦସ୍ତଖତ କରେଇ ନେବାର ? କାହିଁକି ମତେ ଆଉ ଗୋଟାଏ ରିଗ୍ରେଟ ଲେଟରର ମୁହାଁ ମୁହିଁ ହେବାକୁ ପଡ଼ିବ-। ଦରକାର ନାହିଁ ମୋର ଅଡ଼େସନ ଦେବାର । ହେଲେ ମୋର ନିୟତି ? ଅଡ଼େସନ ଦିନ ସକାଳେ ଅକ୍ଷୟ ଆସି ହାଜର । “ଚାଲନ୍ତୁ କଟକ ଯିବା ।” ଅକ୍ଷୟ ନିର୍ଲିପ୍ତ ଭାବରେ କହିଲା । ଅତୀତରେ ଅନେକ ଘଟଣାରୁ ଜାଣିଛି–ତା ସହିତ ଯୁକ୍ତି କରି କେବେ ମୁଁ ଜିଣିନି । ତେଣୁ ଆଉ ଯୁକ୍ତି ନ କରି କଟକ ବାହାରିଲି । କଟକରେ ପହଞ୍ଚିଲା ବେଳକୁ ବେଶ୍ ଡେରି ହେଇ ଯାଇଛି । ଆକାଶବାଣୀର ଭଗବାନ ବାବୁ ମୋ ହାତକୁ ନାଟକର ପାଣ୍ଡୁଲିପି ବଢ଼େଇ ଦେଇ କହିଲେ–ଆକାଶବାଣୀରେ ସମୟର ଜ୍ଞାନର ଅଭାବ ହେଲେ ଚଳିବନି । କଣ ବା ଉତ୍ତର ଦେବି ମୁଁ ? ପାଣ୍ଡୁଲିପି ଖୋଲି ପଢ଼ିବାକୁ ଆରମ୍ଭ କରିଛି, ଦେଖିଲି ପାଖରେ ବସିଥିବା ଅଡ଼େସନ ପାଇଁ ଆସିଥିବା ଝିଅଟି ମୁଣ୍ଡ ଟେକି ମୋ ଆଡ଼କୁ ଅନେଇଛି । ମୁଁ ସଙ୍କୁଚିତ ହେଲି । ହୁଏତ ମୋର ସଂଳାପ ପଢ଼ିବା ଦ୍ଵାରା ତାର ସଂଳାପ ପଢ଼ିବାରେ ବ୍ୟାଘାତ ସୃଷ୍ଟି କରିଛି ।

 

ଝିଅଟି ଅଳ୍ପ ହସି କହିଲା–ଆପଣ ଯଦି ଅଡ଼େସନ୍ ଦିଅନ୍ତି ତେବେ ଆମର ଆଉ ଏଠି ରହିବା ଦରକାର ନାହିଁ ।

 

ଝିଅଟି ମୋର ପ୍ରଶଂସା କରୁଛି ନା ନିନ୍ଦା ?

 

ମୁଁ ପାଣ୍ଡୁଲିପି ଧରି ବାହାରକୁ ଆସି ଗୋଟାଏ ଗଛ ମୂଳରେ ବସିଲି । ଆଖ ପାଖରେ ଅକ୍ଷୟକୁ ପାଇଲିନି । ପାଇଥିଲେ ତା ପାଖରୁ ସଂଳାପ କହିବାର ପଦ୍ଧତି କିଛି ଶିଖି ଥାଆନ୍ତି । ସମୟ ଆସିଲା । ହଲ ଭିତରେ ପଶି ଡାକରା ପାଇଁ ଅପେକ୍ଷା କଲି । ଡାକରା ଆସିଲା ଅନେକ ଡେରିରେ । ଡେରିରେ ନ ଆସିବ କେମିତି ? ମୁଁ ଯେ ଅଡ଼େସନ୍ ପାଇଁ ଆସିଥିବା ସବାଶେଷ ଲୋକ । ପୁଣି ସେଇ ଶୂନ୍ୟବାଣୀ । ପୁଣି ସେଇ ଶୂନ୍ୟରୁ ନିର୍ଦ୍ଦେଶ ।

 

ଅଡ଼େସନ୍ ସରିଲା ପରେ ପଡ଼ିଆକୁ ବାହାରି ଆସିଲି । ଅକ୍ଷୟ ବାହାରେ ଅପେକ୍ଷା କରିଥିଲା । ମତେ ପଚାରିଲା–କେମିତି ହେଲା ?

 

ତମେ ଯାଇଥିଲ କୁଆଡ଼େ ? ମୁଁ ଓଲଟା ପ୍ରଶ୍ନ ପଚାରିଲି । ପାଣ୍ଡୁଲିପି ଧରି ତମକୁ କେତେ ଖୋଜିଲି, ଟିକିଏ ବତେଇ ଦେବା ପାଇଁ ।

 

ଅକ୍ଷୟ କିଛି କହିବା ପୂର୍ବରୁ ବିଜୟ ମହାନ୍ତି ଯେ କି ଅକ୍ଷୟ ନିର୍ଦ୍ଦେଶନା ଦେଇଥିବା ଫିଲିମ୍‌ରେ ଅଭିନୟ କରିଛି ଆମ ପାଖରେ ଆସି ପହଞ୍ଚିଲା । ଆକାଶବାଣୀର ସେ ଜଣେ ପୁରୁଣା କଳାକାର । ମୋ ହାତ ସାଙ୍ଗରେ ହାତ ମେଳେଇ କହିଲା–ଦାଦା । ଆପଣ ଏ ଭୟେସକୁ ଏତେ ଦିନ ଲୁଚେଇ ରଖିଥିଲେ କେମିତି ? ଓଃ ଦିଲ୍ ଖୁସ୍ କରି ଦେଇଛନ୍ତି ବିଚାରକମାନଙ୍କର । ହେଲେ ବିଜୟ ମହାନ୍ତିଙ୍କର ପ୍ରଶସ୍ତି, ମତେ ଉତ୍‌ଫୁଲ୍ଲ କଲାନି । ଅତୀତର ଅଭିଜ୍ଞତା ମତେ ସ୍ଥିତପ୍ରଜ୍ଞ କରିଛି-। ଦିନ କେଇଟା ପରେ ଆକାଶବାଣୀର ମୋହର ଥିବା ଲଫାପା ଆସି ପହଞ୍ଚିଲା We are pleased to intimate you that....

 

ତା’ପରେ ଆକାଶବାଣୀର ନାଟକରେ ଭାଗ ନେବା । ତିନିଟା କି ଚାରିଟା ନାଟକ ପରେ ଥରେ ଗୋଟାଏ ନାଟକର ରିହରସଲ୍ ପାଇଁ ଯାଇଛି । ସହ ଶିଳ୍ପୀ ଭାବରେ ଅଭିନୟ କରୁଥିବା ଝିଅଟି କହିଲା–ମତେ ଆପଣ ଚିହ୍ନି ପାରିଲେ ? ପ୍ରଶ୍ନ ଶୁଣି ମୁଁ ତା ମୁହଁକୁ ଅନେଇଲି । ନା–ଚିହ୍ନି ପାରୁନି । ହେଲେ ସେ କଥା ତାକୁ କହିବି କେମିତି ? ମୁଁ ଟିକିଏ ଇତସ୍ତତଃ ହେଲାରୁ ସେ କହିଲା ଚିହ୍ନି ପାରିବେନି । ଆମେ ଏକା ସାଙ୍ଗରେ ଅଡ଼େସନ ଦେଇଥିଲେ । ମନେ ପଡ଼ିଲା ଏହି ତ କହିଥିଲା “ଆପଣ ଅଡ଼େସନ ଦେଲେ–ଆମର ଆଉ ଏଠି ରହିବା ଦରକାର ନାହିଁ ।” ମୁଁ କହିଲି–ସେଦିନ ମୁଁ ସଂଳାପ ପଢ଼ିବାକୁ ଯାଇ ତମର ବ୍ୟାଘାତ ଘଟେଇଥିଲି ।

 

ନାଁ ବ୍ୟାଘାତ ନୁହେଁ–ମୁଁ ଆପଣଙ୍କ ସ୍ଵରର ପ୍ରେମରେ ପଡ଼ି ଯାଇଛି । ସେଦିନର ସେ ନାଟକରେ ସେ ମୋ ଝିଅ ଭୂମିକାରେ ଅଭିନୟ କରୁଥିଲା ।

 

ଶେଷକଥା

 

ନିଜ କଣ୍ଠ ସ୍ଵରର ପ୍ରଶସ୍ତି ସେଦିନ ରେଡ଼ିଓ ଷ୍ଟେସନର ସେଇ ଝିଅଟି ମୁହଁରୁ ଶୁଣି ସାରିଲା ପରେ ଲୋକଟା ବୋଧହୁଏ ନିଜକୁ ଅସାଧାରଣ ସଂପଦର ଅଧିକାରୀ ବୋଲି ମନେ ମନେ ଗର୍ବ ଅନୁଭବ କରୁଥିଲା । ତା ପରର ମୁହୂର୍ତ୍ତ ଗୁଡ଼ାକ ସେ ହୁଏତ ସ୍ମୃତି ରୋମନ୍ଥନଜନିତ ସୁଖାନୁଭୂତିରେ ରୋମାଞ୍ଚିତ ହେଉଥିଲା । ଆଉ ସେଥିପାଇଁ ପରର ମୁହୂର୍ତ୍ତ ଗୁଡ଼ାକ ଥିଲା ଶବ୍ଦହୀନତାର ମୁହୂର୍ତ୍ତ । କଥାରେ କଥାରେ ସମୟ କେତେବେଳେ ଗଡ଼ି ଯାଇଛି ଖିଆଲ ନାହିଁ । ଦିନଗଡ଼ି ସନ୍ଧ୍ୟା । ଏବେ ତା ପରେ ବି କେତେଟା ଘଣ୍ଟା କଟି ଯାଇଛି । ଚାରିଆଡ଼ ଅନ୍ଧାର ଭିତରେ ଲୁଚି ଯାଇଛି । ଲୁଚି ଯାଇଛି ଅସଲି ଓ ନକଲି ଅସୀମ ବସୁ ବି । ମୁଁ ଆଉ ତାକୁ ଦେଖି ପାରୁନି । ଜାଣି ପାରୁନି ସେ ଅଛି ବୋଲି । ଅନ୍ଧାର ଭିତରେ ହାତ ବୁଲେଇ ତାକୁ ଖୋଜିବାକୁ ଯାଇ ଚମକି ଉଠିଲି । ସେ ବସିଥିବା ଯାଗାଟା ଫାଙ୍କ ଲାଗୁଛି । ହଠାତ୍ ମନେ ହେଲା । ସେ ଥିଲା ତ ? ନା ମୁହିଁ ମୋର ପ୍ରତିଦ୍ଵନ୍ଦୀ ପ୍ରତିମୂର୍ତ୍ତିର ପ୍ରତିଷ୍ଠାତା ? ତାକୁ ତିଆରି ନ କରିଥିଲେ ମୋ ଅତୀତର ପାପପୂଣ୍ୟକୁ ମୁଁ ଆଗକୁ ଆଣନ୍ତି କେମିତି ? ତାକୁ ଅସଲି କରି ନିଜେ ନକଲି ହେଇ ରହିବାରେ ଯେଉଁ ପ୍ରଚ୍ଛନ୍ନ ଆନନ୍ଦ ଟିକକ ଥିଲା, ସେ ଉଭେଇ ଯିବା ପରେ ସେ ଆନନ୍ଦ ଟିକକ ବି ଉଭେଇ ଗଲା । ତାରି ମୁହଁରେ ମୋ ନିଜ କଥା ଗୁଡ଼ାକ ଗପି ଯାଇଛି । ଏ ଯେମିତି ସଂପୂର୍ଣ୍ଣ ବିବସ୍ତ୍ର ହେଇ ରାଜ ପଥରେ ଠିଆ ହେବା । କେହି ମତେ ଦେଖି ପାରୁ ନାହାନ୍ତି ଅନ୍ଧାର ଭିତରେ ନିଜକୁ ଘୋଡ଼େଇ ରଖି ପାରିଛି ବୋଲି । ହେଲେ ଅନ୍ଧାର କଟିଗଲେ ? ଚାରିଆଡ଼େ ଆଲୁଅ ଖେଳିଗଲେ-?

Image